Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

Saswat Routroy

Horror


5.0  

Saswat Routroy

Horror


ପିଜ୍ଜା

ପିଜ୍ଜା

7 mins 692 7 mins 692

ପକେଟରୁ କାଗଜ ବାହାର କରି ଆଉ ଥରେ ପଢ଼ି ନେଲା ବିପୁଲ। ଭିତରେ ପଶିବା ପୂର୍ବରୁ ଠିକଣାଟା ସୁନିଶ୍ଚିତ କରିବା ଦରକାର। ତ୍ରିତଲ କୋଠାଟି ଘେରି ବିଶାଳ ପ୍ରାଚୀର- ମାର୍ବଲ ଫଳକ ଉପରେ ଲେଖା ଅଛି- "ସନ୍ଧ୍ୟାନିଡ଼ ଭିଲ୍ଲା"।


ବିପୁଲ "କଳିଙ୍ଗ ପିଜ୍ଜା" ନାଁ'ରେ ପ୍ରସିଦ୍ଧ ଗୋଟେ ସ୍ଥାନୀୟ ପିଜ୍ଜା ପ୍ରତିଷ୍ଠାନର ଦରମାପ୍ରାପ୍ତ ପିଜ୍ଜା ଡେଲିଭରି ବୟ। ତିନି ବର୍ଷ ତଳେ ଏଇ ସ୍ଥାନୀୟ ପିଜ୍ଜା ପ୍ରତିଷ୍ଠାନଟି ଆରମ୍ଭ ହୋଇ ଥିଲା। ନୂଆ ନୂଆ ପିଜ୍ଜା ଆଇଟମ ଆଉ ଲୋଭନୀୟ ସବୁ ଅଫର ଯୋଗୁ ଏଇ ତିନି ବର୍ଷରେ "କଳିଙ୍ଗ ପିଜ୍ଜା" କଟକ-ଭୁବନେଶ୍ବର-ପୁରୀ ଅଞ୍ଚଳର ସବୁଠୁ ପ୍ରସିଦ୍ଧ ପିଜ୍ଜା ପ୍ରତିଷ୍ଠାନ ହିସାବରେ ନିଜକୁ ପ୍ରମାଣିତ କରି ସାରିଛି। ମ୍ୟାକଡୋନାଲ୍ଡ, ଡୋମିନୋଜ, ଇତ୍ୟାଦି ବିଦେଶୀ ପିଜ୍ଜା ପ୍ରତିଷ୍ଠାନ ସାଥିରେ ତାଳ ଦେଇ ତାଙ୍କୁ ବହୁ ପଛରେ ଛାଡ଼ି ଆସିଛି କଳିଙ୍ଗ ପିଜ୍ଜା। ପ୍ରବଳ ଚାହିଦା ଯୋଗୁ କଳିଙ୍ଗ ପିଜ୍ଜାର ଡେଲିଭରି ବୟମାନେ ସଦା ସର୍ବଦା ବ୍ୟସ୍ତ। ଅବଶ୍ୟ ସେଥି ପାଇଁ ସେମାନେ ଅନ୍ୟାନ୍ୟ ପ୍ରତିଷ୍ଠାନର ଡେଲିଭରି ବୟଙ୍କଠୁ ଅଢ଼େଇ ଗୁଣ ଅଧିକା ଦରମା ପାନ୍ତି।


"ଗୁଲମୋହର ନଗର" ଅଞ୍ଚଳକୁ ବିପୁଲ ଆଜି ଦ୍ଵିତୀୟ ଥର ଆସିଛି ଡେଲିଭରି ପାଇଁ। ଚାରି ବର୍ଷ ହେଲା ମୁଖ୍ୟ-ସହରର ଟିକେ ବାହାରେ, ଉତ୍ତର ଆଡ଼େ ଏଇ ନୂଆ ସେକ୍ଟରଟି ଆରମ୍ଭ ହୋଇଛି। ଏଇନେ ମଧ୍ୟ ବେଶୀ କୋଠାବାଡ଼ି ତିଆରି ହୋଇନାହିଁ। ପ୍ରଧାନ କାରଣ ଏଠି ଜମି ଦାମ ଗଗନଚୁମ୍ବି। ସତ କହିଲେ, ଏଇ ଜାଗାଟା ତଥାକଥିତ "ପଶ ଏରିଆ" (ଉତ୍କୃଷ୍ଟ ଅଞ୍ଚଳ ବା ଆଡମ୍ବର ବହୁଳ ଅଞ୍ଚଳ) ହିସାବରେ ଧରା ଯିବ। ଯେତିକି ଟିକେ କୋଠାବାଡ଼ି ହୋଇଛି, ସବୁ ଗୁଡ଼ିକ ଅତ୍ୟନ୍ତ ଦାମୀ ଆଉ ବିଳାସ ବହୁଳ। ଧନୀ ବ୍ୟକ୍ତି ଛଡ଼ା ଏଇ ଅଞ୍ଚଳରେ କେହି ଘର କରିବାକୁ ଚାହିଁବେନି।


ବିପୁଲ ଗେଟ ଖୋଲି କମ୍ପାଉଣ୍ଡ ଭିତରେ ପ୍ରବେଶ କଲା। ବିଶାଳ ଲନଟାକୁ ଅତିକ୍ରମ କରି ପୋର୍ଟିକୋ(ଅଟ୍ଟାଳିକା ର ପ୍ରବେଶ ଦ୍ୱାର)ତଳେ ପହଞ୍ଚିବା ପୂର୍ବରୁ ଆରମ୍ଭ ହେଇ ଗଲା ମୁଷଳଧାରାରେ ପ୍ରବଳ ବର୍ଷା, ସାଙ୍ଗରେ ତୀବ୍ର ବିଜୁଳି। ରୁମାଲ ବାହାର କରି ମୁଣ୍ଡ ପୋଛି ଘଂଟି ବଜେଇଲା ବିପୁଲ। 


ସୁନ୍ଦର ଗୋଟେ ସୁର ବାଜି ଉଠିଲା ଘର ଭିତରେ। ଟିକେ ସମୟ ପରେ ଇଣ୍ଟର-ଲକିଂ ସିଷ୍ଟମ ଖୋଲିବା ପରିକା ଗୋଟେ ଖୁଂଟ କରି ଶବ୍ଦ ହେଲା। ମୁହଁରେ ସ୍ମିତହାସ୍ୟ ନେଇ ବାଇଶ-ତେଇଶ ବର୍ଷର ଗୋଟେ ଅପରୂପା ସୁନ୍ଦରୀ ଯୁବତୀ କବାଟ ଖୋଲି ଛିଡ଼ା ହେଲା ଦ୍ୱାରମୁହଁରେ।


"କୁହନ୍ତୁ", ମିଷ୍ଟ କଣ୍ଠସ୍ଵରରେ କହିଲା ଯୁବତୀ।


"ମ୍ୟା'ମ, ଆପଣକଂର ପିଜ୍ଜା"


"କେତେ ବିଲ ହେଇଛି?", ପିଜ୍ଜା ପ୍ୟାକେଟକୁ ହାତରେ ନେଇ ଯୁବତୀ ପଚାରିଲା।


"ଓନଲି ସେଭେନ ସିକ୍ସଟି ଫାଇଭ, ମ୍ୟା'ମ"


ଯୁବତୀ ତାହାର ସୁନ୍ଦର, ସୁକୋମଳ ହାତକୁ ବଢ଼େଇ ଦେଲା ବିପୁଳ ଆଡ଼େ- ଚମ୍ପା-ଫୁଲ ପରିକା ସୁନ୍ଦର ଆଙ୍ଗୁଳି ଭିତରୁ ଉଙ୍କି ମାରୁଥିଲା ଦିଟା ୫୦୦ ଟଙ୍କା ନୋଟ।


"କ୍ଷମା କରିବେ ମ୍ୟା'ମ", ନିଜ ପର୍ସ ଊଂଡୁ ଊଂଡୁ ବିପୁଲ କହିଲା- "ମୋ ପାଖରେ ଏତେ ଟଙ୍କାର ଖୁଚୁରା ନାହିଁ।"


"ତୁମ ଡେଲିଭରି ବୟମାନଙ୍କ ଭାରି ନାଟକ। କେବେ ମଧ୍ୟ ତୁମମାନଙ୍କ ପାଖରେ ଖୁଚୁରା ଟଙ୍କା ନଥାଏ।", ମିଷ୍ଟ କଣ୍ଠରେ ବିପୁଲକୁ ଟିକେ ଭର୍ତ୍ସନା କଲା ଯୁବତୀ- "ତୁମେ ଟିକେ ଅପେକ୍ଷା କର, ମୁଁ ଘର ଭିତରୁ ଟଙ୍କା ନେଇ ଆସୁଛି।"


ଯାଉ ଯାଉ ହଠାତ କଣ ଭାବି ଯୁବତୀ ପଛକୁ ଫେରି ଚାହିଁଲା। "ବର୍ଷା ହେଉଛି", ଗୋଟେ ଚେୟାରକୁ ଦେଖେଇ ଯୁବତୀ କହିଲା- "ବାହାରେ ଛିଡ଼ା ନ ହେଇ, ଭିତରେ ବସି ଅପେକ୍ଷା କର। କବାଟଟା ଦେଇ ଦିଅ। ଅଯଥା ପାଣି ଛିଟା ଆସୁଛି ଘରକୁ।"


ବିପୁଲ କବାଟ ବନ୍ଦ କରିବାରୁ ଯୁବତୀ ବୈଠକଘରର ସୁଦୃଶ୍ୟ ସିଡ଼ି ଦେଇ ଧୀରେ ଧୀରେ ଉପରକୁ ଉଠି ଗଲା। ବାଁପଟେ ବୁଲି ଗୋଟେ ବଖରା ଭିତରେ ପ୍ରବେଶ କଲା ସିଏ।


ବିପୁଲ ଭିତରକୁ ଆସି ବସି ଚାରିଆଡ଼େ ନଜର ବୁଲେଇଲା। ବିଶାଳ ସୁଦୃଶ୍ୟ କୋଠାଟିଏ- ବୈଠକଘରେ ବହୁତଗୁଡ଼େ ଶୋ-କେଶ, କାଚ ଅଲମୀରା। ସେଗୁଡ଼ା ସବୁ ନାନା ପ୍ରକାର ଶୋ-ପିସ, ଦୁଷ୍ପ୍ରାପ୍ୟ ଆଣ୍ଟିକ ଆଉ ମୂଲ୍ୟବାନ କିଉରିଓରେ ଭର୍ତ୍ତି। ଘରର ଦିଟା କଣରେ ଗ୍ରୀକ ଭାଷ୍କର୍ଯ୍ୟଶୈଳୀରେ ତିଆରି ଶ୍ବେତପଥରର ନଗ୍ନ-ନାରୀ ମୂର୍ତ୍ତୀ। ଗୋଟେ ଦିବାଲରେ ୪୮ ଇଞ୍ଚର ଗୋଟେ ଏତେ ବଡ଼ ଏଲ.ଇ.ଡି ଟିଭି। ଫଲ୍ସ ସିଲିଙ୍ଗ ଦିଆ ଛାତରୁ ଝୁଲୁଛି ବିଶାଳ ଗୋଟେ ଝାଡ଼ଲଣ୍ଠନ।


ପ୍ରାୟ ୫ ମିନିଟ ବିତି ଗଲା ତଥାପି ଯୁବତୀ ଟଙ୍କା ନେଇ ଫେରିଲାନି। ବିପୁଲଟିକେ ଉସଖୁସ ହୋଇ ଭାବୁଛି କଣ କରିବ, ହଠାତ୍ ବିଦ୍ୟୁତ ଚାଲି ଗଲା- ନୀରାଟ ଛିଦ୍ରହୀନ ଅନ୍ଧାରରେ ବୁଡ଼ି ଗଲା ପୁରା ଘରଟି। ମଝିରେ ମଝିରେ ବିଜୁଳି ଚମକରେ ଦୃଶ୍ୟମାନ ହୋଇ ଉଠୁ ଥାଏ ଘର ଭିତରଟା, କ୍ଷଣିକପାଇଁ ଦିଶା ଯାଉଥାଏ ଅଦ୍ଭୁତ ଦୃଶ୍ୟମାନ କିଉରିଓଗୁଡ଼ିକ। ଏପରି ଅଦ୍ଭୁତ ପରିବେଶରେ ମନେ ହୋଉଥାଏ କୋଉ ଜାନ୍ତବ ଅମଙ୍ଗଳ ଧୀରେ ଧୀରେ ଜାଗ୍ରତ ହେଉଛି ସେଇ ରହସ୍ୟମୟ ପୁରୀରେ,ସ୍ତିମିତ ବେଗରେ ଗୋଟେ ଅଶୁଭ ଆଶଂକା ଯେମିତି ମାଡ଼ି ବସୁଥାଏ ଶଙ୍କିତ ଚେତନାରେ।


ହଠାତ୍ ଅନ୍ଧାର ଚିରି ଧାଇଁ ଆସିଲା ରକ୍ତକୁ ଜମାଟ କରି ଦେବା ପରିକା ନାରୀକଣ୍ଠର ଗୋଟେ ତୀବ୍ର ଆର୍ତ୍ତନାଦ। ଗୋଟା ଭିଲ୍ଲା ରହି ରହି ଥରି ଯାଉଥାଏ ସେଇ ମର୍ମଭେଦୀ ଚିତ୍କାର ଯୋଗୁ। କିଛି ମୁହୂର୍ତ୍ତ ପରେ ଚିତ୍କାର କମି ଯାଇ ଶୁଭାଗଲା ଗୋଟେ କଣ୍ଠରୁଦ୍ଧ ଘଡ଼ଘଡ଼ ଶବ୍ଦ। ଆସ୍ତେ ଆସ୍ତେ ସେଇ ଶବ୍ଦ ବି ବନ୍ଦ ହେଇ ଗଲା କିଛି ସମୟ ପରେ। ଶ୍ମଶାନ ପରିକା ନିସ୍ତବ୍ଧତା ପୁନରାୟ ଗ୍ରାସ କରି ନେଲା ପୁରା ଭିଲ୍ଲାଟିକୁ। ରହି ଗଲା ଖାଲି ଗୋଟେ ଭୟାବହ ସ୍ମୃତି।


"ମ୍ୟା'ମ, ଆପଣ କୋଉଠି?" ଗଳାରୁ ଭଲ କରି କଥା ବାହାରୁ ନଥାଏ ବିପୁଲର।


କୌଣସି ଉତ୍ତର ମିଳିଲାନି। ନିସ୍ତବ୍ଧ ପରିବେଶରେ ଶୁଭା ଯାଉଥାଏ ଖାଲି ବିଜୁଳି ଘଡ଼ଘଡ଼ି ଶବ୍ଦ।


ଚେୟାର ଛାଡ଼ି ବିପୁଲ ଧୀରେ ଧୀରେ ଉଠିଲା। ରୁଦ୍ଧକଣ୍ଠରେ ଧୀର ପାଦରେ ସିଡ଼ି ଚଢି ଉପରକୁ ଉଠି ଗଲା ସିଏ। ଅନ୍ଧାର ଗ୍ରାସ କରି ନେଇଥିବା ଗୋଟେ ବଖରାରୁ ମହମବତୀର ଆଲୁଅ ଦିଶୁଥିଲା ହାଲ୍କା ହାଲ୍କା।


"ମ୍ୟା'ମ, ଆପଣ କଣ ଭିତରେ?"


କେହି ଜବାବ ଦେଲେନି। ଘର ଭିତରଟା ଅସହ୍ୟ ନିସ୍ତବ୍ଧ। କୌଣସି ଜବାବ ନ ପାଇ, ଟିକେ ଇତସ୍ତତଃ ହୋଇ ଭିତରେ ପଶି ଗଲା ବିପୁଲ। ମୁହୂର୍ତ୍ତ ଭିତରେ ତା ଆଖିରେ ପଡ଼ିଲା ସେଇ ବୀଭତ୍ସ ଦୃଶ୍ୟ।


ମାଟିରେ ପଡ଼ିଥିଲା ଯୁବତୀର ନିର୍ଜୀବ ଦେହ। କଣ୍ଠନଳୀରୁ ବାହାରିଛି ଗୋଟେ ଧାରଦାର ଭୂଜାଲିର ରତ୍ନଖଚିତ ବେଣ୍ଟ। ଚପ ଚପ ରକ୍ତ ବୋହି ଆସି ଶ୍ବେତବସନାକୁ କରି ଦେଇଛି ଓଦା ଆଉ ରକ୍ତରଂଜିତ। ବିସ୍ଫାରିତ ଆଖି ଦିଟା ଚାହିଁ ରହିଛି ଉପର ଆଡ଼େ- ମନେ ହେଉଛି କୋଉ ମହାଭୟଙ୍କର ଅମଙ୍ଗଳକୁ ଦେଖି ସେମାନେ ହେଇ ଯାଇଛନ୍ତି ବିସ୍ମିତ ଆଉ ନିଷ୍ପଲକ। ଯୁବତୀର ସୁନ୍ଦର ମୁଖମଣ୍ଡଳୀ ମୃତ୍ୟୁଯନ୍ତ୍ରଣାରେ ହୋଇ ଯାଇଛି ବୀଭତ୍ସ ଓ ଭିତ୍ତିପ୍ରଦ।


ବିପୁଲ ହଠାତ୍ ଚମକି କିରି ପଛକୁ ଫେରି ଚାହିଁଲା। ସ୍ପଷ୍ଟ କିଛି ନ ଦିଶିଲେ ବି, ତାର ମନେ ହେଲା ଗୋଟେ ଛାୟା ସାଇଁ କରି ପଶିଗଲା କୋଉ କଣ ଆଡ଼େ। ମୃତ୍ୟୁଶୀତଳ ସେଇ ଭିଲ୍ଲାରେ ସିଏ ସ୍ପଷ୍ଟ ଅନୁଭବ କରି ପାରୁଥିଲା ଆଉ କାହାର ଅଶୁଭ ଅସ୍ତିତ୍ବ।


ଠକ.. ଠକ.. ଠକ.. ଠକ.. ଠକ....


ମୃତ୍ୟୁ-ନୀରବ ପରିବେଶକୁ ଅଶାନ୍ତ କରି ଭାସି ଆସିଲା ମୃଦୁ ଗୋଟେ କାଠ ଠୁକିବା ପରିକା ଶବ୍ଦ। ମନେ ହେଲା ନର୍କଦ୍ବାରର କବାଟ ବାଡ଼ଉଛି କିଏ ଜଣେ ଅମଙ୍ଗଳର ଅଗ୍ରଦୂତ। କୌତୁହଳ, ଗୋଟେ ଅଦମ୍ୟ କୌତୁହଳ ବିପୁଲକୁ ଟାଣୁଥିଲା ସେଇ ଶବ୍ଦର ଉତ୍ସ ଆଡ଼କୁ। ସେଇ କୌତୁହଳ ଏତେ ପ୍ରବଳ ଯେ ଭୟକୁ ବି ଉପେକ୍ଷା କରି ଯିବ ଜଣେ ହତଭାଗ୍ୟ। ବଖରାରୁ ବାହାରି ବିପୁଲ ଧୀରେ ଧୀରେ ଶବ୍ଦକୁ ଅନୁସରଣ କଲା।


କରିଡୋର ଶେଷକୁ ପହଞ୍ଚିଛି, ହଠାତ୍ ସେଇ ଶବ୍ଦଟି ବନ୍ଦ ହେଇଗଲା ଆଶ୍ଚର୍ଯ୍ୟ ଭାବରେ। ମନେ ହେଲା ଅନ୍ଧାର ଭିତରେ ଧୀରେ ଧୀରେ ଘନୀଭୂତ ହୋଇ ଉଠିଲା ଗୋଟେ ଅଦୃଶ୍ୟ ଆତଙ୍କ। ମନ ଭିତରେ କେହି ତାକୁ ଅଗ୍ରସର ହେବାକୁ ମନା କରୁଥିଲା। ପାଖରେ, ବହୁତ ନିକଟରେ ଅସ୍ପଷ୍ଟ ଗୋଟେ ଖିଲଖିଲ ହସର ଶବ୍ଦ ଶୁଭା ଗଲା ତାକୁ।


ବିପୁଲ ଆଉ ଆଗକୁ ବଢ଼ିଲାନି। ଏଇନେ ଏଇ ଅଶୁଭ ଭିଲ୍ଲା ଛାଡ଼ି, ଏଇ ଅଭିଶପ୍ତ ଜାଗା ଛାଡ଼ି ପଳେଇବାକୁ ହେବ। ଦ୍ରୁତ ପାଦରେ ସିଏ ସିଡ଼ି ଆଡ଼କୁ ବଢ଼ିଲା। କରିଡୋର ମୁହଁରେ ସେଇ ବଖରା ପାଖକୁ ପହଞ୍ଚି, କିଛି ଗୋଟେ ତା ମନକୁ ଅସ୍ବାଭାବିକ ମନେ ହେଲା। କୌତୁହଳ ନ ସମ୍ଭାଳି ପାରି ଧୀରେ ଧୀରେ ସିଏ ମୁଣ୍ଡ ବୁଲେଇ ବଖରା ଆଡ଼କୁ ଅନେଇଲା। ଗୋଟେ ଅସମ୍ଭବ ଦୃଶ୍ୟ ଦେଖି ହତଶ୍ଚକିତ ହୋଇ ଗଲା ସିଏ- ଯୁବତୀର ରକ୍ତାକ୍ତ ଶବଟି କୋଉ ମାୟାବୀ ଯାଦୁଗର ଦ୍ୱାରା ଅଦୃଶ୍ୟ! ଖାଲି ଜମାଟ ବାନ୍ଧିଯିବା କଳା ରକ୍ତର ଦାଗ, କିଛି ସମୟ ପୂର୍ବରୁ ଘଟି ଯିବା ମର୍ମାନ୍ତୁକ ଘଟଣାର ପ୍ରମାଣ ବହନ କରୁଛି।


ଆଉ ଠିଆ ହେଲାନି ବିପୁଲ। ଦ୍ରୁତଗତିରେ ସିଡ଼ି ଦେଇ ଓଲ୍ହେଇ କବାଟ ଆଡ଼େ ଦୌଡ଼ିଲା। ହତଭାଗ୍ୟ ଜାଣି ନ ଥିଲା ତା ପାଇଁ ଗୋଟେ ଅଭିଘାତ ଅପେକ୍ଷା କରି ରହିଛି ଦ୍ୱାରମୁହଁରେ। ଯୋଉ କବାଟ ସିଏ ନିଜ ହାତରେ ବନ୍ଦ କରିଥିଲା, କୋଉ ଅଜଣା କାରଣ ଯୋଗୁ ଏଇନେ ସେଇଟା ଖୋଲା। ଦ୍ୱାରମୁହଁ ସମ୍ମୁଖରେ ଛିଡ଼ା ହେଇଛି ଗୋଟେ ଭୟାବହ ଅପଚ୍ଛାୟା। 


ବିଜୁଳି ଚମକରେ ମଝିରେ ମଝିରେ ଜାଗ୍ରତ ହୋଇ ଉଠୁଛି ସେଇ ଅପଚ୍ଛାୟାର ଅଶୁଭ ଅବୟବ। ମୁଣ୍ଡର କଳା କେଶରାଶୀ କାଳସର୍ପ ପରିକା ଦୋଳି ଖେଳି ଆନ୍ଦୋଳିତ ହେଉଛି। ଦେହର ଶ୍ୱେତବସନ ଫରଫର ହେଉଛି ହିମଶୀତଳ ପବନରେ, ତା ସାଙ୍ଗରେ ସୁର ମିଳେଇ ବିଶାଳ ବାଦୁଡ଼ିର ଡେଣା ପରିକା ଉଡ଼ୁଛି ଘରର ପରଦା। ହାତର ଆଙ୍ଗୁଳିରେ ନଖଗୁଡ଼ା ସୁତୀକ୍ଷ୍ଣ ଆଉ ବକ୍ର। ଡାହାଣ ହାତରେ ମହାକାଳର ଲହଲହ ଜିହ୍ୱା ପରିକା ଗୋଟେ ଉଦ୍ଧତ ତୃଷାର୍ତ୍ତ ଛୁରୀ।


ଏଇ ଭୟଙ୍କର ରାତିରେ ଅଭିଶପ୍ତ ପୁରୀର ଦ୍ୱାର ସମ୍ମୁଖରେ ଛିଡ଼ା ହେଇଛି କିଏ? କିଏ ସେ କିଏ?


ହଠାତ୍ ଗୋଟେ ବିକୃତ ଚିତ୍କାର ଛାଡ଼ି ତା ଆଡ଼େ ମାଡ଼ି ଆସିଲା ସେଇ ଧଳା ଆତଙ୍କ। ମୁହୂର୍ତ୍ତ ପାଇଁ ବିଜୁଳି ଆଲୁଅରେ ଆତତାୟୀର ମୁହଁ ଦୃଷ୍ଟିଗୋଚର ହେଲା- ଆଖିରେ ପୈଶାଚିକ ଉଲ୍ଲାସ, ଓଠରେ ବଣ୍ୟ ହସ ଆଉ କଣ୍ଠରେ ରକ୍ତତୃଷ୍ଣା ନେଇ ତା ଆଡ଼କୁ ମାଡ଼ି ଆସିଛି ସଦ୍ୟମୃତ ଯୁବତୀ। ମୃତ୍ୟୁଲୋକର ବାସିନ୍ଦା ଅତିଥି ହୋଇ ଇହଲୋକକୁ ଆସିଛି ତୃଷ୍ଣା ମେଣ୍ଟେଇବାକୁ। ଦାରୁଣ ଆତଙ୍କରେ ଆଖି ବନ୍ଦ କରି ଦେଲା ବିପୁଲ।


ମିନିଟ ଖଣ୍ଡେ କି ଦି ମିନିଟ, ବହୁତଗୁଡ଼େ କଣ୍ଠର ଖିଲ ଖିଲ ହସ ଶୁଣି ବିପୁଲ ଧୀରେ ଧୀରେ ଆଖି ଖୋଲି ଚାହିଁଲା। ଘରଭିତରର ଦୃଶ୍ୟ ବଦଳି ଯାଇଛି ୟା ଭିତରେ- ଚାରିଆଡ଼ ଆଲୁଅରେ ଭରି ଉଠିଛି, ଚାରି ପାଞ୍ଚଜଣ ପ୍ରାଣଚଞ୍ଚଳ ଯୁବକ ଯୁବତୀ ତାକୁ ଘେରି ଖିଲଖିଲ କରି ହସୁଛନ୍ତି। ସଦ୍ୟମୃତ ସେଇ ଯୁବତୀ ଗୋଟେ ଦର୍ପଣ ନେଇ ମୁହଁରୁ ରଙ୍ଗ ଘଷି ଘଷି ଉଠେଇବାରେ ବ୍ୟସ୍ତ।


ଟିକେ ପରେ ବୁଝି ହେଲା ପୁରା ଘଟଣାଟା। ବଡ଼ଲୋକ ଘରର ବାଳୁଙ୍ଗା ପିଲାମାନେ ବର୍ଷା ରାତିରେ ନାଟକ କରି ଭୟଭୀତ କରୁଥିଲେ ତାକୁ। ସେଇ "ଠକ ଠକ ଶବ୍ଦ" ବା "ସାଇଁ କରି ଲୁଚି ଯିବା ଛାୟା" ସବୁ ଏଇ ନାଟକର ଅଙ୍ଗ।


"କିଛି ମନେ କରନି ଭାଇ, ତୁମ ସାଙ୍ଗରେ ଆମେ ଟିକେ ମଜା କରୁଥିଲୁ", ଜଣେ ଯୁବକ ହସି କିରି କହିଲା "ଗୋଟେ ଟିଭି ଧାରାବାହିକ ପାଇଁ ଆମେ ରିହର୍ଷଲ କରୁଥିଲୁ। ତୁମକୁ ଦେଖି ଭାବିଲୁ ତୁମ ଉପରେ ଟିକେ ପ୍ରୟୋଗ କରି ଦେଖିବା"


"ସତ କଥା କୁହ ତ ଭାଇ, ତୁମେ ଡରି ଯାଇଥିଲ ନା?" ନାଟକର ମୁଖ୍ୟ ଚରିତ୍ର ସେଇ ଯୁବତୀଟି ପଚାରିଲା।


"ହଁ ମ୍ୟାଡମ, ମୁଁ ଡରି ଯାଇଥିଲି", ବିପୁଲ ସ୍ୱୀକାର କଲା- "ଆପଣଙ୍କର ଅଭିନୟ ଯୋଗୁ ନୁହେଁ, ଏଇ ଭିଲ୍ଲାର ଇତିହାସ ଯୋଗୁ ଡରି ଯାଇଥିଲି ମୁଁ।"


"ଭିଲ୍ଲାର ଇତିହାସ ଯୋଗୁ, ମାନେ?"


ନିଷ୍ପଲକ ଆଖି ନେଇ ଯୁବତୀ ଆଡ଼େ ଅନେଇଲା ବିପୁଲ। ରହସ୍ୟମୟ ଭାବରେ ହସି, ବିପୁଲ ପିଜ୍ଜାର ବିଲଟା ତା ହାତକୁ ବଢ଼େଇ ଦେଲା।


ବିଲଟା ଭଲ କରି ଦେଖି ଚମକି ପଡ଼ିଲା ଯୁବତୀ। ଏମିତି ବିଲର କାରଣ କଣ?


ହଠାତ କର୍ଣ୍ଣଭେଦି ଶବ୍ଦ କରି ପାଖାପାଖି କୋଉଠି ବିଜୁଳି ପଡ଼ିଲା। ସାଙ୍ଗେ ସାଙ୍ଗେ ଲାଇନ କଟି କିରି ଅନ୍ଧାରରେ ବୁଡ଼ି ଗଲା ପୁରା ଭିଲ୍ଲା। ଭିଲ୍ଲା ସାଙ୍ଗରେ ଯୁବକ ଯୁବତୀଙ୍କୁ ମଧ୍ୟ ଗ୍ରାସ କରିନେଲା ରାତ୍ରିର ନିଷ୍ଛିଦ୍ର ଅନ୍ଧାର।


--------------------------------------------------


କଳିଙ୍ଗ ପିଜ୍ଜାର ମ୍ୟାନେଜର ଚେୟାରରୁ ଉଠି ଇନ୍ସପେକ୍ଟର ପ୍ରଳୟପୁତ୍ର ପଣ୍ଡାଙ୍କ ସାଥିରେ କରମର୍ଦ୍ଦନ କଲେ।


"କୁହନ୍ତୁ ଇନ୍ସପେକ୍ଟର, କେମିତି ସାହାଯ୍ୟ କରିବି ଆପଣଙ୍କୁ?"


"ମିଃ ରାଉତ, ଦି ଦିନ ତଳେ ଗୁଲମୋହର ନଗର ସେକ୍ଟରରେ ଗୋଟେ ନାରକୀୟ ହତ୍ୟାକାଣ୍ଡ ହେଇଛି", ଇନ୍ସପେକ୍ଟର ପଣ୍ଡା ପକେଟରୁ ଗୋଟେ କାଗଜ ବାହାର କଲେ "ଛ ଜଣ ଯୁବକ ଯୁବତୀଙ୍କୁ କେହି ଜଣେ ବିଭତ୍ସ ଭାବରେ ଛିନ୍ନ ଭିନ୍ନ କରି ହତ୍ୟା କରିଛି। ଘଟଣାସ୍ଥଳରୁ କଳିଙ୍ଗ ପିଜ୍ଜାର ଗୋଟେ ଖାଲି ପିଜ୍ଜା ପ୍ୟାକେଟ ଆଉ ଏଇ ବିଲଟା ମିଳିଛି। ବିଲର ତାରିଖ ହଉଛି ତିନି ବର୍ଷ ପୁରୁଣା"


"କଣ କହିଲେ, ଗୁଲମୋହର ନଗର'ରେ ହତ୍ୟାକାଣ୍ଡ?" ମ୍ୟାନେଜର ରାଉତ ଟିକେ ଅବାକ ହୋଇ ପଚାରିଲେ "ତିନି ବର୍ଷ ତଳର ବିଲ ମିଳିଛି ସେଠୁ?"


"ହଁ, ଗୁଲମୋହର ନଗର"


"ହତ୍ୟାକାଣ୍ଡ,.... ତିନି ବର୍ଷ ପୁରୁଣା ବିଲ... ଆଚ୍ଛା ଠିକ କୋଉ ଜାଗା ରେ ହେଇଛି ହତ୍ୟାକାଣ୍ଡଟା?"


"ଗୁଲମୋହର ନଗରର ଟିକେ ଭିତର ଆଡେ଼ ଗୋଟେ କୋଠୀ ଅଛି, ନାଁ ସନ୍ଧ୍ୟାନିଡ଼ ଭିଲ୍ଲା। ସେଇଠି ହେଇଛି ଘଟଣାଟି"


"ହୋଆଟ? ସନ୍ଧ୍ୟାନିଡ଼ ଭିଲ୍ଲା!!" ଚମକି ଉଠିଲେ ମ୍ୟାନେଜର ରାଉତ।


"ହଁ, ସନ୍ଧ୍ୟାନିଡ଼ ଭିଲ୍ଲା।" ଇନ୍ସପେକ୍ଟର ପଣ୍ଡାଙ୍କ ମୁହଁରେ ଜିଜ୍ଞାସା ସ୍ପଷ୍ଟ, "ଆପଣ ଏଇ ବିଷୟରେ କିଛି ଜାଣିଛନ୍ତି କି?"


"ଟିକେ ଖୋଲି କିରି ନ କହିଲେ ଆପଣ ବୁଝି ପାରିବେନି", ମ୍ୟାନେଜର ରାଉତ ଡ୍ରୟାରରୁ ଗୋଟେ ଫାଇଲ ବାହାର କରିଲେ- "ଚାରି ବର୍ଷ ତଳେ ଉଦ୍ୟୋଗପତି ଶଶୀଶେଖର ଷଡଙ୍ଗୀ ସନ୍ଧ୍ୟାନିଡ଼ ଭିଲ୍ଲାଟି ବନେଇଥିଲେ। ମଝିରେ ମଝିରେ ସିଏ ଆଉ ତାଙ୍କ ପରିବାର ଏଠି ଆସି କିଛିଦିନ ରହି ବୁଲି ଯାଉଥିଲେ। ସେଥର ତାଙ୍କ ଝିଅ ତାର କିଛି ସାଙ୍ଗମାନଙ୍କ ସାଥିରେ ସନ୍ଧ୍ୟାନିଡ଼କୁ ଛୁଟି ବିତେଇବାକୁ ଆସିଥିଲା। ବଡ଼ଲୋକ ଘରର ସ୍ପଏଲ୍ଡ ଚାଇଲ୍ଡ ଯେମିତି ହୁଅନ୍ତି ଆଉ କଣ। ଥରେ ଆମ ଏଠୁ ପିଜ୍ଜା ଅର୍ଡର କଲେ। ଆମର ଜଣେ ଡେଲିଭରି ବୟ ପିଜ୍ଜା ଦେବାକୁ ଯାଇଥିଲା। ଦୁର୍ଯୋଗ ରାତିରେ ତାକୁ ଏମିତି ଡରେଇଲେ ସେ ହାର୍ଟଫେଲ କରି ମରି ଗଲା। ସେଇ ସମୟ ଏଠିକାର ଓ.ସି ଥିଲେ ସୁରଜିତ ବାଂଠ। ଧନୀ ବାପ ତାଙ୍କୁ ହାତ କରି କେସ ଦବେଇ ଦେଲେ। ତା ପରେ ତ ସନ୍ଧ୍ୟାନିଡ଼ ବିକ୍ରି କରି ଦେଲେ ଆଉ କାହାକୁ। ଏଇନେ କିଏ ରହୁଛି ସେଠି, ମୁଁ ଜାଣେନି।"


"ଯେଉଁ ଡେଲିଭରି ବୟର ମୃତ୍ୟୁ ହେଇ ଥିଲା, ତାର ନାଁ କଣ ଟିକେ କହିଲେ?"


"ବିପୁଲ ଜେନା। ଆମର ସର୍ବପ୍ରଥମ ଡେଲିଭରି ବୟ। ଭାରି ବଢ଼ିଆ ଟୋକାଟି ଥିଲା।"


Rate this content
Log in

More oriya story from Saswat Routroy

Similar oriya story from Horror