ବଧୂ
ବଧୂ
କବାଟ ଫାଙ୍କ ରେ ନୂଆ ଦୁନିଆଁ ଦେଖୁଥିବା ସୌମ୍ୟର ସ୍ତ୍ରୀ ନୂଆବୋହୁ ସ୍ନିଗ୍ଧା ର ମାଛ ଖୁବ ପସନ୍ଦ. ସବୁଦିନ ଶାଶୁମାଆଙ୍କ ବରାଦରେ ଘରକୁ ମାଛ ଆସୁଥିଲେ ବି ଶାଶୁମା କେଵେ ଖାଆନ୍ତି ନାହିଁ. ବୋହୁର ସାହାସ ହୁଏନି ପଚାରିବାକୁ କାହିଁକି ବୋଲି କିନ୍ତୁ ସୌମ୍ୟ କହେ ସେ ତୁମ ଭଳି ବିଲେଇ ହୋଇକି ନାହିଁ. ଏ ଉତ୍ତର ଶୁଣି ସ୍ନିଗ୍ଧାକୁ ଲାଗେ ତେବେ ଆଗରୁ କଣ ମାଆ ବିଲେଇ ପରି ମାଛ ଖାଉଥିଲେ? ଏବେ ତେବେ କାହିଁକି ଖାଉନାହାଁନ୍ତି ବୋଲି ଭାବେ କିନ୍ତୁ ପଚାରିପାରେନା,ଯଦିଓ ମାମୁଁଘର ସମୁଦ୍ରକୁଳିଆ ଅଞ୍ଚଳରୁ ଆସୁଥାଏ ଋତୁ ଅନୁଯାଇ ଢେର ମାଛ ତା ପାଇଁ. ମାଆ କହନ୍ତି କାହିଁ ଏତେ କଷ୍ଟ କରି ଆସିଲ ଦାମ କକା?ତ ମାମୁଁଘର ପ୍ରଜା ଦାମକକା କହନ୍ତି ତୁମେ ସିନା ଛାଡିଦେଲ ମାଛ ଖାଇବା ଦେଇ ହେଲେ ନୂଆବୋହୂ ମାଆ ପରା ମାଛ ପ୍ରିୟ. ଏଥର ସ୍ନିଗ୍ଧା କିନ୍ତୁ ଗୋଟେ କଥାରେ ନିଶ୍ଚିନ୍ତ ହୋଇଗଲେ ଯେ ଆଗରୁ ମାଆ ତେବେ ଖାଉଥିଲେ ମାଛ. ମାଛତ ମାଛ ରୋହି ଭାକୁର ମୁଣ୍ଡ.
ସ୍ନିଗ୍ଧା ନୂଆରୁ ପୁରୁଣା ହୋଇ ଦୁଇ ଦୁଇଟା ଛୁଆର ମାଆ ହେଲେଣି. ଲାଜ ଭୟ ସଂଭ୍ରମ ବଦଳରେ ସାହାସୀ, ନିର୍ଭୟା ହେବା ସହ ପରିବାରର କର୍ତ୍ତୀ ନହେଲେ ମଧ୍ୟ ମୁକ୍ତପକ୍ଷୀଟିଏ ହୋଇପାରିଲେଣି ତ ସେଦିନ ଡ଼ଲଫିନ ଦେଖିବାକୁ ଯାଇ ପିଲାଦୁହିଁଙ୍କ ସହ ସ୍ୱାମୀଙ୍କ ସଙ୍ଗେ ଶାଶୁଙ୍କୁ ବାଧ୍ୟ କରି ଜୋର କରି ନେଇଯାଇଥିଲେ, ନୀଳ ସମୁଦ୍ରକୁଳିଆ ଅଞ୍ଚଳକୁ . ଆସନ୍ତୁ ମାଆ ସେତେବେଳର ଡଲଫିନ ଓ ଏବେର ଡଲଫିନଙ୍କ ମଧ୍ୟରେ ପ୍ରଭେଦ ଦେଖିବେ. ସତକୁ ସତ କେତେ ସମ୍ବେଦନଶୀଳ ସେମାନେ! ଗ୍ରୁପ ପରେ ଗ୍ରୁପରେ ଯାଉଥିବା ଦର୍ଶକ ଭିତରେ ଥିବା ସମସ୍ତଙ୍କୁ କଥାରେ ନକହି ଠାରରେ ହାଲୋ ହାଏ କରିବା ଓ ସମସ୍ତଙ୍କୁ ଗେଲ କରିବା ଆଦି ସମ୍ବେଦନଶୀଳ କାର୍ଯ୍ୟକଳାପରେ ଅଭିଭୂତ ହେଉ ହେଉ ଫେରିଲା ବେଳେ ମାଆ କହୁଥିଲେ ଏ ତିମି, ଡଲଫିନମାନଙ୍କ ଭଳି ମାଛମାନେ ମଧ୍ୟ ଖୁବ ସମ୍ବେଦନଶୀଳ.ସ୍ନିଗ୍ଧା କିଛି ବୁଝି ବି ନବୁଝିବା ଆଖିରେ ଶାଶୁଙ୍କୁ ଚାହିଁ ଭାବୁଥିଲା ମାଛ ଖାଇବାକୁ ଡାକ୍ତର ମାଆଙ୍କୁ ପରାମର୍ଶ ଦେଲା ବେଳେ ମାଆଙ୍କର ମାଛମାନଙ୍କ ସମ୍ବେଦନଶୀଳତା କୁ ନେଇ ହୁଏତ ଅତୀତରେ କିଛି ଘଟଣା ଘଟିଛି ଯାହାଦ୍ୱାରା ମାଆ ମାଛ ଖାଇବାକୁ ରାଜି ନୁହଁନ୍ତି . ଏଣିକି ଗାଁ ଘରେ ପୋଖରୀ ଗାଧୁଆ ବନ୍ଦ ମାଆଙ୍କର, ନଈତୁଠରେ ବସି ଭାବନା ରାଇଜରେ ବୁଡିଯିବାରେ କଟକଣା ସ୍ନିଗ୍ଧାଙ୍କର, କାରଣ ଛୋଟ ବଡ଼ ମାଛଙ୍କ ସନ୍ତରଣ ଦୃଶ୍ୟ ଭିତରେ ହୁଏତ ଲୁଚିଛି ମାଆଙ୍କର ଏଇ ମାଛ ନଖାଇବାର କାରଣ ବୋଲି ମନେହୁଏ ସ୍ନିଗ୍ଧାଙ୍କୁ . କବାଟ ଫାଙ୍କରୁ ନୂଆ ଦୁନିଆଁ ଦେଖୁ ଦେଖୁ ପରିବାର ର ମୁଖ୍ୟ ମାଆ ଙ୍କୁ କେମିତି ମନେଇ ମାଛ ଖୁଆଇବାକୁ ପଡିବ ବୋଲି ଚିନ୍ତିତ ରହୁଥିଲେ ସ୍ନିଗ୍ଧା. ହେମୋଗ୍ଲୋବିନ ପୁରା କମ ରହିଛି ମାଆଙ୍କର.କେତେଥର ଝୁଙ୍କି ଝୁଣ୍ଟି ପଡିଲେଣି ମାଆ ଘରେ ଏ ଭିତରେ.
ଲେଖାଲେଖି କରୁଥିବାରୁ କେଵେ କେଵେ କବି ସମ୍ମିଳନୀ ବା ସାହିତ୍ୟ ଆସରକୁ ଯିବାକୁ ହୁଏ ସ୍ନିଗ୍ଧାଙ୍କୁ ତ ସେଦିନ ଅଟୋରେ ଫେରିବାବେଳେ ସ୍କୁଲ ଫେରନ୍ତା ଛାତ୍ରୀମାନଙ୍କୁ ଦେଖି କବି ବାନ୍ଧବୀ ଜଣେ କହୁଥାନ୍ତି ଆଜିକାଲି ବାଟ, ଘାଟ,ହାଟର ପରିବର୍ତ୍ତନ ଯୋଗୁଁ କେତେ ସୁବିଧା! ଆମ ପିଲାବେଳେ ଏସବୁ ସୁବିଧା କୋଉଠି ଥିଲା!କେତେ କଷ୍ଟରେ ଆମେ ପାଠ ପଡ଼ିବାକୁ ଯାଇ ଆସି କଷ୍ଟ କରି ପାଠ ପଢ଼ୁଥିଲୁ ଏ ଗାଁ ଗଣ୍ଡାରେ. ସହରରେ ବଢିଥିବା ସ୍ନିଗ୍ଧା ଏସବୁ ଅସୁବିଧାର ସମ୍ମୁଖୀନ ହୋଇନଥିଲେ ତ ସ୍ୱାମୀଙ୍କୁ ପଚାରିଥିଲେ କି କି ଅସୁବିଧା ଥିଲା ସେତେବେଳେ ଗାଁ ମାନଙ୍କରେ!
ସୌମ୍ୟଙ୍କ ଆଖି ଆଗରେ ଭାସି ଉଠିଲା ନିଜ ପିଲାଦିନକଥା . ବାପା ଥିଲେ ଶିକ୍ଷକ. ଅଳ୍ପ ଦରମାରେ ଜେଜେ ଜେଜେମା ତଥା ଦୁଇପିଇସୀ ଓ ମାଆ ସହ ସେ ଦୁଇ ଭାଇ ଭଉଣୀଙ୍କୁ ଚଳେଇବା ଭିତରେ ବାପା ଖୁବ କଷ୍ଟ କରୁଥିଲେ. ବାରି ବାଇଗଣ ଚକଟା ଲଗେଇ ଭାତ ଖାଇବା ଯେମିତି ଅଭ୍ୟାସ କରି ନେଇଥିଲେ ସେ . ସେଦିନ ଜେଜେ ମାଛଟିକେ ଖାଇବାକୁ ମନ କରିବାରୁ ବାପା ମାଛ ଆଣିଥିଲେ ଓ ବୋଉ ସବୁଥର ପରି ଖୁବ ସୁଆଦିଆ ରା଼ନ୍ଧିବା ଆରମ୍ଭ କରିଦେଇଥିଲା ଭିତରେ ବାପା କହିଲେ ଦେହଟା ଟିକେ ଭଲ ଲାଗୁନି.ସଂସାରର ଦୁଃଖ କଷ୍ଟ କିଛି ବୁଝିବା ବୟସ ପୂର୍ବରୁ ଆମେ ଦୁଇଭାଇଭଉଣୀ ଜାଣିଥିଲୁ ବାପାଙ୍କ ଦେହ ଖରାପ ହେଲେ ଆମେ ଭାଇ ଭଉଣୀ ବାପାଙ୍କ ଉପରେ ଚଢି ଅଣ୍ଟାରୁ ପାଦ ଯାଏଁ ଘଷି ଦେଲେ ବାପା ପୁଣି ଉଠି ବସିବେ . ଏଥର ମଧ୍ୟ ସେମିତି କରୁଥିଲୁ ହେଲେ ସବୁଥର ପରି ବାପା ଆମକୁ ଶହେରୁ ମୋର କେତେ ବା ମୋ ଭଉଣୀର କେତେ ନକହି ପଡି ରହିଥାଆନ୍ତି ନିସ୍ତେଜ ହୋଇ . ଜେଜେ ଓ ଜେଜେମାଆଙ୍କୁ ଖାଇବାକୁ ଦେଇସାରି ମାଆ ବାପାଙ୍କୁ ଡାକୁଥିଲା ଆଉ ସେ ଉଠୁନଥିଲେ. ମାଆ କହୁଥିଲା ଦୁଇ ଭଉଣୀଙ୍କ ବାହାଘର ପାଇଁ ହୋଇଥିବା କରଜ ଶୁଝିବାକୁ ଜମା ଡର ନାହିଁ. ମୋ ଭାଇଙ୍କୁ କହିଛି ଏ ସନ ଧାନ ବିକି ଆମକୁ ପଇସା ଦେଲେ ଆମେ ଆଗ କରଜ କରଜ ଶୁଝି ଦେବା. ପରେ ଆସ୍ତେ ସୁସ୍ଥେ ତାଙ୍କୁ ଟଙ୍କା ଦେଇଦେବା କହି ଯେତେ ବାପାଙ୍କୁ ଡାକିଲେ ବି ସେ ଉଠୁନଥିଲେ. ହଲେଇ ଦେଇ ଛାତିରେ ହାତ ରଖି ମାଆ କଣ ବାରିଲା କେଜାଣି ଭୋ ଭୋ କାନ୍ଦି ମୋ ସଂସାର ଭାସିଗଲା କହୁଥିଲା. ରାସ୍ତା ଘାଟ ଭଲ ନଥିବାରୁ ହସ୍ପିଟାଲ ନେଇ ହେଲାନି ବାପାଙ୍କୁ. ସ୍କୁଲ ହେଡ଼ମାଷ୍ଟରଙ୍କ ପୁଅ ସହରରେ ଡାକ୍ତରୀ ପଢୁଥାଆନ୍ତି. ଛୁଟିରେ ଗାଁରେ ଥିବାରୁ ସେ ଭାଇନା ବାପାଙ୍କୁ ଦେଖି କହିଲେ ପ୍ରଥମ ଷ୍ଟ୍ରୋକରେ ହାର୍ଟ ଆର୍ଟାକରେ ମଉସା ଆଉ ନାହାଁନ୍ତି . ସେହି ଚିନ୍ତାରେ ଜେଜେ ଓ ଜେଜେମା ଆଗ ପଛ ହୋଇ ଗଲେ. ଆଉ ମାମୁଁଘର ସହାୟତାରେ ଭଉଣୀ ବେବିନାର ପଢ଼ା ଓ ବାହାଘର ଇତ୍ୟାଦି ହେବା ସହ ମୁଁ ମଧ୍ୟ ଆଜି ଡାକ୍ତର. ହେଲେ ମାଆ .. କହି ଅଟକି ଯାଉଥିବା ସୌମ୍ୟଙ୍କ କଥା ସମ୍ପୂର୍ଣ୍ଣ କରି ସ୍ନିଗ୍ଧା କହିଲେ ସବୁଦିନ ପାଇଁ ମାଛ ଛାଡିଲେ. ଆଁ କରି ଅନେଇ ଥିଲେ ସୌମ୍ୟ ସ୍ନିଗ୍ଧାଙ୍କ ମୁହଁକୁ.
ସେଦିନ ହଠାତ ସ୍ନିଗ୍ଧା କହିଲେ ତୁମେ ଡାକ୍ତର ପୁଅ ହୋଇ ମାଆଙ୍କୁ ମାଛ ଖୁଆଇବାକୁ କେତେ ଚେଷ୍ଟା କରିଛ ଶୁଣେ? ସୌମ୍ୟ ସିନା ଚୁପ ରହିଲେ ହେଲେ ସ୍ନିଗ୍ଧା କିଛି ପରାମର୍ଶ କଲେ କୁଳ ପୁରୋହିତଙ୍କ ସହିତ ଗୁପ୍ତରେ ତ ସେ ଶଶୁରବାପାଙ୍କ ଶ୍ରାଦ୍ଧ ପୂର୍ବରୁ ଘରେ ପହଁଞ୍ଚି ମାଆଙ୍କ ଆଗେ କିଛି କହିଲେ. ଭିତରେ ଭିତରେ ସ୍ନିଗ୍ଧା ଖୁସି ଥିଲେ ତ ଶ୍ରାଦ୍ଧ ସରି, ପଞ୍ଚୁପତ୍ରରେ ଆମିଷ ବଢ଼ା ଯାଇଥିବା ଗୋଟେ ପତ୍ର ଭିଡ଼ିଆଣି ମାଆ ବସିବା ଦେଖି ସୌମ୍ୟ ବିସ୍ମିତ ହୋଇ ସ୍ନିଗ୍ଧାଙ୍କୁ ଚାହୁଁଥିବା ଦେଖି ପରେ ସ୍ନିଗ୍ଧା କହିଥିଲେ କୁଳ ପୁରୋହିତ କହିଗଲେ କି ଘରେ ଶ୍ରାଦ୍ଧ ବେଳେ ପଞ୍ଚୁପତ୍ର ରେ ଲାଗୁଥିବା ଆମିଷ ପଞ୍ଚୁପତ୍ରରେ ଯଦି ଘରର ବର୍ତ୍ତମାନର ମୁରବୀ ବସି ମାଛ ନଖାଆନ୍ତି ତେବେ ପୁତ୍ର ଉପରେ ଶନି ଓ ମଙ୍ଗଳଙ୍କ ଅଶୁଭ ଦୃଷ୍ଟି ରହିବ. ହେଲେ ତୁମେ ଏତେ କଥା କେମିତି ଜାଣିଲ!ମାଆ ମତେ ତ ଏ ବିଷୟରେ କିଛି କହିନି. ମତେ କହିଛନ୍ତି ନା କୁଳ ପୁରୋହିତ କହି କହି ଚୁପି ଚୁପି ହସୁଥିଲେ ସ୍ନିଗ୍ଧା ଆଉ ଆଜି ଏତେ ବର୍ଷ ପରେ ସୌମ୍ୟ ନେଇଯାଇଥିଲେ ସ୍ନିଗ୍ଧାଙ୍କୁ ପୁରୀର ନୀଳ ସମୁଦ୍ର ବେଳାଭୂମିକୁ ସ୍ନିଗ୍ଧାଙ୍କୁ.ସ୍ନିଗ୍ଧା ଏବେ ଆଉ କବାଟ ଫାଙ୍କରେ ଦୁନିଆଁ ନଦେଖି ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ସ୍ୱାଧୀନତା ପାଇ ସାରିଥିଲେ.
,,,,,,,,,,,,,,,,,,,
