Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Saswat Routroy

Fantasy Horror Thriller


2.3  

Saswat Routroy

Fantasy Horror Thriller


ମାୟାବିନୀ

ମାୟାବିନୀ

6 mins 642 6 mins 642

ରାତି ୧୦ଟା। ଦ୍ରୁତ ଗତିରେ ପାଦ ଚଲେଇଛି ବାପି- ପୁରା ନାଁ ବାପିନା ବାଂଠ। ଗାଁ ଝରାପାଣିରେ ନିଜ ଶଶୁରଘରକୁ ଯାଉଛି ସିଏ। ଇଚ୍ଛା ଥିଲା ଜଳଖିଆ ସାରି ଶୀଘ୍ର ଘରୁ ବାହାରିବ, କିନ୍ତୁ ସ୍ତ୍ରୀଲୋକମାନଙ୍କ ନାଟ ଯୋଗୁ ଆଜି ଏଇ ଅବସ୍ଥା। "ଏଟା କରି ଦେ, ସେଟା କରି ଦେ" କହି ୩-ଘଣ୍ଟା ଡେରି କରେଇ ଦେଲେ ତା ବୋଉ ଆଉ ଭଉଣୀ।

ବାପିର ବାହାଘର ଆଜି ୬ ମାସ ହେଲା। ୬ ମାସ ଭିତରେ ସ୍ତ୍ରୀ ୭ ଥର ବାପଘରକୁ ଯାଇ ସାରିଲାଣି। ବୋଉ'ର ଅଂଟା ଦରଜ, ସ୍ତ୍ରୀ ବାପାଘରକୁ ଦୌଡ଼ିଲା। ବୁଢ଼ୀ ଝାଡ଼ା ଯିବା ବେଳେ ପଡ଼ି କିରି ଆଣ୍ଠୁ ଭାଙ୍ଗିଲା, ସ୍ତ୍ରୀ "ବୋଉ ଲୋ, କଣ ହେଲା ଲୋ" ରଡି ଛାଡ଼ି ଦୌଡ଼ିଲା ନିଜ ବୋଉ ପାଖକୁ। ମାନେ, ଖାଲି ସୁଯୋଗ ଗୋଟେ ଖୋଜୁ ଥାଏ, କିଛି ଗୋଟେ ଘଟିଲେ ବାପାଘରକୁ ଯିବ। ଆଉ ଥରେ ଗଲେ ତ କଥା ହିଁ ନାହିଁ। ଅତିକମରେ ୭ ଦିନ ବିତେଇ ଆସିବ ବାପାଘରେ। ତା'ପରେ ସ୍ତ୍ରୀଲୋକଙ୍କ ଦେହ ବୋଲି କଥା। ପ୍ରତି ମାସରେ କିଛିଦିନ ନିର୍ଦ୍ଦିଷ୍ଟ ଉପାସ ପାଳନ କରିବାକୁ ପଡ଼େ ହିଁ। ସ୍ତ୍ରୀକୁ ଭଲ କରି ଉପଲବ୍ଧି ମଧ୍ୟ କରି ପାରିଲାନି ବାପି ଏବେ ଯାଏଁ।

ଏଥର ବୋଉ'ର ଜର ଯୋଗୁ ସ୍ତ୍ରୀ ଯାଇଛି ବାପାଘରକୁ। ୩ ଦିନ ପରେ ମଧ୍ୟ ସ୍ତ୍ରୀ ଆସିଲାନି, ସେଥିପାଇଁ ବାପି ଚାଲିଛି ଶଶୁରଘରକୁ। ମନ ଭିତରେ ସଂକଳ୍ପ ନେଇଛି- ଏଥର ସ୍ତ୍ରୀର ଚୁଟି ଧରି ଭିଡ଼ିକି ଆଣିବ ଘରକୁ। ଏତେ ଯଦି ବାପଘର ପ୍ରତି ଦରଦ, ବାହା ହେଉଥିଲା କାହିଁକି?

ଆଜି ଦିନଟା ଆରମ୍ଭ'ରୁ ଖରାପ। ଘରୁ ବାହାରିବା ଡେରି ତ ହେଇଥିଲା ହିଁ, ବସ-ଷ୍ଟପେଜରେ ମଧ୍ୟ ଘଣ୍ଟାଟିଏ ଛିଡ଼ା ହେବାକୁ ପଡ଼ିଲା ବସ ପାଇଁ। ତା ଉପରେ ବାଟରେ ୭-ଘଣ୍ଟା ସମୟ ଲାଗି ଗଲା। ସଞ୍ଜ ୮'ଟାରେ ନବକୃଷ୍ଣନଗର ବସ-ଷ୍ଟପେଜରେ ଓହ୍ଲେଇଲା ବାପି। ଝରାପାଣି ଆହୁରି ୫ କୋଷ ଦୁର- ପକା-ସଡ଼କ ନୁହେଁ, ଗାଁ ରାସ୍ତା ଦେଇ ଯିବାକୁ ପଡ଼ିବ। ଭାବିଥିଲା ନବକୃଷ୍ଣନଗର ବସ-ଷ୍ଟପେଜରେ କିଛି ରିକ୍ସା, ଅଟୋ ମିଳିବ, କିନ୍ତୁ ଆଜି ରିକ୍ସା, ଅଟୋ ବା ଭ୍ୟାନ କିଛି ମିଳିଲାନି। ଏପଟେ ରାତି ହେଉ ଯାଉଛି ଦେଖି ନିରୁପାୟ ହୋଇ ପାଦ ଚଳେଇଲା ବାପି।

ଘଣ୍ଟାଟିଏ ଯିବା ପରେ ବୁଢ଼ା-ବରଗଛ ମୋଡ଼ ଆସିଲା। ଏଠୁ ରାସ୍ତା ଦି-ଭାଗ ହେଇଛି। ବାଁପଟ ରାସ୍ତାଟି ଛୋଟ କିନ୍ତୁ ଜନବସତି ନାହିଁ, ତା'ଉପରେ ବାଟରେ ଗୋଟେ ଜଙ୍ଗଲ ପଡ଼ିବ। ଡାହାଣପଟ ଦେଇ ଗଲେ ରାସ୍ତା ଟିକେ ଲମ୍ବା କିନ୍ତୁ ମଝିରେ ଜନବସତି ଅଛି। ସାରାଦିନ ଯାତ୍ରା କରି କ୍ଲାନ୍ତ, ତା'ଉପରେ ଭୋକ ମଧ୍ୟ ଲାଗୁଛି-ଶୀଘ୍ର ପହଞ୍ଚିବା ପାଇଁ ବାପି ଜଙ୍ଗଲ ବାଟ ଧରିଲା। କିଛିଦୂର ଯିବା ପରେ ଆରମ୍ଭ ହେଲା ଜଙ୍ଗଲ। ଘନ ଜଙ୍ଗଲ ନୁହେଁ, ବାଟର ଦିପାଖ ଶାଳ, ଶିଶୁ, ମହୁଲ, ଇତ୍ୟାଦି ଗଛରେ ଭର୍ତ୍ତି।

ନିୟତିର ଯଦି କୌଣସି ଦେବତା ଅଛି, ସେ ବୋଧେ ଆଜି ବାପି ଉପରେ କ୍ରୁଦ୍ଧ। ଏବେ ଯାଏଁ ସୁନ୍ଦର ଜ୍ୟୋତ୍ସ୍ନାରେ ଆକାଶ ନିର୍ମଳ ଦିଶୁଥିଲା, ହଠାତ ଆକାଶ ଛାଇ ଗଲା ଘନ, କଳା ମେଘରେ। ଅଳ୍ପ ସମୟ ଭିତରେ ଆରମ୍ଭ ହେଲା ଜୋର ପବନ। ଧୀରେ ଧୀରେ ପବନ ଝଡ଼ର ଭୟଙ୍କର ରୂପ ନେଲା- ତା ସହିତ ପ୍ରବଳ ବର୍ଷା ଆଉ ଘନ ଘନ ବିଜୁଳି। ଏମିତି ଅବସ୍ଥାରେ ବାଟ ଚାଲିବା ଦୁଷ୍କର, ତା'ଉପରେ ଗଛ ତଳେ ଠିଆ ହେବାକୁ ମଧ୍ୟ ଡର ଲାଗୁଥାଏ ବିଜୁଳି ପାଇଁ। ମୁଣ୍ଡ ଗୁଞ୍ଜିବାର ଗୋଟେ ଆଶ୍ରୟ ପାଇବା ଆଶାରେ ବାପି ଚାରି ଆଡ଼େ ଅନେଇଲା।

ହଠାତ ବିଜୁଳି ଆଲୁଅରେ ଟିକେ ଭିତରେ ଗୋଟେ ଛୋଟ କୁଟୀର ଦିଶିଲା। ଅନ୍ଧାର ଯୋଗୁ ବାପି ଏବେ ଯାଏଁ ଦେଖି ପାରି ନ ଥିଲା କୁଟୀରଟି। ଭାଗ୍ୟକୁ ଧନ୍ୟବାଦ ଦେଇ ସିଏ ଦୌଡ଼ିଲା ସେଇ ଆଡ଼େ।

କୁଟୀରକୁ ପହଞ୍ଚୁ ପହଞ୍ଚୁ ଓଦା ଜୁଡୁବୁଡୁ ହେଇ ପଡ଼ିଲା ବାପି। ଓଳିର ତଳେ ଛିଡ଼ା ହେଇ ରୁମାଲ ରେ ପୋଛିହେଲା। ମନ ଭିତରେ ଚିନ୍ତା- ବର୍ଷା ଯୋଗୁ ପହଞ୍ଚିବାକୁ ଆହୁରି ଡେରି ହେଇ ଯିବ ତାର।

"କଣ ବାବୁ, ବାହାରେ କଣ ଛିଡ଼ା ହେଇଛ? ଘର ଭିତରକୁ ଆସିବନି କି?"

ଆବାଜ ଶୁଣିକି ବାପି ଚମକି ବୁଲିଲା ପଛକୁ। କିଏ ଜଣେ ଛିଡ଼ା ହେଇଛନ୍ତି କୁଟୀରର ଦ୍ୱାର ଖୋଲି। କଣ୍ଠସ୍ୱର ଆଉ ଛାଇ-ଅନ୍ଧାରରେ ଦିଶୁଥିବା ଦେହାବୟବରୁ ଲାଗିଲା ଜଣେ ଯୁବତୀ। କଣ୍ଠସ୍ୱର ମିଷ୍ଟ ଅଥଚ ଗଭୀର। ଅନ୍ଧାର ଯୋଗୁ ମୁହଁ ପରିଷ୍କାର ଦିଶୁନି କିନ୍ତୁ ମନେ ହେଲା ଶୁଭ୍ର ଦନ୍ତଯୁକ୍ତ ସ୍ମିତହାସ୍ୟ ଝଲକି ଉଠିଲା ଅନ୍ଧାରରେ। 

"ନା, ମାନେ ଟିକେ ବର୍ଷା ଛାଡ଼ିଗଲେ ମୁଁ ଚାଲି ଯିବି। ଆପଣ ଚିନ୍ତା କରନ୍ତୁ ନାହିଁ!", ବାପି ଟିକେ ଇତସ୍ତତଃ ହେଇ କହିଲା।

"ଚିନ୍ତା କରିବା ପରିକା କଥା ହିଁ ବାବୁ। ଏତେ ରାତିରେ ବର୍ଷାରେ ଓଦା ହେଉଛ, ତୁମର ଗୋଟେ ଆଶ୍ରୟ ଦରକାର। ନହେଲେ ତୁମକୁ ଥଣ୍ଡା ଧରିଦେବ।" ମୁହଁରେ ସ୍ମିତହାସ୍ୟ ନେଇ କହିଲା ଯୁବତୀ- "ଏତେ ରାତିରେ ଯାତ୍ରା କରିବା ଦରକାର ନାହିଁ। ଆଜି ରାତିଟା ଏଇଠି ବିତେଇ କାଲି ସକାଳୁ ସକାଳୁ ବାହାରି ଯିବ। ଭିତରକୁ ଆସ।"

ଘରଟା ଅନ୍ଧାର ଦେଖି ବାପି ଭିତରକୁ ଯିବାକୁ କୁଣ୍ଠାବୋଧ କଲା। ମନ କଥା ଅନ୍ଦାଜ କରି ଯୁବତୀ ହସିଲା- "କଣ ମତେ ଖରାପ ସ୍ତ୍ରୀଲୋକ ଭାବୁଛ କି? ଭାଇ ଢେଙ୍କାନାଳ ଯାଇଛି, କାଲି ଫେରିବ। ଏକୁଟିଆ ସ୍ତ୍ରୀଲୋକ, ମୋର ଆଲୁଅ ନ ହେଲେ ବି ଚଳି ଯାଏ। ନିହାତି ଦରକାର ନ ହେଲେ ମୁଁ ଆଲୁଅ ଜଳାଏନି। ଗରିବ ଲୋକ ଆମେ। ତେଲ ଆଉ ମହମବତ୍ତୀ ଟିକେ ବଞ୍ଚେଇ ପାରିଲେ, ଲାଭ ହୁଏ। ରୁହ, ମୁଁ ଆଲୁଅ ଜଳେଇ ଦେଉଛି। ଘର ଡାହାଣପଟେ ଶତରଞ୍ଜି ଅଛି, ତୁମେ ଆସିକି ବସ।" 

କୁଣ୍ଠା ଛାଡ଼ି ବାପି ଯାଇ ଶତରଞ୍ଜିରେ ବସିଲା। ଦୁଇ ମିନିଟ ଭିତରେ ଯୁବତୀ ମହମବତ୍ତୀ ଗୋଟେ ଆଣିଲା ଜଳେଇକି। ମହମବତ୍ତୀ ଆଲୁଅରେ ତା ଚେହେରା ଦିଶିଲା ଭଲ କରି। ଯୁବତୀର ଦେହ ରଙ୍ଗ ପିତାଭ, ମୁଖଶ୍ରୀ ସୁଡୌଲ। ଘନ ସରୁ ଭୃଯୁଗଳ ତଳେ ହରିଣ ପରିକା କଳା, ଚଞ୍ଚଳ ଆଖି। ନାକଟି ତୀକ୍ଷ୍ଣ। ଓଷ୍ଠାଧର ଦିଟା ଗାଢ଼ ଗୋଲାପ ପାଖୁଡ଼ା ପରିକା ସିକ୍ତ, ସଦାହାସ୍ୟ ମୁଖର। ପାହାଡ଼ି ନଈ-ସ୍ରୋତ ପରିକା ଅଂଟା ପର୍ଯ୍ୟନ୍ତ ଦୋଳି ଖେଳୁଛି ଘନ, କଳା କେଶରାଶି। 

ଯୁବତୀର ସ୍ୱାସ୍ଥ୍ୟ ସୁନ୍ଦର, ଅଂଟାର ଅଳ୍ପ ଚିକଣ ମେଦ ତାହାର ସୌନ୍ଦର୍ଯ୍ୟ ଆହୁରି ବଢ଼େଇ ଦେଉଛି। ତାହାର ନିତମ୍ବ କୋଉ ସୁଦକ୍ଷ କୁମ୍ଭାର ହାତରେ ଗଡ଼ା କଳସୀ ପରିକା ସୁଠାମ। ଧଳା ଶାଢ଼ି ତଳେ ଉଦ୍ଧତ ବକ୍ଷ, ଯାହା ପଦ୍ମପତ୍ର ଉପରେ ପଡ଼ିଥିବା ଜଳବିନ୍ଦୁ ପରିକା ନିଟୋଲ ଆଉ ପରିପୂର୍ଣ। ଯୌବନରେ ଫାଟି ପଡ଼ୁଛି ପିତାଭ ସୁଡୌଲ ଦେହଟି। ଦେହର ସୁଗନ୍ଧରେ ଗୋଟେ ପ୍ରୀତିକର ମାଦକତା। ଯୁବତୀର ଉଗ୍ର ସୌନ୍ଦର୍ଯ୍ୟ ଆଉ ଯୌବନ-ବହ୍ନିରେ ଯେ କୌଣସି ପୁରୁଷ ପତଙ୍ଗ ପରିକା ସହଜରେ ପୋଡ଼ି ମରିବ।

"ନିଅ, ଓଦା ପୋଷାକ ବଦଳେଇ ମୋ ଭାଇର ଏହି ପୋଷାକ ଗୁଡ଼ିକ ପିନ୍ଧି ନିଅ। ତାହାର ସ୍ୱାସ୍ଥ୍ୟ ତୁମ ପରିକା, ଏଗୁଡ଼ିକ ତୁମକୁ ହେଇ ଯିବ। ମୁଁ ତୁମ ପାଇଁ ଚା ବନେଇ ଆଣୁଛି।"- ବାପିକୁ ଗାମୁଛା ଆଉ ପୋଷାକ ଦେଇ ଯୁବତୀ ଭିତର ଘରକୁ ଚାଲିଗଲା।

ପାଞ୍ଚ ମିନିଟ ଭିତରେ ଗୁଡ଼ରେ ତିଆରି ଗରମ ଚା ଆସିଗଲା, ସାଙ୍ଗରେ ମୁଢ଼ିଭଜା। ବାପି ଦେଖିଲା ୟା ମଝିରେ ଯୁବତୀ ଟିକେ ସଜ ହେଇ ଯାଇଛି।

"ତୁମେ ଚା ପିଉଥାଅ, ମୁଁ ଟିକେ ଭାତ ବସେଇ ଦିଏ।"

"ଏତେ ରାତିରେ ଆଉ କିଛି କରିବା ଦରକାର ନାହିଁ। କାହିଁକି ଅଯଥା ମୋ ପାଇଁ ବ୍ୟସ୍ତ ହେଉଛନ୍ତି?"- ବାପି ଯୁବତୀକୁ ନିରସ୍ତ କରିବାକୁ ଚେଷ୍ଟା କଲା।

"ମଲା ମୋର। ସାମାନ୍ୟ ଟିକେ ଭାତ ବସେଇ ଦେବି, ସେଥିରେ କଣ ବେଶୀ ପରିଶ୍ରମ କରିବାକୁ ପଡୁଚି? ଅତିଥିକୁ ଭୋକରେ ଶୋଇବାକୁ ଦେବି? ଏମିତି ଆମ ଘରେ ଚଲେ ନି। ଚିନ୍ତା କରନି, ଶୀଘ୍ର ରୋଷେଇ ହେଇ ଯିବ"- ଯୁବତୀ ଭିତର ଘରେ ପଶିଲା ରୋଷେଇ କରିବା ପାଇଁ।

ବାପି ଚା ସାଙ୍ଗରେ ମୁଢ଼ି ଖାଇବାକୁ ଲାଗିଲା। ଭିତର ଘରୁ ଯୁବତୀ ବଡ଼ ପାଟିରେ ତା ସହିତ କଥା ହେଉଥାଏ, ବାପି ତା'ର ଜବାବ ଦୋଉ ଥାଏ ମୁଢ଼ି ଖାଇ ଖାଇ। ଦୁର୍ଯୋଗ ରାତିରେ ଗୋଟିଏ ଅଚିହ୍ନା ଅପରୂପା ଯୁବତୀ ତାକୁ ଆଶ୍ରୟ ଦେଇ ଆଦର-ଆପ୍ୟାୟନ କରୁଛି- ବାପିର ଚେତନା ସୁମଧୁର ଭାବନା ରେ ହଜିଗଲା।

ଶୀଘ୍ର ରୋଷେଇ ସାରି ଯୁବତୀ ପିତଳ ଥାଳି ଆଉ ତାଟିଆରେ ବାପି ପାଇଁ ଖାଇବା ବାଢ଼ିଲା। ତା ଥାଳି କାଇଁ ପଚାରିଲାରୁ ସେ କହିଲା ସେ ଆଗରୁ ଖାଇସାରିଛି।

ଖାଇବା ଆୟୋଜନ ଅତି ସାମାନ୍ୟ। ଘିଅ ମଖା ଗରମ ଭାତ, ଗୋଟେ ଭଜା ଆଉ ଦେଶୀ କୁକୁଡ଼ାର ସିଝା ଅଣ୍ଡା ଦିଟା। ପେଟରେ ଭୋକ, ତା'ଉପରେ ସୁସ୍ୱାଦୁ ଖାଦ୍ୟ ବାପିକୁ ଅମୃତ ପରି ଲାଗିଲା। ଯୁବତୀ ତା ପାଖରେ ବସି ତା ସାଥିରେ ଗପ କରୁଥାଏ। ମିଷ୍ଟ କଣ୍ଠସ୍ୱର ଆଉ ପ୍ରାଣଚଞ୍ଚଳ ହସ ବାପିକୁ ତାହା ପ୍ରତି ଆକୃଷ୍ଟ କରୁଥାଏ ଧୀରେ ଧୀରେ।

ଖାଇବା ସରିଲା ପରେ ଯୁବତୀ ବାସନ ଉଠେଇ ଘରତଳ ପୋଛି ନେଲା। ବାପି ହାତ ମୁହଁ ଧୋଇବା ଭିତରେ ସେ ତା ପାଇଁ ଗୋଟେ ଚାଦର ବାହାରି କରି ନେଇଛି।

"ବର୍ଷା ପାଇଁ ଥଣ୍ଡା ପଡ଼ିଛି, ରାତିରେ ଘୋଡ଼େଇ ହବ। ମୁ ପାଖ ଘରେ ଅଛି। କିଛି ଦରକାର ହେଲେ ଡାକିବ।"

"ଏତେ ଶୀଘ୍ର କଣ ନିଦ ଆସିବ? ଆସୁ ନ, ବସୁ ନ, ଟିକେ କଥା କହୁ ନ?"- ବାପି ଡାକିଲା ଯୁବତୀକୁ।

"କଣ ବାବୁ, ଏତେ କ୍ଲାନ୍ତ ହେବା ପରେ ମଧ୍ୟ ଗପ କରିବାର ସଉକ? ଥାଉ, ଆଜି ଆଉ ଅନିଦ୍ରା ହୁଅ ନି। ଶୋଇ ପଡ଼"- ହସି କିରି ଚାଲି ଗଲା ଯୁବତୀ। ବାପି ଆଉ ଡେରି ନ କରି ଶୋଇ ପଡ଼ିଲା ଚାଦର ଘୋଡ଼େଇ। ବିଛଣାରେ ଶୋଇ ଯୁବତୀ କଥା ଭାବି ଭାବି କେତେବେଳେ ତା'ର ନିଦ ଆସିଗଲା ଠିକ ନାହିଁ।

ଗଭୀର ରାତିରେ ହଠାତ ଗୋଟିଏ ଶବ୍ଦରେ ବାପିର ନିଦ ଭାଙ୍ଗି ଗଲା। ନିଦ ଆଖିରେ ପ୍ରଥମେ ବୁଝି ପାରିଲାନି ସେ କୋଉଠି ଅଛି। ଟିକେ ପରେ ଧୀରେ ଧୀରେ ଯୁବତୀ କଥା ମନେ ପଡ଼ିଲା। ଚାଦର ହଟେଇ ବସିବାକୁ ଯିବ, ଦେଖିଲା ତା ଆଣ୍ଠୁ ପାଖରେ ଯୁବତୀ ବସି ରହିଛି- ତାହାର ସ୍ଥିରଦୃଷ୍ଟି ବାପି ଉପରେ ନିବଦ୍ଧ। ତୀକ୍ଷ୍ଣ ଚାହାଣି ଆଉ ମୁହଁରେ କେମିତି ଗୋଟେ ହିଂଶ୍ର ସୁମଧୁର ହସ।

"ଏତେ ରାତି ଯାଏଁ ତୁମେ ଏଠି କଣ କରୁଛ? କିଛି କହିବ କି?"- ମନ ଭିତରେ କେମିତି ଗୋଟେ ଆଶଙ୍କା ଆଉ ଅସ୍ୱସ୍ତି ନେଇ ବାପି ପଚାରିଲା ଯୁବତୀକୁ।

"ତୁମେ ଡରି ଗଲ କି? ଡରିବାର କିଛି ନାହିଁ। ମୋର ତୁମଠୁ ଗୋଟେ ଜିନିଷ ଦରକାର, ଭୀଷଣ ଦରକାର।"- ବାପି ପାଖକୁ ଘେଁଶି ଆସିଲା ଯୁବତୀ। ତାହା ଆଖିରେ ଜଳି ଉଠିଲା ଅସୀମ କ୍ଷୁଧା- ବାଘୁଣୀମାନଙ୍କ ଆଖିରେ ଯେମିତି କ୍ଷୁଧା ଦେଖା ଯାଏ ଶିକାର ସମୟରେ।

ସୁକୋମଳ ହାତରେ ବାପିର ମୁହଁ ଚାପି ଯୁବତୀ ତା ଉପରେ ଖୁଁକି ପଡ଼ିଲା। ଘନ କଳା କେଶରାଶୀ ଯୋଗୁ ଅନ୍ଧାର ଛାଇ ଗଲା ବାପି ଆଖିରେ।

°°°

"କେମିତି ହେଲା ଏଇ ସବୁ?" ପୁଲିସ ଇନ୍ସପେକ୍ଟର ମନୋହର ମହାପାତ୍ର ପଚାରିଲେ ଗାଁ ଲୋକକୁ। ପ୍ରଧାନ ଠିଆ ହେଇଥିଲେ ପାଖରେ । 

"କ'ଣ ଆଉ କହିବି ସାର । ହଗୁରା ଏଇ ବାଟ ଦେଇ ସକାଳୁ ଫେରୁଥିଲା। ସିଏ ହିଁ ହତଭାଗ୍ୟକୁ ଏଇ ଗଛତଳେ ପଡ଼ି ଥିବା ଅବସ୍ଥାରେ ଦେଖି ଦୌଡ଼ିକିରି ଗାଁରେ ଖବର ଦେଲା। ଛୋଟ ଗାଁ ଆମର। ସମସ୍ତେ ସମସ୍ତଙ୍କୁ ଚିହ୍ନନ୍ତି। ୬ମାସ ପୂର୍ବରେ ଏଇ ହତଭାଗ୍ୟ ସାଥିରେ ବାହାଘର ହେଇଥିଲା କାମିନୀର। କିଏ ଭାବିଥିଲା ଗାଁ ଜୋଇଁର ଏମିତି ପରିଣତି ହବ? ପ୍ରେତିନୀ "ମୋହିନୀ" ୟାକୁ ନେଇ ଦଶଜଣକୁ ଖାଇଗଲା ।"

ବାପିର ରକ୍ତଶୂନ୍ୟ ପ୍ରାଣହୀନ ଦେହକୁ ଗାଡ଼ି କରି ହସ୍ପିଟାଲକୁ ପଠେଇଲେ ଇନ୍ସପେକ୍ଟର ମହାପାତ୍ର। ଆଗ କେସ ଗୁଡ଼ିକ ପରି ଏହା ବି ସେମିତି ହତ୍ୟାକାଣ୍ଡ। ରକ୍ତଶୂନ୍ୟ ଦେହ, ଆଖି ପରମ ବିସ୍ମୟ ଆଉ ଡରରେ ଫାଟି ପଡ଼ୁଛି। ଦେହରେ ଗୋଟିଏ ବି ଆଘାତ ଚିହ୍ନ ନାହିଁ, ଖାଲି ବେକରେ ଦିଟା କଳା, ଗଭୀର ଛିଦ୍ର ଯାହା ଅତଳରେ ରହିଛି ଗୋଟିଏ ଭୟାନକ ରହସ୍ୟ।

© ଶାଶ୍ଵତ ରାଉତରାୟ


Rate this content
Log in

More oriya story from Saswat Routroy

Similar oriya story from Fantasy