Saswat Routroy

Horror

0.4  

Saswat Routroy

Horror

ହୁଙ୍କାର

ହୁଙ୍କାର

15 mins
797


ରାତି ୧୨ଟା। ଚାରିଆଡ଼େ ଉନ୍ମତ୍ତ ଝଡ଼ର ପୈଶାଚିକ ତାଣ୍ଡବ- ମନେ ହେଉଛି ପୃଥିବୀର ବକ୍ଷରେ ମାଡ଼ି ଆସୁଛି ଗୋଟେ ଅମଙ୍ଗଳର ଅପଚ୍ଛାୟା। ରହି ରହି ବିଜୁଳି ଝଲକାନିରେ ଚମକି ଉଠୁଛି ମୁଁ। ବଜ୍ର-ବିଦ୍ୟୁତରେ ମୋର ଡର ନାହିଁ, ମୁଁ ଶିହରିତ ହେଉଛି ମୋ ଅଦୃଷ୍ଟର କଥା ଭାବି। ହାତରେ ସମୟ ବେଶୀ ନାହିଁ, ସେଥିପାଇଁ ଯିବା ଆଗରୁ ସବୁ କିଛି ଖୋଲି କିରି କହି ଯିବି ଆପଣମାନଙ୍କୁ।


ମୁଁ ଆଉ ପଳାଶ, ଆମେ ଥିଲୁ ପ୍ରାଣର ସାଙ୍ଗ, ଯାହାକୁ ଲୋକମାନେ କୁହନ୍ତି ହରିହର ଆତ୍ମା। ଖାଲି ବନ୍ଧୁ କହିଲେ ଭୂଲ ହେବ, ଆମେ ଥିଲୁ ପରସ୍ପରର ପାପର ସାଙ୍ଗ। ଦିଜଣ ଥିଲୁ ଅନାଥ, ଦିଜଣ ହିଁ ଅବିବାହିତ। ଦିଜଣ ଏକା ସ୍କୁଲ ଆଉ କଲେଜରୁ ପାସ କରିଛୁ, ଦିଜଣ ହିଁ ଏକା କଲେଜରେ ଇତିହାସର ଅଧ୍ୟାପକ। ୟା ଛଡ଼ା ଦିଜଣଙ୍କର ଥିଲା ଏକା ପ୍ରକାର ସଉକ ମଧ୍ୟ- ଯାବତୀୟ ଦୁର୍ମୁଲ୍ୟ ଆଉ ଦୁଷ୍ପ୍ରାପ୍ୟ ବସ୍ତୁ ବା କିଉରିଓ ସଂଗ୍ରହ କରିବା। ଅଷ୍ଟଧାତୁରେ ତିଆରି ସୁନ୍ଦର ନାରୀମୂର୍ତ୍ତୀଠୁ ଆରମ୍ଭ କରି ଆମାଜନ୍ ଅଧିବାସୀଙ୍କ ଦ୍ଵାରା ଶିକାର ହୋଇଥିବା ହତଭାଗ୍ୟ ମଣିଷମାନଙ୍କର ଆପେଲ ଆକାରର ଶୁଖିଲା ମମିମୁଣ୍ଡ, କଣ ନ ଥିଲା ଆମର ସେଇ ଅତ୍ୟାଶ୍ଚର୍ଯ୍ୟ, ଅବର୍ଣ୍ଣନୀୟ ଆଉ ଅକଳ୍ପନୀୟ ସଂଗ୍ରହରେ? ଦୁଷ୍ପ୍ରାପ୍ୟ ବସ୍ତୁର ସନ୍ଧାନ ପାଇଁ ପୁରାତନ ସବୁ କିଉରିଓ ଦୋକାନରେ, ନିଲାମ କେନ୍ଦ୍ରରେ, ଚୋରବଜାରର ଅନ୍ଧ ଗଳିରେ ଆମେ ନିୟମିତ ବିଚରଣ କରୁଥିଲୁ। ସୁବିଧା ପାଇଁ ରତିକାନ୍ତ ଆଉ ଶୁଧାକାନ୍ତ ନାଁର ଦୁଇ ଭାଇକୁ ମଧ୍ୟ ହାତରେ ରଖିଥିଲୁ ଆମେ। ଉପଯୁକ୍ତ ପାରିଶ୍ରମିକର ବିନିମୟରେ ସେମାନେ ଆମକୁ ଦୁଷ୍ପ୍ରାପ୍ୟ ବସ୍ତୁର ସନ୍ଧାନ ଆଣି ଦଉଥିଲେ ପ୍ରାୟତଃ।


ଦୁଷ୍ପ୍ରାପ୍ୟ ବସ୍ତୁ ସଂଗ୍ରହ କରିବା ଆମ ପାଖରେ ଥିଲା ମାଦକ ନିଶା ପରି। ସତ୍ ଆଉ ଅସତ୍, ସବୁପ୍ରକାର ଉପାୟରେ ଆମେ ଆମର ଆକାଂକ୍ଷିତ ବସ୍ତୁଟି ହସ୍ତଗତ କରୁଥିଲୁ ନିଶ୍ଚିତ ଭାବରେ- ତା ପାଇଁକି କବର-ଲୁଣ୍ଠନ ପରି ନିନ୍ଦନୀୟ କାମ କରିବାକୁ ମଧ୍ୟ ପଛଘୁଂଚା ଦେଇନୁ ଆମେ। ଯୁଗ ଯୁଗ ଧରି ପୃଥିବୀର ବିଭିନ୍ନ ସମାଜରେ ମୃତଦେହ ଭୂମିରେ ପୋତିବାର ରୀତି ରହି ଆସିଛି ଚିରଦିନ। କିଛି କିଛି କ୍ଷେତ୍ରରେ ମୃତଙ୍କୁ ପୋତିବା ସମୟରେ ତାଙ୍କର ବହୁପ୍ରିୟ ଜିନିଷ ଗୁଡ଼ିକ ମଧ୍ୟ ରଖି ଦିଆ ହୁଏ ଶବାଧାର ଭିତରେ। ପରିତ୍ୟକ୍ତ କବରସ୍ଥାନ, ପ୍ରାଚୀନ ସମାଧିକ୍ଷେତ୍ର, ଅରକ୍ଷିତ ମ୍ୟାସୋଲିଅମ (mausoleum)-ରେ ଆମର ନିୟମିତ ଯାତାୟାତ ଥିଲା। ସେମିତି ସନ୍ଧାନ ପାଇଲେ, କବରର ଢାଙ୍କୁଣୀ ଭାଙ୍ଗି ଆମେ ଆମର ବହୁଆକାଂକ୍ଷିତ ବସ୍ତୁଟି ସଂଗ୍ରହ କରୁଥିଲୁ ରାତି ଅନ୍ଧାରରେ। ସଂଗ୍ରହ? ସଂଗ୍ରହ ନ କହି ଚୋରି କହିବା ବେଶୀ ଶ୍ରେୟ। ଆମେ ଚୋରି କରୁଥିଲୁ ମୃତଙ୍କଠୁ- ଯାହାଙ୍କର କିଛି କରିବାର କ୍ଷମତା ନ ଥିଲା। ଆମର ଗୋପନ ସତ୍ୟ, ଆମର ପାପର ଜ୍ବଳନ୍ତ ନିଦର୍ଶନ ଥିଲା ଗୋଟେ ବ୍ୟକ୍ତିଗତ ସଂଗ୍ରହାଳୟ, ଯାହାର କିଛି ବସ୍ତୁ ଥିଲା ଅଦ୍ଭୁତ, କିଛି ଥିଲା ସୁନ୍ଦର ଆଉ କିଛି ଥିଲା ଅତୀବ ଭୟାଳ-ଭୟଙ୍କର। ସହରର ବାହାରେ ଆମେ କିଣିଥିଲୁ ଗୋଟେ ତ୍ରିତାଲା କୋଠୀ। ତାହାରି ଦ୍ବିତୀୟ-ତାଲାରେ ଦକ୍ଷିଣପଟର ଗୋଟେ ବଖରାକୁ ସଂଗ୍ରହାଳୟ ବନେଇଥିଲୁ।


ଯେଉଁ ଘଟଣାଟି କହିବାକୁ ଯାଉଛି, ତାହାର ସୂତ୍ରପାତ ଦି ମାସ ତଳେ। ଗୋଟେ ରବିବାର ସକାଳଟାରେ ରତିକାନ୍ତ ନୂଆ ଗୋଟେ ଖବର ନେଇକି ଆମ ପାଖକୁ ଆସିଲା। ଓଡ଼ିଶା-ବିହାରର ସୀମାନ୍ତବର୍ତ୍ତି ଗୋଟିଏ ଛୋଟ ସହରତଳି, ନାଁ ନବପୁର। ସେଠାର ରାଜ-ପରିବାରର ଜଣେ ବଂଶଧର ୧୭ ଶତାବ୍ଦୀରେ ଗୃହତ୍ୟାଗ କରି ଇଉରୋପର ଦିଗେ ଯାତ୍ରା କରିଥିଲେ। ବିଭିନ୍ନ ଦେଶ ବୁଲି ଜୀବନର ଅପରାହ୍ନରେ ସିଏ ଦେଶକୁ ଫେରିଲେ- ସାଙ୍ଗରେ ଆଣିଲେ ବହୁ ଦୁଷ୍ପ୍ରାପ୍ୟ ଆଉ ଅଦ୍ଭୁତ ସାମଗ୍ରୀ। ଦେଶକୁ ଫେରିବାର ପ୍ରାୟ ୧୦ ବର୍ଷ ପରେ ଦିନେ ହଠାତ୍ କରି ଗୋଟେ ଅଜ୍ଞାତ କାରଣ ଯୋଗୁ ସିଏ ଦେହତ୍ୟାଗ କଲେ। ତାଙ୍କର ଶେଷ ଇଚ୍ଛାନୁଯାୟୀ ସେଇ ରାଜମହଲର ଉତ୍ତର-ପଶ୍ଚିମର ଗୋଟେ ଘରେ ତାଙ୍କୁ କବର ଦିଆ ଗଲା- ଶବ ସାଙ୍ଗରେ ରଖା ହେଲା ତାଙ୍କର ସବୁଠୁ ପ୍ରିୟ ଦୁର୍ଲଭ ବସ୍ତୁଟି।


ରତିକାନ୍ତର ଖବର ଅନୁଯାୟୀ ବର୍ତ୍ତମାନ ରାଜମହଲଟି ପରିତ୍ୟକ୍ତ। ବର୍ତ୍ତମାନର ବଂଶଧରମାନେ ସମସ୍ତେ ସହରରେ ରୁହନ୍ତି, କିଛିଜଣ ବିଦେଶରେ ରହୁଛନ୍ତି ମଧ୍ୟ। ଖୁବ ସହଜରେ ହିଁ ମାଟିଖୋଳି ଆମେ ସେଇ ଅତ୍ୟାଶ୍ଚର୍ଯ୍ୟ ବସ୍ତୁଟି ହସ୍ତଗତ କରି ପାରିବୁ। ଠିକ କଲୁ ଖୁବ ଶୀଘ୍ର ହିଁ ଆମେ ନବପୁର ଯିବୁ।


ସେ ଥର କେଉଁ ଗୋଟିଏ ଉପଲକ୍ଷ ପାଇଁ କଲେଜ ଦି ଦିନ ଛୁଟି ଥିଲା। ସକାଳ ସକାଳ ଆମେ ଦି ସାଙ୍ଗ ନବପୁର ପାଇଁ ବାହାରିଲୁ। ଯାତ୍ରାର ବିବରଣୀ ଦେବିନି, କାହିଁକି ନା ସେଟା ଅପ୍ରୟୋଜନୀୟ। ଦ୍ଵିପ୍ରହରବେଳକୁ ଦେଢ଼ଟା ଆଡ଼େ ଆମେ ନବପୁର ପହଞ୍ଚିଲୁ। ରେଳ-ଷ୍ଟେସନ୍ ପାଖାପାଖି ଗୋଟେ ହୋଟେଲ ଖୋଜି ସେଠି ଉଠି, କମରାରେ ଜିନିଷପତ୍ର ରଖି, ଡାଇନିଂ ହଲରେ ମଧ୍ୟାହ୍ନ-ଭୋଜନ ସାରି ନେଲୁ ଦି ବନ୍ଧୁ। ଆମର ଅଭିଯାନ ରାତି-ଅନ୍ଧାରରେ ଆରମ୍ଭ ହେବ, ସେଥିପାଇଁ ଆଗଠୁ ସବୁ କିଛି ଭଲ କରି ବୁଝି ନେବା ଦରକାର। ଗୋଟେ ରିକ୍ସା ଭଡ଼ା କରି ଆମେ ରାଜମହଲ ଉଦ୍ଦେଶ୍ୟରେ ବାଟ ଧରିଲୁ।


ରାଜମହଲର ଆଉ ସାମାନ୍ୟ ଟିକେ ଦୂର ଅଛି, ହଠାତ୍ ରିକ୍ସାବାଲା ତା ରିକ୍ସା ଛିଡ଼ା କରାଇ ଦେଲା- କୌଣସି ମତେ ସିଏ ଆଉ ଆଗକୁ ବଢ଼ିବାକୁ ରାଜି ହେଲା ନାହିଁ। ନିରୂପାୟ ହୋଇ ଆମେ ପାଦରେ ଚାଲି ଚାଲି ଗଲୁ ବାକି ବାଟ।


ରାଜମହଲଟିର ଭାରି ଜୀର୍ଣ୍ଣଦଶା। ବିଶାଳ ଅଟ୍ଟାଳିକାଟି ଇଟା-ପଥରର କଙ୍କାଳ ନେଇ ଛିଡ଼ା ହୋଇଛି- କାଂଥରେ ଜାଗାରେ ଜାଗାରେ ବରଗଛ ଆଉ ଅଶ୍ଵତ୍ଥଗଛର ଦୁନିର୍ବାର ରାଜତ୍ବ। କାଂଥ ଦେଇ ଘେରା ବିଶାଳ ବଗିଚାଟି ଅନାବନା ଗଛର ଜଙ୍ଗଲର ସମତୁଲ୍ୟ। ବଗିଚାର ମଝିରେ ଶ୍ବେତପଥରର ନାରୀମୂର୍ତ୍ତୀ ସହ ଗୋଟେ ଫୁଆରା- ତାହାର ଅବସ୍ଥା ମଧ୍ୟ ଭାରି କରୁଣ। ଦେଖି ହିଁ ବୁଝାଯାଉଛି ଏଇ ରାଜମହଲରେ ବିଗତ ଦୁଇ-ଶତକ ଧରି କେହି ରହି ନାହାନ୍ତି।


ରତିକାନ୍ତ ଗୋଟେ ଗୁରୁତ୍ବପୂର୍ଣ କଥା କହିଥିଲା- ଯେଉଁ ବଖରାରେ ସେଇ ରାଜବଂଶଧରଟିକୁ କବର ଦିଆ ହୋଇଥିଲା, ସେଇ ବଖରାର କବାଟରେ ଗୋଟେ ବଡ଼ ଆଉ ଅଦ୍ଭୁତ ତାଲା ମରା ଯାଇଥିଲା ପରବର୍ତ୍ତୀ ସମୟରେ। ଟିକେ ଖୋଜିବା ପରେ ଆମେ ସେମିତି ଗୋଟିଏ ବଖରା ଖୋଜି ପାଇଲୁ। ୟା ଭିତରେ ସୂର୍ଯ୍ୟାଲୋକ କମି ଆସିଛି। ଆମେ ଆଉ ଡେରି ନ କରି ହୋଟେଲକୁ ଫେରି ଆସିଲୁ।


ସାରା ରାତି ଚେଇଁ ମାଟି ଖୋଳିବାକୁ ପଡ଼ିବ- ସେଥିପାଇଁ ଆମେ ଦିଜଣ ହୋଟେଲକୁ ଫେରି ଶୋଇ ପଡ଼ିଲୁ ଭଲ କରି। ରାତି ୯'ଟାରେ ନିଦ ଭାଙ୍ଗିଲା ଆମର। ଶୀଘ୍ର ମୁହଁ ହାତ ଧୋଇ, ଜିନିଷପତ୍ର ସଜାଡ଼ି ଆମେ ତଳକୁ ଓଲ୍ହେଇ ଗଲୁ। ଡାଇନିଂ ହଲରେ ନୈଶ-ଭୋଜନ ସାରି, ଘରଭଡ଼ା ଦେଇ ଚେକ-ଆଉଟ କରି ନେଲୁ ଆମେ। ଏତେ ରାତିରେ ରିକ୍ସା କରି ରାଜମହଲ ଗଲେ କାହାର ସନ୍ଦେହ ହବ, ସେଥିପାଇଁ ଚାଲି ଚାଲି ରାଜମହଲ ଯିବାକୁ ଠିକ କଲୁ।


ରାଜମହଲ ପହଞ୍ଚିବାକୁ ପ୍ରାୟ ଘଣ୍ଟାଟିଏ ଲାଗିଲା। ରାତିର ନିସ୍ତବ୍ଧ ପରିବେଶରେ କେମିତି ଗୋଟେ ଦେହ-ଶିତେଇ ଦେବା ପରି ଭାବ- ମନେ ହବ ଯେମିତି ଭୟାବହ କିଛି ଘଟିବାର ଆଶଙ୍କାରେ ପବନ ପର୍ଯ୍ୟନ୍ତ ଥମକି ଯାଇଛି। ରାତିର ଅନ୍ଧାରରେ ରାଜମହଲଟି ଲାଗୁଥିଲା ଗୋଟେ ରହସ୍ୟମୟ ପ୍ରେତପୁରୀ ପରି। ମନେ ହଉଥିଲା ନିରାଟ ଅନ୍ଧାରରେ ମୂର୍ତ୍ତମୟ ହୋଇ ଉଠିଛି ଗୋଟେ ଅଜଣା ବିଭୀଷିକା। ହଠାତ୍ କର୍କଶ କଣ୍ଠରେ ଗୋଟେ ପେଚା ଚିଲେଇ ଉଠିଲା କେଉଁଠି କେ ଜାଣି। କାହିଁକି କେ ଜାଣି, ଗୋଟେ ଅଜଣା ଆଶଙ୍କାରେ ହୃତ୍ପିଣ୍ଡ ଡେଇଁ ଉଠିଲା ମୋର। ବାରମ୍ବାର ମନ କହୁଥିଲା ଭୟଂକର, ମହା-ଭୟଙ୍କର କିଛି ଘଟିବ ଆମ ଜୀବନରେ। ଚାପା ଗୋଟେ ଆତଙ୍କ ନେଇ ମୁଁ ଆଗେଇ ଗଲି ସେଇ ନିର୍ଦ୍ଦିଷ୍ଟ ବଖରା ଦିଗେ।


ବଖରାଟାରେ ପଶିବାକୁ ଆମର ବେଶୀ ଅସୁବିଧା ହେଇନି। ଶାବଳର ସାମାନ୍ୟ କେତେଟା ଆଘାତରେ ଶତବର୍ଷାଧିକ ପୁରୁଣା ତାଲାଟିଏ ଭାଙ୍ଗି ଗଲା ଭାରି ସହଜରେ। ଅଳ୍ପ ସମୟ ଭିତରେ ହିଁ ଆମେ ପଶିଗଲୁ ସେଇ ବଖରା ଭିତରେ। ମାଟିରେ ଦି ଇଞ୍ଚି ପରି ଧୂଳି, ଘରଭର୍ତି ବୁଢିଆଣିର ଜାଲ ଚାରି ଆଡ଼େ। ଗୋଟେ କଣରେ ବିଶାଳ ଗୋଟେ ପଲଙ୍କ, ୮-୧୦ଜଣ ଏକା ସାଥିରେ ସହଜରେ ଶୋଇ ପାରିବେ ସେଥିରେ। ଓଲଟାପଟର କାଂଥଆଡ଼େ ଗୋଟିଏ କାଠର ଆଲମୀରା, ଯାହାର କାଚ ଆଜି ଆଉ ଅକ୍ଷତ ନାହିଁ। ଗୋଟେ କାଂଥରେ ଦିଟା ତୈଳଚିତ୍ର- ଗୋଟେ ଜଣେ ୬୫-୭୦ ବର୍ଷର ବୃଦ୍ଧଙ୍କର, ଅନ୍ୟଟା ଜଣେ ୧୬-୧୭ ବର୍ଷୀୟ ଯୁବକର। ସବୁଠୁ ବଡ଼ ଆଶ୍ଚର୍ଯ୍ୟର ବିଷୟ, ଘରର ଠିକ ମଝିରେ, ମାଟି ଉପରେ ଗୋଟେ କଳସ। କଳସର ମୁଁହଟି ଗୋଟେ ମଳିନ ଲାଲ କପଡ଼ା ଦେଇ ବନ୍ଧା।


କଳସଟିକୁ ହଟେଇ ଆମେ ପାଳି କରି ମାଟି ଖୋଳିବାକୁ ଲାଗିଲୁ। ପ୍ରାୟ ଘଣ୍ଟାଟିଏ ଖୋଳିବା ପରେ ମଧ୍ୟ କିଛି ନ ପାଇ ମନ ଭିତରଟା କେମିତି ଗୋଟେ ଅନିଶ୍ଚୟତାର ଆଶଙ୍କାରେ ଭରି ଉଠିଲା। ହତାଶ ହୋଇ ଚାଲି ଯିବୁ ଭାବୁଛି, ହଠାତ୍ ଶାବଳର ଆଘାତରେ ଗୋଟେ ଠାଇଁ କରି ଧାତବ ଆବାଜ ହେଲା। ସାଙ୍ଗେ ସାଙ୍ଗେ ନୂଆ ଉଦ୍ୟମସହ ତୀବ୍ର ଗତିରେ ମାଟି ଖୋଳିବାକୁ ଲାଗିଲୁ ଆମେ। ଅଳ୍ପସମୟ ଭିତରେ ଗୋଟେ ଭୂଗର୍ଭସ୍ଥ କୋଠରୀର କବାଟ ଦିଶିଲା ଆମକୁ। ଉତ୍ତେଜିତ ହାତରେ ପଳାଶ ଧୀରେ ଧୀରେ ଖୋଲି ପକେଇଲା ସେଇ ଅଦ୍ଭୁତ କବାଟଟି।


କବାଟର ଠିକ ତଳଠୁ ଧାଡ଼ି ଧାଡ଼ି ସିଡ଼ି ଓଲ୍ହେଇ ଯାଇଛି ଅନ୍ଧାର ଭିତରେ। ସାବଧାନତା ସହିତ, ଧୀରେ ଧୀରେ ଆମେ ଓଲ୍ହେଇ ଗଲୁ ସେଇ ସିଡ଼ି ଦେଇ। ବୈଦ୍ୟୁତିକ ଲଣ୍ଠନର ଆଲୁଅରେ ଆସ୍ତେ ଆସ୍ତେ ଦୃଷ୍ଟିଗୋଚର ହେଲା କୋଠରୀର ଭିତରଟା।


ଯେଉଁଟିକୁ ଆମେ ଭୂଗର୍ଭସ୍ଥ କୋଠରୀ ଭାବୁଥିଲୁ, ସେଇଟା ଗୋଟେ ଭୂଗର୍ଭସ୍ଥ ଗୁମ୍ଫାର ସମତୁଲ୍ୟ। ପଥରର କାଂଥ ଅମସୃଣ ଆଉ ଓଦା ଓଦା। କାଂଥକୁ ଲାଗି ଗୋଲାକାର ସିଡ଼ି ଓଲ୍ହେଇ ଯାଇଛି କେଉଁ ଅଜଣା ପାତାଳପୁରୀରେ। କାଂଥରେ, ଜାଗାରେ ଜାଗାରେ ସମାନ ଦୂରତ୍ବରେ ଖୋଦେଇ ହୋଇଛି ବିଜାତୀୟ ସବୁ ପ୍ରାଣୀର ମୂର୍ତ୍ତୀ। ପ୍ରତିଟି ମୂର୍ତ୍ତୀ ଅପାର୍ଥିବ, ଘୃଣ୍ୟ ଆଉ ଭୟାଲ-ଭୟଙ୍କର- ସେଗୁଡ଼ିକ ଦେଖିଲେ ଚରମ ବିତୃଷ୍ଣା ଛଡ଼ା ମନ ଭିତରେ ଆଉ କିଛିର ଉଦ୍ରେକ ହୁଏ ନାହିଁ।


ଦୀର୍ଘ ସମୟ ପରେ ସିଡ଼ି ଶେଷ ହେଲା। କୋଠରୀର ତଳଟା ପ୍ରଶସ୍ତ ଆଉ ତୁଳନାମୂଳକ ମସୃଣ। ଚାରିଆଡ଼େ ଅନେଇ କବରଟିକୁ ଖୋଜିବାର ଚେଷ୍ଟା କରୁଛି, ହଠାତ୍ ଡାହାଣ ପଟର କାଂଥରେ ଗୋଟେ ସୁଡ଼ଙ୍ଗ ପରି ଦିଶିଲା। କୌତୁହଳି ହୋଇ ଆମେ ସେପଟେ ଅଗ୍ରସର ହେଲୁ। ସୁଡ଼ଙ୍ଗଟିରେ କିଛି ଦୂର ଅଗ୍ରସର ହେବା ପରେ ଆମେ ଗୋଟେ ଛୋଟିଆ ଘର ଆବିଷ୍କାର କଲୁ। ଘରର ଗୋଟେ ପଟେ ଗୋଟେ ଅଦ୍ଭୁତ-ଦର୍ଶନ ବେଦୀ ପରି ଅବସ୍ଥିତ। ଏବେ ପର୍ଯ୍ୟନ୍ତ ଯେଉଁ ଚାପା ଆଶଂକାଟି ମନ ଭିତରେ ଦାନା ବାନ୍ଧି ଥିଲା, ହଠାତ୍ ସେଟା ସହସ୍ରଗୁଣ ବଢ଼ି ଗଲା ପରି ଲାଗିଲା।


ବେଦୀଟିକୁ ଦେଖି ଗୋଟେ ଅଦ୍ଭୁତ କଥା ମୁଣ୍ଡକୁ ଆସିଲା- ଏଇ ବେଦୀଟା ହିଁ ସେଇ କବର ନୁହେଁ ତ ଯେଉଁଟାକୁ ଆମେ ଖୋଜୁଛୁ? ଶାବଳ ଦେଇ ବେଦୀଟା ଉପରେ ଟିକେ ଆଘାତ କଲି- ଶବ୍ଦ ଶୁଣି ମନେ ହେଲା ବେଦୀଟା ଭିତରୁ ଫମ୍ପା। ମନେ ହେଲା ବେଦୀଟିର ଉପର ପଥରଟା ଅସଲରେ କବରଟିର ଢାଙ୍କୁଣୀ। ଅଳ୍ପ ଖୋଜିଲା ପରେ ପଳାଶକୁ ବେଦୀର ଉପର ଆଡ଼େ ସୁକ୍ଷ୍ମ ଗୋଟେ ଫାଙ୍କ ଦିଶିଲା। ଦିଜଣ ମିଶି ପାଳି କରି ସେଇ ଫାଙ୍କ ଉପରେ କ୍ରମାଗତ ଆଘାତ କରିବାକୁ ଲାଗିଲୁ। ଶକ୍ତ ପଥର ସାଙ୍ଗରେ ଲୁହାର ସଂଘର୍ଷ ଯୋଗୁ ଝାଇଁଝାଇଁ ହୋଇ ଗଲା ସେଇ ବଦ୍ଧ ଘରର ନିସ୍ତବ୍ଧ ପରିବେଶ- ମନେ ହେଲା ତୀବ୍ର ଚିତ୍କାର କରି ଉଠିଲା ଅନ୍ଧାର ଜଗତର ସେଇ ସୁପ୍ତ ବାସିନ୍ଦା, ଯାହାର ଚିରନିଦ୍ରାକୁ ଭଙ୍ଗ କରି ଆମେ କରିଥିଲୁ ଗୋଟେ ଅକ୍ଷମ୍ୟ ଅପରାଧ।


କ୍ରମାଗତ ଆଘାତ ଯୋଗୁ ଫାଙ୍କଟା ଆହୁରି ଚଉଡ଼ା ହେଲା। ବେଦୀର ଉପରର ପଥରଟା ସାମାନ୍ୟ ଢିଲା ହେଲେ ଆମେ ଦିଜଣ ମିଶି ଧୀରେ ଧୀରେ ଠେଲି ତାକୁ ଅଳ୍ପ ଟିକେ ହଟେଇ ଦେଲୁ। ଫମ୍ପା ବେଦୀ ଭିତରେ ଆମେ ଦେଖିଲୁ ୩ଶତବର୍ଷଠୁ ମଧ୍ୟ ବେଶୀ ପ୍ରାଚୀନ ଗୋଟେ କଙ୍କାଳ। କାଳର ପ୍ରକୋପ ଉପେକ୍ଷା କରି ଏବେ ପର୍ଯ୍ୟନ୍ତ ଅବିକୃତ ରହିଛି ସେଇ ଶରୀରାସ୍ଥି- ଗୋଟେ ହାଡ଼ ମଧ୍ୟ ନିଜ ଜାଗାରୁ ହଟିନି। ନା, ଟିକେ ଭୁଲ କହିଲି। କାଳର ପ୍ରକୋପ ନ ପଡ଼ିଲେ ମଧ୍ୟ କଙ୍କାଳଟି କିନ୍ତୁ ଅକ୍ଷତ ନୁହେଁ- କିଛି କିଛି ସ୍ଥାନରେ ଆଘାତର ଚିହ୍ନ ସ୍ପଷ୍ଟ, ଠିକ ଯେମିତି ଗୋଟେ ହିଂସ୍ର ପଶୁ କ୍ରୋଧାନ୍ଧ ହୋଇ ଚଳେଇ ଯାଇଛି ଉନ୍ମତ୍ତ ଆକ୍ରମଣ। ଶ୍ବେତଶୁଭ୍ର ଅସ୍ଥି ଉପରେ ଶ୍ବାଦନ୍ତ ଆଉ ନଖର-ର ଦାଗ ସୁସ୍ପଷ୍ଟ।


"ଜିନିଷଟାକୁ ଚିହ୍ନି ପାରୁଛୁ?", ବିସ୍ମିତ କଣ୍ଠରେ ପଳାଶ ପଚାରିଲା।


ଠିକ ଚିହ୍ନି ପାରିଛି। କଙ୍କାଳଟିର ବେକରେ ସବୁଜ ଜେଡ୍ ପଥରରେ ତିଆରି ଗୋଟେ ଅଦ୍ଭୁତ ଲକେଟ। ପଥରଟିକୁ ଖୋଦି ଖୋଦି ଗୋଟେ ଡେଣାଯୁକ୍ତ କୁକୁରଜାତୀୟ ପ୍ରାଣୀର ଆକାର ଦିଆ ଯାଇଛି। ବିକଟ ହାଁ ହୋଇଥିବା ମୁହଁରେ ଧାରୁଆ ଦାନ୍ତର ଧାଡ଼ି, ଯାହାର ଭିତରୁ ବାହାରି ଆସିଛି ରକ୍ତଲୋଲୁପ ଲହ-ଲହ ଜିହ୍ଵା। ଚାରି ପାଦର ଧାରୁଆ ନଖର, ଛୁରୀ ପରି ଉଦ୍ଧତ ଆଉ ଉନ୍ମତ୍ତ। ଦି ଆଖିର କୁଟିଳ ଚାହାଣୀରେ ଅସୀମ ଜିଘାଂସା। ପଥରଟି ଅଜଣା ଧାତୁରେ ତିଆରି ଗୋଟେ ଅଦ୍ଭୁତ ନେକଲେସରେ ଲଗା ହୋଇଛି। କିନ୍ତୁ ଅସଲ କଥାଟି ହେଲା, ଯଦିଓ ଆମେ ଏଇ ଲକେଟକୁ ପୂର୍ବରୁ କେବେ ମଧ୍ୟ ଆଖିରେ ଦେଖିନୁ, ତଥାପି ଆମେ ୟା ସାଥିରେ ଭଲଭାବରେ ପରିଚିତ।


ଦୁଷ୍ପ୍ରାପ୍ୟ ବସ୍ତୁ ସାଥିରେ ଦୁଷ୍ପ୍ରାପ୍ୟ ପୋଥି, ପାଣ୍ଡୁଲିପି, ଇତ୍ୟାଦି ମଧ୍ୟ ସଂଗ୍ରହ କରିବାର ସଉକ ଥିଲା ଆମ ଦି ଜଣଙ୍କର। ବେଶ କିଛି ପୁରୁଣା ପୋଥିରେ ଏହି ଲକେଟର ଉଲ୍ଲେଖ ଅଛି। ସର୍ବପ୍ରଥମ ଯେଉଁ ପୋଥିରେ ଏଇ ଲକେଟର ଉଲ୍ଲେଖ ଥିଲା ତାର ନାଁ ଅଃକ୍ତୁଗ୍ରନ୍ଥମ। ପ୍ରାୟ ତିନିହଜାର ବର୍ଷ ପୁରୁଣା ଏଇ ପୋଥିରୁ ଅଳ୍ପ ଅଳ୍ପ ତଥ୍ୟ ନେଇ ଆହୁରି ବହୁତ ଗୁଡ଼େ ପୋଥି ଲେଖା ହୋଇଥିଲା ପରବର୍ତ୍ତୀ ସମୟରେ। ଯଦିଓ ବିଭିନ୍ନ ଘଟଣାଚକ୍ର ଯୋଗୁ ଆଦି ଅଃକ୍ତୁଗ୍ରନ୍ଥମର ସବୁଗୁଡ଼ିକ ପ୍ରତିଲିପି ପୋଥି ନଷ୍ଟ ହୋଇ ଯାଇଛି, ତଥାପି ବିଦ୍ଵାନମାନଙ୍କ ଧାରଣା ଆଜି ମଧ୍ୟ ଆଦି ଅଃକ୍ତୁଗ୍ରନ୍ଥମର ଗୋଟିଏ ପ୍ରତିଲିପି ଲୋକଚକ୍ଷୁର ଆଢ଼ୁଆଳରେ କେଉଁଠି କେ ଜାଣି ସଂରକ୍ଷିତ ଅଛି। ଆମେ ଆଦି ଅଃକ୍ତୁଗ୍ରନ୍ଥମ କେବେ ମଧ୍ୟ ଦେଖିନୁ କିନ୍ତୁ ଅଃକ୍ତୁଗ୍ରନ୍ଥମରୁ ତଥ୍ୟ ନେଇ ଲେଖା ହୋଇଥିବା ଏମିତି କିଛି ପୋଥି ଆମେ ପଢ଼ିଥିଲୁ। ସେମିତି ଗୋଟିଏ ପୋଥିରେ ଏଇ ଲକେଟର ବିବରଣୀ ଥିଲା। ତିନିହଜାର ବର୍ଷ ପୁରୁଣା ଏମିତି ଗୋଟିଏ ଦୁଷ୍ପ୍ରାପ୍ୟ ବସ୍ତୁ ନବପୁର ପରି ଗୋଟିଏ ଛୋଟ ଅଜ୍ଞାତ ସହରତଳିରେ ପାଇବା ଗୋଟିଏ ଅତ୍ୟାଶ୍ଚର୍ଯ୍ୟ ଘଟଣା।


ଦାରୁଣ ଉତ୍ସାହରେ ପଳାଶ କଙ୍କାଳଟିର ବେକରୁ ସେଇ ଲକେଟଟି ଓଟାରି ପକେଇଲା। ହାୟ, ଆମେ କଣ ଜାଣିଥିଲୁ କେଉଁ ଅଜଣା ମୂର୍ତ୍ତିମାନ ଅମଙ୍ଗଳକୁ ଆହ୍ବାନ ଜଣଉଛୁ ଆମେ? ଲକେଟଟି ଖୋଲିବା ମାତ୍ର ବହୁଦୂରରୁ ଭାସି ଆସିଲା ଗୋଟେ ବଣ୍ୟ ପଶୁର କ୍ରୁଦ୍ଧ ହୁଙ୍କାର- ମନେ ହେଲା ଗଭୀର ରାତିର ନୀରବତାକୁ ଚିରି ଧାଇଁ ଆସିଲା ଗୋଟେ ଅଶୁଭ ସଂକେତ। ଆମେ କୁସଂସ୍କାରାଚ୍ଛନ୍ନ ନୁହେଁ, ତଥାପି ମନେ ହେଲା ଯେମିତି କୋଠରୀ ଭିତରେ ଧୀରେ ଧୀରେ ଘନୀଭୂତ ହୋଇ ଉଠୁଛି ଗୋଟେ ଅଲୌକିକ ଅପଚ୍ଛାୟା। ବଦ୍ଧ କୋଠିରେ ଅପାର୍ଥିବ ସେଇ ହୁଙ୍କାର କମ୍ପେଇ ଦଉଥିଲା ସୁପ୍ତ ହେଉଥିବା ଆମର ଶଙ୍କିତ ଚେତନାକୁ। କୌଣସି ଅଜଣା ବିଭୀଷିକାକୁ ଡରି ଆମେ ଯଥା ଶୀଘ୍ର ବନ୍ଦ କରି ଦେଲୁ ସେଇ କବରଟିକୁ। ବେଶୀ ସମୟ ସେଇ ଅଭିଶପ୍ତ କୋଠରୀରେ ରହିବାକୁ ମନ ସାୟ ଦେଉ ନଥିଲା ଆମର। ତଡ଼ିଘଡ଼ି ସିଡ଼ି ଭାଙ୍ଗି କୋଠରୀରୁ ବାହାରି, ଶକ୍ତ କରି କୋଠରୀର କବାଟଟିକୁ ବନ୍ଦ କରି ଦେଲୁ ଆମେ।


ରାଜମହଲରୁ ଯେଉଁ ସମୟ ଆମେ ବାହାରିଲୁ, ସେଇ ସମୟରେ ରାତିର ଶେଷ ପ୍ରହର ଚାଲୁଥିଲା। ପାଦ ଚଳେଇ ଆମେ ସିଧା ନବପୁର ରେଳ-ଷ୍ଟେସନକୁ ପହଞ୍ଚିଲୁ। ସକାଳ ୭'ଟାର ଫେରନ୍ତି ଟ୍ରେନ ଧରି ସିଧା ଫେରିଲୁ ଘରକୁ।


ଘରକୁ ପହଞ୍ଚି ସର୍ବପ୍ରଥମ ଯେଉଁ କାମଟା କଲୁ ସେଟା ହେଲା ଲକେଟଟିକୁ ଭଲ କରି ସଫା କରିବା। ଲକେଟଟିକୁ ଗୋଟେ କାଚର ଆଧାରରେ ରଖି ନୂଆ ଗୋଟେ ଡାୟାସ ଟେବୁଲ ଉପରେ ରଖିଲୁ। ପ୍ରତିଦିନ ଆମେ ଦି ଜଣ ସଂଗ୍ରହାଳୟର ସବୁ ସାମଗ୍ରୀର ପରିଚର୍ଯ୍ୟା କରୁ। ଅନ୍ୟାନ୍ୟ ବସ୍ତୁଗୁଡ଼ିକ ସାଥିରେ ଲକେଟଟିର ପରିଚର୍ଯ୍ୟା ମଧ୍ୟ ଆରମ୍ଭ ହେଲା। ୟା ମଝିରେ ଦିନେ ରତିକାନ୍ତ ଆସି ବୁଲି ଗଲା। ତା ଯୋଗୁ ଏତେ ଅମୂଲ୍ୟ ଗୋଟେ ଜିନିଷ ପାଇଛୁ, ସେଥିପାଇଁ ତାକୁ ଖୁସି ହୋଇ ମୋଟା ପରିମାଣର ପାରିଶ୍ରମିକ ଦେଲୁ। କାନ ଆଉଁସା ହସ ହସି ରତିକାନ୍ତ ଚାଲି ଗଲା।


ଲକେଟଟି ଆସିବା ପରେ ପଳାଶ ଭିତରେ ଧୀରେ ଧୀରେ ବେଶ କିଛି ପରିବର୍ତନ ଲକ୍ଷ କଲି। ଆଗେ ଯେଉଁ ବ୍ୟକ୍ତି ନିଷ୍ଠା ସହିତ ସଂଗ୍ରହାଳୟର ସବୁ ବସ୍ତୁର ପରିଚର୍ଯ୍ୟା କରୁଥିଲା, ସିଏ ହଠାତ୍ ସବୁ କିଛି ଭୁଲି ଖାଲି ଲକେଟଟିକୁ ନେଇ ବ୍ୟସ୍ତ ରହିବାକୁ ଲାଗିଲା। ପ୍ରାୟତଃ ତାକୁ ଦେଖେ ଲକେଟଟିକୁ ହାତରେ ନେଇ ମୋହାବିଷ୍ଟ ହୋଇ ଅନେଇ ରହିଛି। ଘଣ୍ଟା ଘଣ୍ଟା ଧରି ଲକେଟଟିକୁ ହାତରେ ନେଇ ସମୟ ବିତଉଛି, ନିଜ ମନରେ ଫୀସଫିସ କରି କଣ ସବୁ ଦୁର୍ବୋଧ୍ୟ କଥା କହୁଛି। କେତେ ଥର ଦେଖିଛି ଲକେଟଟିର ସାମନାରେ ଧୂପକାଠି ଜଳେଇ, ଆଂଠୁ ମାଡ଼ି, ମୁଣ୍ଡ ତଳକୁ କରି ବସି ରହିଛି- ହଠାତ୍ ଦେଖିଲେ ମନେ ହେବ ପ୍ରାର୍ଥନା କରୁଛି, ଯଦିଓ ପଚାରିଲେ କୌଣସି ଉତ୍ତର ଦେଇନି କେବେ ମଧ୍ୟ। କଲେଜର ଅଧ୍ୟାପନା ଠିକଠାକ ଚାଲିଲେ ମଧ୍ୟ ଘରେ ଯେତେ ସମୟ ରହୁଥିଲା, ସବୁ ସମୟ ଖାଲି ସଂଗ୍ରହାଳୟରେ ପଶି ଲକେଟଟିକୁ ନେଇ ବ୍ୟସ୍ତ ରହୁଥିଲା। ଗୋଟିଏ ମାତ୍ର ସାଙ୍ଗର ଏମିତି ଆଚରଣ ଦେଖି ଭାରି ଦୁଶ୍ଚିନ୍ତାରେ ପଡ଼ିଲି ମୁଁ।


ପଳାଶକୁ ନେଇ ଦୁଶ୍ଚିନ୍ତା ଯାଇନି, ହଠାତ୍ ଘରେ କିଛି ଅଦ୍ଭୁତ ଘଟଣା ଘଟିବାକୁ ଲାଗିଲା। ଆଗେ ହିଁ କହିଛି ଆମ ଘରଟି ସହରର ବାହାରେ, ନିର୍ଜନ ଅଞ୍ଚଳରେ। ଘରଠୁ ଦଶ ମିନିଟ ଦୂରରେ ଗୋଟିଏ ଛୋଟିଆ ହଲ୍ଟ ଷ୍ଟେସନ। ପାଖାପାଖି ଯେଉଁ କେତେଟା ଘର ବା କୋଠୀ ଅଛି, ସେଗୁଡ଼ିକ ସବୁ ଫାର୍ମ-ହାଉସ। ମାଲିକମାନେ ସହରରେ ରୁହନ୍ତି, ମଝିରେ ମଝିରେ କିଛିଦିନ ପାଇଁ ଆସି ଦିନ ବିତେଇ ଯାନ୍ତି। ବାକି ଯେଉଁ ଦିଟା ଘର ଅଛି, ସେଗୁଡ଼ା ଏଇନେ ମଧ୍ୟ ପୁରା ତିଆରି ହୋଇନି, ସେଥିପାଇଁ ସେଇ ଦିଟା ଘର ମଧ୍ୟ ଖାଲି ପଡ଼ି ରହିଛି।


ସେଦିନଟା ଥିଲା ଶୁକ୍ରବାର। ପାହାନ୍ତା ସମୟରେ ଉଠି ପ୍ରାତଃଭ୍ରମଣରେ ବାହାରିବା ମୋର ବହୁତ ଦିନର ଅଭ୍ୟାସ। ସେଦିନ ପ୍ରାତଃଭ୍ରମଣରୁ ଫେରିବା ସମୟରେ ଗୋଟିଏ ଅଦ୍ଭୁତ ଜିନିଷ ଲକ୍ଷ୍ୟ କଲି। ଦାଣ୍ଡ-କବାଟରେ ମାଟିରୁ ତିନି ଫୁଟ ଉପରେ ତିନିଟା ସମାନ୍ତରାଳ ଆମ୍ପୁଡ଼ିବାର ଦାଗ ପ୍ରକଟ ହୋଇ ରହିଛି। ଯେତେଦୂର ମନେ ପଡ଼ିଲା, ଏମିତି ଦାଗ ଆଗେ କେବେ ମଧ୍ୟ ନଥିଲା। ପଳାଶକୁ ଡାକି ଦେଖାଇବାରୁ ସିଏ ୟାକୁ "କୁକୁର ବିଲେଇର କାଣ୍ଡ" କହି ହସି ଉଡ଼େଇ ଦେଲା। ସାଙ୍ଗ ଯେତେ ବି ଥଟ୍ଟାକରି କଥାଟିକୁ ଉଡ଼େଇ ଦଉ, ମୋର ମନ ଭିତରର ଶଙ୍କିତ ଭାବଟି ଗଲା ନାହିଁ। ଜୀବନରେ "କୁକୁର ବିଲେଇର" ଆମ୍ପୁଡ଼ିବା ଦାଗ ବହୁତ ଦେଖିଛି। ସେଗୁଡ଼ିକ କେବେ ମଧ୍ୟ ଏତେ ବଡ଼ ଆଉ ଗଭୀର ହୁଏନି।


ପରଦିନ ରାତିରେ ବଜାର କରି ଫେରୁ ଫେରୁ ପଳାଶ ବହୁତ ରାତି କରି ପକେଇ ଥିଲା। ଘନ ମେଘରେ ଆକାଶ ଛାଇ ରହିଥିଲା ସଞ୍ଜବେଳଠୁ। ରାତି ବଢ଼ିବା ସାଥିରେ ଦୁର୍ଯୋଗଟି ମଧ୍ୟ ବଢ଼ୁଥିଲା ଧୀରେ ଧୀରେ। ପଳାଶ ଯେଉଁ ସମୟରେ ବସ ଷ୍ଟପେଜରେ ଓଲ୍ହେଇଲା, ପ୍ରବଳ ପବନ ଯୋଗୁ ବାଟ ଚାଲିବା ହିଁ ଦୁଷ୍କର। ଏକରେ ତ ନିର୍ଜନ ବାଟ, ତା ଉପରେ ଦୁର୍ଯୋଗ- ଜନଶୂନ୍ୟ ବାଟ ଦେଇ ଆସୁ ଆସୁ ପଳାଶର କେମିତି ଗୋଟିଏ ଅଦ୍ଭୁତ ଅନୁଭୂତି ହେଲା। ମଝିରେ ମଝିରେ ତାର ମନେ ହେଉଥିଲା, କିଏ ଜଣେ ତାକୁ ଅନୁସରଣ କରୁଛି ଧୀରଗତିରେ। କିନ୍ତୁ ନା, ବାରମ୍ବାର ପଛକୁ ଚାହିଁ ମଧ୍ୟ ଅସ୍ବାଭାବିକ କିଛି ତା ନଜରରେ ପଡ଼ିଲାନି। ଘଟଣାଟିକୁ ମନର ଭ୍ରମ ଭାବି ପଳାଶ ଧୀରେ ଧୀରେ ଘର ଆଡ଼କୁ ବଢ଼ିଲା। ଯେତେବେଳେ ସିଏ ଘରକୁ ପଶିଲା, ପୁରା ଓଦା ହୋଇ ସାରିଛି ବର୍ଷାରେ। ଏତେ ରାତିରେ ଓଦା ହୋଇ ତାର ଦେହ ଅସୁସ୍ଥ ପରି ଲାଗୁଥିଲା, ସେଥିପାଇଁ କିଛି ନ ଖାଇ ପଳାଶ ଶୋଇବାକୁ ଚାଲି ଗଲା ଶୀଘ୍ର। ମୁଁ ମଧ୍ୟ ଶୀଘ୍ର ଖାଇବା ସାରି ଖଟକୁ ଉଠି ଗଲି। ରାତିଟା ନିର୍ବିଘ୍ନରେ କଟିଲା ସତ୍ତ୍ୱେ ପରଦିନ ପୁଣି କବାଟ ଉପରେ ସେମିତି ତିନିଟା ଗଭୀର ଆମ୍ପୁଡ଼ିବା ଦାଗ ଦେଖା ଗଲା। ଏଥର କିନ୍ତୁ ପଳାଶ ଘଟଣାଟିକୁ "କୁକୁର ବିଲେଇର କାଣ୍ଡ" କହି ହସି ଉଡ଼େଇ ଦେଇ ପାରିଲାନି।


ୟା ପରେ ମଝିରେ ମଝିରେ ହିଁ ଏମିତି ସବୁ ଅଦ୍ଭୁତ କାଣ୍ଡ ଘଟିବାକୁ ଲାଗିଲା ଯେଉଁଗୁଡ଼ିକୁ ବ୍ୟାଖ୍ୟା କରିବାକୁ ମୋର ବୋଧବୁଦ୍ଧି ଅକ୍ଷମ। ପ୍ରତି ରାତିରେ ମନେ ହୁଏ କିଏ ଜଣେ ଆମ ଦାଣ୍ଡ-କବାଟ ପର୍ଯ୍ୟନ୍ତ ଚାଲି ଚାଲି ଆସେ। ନିଝୁମ ରାତିର ନିର୍ଜନ ପରିବେଶରେ ମଝିରେ ମଝିରେ ଘର ଚାରିଆଡ଼େ ଅଦୃଶ୍ୟ କାହାର ପାଦର ଶବ୍ଦ ଶୁଭାଯାଏ, ଯଦିଓ କବାଟ ଖୋଲିଲେ କାହାକୁ ମଧ୍ୟ ଦେଖା ଯାଏ ନି। ଆଗେ ଯେଉଁ ଆମ୍ପୁଡ଼ିବା ଦାଗ ଦାଣ୍ଡ-କବାଟରେ ପ୍ରକଟ ହେଉଥିଲା, ସେମିତି ଦାଗ ଦୋତାଲାର ଝରକା ରେ ମଧ୍ୟ ପ୍ରକଟ ହେବାକୁ ଲାଗିଲା। ପ୍ରାୟତଃ ହିଁ ମନେ ହୁଏ ଅଶୁଭ କାହାର ଅଭିଶପ୍ତ ଅସ୍ତିତ୍ବ ଦୂଷିତ କରୁ ଦେଉଛି ନିଝୁମ ରାତିର ନିସ୍ତବ୍ଧ ପରିବେଶକୁ। ମନେ ହୁଏ କେଉଁ ଅଜଣା ବିଷବାଷ୍ପ ଧୀରେ ଧୀରେ କୁହୁଡ଼ି ପରି ମାଡ଼ି ବସୁଛି ଘର ଚାରିଆଡ଼େ।


୧୫ ସେପ୍ଟେମ୍ବରର ରାତିରେ ପ୍ରଥମଥର ପାଇଁ ସେଇ ଆତଙ୍କକୁ ବହୁତ ପାଖରୁ ଅନୁଭବ କଲି। ମୋର ଶୋଇବା ଘରଟି ଅଳିନ୍ଦର ଶେଷ ପ୍ରାନ୍ତରେ। ରାତିର ଖାଇବା ସାରି ଖଟକୁ ଯାଉଛି, ହଠାତ୍ ଆସ୍ତେ କରି କବାଟ ବାଡ଼େଇବା ପରି ମୃଦୁ ଗୋଟେ ଶବ୍ଦ ହେଲା। ବୋଧେ ପଳାଶର କିଛି ଦରକାର ପଡ଼ିଛି, ଏଇୟା ଭାବି ମୁ କବାଟ ଖୋଲିଲି। କିନ୍ତୁ ନା, କବାଟରେ କେହି ନଥିଲେ। ଛାଇ-ଆଲୁଅ ଅନ୍ଧାରରେ ଅଳିନ୍ଦଟି ଥମଥମ୍ କରୁଥିଲା ରହି ରହି- ଲାଗୁଥିଲା କେଉଁ ଅଜଣା ଜଗତର ରହସ୍ୟମୟ ଗୋଟିଏ ଖଣ୍ଡ ଭାସି ଆସିଛି ପୃଥିବୀକୁ। କବାଟ ବାଡ଼େଇବା ଶବ୍ଦଟିକୁ ମନର ଭ୍ରମ ଭାବି କବାଟ ବନ୍ଦ କରିବାକୁ ଯାଉଛି, ହଠାତ୍ କାନର ବହୁତ ପାଖରେ ଚାପାକଣ୍ଠରେ ଖଳଖଳ କରି କେହି ହସି ଉଠିଲା। ମୁହୂର୍ତ୍ତ ପାଇଁ ଦାରୁଣ ଆତଙ୍କରେ ରକ୍ତ ଥଣ୍ଡା ପଡ଼ିଗଲା ମୋର- ମନେ ହେଲା ମୁଁହକୁ ଡିଆଁ ମାରି ଚାଲି ଆସିଲା ମୋର ହୃତ୍ପିଣ୍ଡଟି। ନିମିଶେ କବାଟ ବନ୍ଦ କରି ଖଟକୁ ଉଠି ମୁଁ କମ୍ବଳ ଘୋଡ଼େଇ ଶୋଇ ପଡ଼ିଲି। ସାରା ରାତି ଭଲ କରି ନିଦ ହେଲାନି- ଦୁଃସ୍ବପ୍ନ ଆଉ ଅଧା-ନିଦ ଅଧା-ଆଚ୍ଛନ୍ନତାରେ ମନେ ହେଉଥିଲା ଯେମିତି ବହୁ ଦୂରରୁ ଭାସି ଆସୁଛି କୌଣସି ବଣ୍ୟ ହିଂସ୍ର ପଶୁର କ୍ରୁଦ୍ଧ ହୁଙ୍କାର। ଭୀଷଣ ଆତଙ୍କରେ ରାତିଟା କେମିତି ଭାବରେ କଟି ଗଲା। ପଳାଶକୁ କହିଲେ ସିଏ ଆହୁରି ଡରି ଯାଇଥାନ୍ତା, ସେଥିପାଇଁ କଥାଟିକୁ ଚାପି ଦେଲି ପୁରାପୁରି।


ଏଇ ଘଟଣାର ମାତ୍ର ଗୋଟିଏ ସପ୍ତାହ ପରେ ହିଁ ଆସିଲା ସେଇ ମହାଭୟଙ୍କର ରାତି। ସେଦିନ ମୁଁ କଲେଜରୁ ଶୀଘ୍ର ଫେରି ଆସିଥିଲି। ପଳାଶ ଆଗରୁ ଜଣେଇ ଦେଇଥିଲା ସିଏ ଗୋଟିଏ ବିଶେଷ କାମ ଯୋଗୁ ଡେରି କରି ଘରକୁ ଫେରିବ। ବୋଧେ ରାତି ୧୧'ଟା ବାଜି ଥିବ। ମୁଁ ସେଇ ସମୟରେ ବୈଠକଘରେ ବସି ବହି ପଢ଼ୁଛି, ହଠାତ୍ ରାତିର ନିସ୍ତବ୍ଧତାକୁ ଚିରି ଷ୍ଟେସନ ଆଡ଼ୁ ଭାସି ଆସିଲା ଗୋଟେ ମର୍ମାନ୍ତିକ ଆର୍ତ୍ତନାଦ। ଚିତ୍କାର ଶୁଣିବା ମାତ୍ରେ ଅଶୁଭ ଏକ ଆଶଙ୍କାରେ ମନ କମ୍ପି ଉଠିଲା ମୋର। ଘରୁ ବାହାରି ସେଇ ଆର୍ତ୍ତଚିତ୍କାର ଲକ୍ଷ କରି ଦୌଡ଼ି ଗଲି ଦ୍ରୁତଗତିରେ। କିଛିଟା ଦୂରକୁ ଯାଇ ଯେଉଁ ଦୃଶ୍ୟଟି ମୋର ଆଖିରେ ପଡ଼ିଲା, ତାହାକୁ ଦେଖି ଦାରୁଣ ଆତଙ୍କରେ ଥରି ଗଲି ମୁଁ। ପଡ଼ିଆ ମଝିରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ଥିଲା ମୋର ସାଙ୍ଗ। ଛାତିରେ, ପିଠିରେ, ପେଟ ଆଉ ବେକରେ ଅଜସ୍ର ତାଜା କ୍ଷତଚିହ୍ନ- ଉଷ୍ଣ ରକ୍ତରେ ସିକ୍ତ ହୋଇ ଉଠୁଥିଲା ଶୁଷ୍କ ଭୂମି।


"ଲ.... ଲକେ..ଟ! ସେଇ ଅ..ଅଭିଶପ୍ତ... ଲ..କେଟ!"... ମଝି ବାଟରେ ହିଁ ବନ୍ଦ ହୋଇ ଗଲା ମୋର ସାଙ୍ଗର କଥା। ଚିରଦିନ ପାଇଁ ମୁଁ ହରେଇ ପକେଇଲି ତାକୁ।


ପରଦିନ ହିଁ ପଳାଶର ଶେଷକୃତ୍ୟ ସାରିଲି! ନିର୍ଜନ ପରିବେଶରେ ଏକୁଟିଆ ସେଇ ବିରାଟ କୋଠିରେ ରହିବାକୁ ସାହସ ହେଉ ନଥିଲା ମୋର। ଘରକୁ ଭଲ କରି ତାଲା ମାରି, ଦରକାରୀ ଜିନିଷପତ୍ର ସଜାଡ଼ି ନେଇ ସହର ଭିତରେ ଗୋଟିଏ ବସା ଖୋଜି ସେଠିକି ଉଠି ଗଲି। ସଂଗ୍ରହାଳୟର ସବୁ ସାମଗ୍ରୀ ପଡ଼ି ରହିଲା ସେଇ ଅଭିଶପ୍ତ କୋଠୀରେ। ସାଙ୍ଗରେ ନେଲି ଖାଲି ସେଇ ଅତ୍ୟାଶ୍ଚର୍ଯ୍ୟ ଲକେଟଟି।


ଭାବିଥିଲି ମୁଁ ସହର ଭିତରେ, ଲୋକମାନଙ୍କ ଭିଡ଼ରେ ସୁରକ୍ଷିତ ରହିବି। କିନ୍ତୁ ନା, ଶୀଘ୍ର ହିଁ ମୋର ସେଇ ଭ୍ରମ ଭାଙ୍ଗି ଗଲା। ସେଦିନ ହୋଟେଲରୁ ରାତିର ଖାଇବା ସାରି ବସାକୁ ଫେରୁଛି, ହଠାତ୍ ମନେ ହେଲା କେହି ଜଣେ ମତେ ଅନୁସରଣ କରୁଛି। ସଠିକ ବ୍ୟାଖ୍ୟା କରି ପାରିବିନି, କିନ୍ତୁ ମନେ ହେଉଥିଲା ଗୋଟେ ଯୋଡ଼ି ବୁଭୁକ୍ଷୁ ଆଖି ମୋ ଉପରେ ନିବଦ୍ଧ ରହିଛି ଦୀର୍ଘ ସମୟ ଧରି। ତଡ଼ିତଗତିରେ ପଛକୁ ଫେରି ଦେଖିବାକୁ ଚାହିଁଲି- କ୍ଷଣିକ ପାଇଁ ମନେ ହେଲା ଯେମିତି ସାଇଁ କରି ଗୋଟେ ଛାୟା ଅଦୃଶ୍ୟ ହୋଇ ଗଲା ବରଗଛ ପଛପଟେ। ଆଉ ଦିନେ ସହରର ମଝିରେ ଥିବା ହ୍ରଦ ପାଖରେ ପବନ ଖାଉଛି, ହଠାତ୍ ହ୍ରଦରୁ ବୋହୁଥିବା ପବନ ସାଥିରେ ଭାସି ଆସିଲା ଗୋଟେ କ୍ରୁଦ୍ଧ ବଣ୍ୟ ଜନ୍ତୁର ଚିହ୍ନା-ପରିଚିତ ଅପାର୍ଥିବ ଅଶୁଭ ହୁଙ୍କାର। ବେଶ ବୁଝି ପାରୁଥିଲି, ଏଇ ଅଶୁଭ ଶକ୍ତିର ହାତରୁ ମୋର ନିସ୍ତାର ନାହିଁ। ମୋର ନିୟତି ମଧ୍ୟ ମୋର ହତଭାଗ୍ୟ ସାଙ୍ଗ ପରି ହେବ- କିମ୍ବା ତାଠୁ ମଧ୍ୟ ଭୟଙ୍କର କୌଣସି ପରିଣତି ମୋ ଅଦୃଷ୍ଟରେ ଲେଖା ହୋଇଛି।


ବୁଡ଼ୁଥିବା ବ୍ୟକ୍ତି ଯେମିତି ବଞ୍ଚିବା ଆଶାରେ କୁଟାଖଣ୍ଡକୁ ପର୍ଯନ୍ତ ଆଙ୍କୁଡ଼ି ଧରେ, ମୋର ଅବସ୍ଥା ମଧ୍ୟ ଏଇନେ ସେଇପ୍ରକାର। ମନ ଭିତରେ ଗୋଟେ କ୍ଷୀଣ ଆଶା ଥିଲା- ଯଦି ମୁଁ ଲକେଟଟିକୁ ଫେରେଇ ଦିଏ, ତାହେଲେ ହୁଏତ ଏଇ ଜୀବନ୍ତ ଦୁଃସ୍ବପ୍ନରୁ ନିସ୍ତାର ପାଇ ପାରେ। ଏଇୟା ଭାବି ଲକେଟଟିକୁ ସାଙ୍ଗରେ ନେଇ ମୁଁ ନବପୁର ପାଇଁ ଗାଡ଼ି ଧରିଲି।


ନବପୁର ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା ହୋଇ ଗଲା। ରାତି ଅନ୍ଧାରେ ରାଜମହଲକୁ ଯାଇ, ସେଇ ଅଭିଶପ୍ତ କୋଠରୀରେ ଓଲ୍ହେଇବାକୁ ମୋର ସାହସ ହେଲା ନି। ଆଗ ଥର ଯେଉଁ ହୋଟେଲରେ ରହିଥିଲୁ, ସେଇଠି ହିଁ ରାତି ପାଇଁ ଘର ନେଲି। ରାତି ୯'ଟାରେ ପାଖାପାଖି ଗୋଟେ ଖାଇବା ହୋଟେଲରେ ନୈଶ-ଆହାର ସାରି ନେଲି। ହୋଟେଲ-ରୁମକୁ ଫେରି କପଡ଼ା ଛାଡ଼ୁ ଛାଡ଼ୁ ଉପଲବ୍ଧି କଲି ମୋର କଣ ସର୍ବନାଶ ହୋଇ ଯାଇଛି। ଗୋଟିଏ କପଡ଼ାରେ ଜଡ଼େଇ ଲକେଟଟିକୁ ପ୍ୟାଣ୍ଟ-ପକେଟରେ ରଖିଥିଲି। ଏଇନେ ସେଇଟା ଉଭାନ। ହେଇ ପାରେ କେଉଁଠି ପଡ଼ି ଯାଇଛି ବା କେହି ପକେଟମାର କରିଛି। ଯେତେଦୂର ମନେ ପଡ଼ିଲା, ଖାଇବା ହୋଟେଲରେ ପଶିବା ପର୍ଯ୍ୟନ୍ତ ଲକେଟଟି ପକେଟରେ ଥିଲା।


ଲକେଟଟି ହଜେଇ ମୋର ବଞ୍ଚିବାର ଶେଷ ଆଶା ମଧ୍ୟ ଚାଲି ଗଲା। ପ୍ରଚଣ୍ଡ ମାନସିକ ଯନ୍ତ୍ରଣା ନେଇ ସେଇ ରାତିରେ ମୁଁ ଶୋଇବାକୁ ଗଲି।


ନିଦ କିନ୍ତୁ ହେଲା ଭାରି ଚମତ୍କାର। ଦୀର୍ଘଦିନ ପରେ ଦୁଃସ୍ବପ୍ନହୀନ ଗୋଟେ ନିଦରେ ପୁରା ରାତିଟା କଟି ଗଲା। ସକାଳ ୮'ଟାରେ ହୋଟେଲବୟ ରଞ୍ଜନ ଚା ନେଇକି ଆସିଲା। ଟୋକାଟି ଭାରି ମିଶାଣିଆ, କଥା କହିବାର ଲୋକ ପାଇଲେ ଭାରି ଖୁସି। ଚା ପିଉ ପିଉ ତାଠୁ ହିଁ ଖବରଟା ପାଇଲି।


"ଜାଣିଛନ୍ତି ସାର, ସକାଳଠାରୁ ପୁରା ନବପୁର ହୁଲସ୍ତୁଲ୍!"


"କାହିଁକି ରଞ୍ଜନ, କଣ କିଛି ହେଇଛି କି?


"ଆଉ ସାର କୁହନ୍ତୁ ନାହିଁ। ସୌରଭ ଭାଇନାଙ୍କଠୁ ହିଁ ଖବରଟା ପାଇଲି। ସୌରଭ ଭାଇନା ମାନେ ଆମ ରୋଷେଇଆ ସୌରଭ ଗାଙ୍ଗୁଲି। ସିଏ ତ ପଣ୍ଡାବଜାର ଆଡ଼େ ଘର ଭଡ଼ା ନେଇ ରୁହନ୍ତି। ସିଏ ହିଁ କହିଲେ। ତାଙ୍କ ବସା ପାଖରେ ଗୋଟେ ବିଭତ୍ସ ହତ୍ୟାକାଣ୍ଡ ହୋଇଛି!"


"ହତ୍ୟାକାଣ୍ଡ?" ମୁଁ ଚମକି ଉଠିଲି।


"ହଁ ସାର, ସୌରଭ ଭାଇନା କହୁଥିଲେ, ଲୋକଟା ଚୋର ବୋଲି। ତିନିଥର ଜେଲ ମଧ୍ୟ ଯାଇ ସାରିଛି ଚୋରି ପାଇଁ। କାଲି ରାତିରେ ତାକୁ ଆଉ ତା ଭାଇକୁ କିଏ କେ ଜାଣି ନୃଶଂସ ଭାବରେ ହତ୍ୟା କରିଛି। ଟିକେ ଆଗରୁ ପୁଲିସ ଆସି ଛିନ୍ନଭିନ୍ନ ଶବଦିଟା ନେଇ ଗଲେ। ପୁରା ନବପୁର ଏଇ ଯୋଡ଼ା ହତ୍ୟାକାଣ୍ଡ ଯୋଗୁ ତଟସ୍ଥ!"


ବୁଝିବାକୁ ବାକି ରହିଲାନି କାହିଁକି ଦିଜଣ ସାମାନ୍ୟ ଚୋରଙ୍କୁ କେହି ଏମିତି ପ୍ରକାର ହତ୍ୟା କରିବ। ମନ ଭିତରେ ଗୋଟେ କୌତୁହଳ ଉଙ୍କି ମାରୁଥିଲା। ରଞ୍ଜନ କପ-ପ୍ଲେଟ ନେଇ ଚାଲି ଯିବା ପରେ ଶୀଘ୍ର ମୁହଁ ହାତ ଧୋଇ ବାହାରି ପଡ଼ିଲି। ଅଧଘଣ୍ଟା ଭିତରେ ସେଇଠି ପହଞ୍ଚିଲି ଯେଉଁଠୁ ଏଇ ଦୁଃସ୍ବପ୍ନ ଆରମ୍ଭ ହୋଇଥିଲା। ରାଜମହଲର ସେଇ ଘରଟିରେ ପଶି ଯାହା ଦେଖିଲି, ମନ ଭିତରର ସନ୍ଦେହଟା ଆହୁରି ବଢ଼ି ଗଲା। ଯେଉଁ ଭୂଗର୍ଭସ୍ଥ କୋଠରୀ ଆମେ କବାଟବନ୍ଦ କରି ଦେଇଥିଲୁ, ସେଇଟା ଆଜି ଖୋଲା। ଧୀରେ ଧୀରେ କୋଠରୀକୁ ଓଲ୍ହେଇ ସେଇ ଛୋଟ ଘରଟିରେ ପଶିଲି। ରହସ୍ୟ ଉନ୍ମୋଚନ ହେଲା ଟିକେ ପରେ ହିଁ।


କବରଟିର ଢାଙ୍କୁଣୀ ହଟିଆ ହୋଇଛି। ଭିତରେ ଶୋଇ ରହିଛି ସେଇ ଶତାଧିକ ବର୍ଷର ପ୍ରାଚୀନ କଙ୍କାଳ, ଯାହାର ମୁଁହରେ ଲାଗି ରହିଛି ଗୋଟେ ବ୍ୟଙ୍ଗାତ୍ମକ ହସ।


ଯେଉଁ କଙ୍କାଳଟିକୁ ଗତଥର ଶ୍ବେତଶୁଭ୍ର ଦେଖିଥିଲୁ, ଏଇନେ ତାହାର ଉପରେ ଲାଗି ରହିଛି କେଉଁ ହତଭାଗ୍ୟ ପ୍ରାଣୀର ଜମାଟ ବନ୍ଧା ଶୁଖିଲା କଳା ରକ୍ତ। ଜାଗାରେ ଜାଗାରେ ଲାଗି ରହିଛି ଛିନ୍ନଭିନ୍ନ ମାଂସପିଣ୍ଡର ଅଂଶ। କଙ୍କାଳଟିର ହାତରେ ଆଙ୍କୁଡ଼ି ଧରା ହୋଇଛି ସେଇ ଅତ୍ୟାଶ୍ଚର୍ଯ୍ୟ ଲକେଟଟି- ଠିକ ଯେମିତି ଜଣେ ମାଁ ତା ସନ୍ତାନକୁ ପରମ ସ୍ନେହରେ ଆଙ୍କୁଡ଼ି ଧରେ। ହଠାତ୍ ଘରଟି ସେଇ ଅଭିଶପ୍ତ ଅଶୁଭ ହୁଙ୍କାରରେ କମ୍ପି ଉଠିଲା ଥରଥର କରି, ଆଉ ଏଇ ପ୍ରଥମଥର ପାଇଁ ମୁଁ ସ୍ପଷ୍ଟ ଦେଖିଲି ସେଇ ହୁଙ୍କାରର ଉତ୍ସ। ହୁଂକାରଟି ଆସୁଛି ଶତାଧିକ ବର୍ଷର ପୁରୁଣା ସେଇ କଙ୍କାଳଟିର ମୁହଁରୁ। କ୍ଷଣିକ ପରେ ସେଇ ହୁଙ୍କାର ଥମି ବାହାରି ଆସିଲା ଗୋଟେ ପୈଶାଚିକ ଖଳଖଳ୍ ଅଟ୍ଟହାସ୍ୟ- ହାଃ ହାଃ ହା ହା ହାଃ.... ହାଃ ହା ହା...!


କେମିତି ସେଇ ଅଭିଶପ୍ତ କୋଠରୀରୁ ପଳେଇ ଆସିଲି, ମୋର ମନେ ନାହିଁ। ନବପୁରରୁ ଫେରି ଆଜି ଗୋଟେ ସପ୍ତାହ ହୋଇ ଯାଇଛି। ତିନିଦିନ ତଳେ ରତିକାନ୍ତର ଭୟଙ୍କର ହତ୍ୟାକାଣ୍ଡର ଖବର ପାଇଲି। ଲକେଟଟି ତା ମାଲିକ ପାଖରେ ପହଞ୍ଚି ଯିବା ପରେ ମଧ୍ୟ ଏଇ ଅଭିଶାପ ଯାଇନି। ଏଇନେ ମଧ୍ୟ ସେଇ ହୁଙ୍କାର ଶୁଭା ଯାଏ ମତେ, ଦେଖି ପାରେ ସେଇ ମହାଅମଙ୍ଗଳମୟ ଅପଚ୍ଛାୟାକୁ। ନିଜ ବସାରେ ବସି ଏଇ ଦୁର୍ଯୋଗପୂର୍ଣ୍ଣ ରାତିରେ ଯେଉଁ ସମୟ ମୁଁ ଆପଣମାନଙ୍କୁଙ୍କ ମୋର ଜୀବନର ଏଇ ଅଭିଶାପର କଥା ଜଣଉଛି, ଏଇନେ ମଧ୍ୟ କେଉଁ ଅଜଣା ନର୍କରୁ ଶୁଭା ଯାଉଛି ସେଇ ଚିର-ପରିଚିତ କ୍ରୁଦ୍ଧ ହୁଙ୍କାର। ଏଇ ଅଭିଶାପରୁ ମୁକ୍ତି ନାହିଁ, ମୃତ୍ୟୁ ହିଁ ମୋର ଏକମାତ୍ର ଆଶ୍ରୟ। ଅଜଣା ଗୋଟିଏ ଭୟଙ୍କର ପରିଣତିଠୁ ମୁକ୍ତି ପାଇବାର ଏକମାତ୍ର ଉପାୟ ହେଉଛି ସ୍ଵେଚ୍ଛାମୃତ୍ୟୁ।


ଇତି,

ଜଣେ ହତଭାଗ୍ୟ


Rate this content
Log in

Similar oriya story from Horror