STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ଟ୍ରାକ

ଟ୍ରାକ

8 mins
6



ଏତେ ଚଞ୍ଚଳ ମାଆ ଦୁନିଆଁରୁ ବିଦାୟ ନେଇଯିବେ ଭାବିନଥିଲା ସନ୍ଧ୍ୟା. ବଞ୍ଚିଥିବା ପର୍ଯ୍ୟନ୍ତ ଜଣେ କେତେ ଭଲ ବା ମନ୍ଦ ବା ମହାନୁଭବ ଥିଲେ କି ନଥିଲେ ବୁଝି ହୁଏନି କିନ୍ତୁ ମୃତ୍ୟୁ ପରେ ଏ ହୃଦୟ ଫାଟେ. ସେକଥା ମାଆ ମଧ୍ୟ କହନ୍ତି. ମାଆ ଅର୍ଥାତ ସନ୍ଧ୍ୟାର ଶାଶୁ କହିନ୍ତି ତାଙ୍କ ପିତାଙ୍କ ଆବର୍ତ୍ତନ ପରେ ତାଙ୍କ ହୃଦୟ ଫାଟି ଗଲା ପରି ଲାଗୁଥିଲା. ଆଗରେ ନକହିଲେ ମଧ୍ୟ ସନ୍ଧ୍ୟା ଭାବୁଥିଲେ ନିଜକୁ ପଚାଶ ଟପିଗଲାଣି ପିତା ମାତା ସୁଆଗ ବାହାରୁଛି!କାରଣ ସନ୍ଧ୍ୟା ବହୁ ଶୀଘ୍ର ପିତା ମାତାଙ୍କୁ ହରେଇ ସାରିଥିଲା. ଶାଶୁମାଆଙ୍କ ଦୟାରେ ଏ ଘରକୁ ବୋହୂ ହୋଇ ଆସିଥିଲେ ମଧ୍ୟ କେବେବି ତାଙ୍କର କୌଣସି ପସନ୍ଦ ଅପସନ୍ଦକୁ ଧ୍ୟାନ ଦେଇନଥିଲା ସନ୍ଧ୍ୟା. ଆଉ ସେ ଯେବେ କହନ୍ତି ଆଜିକା ପିଲା ଓଲିଆରୁ ପଡି ଗଜା, ସନ୍ଧ୍ୟା ଭାବେ ତାକୁ ହିଁ ଲକ୍ଷକରି ମାଆ ଏକଥା କହୁଛନ୍ତି ନିଶ୍ଚୟ ତେଣୁ କେତେଥର ଶୁଣାଇ ଦିଏ ପୁରୀରେ ଜନ୍ମିତ ଲୋକ ଗୁଡା ଭାରି ମୁହଁକୁହା କିନ୍ତୁ ଭାବିପାରେନା ଶାଶୁମାଆ ପୁରୀ ଝିଅ ହିସାବରେ ଯଦିବା ତାକୁ ମୁହେଁ ମୁହେଁ କିଛି କହୁଥିଲେ କିନ୍ତୁ ଅନ୍ତର ଭିତରେ ଶୁଦ୍ଧ ଗଙ୍ଗାଜଳ ପରି ପବିତ୍ର ମନ୍ଦାକିନୀ ଧାରଟିଏ ବୋହୁଥିଲା ତା ପ୍ରତି . ସେ ଶାଢ଼ୀ ପିନ୍ଧୁ କି ନପିନ୍ଧୁ ସାବିତ୍ରୀରେ ତଥା ଅନ୍ୟ ପାର୍ବପର୍ବାଣୀରେ ତାଙ୍କ ଝିଅ ସହ ସମାନ କରି ତା ପାଇଁ ଶାଢ଼ୀ ଚୁଡ଼ି କିଣୁଥିଲେ ଶାଶୁମାଆ . ତା ପସନ୍ଦର ଖାଇବା, ପିଇବା ଓ ଲଗେଇବା ପ୍ରତି ଧ୍ୟାନ ଦେଉଥିଲେ କିନ୍ତୁ ସେ ତା ପ୍ରତିଦାନରେ ଶାଶୁଙ୍କୁ ଦେଇଛି କଣ? 

   ମାଆ ଅଣନିଶ୍ଵାସୀ ହୋଇଯାଆନ୍ତି ବସରେ ବସିଲେ. ସେଦିନ ସେଥିପାଇଁ ବସରେ ନଯାଇ ଅଟୋ ନେଇ ପୁରୀ ଯାଉଥାଆନ୍ତି. ବାଟରେ ଦେଖିଲେ ଖରାରେ ଚନ୍ଦନପୁର ସେପଟେ ଟିକି ଝିଅଟିଏ ତାର ମାଆ ବା କେହି ରକ୍ତ ସମ୍ପର୍କୀୟା ସ୍ତ୍ରୀ ଲୋକଟି ସହିତ ବାଟ ଚାଲୁଛି. ଅଟୋ ଗଡ଼ିଗଲା କିନ୍ତୁ ବାଟସାରା ମାଆ ସେହିକଥା ଭାବି ଅଣନିଶ୍ୱାସୀ ହୋଇଯାଉଥାଆନ୍ତି. ସେ ଚାହିଁଥିଲେ ଅଟୋ ରଖି ଝିଅଟି ସହ ତା ସହିତ ଥିବା ସ୍ତ୍ରୀ ଲୋକଟିକୁ ସାହାଯ୍ୟ କରିବା ପାଇଁ ନିଶ୍ଚୟ ନିଜ ସହ ନେଇଆସିପାରିଥାଆନ୍ତେ. ସେହି କଥା ସାଙ୍ଗରେ ଥିବା ଶଶୁରବାପାଙ୍କୁ କହି ଅଣନିଶ୍ୱାସୀ ଲାଗୁଛି କହିବାରେ ଶଶୁର କହିଥିଲେ ଗାଡି ରଖିଲା ବେଳକୁ ବହୁତ ବାଟ ଅତିକ୍ରମ କରିଯାଥାଆନ୍ତା . ମାଆ ବସିଥିବା ଅଟୋ ଗଡୁଥାଏ ଓ ରାସ୍ତାରେ ଅନେକ ଗାଡି ତାଙ୍କୁ ଅତିକ୍ରମ କରୁଥିବା ଭିତରେ ମାଆ ଖାଲି ଭାବୁଥାଆନ୍ତି ସେଇ ଟିକି ଝିଅଟିର ଟିକି ଟିକି ପାଦ ଦୁଇଟି କଥା. ମୁଣ୍ଡ ଉପରେ ଟାଣ ଖରାକୁ ଏତେ ବାଟ ଚାଲିବାକଥା . ଶଶୁର କିନ୍ତୁ କହୁଥିଲେ ସେଇଥିରେ ତାର ଆନନ୍ଦ. ଠିକ ଏତିକି ବେଳେ ରାସ୍ତାରେ ଦୁର୍ଘଟଣାଟିଏ ଘଟିଗଲା. ତାଙ୍କ ଅଟୋକୁ କାଟି ବାଇକରେ ଆଗକୁ ବଢୁଥିବା ସ୍ୱାମୀ ସ୍ତ୍ରୀଙ୍କୁ ବାଇକକୁ କୌଣସି ଏକ ଗାଡି ଧକ୍କା ଦେଲା ତ ବାଇକ କୁଆଡେ, ସ୍ୱାମୀ ସ୍ତ୍ରୀ ଦୁଇଜଣ ଫୁଟବଲ ପରି ଗଡି ଗଡି ପଡିଲେ. ମାଆଙ୍କ ଅଟୋର ଡ୍ରାଇଭର ଗାଡିକୁ ସାଇଡକରି ଦଉଡିଗଲା. ଅନ୍ୟମାନଙ୍କ ସହ ମିଶି ସ୍ୱାମୀ ସ୍ତ୍ରୀଙ୍କୁ ଉଠେଇ ଆମ୍ବୁଲାନ୍ସଙ୍କୁ ଖବର ଦିଆଗଲା. ଶଶୁରବାପା ମାଆଙ୍କୁ ସମ୍ଭାଳି ଥାଆନ୍ତି. ସେଇଠୁ ଅଟୋ ପଛକୁ ଫେରିଥିଲା କାରଣ ମାଆଙ୍କ ଅବସ୍ଥା ସାଙ୍ଘାତିକ ଥିଲା. ଅଟୋ ଡ୍ରାଇଭର କେବଳ କହୁଥାଏ ଆଜି କି ବେଳାରେ ରାତି ପାହିଥିଲା ଯେ ଦୁଇ ଦୁଇଟା ଆକ୍ସିଡେଣ୍ଟ ଦେଖିଲାଣି ମଣିଷ. ଗୋଟେ ଭୁବନେଶ୍ୱରରେ ତ ଗୋଟେ ପୁରୀ ଯିବା ରାସ୍ତାରେ. ଏ ଗାଡି ଚାଳକମାନେ କାହିଁକି ଯେ ରାସ୍ତାର ନିୟମ ମାନନ୍ତିନି କେଜାଣି!ନିର୍ଦ୍ଦିଷ୍ଟ ଟ୍ରାକରେ ନଗଲେ ଏମିତି ଧନଜୀବନ ହାନି ହେବ ହିଁ ହେବ. ଅଟୋ ଡ୍ରାଇଭର କିନ୍ତୁ ଜାଣିନଥିଲେ ମାନସିକ ଅବସାଦରେ ମଧ୍ୟ ଟ୍ରାକ ବାହାରକୁ ଗଲେ ବିପଦ ଅଛି. ଯେମିତିକି ତା ପରଠୁ ମାଆଙ୍କର ଅଣନିଶ୍ୱାସୀ ରୋଗ ବଢ଼ି ବଢ଼ି ଶେଷକୁ ଭୁବନେଶ୍ୱର କିମ୍ସରେ ଶେଷ ହେଲା ଜୀଵନ.

  ସନ୍ଧ୍ୟା ଭାବୁଥିଲା କେତେ ସତକଥାଟିଏ ଶାଶୁମା କହନ୍ତି ବଞ୍ଚିଥିବା ବେଳେ ନଦିଅନ୍ତି ତୁଣ୍ଡେ.. ମରିଗଲେ ଦିଅନ୍ତି ବେଣାମୁଣ୍ଡେ. ଏକଥା ସେ ଆଜିକା ସମାଜରେ ପୁଅ,ବୋହୂ,ଝିଅ,ଜୋଇଁଙ୍କର ଆଚରଣ ଓ ଉଚ୍ଚାରଣ ଦେଖି କହୁଥିଲେ କି କଣ କେଜାଣି କିନ୍ତୁ ଶାଶୁମାଙ୍କ ଭଳି କାହାକୁ ସ୍ନେହ, ଶ୍ରଦ୍ଧା ସମ୍ମାନ ଦେବି ଦେବି ବୋଲି ଭାବିବା ସମୟ ଗାଡିଯାଏ ଆଉ ଫେରେନି. ଶାଶୁଙ୍କର ଯିବା କେଇଟା ଦିନରେ ଶଶୁର ବି ଚାଲିଗଲେ କିନ୍ତୁ ଚାଲିଗଲା ପୂର୍ବରୁ ଶାଶୁ ତା ନାମରେ ଲେଖି ଯାଇଥିବା ଚିଠିଟିକୁ ଦେଇଯାଇଥିଲେ.ଚିଠିରେ ମାଆ ଲେଖିଥିଲେ ଆଦେଶ ନୁହେଁ ଅନୁରୋଧ ଭାବିବୁ ଝିଅ. ତୋ ବାପା ମାଆଙ୍କ ଫୋଟୋ ସହ ମୋ ବାପା ମାଆଙ୍କ ଫୋଟୋ ମିଶାଇ ଗୁରୁଦିବସ ଦିନ ନିଶ୍ଚୟ ପୂଜା କରିବୁ. କଥାରେ କହିଲେ ରଖିବୁକି ନରଖିବୁ ଭାବି ଚିଠିରେ ଲେଖୁଛି ଯେ ଚିଠିଟିକୁ ତତେ ଦେଇପାରିବି କି ନା ଜାଣେନା. ହଁ ତୋ ଶାଶୁରଙ୍କ ବାପା ଓ ମାଆଙ୍କ ଫୋଟୋ ଅର୍ଥାତ ମୋ ଶାଶୁ ଶଶୁରଙ୍କ ଫୋଟୋ ମଧ୍ୟ ଠାକୁର ଘରେ ଅଛି, ସମସ୍ତଙ୍କୁ ମିଶେଇ ଗୁରୁପୂଜନ କରିବୁ ତ କାନ୍ଦୁଥିଲା ଭୋ ଭୋ ହୋଇ ସନ୍ଧ୍ୟା କାରଣ ଚିଠି ଲେଖିଲା ବେଳେ ଶାଶୁ ଜାଣିନଥିଲେ ତାଙ୍କ ବାପା ମାଆ ଓ ଶାଶୁ ଶଶୁରଙ୍କ ସହିତ ସେ ନିଜେ ଓ ତାଙ୍କ ସ୍ୱାମୀ ଅର୍ଥାତ ସନ୍ଧ୍ୟାଙ୍କ ଶାଶୁ ଶଶୁର ମଧ୍ୟ ଏବେ ଫୋଟୋ ହେଇଗଲେଣି.

   ସେଦିନ ଶାଶୁଙ୍କ ବାକ୍ସରୁ ବାହାରିଥିବା ହାତ ଲେଖା ଚିଠିଟି ପଢ଼ୁଥିଲେ ସନ୍ଧ୍ୟା. ଯୋଉଥିରେ ସେ ତାଙ୍କ ବୋଉଙ୍କ ପାଖକୁ ଲେଖିଥିଲେ ଚିଠିଟି କିନ୍ତୁ ଦେଇପାରିନଥିଲେ.ଚିଠିଟିରେ ଲେଖା ଥିଲା,ବୋଉଲୋ ମୋ ଭୂମିଷ୍ଠ ପ୍ରଣତି ଘେନା କରିବୁ .ତୁ ତ ବାପା ଚାଲିଯିବାପରେ ତାଙ୍କୁ ଝୁରି ଝୁରି ବାୟାଣୀ ହେଇଗଲୁ ,ଡାକ୍ତର ତତେ ଆଲଜାଇମର ପସେଣ୍ଟ କହୁଛନ୍ତି .ତୁ ଆମକୁ କେତେବେଳେ ଚିହ୍ନୁଛୁ ତ କେତେବେଳେ ମତେ ତୋ ନଣନ୍ଦ କମଳିଆପ ବୋଲି ଡ଼ାକୁଛୁ.କେତେ ଦିଅଁ ଦେବତା କରି ପୁଅ ପାଇଥିଲୁ ଯେ ତାକୁ ଭାଇ ବୋଲି ଡାକି ପ୍ରମାଣ କରିଦେଉଛୁ ଯେ ଝିଅଟିଏ ସବୁ ଭୁଲିଗଲେ ବି ତା ବାପା ମାଆ ଭାଇ ଭଉଣୀ ଙ୍କୁ ଭୁଲି ନଥାଏ.ତଥାପି ଆମ ମନ ଦୁଃଖ ହେଉଛି ଯେ ସନ୍ତାନମାନଙ୍କ ଉର୍ଦ୍ଧରେ ତୋ ବାପା ମାଆ ଭାଇ ଭଉଣୀଙ୍କ ସହ ତାଙ୍କ ପିଲାମାନଙ୍କ କଥା ମନେ ପକେଇ କହୁଛୁ .ଖାଲି ସେତିକି ନୁହେଁ ତୋ ମାମୁଁଙ୍କର ମଧ୍ୟ ନାମ କହି ବେଳେ ବେଳେ ତାଙ୍କ ଘରକୁ ଯିବାକୁ କହୁଛୁ .ଆମକୁ ସବୁ ଚିହ୍ନିଲେ ବି ବେଳେ ବେଳେ ଅନ୍ୟ କିଏ ସବୁ ଭାବିନେଇ ସେହିଭଳି କଥା କହୁଛୁ କିନ୍ତୁ ବାପାଙ୍କୁ ସବୁବେଳେ ଖୋଜୁଛୁ .କୋଉଠି ଅଛନ୍ତି?କେତେବେଳ ଫେରିବେ?ତାଙ୍କ ପାଇଁ କଣ ଖାଇବାକୁ ଅଛି କି ନାହିଁ ପଚାରିଚାଲିଛୁ .ତୋର ବାପାଙ୍କ ପ୍ରତି ଥିବା ସ୍ନେହ, ପ୍ରେମ ,ଭଲପାଇବା ,ସମ୍ମାନବୋଧକୁ ନେଇ ମୁଁ ଅନେକ ଗୀତ ,କବିତା ,ଗଳ୍ପ ଲେଖିଛି ବୋଉ ,ତା ଭିତରୁ ,"ପ୍ରେମରମଣିଷ "ଗଳ୍ପ ଟି ବହୁ ଆଦୃତ ଲାଭ କରିଛି.ତୁ ଥରେ ପଢିନିଅନ୍ତୁନି ବୋଉ ??ତଥାପି କେହି ପଢାଇ ଶୁଣେଇ ଦେବ.ଦଉଛି ଶୁଣିବୁ ଟିକେ ଦଉଛି .

  ଗଳ୍ପଟିର ବିଷୟ ବସ୍ତୁ ଏଇଠି ଲେଖୁଛି."ବୋଉ ସବୁବେଳେ ବାପାଙ୍କ ଉପରେ ଚିଡି ଚିଡି ହୁଏ.କାରଣ ଅବସର ପରେ ପିଲାମାନଙ୍କ ଉପରେ ବୋଝ ନହୋଇ ନିଜ ପେନସନ ଗଣ୍ଡାକ ରେ ନିଜ ହାତ ଗୋଡ଼ ଚାଲିଲା ପର୍ଯ୍ୟନ୍ତ ଚଳିଯିବାକୁ ବୋଉର ଇଚ୍ଛା.ହେଲେ ବାପା ଏଵେ ଭକ୍ତି ପୁଷ୍ପ ଭଜନ ମାଳା ବୋଲି ବହିଟିଏର ପ୍ରଥମ ,ଦ୍ୱିତୀୟ ,ତୃତୀୟ ଭାଗ ପ୍ରକାଶିତ କରି ଚତୁର୍ଥ ସଂସ୍କରଣ ପାଇଁ ଲେଖି ଚାଲିଛନ୍ତି.ସେଥିରେ ଅବଶ୍ୟ ବୋଉର ସଦିଚ୍ଛା ଅଛି କିନ୍ତୁ ନିଜ ସହରର ବହୁ ଅନୁଷ୍ଠାନରେ କୋଉଥିରେ ସଭାପତି କୋଉଥିରେ ସମ୍ପାଦକ କୋଉଥିରେ କୋଷାଧକ୍ଷ ତ କୋଉଥିରେ ସଭ୍ୟ ହେବା ଦ୍ୱାରା ମାସିକ ଓ ତ୍ରୟମାସିକ ତଥା ବାର୍ଷିକ ଚାନ୍ଦା ଦେବା ନେଇ ବୋଉର ଆପତ୍ତି କ୍ରମେ ଆମ ଭାଇ ଭଉଣୀଙ୍କୁ ସଂକ୍ରମିତ କରେ ଆଉ ବୋଉ ସ

ହ ତାଳ ମିଳାଇ ବାପାଙ୍କ ଅଯଥା ଖରଚ ପାଇଁ ବାପାଙ୍କୁ ଦୋଷୀ ମଣୁ ଆମେ 

   ଭାଗ୍ୟର ଘୋର ବିପର୍ଯ୍ୟୟ ବଶତଃ ବାପା ଚାଲିଗଲେ,ଭକ୍ତି ପୁଷ୍ପ ଭଜନ ମାଳାର ଚତୁର୍ଥ ସଂସ୍କରଣ ପୁର୍ବରୁ ଆଉ ବୋଉ ଭାଙ୍ଗି ପଡିଲା.ସେଦିନ ଆମ ଘରେ ଛୋଟ କାଟିଆ ବସନ୍ତ ସାହିତ୍ୟ ଆସରରେ ଯୋଗ ଦେଇଥାନ୍ତି ମୋ ବାପାଙ୍କ ଜନ୍ମିତ ତଥା ମୋ ସହର ପୁରୀର ବହୁ ବିଶିଷ୍ଠ ପ୍ରତିଭା ଯେଉଁମାନେ ବାପାଙ୍କୁ ଜାଣିଥାନ୍ତି ଆଉ ମୋ ପିତୃ ପରିଚୟ ପାଇ ବାପାଙ୍କର ବିଭିର୍ଣ୍ଣ ଅନୁଷ୍ଠାନ ସହ ସୁସମ୍ପର୍କ ତଥା ଆର୍ଥିକ ଅବଦାନର କଥା କହୁଥିଲେ ପ୍ରତ୍ୟକ.ସେମାନଙ୍କ ବକ୍ତୃତାର ପ୍ରାରମ୍ଭରେ ତ ମୋ ଘରକୁ କିଛି ଦିନ ପାଇଁ ବୁଲିବାକୁ ଆସିଥିବା ମୋ ବୋଉ କାନରେ ସବୁ ପଡିଥିଲା.

   ତା ପରଠୁ ବୋଉ ଗୁମସୁମ ରହୁଥିଲା ଆଉ ମୁଁ ଯେବେ ଛୋଟ ମୋଟ କଥାରେ ମୋ ସ୍ୱାମୀଙ୍କୁ ଦୋଷ ଦେଇ ଚିଡି ଯାଉଥିଲି ତ ବୋଉ ପାଟି ଖୋଲି ମତେ କହିଥିଲା ଜୋଇଁ ପୁଅଙ୍କୁ କିଛି କହନା ଝିଅ.ସେ ହିଁ ତୋର ଏକମାତ୍ର ସାହା ,ଭରସା ,ବନ୍ଧୁ ତଥା ଜୀବନର ପ୍ରତିଟି ସନ୍ଧିକ୍ଷଣ ମୁହୂର୍ତ୍ତର ସାଥି. ସେ ହିଁ ଏକମାତ୍ର ମଣିଷ ଯିଏ କି ତୋ ସପକ୍ଷରେ ପଦେ କହିବ ,ତୋ ମନ ହୃଦୟ ହାଲକା କରି କହିପାରିବ.ଏତିକି କହିବା ସହ ବୋଉ ତା ଦୁଇ ଆଖିରୁ ଗଡି ଆସୁଥିବା ଦୁଇଧାର ଲୁହକୁ ପୋଛି ନେଉଥିଲା ମୋ ଅଜଣାତରେ ଆଉ ସେଦିନ ବି ମୁଁ ବୁଝିପାରିଥିଲି ସ୍ୱାମୀହିଁ ପ୍ରକୃତରେ ସ୍ତ୍ରୀ ର ସବୁଠାରୁ ପ୍ରେମର ମଣିଷ .ଗଳ୍ପଟି ଏଇଠି ଶେଷ କଲି.

      ବୋଉଲୋ ଗଳ୍ପ ଲେଖି ତୋ ନାମରେ ମନ ଶାନ୍ତି କରିଦେଉଛି ସିନା ତୋ କଥା ଓ ସେଇ ପିଲାଦିନ ତଥା ତୋ ସ୍ନେହ ଆଦର ହୃଦୟରେ ଲେଖି ହେଇଯାଇଛି .କେମିତି ପରକୁ ଆପଣାର କରିନେଉ ଗୋଟେ ମିନିଟରେ ,ଗରୀବ ଦୁଃଖିଙ୍କୁ ଦାନ କରୁ ସାମର୍ଥ୍ୟ ଅନୁସାରେ ,ଛଅଛଟା ପିଲାଙ୍କ ଅଳି ଅର୍ଦ୍ଧଳି ବୁଝିଥାଉ ,ବାପାଙ୍କ ସହ ଅନ୍ୟାନ୍ୟ ଗୁରୁଜନଙ୍କୁ ଯଥାମାନ୍ୟ ଦେବା ,ବନ୍ଧୁବାନ୍ଧବମାନଙ୍କୁ ଠିକ ଭାବେ ସ୍ନେହ ଶ୍ରଦ୍ଧା ଓ ଆନ୍ତରିକତା ଦେଖାଇବାରେ କେବେ କାର୍ପଣ୍ୟ କରିନୁ ତୁ ବୋଉ .ଖାଲି ବାପଘର ନୁହେଁ ଶାଶୁଘର ଲୋକ ମାନଙ୍କ ପ୍ରତି ଉପଯୁକ୍ତ କର୍ତ୍ତବ୍ୟ କର୍ମ କରି ତୁ ତ ଅପରାଜିତା .ପିଇସୀ ଅପାଙ୍କଠୁଁ ବଡ ଝିଆରୀ ହିସାବରେ ଗଳ୍ପରେ ଗଳ୍ପରେ ସବୁ ଘର କଥା ଶୁଣିଥିଲେ ବି ତୁ କେବେ ବି ପାଟି ଖୋଲି ନିଜ ପ୍ରତି ହୋଇଥିବା ନିର୍ଯ୍ୟାତନା ବା ଅନ୍ୟାୟ କଥା କହିନୁ କି ଆମେ ଚାରିଭଉଣୀ ବାହା ଶାହା ହୋଇ ଶାଶୁ ଘର ବିଷୟରେ କିଛି କହିଲେ ତୁ ବାରଣ କରି ତୋ ମହନୀୟତାର ପରିଚୟ ଦେଇ କହୁ ଭାଗ୍ୟରେ ଯାହା ଅଛି ତାକୁ ମାନି ନେଇ ସୁଖରେ ଚଳିବାକୁ ଚେଷ୍ଟା କଲେ ସୁଖୀ ହେବ.ତୋଠୁ ଏଇ ଚରମ ବାଣୀ ଶୁଣି ଆମେ ସଜାଡି ହେଇ ଯିବା ସଙ୍ଗେ ଘରକୁ ଆସିଥିବା ଦୁଇ ସୁନ୍ଦରୀ ଚାକିରିଆ ବୋହୁ ମଧ୍ୟ ଦେଖେଇଛନ୍ତି ତାଙ୍କ କର୍ତ୍ତବ୍ୟପରାୟଣତା ତଥା ଦାୟିତ୍ୱବୋଧତା .

   ତୋ ଠାରୁ ବହୁତ ଶିଖିବାର ଅଛି ବୋଉ.ଉଦାହରଣ ଦେଇ ସେସବୁ ଲେଖିଲେ ହଜାରେ କଣ ପାଞ୍ଚହଜାର ଶବ୍ଦ ମଧ୍ୟ ଟପିଯିବ ମୋ ଚିଠି .ତୋଠୁ ଶିଖିଛି ଧର୍ଯ୍ୟ, ସାହସ ,ଶାହନଶୀଳତା ,ଖାପଖୁଆଇ ଯେ କୌଣସି ସ୍ଥାନ କାଳ ପାତ୍ରରେ ଚଳିଯିବାକୁ ଶିଖିଥିବା ତୋ ବଡ଼ ଝିଅ ମୁଁ ,ତୋ ଝିଅ ବୋଲି ଗର୍ବ କରେ.ତୋ ଆଦର୍ଶ ଶିକ୍ଷାକୁ ପାଥେୟ କରି ବାଟ ଚାଲୁଛି ଓ ଚାଲୁଥିବି ବୋଉ .

   ତୁ ବାପାଙ୍କ ପ୍ରେରଣା.ତୁ ବାପାଙ୍କ ପ୍ରେମ ତୁ ବାପାଙ୍କ ଦଦରା ନାଆର ନାଉରୀ କିନ୍ତୁ ଅସମୟରେ ତତେ ଛାଡି ବାପା ଚାଲିଯିବା ପରେ ତୁ କାହିଁକି ଏମିତି ଭାଙ୍ଗି ପଡ଼ିଲୁ ବୋଉ ?ବାପାଙ୍କ ପ୍ରତି ତୋର କର୍ତ୍ତବ୍ୟ ,ଦାୟିତ୍ବ ,ସରିଗଲା ପରେ ତୁ ପରା ଜଗା ପ୍ରେମରେ ବୁଡି ଯାଇ ଜୀବନକୁ ସରଳ ସରସ ସୁନ୍ଦର କରି ଅନ୍ୟ ପାଞ୍ଚଜଣଙ୍କ ପରି ବଞ୍ଚିନପାରି ତୋ ପ୍ରେମକୁ ଝୁରି ବାୟାଣୀ ହେଇଗଲୁ!ତ କାହିଁ ଗଲା ତୋ ପୂର୍ବ ସାହସ ,ଧର୍ଯ୍ୟ ,ସୌନ୍ଦର୍ଯ୍ୟ ଓ ବୁଦ୍ଧିମତ୍ତା ???

   ସେଦିନ ତୋ ହାତରୁ ନାଲି ନାଲି ଶଙ୍ଖା ସବୁ ଉତୁରି ଗଲା ପରେ ତୁ ଯେଉଁ ବିକଳରେ ଲୁଗା ପଣତ ତଳେ ଖାଲି ହାତକୁ ଘୋଡେଇ ପକାଉଥିଲୁ ,ସେ ଦୃଶ୍ୟ ମୁଁ ଭୁଲିନି.ହୃଦୟ ଭିତରେ ତୋ ପାଇଁ କିଛି କରିପାରିନଥିବା ଗ୍ଳାନିରେ ମୁଁ ସଦା ଛଟପଟ.ମୁଁ ତୋ ପାଇଁ କେତେ କଣ କରିବି ଭାବି କିଛି କରିପାରିନଥିବା ଭିତରେ ତୁ ଭଲରେ ଅଛୁ ,ତୋ ଦୁଇପୁଅବୋହୁଙ୍କ ପାଖରେ ଭଲରେ ଅଛୁ ଆଉ ପ୍ରମାଣ କରିଦେଇଛୁ ପୁଅମାନଙ୍କ ପାଖେ ରହିଲେ ଦାଣ୍ଡ ସୁନ୍ଦର. ତୁ ଏହିକଥା ଅନେକ ଥର କହୁ ଆଉ ସେଇଥି ପାଇଁ କି କଣ ଜମା ରାଜି ହେଉନି ଆମ ଚାରି ଝିଅଙ୍କ ପାଖକୁ ଆସିବାକୁ .

   ସବୁଠୁ ବଡ଼ କଥା କଣ ଜାଣୁ ବୋଉ?ତୋର ଏ ଭୁଲା ପଣ ଯୋଗୁଁ ତୁ ଆହୁରି ଅନେକ ଦୁଃଖକୁ ପାଖରୁ ଦେଖିବି ଜାଣିପାରିଲୁନି.ସେଥିପାଇଁ ତୋର ବାପାଙ୍କ ପ୍ରତି ଥିବା ପ୍ରେମ ହିଁ ତତେ ରକ୍ଷା କରିଦେଇଛି ବୋଉ ନହେଲେ ତୁ କଣ ସହିପାରିଥାନ୍ତୁ ଶାରଦା ,ତୋ ଦ୍ୱିତୀୟ ଜୋଇଁଙ୍କର କ୍ୟାନ୍ସସରରେ ମୃତ୍ୟୁ ହେବାର ଦୁଃଖ ନା ତୁ ସାହିପାରିଥାନ୍ତୁ ,ତୋ ଭଣଜାର ବିବାହ ବିଚ୍ଛେଦ ଦୁଃଖ ନା ତୁ ସାହିପାରିଥାନ୍ତୁ ତୋ ବଡଭାଇର ବଡ ପୁଅ ରୁବାଭାଇର ହୃଦଘାତରେ ମୃତ୍ୟୁ?ତୁ ସାହିପାରିଥାନ୍ତୁ ବୋଉ ତେଣୁ ତୋରି ଖଣ୍ଡ ବାକ୍ୟଟି "ଯାହା କରନ୍ତି ସାଇଁ ,ତାହା ସବୁରି ମଙ୍ଗଳ ପାଇଁ" ଆଜି ତୋରି ପାଖେ ପ୍ରମାଣିତ ହୋଇ ସାରିଥିଲେ ବି ତୁ କିଛି ନକହି ବି ସବୁବେଳେ କହୁ ଯେ ତୋ ଜୀବନରେ ତୁ ଯୋଉ ଦୁଃଖ କଷ୍ଟ ସହିଛୁ ତାଠାରୁ ଆଉ ଅଧିକ କି ଦୁଃଖ ଦେବେ ଭଗବାନ ?

   ବୋଉଲୋ ,ଏ ସଂସାର ପରା ଦୁଃଖମୟ.ତୁ ଜାଣିଲୁନି ମହାମାରୀ ,କରୋନାର ପ୍ରକୋପ ,କେତେ କିଏ ଉଜୁଡି ଗଲେ .ତୁ ବି ଦେଖିଲୁନି କି ଶୁଣିବି ଜାଣି ପାରୁନୁ ଯୁଦ୍ଧର ଭୟଭୟତା ,ସେଇଥିପାଇଁ କି କଣ ଭଗବାନ ତତେ ତୋ ଠାରୁ ତୋ ପ୍ରେମ ଛଡେଇ ନେଇ ଆଲଜାଇମର ରୋଗୀ କରିଦେଲେ କି ବୋଉ ?ଆମେ ଅନ୍ତତଃ ଅନାଥ ହେବୁନି,ତୁ ବସିଥିବୁ ,ହସିଦେଉଥିବୁ ,ପାନଖିଆ ଦାନ୍ତ ଦେଖାଇ ଏଣୁ ତେଣୁ ଗପୁ ଥିବୁ କିନ୍ତୁ ନିଜ ପରିବାର ,ସମାଜ ,ରାଜ୍ୟ କି ଦେଶର ଦୁଃଖ ଦେଖି ପାରୁନଥିବୁ ,ତୋଠୁ ବଳି ଧର୍ମ ପରାୟଣ ମହିଳା କେତେ ଜଣ ଅଛନ୍ତି ବୋଉ ?

   ବୋଉ ,ତୋର କାଳିଆ କଥା ମନେ ପଡ଼େନି ?ତାଙ୍କୁ ଛାଡି ତୁ ଭୁବନେଶ୍ୱର ଯିବୁନି ବୋଲି କହୁ.ଏଵେ ତ ପୁରୀ ଭୁବନେଶ୍ୱର ଇତ୍ୟାଦି ସବୁ ଜାଗା ତୋ ପାଇଁ ସମାନ ନା ବୋଉ.ଏଇଥିପାଇଁ ରହିଯାଇଛୁ ତୋ ପ୍ରେମର ଠାକୁର ଜଗନ୍ନାଥଙ୍କୁ ଛାଡି ନା ଅଭିମାନ କରିଛୁ ବୋଉ ବାପାଙ୍କୁ ଛଡାଇ ନେଇ ତୋ ପ୍ରତି ଅନ୍ୟାୟ କରିଥିବାରୁ ଭୁଲିଗଲୁକି ଜଗାଙ୍କୁ ଆଉ ଏ ନିଜ ହାତ ଗଢ଼ା ସଂସାରକୁ ?କାହିଁ ଭୁଲିନୁ ତ ବାପାଙ୍କୁ ,ପଚାରୁଛୁ ତୋ ପ୍ରେମର ସନ୍ତକ ତୋ ଝୁଣ୍ଟିଆ କୁଆଡେ ଗଲା ବୋଲି ,ଖୋଜୁଛୁ ବାପାଙ୍କୁ ,କୋଉଠି ଅଛନ୍ତି ,ତଥା କେତେବେଳେ ଫେରିବେ ବୋଲି .ହଉ ବୋଉ ଏମିତି ବସିଥା ଆଉ ତୋ ପ୍ରେମକୁ ଝୁରୁଥା କିନ୍ତୁ ଆମକୁ ଅନାଥ କରେ ନାହିଁ .ରହିଲି .ଇତି, ତୋ ବଡ଼ଝିଅ ରେବା. ଚିଠିଟି ପଢି ସନ୍ଧ୍ୟା କାନ୍ଦୁଥିଲେ ଭୋ ଭୋ.ଏ ଚିଠି ଲେଖାରୁ ଜଣାଅପଡୁଥିଲା ଶାଶୁଙ୍କ ବୋଉ ବଞ୍ଚିଥିବା ବେଳେ ଏ ଚିଠି ଲେଖିଥିଲେ ଶାଶୁ. ସନ୍ଧ୍ୟା କାନ୍ଦୁଥିଲା ଅନୁତାପ ଅନଳରେ.ଦୂରରୁ ସ୍ୱାଧୀନତା ଦିବସର ଜୟ ଧ୍ୱନି ଶୁଭୁଥିଲା ବନ୍ଦେ ମାତରଂ. ଜୟ ଭାରତ ମାତା କି ଜୟ ।



Rate this content
Log in

Similar oriya story from Action