ଲୁଚକାଳି ଖେଳ ହେଲା କାଳ
ଲୁଚକାଳି ଖେଳ ହେଲା କାଳ
ପିଲାବେଳେ ଲୁଚକାଳି ଖେଳ ନିଶ୍ଚୟ କିଏ କେତେ ଖେଳେ. ଏମିତିକି ଛୋଟ ନାତି ନାତୁଣୀଙ୍କୁ ନେଇ ଘର ଭିତରେ ଜେଜେ ଜେଜେମାଆ ଲୁଚକାଳି ଖେଳିଥାଆନ୍ତି ଓ ଆନନ୍ଦ ପାଆନ୍ତି କିନ୍ତୁ ଲୁଚିଥିବା ନାତି କି ନାତୁଣୀକୁ ଖୋଜି ପାଇ ହେଇଟି ତ ବା ହେଇତା କହିଦେଲେ ଖିଲି ଖିଲି ହୋଇ ହସିଉଠନ୍ତି ନାତି ନାତୁଣୀ ମାନେ ତ ଜେଜେ ଓ ଜେଜେମାଆମାନେ କୋଳ କରିନେଇଥାଆନ୍ତି ଛୋଟ ଛୋଟ ତଥା ଠୁକୁ ଠୁକୁ ଚାଲି ଶିଖି ଅଳ୍ପ ଅଳ୍ପ ଦୌଡୁଥିବା ପିଲାଙ୍କୁ ଜାକି ପକାନ୍ତି, ଖୁସି ଓ ଆନନ୍ଦରେ ତ କେବେ ଡରରେ ଯେ କାଳେ ମୋ ଛୋଟ ନାତି କି ନାତୁଣୀ ପଡିଯିବା ଭୟରେ!
ସେମିତି ଟିକେ ବଡହେଲାପରେ ଗାଁରେ ନାତି ନାତୁଣୀମାନେ ସବୁ ଖେଳୁଥିଲେ ଲୁଚକାଳି ଜଣଙ୍କ ବ୍ୟକ୍ତିଗତ ବାଡ଼ି ପଟେ. ବହୁତ ଗଛ ସେଠାରେ. ଶାଳ ପିଆଶାଳଠୁ ଆରମ୍ଭ କରି ସବୁପ୍ରକାର ଗଛର ଗହଳ ତଥା ଛୋଟ ବରଗଛଟିର ଓହଳ ଭିତରେ ଛୋଟ ଛୋଟ ପିଲାଙ୍କର ଲୁଚକାଳି ଖେଳର ଆନନ୍ଦ କହିଲେ ନସରେ. କିଏ ଖୋଜି ପାଇଯାଉଥାଏ ତ କିଏ ଖୋଜୁଥାଏ ପରସ୍ତ ପରସ୍ତ, ଏଗଛ ପଛପଟୁ.. ସେଗଛ ପଛପଟ ଯାଏଁ. ସବୁ କିଛି ଆନନ୍ଦମୟ ପରିସ୍ଥିତି ସବୁବେଳେ ଆନନ୍ଦରେ ପରିସମାପ୍ତି ହେଉଥିଲା ବେଳେ ସେଦିନ ମିନିର ଆର୍ତ୍ତ ଚିତ୍କାର, ଲୁଚକାଳି ଖେଳର ମୋଡ଼ ବଦଳେଇ ଦେଇଥିଲା ତ କିଏ ଭାବୁଥିଲା ସେ ପଡିଗଲା କି ତ କିଏ ଭାବୁଥିଲା ସାପ କାମୁଡିଦେଲା କି ତ କିଏ ଭାବୁଥିଲା ଘଞ୍ଚ ବଗିଚା ମିନିକୁ ଡରରେ ଭୟଭୀତ କଲା କି!ପିଲାଙ୍କ ସହ ଦୌଡ଼ିଆସିଥିଲେ ସଭିଙ୍କ ପିତା ମାତା ଓ ବୟସ୍କ ଜେଜେ ଜେଜେମାଆମାନେ . ମିନି କିନ୍ତୁ ଢଳିପଡିଥିଲା, ତାର ଶେଷ ପରିଣତିର ସୂଚନା ଦେଇ. କାରଣଟି ଥିଲା ହଣା ହୋଇ ଗଛ କଟା ସରିବା ପରେ ରହିଯାଇଥିବା ଥୁଣ୍ଟା ଗଛ ଗଣ୍ଡିର ମୁନିଆଁ ଅଂଶରେ ମୁନି ହସି ହସି ବସିପଡ଼ିଥିଲା ବେଳେ ସବୁଦିନ ପାଇଁ ତା ହସ ଅନ୍ୟ ମାନଙ୍କ ଆଖିରେ ଲୁହ ହୋଇ ସଚେତନ କରେଇଥିଲା ଗଛ ହାଣିବା ଅନୁଚିତ ଓ ଯଦି ହାଣିଲ ତେବେ ଗଛର ଗଣ୍ଡି ବା ମୂଳ କୁ ଭୂମି ସହିତ ସମାନ୍ତର କରି ହାଣିବା ଉଚିତ. ଶିକ୍ଷା ମିଳିଲା ସିନା କିନ୍ତୁ ସେଇ ବଗିଚାର ମାଲିକ ତଥା ମିନିର ଜେଜେ ଓ ଜେଜେମାଆ ଦୁହେଁ ଭୂଇଁ ସାଉଁଟି ଲୋଟୁଥିବା ଦୃଶ୍ୟକୁ ଭୁଲିନଥିଲେ କେହି ଏଯାଏଁ. ଜେଜେମାଆ ସୁଭଦ୍ରା ଓ ଜେଜେ ଆଦିକନ୍ଦ ମଧ୍ୟ ଖୋଜିପକେଇଥିଲେ ଛୁଟିରେ ଘରକୁ ଆସିଥିବା ନିଜ ନାତି ନାତୁଣୀ ତିନିଙ୍କୁ. ନାତି ବାବା, ନାତୁଣୀ ଡୁଗୁ ଓ ସାନ ନାତି ଡୁଡୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ହୋଇ ଖେଳୁଥିଲେ ଗାଁ ଘର ଭିତରେ ତ ଦୀର୍ଘନିଶ୍ଵାସ ଛାଡୁଥିଲେ ଦୁହେଁ .ସେଦିନର ମିନିର ମୃତ୍ୟୁ ପରେ କେଜାଣି କାହିଁକି ନାତି ନାତୁଣୀମାନଙ୍କୁ ଲୁଚକାଳି ଖେଳିବାକୁ ମନା, ହେଲେ ପିଲାଙ୍କ ଲୁଚକାଳି ଖେଳ ରୋକିବା ସମ୍ଭବ ନଥିଲା.

