ବଡ଼ଝିଅ ଓ ସାନଝିଅ ଦୁହିଁଙ୍କ ଦୁଇ ଝିଅ, ରୁନୁ ଓ ଝୁନୁ ନିଜ ବାପା ଓ ମାଆ ଯଥା ଅଜା ଆଈଙ୍କ ପାଖରେ ଗାଁ ରେ ରହି ପାଠ ପଢୁଥିଲେ. ଦୁହେଁ ପ୍ରଜାପତି ଧରିବାକୁ ଭଲ ପାଉଥିଲେ. ଜଣେ ରୁନୁ ପ୍ରଜାପତି କୁ ତିତିଲ ବୋଲି କହୁଥିଲା ତ ଅନ୍ୟ ଜଣେ ଝୁନୁ, ପ୍ରଜାପତି କୁ ବଟରଫ୍ଲାଏ କହୁଥିଲା. ଅଜା ଆଈ ଦୁହେଁ ନିଜ ବଡ଼ଝିଅର ଝିଅ ରୁନୁ ଓ ସାନ ଝିଅର ଝିଅ ଝୁନୁ କୁ ଖୁବ ଭଲ ପାଉଥିଲେ.ବର୍ଷା ଆସିଲେ ଦୁହେଁ ବାହାରକୁ ଆସି ପବନର ବେଗ ସହିତ ତିତିଲ ର ଉଡାଣ ଦେଖି ଖୁସି ହେଉଥିଲେ. ଆକାଶରେ ବଉଦ ମାଳା ସବୁ ମେଘମାଳା ରେ ପରିବର୍ତ୍ତିତ ହୋଇ ଟୋପା ଟୋପା ବର୍ଷା ବାରି ହୋଇ ଝରିପଡିଲେ ଅଜା ଓ ଆଈଙ୍କ ଆଖିରୁ ଶ୍ରାବଣ ଧାର ପରି ଲୁହ ବାହାରିଆସେ. ଆଉ ଯଦି ମୌସୁମୀ ଲୁଚକାଳି ଖେଳି ଲୁଚିଯାଏ ଓ ବର୍ଷା ହୁଏନାହିଁ ତଥା ରେଡ଼ିଓ ଓ ଟିଭି ରେ ଏନଲିନୋ ହେବ ବୋଲି ଘୋଷଣା ହେଉଥାଏ ତେବେବି ଅଜା ଆଈ ଙ୍କ ଆଖିରେ ଲୁହ ଆସୁଥିବାର ଦେଖି ଦୁଇ ନାତୁଣୀ ପଚାରନ୍ତି ତାଙ୍କ କାନ୍ଦିବାର କାରଣ କଣ!
ଅଜା ଓ ଆଈ ଦୁହେଁ କହିପାରନ୍ତିନି ଯେ ବଡ଼ ଝିଅ ର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗରେ ଥିବା ଜମି ସବୁ ରେ ବର୍ଷା ପାଣି ନପଡିଲେ ଭଲ ଭଲ ଫସଲ ହେବ ନାହିଁ ତେଣୁ ବର୍ଷା ହେବା ଦରକାର କିନ୍ତୁ ଠିକ ସେହି ସମୟରେ ସାନ ଝିଅ ଘର ଚାରିପଟେ ଥିବା ମାଟି ବର୍ଷାରେ ଓଦା ହୋଇଗଲେ ଆଉ ମାଟିର ହାଣ୍ଡି, ପଲମ ଇତ୍ୟାଦି ସହ ଘରୋଇ ଉପକରଣ ତିଆରି ହୋଇପାରିବ ନାହିଁ. ତେଣୁ କାହାର ବର୍ଷା ବିହୁନେ ସର୍ବନାଶ ତ କାହାର ବର୍ଷା ଗହଳେ ସର୍ବନାଶ ହୋଇଥିବାରୁ ଅଜା ଆଈ ଦୁହେଁ ଦୁଇ ଝିଅଙ୍କ ସୁଖ ସମୃଦ୍ଧି କଥା ଭାବି କାନ୍ଦୁଥିଲା ବେଳେ ବଡ଼ ଝିଅର ଝିଅ ରୁନୁ କହେ ବର୍ଷା ହେଲେ ସମସ୍ତଙ୍କ ପାଇଁ ଭଲ ତଥା ମଙ୍ଗଳ ଯେମିତି ବର୍ଷା ମଧ୍ୟ ସ୍ୱଳ୍ପ ଆକାର ରେ ହୁଏ କୋଉଠି କେମିତି. ଝୁନୁ ବୁଝେଇଦିଏ ମାଟି ମାଆର ଫସଲ ପାଇଁ ଯୋଉଠି ବର୍ଷା ହୁଏ ସେଇ ଗାଁ ସବୁରେ ଶଶ୍ୟ ହୁଏ ଆଉ ମାଟି ମାଆ ର ମାଟି ଦେହରୁ ଯୋଉଠି ଜିନିଷ ପତ୍ର ତିଆରି ହୋଇଆସୁଛି ସେଠି ସ୍ୱଳ୍ପ ବା ଅଳ୍ପ ବୃଷ୍ଟି ହୁଏ. ତେଣୁ ଭଗବାନ କୋଉଠି କେତେ ବର୍ଷା ହେବ ତାହା ନିର୍ଣ୍ଣୟ କରିଥାନ୍ତି. ତୁମେ ବର୍ଷା ଦେଖି ବା ଏନଲିନୋ ହେବା ଶୁଣି ମନଦୁଃଖ କରିବା ଉଚିତ ନୁଁହଁ. ଏଥର ଅଜା ଆଈ ବୁଝିଯାଇ ଆଉ କାନ୍ଦୁନଥିଲେ ତ ଦୁଇ ନାତୁଣୀ ବର୍ଷା ଛାଡିଗଲା ପରେ ପୁଣି ଖୁସିରେ ପ୍ରଜାପତି ପଛରେ ଦୌଡୁଥିଲେ.ରୁନୁ ତିତିଲ ତିତିଲ କହି ଦୌଡୁଥିଲା ତ ଝୁନୁ ବଟରଫ୍ଲାଏ କହି ଦଉଡୁଥାଏ ତ ଅଜା ଆଈ ଦୁହେଁ କହନ୍ତି ପରଜାପତି ସେ ତରକା ଅତି... ଫୁଲରେ ବୁଲେ.. ମହୁ ରେ ଝୁଲେ. ତ ଦୁଇ ନାତୁଣୀ ତାଳି ମାରି ହସୁଥାଆନ୍ତି କହି କହି ନିତି ନିତି.