କରି କରାଉ ଥାଏ ମୁଁହିଁ
କରି କରାଉ ଥାଏ ମୁଁହିଁ
ସ୍ନେହ କାଙ୍ଗାଳ ମଣିଷ କାହାଠାରୁ ଟିକେ ସ୍ନେହ ନପାଇ ଇଶ୍ୱରଙ୍କୁ ଡାକୁଥାଏ. ପ୍ରଭୁଙ୍କୁ ଲୁହ ଟୋପେ ଦେଇ ଆନ୍ତରିକତା ସହ ଡାକିଲେ ଇଶ୍ୱର ଶୁଣନ୍ତି କିନ୍ତୁ ସମୟ କାହିଁ ଇଶ୍ୱରଙ୍କୁ!ଇଶ୍ୱରଙ୍କୁ ଖୁସି କରିବାକୁ ସମସ୍ତେ ଉଦ୍ୟମ ଅବ୍ୟାହତ ଜାରି ରଖିଥିଲା ବେଳେ ସେପଟେ ଇଶ୍ୱରଙ୍କ ମନ ଖୁସି କରିବାକୁ ଯାଇ ନାରଦ ମୁନି କହିଲେ ପ୍ରଭୁ ଟିକେ ଧରା ପୃଷ୍ଠରେ ବୁଲି ଆସନ୍ତୁ ଭଲ ଲାଗିବ. ଧରା ରେ ଏବେ ମଣିଷ ମାନେ ତାଙ୍କ କ୍ୟାଲେଣ୍ଡର ଅନୁଯାୟୀ ନବବର୍ଷକୁ ସ୍ୱାଗତ କରିବାକୁ ଯାଇ କେତେ କୁଆଡେ ଯାଉଛନ୍ତି. ଆପଣ ନିଜ ହାତ ଗଢ଼ା ସୃଷ୍ଟି ଆଡ଼େ ଟିକେ ନଜର ଘୁରାଇ ଆଣିଲେ ହୁଅନ୍ତାନି ମହାପ୍ରଭୁ!ବିଷ୍ଣୁ କହିଲେ ସେକଥା କଣ ମୁଁ ଭାବିନାହିଁ ମୁନିବର! ହେଲେ ଆଜିକାଲି ଏ ମଣିଷର ରଙ୍ଗ ଢଙ୍ଗ ଦେଖି ମତେ ଆଉ କିଛି ଭଲ ଲାଗୁନି. ସେମାନଙ୍କୁ ସୃଷ୍ଟି କରିବା ସମୟରେ ସବୁ ତ ଦିଆଗଲା. ବିଦ୍ୟା, ଵୁଦ୍ଧି, ବଳ, କଳ, ସୌନ୍ଦର୍ଯ୍ୟ ସହିତ ପ୍ରକୃତିରେ ନଦୀ, ଝରଣା, ପାହାଡ଼ ପର୍ବତ, ଫୁଲ, ଫଳ, ଜଳ, ସ୍ଥଳ, ଆକାଶ, ଗଛ ଇତ୍ୟାଦି ରଖାଗଲା ହେଲେ ମଣିଷ ଆଉ ଆଗପରି ନିଜ ଵୁଦ୍ଧି ବିସ୍ତାର ନକରି ସେ 'ଏ. ଆଇ' ପଛରେ ପଡି ସୁଦୁ ବୁଦ୍ଦୁ ହୋଇଗଲାଣି. ନିଜ ମସ୍ତିଷ୍କ ଚାଳନା କରି ଵୁଦ୍ଧି ବିଦ୍ୟା ଖଟେଇ ପ୍ରାକୃତିକ ପରିବେଶରେ ସ୍ୱକୀୟ ବୁଦ୍ଧିମତ୍ତା ବଳରେ ଆଗରୁ ଯେମିତି ଉଦ୍ଭାବନ ଓ ଆବିଷ୍କାର କରି ସମୟ ସ୍ରୋତ ସହିତ ଅନୁକୂଳ ପରିସ୍ଥିତି ସୃଷ୍ଟି କରି ସୃଷ୍ଟିକୁ ମୋର ଆଗେଇ ନେଉଥିଲା ଏବେ ଆଉ ତାହା ନକରି ମାଗିଆଣିବା ତିଅଣ ହାପୁଡାଏ ପରି ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ପଛରେ ପଡିଛି ଭାବି ମୋ ଖୁସିର ରଙ୍ଗ ପାଣିଚିଆ ହୋଇଗଲାଣି ତ ମଣିଷ କୁ ସ୍ନେହ ଶ୍ରଦ୍ଧା ଦେବା ବଦଳରେ ତାଙ୍କ କାର୍ଯ୍ୟଧାରା ର ପରିବର୍ତ୍ତନ ତଥା ସୁଵିଚାର କରି ଶିଖିବା ପାଇଁ ଅନ୍ତହୀନ ଅପେକ୍ଷା କରିଛି. ପୁଣି ଇଶ୍ୱର କହିଲେ ଏଣିକି ମହେଶ୍ବର ଓ ବ୍ରହ୍ମା ଆଉ ମତେ ସାଥ ନଦେବାରୁ ଅନ୍ୟ ଦେବଦେବୀ ମଧ୍ୟ ତାଙ୍କ ପକ୍ଷ ନେଇ ସୃଷ୍ଟିର ଧ୍ବଂସ ଚାହିଁଲେଣି. ଦେଖୁନ ଯୁଦ୍ଧ, ସନ୍ତ୍ରାସ, ଆତଙ୍କ, କରୋନା,ଭାଇରସ, ଭାଇରାଣ୍ଟ, ମହାମାରୀ ସହିତ ପ୍ରକୃତି ମଧ୍ୟ ଆଜି ଅସନ୍ତୁଳନ ରହୁଛି. ଆଉ ଖରା ବର୍ଷା, ଶୀତ କଣ ଋତୁ ଅନୁଯାୟୀ ହେଉଛି!ଏସବୁ ଦେଖି ମନରେ ଓ ହୃଦୟରେ ଖୁସି ଆସିବ କାହୁଁ କୁହନ୍ତୁ ଦେବର୍ଷି!ନାରଦ ତଥାପି କହିଲେ ମହାଭାଗ ଟିକେ ନହେଲେ ପ୍ରକୃତି ଆଡ଼େ ବୁଲି ଆସନ୍ତୁ.ସେମାନେ ତ କେବେ ସେ ଏ. ଆଇ ପରି ଅପ୍ରାକୃତିକ ବୁଦ୍ଧିମତ୍ତା ର ଶୀକାର ହୋଇନଥିବେ ନା!ଥରେ ଯାଇ ଦେଖନ୍ତୁ ଦେଖିବେ ଆପଣଙ୍କ ସୃଷ୍ଟି ଅନୁଧ୍ୟାନ କରି ମୁଁହରେ ଖୁସିର ମିଠା ରଙ୍ଗ ବୋଳି ହୋଇ ଆସିବେ ତ ଝରିପଡିବ ସ୍ନେହ ଓ ମମତା ନିଜ ସୃଷ୍ଟି ପାଇଁ . ନାରଦଙ୍କ ନାରାୟଣ, ନାରାୟଣ ନାରାୟଣ ଉଚ୍ଚାରଣ ସହିତ ତାଙ୍କ ଆବେଗ ପୂର୍ଣ୍ଣ ଅନୁରୋଧ ଏଡେଇ ନପାରି ସେଦିନ ବିଷ୍ଣୁ ସ୍ୱୟଂ ଗୋଟେ ଜଙ୍ଗଲ ରେ ପହଁଚିଲେ.
ସେହି ଜଙ୍ଗଲରେ ଦେଖିଲେ ତିନିଗୋଟି ଗଛ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଉଥାନ୍ତି. ପ୍ରଥମ ଗଛ ଗୋଟିଏ ଏମିତି ଗଛ ଥିଲା ଯିଏ ବହୁତ ଝଙ୍କାଳିଆ ଓ ମୋଟା. ଦ୍ୱିତୀୟ ଗଛଟି ଖୁବ ଡେଙ୍ଗା ଓ ତୃତୀୟ ଗଛଟି ଖୁବ ଗେଡା ଓ ଛୋଟ ଥିଲା. ତାଙ୍କ ରୂପ ଏମିତି ହୋଇଥିବାରୁ ସେମାନେ ବୋଧେ ଶ୍ରୀହରୀ ଶ୍ରୀବିଷ୍ଣୁ ଙ୍କୁ ଗାଳି ଦେଉଛନ୍ତି ଭାବି ସେଠାରୁ ବିଷ୍ଣୁ ସ୍ୱୟଂ ଚାଲିଯାଉଥିବା ବେଳେ ନାରଦ ପଛରୁ ଭିଡି ଧରି ତାଙ୍କ କଥା ଟିକେ ଶୁଣିବାକୁ ଶ୍ରୀହାରୀ ଙ୍କୁ ଅନୁରୋଧ କରନ୍ତେ ବିଷ୍ଣୁ ଶୁଣିଲେ ପ୍ରଥମ ମୋଟା ଗଛଟି କହୁଛି ମୋର ଗୋଟେ ସ୍ବପ୍ନ ଅଛି. ମୋ ଦେହର ଗଣ୍ଡିରେ ପଟା ସବୁ ହୋଇ ମସ୍ତବଡ଼ ସିନ୍ଦୁକ ଟିଏ ତିଆରି ହୋଇ ସେଥିରେ ସୁନା, ରୁପା, ମୋତି, ମାଣିକ, ହୀରା, ଲୀଳା ଆଦି ରହିପାରିବା ସହ ପୋଖରାନ, ପ୍ରବାଳ ଆଦି ଅଷ୍ଟରତ୍ନ ଧାତୁ ରହିପାରିଲେ ମୋ ଜୀବନ ସାର୍ଥକ ହୁଅନ୍ତା. ଦ୍ୱିତୀୟ ଡେଙ୍ଗା ଗଛଟି କହୁଥାଏ ମୋର ମଧ୍ୟ ତୁମ ପରି ସ୍ବପ୍ନଟି ହେଲା ଯେ ମୋ ଦେହର ଲମ୍ବା ଲମ୍ବା ପଟାରେ ନିର୍ମିତ ସିନ୍ଦୁକ ଭିତରେ ଖାଲି ଟଙ୍କା ଓ ଟଙ୍କା ବିଡା ରୁହନ୍ତା ଯାହା ଫଳରେ ମତେ ସବୁଠୁ ବଡ଼ ଟ୍ରେଜେରୀ ର ମାନ୍ୟତା ମିଳିପାରନ୍ତା. ଏଇ ଦୁଇ ଗଛର କଥା ଶୁଣି ଶ୍ରୀବିଷ୍ଣୁ ଙ୍କ ମୁହଁ ର ରଙ୍ଗ ଧୂସରିଆ ପଡି ଯାଉଥିବା ବେଳେ ତୃତୀୟ ଛୋଟ ଗେଡା ଗଛଟି କହୁଥାଏ ମୋର ସ୍ବପ୍ନ କିନ୍ତୁ ଟିକେ ଭିର୍ନ୍ନ. ମୋର ଇଛା ଇଶ୍ୱର ଯେଉଁ ଉଦେଶ୍ୟ ନେଇ ମତେ ସୃଷ୍ଟି କରିଛନ୍ତି ସେହି ଉଦେଶ୍ୟ ପୁରଣ କରି ମୋ ଉପରେ ସମସ୍ତ ପକ୍ଷୀ କୂଳ ଆଶ୍ରୟ ନେବା ସହ ତଳେ ପଥିକ ମାନେ ଖରା, ବର୍ଷା, ଶୀତରୁ ରକ୍ଷା ପାଇ ଘଡିଏ ବସିଯାଇ ପାରନ୍ତେ ମୋ ଛାଇରେ. କେବେ ଥକ୍କା ମେଣ୍ଟେଇବାକୁ ତ କେବେ ଦୁଃଖ ସୁଖ ହେବାକୁ ପୁଣି ଵୁଦ୍ଧି ଖଟେଇ ବିପଦ ର ମୁକାବିଲା କରୁଥାଆନ୍ତେ ତ ନିଜ ନିଜ ଭିତରେ ହେଉ ଅବା ଦେଶ ଦେଶ ଭିତରେ ହେଉଥିବା କଳି ସହ ଯୁଦ୍ଧ ଭାଙ୍ଗିବାର ସମାଧାନ ପନ୍ଥା ନିର୍ଣ୍ଣୟ କରୁଥାଆନ୍ତେ. ସେମାନଙ୍କ କଥା ବାର୍ତ୍ତା ରୁ ବୁଦ୍ଧି ଶିଖି ଉପରେ ଥିବା ଜାତି ଜାତି ପକ୍ଷୀ ନିଜ ନିଜ ଭିତରେ ଗଣ୍ଡଗୋଳ କରିବାରୁ ନିବୃତ୍ତ ରହିବା ସହ ମୋ ଡ଼ାଳ ରେ ଆଶ୍ରୟ ନେଇଥିବା ଅନେକ ଜାତି ଜାତି ସରୀସୃପ, କୀଟପତଙ୍ଗ ଓ ମାଙ୍କଡ଼ ନିଜ ନିଜ ରାସ୍ତାରେ ତଥା ନିଜ ନିଜ କର୍ମ ରେ ନିମଗ୍ନ ରହି ଶାନ୍ତି ପ୍ରୀତି ସୌହାର୍ଦ୍ୟ ବାଣ୍ଟି ଚାଲୁଥାଆନ୍ତେ.ଆଉ ମୁଁ ମରିଗଲା ପରେ ମୋ ଦେହର ପଟାରେ ସର୍ବସାଧାରଣ ଙ୍କ ପାଇଁ ରାସ୍ତା ସହିତ ବହି ଘର ଟିଏ କରି ମ୍ୟୁଜିଅମ ରେ ରଖା ଯାଇପାରନ୍ତା. ଇଶ୍ୱର ଙ୍କ ମୁଁହଁ ରେ ଫୁଟି ଉଠୁଥିଲା ଖୁସିର ସାତରଙ୍ଗୀ ରଙ୍ଗ ଓ ଝରିପଡୁଥିଲା ଆନ୍ତହୀନ ଅପେକ୍ଷା ର ସ୍ନେହ ଶ୍ରଦ୍ଧା ଗଛଟି ପ୍ରତି ତ ନାରଦ କହୁଥିଲେ ଏଇ ଗଛ ପରି ଅନେକ ମଣିଷ, ପକ୍ଷୀ, ପଶୁ, ସରୀସୃପ, କୀଟ ତଥା ପ୍ରକୃତି ଭିତରେ ଏମିତି ଭାବନା ଓ କର୍ମ ପ୍ରବଣତା ଧାରା ଏବେବି ବହୁଥିବାରୁ ଆପଣଙ୍କ ସୃଷ୍ଟି ତଥାପି ବଞ୍ଚିଛି ମହାଭାଗ. ନାରାୟଣ ନାରାୟଣ ନାରାୟଣ କହି ଫେରିବାକୁ ଉଦ୍ୟତ ହେଉଥିଲେ ନାରଦ ବିଷ୍ଣୁଙ୍କୁ ନେଇ ସରଗପୁର ଫେରି ଯିବାରୁ ନିବୃତ୍ତ କରୁଥିଲା ବେଳେ ଏଣେ ଓଡ଼ିଶାର ଲୋକମାନେ ଖୁସି ମନାଉଥିଲେ ନୀଳାଚଳଧାମରେ,ଯୋଉଠି ପ୍ରଭୁ ଶ୍ରୀବିଷ୍ଣୁ ଜଗନ୍ନାଥ ରୂପେ ନୀଳାଚଳଧାମ ପୁରୀରେ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ବିଦ୍ୟମାନ ରହିଛନ୍ତି .
ଏଥର ନାରଦ ମୁନି ଶ୍ରୀ ବିଷ୍ଣୁ ଙ୍କୁ ସ୍ୱର୍ଗକୁ ଫେରିଯିବାକୁ କହୁଥିବା ବେଳେ ଶ୍ରୀ ବିଷ୍ଣୁ ନିଜେ କହୁଥିଲେ ରୁହନ୍ତୁ ମୁନିବର ଟିକେ ଆଉ ସବୁ ପକ୍ଷୀକୂଳ କଣ କରୁଛନ୍ତି ଦେଖି କି ଯିବା. ସେହି ସମୟରେ ପାର୍ଶ୍ୱରେ ଥିବା ମସଜିଦ ର ପାରା ମାନେ ପାଖ ଗୀର୍ଜା କୁ ଉଡିଯିବାକୁ ଚିନ୍ତା କରୁଥାନ୍ତି.କାରଣ ଟି ଥିଲା ମସଜିଦ କାନ୍ଥରେ ଗଛ ଉଠି କାନ୍ଥ ଫାଟିବାକୁ ବସିଥିଲା. ତାହା ମରାମତି ହେବାକୁ ଯାଉଛି ବୋଲି ସେଠାରେ ଥିବା ପାରାମାନେ ଶୁଣି ସାରି ଟିକେ ଅଳ୍ପ ଦୂରରେ ଥିବା ଗୀର୍ଜାକୁ ବାଛି ଥିଲେ. ସେତେ ବେଳେ ସେଠାରେ ଆଗରୁ ବସବାସ କରୁଥିବା ପାରାମାନେ ସେମାନଙ୍କୁ ସ୍ୱୀକୃତି ଦେବେ କି ନାହିଁ ବୋଲି ମସଜିଦରେ ଥିବା ପାରା ସବୁ ଭାବୁଥିଲା ବେଳେ ଉଡିଯାଇ ଗୀର୍ଜାକୁ ଅନୁଭବ କଲେ ଯେ ସେଠାରେ ଆଗରୁ ଥିବା ପାରାମାନେ ତାଙ୍କୁ ସ୍ୱାଗତ କରିଥିଲେ. କିଛି ଦିନ ସେଠାରେ ବସବାସ କରିବା ପରେ ଏବେ ପୂର୍ବ ଓ ପରେ ମିଶିଥିବା ପାରାଦଳ ଶୁଣିବାକୁ ପାଇଲେ ଯେ ଏହି ଗୀର୍ଜା ବହୁ ନିକଟ ଭବିଷ୍ୟତରେ ରଙ୍ଗ ହେବାକୁ ଯାଉଥିବାରୁ ଏଠାରୁ ଅନ୍ୟ ଆଡ଼େ ନଗଲେ ଚଳିବନି. ସେମାନେ ଦେଖିଲେ ଅଦୂରରେ ବଡମନ୍ଦିର ଚୂଡ଼ା ଦେଖା ଯାଉଛି. ପତିତ ପାବନ ବାନା ଉଡୁଛି ଫରଫର କିନ୍ତୁ ସେଠାରେ ମଧ୍ୟ ଦଳ ଦଳ ପାରା ବସବାସ କରୁଛନ୍ତି. ଦ୍ଵିଧା ମନ ନେଇ ଗୀର୍ଜା ଓ ଆଗରୁ ମସଜିଦ ରେ ରହୁଥିବା ପାରାଦଳ ଗୋଟିଏ ଦଳ ବୋଲାଇ ମନ୍ଦିର ରେ ରହିବାକୁ ଯାଇ ଦେଖିଲେ ଅତିଥି ଦେବୋ ଭଵଃ ନ୍ୟାୟରେ ଆଗରୁ ଥିବା ପାରାମାନେ ତାଙ୍କୁ ନିଃସଂକୋଚ ରେ ଖାଲି କୋଳେଇ ନେଲେ ନୁଁହଁ ବରଂ ଆହାର ଓ ପାଣି ଯୋଗେଇ ଦେଇଥିଲେ. ଶ୍ରୀହରୀ ଶ୍ରୀବିଷ୍ଣୁ ହସୁଥିଲେ ଟହ ଟହ ହସ କାରଣ ସେ ମନ୍ଦିର ରେ ଜଗନ୍ନାଥ ବେଶରେ ନିଜେ ହିଁ ଥିଲେ କାଳିଆ ଠାକୁର ବୋଲାଇ ତ ଏସବୁ ଦେଖି ନାରଦ କହୁଥିଲେ ଓଡିଶାରେ ଆପଣ ବିଦ୍ୟମାନ ବୋଲି ସର୍ବଧର୍ମ ସମନ୍ୱୟ ର ପ୍ରତୀକ ପାରାପକ୍ଷୀ ଙ୍କ ଆଚ୍ଚରଣ ଓ ଉଚ୍ଚାରଣ ଜଣେଇଦେଉଛି ଏପର୍ଯ୍ୟନ୍ତ ଏମାନେ 'ଏ. ଆଇ' ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ର ଶୀକାର ନହୋଇ ପ୍ରୀତି ମୈତ୍ରୀ ଓ ଭାଇଚାରା ଭାବ ଡୋରରେ ବନ୍ଧା କିନ୍ତୁ ପ୍ରଭୁ ମଣିଷ କଥା ତ କିଛି ଜାଣିହେଲାଣନି.
ବିଷ୍ଣୁ ଠାରି କି ଦେଖେଇଦେଇଥିଲେ ଏଥର ତଳେ ଦୀପ କିଣି ଛୋଟ ଝିଅଟି ଜଗନ୍ନାଥ ମନ୍ଦିର ଭିତରକୁ ଭିଡ଼ ଠେଲି ପ୍ରବେଶ କରି ଠାକୁରଙ୍କୁ ହାତଯୋଡ଼ି ଠାକୁରଙ୍କ ଆଗରେ କହୁଥିଲା ଯେ ପ୍ରଭୁ ହେ ଦିଲ୍ଲୀରୁ କଲିକତା ଯିବା ପାଇଁ ମୋ ଭାଇ ଆଠଟା ସମୟରୁ ଘର ଛାଡ଼ି ଏୟାରପୋର୍ଟ ରେ ଏଗାର ଟା ଫ୍ଲାଇଟକୁ ଯିବାକୁ ଅପେକ୍ଷା କରି ଯେବେ ଶୁଣିଥିଲା ଫ୍ଲାଇଟ ସାଢେ ଗୋଟାଏ ରେ ଛାଡିବ ଆକୁଳ ବିକଳ ରେ ବୋଉ ମୋର ଡାକୁଥିଲା ତୁମକୁ.ପ୍ରଭୁହେ ତୁମେ ଭରସା. ଛୋଟ ପୁଅ ଓ ସ୍ତ୍ରୀ ସହ ଦିଲ୍ଲୀ ଏୟାରପୋର୍ଟ ରେ ଏତେସମୟ କେମିତି ଅପେକ୍ଷା କରିବ ପ୍ରଭୁ ମୋ ଭାଇ!ମୋ ମାଆର ଆକୁଳ ପ୍ରାର୍ଥନା ପ୍ରଭୁ ଶୁଣିଲ. କୁହୁଡି ଅପସରି ନେଲ. ଶୀତୁଆ ସକାଳକୁ ଖରା ରେ ପରିଣତ କରିଦେଲ ଭକ୍ତିର ମୋହ ରେ ତଥା ଭାବ ର ମାୟାରେ.ତ ଏଗାର ଟା ସମୟରେ ଛାଡିବାକୁ ଥିବା ଫ୍ଲାଇଟ ସାଢେ ଗୋଟେ ପରିବର୍ତ୍ତେ ବାରଟା ରେ ଛାଡିଲା. ସେଇଥିପାଇଁ ବୋଉ ମତେ ପଠେଇଛି ଜାଚଜ୍ଞା ଦୀପ ବସେଇବାକୁ. ପ୍ରଭୁ ଏତେ ସବୁ କେମିତି କରାଇ ପାର ତୁମେ!ଝିଅଟିର ଭାଇ ପାଇଁ ଥିବା ଆନ୍ତରିକତା ସହ ମାନିବୃତ୍ତି ରେ ଚମତ୍କୃତ ହେଉ ହେଉ ମାଆଟିର ଆକୁଳ ପ୍ରଥନାକୁ ଫଳବତୀ କରିଥିବା ଠାକୁର ଇଶ୍ୱର ନିଜେ ବିଷ୍ଣୁ ପଛକୁ ଚାହିଁ ଦେଖୁଥିଲେ ଶହ ଶହ ଜନତା.ସମୂହ ଦୀପ ଜାଳି ନୂଆବର୍ଷ ରେ ହିଂସା, ରାଗ, ରୋଷ ପରିବର୍ତ୍ତେ ବୁଦ୍ଧି ବିଦ୍ୟା ସହ ପ୍ରୀତି ମୈତ୍ରୀ ଓ ଶାନ୍ତି ପାଇଁ ପ୍ରାର୍ଥନା କରୁଥିଲେ ତ ଇଶ୍ୱରଙ୍କ ଖୁସିରେ ଏକ ନିଆରା ରଙ୍ଗ, ତୃପ୍ତି ଦେଖି ନାରଦ କହୁଥିଲେ ନାରାୟଣ ନାରାୟଣ ନାରାୟଣ.ଶ୍ରୀହରୀ କିନ୍ତୁ ଆନ୍ତହୀନ ଅପେକ୍ଷା ର ଅନ୍ତ ଘଟେଇ ଅଜାଡି ଚାଲିଥିଲେ ସ୍ନେହ ଓ ଶ୍ରଦ୍ଧା ର ଆଶୀର୍ବାଦ, ମଣିଷମାନଙ୍କ ମୁଣ୍ଡରେ.
ସ୍ବର୍ଗପୁର ଫେରିବା ବାଟରେ ଖୁବ ଶୋଷ ହେବାରୁ ବିଷ୍ଣୁଙ୍କ ସହ ନାରଦ ମୁନି ଦେବର୍ଷି ପୁଣି ଓଲ୍ହେଇ ଥିଲେ ମର୍ତ୍ତ୍ୟ ଭୁବନକୁ . ଟିକେ ଦୂରରେ ଦୁଇ ବାନ୍ଧବୀଙ୍କ କଥା ଶୁଣିବାକୁ ପାଇଲେ ପ୍ରଭୁ.ନୀଳିମା କହିଚାଲିଥିଲେ. ଏଇ କିଛିଦିନ ହେବ ଏବର୍ଷ ଲଗାତାର ତିନିମାସ ଧରି ନିର୍ଦ୍ଦିଷ୍ଟ ରାତିରେ ନିଦ ଭାଙ୍ଗୁଛି ପେଚା ବୋବାଳିରେ ତ ମନ ଅସ୍ଥିର ଲାଗୁଛି ତାଙ୍କର . ଯେତେ ପାଠ ଶାଠ ପଢିଲେ ମଧ୍ୟ ମନକୁ କିଏ ବୁଝେଇବ!ଆଶଙ୍କାରେ ଜର୍ଜ୍ଜରିତ ମନ. ନିଶ୍ଚୟ କିଛି ଅଘଟଣ ଦୁର୍ଘଟଣା ଅଛି ଭାବି ପ୍ରତିକାର ପାଇଁ ଶୁଭେଛୁମାନଙ୍କୁ ହାତପତେଇ ଉପଦେଶ ମାଗିଲା ବେଳେ କିଏ କହେ ରାତ୍ରୀଚର ପକ୍ଷୀ ସେମାନେ ରାତିରେ ବୋବେଇବେନି? କିଛି ମନ ଊଣା କରିବାର ନାହିଁ. ହଁ ନୀଳିମାଙ୍କ ଘର ଚାରିପଟେ ଗଛ ବହୁତ ହେଲେ କେଵେ ଦିନେ ହେଲେ ତ ସେ ଶୁଣି ନଥିଲେ ଏମିତି ନିର୍ଦିଷ୍ଟ ପ୍ରହରରେ ପୁଣି ରାତିରେ ପେଚା ବୋବାଳି! ପୁଣି କିଏ କହେ ସେ ପେଚା ହୋଇନଥିବ କାରଣ ପେଚା ଉଡି ଉଡି ବୋବାଏ ନାହିଁ. ଯୋଉଠି ହେଲେ ବସିକି ବୋବାଏ. ସେ ବୋବାଳିର ପୁଣି ଅନେକ ସଂକେତ ରହିଛି. ଶୁଭ ଅଶୁଭ ମିଶ୍ରିତ ଭିତରୁ ଚୋରୀ ଭୟ,ମୃତ୍ୟୁ ଭୟ ଇତ୍ୟାଦି ଅଶୁଭ ସଂକେତ ସହ ପେଚା ଲଷ୍ମୀଙ୍କ ବାହାନ ହୋଇଥିବାରୁ କେତେକ ଶୁଭ ସଂକେତ ମଧ୍ୟ ଦେଇଥାଏ . ବହୁଦିନରୁ ରୋଗରେ ପୀଡିତ ଥିବା ରୋଗୀ ଉପରେ ବସିଗଲେ, ରୋଗୀର ରୋଗ ଦୂର ହୁଏ.ଘରୁ ଯାତ୍ରାରେ ବାହାରିବା ବେଳେ ପେଚା ଦେଖିଲେ ଯାତ୍ରା ସଫଳ ହୁଏ ପୁଣି କୋମଳ କଣ୍ଠରେ ପେଚା ଡାକିବା ଓ ସେ ଧଳା ରଙ୍ଗର ପେଚା ହୋଇଥିଲେ ଭାରି ଶୁଭ ହୋଇଥାଏ . ନୀଳିମା ବୁଝୁନଥିଲେ ଏସବୁ କିଛି.କେବଳ ସନ୍ତ୍ରାସ ଓ ଆତଙ୍କ ଭିତରେ ଦିନ ବିତୁଥିଲା ତାଙ୍କର.କେଵେ ସାରାରାତି ହନୁମାନ ଚାଳିଶା ବୋଲି ବୋଲି ତ କେଵେ କୋଉ ମନ୍ତ୍ରର ଧାଡିଏ କି ଦୁଇଧାଡି ବୋଲି ଦେଇ ଶୋଉଥିଲେ . ପୁଣି କେଵେ ତକିଆ ତଳେ ମୟୁର ପୁଚ୍ଛ ରଖି ତ କେଵେ କାହା କଥାରେ ମୟୁର ପୂଛରେ ଲାଲ ରଙ୍ଗର କପଡା ଗୁଡେଇ ରଖୁଥିଲେ . ଏତେସବୁ ଭିତରେ ବି ନିଦ ଭାଙ୍ଗୁଥିଲା ସେଇ ନିର୍ଦିଷ୍ଟ ରାତିର ନିର୍ଦ୍ଦିଷ୍ଟ ପ୍ରହରରେ. ଉଠିବସି ଜଡ଼ସଡ଼ରେ ହନୁମାନ ଚାଳିଶା ବୋଲିବା ଛଡା ଅନ୍ୟ ଉପାୟ ତ ଉପାୟ ଲାଇଟ ଜାଳି କେତେଟା ବାଜିଛି ବୋଲି ଦେଖିବାକୁ କି ଫୋନ ଚିପି ଲାଇଟ ଜାଳି ସମୟ ଜାଣିବାକୁ ଡର ଲାଗୁଥିଲା. ସ୍ୱାମୀ ମଧ୍ୟ ବିରକ୍ତ ହୋଇ କେତେ କଥା କହୁଥିଲେ. ଦିନେ ଦିନେ ଉଠି ଛାତ ଉପରକୁ ଯାଇ ନିରୀକ୍ଷଣ କରିବାକୁ କହି ଧୂଆଁ ଧୂଆଁ ଜଙ୍ଗଲ ପରି ଲାଗୁଥିଲା କୁହୁଡି କାକର ପରି ଆକାଶ ତ ବାରି ନପାରି ପେଚାର ଉଡାଣ,ଫେରି ପଡି ଛାତରୁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ନହେବାକୁ ମନକୁ ମନ କହି କଡ଼ ଲେଉଟାଇ ଶୋଇ ଯାଉଥିଲେ.
ନୀଳିମାଙ୍କ ବାନ୍ଧବୀ ଜଣେ କବୀ ଥିଲେ ଓ ଭାରି ଶୁଭେଛୁ ନୀଳିମାଙ୍କର.ତ ଏସବୁ ଶୁଣି ନୀଳିମାଙ୍କୁ କହିଚାଲିଲେ ଲେ ସ୍ୱାତୀ. କରିପାରିବୁ ଯଦି ଗୋଟେ କଥା କହନ୍ତି.ନିଜ ଅନୁଭୂତିର କଥା କହୁଛି ଶୁଣ. ନୀଳିମା ଶୁଣୁଥିଲେ ଓ ସ୍ୱାତୀ କହିଚାଲିଥିଲେ. ମଣିଷ ଜୀବନର ଅନେକ ଦୁଃଖ,ଦହନ, ଯନ୍ତ୍ରଣାକୁ ସାମ୍ନା କରୁ କରୁ ଏମିତି ଗୋଟେ ପରିସ୍ଥିତିରେ ପଡି ଜଗନ୍ନାଥ ଦର୍ଶନକୁ ଯାଇ ପୁରୀ ବାଇଶି ପାବଛରେ ବସିଛି, ନନା ଜଣେ କହିଲେ ମାଆ ଜଗନ୍ନାଥଙ୍କ ନାକଚଣା ମାଳ ନେବ? କେତେ ପଇସା ଓ କେତେ ସମୟ ଲାଗିବ ବୁଝୁ ବୁଝୁ ନନା ଆଣିଦେଇଥିଲେ ସେଇ ନାକଚଣା ମାଳଟି. ଶୁଖାଇ, ସାଇତି,ଜରି ମଧ୍ୟରେ ଦାଣ୍ଡଦୁଆର ଆଗରେ ଟାଙ୍ଗିବା ପରେ ଅନେକ ସମସ୍ୟାର ସମାଧାନ ଅଚିରେ ହୋଇ ଶାନ୍ତି ଫେରିଥିଲା ଘରକୁ. ସ୍ୱାତୀ ଙ୍କ କଥା ଶୁଣି ସେଦିନ ଅନେକ ଆଶ୍ୱାସନା ମନରେ ନେଇ ଭବିଷ୍ୟତ ସମ୍ଭାବନା ପାଇ ନିଦ ହୋଇଗଲା ନୀଳିମାଙ୍କୁ ତ ଆଉ ସେଦିନଠୁ ଶୁଣି ନଥିଲେ ପେଚା ବୋବାଳି. ସ୍ୱାମୀ କହୁଥିଲେ ଫ୍ୟାନ ବୁଲିବା ଶବ୍ଦରେ ଆଉ ଶୁଣିବାକୁ ପାଇବନି ପେଚାର ରାବ.ବ୍ୟସ୍ତ ହୁଅନା. ସେ ତାର ବୋବାଉଥାଉ. ତୁମେ କେବେ କେବେ ଶୁଣିଛ ତେବେ? ହଁ ବୋଲି ମୁଣ୍ଡ ଟୁଙ୍ଗାରୁଥିଲେ ସ୍ୱାମୀ.
ନୀଳିମା ଙ୍କ ଭଉଣୀ ଖବର ଦେଲା ଅପା ମିଳିଯାଇଛନ୍ତି ନାକଚଣା ମାଳ. ସପାଖରେ ରଖିବାକୁ ସୁବିଧା ନାହିଁ ତୁ ଆସି ନେଇଯା. ଖୁସିରେ ନୀଳିମା ବସରେ ବସିଲେ. ମନ୍ଦିର ବସରେ. ମାଳ ନେଇ ପୁଣି ସେଇ ବସରେ ଫେରିବାକୁ ଅପେକ୍ଷା କରୁ କରୁ ଖୁବ ଡେରି. ଖରା ମାରୁଛି ଚାଇଁ ଚାଇଁ. ପାଖରେ ପାଣି ନାଇଁ କି ଅଟୋରେ ଚାଲିଯିବା ପାଇଁ ପଇସା ନାହିଁ. ଠିକ ଏତିକି ବେଳେ ଲାଗିଲା ପ୍ରଭୁ ଯାହାର ପାଖରେ, କୋଉ କଥାକୁ ଆଉ ଡର!ସତକୁ ସତ ମନ୍ଦିର ବସ ପହଞ୍ଚିଗଲା ଅଚିରେ . ସିଟ ପାଇ ବସିପଡ଼ି ନୀଳିମା ଭାବୁଥିଲେ ଯାହାର ସ୍ମରଣ ମାତ୍ରେ ବସ ଆସିଗଲା ତାଙ୍କୁ ଘରେ ନେଇ ରଖିବା ପରେ ଆଉ କି ବିପଦ!ଯେତେ ଯିଏ, ମନୁଷ୍ୟ, ପଶୁ, ପକ୍ଷୀ ଗୋଛି କାଟିବାକୁ ଚାହିଁଲେ ମଧ୍ୟ ଆଉ କିଛି କରିପାରିବେନି. ଭାବିକି ନାକଚଣା ମାଳ ଥିବା ପଲିଥିନଟିକୁ ସଜାଡି କୋଳ ଉପରେ ରଖିଲା ବେଳେ ଲାଗିଲା ସତରେ କଣ ପ୍ରଭୁ କୋଟି କୋଟି ଜୀବଙ୍କୁ ଛାଡି ମୋ ସହ ଯାଉଛନ୍ତି ମୋ ଘର ର ରିଷ୍ଟ କାଟିବାକୁ? ଏମିତି ଭାବି ପଲିଥିନ ଟିକେ ଘୁଞ୍ଚେଇବାକୁ ଯାଇ ଟେକି ପାରିଲେନି ନୀଳିମା. ପାଖ ସ୍ତ୍ରୀ ଲୋକ ଜଣଙ୍କ କହୁଥାନ୍ତି ନିଜ ବ୍ୟାଗ ଓ ପଲିଥିନ ମୋ ଦେହରେ ବାଜୁଛି, ସଜାଡି ରଖନ୍ତୁ . ହଁ ହଁ କହି ସଜାଡି ରଖି ପାରୁନଥିଲେ ନୀଳିମା. କି ଭାରି ସେ ଜରି. ତେବେ କେମିତି ନେବେ ବସଷ୍ଟାଣ୍ଡରୁ ଘରଯାଏଁ ପ୍ରଭୁଙ୍କୁ!ବସ ରହିଲା. ଯାତ୍ରୀମାନେ ଓଲ୍ହେଇଲେ ହେଲେ ଓଲ୍ହେଇ ପାରୁନଥିଲେ ନୀଳିମା. କଣ୍ଡକ୍ଟର ବିରକ୍ତି ଭାବ ପ୍ରକାଶ କରି ପଲିଥିନ ଜରିଟିକୁ ତାଙ୍କଠୁଁ ଧରି ନେଇ କହୁଥିଲା ବୋପାଲୋ କି ଭାରି!କଣ ଅଛି ଏଥିରେ କେଜାଣି. ନୀଳିମା ହାତକୁ ନେଇ କହୁଥିଲେ ବ୍ରହ୍ମାଣ୍ଡ ଠାକୁର ସେଥିରେ. ସେ ହସୁ ହସୁ ନୀଳିମା ଓଲ୍ହେଇ ଚାଲୁଥିଲେଆଗକୁ ଘରମୁହଁ ଆଡକୁ. ଆଉ ଭାରି ନଥିଲା ଜରି କିନ୍ତୁ ମନଦୁଃଖ ଲାଗୁଥିଲା ନୀଳିମାଙ୍କର ଭାବିକି ଯେ ବୋଧେ ପ୍ରଭୁ ରହିଗଲେ ବାଟରେ ବସ ପାଖରେ କି କଣ କିନ୍ତୁ ସ୍ୱାମୀ ଯେବେ ଦୁଆର ମୁହଁରୁ ଧରିନେଇ କହୁଥିଲେ ବୋପାଲୋ କି ଭାରି. ଖୁସିରେ ନୀଳିମା ଶିଡ଼ି ଚଢ଼ୁଥିଲେ ଥିରି ଥିରି.
ଦୁଇ ଚାରି ଦିନ ପରେ ଭଉଣୀ ଫୋନ କରିଥିଲା ଓ କହିଥିଲା କୋରାପୁଟ ବଦଳି ହୋଇଯାଇଛି ମୋର ଯେ ଡର ମାଡ଼ୁଛି. ସେଠି ପ୍ରାକୃତିକ ପରିବେଶ ସହିତ ନଦୀ, ଝରଣା, ପ୍ରପାତ ଖୁବ ସୁନ୍ଦର ସତ ହେଲେ ପୋଡୁ ଚାଷ ପାଇଁ ଜଙ୍ଗଲ ପୋଡି ସହ ଧୂଆଁ ଧୂଆଁ ବାତାବରଣ ଭିତରେ ସ୍କୁଲଟି ମଧ୍ୟ ଧୂଆଁଳିଆ ହୋଇ ରହୁଛି. ଆଦିବାସୀ ପିଲାଙ୍କ ଉପସ୍ଥାପନ ଶ୍ରେଣୀରେ ବହୁତ କମ ତ ଉପରିସ୍ଥ ଅଫିସରଙ୍କୁ କୈଫତ ଦେବାକୁ ପଡିବ. ନୀଳିମା କହିଲେ ଧୂଆଁ ଧୂଆଁ ଜଙ୍ଗଲ ଭିତରେ କିନ୍ତୁ ପେଚା ବୋବାଳି ତ ନଥିବ ନା!କାଇଁ ତୁ ଆଉ ଶୁଣୁଛୁକି ସେ ପକ୍ଷୀ ବୋବାଳି?ହଁ ବେଳେ ବେଳେ. କିଛି ଯାଏ ଆସେ ନାହିଁ.ତୋ ସାଙ୍ଗରେ ପରା ଜଗନ୍ନାଥ ଅଛନ୍ତି. ହଁ ସେଇଥିପାଇଁ ତ ନିର୍ଭିକ ଭାବେ ବଞ୍ଚିଛି. ତୁ ବି ସେୟା କର. ପ୍ରଭୁଙ୍କ ନାକଚଣା ମାଳ ସାଙ୍ଗରେ ନେଇକି ଯାଆ. କିଛି ଅସୁବିଧା ରହିବନି. ଭଉଣୀ ହସି ହସି କହିଲା ନାକଚଣା ମାଳ ଭିତରେ ତୁତ ଜଗନ୍ନାଥଙ୍କୁ ନେଇଗଲୁ ନା. ଆରେ ନା ନା ସେ ବାଣ୍ଟିହୋଇ ଭକ୍ତ ପାଇଁ ବିଭାଜ୍ୟ ସବୁବେଳେ. ତୁ ଗୋଟେ କାମ କର ନାକଚଣା ମାଳ ବଦଳରେ କରପଲ୍ଲଵ ବା ହୃଦୟବଲ୍ଲବ ଭିତରେ ତାଙ୍କୁ ସାଙ୍ଗରେ ନେଇଯା. ଏସବୁ ଶୁଣୁଥିବା ସ୍ୱାମୀ କହୁଥିଲେ ସତ କଥା. ଭକ୍ତର ଭଗବାନ ବୋଲି ନାକଚଣା ମାଳ କେତେବେଳେ ହାଳକା ତ କେତେବେଳେ ଭାରି ଲାଗୁଛନ୍ତି ଏଠି ନାକଚଣା ମାଳ .ଏସବୁ ଶୁଣି ନୀଳିମାଙ୍କ ମନରୁ ଭୟ ଅପସରି ଯାଉଥିଲା ଅନେକ ମାତ୍ରାରେ.ଆଉ ଏସବୁ ଛପି ରହି ଶୁଣୁଥିବା ଇଶ୍ୱର ଙ୍କ ଖୁସିର ରଙ୍ଗ ସାତରଙ୍ଗି ହସ ଶୁଣି ନାରଦ କହୁଥିଲେ ପ୍ରଭୁ ଏଥର ବୁଝିଗଲି ଆପଣ କେତେ ବଡ଼ ବୋଲି.ଶ୍ରୀହରୀ ନିଜ ଅନ୍ତହୀନ ଅପେକ୍ଷାରେ ଅନ୍ତ ଘଟେଇ ମଣିଷ ଉପରେ ଅଜାଡି ଚାଲିଥିଲେ ସ୍ନେହ ଶ୍ରଦ୍ଧା ର ଅଫୁରନ୍ତ ଜୁଆର.
,,,,,,,,,,,,,,,,,,,
