Bhagirathi Behera

Tragedy Crime Others

3.1  

Bhagirathi Behera

Tragedy Crime Others

ଦେହ

ଦେହ

9 mins
499


“ବୁଝିଲୁ କାଳୁ, ତୋ ସହ କିଛି ନା କିଛି ମୋର ପୂର୍ବ ଜନ୍ମରୁ ସମ୍ପର୍କ ଅଛି । ମୋର ଏ ଦରମରା ଅବସ୍ଥାରେ ତୁ ମୋ ପାଖରେ ଅଛୁ । ତୋ ବିନା ସୁନ୍ଦରୀକୁ ସବୁବେଳେ ପ୍ରେମଭିକ୍ଷା କରୁଥିବା ସହରସାରା ଲୋକଙ୍କଠୁଁ କିଏ ହେଲେ ଜଣେବି ଆଜି ମୋ ପାଖରେ ନାହାନ୍ତି ।“ ଏତିକି କହି ସୁନ୍ଦରୀ କାଳୁର ବଳିଷ୍ଠ ଶରୀର ଉପରେ ହାତରଖି ଭଙ୍ଗାକାନ୍ଥର ସିମେଣ୍ଟ ଉପରେ ନିଜ ଝାଳୁଆ ମୁଣ୍ଡଟିକୁ ଆଉଜିଲା ।

           ସୁନ୍ଦରୀର ପେଟରେ ଗୁଳି ବାଜିଛି । ପ୍ରାଣ ବିକଳରେ ନିଜ ଜୀବନ ବଞ୍ଚେଇବାକୁ ଯାଇ ସହରପାର୍ଶ୍ଵର ବଣରେ ଥିବା ଏକମାତ୍ର ଭଙ୍ଗା ପୋଲ ତଳେ ସେ ନିଜକୁ ଲୁଚେଇଛି । ଚାରିଆଡେ ବୁଦା ଓ କଣ୍ଟା ଗଛ । ଅଳପ ଅଳପ ପାଣି ପଥର କୋଣରୁ ଝରି ଯାଉଛି । ତା’ ଆଗରେ କାଳୁ ବସି ଲହ ଲହ ଜୀଭ ବାହାର କରି ତାକୁ ଅନଉଛି । କାଳୁର ହଳଦିଆ ଆଖିଟା ଧୀରେ ଧୀରେ ଲାଲ ହେବାକୁ ଲାଗିଛି । ବୋଧେ ସୁନ୍ଦରୀର ଏ ଅବସ୍ଥାରେ ସେ ଅତ୍ୟଧିକ କ୍ଷୁବ୍ଧ ।

           ନିଜ ଓଢଣୀରୁ ଖଣ୍ଡେ ଚିରି ସୁନ୍ଦରୀ ବାନ୍ଧିଲା ଗୁଳି ବାଜିଥିବା ଜାଗାକୁ । ଅନ୍ତତଃ ରକ୍ତ ବହିବା ଟିକେ ବନ୍ଦ ହେଉ । ବାମପାଖ ହାତର କାନ୍ଧ ଓ ପିଠିପଟର ବ୍ଳାଉଜ ଚିରି ଯାଇଛି । ପଛରୁ ଗୋଡଉଥିବା ଲୋକଟା ଯେତେବେଳେ ସୁନ୍ଦରୀର ବେକକୁ ଧରିବାକୁ ଚେଷ୍ଟା କରିଛି ସେତେବେଳେ କାଳୁ ତା ଗୋଡକୁ ଜୋରରେ କାମୁଡିଛି । ଏଇ ସୁଯୋଗରେ ସୁନ୍ଦରୀ ନିଜକୁ ବଞ୍ଚେଇ ଧାଇଁଲା ବେଳକୁ ଶତ୍ରୁର ହାତେରେ ତା ବ୍ଳାଉଜର କିଛି ଅଂଶ ରହିଯାଇଛି । ଆଃ ! ତା ଗଳାରୁ ଯନ୍ତ୍ରଣାର ଚିତ୍କାର ବାହାରିବା ପୂର୍ବରୁ ନିଜ ପାଟିକୁ ସେ ଦୁଇ ହାତରେ ଜାବୋଡି ଧରିଲା । ହେଇପାରେ ଏଇ ପାଖାପାଖି ଏବେବି ତାକୁ ଖୋଜୁଥିବ ଶତ୍ରୁ । ନିଜକୁ ସମ୍ଭାଳୁ ସମ୍ଭାଳୁ କାଳୁକୁ ଆହୁରି ପାଖକୁ ଭିଡି ଆଣିଲା ସେ । କାଳୁ ସୁନ୍ଦରୀର ଏ ଅବସ୍ଥା ଦେଖି ତା’ ବ୍ଳାଉଜଚିରା ଅଂଶକୁ ଚାଟେଇବାରେ ଲାଗିଲା ।   

           କାଳୁର ଏ ପ୍ରକାର ସ୍ନେହ ଦେଖି ସୁନ୍ଦରୀ ଆଖିରେ ଲୁହ ଜକେଇ ଆସିଲା । ମଣିଷ ହୋଇ ଅନେକ ଅମଣିଷ ସୁନ୍ଦରୀକୁ ଭଲପାଇବା ଟିକେ ଦେଇ ପାରିଲେ ନାହିଂ । କିନ୍ତୁ କାଳୁ ପଶୁ ହୋଇ ଯେମିତି ତା’ ମନ କଥା ବୁଝିପାରୁଛି । ରକ୍ତ ବହିବାରେ ଲାଗିଛି । ପୀଡା ବଢିବାରେ ଲାଗିଛି । ଟିକେ ହଲିଲା ମାତ୍ରେ ଗୁଳି ବାଜିଥିବା ଜାଗାଟା ଅକଥନୀୟ ଯନ୍ତ୍ରଣା ଦେଉଛି ।

           “ସେ ଶାଳୀ ବଜାତି ମାଈକିନା ନିଶ୍ଚୟ ଏଇଠି କେଉଁଠି ଲୁଚିଥିବ । ତା’ ଦେହରେ ଗୁଳି ବାଜିଛି । ଯିବ କୁଆଡେ ।“ କିଏ ଜଣେ ପୋଲ ଉପରେ ରଡି ଛାଡିଲା ।

           “ଆରେ ! ସେ ଏ ବଣକୁ କାହିଁକି ଆସିବ ? ଏଠୁ ଖସିବାର ଏଇ ଗୋଟେ ରାସ୍ତା । ଲୁଚିବ କେଉଁଠି ? ଖସି ପଳେଇଥିବ ନଚେତ ତା ଶବ କେଉଁଠି ପଡିଥିବ । ଏଇଟା ଆମ ଇଲାକା । ତା’ ର ଏତେ ସାହସ । ଆମ ଇଲାକାରୁ ବଞ୍ଚିଯିବ । ଚାଲ ଯିବା ଚାଲ ।“ ଆଉ ଜଣେ ପ୍ରତିତ୍ତ୍ୟୁର ରେ କହିଲା ।

           ସୁନ୍ଦରୀ ଶତ୍ରୁକୁ ଆଖ ପାଖରେ ପାଇ କାଳୁର ପାଟିରେ ହାତ ଦେଲା ଏବଂ ନିଜ ପାଟିରେ ବି । ଯଦି କାଳୁ ଭୋକି ଦେବ ସବୁ କଥା ସାରିଲା । ସେମାନେ ଭଲଭାବେ ଜାଣିଛନ୍ତି ସୁନ୍ଦରୀର ବଡିଗାର୍ଡ ହେଲା କାଳୁ ।

           “ବୁଝିଲୁ କାଳୁ । ସେ ହରାମଜାଦା ସନ୍ତୋଷ ତିୱାରୀ ହିଁ ଏଠି ଆମକୁ ଖୋଜି ଖୋଜି ଆସିଥିବ । ମୋତେ ମାରିବା ପାଇଁ ତା’ ର ହିଁ ଏ ଷଡଯନ୍ତ୍ର । ସେ ହିଁ ଭଡାଟିଆ ଗୁଣ୍ଡା ପଠାଇ ମୋତେ ଗୁଳି ମାରିଛି । ଦିନ ଥିଲା ତା’ ପାଇଁ ମୁଁ କେତେ କଣ ନ କରିଛି । ଏମିତି କି ମୋ ଦେହ ବି ତାକୁ ଦେଇଛି । ଥରେ ନୁହଁ, ବାରମ୍ବାର ଦେଇଛି କେବଳ ଟିକେ ଭଲ ପାଇବା ପାଇଁ । ନାରୀତ୍ଵର ସମ୍ମାନ ପାଇଁ । ଶଳା ! ଶେଷରେ ଦଲାଲ ସାଜି ମୋତେ ବେଶ୍ୟାବୃତ୍ତି କରିବାକୁ କହୁଥିଲା । କାଳୁ ଗଲୁ ଟିକେ । ଧୀରେ ଧୀରେ ଯିବୁ । ଦେଖିବୁ ସେମାନେ ଗଲେଣି ନା ନାହିଂ । ତେବେ ଯାଇ ଆମେ ଦୁହେଁ ଏଠୁ ବଞ୍ଚି ପାରିବା । “ ସୁନ୍ଦରୀ କାଳୁକୁ ବୁଝାଇଲା ।          

           ଆଜ୍ଞାଧୀନ ପରି କାଳୁ ଲହ ଲହ ଜୀଭ ବାହାର କରି ପୋଲ ତଳୁ ବାହାରିବାକୁ ଲାଗିଲା । ଯନ୍ତ୍ରଣା ଅସହ୍ୟରୁ ଅସହ୍ୟ ହେଲାଣି ସୁନ୍ଦରୀକୁ । କାଳୁର ଯିବା ବାଟକୁ ଚାହିଁ ଟିକେ ଆଖି ବୁଜିଲା ସେ କଷ୍ଟରୁ ମୁକ୍ତି ପାଇବା ପାଇଁ । ଆଖି ବନ୍ଦ କରୁ କରୁ ଗୋଟି ଗୋଟି ହୋଇ ନିଜର ଅତୀତ ମନେ ପଡିଲା ତାକୁ ।

           ...............ଅଳ୍ପ ବୟସରୁ ସୁନ୍ଦରୀର ରୂପ ଦେଖି ଯେତେବେଳେ ଗାଁ ଟୋକା ମାନେ ଲୋଭିଲା ଆଖିରେ ତାକୁ ଚାହିଁଲେ ସେତେବେଳେ ସେ ଲାଜେଇଥିଲା । କିନ୍ତୁ ପରେ ପରେ ଗାଁ ସାହୁକାରଠୁଁ ଆରମ୍ଭ କରି ସହରରୁ ଆସିଥିବା ସରକାରୀ ବାବୁ ସବୁ ଚୁଡି, ଅଳତା, ପାଉଡର, ଅତର, ଶାଢୀର ଲୋଭ ଦେଇ ତା’ ଦେହ ମାଗି ବସିଲେ । ସେ ବୁଝି ପାରିଲା ଭଗବାନ ତାକୁ ସୁଖସମୃଦ୍ଧିର ଗନ୍ତାଘର ତା’ ପାଖରେ ସାଇତିଛନ୍ତି । ଲୁଚି ଲୁଚି ନିଜ ଦେହକୁ ଲଙ୍ଗଳା କରି ବାରମ୍ବାର ଦର୍ପଣରେ ଦେଖିଥିଲା । ସେ ଜାଣିପାରିଥିଲା ତା’ ଦେହର ମାଦକତାକୁ ନେଇ ସେ ନିଜ ଇଚ୍ଛାରେ ଦୁନିଆକୁ ବୁଲେଇ ପାରିବ । ଗାଁ ଭିତରେ କୌଣସି ମଦୁଆ, ବେଧୂଆ କିମ୍ବା ଦରବୁଢା, ପତ୍ନୀଛଡା ସହ ବାହାହେଇ ନର୍କ ଯନ୍ତ୍ରଣା ପାଇବ କାହିଁକି । ରାତାରାତି ଗାଁ ଛାଡି ପଳାଇ ଆସିଥିଲା ଏ ସହରକୁ । ବଢିଲା ଭୁଆଶୁଣୀ ଝିଅକୁ ଯେତେବେଳେ କିଏ ବାରଣ୍ଡାରେ ପାଦ ମଡେଇ ଦେଲେନି ସେତେବେଳେ ସେ ବୁଝିଥିଲା ଏ ଦୁନିଆରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଆଗରେ ତା’ ଦେହର ମୂଲ୍ୟ କିଛି ନାହିଂ । ଯଦିବା କିଏ ଆଶ୍ରା ଦେଲା, ସୁନ୍ଦରୀର ଦେହ ବଦଳରେ କେବଳ ଗୋଟିଏ ଦିନ ପାଇଁ । ସେ କଣ ଗାଁ ଛାଡି ଆସିଥିଲା କେବଳ ଗୋଟିଏ ରାତିର ଠିକଣା ପାଇବା ପାଇଁ ?

           ଦିନେ କେତୁଟା ମଦୁଆ ତାକୁ ଗୋଡେଇଲେ । ସେ ଧାଇଁ ଧାଇଁ ଅଚେତ ହେଲା ନଦୀ କୂଳେ । ସକାଳୁ ଚେତା ଆସିଲା ବେଳକୁ ନିଜକୁ ପାଇଲା ସ୍ଵାମୀ ରତ୍ନାନନ୍ଦଙ୍କ ଆଶ୍ରମରେ । ସହରରର ଆରମ୍ଭରେ ହିଁ ନଦୀକୂଳେ ଅବସ୍ଥିତ ତାଙ୍କର ଆନନ୍ଦ ଆଶ୍ରମ । ସମସ୍ତେ କହିଲେ ସ୍ଵୟଂ ସ୍ଵାମୀ ରତ୍ନାନନ୍ଦ ପ୍ରାତଃ ସ୍ନାନ ବେଳେ ତାକୁ ପାଇଥିଲେ । ନଦୀର ସେପଟେ ରଙ୍ଗବିରଙ୍ଗି ସହର । ଏପଟେ ତା’ ଆଗରେ ସ୍ଵାମୀ ରତ୍ନାନନ୍ଦଙ୍କ ସ୍ନାନରତ ବଳିଷ୍ଟ ଓ ସୌମ୍ୟକାନ୍ତ ଶରୀର । ହଠାତ ସୁନ୍ଦରୀର ମନରେ ଜାଗ୍ରତ ହେଇଥିଲା ନିଜ ଉଚ୍ଚ ଆକାଂକ୍ଷାକୁ ପୂରଣ କରିବାର ରାସ୍ତା । ଅନେକ ନେତା, ରାଜନେତା, ଅଭିନେତା, ସମାଜର ଠେକେଦାର ସ୍ଵାମୀଙ୍କ ପାଦତଳେ ଲୋଟି ପଡୁଥିଲା । ଯଦି ଏମାନଙ୍କୁ ନିଜ ପାଦ ତଳକୁ ଆଣିବାକୁ ପଡିବ ତେବେ ନିଜକୁ ସ୍ଵାମୀଙ୍କ ପାଦତଳେ ନୂଆଇବାକୁ ପଡିବ ।

           ଏଇଠୁ ଆରମ୍ଭ ଏହିଥିଲା ସୁନ୍ଦରୀର ସ୍ଵାମୀଙ୍କୁ ଆକର୍ଷିତ କରିବାର ଅନେକ ପ୍ରୟାସ । କେବେ ସ୍ନାନ ସମୟରେ ନିଜ ଉନ୍ନତ ଢଳ ଢଳ ବକ୍ଷଜକୁ ଦେଖାଇବାର କଳାରେ ତ, କେତେବଳେ ନିମନ୍ତ୍ରଣ ଦେଉଥିଲା ନିଜ ଆଖିର ଇଙ୍ଗିତରେ । କିନ୍ତୁ ସୁନ୍ଦରୀ ହାରିଥିଲା । ତେବେ କଣ ସେ ହାରିବା ପାଇଁ ଗାଁ ଛାଡି ଏ ସହରକୁ ଆସିଥିଲାକି ? ଏଥର ଆରମ୍ଭ ହେଇଥିଲା ତା’ର ସମର୍ପଣ ଓ ସେବାର କଳା । ସବୁଭୁଲି ଏମିତି ସେବା କଲା ଯେ, ତାକୁ ନିୟୋଜିତ କରାଗଲା ସ୍ୱାମୀଜୀଙ୍କ ଅନ୍ତଃକକ୍ଷର ସେବିକା ରୂପେ । ପ୍ରତ୍ୟେକ ସେବିକାର ପାଳି ଆସେ ସ୍ଵାମୀଙ୍କ ଶଯ୍ୟା ଗୋଟିଏ ରାତି ପାଇଁ ସଜେଇବାକୁ । ଅନେକ ଅପେକ୍ଷା ପରେ ଆସିଥିଲା ସୁନ୍ଦରୀର ପାଳି । ସୁଯୋଗ ହାତ ଛଡା ନକରି ନିଜକୁ ଗୋଲାପ ପାଣିରେ ସ୍ନାନ କରାଇଥିଲା ସେ ଯେମିତି ତା’ ଦେହର ବାସ୍ନାରେ ବାସ୍ନାୟିତ ହେବେ ରତ୍ନାନନ୍ଦ । ସ୍ଵାମୀଙ୍କ ଶେଜକୁ ସଜେଇଲା ସେ ଫୁଲର ବାସନାରେ । ଆଜି ସେ ପଣ ନେଇଥିଲା ଯେମିତି ହେଲେ ସ୍ଵାମୀଙ୍କର ସଂଯମତା ଓ ବ୍ରହ୍ମଚର୍ଯ୍ୟା ଭାଙ୍ଗିବ । ଏମିତି ଯୌବନର ସୁରା ସେ ରତ୍ନାନନ୍ଦକୁ ପିଆଇବ, ସ୍ଵାମୀ ହେଇଯିବେ କାମାନ୍ଧର ସେବକ ।

           ଏ ପ୍ରକାର ସେବିକାମାନଙ୍କୁ କୌଣସି ଏକ ପ୍ରଶ୍ନ ପଚାରିବାର ଅଧିକାର ଦିଆ ଯାଇଥାଏ ଜୀବନର ଦିଗଦର୍ଶନ ପାଇଁ । ସେ ଅଧିକାରରେ ସୁନ୍ଦରୀ ପଚାରିଥିଲା –ସ୍ଵାମୀଜୀ, ଭଗବାନଙ୍କୁ ମୁ ଦେଖିନି । ଆପଣ ମୋ ଚଳନ୍ତି ଠାକୁର । ପୁଣି ଜୀବନ ଦାତା । ମୋ ମନ ଓ ଶରୀରର ଅଧିକାର ଆପଣଙ୍କୁ ଦେଉଛି । ମୋତେ ଗ୍ରହଣ କରି ଆପଣ ମୋତେ ମୋକ୍ଷ ପ୍ରାପ୍ତିର ମାର୍ଗ ଦେଖାନ୍ତୁ ।“ ଏତିକି କହି ସୁନ୍ଦରୀ ସ୍ଵାମୀଙ୍କର ନିକଟତ୍ତର ହେଲା । ଏତେ ନିକଟତ୍ତର ଯେ, ପରସ୍ପରର ନିଶ୍ଵାସ ପ୍ରଶ୍ଵାସ ଶରୀର ଭିତରେ ନିଶ୍ଚୟ କାମନାର ଉତ୍ତେଜନା ସୃଷ୍ଟି କରିବ ।

           



           ସୁନ୍ଦରୀର ନିବେଦନ ଶୁଣି ସ୍ଵାମୀ ରତ୍ନାନନ୍ଦ ଶିଶୁ ସୁଲଭ ହସି କହିଲେ –“ ସେବିକା ! ତୁମ ସେବାରେ ମୁଁ ଅତ୍ୟନ୍ତ ଖୁସି । ଯଦି ତୁମେ ଚାହିଁବ ମୋର ଅନେକ ଧନାଢ୍ୟ ଶିଷ୍ୟ ତୁମ ଆଗରେ ଏତେ ପ୍ରଚୁର ଦାନ କରିବେ ଯେ ଜୀବନ ସାରା ତୁମେ ସଂସାରର ସମସ୍ତ ସୁଖ ପାଇବ ।“ କିନ୍ତୁ ସୁନ୍ଦରୀର ଲାଳସା ଏତେ ଅତ୍ୟଧିକ ଥିଲା ଯେ ସେ ତା’ ଜିଦରେ ଅଟଳ ରହିଲା । ଶେଷରେ ସ୍ଵାମୀଜୀ ଉତ୍ତର ଦେଲେ –“ସେବିକା ! ତୁମେ ବୋଧେ ଜାଣି ନାହଁ କୌଣସି ସାଧୁ ଆଗରେ ଜଣେ ନାରୀ ଦେହର ମୂଲ୍ୟ ଶବସହ ସମାନ ।“ ଏତିକି କହି ସ୍ଵାମୀଜୀ ଧ୍ୟାନସ୍ଥ ହେଲେ ।

           ଏ କଥା ଶୁଣି ସମସ୍ତ ଗର୍ବ ଅହଂକାର ଭାଙ୍ଗି ଚୁରମାର ହେଲା ସୁନ୍ଦରୀର । ଏ ପ୍ରକାର ଅପମାନ ଜନକ ପରାଜୟରେ ସୁନ୍ଦରୀ ନିଜକୁ କଦାକାର ଓ କୁତ୍ସିତ ପାଇଲା । ପ୍ରତିଶୋଧର ନିଆଁରେ ଜଳି ଜଳି ସେ ପହଞ୍ଚିଥିଲା ସହରର କୁଖ୍ୟାତ ଗୁଣ୍ଡା ସନ୍ତୋଷ ତିୱାରୀ ପାଖରେ ଯିଏ ଅନେକ ଦିନ ଧରି ତା’ ପ୍ରେମ ଭିକ୍ଷା କରିଥିଲା । ସୁନ୍ଦରୀ କିନ୍ତୁ ନିଜର ଉଦ୍ଦେଶ୍ୟକୁ ଲୁଚେଇ ରଖିଲା । ଏ ଦୁନିଆରେ ସେ କାହାକୁ ବିଶ୍ଵାସ କରୁ ନଥିଲା । କେବଳ ଆଶ୍ରମର ପୋଷା କୁକୁରକୁ ଛାଡି । କଳା ଓ ଲମ୍ବା ଦେହର ପ୍ରାଣୀଟାକୁ ସୁନ୍ଦରୀ କାଳୁ ଡାକୁଥିଲା । କାଳୁର ସମସ୍ତ ଦାୟିତ୍ଵ ସେ ନେଇଥିଲା ଓ ତା’ ସହ ଦୁଃଖସୁଖ ବାଣ୍ଟୁଥିଲା । ଯେହେତୁ କାଳୁ ମଣିଷ ଭଳି ସ୍ଵାର୍ଥପର, ଧୋଖାବାଜ ଓ ଉଦଣ୍ଡ ନଥିଲା ।

           ସନ୍ତୋଷ ତିୱାରୀ ସୁନ୍ଦରୀକୁ ନିଜ ବାହୁରେ ସେତେବେଳେ ତୋଳି ଧରିଲା ଯେତେବେଳେ ସୁନ୍ଦରୀ କହିଲା –“ସନ୍ତୋଷ ,ତୁମେ ଗୁଣ୍ଡା ହେଲେ କ’ଣ ହେବ। ତୁମର ମୋ ପ୍ରତି ସମର୍ପଣ ଭାବ ଓ ଗଭୀର ଭଲପାଇବା ଦେଖି ମୁଁ ତୁମକୁ ଭଲପାଇ ବସିଛି । କିନ୍ତୁ ମୋତେ ସମୟ ଟିକେ ଦରକାର ତୁମ ପ୍ରତି ସଂପୂର୍ଣ୍ଣ ସମର୍ପଣ ହେବା ପାଇଁ । କାରଣ ଆଶ୍ରମର ଜୀବନ ମୁଁ ଭୁଲିବାକୁ ଚାହୁଁଛି ।“

           ସନ୍ତୋଷ କେବଳ ଅସାମାଜିକ ନଥିଲା ବରଂ ଚରିତ୍ରହୀନ, ସ୍ଵାର୍ଥପର ଓ ଲମ୍ପଟ ପୁରୁଷ ଥିଲା । ବନ୍ଦୁକ, ସୁରା ଓ ସୁନ୍ଦରୀ ସହ ପ୍ରତ୍ୟକ ରାତ୍ରୀ ତା’ର ବିତୁଥିଲା । କିନ୍ତୁ ସୁନ୍ଦରୀକୁ ଏ ସବୁ ଛାଡିଦେବାକୁ ପ୍ରତିଶ୍ରୁତି ଦେଲା । ସମୟ କ୍ରମେ ସୁନ୍ଦରୀ ନିଜର ପ୍ରେମକଳାରେ ଏମିତି ବୁଡେଇ ରଖିଲା ଯେ ଆଦେଶ ପାଇବା ମାତ୍ରେ ସନ୍ତୋଷ ସ୍ଵାମୀ ରତ୍ନାନନ୍ଦଙ୍କୁ ହତ୍ୟାକାରୀ ନଦୀକୁ ଫିଙ୍ଗିଦେଲା । ଆଶ୍ରମର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ଉପରେ ଅଧିକାର ହେଲା ସନ୍ତୋଷ ଓ ସୁନ୍ଦରୀର ।

           ସୁନ୍ଦରୀ ଯେଉଁଥି ପାଇଁ ଗାଁ ଛାଡିଥିଲା ତା’ର ସମସ୍ତ ଇଚ୍ଛା ପୂରଣ ହୋଇଥିଲା । ସମ୍ପତ୍ତି, ସାମାଜିକ ସୁରକ୍ଷା, ପ୍ରତିପତ୍ତି ସବୁ କିଛି ସେ ପାଇଥିଲା । ସେ ଚାହିଁଲା ଅସଭ୍ୟ, ଦିଗହୀନ, ଚରିତ୍ରହୀନ ଜୀବନକୁ ଛାଡି ଆଶ୍ରମରେ ସୁନ୍ଦର ଘରଟିଏ କରିବ ଏବଂ ଶେଷ ଜୀବନ ବିତେଇବ ସନ୍ତୋଷ ସାଙ୍ଗରେ । ସନ୍ତୋଷର କିନ୍ତୁ ଭିନ୍ନ ଥିଲା ସ୍ଵପ୍ନ ଓ ଭିନ୍ନ ଥିଲା ଜୀବନ । ଆଶ୍ରମର ଜମି ଉପରେ ଏକ ପଞ୍ଚତାରକା ହୋଟେଲ କରି ଏ ସହରକୁ ରାଜ କରିବାକୁ ଚାହୁଁଥିଲା । କିନ୍ତୁ ଦରକାର ଥିଲା ପ୍ରଚୁର ଅର୍ଥ । ମନ୍ତ୍ରୀ ରାମଲାଲ ଶେଠ ରାଜିହେଲେ ଫାଇନାନ୍ସ ପାଇଁ । ସୁନ୍ଦରୀର ଦେହ ପ୍ରତି ସନ୍ତୋଷର ଆକର୍ଷଣ କମି ଯାଇଥିଲା ।

           ଦିନେ ନିଜେ ସନ୍ତୋଷ ସୁନ୍ଦରୀକୁ ନେଇ ପହଞ୍ଚିଥିଲା ରାତ୍ରୀ ଭୋଜନ ପାଇଁ ମନ୍ତ୍ରୀଙ୍କ ଫାର୍ମ ହାଉସ । କାମର ବାହାନା କରି ସନ୍ତୋଷ ତିୱାରୀ ବାହାରିଗଲା ଅଳ୍ପ ସମୟ ପରେ ଫେରି ଆସିବାର କଥା ଦେଇ । ସୁନ୍ଦରୀକୁ ଏକୁଟିଆ ପାଇ ମନ୍ତ୍ରୀ ରାମଲାଲ ହେଲା କାମାତୁର । ସୁନ୍ଦରୀ ନିଜ ଶାଢୀକୁ ମନ୍ତ୍ରୀ ହାତରୁ ଛଡେଇବାକୁ ଯାଇ ଧକ୍କା ଦେଲା ଏବଂ ଧମକ ଦେଲା -ସେ ସନ୍ତୋଷ ତିୱାରୀର ବାକଦତ୍ତା । ସନ୍ତୋଷ ଜାଣିଲେ ଅନର୍ଥ ହେଇଯିବ । ମନ୍ତ୍ରୀ ଏକଥା ଶୁଣି ତାତ୍ସଲ୍ୟ ଭରା ହସ ହସି କହିଲା –“ସୁନ୍ଦରୀ, ଯେଉଁ ସନ୍ତୋଷ ପାଇଁ ତୁ ତୋ ଦେହକୁ ସାଇତିଛୁ ,ସେଇ ସଇତାନ ତୋତେ ବିକିଛି ପଚାଶ କୋଟି ବଦଳରେ ।“

           ସୁନ୍ଦରୀର ସ୍ଵପ୍ନ ପୁଣିଥରେ ଚୁରମାର ହେଲା । ତେବେ ସନ୍ତୋଷ ତିୱାରୀ ତା’ ଦାନର ପ୍ରତିଦାନ ଶେଷରେ ଏଇୟା ଦେଲା । ତାକୁ ବେଶ୍ୟା ପରି ବିକିଦେଲା । ଯେଉଁ ଦେହକୁ ନେଇ ସେ ଗାଁ ଛାଡିଥିଲା, ସେ ଦେହ ନ ସ୍ଵାମୀ ରତ୍ନାନନ୍ଦଙ୍କ ସଂଯମତା ଭାଙ୍ଗିପାରିଲା , ନ ସନ୍ତୋଷକୁ ଗୋଟେ ଭଲ ମଣିଷ କରିପାରିଲା । ନିଜ ପ୍ରତି ଘୃଣା ହେଲା ଯେମିତି ତା’ର । ସେ ଜାଣି ପାରିଲା ଯେ ପୁରୁଷ ଆଗରେ ତା’ ଦେହର ମୂଲ୍ୟ କେବଳ କାମାଗ୍ନୀର ପଦାର୍ଥ ।

           କ୍ଷଣମାତ୍ର ଅପେକ୍ଷା ନ କରି ସେ ଧାଇଁଲା ସେ ଜଙ୍ଗଲ ଆଡକୁ । ମନ୍ତ୍ରୀ ରଡି ଛାଡିଲା । ପାଟି ଶୁଣି କିଛି ଭଡାଟିଆ ଗୁଣ୍ଡା ଧାଇଁଲେ । କିଛି ଗୁଳି ଫୁଟିବାର ଶବ୍ଦ ମଧ୍ୟ ଶୁଣାଗଲା । ସୁନ୍ଦରୀ ପଛରେ ଧାଇଁଲା କାଳୁ ଭୋ ଭୋ ରଡି ଛାଡି । ଦୁହେଁ ଜୀବନକୁ ବଞ୍ଚାଇବାକୁ ଯାଇ ଲୁଚିଲେ ଭଙ୍ଗାପୋଲ ତଳେ । ପେଟରେ ଗୁଳି ବାଜିବା ପରେ ଆଉ ଧାଇଁବାର ଶକ୍ତି ନଥିଲା ସୁନ୍ଦରୀ ପାଖରେ ।

           କାଳୁର ଭୋକିବାର ଶବ୍ଦରେ ଆଖି ଖୋଲିବାକୁ ଚେଷ୍ଟା କଲା ସୁନ୍ଦରୀ । ପାଦ ଦୁଇଟା ଅଣ୍ଟା ତଳ ଦେହର ଅଙ୍ଗ ଯେମିତି ପଥର ପାଲଟିଛି । ଆଉ ଘୁଞ୍ଚି ପାରିବନି ଏ କଥା ବୁଝିଲା ସେ । ଅତ୍ୟଧିକ ରକ୍ତ ଦେହରୁ ବହିଯାଇଛି । ତାକୁ ମନେ ପଡିଲା ତା ଗାଁ , ମା ବାପା, ଭାଇ ଭଉଣୀ ଆଉ ସାଙ୍ଗସଙ୍ଗୀ । ସେ ଜାଣିପାରିଲା ଜୀବନର ଅନ୍ତିମ ସମୟ ଆସିଯାଇଛି ।

           କାଳୁ ସୁନ୍ଦରୀର ବନ୍ଦ ଆଖିକୁ ଦେଖି ତା’ ଗାଳକୁ ଚାଟେଇଲା ଓ ଭୋ ଭୋ କରି ଭୁକିବାରେ ଲାଗିଲା । ସୁନ୍ଦରୀ ବୁଝି ପାରୁଛି ଯେ କାଳୁ ତା’ କଷ୍ଟରେ କାନ୍ଦୁଛି ।

           “କାଳୁରେ ! ଯେଉଁ ଦେହ ନେଇ ଗାଁରୁ ବାହାରି ଥିଲି ସାଧୁ ରତ୍ନାନନ୍ଦ ଆଗରେ ଥିଲା ଶବ ସଦୃଶ । ଯାହାଠୁ ଭଲପାଇବା ଓ ସ୍ତ୍ରୀତ୍ଵର ସମ୍ମାନ ଆଶା କରିଥିଲି ସେହି ବେଇମାନ ସନ୍ତୋଷ ତୀୱାରୀ ଆଗରେ ମୋ ଦେହ କେବଳ ଥିଲା କାମନାର ଖୋରାକ । ମୁଁ ଆଉ ବଞ୍ଚିବିନି । ମୋ ପ୍ରାଣ ବାୟୁ ଛାଡି ଛାଡି ଯାଉଛି । ତୁ ପଶୁ ହେଲେ କଣ ହେଲା । ଏତେ ବଡ ସଂସାରରେ ତୁ ହିଁ ମୋର ସଖା ସହୋଦର । ଏ ଦେହ ପାଇଁ କାଠ ଖଣ୍ଡେ ଦେଲା ଭଳି ଆତ୍ମୀୟଟେ ଅର୍ଜନ କରି ପାରିଲି ନାହିଂ । ମୋର ଶେଷ କଥା ରଖିବୁ ?”

           କାଳୁ ଲାଙ୍ଗୁଡ ହଲେଇଲା । ନିଜ ଆଗ ଗୋଡ ଉଠେଇ ସୁନ୍ଦରୀର ବକ୍ଷକୁ ଆଊଁସିଲା ।

           “କାଳୁ ! ତୋତେ ମୁଁ ବୁଝି ପାରୁଛି । ତୁ ସିନା ମୋ ଭଳି କଥା କହି ପାରୁନୁ । ହେଲେ ମୋ ଶେଷ କଥା ରଖିବାକୁ ରାଜି ହେଇଛୁ । ମୋ ଶବକୁ ଶାଗୁଣା , ଶାର୍ଦୁଳ ,ବିଲୁଆ ଟାଣି ଓଟାରି ଚିରି ଖାଇବା ପୂର୍ବରୁ ତୁ ମୋ ଦେହକୁ ଖାଇ ଦେବୁ । ଯେଉଁ ଦେହକୁ ନେଇ ମୁଁ ସୁଖର ସ୍ଵପ୍ନ ଦେଖିଥିଲି ଆଜି ସେହି ଦେହ ସବୁଠି ଅକାମୀ । କେଉଁଠି ଅଲୋଡା ଶବ ତ କେଉଁଠି କାମନାର ନିଆଁ । ତୁ ଯଦି ଖାଇବୁ ଭାବିବି ଏ ଦେହ କାହାର କାମରେ ଆସିଲା ।“

           ଏତିକି ଶୁଣୁ ଶୁଣୁ କାଳୁ କୁଉଁ କୁଉଁ ହେଇ ମୁଣ୍ଡ ପୋତିଲା । ତା ଆଖିରେ ବି ଲୁହ, କିନ୍ତୁ ସୁନ୍ଦରୀ ଆଉ ଦେଖି ପାରିଲା ନାହିଂ ।

ପ୍ରାଣବାୟୁ ଉଡିଯିବା ବେଳକୁ ସେ ଜାଣିପାରୁଥିଲା କାଳୁ ତା ଦେହକୁ ଜଗି ରହିଲା ସିନା ଖାଇଲା ନାହିଂ । ସୁନ୍ଦରୀ ବୁଝି ପାରିଲା ନାହିଂ କେମିତି ଯେ ବିଶ୍ଵସ୍ତ କୁକୁର କେବେ ବି ତା ମାଲିକକୁ କଷ୍ଟ ଦିଏ ନାହିଂ । ଟାଣି ଓଟାରି ଖାଇବା ତ ଦୂରର କଥା ।

           ଚାରିଆଡେ ନିଶବଦ ଓ ଅନ୍ଧାର । ସୁନ୍ଦରୀ ଦେହତ୍ୟାଗ କରିସାରିଥିଲା । କାଳୁ ଏକ ଲମ୍ବା ରାହାଧରି ଭୋକିଲା । ତା’ ସ୍ଵର ଶୁଣି ଆଖ ପାଖ ଅନେକ ଶ୍ଵାନ ରାହାଧରି ଭୋକିଲେ । ଭଙ୍ଗାପୋଲରୁ ସେ ଆର୍ତ୍ତନାଦ ବାହାରି ଜଙ୍ଗଲ ସାରା ଏକ କାଳରାତ୍ରୀର ବାତାବରଣ ସୃଷ୍ଟି କରୁଥିଲା । କିଏ ବି ନ ଦେଖି ପାରିଲେ କାଳୁ ସୁନ୍ଦରୀର ନିଶ୍ଚଳ ଶରୀରକୁ ଦେଖି ପାରୁଥିଲା ।  



Rate this content
Log in

More oriya story from Bhagirathi Behera

Similar oriya story from Tragedy