STORYMIRROR

Arati Sahoo

Horror Tragedy

4.3  

Arati Sahoo

Horror Tragedy

ଓମିକ୍ରୋନ୍

ଓମିକ୍ରୋନ୍

8 mins
413


ମୁଁ ବାହାରି ଯାଉଥିଲି ମୋ ପ୍ରିୟ ପିଙ୍କ୍ ସ୍କୁଟି ଧରି । ବୀତସ୍ପୃହ ହେଇ ବସିଥିଲେ ମୋ ମାଆ ବାପା । କିଛି କହିଲେ ନାହିଁ କି ପଚାରିଲେ ନାହିଁ । ସାନ ଭଉଣୀ ରୋଷେଇ ଘରେ କଣ ଗୋଟେ ଖଡ଼ର୍ ଖଡ଼ର୍ କରି ଭାଜୁଥିଲା ତଳକୁ ମୁହଁ କରି, ଯେମିତି ମନ ନାହିଁ ଭାଜିବାକୁ । ତାର ଚୁଟି ପୁଳାକ କେମିତି ଅଲରା ମଲରା ହେଇ ଢାଙ୍କି ଦେଇଥାଏ ତାର ତୋଫା ଗୋରା ମୁହଁକୁ । ଆଜି ସୂର୍ଯ୍ୟର ବି ସେଇ ଅବସ୍ଥା । ତାର ଉଜ୍ଜ୍ଵଳତାକୁ କଳା ବାଦଲଟିଏ ଢାଙ୍କି ରଖିଛି । ଥମ୍ ଥମ୍ ଆକାଶ ।


 ବଡ଼ଭାଇ ଦାଣ୍ଡ ବାରଣ୍ଡାର ପିଣ୍ଡି ଉପରେ କାନ୍ଥକୁ ଆଉଜି ବସି ଇଆଡୁ ସିଆଡୁ କଣ ଗାରଉଥିଲେ ତାଙ୍କ ଡାଏରୀ ଫର୍ଦ୍ଦରେ । ଫୋନଟା ତାଙ୍କର ରଡି଼ କରି ଚାଲିଥିଲା । ମୁଁ ଭାଇଙ୍କୁ ଡାକିଲି ବି . କିନ୍ତୁ ଶୁଣିଲେ ନାହିଁ କି ମୁଁ ତାଙ୍କ ସାମନାରେ ସ୍କୁଟି କାଢ଼ିଲା ବେଳେ ଆଖି ଟେକି ଚାହିଁଲେ ନାହିଁ । ମାଆ ବୋଧହୁଏ କହି ଦେଇଥିବ ତାଙ୍କୁ ।


ମୋର ଭଲ୍ୟୁଣ୍ଟିୟର୍ ହେବା ଡିସିସନ୍, ତା ମଧ୍ୟ ଏକ କୋଭିଡ ସେଣ୍ଟରରେ, କାହାକୁ ପସନ୍ଦ ହେଲା ପରି ତ ନଥିଲା ନା ।


 ମୁଁ ଚାଲିଲି ମୋର ଧୁନରେ "' ଆରୋଗ୍ୟ "" କୋଭିଡ କେୟର୍ ସେଣ୍ଟରକୁ । ମନ ଖୁସି ଥିଲା ଖୁବ୍ । ସେଇଠାରେ ତ ମୁଁ ବି ଚିକିତ୍ସିତ ହେଉଥିଲି ।


 ତିନିଟା ମାସ୍କ ଲଗେଇଥିଲି । ହାତରେ ଗ୍ଲୋଭସ୍ । ଫୁଲ ସ୍ଲିଭ୍ କୁର୍ତ୍ତା ଓ ଜିନ୍ସ । ମୁଣ୍ଡକୁ ମଧ୍ୟ ଭଲ ଭାବରେ ଓଢ଼ଣୀ ଦ୍ଵାରା ଘୋଡ଼ାଇ ଦେଇଥିଲି । ଆଖିରେ ବି ବଡ଼ ଫ୍ରେମର ପାଓ୍ଵାରଲେସ୍ ଚଷମା । ମୋଟ୍ ଉପରେ ମୁଁ ସୋରିଷ ଟିକକର ବି ଜାଗା ରଖି ନଥିଲି ସେ ବଦମାସ ପରଘର ପଶା ଭାଇରସ୍ ପାଇଁ । ଯଦିଓ ମୋତେ ଜଣାଥିଲା ଯେ କରୋନା ଉଚ୍ଛିଷ୍ଟମାନଙ୍କର ଆଉ ଭୟ ନାହିଁ କରୋନାକୁ । ଏଣ୍ଟିବଡି ରକ୍ଷୀ ହେଇ ବସିଥାନ୍ତି ସଜାଗ ହୋଇ । ତଥାପି କି ବିଶ୍ୱାସରେ ବାବା ଏ ବହୁରୂପୀ ରାକ୍ଷସ ଉପରେ । ଦରକାର କଣ ? 


"" ନିଜ ସୁରକ୍ଷା ନିଜ ହାତରେ । ""


 ଭାରି ଗୋଟାଏ ଖୁସି ଲାଗିଲା ଗଡ଼ ଜିତିଲା ପରି, ଏଇଥିପାଇଁ ଯେ, ଛକମାନଙ୍କରେ ବାରିକେଡ଼ ଲଗେଇ ବସିଥିବା ମାମୁଁମାନେ ବି ମୋତେ ଆଡ଼ ଆଖିରେ ଅନେଇଲେ ନାହିଁ । ହଃ, ଏମାନଙ୍କ ଉତ୍ସାହରେ ବି ତ ଭଟ୍ଟା ପଡ଼ି ଆସିଲାଣି, ଥକି ଗଲେଣି ସମସ୍ତେ । କେତେ କରିବେ ଡ୍ୟୁଟି ? ପୁଣି ଏ ଭୟାବହ ବାତାବରଣରେ । ଯିଏ ଯାହାର ମୋବାଇଲ ଭିତରେ ପଶି ଯାଇଛନ୍ତି । ସତରେ ଏଇ ମୋବାଇଲଟା ଯଦି ନଥାନ୍ତା ନା, ଜଣା ନାହିଁ ଆହୁରି କେତେ ମରଣ ମୁହଁକୁ ଯାଇଥାନ୍ତେ । ଅବଶ୍ୟ ନକାରାତ୍ମକ ଭ୍ରମ ଉପୁଜିବାରେ ମଧ୍ୟ ଏହି ମୋବାଇଲର ହାତ ଅଛି । ସବୁର ପ୍ଲସ୍ ପଇଣ୍ଟ ସହିତ ମାଇନସ୍ ପଇଣ୍ଟ ବି ତ ଅଛି ।


 ଶୂନ୍ୟ ସଡ଼କ, ଶୂନ୍ୟ ବଜାର, ଶୂନ୍ୟ ଛକ ସବୁ ବହୁତ ଭଲ ଲାଗୁଥିଲା । ମୁଁ ଯେମିତି ସାମ୍ରାଜ୍ଞୀ ଏଇ ରାଜ୍ୟର, ଆଉ ଖାସ୍ ମୋ ପାଇଁ ଶୂନ୍ୟ କରାଯାଇଛି ଏ ରାସ୍ତା ଗୁଡିକୁ । ଗଛ ପତ୍ର ପ୍ରଦୂଷଣରୁ ରକ୍ଷା ପାଇ ଶାଗୁଆ ଶାଗୁଆ ହସ ହସୁଥାନ୍ତି ଖିଲ୍ ଖିଲ୍ ହେଇ । ପତ୍ରଫୁଲ ଦୋଳାୟିତ ହେଇ ନିଜର ଖୁସି ଜାହିର କରୁଥାନ୍ତି । ମୁଁ ଖଣ୍ଡଗିରି ଦେଇ ଆସୁଥାଏ । ଖଣ୍ଡଗିରିର ମାଙ୍କଡ଼ ସବୁ ଖୁସିରେ ଖେଳ କସରତ କରୁଥାନ୍ତି ରାସ୍ତା ମଝିରେ । ଦୁଇଟା ମୟୂର ନିଜର ସପ୍ତରଙ୍ଗୀ ପୁଚ୍ଛ ମେଲାଇ ନାଚୁଥାନ୍ତି । ଆଃ, ଭିଡିଓ ଟିଏ କରିଥାନ୍ତି । ପର୍ସ ଅଣ୍ଡାଳିଲି, ଯାଃ, ଫୋନଟା ଭୁଲି ଆସିଛି ଘରେ । ଆହା ! ଏଇ " ଲକ୍ ଡାଉନ୍ " ବର୍ଷରେ ଅନ୍ତତଃ ମାସେ ଖଣ୍ଡେ ନିହାତି ଲାଗିବା ଉଚିତ ।


ଗୁଣଗୁଣେଇ ଉଠିଲି ମୁଁ,


"' ମୟୁରୀ ଗୋ ତୁମ ଆକାଶେ ମୁଁ ଦିନେ ମହ୍ଲାର ମେଘ ସାଜିଲି ...."'


 ଶୁନଶାନ୍ ରାସ୍ତାରେ ଶୂନ୍ୟ ଆଳାପ କଲା ପରି ମୁଁ ମୁଖସ୍ଥ କରି ଚାଲିଥିଲି ମୋର ଆଗକୁ ଥିବା କାର୍ଯ୍ୟକ୍ରମ । 


 ସ୍କୁଟିକୁ ଷ୍ଟାଣ୍ଡରେ ରଖି ମୁଁ ଚାଲିଲି ଓ୍ଵାର୍ଡ ଆଡ଼କୁ । ମୁଁ ଯେଉଁ ଓ୍ଵାର୍ଡରେ ଥିଲି । ମୁଁ ପଶିଗଲି ସେଇ ସାତ ନମ୍ବର ଓ୍ଵାର୍ଡରେ । ଛୋଟିଆ କେବିନ ପରି ଓ୍ଵାର୍ଡ । ମୋଟ ଆଠଟା ବେଡ୍ । ଆହା ! ଏଇ ଦ୍ଵାର ପାଖ ବେଡରେ ତ ମୁଁ ଥିଲି । ମନଟା କିଲବିଲେଇ ଉଠିଲା । ପାଖ ବେଡ୍ ସବୁରେ ଦୃଷ୍ଟି ବୁଲେଇ ଆଣିଲି । ମୋ ବେଡରେ ପଚାଶ ବର୍ଷୀୟା ମାଉସୀ ଜଣେ ବିକଳ ହେଉଛନ୍ତି ।


 ଓଃ !! ସେ ମର୍ମନ୍ତୁଦ ଅଭିଶପ୍ତ ଦିନଟା ମନେ ପକେଇବାକୁ ଇଚ୍ଛା ହେଉ ନଥିଲା । ଆଖି ଆଗରେ ସାତଟା ବେଡ୍ ଖାଲି ହେଇଗଲା । ଛଟ୍ ଛଟ୍ ହେଉଥିବା ଜୀବନମାନେ ମୃତ୍ୟୁ ପାଲଟିଗଲେ । ମଣିଷ ଗୁଡ଼। ଶବ ହେଇଗଲେ ପଲକ ଭିତରେ । ମନୋବଳ ଓ ସୁଶ୍ରୁଷା ଅଭାବରୁ । 


 ସେଇଥିପାଇଁ ତ ମୁଁ ଆସିଛି ଭଲ୍ୟୁଣ୍ଟିୟର୍ ହେଇ । ବାପା ମାଆକୁ କହିଲି । ସେମାନେ ମଉନ ରହିଥିଲେ ନିର୍ଲିପ୍ତ ଭାବେ । ମୌନଂ ସମ୍ମତି ଲକ୍ଷଣଂ । ମୁଁ ଭାବି ନେଲି ।


 କେତେ ମନଥିଲା ମୋର ଡାକ୍ତର ହେବାକୁ । ଡାକ୍ତର ପାଖକୁ ଘରୁ ଯିଏ ଯାଉଥିଲା ମୁଁ ଜିଦିକରି ଯାଉଥିଲି ତାଙ୍କ ସହିତ । ଯାଇ ଅପଲକ ନୟନରେ ଅନେଇ ରହୁଥିଲି ଡାକ୍ତରଙ୍କ କାର୍ଯ୍ୟ କଳାପ । ସ୍କିପିଂ ରସିକୁ ଷ୍ଟେଥିସ୍କପ୍ ପରି ପକେଇ ନିଜକୁ ଡାକ୍ତର ସଜଉଥିଲି ।


 କିନ୍ତୁ ଡାକ୍ତର ହେବାକୁ ମୌଳିକ ଭେଜାଟା ତ ନଥିଲା ନା । ବିଜ୍ଞାନ ଗଣିତ ମୁଣ୍ଡରେ ଢୁକୁ ନଥିଲା । ସେ ଡି ଏନ ଏ, ଆର୍ ଏନ୍ ଏ, ଅର୍ଗାନିକ କେମିଷ୍ଟ୍ରି, ହାଇଡ୍ରୋ କାର୍ବନ୍ ମୋତେ ଭାରି ଡରଉ ଥିଲେ । ଅଙ୍କ କଷିଲା ବେଳେ ତ ମୋର ଆଖିରୁ ଜୁଳୁଜୁଳିଆ ପୋକ ବାହାରି ଆସୁଥିଲେ । ଅବଶ୍ୟ ପ୍ଲସ୍ ଟୁରେ ଗଣିତକୁ ବିଦାୟ ଦେଇଥିଲି ମୋ ବହି ଥାକରୁ । କିନ୍ତୁ ଫିଜିକ୍ସ୍ କେମିଷ୍ଟ୍ରି ତ ଥିଲା ନା । 


 ସୁତରାଂ ମୁଁ ଡାକ୍ତର ଡାକ୍ତର ଖେଳ ଖେଳି ନିଜକୁ ସାନ୍ତ୍ୱନା ଦେଲି ।


ମୋତେ ନର୍ସିଂ ବି କରିବାକୁ ମନା କରାଗଲା ।


- ନର୍ସିଂ କଣ ବାହ୍ମୁଣ ଝିଅ କରନ୍ତି ?  


ମାଆ ଏକାଥରକେ ପାଟି ବନ୍ଦ କରିଦେଲା ।


 ଅଚାନକ ମୋ ବେଡରେ ଥିବା ମାଉସୀ ବ୍ୟତିବ୍ୟସ୍ତ ହେଇ ଖୁବ୍ ଛଟ୍ ଛଟ୍ ହେଲେ । ନିଃଶ୍ଵାସ ପ୍ରଶ୍ଵାସ ଠିକ୍ ସେ ହେଇ ପାରୁ ନଥିବାରୁ ବେଦମ୍ ନିସାରାଣିଆ ଅବସ୍ଥା । ତୁରନ୍ତ ମୁଁ ଯାଇ ତାଙ୍କୁ ପେଟେଇ ଶୋଇ ପକେଇଲି, ଛାତି ତଳେ ଦିଟା ତକିଆ ଦେଇ ।  


 - ମାଉସୀ, ଯୋର୍ ନିଃଶ୍ଵାସ ନେବାକୁ ଚେଷ୍ଟା କର । 


- ହେଉନି ଲୋ ଝିଅ । 


ବଡ଼ କଷ୍ଟରେ ସେ କହିଲେ । ନିଃଶ୍ଵାସ ନେବାକୁ ଗଲାବେଳେ ସେ ଅତର୍ଛିଆ କାଶରେ ଧଇଁସଇଁ ହେଇ ପଡୁଥିଲେ । ମୁଁ ତାଙ୍କ ପିଠିକୁ ଆଉଁସି ଚେଷ୍ଟା ଚଲେଇଥିଲି । ମୁଁ ଗୋଟାଏ ଅଜବ ନିଷ୍ପତ୍ତି ନେଉଥିଲି । ଯେମିତି ଜୀବନ ମରଣ ସବୁ ମୋରି ହାତରେ ।


"" ନା, ଏଇ ଓ୍ଵାର୍ଡରେ ଭର୍ତ୍ତି କାହାରି ହେଲେ ମୃତ୍ୟୁ ହେବାକୁ ଦେବି ନାହିଁ ମୁଁ । "'


ଆଶ୍ଚର୍ଯ୍ୟ, କିଛି ସମୟ ପରେ ସେ ମାଉସୀ ଆରାମରେ ନିଃଶ୍ଵାସ ନେଉଥିଲେ ।


 ମୁଁ ଓ୍ଵାର୍ଡର ଠିକ୍ ମଝାମଝି ଠିଆ ହେଇ ଭାଷଣ ଦେବା ଭଙ୍ଗୀ

ରେ କହିଲି ।


- ସମସ୍ତେ ଶୁଣ, ତୁମେ ମାନେ ପ୍ରଥମେ ନିଶ୍ଚୟ କର ଯେ ମୃତ୍ୟୁର ଭୟ ଓ ଭାବନା ମନକୁ ଆଦୌ ଆଣିବ ନାହିଁ । ଅକ୍ସିଜେନ୍ ଲେଭେଲ୍ ଯାହା ହେଲେ ବି ଭୟ କଲେ ତାହା ଆହୁରି କମିବ । ଯୋ ଡରଗୟା, ଓ୍ଵ ମରଗୟା । ତୁମେମାନେ ସବୁ ସୁସ୍ଥ ହେଇ ଘରକୁ ଫେରିବ । ମୁଁ କଥା ଦେଉଛି । ନିଜ ନିଜ ପରିବାରର ଲୋକଙ୍କୁ ଫୋନ କରି ପର୍ଯ୍ୟାପ୍ତ ପଇଡ଼, ଫଳମୂଳ, ଓ ଗୋଟାଏ ଲେଖାଏଁ ଥର୍ମସ ମଗେଇ ନିଅ । ତାଙ୍କୁ କୁହ ଅଦା, କଞ୍ଚା ହଳଦୀ, ଗୋଲ ମରିଚ ଓ ତୁଳସୀ ଛେଚା ଦିନକୁ ଦୁଇଥର ନେଇ ଆସିବେ । ହରିଡ଼। ସେକି ତାର ଖଣ୍ଡ ଓ ଲବଙ୍ଗ ଆଣି ଦେଇଯିବେ । କାଶ ପାଇଁ ଏହା ଅମୋଘ ଔଷଧ ।


 ବୁଡ଼ିଗଲା ବେଳେ କୁଟାଖିଅକୁ ବିଶ୍ୱାସ କରିବାକୁ ପଡେ । ଆଉ ସେସବୁ ହେଲା ମଧ୍ୟ । 


 ମୁଁ ନୋଟିସ କରୁଥିଲି ନର୍ସ ମାନେ ମଧ୍ୟ ଡରି ରହିଛନ୍ତି । କେହି ରୋଗୀ ପାଖକୁ ଯାଉ ନାହାନ୍ତି । ଖାଦ୍ୟ ଓ ଔଷଧ ଆଣି ଥୋଇ ଦେଉଛନ୍ତି । କିଏ ଖାଉଛି କି ନାହିଁ ନିଘା ନାହିଁ । ତାଙ୍କ ଉପରେ ବି କାମର ଅତିରିକ୍ତ ଚାପ । କରିଡରମାନଙ୍କରେ ବି କରୋନା ରୋଗୀ ଶୋଇଲେଣି । ମୋ ମନ ଅଠା ଧରି ଯାଉଥିଲା । 


"'ହେ ଭଗବାନ !! ଏବେ ତ କ୍ଷାନ୍ତ ହୁଅ । ପୃଥିବୀବାସୀଙ୍କୁ ଉଦ୍ଧାର କର । ଏଡ଼େ ନିଦାରୁଣ ହୁଅନା ପ୍ରଭୁ । "'


 ଝରକା ପାଖ ରୋଗୀର ଅକ୍ସିଜେନ୍ ଲେଭେଲ୍ ତଳକୁ ଯାଉଥାଏ । ସେ ଅସମ୍ଭବ ଭାବରେ ଧଇଁସଇଁ ହେଉଥାଏ । ନର୍ସ ଆସି ଅକ୍ସିଜେନ୍ ମାସ୍କ ଲଗେଇ ଫେରି ଯାଉଥିଲେ ତରତର ହେଇ । 


- ଆରେ, ନର୍ସ ଦିଦି, ମାସ୍କ ସହିତ ପାଇପ୍ ଯୋଡ଼ା ହେଇ ନାହିଁ ଯେ, ମରିଯିବ ଯେ ଲୋକଟା ।


 ସେ ଫେରି ଗୋଟାଏ ଥଣ୍ଡା ଲୁକ୍ ଦେଲା ମୋ ଉପରକୁ । ସେ ଥର୍ମମିଟର୍ ଭୁଲି ଯାଇଥିଲା ସେହି ରୋଗୀର ସାଇଡ ଟେବୁଲରେ । ଯାଇ ସେଟାକୁ ନେଲା, ଓ ମାସ୍କ ସହିତ ଅକ୍ସିଜେନ୍ ପାଇପ୍ ସଂଯୋଗ କଲା । ମୁଁ ପ୍ରକୃତିସ୍ଥ ହେଲି, ଯାହାହେଉ, ନହେଲେ ଏଇ ଟେକ୍ନିକାଲ୍ କାମ କଣ ମୋତେ ଜଣା ଅଛି ?


 ମୁଁ ଲଗାତାର ରୋଗୀ ମାନଙ୍କୁ ନିର୍ଦ୍ଦେଶ ଦେଇ ଚାଲିଲି । ଗରମ ପାଣି, ବାମ୍ଫ, ପ୍ରାଣାୟାମ୍, ହସ୍ତମୁଦ୍ରା, ଡିପ୍ ବ୍ରିଦିଂ ଇତ୍ୟାଦି ଇତ୍ୟାଦି । ହରିଡ଼। ଲବଙ୍ଗ ପାଟିରେ ଜାକିବାରୁ କାଶ ପ୍ରାୟ କାହାକୁ ଅତିଷ୍ଠ କରି ପାରୁ ନଥାଏ । ନର୍ସ ଡାକ୍ତର ତାଙ୍କ କାମ କରୁଥାନ୍ତି, ମୁଁ ରୋଗୀଙ୍କର ମନୋବଳ ବଢ଼ାଇ ଚାଲିଥାଏ । 


 - ଦେଖ, ମୁଁ କାହାକୁ ହେଲେ ଭେଣ୍ଟିଲେଟର୍ ପର୍ଯ୍ୟନ୍ତ ଯିବାକୁ ଦେବି ନାହିଁ । ସମସ୍ତେ ଠିକ୍ ହେବ । ପରିବାରର ଲୋକେ ବ୍ୟତିବ୍ୟସ୍ତ ହେଉଛନ୍ତି । ଅପେକ୍ଷା କରିଛନ୍ତି । ସେମାନଙ୍କ ସହିତ ମିଶିବ । ବାହାରେ କି ସୁନ୍ଦର ଆକାଶ, କି ସୁନ୍ଦର ପୃଥିବୀ, କି ସୁନ୍ଦର ପବନ, ସବୁ ଉପଭୋଗ କରିବ । ଜିଇବ ତୁମେମାନେ, ଅବଶ୍ୟ ଜିଇବ । 


ମୁଁ ଗୀତ ଗାଉଥିଲି ତାଙ୍କ ପାଇଁ, ଭଜନ 


ପ୍ରଭୁ ପାଦତଳେ, ପ୍ରଣତି ଢାଳେ .....

ତୁମରି ଆଶିଷେ ସୁନ୍ଦର ଧରା, ପ୍ରିୟ ପରିଜନ ବନ୍ଧୁରେ ଭରା ....


କି ସୁନ୍ଦର ଆହା କି ଆନନ୍ଦ ମୟ ଏହି ବିଶାଳ ସଂସାର.......


 ଆଶ୍ଚର୍ଯ୍ୟ, ସେମାନେ ବି ସାଙ୍ଗରେ ଗାଉଥିଲେ, ମୋ ଉପରେ ଆଶୀର୍ବାଦ ବର୍ଷା ହେଉଥିଲା । ହାଲକା ହେଇ ଯାଉଥିଲା ଉଦାସ ଆବୋହବା । 


 ତୃତୀୟ ଦିନ ପ୍ରଥମ ରୋଗୀ ଘରକୁ ଗଲା, ମୋତେ କୋଟି ପରମାୟୁର ଆଶୀର୍ବାଦ ଦେଇ । ଆନନ୍ଦାତିରେକରେ ମୋର ଉତ୍ସାହ ବଢ଼ି ଚାଲିଥିଲା । ମୁଁ ଚାହୁଁଥିଲି ଅନ୍ୟ ଓ୍ଵାର୍ଡମାନଙ୍କରେ ପଜିଟିଭିଟି ପ୍ରସାରିତ କରିବାକୁ । ଯାଉଥିଲି, ହେଲେ, କେଜାଣି କାହିଁକି ଦ୍ଵାର ପାଖରେ ଜଗିଥିବା ବୟ, ବା ନର୍ସ ମୋତେ ଗାଡ଼ରେଇ ଅନଉଥିଲେ ଓ ମୋ ମୁହଁରେ ଧଡ଼।ସ୍ କିନା କବାଟ ବନ୍ଦ କରି ଦେଉଥିଲେ ।


 ସେଦିନ ବି ଆସିଗଲା, ଯେବେ ଶେଷ ରୋଗୀ ସୁସ୍ଥ ହେଇ ବିଦାୟ ନେଲେ ସେ କାଳ କୋଠରୀରୁ । ସେ ହିଁ ମୋ ବେଡର ମାଉସୀ । କରୋନାର ଆକ୍ରାମକ ସ୍ଵଭାବ ଥଣ୍ଡା ପଡି ଆସିଥିଲା ବୋଧହୁଏ ବାହାରେ, ଆଉ ସେ ଓ୍ଵାର୍ଡରେ ନୂଆ ରୋଗୀ ନଥିଲେ । ମୁଁ ନିଶ୍ଚିନ୍ତ ହୋଇ ସେ ମାଉସୀଙ୍କ ସହିତ ବାହାରକୁ ଆସିଲି ବଳେଇ ଦେବାକୁ । ମୋର ଆନନ୍ଦର ଜୁଆରରେ ହଠାତ୍ ଭଟ୍ଟା ପଡ଼ିଗଲା । ବାପା ଓ ଭାଇ ଦୁଃଖରେ ମ୍ରିୟମାଣ ହେଇ ସେଣ୍ଟର ଭିତରକୁ ଧାଇଁ ଥାନ୍ତି । ତେବେ ଆମର କାହାର କଣ ହେଲା କି ? ମାଆ ? ଧସ୍ କିନା ହେଲା କଲିଜା ଭିତରେ, ମୁଁ ଗୋଡ଼ ଉଞ୍ଚେଇ ଦେଖିଲି ମାଆ ତ ଠିଆ ହେଇଛି ବାହାରେ । ଆଖିରେ ଲୁହର ବନ୍ୟା । ତାହେଲେ, ସାନ ଭଉଣୀ ? ସେ କାହିଁ ? ହେ ଭଗବାନ ! ଦୟାକର ।


 ମୁଁ ବାପା ଓ ଭାଇଙ୍କ ପଛେ ପଛେ ଧାଇଁଲି ।


ମୁଁ ସାତଦିନ ଶୋଇ ନଥିଲି । ଘରକୁ ଫୋନ୍ ବି କରିନି କି ଖବର ନେଇନି । ରୋଗୀମାନଙ୍କ ସେବାରେ ସବୁ ଭୁଲି ଯାଇଛି ।


ଏମାନେ କଣ ମର୍ଗ ଆଡେ ଯାଉଛନ୍ତି ? ଭୟରେ ତା ପରେ ଅନିଦ୍ରା ଯୋଗୁଁ ମୋର ଦେହ ଥରୁଥିଲା । ଅକ୍ସିଜେନ୍ ଲେଭେଲ୍ କେଜାଣି ସତୁରୀ ହେଇ ଯାଇଥିବ । ଭଗବାନ୍ ! କିଛି ଖରାପ ନ ଦେଖେ ମୁଁ !


 ମର୍ଗ ଭିତରେ ଗୋଟାଏ କଫିନ୍ ଖୋଲି ଦିଆଗଲା । ମୁଁ ଆଖି ବୁଜି କାଳିଆ ଠାକୁରଙ୍କୁ ଡାକୁଥିଲି । ମୋ ଭଉଣୀ ନଥାଉ ସେଥିରେ ।


 ଆଖି ଖୋଲିଲା ବେଳକୁ ମୋ ପାଦତଳେ ଆଉ ପୃଥିବୀ ନଥିଲା । ଧୀରେ ଧୀରେ ତଳକୁ ଖସୁଥିଲା ଭୁଇଁଟା ନା ମୁଁ ଉପରକୁ ଉଠୁଥିଲି ଜଣା ନାହିଁ ।

  

"'' କଫିନ୍ ଭିତରେ ମୁଁ ଶୋଇଥିଲି "''

ଏବେ ସ୍ଵପ୍ନ ପରି ମନେ ପଡୁଥିଲା । ମୋର ଅବସ୍ଥା ଅତ୍ୟଧିକ ଖରାପ ହେଇ ଯାଇଥିବାରୁ ମୋତେ ଭେଣ୍ଟିଲେଟର୍ ସପୋର୍ଟରେ ରଖିଥିଲେ । ତାହେଲେ,


 ସେ ସାତ ନମ୍ବର ଓ୍ଵାର୍ଡ ରୋଗୀମାନେ ବି ସ୍ଵପ୍ନ ନଥିଲେ ତ ? 


ମୁଁ ପୁଣି ଓଲଟା ଧାଇଁଲି ।


 ଆଃ, ନା ସେଇଟା ସ୍ଵପ୍ନ ନଥିଲା । ମୁଁ ଡିପ୍ କୋମାରେ ଥାଇ ରୋଗୀମାନଙ୍କର ସାହାଯ୍ୟ କରିଥିଲି । କେମିତି, ମୁଁ ବି ଜାଣିନି । ସମସ୍ତେ ଆଶ୍ଚର୍ଯ୍ୟ ହୋଇ କଥାବାର୍ତ୍ତା କରୁଥିଲେ ଯେ ସାତ ନମ୍ବର ଓ୍ଵାର୍ଡରେ ଥିବ ଆଠଟା ଯାକ ସିରିୟସ୍ ପେଶେଣ୍ଟ ଆଶ୍ଚର୍ଯ୍ୟ ଭାବେ ଭଲ ହେଇ ଯାଇଛନ୍ତି । 


 ବର୍ତ୍ତମାନ କିନ୍ତୁ ମୋତେ କାନ୍ଦ ଲାଗୁଥିଲା । ମୁଁ ମୋ ମାଆକୁ କୁଣ୍ଢେଇ କାନ୍ଦିବାକୁ ଚାହୁଁଥିଲି । ମୋର ଡେଡବଡି ଷ୍ଟ୍ରେଚର୍ ଆଣୁଥିବା ବାପା ଓ ଭାଇଙ୍କ ହାତ ଧରି କ୍ଷମା ମାଗିବାକୁ ଚାହୁଁଥିଲି । ସାନ୍ତ୍ୱନା ଦେବାକୁ ଚାହୁଁଥିଲି । 


 ମୁଁ ମାଆ ଆଡ଼କୁ ହାତ ବଢାଉଥିଲି । କିନ୍ତୁ ମୋ ହାତଟା ପବନରେ ମିଳେଇ ଯାଉଥିଲା । ମୋର ସମ୍ପୂର୍ଣ୍ଣ ଅସ୍ତିତ୍ୱ ଧୀରେ ଧୀରେ ମିଳେଇ ଯାଉଥିଲା ପବନରେ । 


ଅଫଶୋଶ


ଆଃ !! ଏ ସୁନ୍ଦର ପୃଥିବୀ,

  ଏ ସୁନ୍ଦର ଆକାଶ,

  ଏ ସୁନ୍ଦର ପବନ 

ସବୁ ଥିଲା, ସବୁ ଅଛି, ସବୁ ରହିବ ।


କେବଳ ମୁଁ ମିଳେଇଯିବି । ଆଃ !!



Rate this content
Log in

Similar oriya story from Horror