SWAGAT MISHRA

Romance Crime

4.8  

SWAGAT MISHRA

Romance Crime

ଅଭିଶପ୍ତ ଜୀବନ

ଅଭିଶପ୍ତ ଜୀବନ

29 mins
567


   ଯୌବନକୁ ଅତିକ୍ରମ କରି ବୟସର ଅପରାହ୍ନରେ ଆସି ଉପନୀତ ହେବା ପରେ ଜୀବନ ଦାସର ମନ ପୁଣିଥରେ ପଛକୁ ଫେରି ଯିବାକୁ ଇଛା କରିଛି । ଅତୀତର ସବୁ ସ୍ମୃତି ଆଜି ସତେଜ ହୋଇଯାଇଛି, ମନର ଭାବନା ସହିତ ଜୀବନ ଫେରି ଯାଇଛି ତା' କଲେଜ ସମୟକୁ । ସାଙ୍ଗସାଥି ମେଳରେ ଦିନସବୁ କେମିତି କଟୁଥିଲା କିଛି ଜଣା ପଡୁନଥିଲା । ଅଦିନିଆ ମେଘ ହୋଇ ତା' ଜୀବନକୁ ଆସିଥିଲା ସୁନୀତା । ନିଜ ପ୍ରେମର ବର୍ଷାରେ ଭିଜେଇ ଦେଇଗଲା କିଛିକ୍ଷଣ ପାଇଁ । ସେ ଯେମିତି ଆସିଥିଲା ଅତିଥି ହୋଇ, ଠିକ୍ ସେମିତି ଅନ୍ତର୍ଦ୍ଧାନ ହେଇଗଲା ମୁହୂର୍ତ୍ତକ ମଧ୍ୟରେ । କଲେଜ ପଢା ପରେ ଜୀବନ ସଂପୂର୍ଣ୍ଣ ଏକା ହୋଇଯାଇଛି । ସୁନୀତା ତା' ଜୀବନରୁ ଗଲା ପରେ ସେ ଆଉ କୌଣସି ଝିଅକୁ ମୁହଁ ଉଠାଇ ଚାହିଁନାହିଁ । ସାଙ୍ଗସାଥି ସମସ୍ତଙ୍କୁ ଦୂର କରି ଚାଲିଆସିଛି ଏକ ନୂଆ ସହରକୁ ନିଜ ଭବିଷ୍ୟତର ଲକ୍ଷ୍ୟରେ । ଘର ସଂସାର ପ୍ରତି କେବେ ବି ମନ ବଳାଇନାହିଁ । ଆଜି ୪୦ବର୍ଷ ବୟସ ବିତିଗଲା ପରେ ମଧ୍ୟ ଏକା ରହିବାର ନିଷ୍ପତ୍ତିରେ ସେ ପାହାଡ ସଦୃଶ ଦୃଢମନା ହୋଇ ରହିଛି । ନିଜ ସ୍ଵାଧୀନରେ ବଞ୍ଚିରହି ମୁକ୍ତ ଆକାଶରେ ଉଡିବୁଲେ, କେବେ ଥକିପଡ଼ିଲେ ବୁଲି ଆସେ ସହର ପ୍ରାନ୍ତରେ ଥିବା ଏଇ ଛୋଟ ପାର୍କକୁ ।

    ଜୀବନ ନିଜ ଅତୀତକୁ ସବୁଦିନ ଲାଗି ଭୁଲିବାକୁ ଚେଷ୍ଟା କରି ସେଥିରେ ବିଫଳ ହୋଇଛି; କିନ୍ତୁ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ସଫଳତା ଶୀର୍ଷରେ ପାଦ ଦେଇଛି । ପାର୍କକୁ ଆସିବା ତା' ପାଇଁ ନୂଆ ନୁହେଁ, ତଥାପି ସବୁଦିନ ଠାରୁ ଆଜି କାହିଁକି ଭିନ୍ନ ଲାଗୁଥିଲା । ସାମ୍ନାରେ ବସିଥିବା ପ୍ରେମୀଯୁଗଳଙ୍କୁ ଦେଖି ଯେତିକି ଖୁସିହେଉଥିଲା ତାଠାରୁ ଅଧିକ ଈର୍ଷାନ୍ୱିତ ହେଉଥିଲା । ସେମାନଙ୍କ ଭଳି ତା'ର ଯଦି କେହି ଜଣେ ନିଜର ବୋଲି ଥା'ନ୍ତା, ତେବେ ତା' ସୁଖଦୁଃଖର ସାଥିହୋଇପାରନ୍ତା । ହେଲେ କଣ ହେବ ନିଜ ଜିଦି ଆଉ ପ୍ରତିଜ୍ଞା ଆଗରେ ଏ ଖୁସି ସବୁ ତା' ଲାଗି ସ୍ୱପ୍ନ ଭଳି ମନେ ହୁଏ । ନିଃସଙ୍ଗତାର ଭୂତ ଯେତେବେଳେ ମଣିଷକୁ କବଳିତ କରିନିଏ ତା' ଠାରୁ ମୁକ୍ତହେବାର ବିଭିନ୍ନ ପନ୍ଥା ସେ ଅବଲମ୍ବନ କରିନିଏ, ସେତେବେଳେ ସେ ଅନୁଭବ କରେ ଆପଣାର ଆବଶ୍ୟକତାକୁ । ଜୀବନର ଦୀର୍ଘ ଚଲାପଥକୁ ଅତିକ୍ରମ କରିବା ପାଇଁ କେହି ଜଣେ ସାଥୀ ଦରକାର । ଯେଉଁ କଥାକୁ ଜୀବନ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲା ସେହି କଥା ହିଁ ତା' ମନକୁ ଆନ୍ଦୋଳିତ କରୁଛି । ସବୁଥର ଭଳି ଏଥର ବି ସେ ଆସିଛି ଭାରାକ୍ରାନ୍ତ ମନକୁ ହାଲକା କରିବା ପାଇଁ, ହେଲେ ତା' ମନ ଭିତରେ କଣ ସବୁ ଘଟିଯାଉଛି ସେ ନିଜେ ବି ବୁଝି ପାରୁନଥିଲା । ଏମିତି ଲାଗୁଥିଲା କି ତା' ପ୍ରତିଜ୍ଞା ଆଗରେ ସେ ହାରି ଯାଉଛି । ନିଜର ଅସହାୟତାକୁ ନେଇ ଜୀବନ ବଞ୍ଚିବା ତାକୁ ଦୁର୍ବିସହ କରିଦେଉଥିଲା । ତେଣୁ କ୍ଷଣେ ମଧ୍ୟ ଅପେକ୍ଷା ନକରି ଝଡ଼ ବେଗରେ ପାର୍କରୁ ବାହାରି ଆସିଲା ।

   ସନ୍ଧ୍ୟା ସମୟରେ ଘରକୁ ଫେରୁଥାଏ ଜୀବନ ନିଜ ପୁରୁଣା ମୋଟର ସାଇକେଲରେ, ଆସିବା ବାଟରେ ପଡୁଥିବା ନଦୀପୋଲରେ କିଛି ସମୟ ଠିଆ ହୋଇ ସିଗାରେଟ୍ ଟାଣୁଥାଏ । ନଦୀକୂଳର ଥଣ୍ଡା ପବନ ସହିତ ସିଗାରେଟର ଗରମ ଧୁଆଁ ମିଶି ଜୀବନର ମନକୁ ଉଡାଇ ନେଉଥିଲେ ଏକ ଭିନ୍ନ ରାଇଜକୁ । ହଠାତ୍ ଏକ ମହିଳା କାନ୍ଦି କାନ୍ଦି ଆସି ପୋଲ ଉପରୁ ଡେଇଁପଡି ଆତ୍ମହତ୍ୟା କରିବାକୁ ଯାଉଥିବା ସମୟରେ ଜୀବନର ନଜର ପଡିଥିଲା ତାଙ୍କ ଉପରେ । କାଳ ବିଳମ୍ବ ନକରି ସେ ଟାଣି ଆଣିଲା ମହିଳାଙ୍କୁ, କିନ୍ତୁ ମହିଳାଙ୍କର ଗୋଟିଏ ଜିଦ୍ ସେ ଆଉ ବଂଚିବାକୁ ଚାହାନ୍ତି ନାହିଁ । ଆତ୍ମହତ୍ୟା କରିବାକୁ ଶେଷ ନିଷ୍ପତ୍ତି ଭାବେ ଗ୍ରହଣ କରିନେଇଛନ୍ତି ।

    ଅପରିଚିତ ମହିଳାଙ୍କ ବ୍ୟକ୍ତିଗତ ଜୀବନକୁ ବିନା ଅନୁମତିରେ ନିଜକୁ ସାମିଲ୍ କରିବାକୁ ଇଛା ନଥିଲା ଜୀବନ ଦାସର ।ମାନବିକତା ବୋଲି କିଛି ଅଛି ନା ନାହିଁ । ମହିଳା ଜଣକ କହିଲେ ବୋଲି ସେ କଣ ତାଙ୍କୁ ଆତ୍ମହତ୍ୟା କରିବାକୁ ଛାଡ଼ିଦେଇ ଚାଲିଆସିଥା'ନ୍ତା କି ? ମହିଳାଙ୍କ ଉପରେ ଭଲ କରି ଥରେ ନଜର ପକାଇ ଆଣିଲା ଜୀବନ । ତାଙ୍କ ବେଶ ପରିପାଟୀରୁ ଲାଗୁଥିଲା ସେ ବେଶ୍ ନିରିହ ଆଉ ସରଳ । ଭାବଭଙ୍ଗୀରୁ ଜଣାପଡୁଥାଏ ମହିଳା ଉଚ୍ଚ ଶିକ୍ଷିତ ନହୋଇଥିଲେ ବି ଅଶିକ୍ଷିତ ମଧ୍ୟ ନୁହନ୍ତି । ପାଟି ଫିଟାଇ କିଛି କହିବା ଆଗରୁ ମହିଳାଙ୍କର ଦୁଃଖ ଦୁର୍ଦ୍ଦଶାର ଚିତ୍ର ଆଙ୍କୁଥିଲା ଜୀବନ ନିଜ ମନ ଭିତରେ । ସତରେ ଏ ଦୁନିଆ କେତେ ରହସ୍ୟମୟ । ଏଠି ଜୀବନ ନେଇ ବଂଚିବା ଯେତିକି କଷ୍ଟ, ମୃତ୍ୟୁ ବୋଧହୁଏ ତାଠାରୁ ଅଧିକ ସହଜ ଆଉ ଆନନ୍ଦପ୍ରଦ । ତା ନହୋଇଥିଲେ କେହି କଣ ନିଜର ମୂଲ୍ୟବାନ ଜୀବନକୁ ଏପରି ଭାବରେ ଜଳାଞ୍ଜଳି ଦେଇପାରେ ? ମହିଳାଙ୍କୁ ଦେଖିବା ପରଠାରୁ ଜୀବନ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ । ମନର ସମସ୍ତ ସନ୍ଦେହ ଦୂର କରିବା ଉଦ୍ଦେଶ୍ୟରେ ଜୀବନ ପାଟି ଫିଟାଇ ପଚାରିଲା-

" ଆପଣଙ୍କ ନାଁ କଣ ? "

ଜୀବନର ପ୍ରଶ୍ନ ଶୁଣି ମହିଳା ଜଣକ କାନ୍ଦି କାନ୍ଦି କହିଲେ " ମୁଁ ମଂଜରୀ ମହାପାତ୍ର । "

ବାସ୍, ଏଇ ନାମରୁ କାହାର ସମସ୍ତ ପରିଚୟ କଣ ମିଳିପାରେ ? ସବୁ କଥା ଏଠାରେ ପଚାରିବା ଉଚିତ୍ ମନେ ହେଉନଥାଏ । ଯେହେତୁ ସଂନ୍ଧ୍ୟା ଅତିକ୍ରମ କରି ରାତ୍ରି ହୋଇଗଲାଣି ସେ ସ୍ଥାନ ନିର୍ଜନ ଲାଗୁଥାଏ । ଆଗପଛ କିଛି ବିଚାର ନକରି ଜୀବନ ନିଜ ଗାଡ଼ିରେ ବସାଇ ସ୍ୱଗୃହକୁ ନେଇ ଆସିଲା । 

     ଜୀବନ ରହୁଥିବା ଅଂଚଳରେ ସମସ୍ତଙ୍କ ସହ ଭଲ ଭାବରେ ପରିଚିତ ହୋଇସାରିଥିଲା । ଦର୍ଶନ ବିଭାଗର ଅଧ୍ୟାପକ ଭାବରେ ନିକଟସ୍ଥ କଲେଜରେ ପାଠ ପଢାଏ । ପରିବାର କହିଲେ ବୁଝାଏ ଜୀବନ ଦାସ ଆଉ ତାର କିଛି ଦର୍ଶନଶାସ୍ତ୍ରର ମୋଟା ମୋଟା ପୁସ୍ତକ । କଲେଜରୁ ଫେରି ଆସିବା ପରେ ଅଧିକାଂଶ ସମୟ ବହିମାନଙ୍କ ଗହଣରେ ବିତିଯାଏ । ବହି ପଢୁଥିବା ସମୟରେ କେତେବେଳେ ରାତି ପାହି ସକାଳ ହୁଏ ଆଉ କେତେବେଳେ ଦିନ ସରିଯାଇ ରାତି ଆସେ କିଛି ଜାଣି ପାରେ ନାହିଁ ଜୀବନ ଦାସ । କେବଳ ସେ ଏକା ନୁହେଁ ଏସବୁ ସହିତ ପାଖ ପଡ଼ୋଶୀମାନେ ବି ଅଭ୍ୟସ୍ତ ହୋଇଯାଇଥିଲେ । ଜରୁରୀ କାମ ନଥିଲେ ତାକୁ ବାହାରେ ବୁଲିବା କିମ୍ବା କାହା ସହିତ ଖୁସିଗପ କରିବାର କେହି ଦେଖି ନାହାନ୍ତି ।

    ବେଳେବେଳେ କଲେଜର କିଛି ସହକର୍ମୀ ବନ୍ଧୁମାନେ ଆସନ୍ତି ଦର୍ଶନଶାସ୍ତ୍ର ସମ୍ବନ୍ଧରେ ଆଲୋଚନା କରିବା ପାଇଁ । ଯଦି ମନ କେବେ ଭାରାକ୍ରାନ୍ତ ହୋଇଯାଏ, ତେବେ ସେହି ପାର୍କରେ ଘେରାଏ ବୁଲି ଆସେ କିମ୍ବା ସିଗାରେଟର ଧୂଆଁ ସହିତ ନିଜର ଚିନ୍ତା ସବୁକୁ ଶୂନ୍ୟରେ ଉଡାଇ ଦିଏ । 

   ମଂଜରୀଙ୍କୁ ନିଜ ଘରକୁ ନେଇ ଆସିଲା ଜୀବନ। ଘର କହିଲେ ବୁଝାଏ ସେ ଭଡ଼ାରେ ରହୁଥିବା ଛୋଟ ଛୋଟ ୩ ବଖରାର ସମଷ୍ଟି । ବୈଠକ ଗୃହ, ରୋଷେଇ ଗୃହ ଆଉ ଗୋଟିଏ ଶୋଇବା ଗୃହ । ବୈଠକ ବଖରାଟି ସବୁଠାରୁ ବଡ ଥାଏ । ତା ମଧ୍ୟରେ ୭ ଟି କାଠର ଆଲମାରୀ, ସବୁଥିରେ ବହି ପୂର୍ଣ୍ଣ ହୋଇ ରହିଥାଏ । ପଢ଼ିବା ନିମନ୍ତେ ଖଣ୍ଡିଏ ଚୌକି ଆଉ ଟେବୁଲ । ଟେବୁଲ ଉପରେ ଥାଏ ପେନ୍ ରଖିବା ଷ୍ଟାଣ୍ଡଟିଏ ଆଉ ସେଥିରେ କେତୋଟି ପେନ୍ ମଧ୍ୟ ଥାଏ, ତା ସହିତ କେତୋଟି ସମ୍ବାଦପତ୍ର ଆଉ କିଛି ପତ୍ରିକା । ଅତିଥିଙ୍କ ପାଇଁ ପଡିଥାଏ ଗୋଟିଏ ସୋଫା ସେଟ୍ । ସମୁଦାୟ ଆସବାବପତ୍ର କହିଲେ ମାତ୍ର ଏତିକି । ଘରର ସମ୍ପତ୍ତି କହିଲେ ବହି ପୂର୍ଣ୍ଣ ଥିବା ଆଲମାରୀଗୁଡିକୁ ବୁଝାଏ । ମଂଜରୀଙ୍କୁ ସୋଫାରେ ବସାଇ କଫି ପ୍ରସ୍ତୁତ କରିବାକୁ ଭିତରକୁ ଚାଲିଗଲା ଜୀବନ । କଫି ପିଇବା ଜୀବନର ନିତିଦିନିଆ ଅଭ୍ୟାସ । ବହି ପଢିବା ଯେମିତି ତାର ସଉକ୍ କଫି ଆଉ ସିଗାରେଟ୍ ସେମିତି ଅନ୍ୟ ଏକ ସଉକ୍ ଥାଏ । ଘର ଭିତରେ ଆଉ କାହାର ବି ପାଟି ଶୁଣାଯାଉ ନଥିବାରୁ ମଂଜରୀ ବସି ବସି ମନରେ ଅନେକ କଥା ଭାବୁଥାନ୍ତି । ବନ୍ୟା ସୁଅରେ ଭାସିଯାଉଥିବା ପିମ୍ପୁଡ଼ି ପାଇଁ ଶୁଖିଲା ପତ୍ର ହେଉ କି କୁଟାଖଣ୍ଡେ ସାହାରା ପାଲଟିଯାଏ । ମରଣ ମୁହଁରୁ ଫେରାଇ ଆଣିଥିବାରୁ ଜୀବନ ଦାସକୁ ଭଲରେ ନଚିହ୍ନି ତା ସହିତ ଘରକୁ ଚାଲିଆସିଛନ୍ତି । ଜୀବନ କଫି ବନେଇବା ସମୟରେ ମଂଜରୀ ଘର ସବୁ ବୁଲି ଦେଖିଲେ, କେଉଁଠାରେ ବି ଅନ୍ୟ କାହାର ଦେଖା ଦର୍ଶନ ନାହିଁ । ଅଜଣା ପୁରୁଷ ସହିତ ଚାଲି ଆସିଲେ ମାତ୍ର ଘରଟାରେ ଏକୁଟିଆ ପୁରୁଷକୁ ଦେଖି ମନରେ ଶଙ୍କା ଥିଲେ ବି ସାହସର ସହିତ ବସିଥାନ୍ତି । ଅପରିଚିତ ମଣିଷ ପ୍ରତି ସମସ୍ତଙ୍କର ଏପରି ସନ୍ଦେହ ରହିଥାଏ । ଜୀବନ କଫି ଆଣି ଗୋଟିଏ କପ୍ ମଂଜରୀଙ୍କୁ ଦେଇ ନିଜେ ପିଇବା ଆରମ୍ଭ କଲା । ମହିଳାଙ୍କ ହାବଭାବ ଦେଖି ଜୀବନ ବେଶ୍ ବୁଝିପାରୁଥିଲା ଯେ, ସେ ନିଜକୁ ଏଠାରେ ସହଜ ମନେ କରିପାରୁନଥଲେ । ସାହାଯ୍ୟ କରିଥିବା ବ୍ୟକ୍ତିଟି ଯଦି ବିଶ୍ୱସ୍ତ ନଥାଏ, ତା ପ୍ରତି ମନରେ ସନ୍ଦେହ ସୃଷ୍ଟି ହେବା କିଛି ନୂଆ ନୁହେଁ । ମଂଜରୀ ପାଟି ଫିଟାଇ କିଛି ପଚାରିବା ଆଗରୁ ଜୀବନ ନିଜର ପରିଚୟ ଦେବାକୁ ଯାଇ ଉନ୍ମୁକ୍ତ କରିଥିଲା ତା ଅତୀତର ପୃଷ୍ଠାସବୁ । 

   "ମଂଜରୀ ମ୍ୟାଡାମ, ଆପଣ ମହାଭାରତର କର୍ଣ୍ଣ ଚରିତ୍ର ସମ୍ବନ୍ଧରେ ଅନେକ କିଛି ଜାଣିଥିବେ । ଠିକ୍ ସେମିତି ମୁଁ ହେଉଛି ଆଉ ଏକ କର୍ଣ୍ଣ । ସେଦିନ କୁନ୍ତୀଙ୍କ ସେବାରେ ମୁଗ୍ଧ ହୋଇ ଋଷି ଦୁର୍ବାସା ବର ସ୍ୱରୂପ ଗୋଟିଏ ମନ୍ତ୍ର ପ୍ରଦାନ କରିଥିଲେ । ଯେଉଁ ମନ୍ତ୍ର ବଳରେ ସେ ଯେକୌଣସି ଦେବତାଙ୍କୁ ଆବାହନ କରି ତାଙ୍କ ଠାରୁ ସନ୍ତାନ ପ୍ରାପ୍ତି ହୋଇ ପାରିବେ । ଚପଳମତି ଯୁବତୀ କୁନ୍ତୀ ମନ୍ତ୍ରର ସତ୍ୟତା ପରୀକ୍ଷା କରିବା ନିମନ୍ତେ ପ୍ରଥମେ ଆବାହନ କରିଥିଲେ ସୂର୍ଯ୍ୟଦେବତାଙ୍କୁ । କୁନ୍ତୀଙ୍କ ସ୍ମରଣ ମାତ୍ରେ ସୂର୍ଯ୍ୟ ଦେବ ଆସି ପ୍ରକଟିତ ହେଲେ । ତାଙ୍କ ଆଶୀର୍ବାଦ କ୍ରମେ କୁମାରୀ କୁନ୍ତୀ ଅନ୍ତଃସତ୍ତ୍ଵା ହୋଇଥିଲେ । ବିବାହ ପୂର୍ବରୁ ଯୁବତୀ ଗର୍ଭବତୀ ହେଲେ ତାକୁ ଅନେକ ଲାଞ୍ଛନା ସହ୍ୟ କରିବାକୁ ପଡିଥାଏ । ଚରିତ୍ରରେ କଳଙ୍କର କାଳିମା ବୋଳିହେଇଯାଏ । କଳଙ୍କର ଟୀକାଧାରଣ କରି କୁନ୍ତି ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଯିଏ ପରବର୍ତ୍ତୀ ସମୟରେ ବୀରକର୍ଣ୍ଣ ନାମରେ ପରିଚିତ ହୋଇଥିଲେ । ଶିଶୁପୁତ୍ରକୁ ପିତା ସୂର୍ଯ୍ୟଦେବଙ୍କ ଠାରୁ ଉପହାର ସ୍ଵରୂପ ମିଳିଥିଲା କବଚ ଆଉ କୁଣ୍ଡଳ । ଲୋକନିନ୍ଦା ଓ ଲୋକଅପବାଦକୁ ଡରି ମାତା କୁନ୍ତୀ ନବଜାତ ପୁତ୍ର ସନ୍ତାନକୁ ଗଙ୍ଗା ନଦୀର ଅବବାହିକାରେ ଭସାଇଦେଲେ । "

   "କଥାରେ ଅଛି - ରଖିଲେ ହରି ମାରିବ କିଏ । ଯିଏ ଭାଗ୍ୟବନ୍ତ ଭାବରେ ଜନ୍ମ ହୋଇଛି, ତାକୁ କାଳ କିପରି ସ୍ପର୍ଶ କରିବ । ଯାହାର କପାଳରେ ରାଜସିଂହାସନ ଲାଭ କରିବା ଲେଖାଅଛି, ସେ କିପରି ଜଳରେ ବୁଡ଼ିବ । ଭାଗ୍ୟଦେବୀଙ୍କ ଅପାର କରୁଣାରୁ କର୍ଣ୍ଣଙ୍କ ଜୀବନ ରକ୍ଷା ହୋଇଥିଲା । ନଦୀର ନିମ୍ନଭାଗରେ ରାଜାଙ୍କ ଅଶ୍ୱକୁ ପାଣିପିଆଉଥିବା ବେଳେ ଜଳରେ ଭାସିଯାଉଥିବା କବଚ, କୁଣ୍ଡଳଧାରୀ ଦିବ୍ୟ ବାଳକ ଉପରେ ନଜର ପଡିଲା ଅଧିରଥଙ୍କର । ଅଧିରଥ ନିଃସନ୍ତାନ ଥିବାରୁ ଶିଶୁପୁତ୍ରକୁ ନଦୀଗର୍ଭରୁ ଉଦ୍ଧାର କରି ଟେକିଦେଲେ ଧର୍ମପତ୍ନୀ ରାଧାଙ୍କ ହାତରେ । ସନ୍ତାନଟିଏ ନଥିଲେ ମାତୃହୃଦୟ କେତେ ଯେ ବ୍ୟାକୁଳିତ ହୁଏ, ତାହା କେବଳ ଜଣେ ମାଆ ହିଁ ଜାଣି ପାରିବ । ପ୍ରତ୍ୟେକ ନାରୀର ପୂର୍ଣ୍ଣତା ପ୍ରାପ୍ତ ହୁଏ ମାତୃତ୍ୱରେ । ସନ୍ତାନକୁ ନିଜ ବକ୍ଷରୁ ଅମୃତ ନିଗାଡ଼ି ଦେବାରେ ନାରୀଟି ସ୍ୱର୍ଗୀୟ ଆନନ୍ଦ ଲାଭ କରେ । ଛୋଟଶିଶୁର କୁନିଓଠରୁ ମାଆ ଡାକରେ ସେ ଚରମ ତୃପ୍ତି ଲାଭ କରେ । ସ୍ନେହ ରଙ୍କୁଣୀ ମନଟି କିପରି ଶିଶୁପୁତ୍ରକୁ ଗ୍ରହଣ କରିବାକୁ ମନା କରିପାରିଥାନ୍ତା । ଏଭଳି ଦିବ୍ୟବାଳକ ପ୍ରାପ୍ତ ହେବା ଭଗବାନଙ୍କ ବରଦାନ ନୁହେଁ ତ ଆଉ କଣ ? ସେବେ ଠାରୁ କର୍ଣ୍ଣଙ୍କ ଜୀବନ ଇତିହାସ ବଦଳିଗଲା । ଅଧିରଥ ଓ ରାଧାଙ୍କ ପରିଚୟରେ ସେ ପରିଚିତ ହେଲେ ସୁତ ପୁତ୍ର କର୍ଣ୍ଣ ନାମରେ ।"

   "ଭାଗ୍ୟର ବିଡ଼ମ୍ବନାରୁ କର୍ଣ୍ଣ ରାଜପୁତ୍ର ହେବା ପରିବର୍ତ୍ତେ ସୁତପୁତ୍ର ପାଲଟିଗଲେ । ଏଥି ନିମନ୍ତେ ଜୀବନର ପ୍ରତିଟି କ୍ଷେତ୍ରରେ ତାଙ୍କୁ ଅନେକ ଅପମାନ ଓ ଲାଞ୍ଛନା ସହିବାକୁ ପଡ଼ିଥିଲା । ମହାଭାରତ ଯୁଦ୍ଧ ହେବା ପୂର୍ବରୁ ଜୀବନର ଶେଷ ପର୍ଯ୍ୟାୟରେ କର୍ଣ୍ଣ ନିଜସ୍ଵ ପରିଚୟ ଜାଣିପାରିଥିଲେ । କଣ ପାଇଲେ ସେ ଜୀବନରେ ? କି ଦୋଷ ଥିଲା ତାଙ୍କର ? ଭୁଲ କରିବ ଜଣେ ଆଉ ଶାସ୍ତି ମିଳିବ ଅନ୍ୟ ଜଣକୁ । ଏ କେମିତି ସମାଜର ନୀତି ନିୟମ ? ନିଜକୁ ଏଥିପାଇଁ ଘୃଣା ଲାଗେ କି ମୁଁ ଏମିତି ଗୋଟିଏ ସମାଜରେ ରହୁଛି, ଯେଉଁଠି ନିଜରମାନେ ପର କରିଦିଅନ୍ତି ଆଉ ପର ବି ଅତି ଆପଣାର ପାଲଟିଯାଏ । ଠିକ୍ ମତେ ଯେମିତି ଆପଣାର କରିନେଇଥିଲେ ଆଶ୍ରମବାସୀ। । "

ମଂଜରୀ, ଜୀବନର କଥା ଶୁଣି ଆଶ୍ଚର୍ଯ୍ୟଚକିତ ହୋଇ ଚାହିଁ ରହିଥିଲେ । ନିଜ ମନ ଭିତରେ ତୁଳନା କରୁଥିଲେ କର୍ଣ୍ଣ ଓ ଜୀବନ ମଧ୍ୟରେ ଥିବା ସାମଞ୍ଜସ୍ୟ ଏବଂ ପାର୍ଥକ୍ୟକୁ । ଜୀବନ ନିଜ କାହାଣୀ କହିବା ଆରମ୍ଭ କଲା -

  " ମୋର ହେତୁ ପାଇବା ଦିନରୁ ନିଜକୁ ଆବିଷ୍କାର କରିଥିଲି ଏକ ଅନାଥଆଶ୍ରମରେ । ମୁଁ କିଏ, କଣ ମୋର ପରିଚୟ କିଛି ଜାଣିନଥିଲି । ଦୁନିଆ ଆଗରେ ପରିଚିତ ହୋଇଥିଲି ଏକ ଅନାଥ ପିଲା ଭାବେ । କେବଳ ମୁଁ କାହିଁକ ସବୁ ପିଲା ଅନାଥ ପରିଚୟରେ ପାଳିତ ହେଉଥାନ୍ତି ଆଶ୍ରମରେ । ଆମର ଦେଖାଶୁଣା କରିବା ପାଇଁ ଥିଲେ ରଘୁମଉସା, ହରିମଉସା ଆଉ ରୋଷେଇ ପାଇଁ ଆସୁଥିଲେ ଦୁଇଜଣ ମାଉସୀ । ମୁଁ ପଞ୍ଚମ ଶ୍ରେଣୀରେ ପଢିବା ବେଳେ ଥରେ ମତେ ଭୀଷଣ ଜ୍ୱର ହୋଇଥିଲା । ରକ୍ତ ପରୀକ୍ଷାରୁ ଜଣାପଡ଼ିଲା ଯେ ମତେ କୁଆଡ଼େ ମ୍ୟାଲେରିଆ ଜ୍ଵର ହେଇଥିଲା । ସମୟକ୍ରମେ ତାହା ବ୍ରେନ ମ୍ୟାଲେରିଆର ରୂପ ଧାରଣ କଲା, ବଂଚିବାର ଆଶା କମିଯାଇଥିଲା । ଭଗବାନଙ୍କ ଆଶୀର୍ବାଦ, ଦୁଇ ସଉସାଙ୍କ ଅକ୍ଳାନ୍ତ ସେବା ଓ ସାଙ୍ଗମାନଙ୍କ ସହଯୋଗରେ ଖୁବଶୀଘ୍ର ଭଲହେଇଗଲି । ଭଲହେବା ପରେ ପ୍ରଥମେ ଦୁଇ ମଉସାଙ୍କୁ ଖୋଜିଥିଲି, କାରଣ ସେମାନେ ନଥିଲେ ଆଜି ମୁଁ ଏଇ ଦୁନିଆରେ ରହିନଥାନ୍ତି । ସେମାନଙ୍କୁ ଖୋଜି ଖୋଜି ଆଶ୍ରମର କାର୍ଯ୍ୟାଳୟ ପହଞ୍ଚିଲା ବେଳକୁ ଭିତରୁ କିଛି ପାଟି ଶୁଣି ମୁଁ ବାହାରେ ରହିଗଲି। ଭିତରକୁ ନଯାଇ ବାହାରେ ଥାଇ ଶୁଣିଲି ଯେ, ମତେ ଚିକିତ୍ସା କରିବାକୁ ଆସିଥିବା ଡାକ୍ତର ବାବୁ ଦୁଇ ମଉସାଙ୍କୁ ଗାଳି କରୁଛନ୍ତି । ଡାକ୍ତର ବାବୁ ଗଲା ପରେ ମୁଁ ଯାଇ ସେମାନଙ୍କୁ ଦେଖିଲା ବେଳକୁ ସେ ଦୁହେଁ ମୁହଁ ଶୁଖାଇ ବସିଛନ୍ତି । କଣ ହେଇଛି ବୋଲି ପଚାରିବାରୁ କିଛି ନକହି ସେମାନେ ଚାଲିଗଲେ । ବୋଧହୁଏ ଡାକ୍ତର ବାବୁଙ୍କ ଠାରୁ ଗାଳି ଶୁଣି ସେମାନଙ୍କ ମୁଣ୍ଡ ବିଗିଡି ଯାଇଥିଲା । " 

  " ଡାକ୍ତର ବାବୁ ରାଗିବାର କାରଣ ପଚାରିବାରୁ ରଘୁ ମଉସା କହିଥିଲେ ଏକ ଭିନ୍ନ କାହାଣୀ । ଯେଉଁ କାହାଣୀ କୌଣସି ସିନେମାର କାହାଣୀଠାରୁ କିଛି କମ୍ ନଥିଲା । ସେ କାହାଣୀ ଥିଲା ମୋ ଜନ୍ମ ହେବା ପର ଠାରୁ ଅନାଥ ଆଶ୍ରମକୁ ଆସିବା ପର୍ଯ୍ୟନ୍ତ ଏକ ସୁଦୀର୍ଘ କାହାଣୀ । ମୋ ବାପା ଜଣେ ମଦୁଆ ଆଉ ଧନଲୋଭୀ ସ୍ୱଭାବର ମଣିଷ ଥିଲେ । ଧନ ଲୋଭରେ ପଡ଼ି ମୋ ବାପା, ମାଆକୁ ଘରୁ ତଡିଦେଇ ଅନ୍ୟ କାହାକୁ ବିବାହ କରିଥିଲେ । ମାଆ ଘରୁ ବାହାରି ଆସିବା ବେଳେ ମୁଁ ବଢୁଥିଲି ତାର ଗର୍ଭ ମଧ୍ୟରେ । ଗର୍ଭ ଯନ୍ତ୍ରଣାକୁ ସହ୍ୟକରି ମାଆ ବେଶୀଦୂର ଚାଲିପାରି ନଥିଲା । ହାଟରୁ ସଉଦା କିଣି ଫେରିବା ବାଟରେ ହରି ମଉସା ମାଆକୁ ଦେଖି ଏହି ଆଶ୍ରମକୁ ନେଇ ଆସିଥିଲେ । ଦୁଇ ମଉସା ରହୁଥିବା ଘରେ ମାଆକୁ ଆଶ୍ରୟ ଦେଇଥିଲେ । ନିଜର ଝିଅ ଭଳି ତାର ଦେଖାଶୁଣା କରୁଥିଲେ ଓ ସେବା ଯତ୍ନ ନେଉଥିଲେ । ଦିନେ ପ୍ରସବ ଯନ୍ତ୍ରଣା ବଢିବାରୁ ସେମାନେ ମାଆକୁ ଡାକ୍ତରଖାନାକୁ ନେଇଯାଇଥିଲେ ଏବଂ ସେହିଠାରେ ମୋର ଜନ୍ମ ହୋଇଥିଲା । ମତେ ଚିକିତ୍ସା କରିବାକୁ ଆସିଥିବା ଡାକ୍ତର ସେହିଠାରେ ହିଁ ଚାକିରି କରିଥିଲେ । "

  "ଯାହା କପାଳରେ କେବଳ ଦୁଃଖ ଓ ଯନ୍ତ୍ରଣା ଲେଖା ଅଛି ସେ କିପରି ସୁଖ ଭୋଗ କରିପାରିବ ? ମୁଁ ଜନ୍ମ ହେବାର କିଛି ସମୟ ପରେ ମତେ ଏକାକରି ମାଆ ଚାଲିଗଲା ଅଫେରା ରାଇଜକୁ । ଏଭଳି ପରିସ୍ଥିତିରେ ଡାକ୍ତର ବାବୁ ମତେ ନେଇଯାଇଥିଲେ ନିଜ ଘରକୁ । ସେତେବେଳକୁ ତାଙ୍କର କୌଣସି ସନ୍ତାନ ନଥିବାରୁ ଡାକ୍ତର ବାବୁ ଓ ତାଙ୍କ ପତ୍ନୀ ମୋତେ ନିଜ ସନ୍ତାନ ଭାବରେ ଗ୍ରହଣ କରିନେଲେ । ବୋଧହୁଏ କିଛିଦିନ ପାଇଁ ବାଟଭୁଲି ସୁଖ ଫେରି ଆସିଥିଲା ଆସିଥିଲା ମୋ ଜୀବନ ପରିଧିକୁ । ମୋତେ ୩ ବର୍ଷ ହୋଇଥିବା ବେଳେ ଡାକ୍ତର ବାବୁଙ୍କର ନିଜସ୍ୱ ଏକ ସନ୍ତାନ ଜାତ ହେଲା । ସେପର୍ଯ୍ୟନ୍ତ ସବୁ ଠିକ୍ ଠାକ୍ ଚାଲିଥିଲା, ନୂଆ ଅତିଥି ତାଙ୍କ ଘରକୁ ଆସିବା ପରେ ମୋ ପ୍ରତି ଥିବା ଭଲପାଇବା କମିଗଲା । ଆଗାମୀ ଭବିଷ୍ୟତରେ ମୁଁ ତାଙ୍କ ସନ୍ତାନର ଅଧିକାରରେ ଭାଗିଦାର ହେବି ମନେକରି ମତେ ତାଙ୍କ ଘରୁ ଆଣି ଛାଡିଦେଇଥିଲେ ଏହି ଅନାଥ ଆଶ୍ରମରେ । ଏକ ଅନିର୍ଦ୍ଦିଷ୍ଟ ଭବିଷ୍ୟତକୁ ନେଇ ଅନିଶ୍ଚିତତା ମଧ୍ୟରେ ଆରମ୍ଭ ହେଲା ମୋ ଜୀବନର ନୂତନ ଅଧ୍ୟାୟ, ଭିନ୍ନ ଏକ ପରିଚୟକୁ ନେଇ ।"

  "କେତେ ହୀନିମାନ ଏହି ମଣିଷ ଜନମ ? କୁକୁର, ବିଲେଇ ଇତର ପ୍ରାଣୀ ହେଲେ ମଧ୍ୟ ସେମାନଙ୍କ ଛୁଆ ଜନ୍ମ ହେବା ପରେ ଏତେ ବି କଷ୍ଟ ଭୋଗିନଥିବ ଯେତିକି ମୁଁ ଭୋଗିଥିଲି । ଏସବୁ ଶୁଣିବା ପରେ ସମାଜରେ ଥିବା ଅର୍ଥଲୋଭୀ, ସ୍ୱାର୍ଥପର ମଣିଷମାନଙ୍କ ପ୍ରତି ମୋ ମନରେ ଘୃଣା ଭାବ ଆସିଯାଇଥିଲା । ସେବେଠାରୁ ମୁଁ ନିଜ ଜୀବନର ଠିକଣା ଖୋଜିବା ଆରମ୍ଭ କରିବା ସହ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ମୁଁ ଏଠାରେ ଉପସ୍ଥିତ । "

   " ଦୁଃଖଭରା କାହାଣୀର ଅନ୍ତ ଏତିକିରେ ଶେଷ ହୋଇନାହିଁ ମଂଜରୀ ମ୍ୟାଡାମ । କହିବାକୁ ତ ମୋର ଅନେକ କିଛି ବାକି ଅଛି, ହୁଏତ ଶୁଣିବାକୁ ଆପଣଙ୍କର ଧୈର୍ଯ୍ୟ ନଥାଇପାରେ । ଆପଣ କଣ ଭାବୁଛନ୍ତି, ମୋ କଥା ଶୁଣି ଚାଲିଯିବେ ଆଉ ନିଜକଥା କିଛି କହିବେ ନାହିଁ । ମୁଁ ଆପଣଙ୍କୁ ଏମିତି ଛାଡ଼ିପାରିବି ନାହିଁ । ଆପଣଙ୍କ ଠାରୁ ସବୁ କଥା ଶୁଣିବା ପରେ ଏଠାରୁ ଯାଇ ପାରିବେ, ତା ପୂର୍ବରୁ ନୁହେଁ । "

  ଦୀର୍ଘଶ୍ୱାସଟିଏ ଛାଡ଼ି ପୁଣିଥରେ କହିବା ଆରମ୍ଭ କଲା ଜୀବନ ଦାସ ।

    "ଭବିଷ୍ୟତର ଲକ୍ଷ୍ୟପଥରେ ପହଞ୍ଚିବା ପାଇଁ ମୁଁ ସବୁ କିଛି ଭୁଲି ଧ୍ୟାନ ଦେଲି କେବଳ ପାଠପଢାରେ । ଦଶମ ବୋର୍ଡ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଥିବାରୁ ମୋର ଖୁସି କହିଲେ ନସରେ । କେବଳ ମୁଁ ନୁହେଁ, ଆମ ଆଶ୍ରମରେ ସମସ୍ତେ ଖୁସି ମନାଉଥିଲେ ସେଦିନ । ବିଦ୍ୟାଳୟର ସମସ୍ତ ଶିକ୍ଷକ ମୋ ଉପରେ ବହୁତ ଖୁସି ଥିଲେ, ବିଶେଷ କରି ମନୋରଂଜନ ସାର୍ । ସେ କେବଳ ମୋର ଗୁରୁ ନଥିଲେ, ମୋ ପାଇଁ ଥିଲେ ଈଶ୍ୱରପ୍ରତିମ ମଣିଷଟିଏ । ମୋ ସଫଳତା ପଛରେ ସାରଙ୍କ ବିଶେଷ ଅବଦାନ ଥିଲା । ସେ ନଥିଲେ ହୁଏତ ମୁଁ ଏତେ ବାଟ ଆଗକୁ ଆସିପାରିନଥାନ୍ତି । ସାରଙ୍କ କର୍ତ୍ତବ୍ୟନିଷ୍ଠାରେ ଆକର୍ଷିତ ହୋଇ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଉଥିଲି ।"

   "ବଣମଲ୍ଲୀ ବଣରେ ଫୁଟି ଝଡିଯାଏ । ତାର ମହତ୍ୱକୁ କେହି ବୁଝି ପାରନ୍ତି ନାହିଁ । ଠିକ୍ ସେମିତି ମନୋରଞ୍ଜନ ସାର୍ ଗୋଟିଏ ବଣମଲ୍ଲୀ ଅକାଳରେ ବୃନ୍ତଚ୍ୟୁତ ହେବା ପୂର୍ବରୁ ତାକୁ ଖୋଜି ବାହାର କରିଥିଲେ ଆଉ ସେ ଫୁଲକୁ ଅତି ଯତ୍ନର ସହକାରେ ପାଳନ କରିଥିଲେ । ଅନାଥ ଆଶ୍ରମରେ ରହିଲେ ଉଚ୍ଚ ଶିକ୍ଷାରେ କିଛି ବାଧା ଉପୁଜିବ ମନେକରି ସାର୍ ନିଜ ଘରେ ମତେ ସ୍ଥାନ ଦେଲେ । ଛାତ୍ର ନୁହେଁ ତ ତାଙ୍କ ପରିବାରର ଏକ ଅଂଶ ଭାବେ ଚଳିଆସୁଥିଲି । ସାର୍ ମୋର ପାଠ ପଢ଼ାର ସମସ୍ତ ଦାୟିତ୍ୱ ବହନ କରୁଥିବା କାରଣରୁ ଅନେକ ସମାଲୋଚନାର ପରିସର ମଧ୍ୟକୁ ଯିବାକୁ ପଡିଥିଲା । ମାତ୍ର ସେ କଥାକୁ ଭୃକ୍ଷେପ ନକରି ନିଜ ଲକ୍ଷ୍ୟ ପଥରେ ଆଗକୁ ପାଦ ବଢାଇବାର ମୋତେ ପ୍ରେରଣା ଯୋଗାଉଥିଲେ । ସାର୍ ଯାହା ବି ନିର୍ଦ୍ଦେଶ ଦେଉଥିଲେ, ତାଙ୍କର ପ୍ରତିଟି କଥାକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲି । "

  "+୨ ଉତ୍ତୀର୍ଣ୍ଣ ହେଲା ପରେ +୩ ନାମ ଲେଖାଇଲି । କେଉଁ ବିଷୟକୁ ନେଇ ମତେ ଭବିଷ୍ୟତ ଗଢ଼ିବାକୁ ହେବ, ସେ ଚିନ୍ତା ମତେ ପ୍ରତି ମୁହୂର୍ତ୍ତରେ ଗ୍ରାସ କରୁଥିଲା । ସାରଙ୍କ ପରାମର୍ଶ କ୍ରମେ ଦର୍ଶନଶାସ୍ତ୍ର ବିଭାଗରେ ମୋର ପ୍ରବେଶ ହେଲା । ପୂର୍ବ ଭଳି ନିଜ ପାଠପଢ଼ାରେ ମନୋନିବେଶ କରିଥାଏ । ସବୁବେଳେ ସମୟ ସମାନ ଥାଏ ନା କଣ ? ସମୟ ଆଉ ପରିସ୍ଥିତି ବେଳେବେଳେ ମଣିଷକୁ ବାଟରୁ ଅବାଟକୁ ଟାଣିନିଏ । ମୋର ବି ଦିନେ ପ୍ରେମର କାଦୁଅ ରାସ୍ତାରେ ପାଦ ଖସିଯାଇଥିଲା । +୩ ର ଦ୍ଵିତୀୟ ବର୍ଷରେ ମୋ ବାନ୍ଧବୀ ସୁନିତାକୁ ପ୍ରେମ କରି ବସିଲି । ବନ୍ଧୁତା କେତେବେଳେ ପ୍ରେମରେ ପରିଣତ ହୋଇଯାଇଥିଲା ମୁଁ ଜାଣିପାରିନଥିଲି । ପଢ଼ିବା ସମୟର ଏକାଠି ମିଳାମିଶା ହେବାଟା ଆମକୁ ପ୍ରେମରେ ପକାଇଦେଲା । ସେଦିନ ଥାଏ ଆମ କଲେଜର ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସ ପାଳନ ଅବସରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସେଥିରେ ମୁଁ କିଛି ମାତ୍ରାରେ ଯୋଗଦେଇଥିଲି । ମୁଁ ବିଶ୍ରାମ ନେଲାବେଳେ ସୁନୀତା ମୋ ପଛ ପାଖରୁ ଆସି ମତେ ପ୍ରେମ ନିବେଦନ କରିଥିଲା । କିଛି ସମୟର ନିରବତା ପରେ ତା ପ୍ରେମକୁ ସ୍ୱୀକୃତି ଦେଇ ମୁଁ ତାକୁ ଭଲପାଏ ବୋଲି ଜଣାଇଲି । ସେବେଠାରୁ ଆମେ ଧିରେ ଧିରେ ପରସ୍ପରର ନିକଟତର ହେବାକୁ ଲାଗିଲୁ । ପ୍ରଥମେ ସବୁକିଛି ଠିକ୍ ଚାଲିଥିଲା, ମାତ୍ର ପରବର୍ତ୍ତୀ ସମୟରେ ସୁନୀତା ଏମିତି ବଦଳିଯିବ ମୁଁ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିପାରୁନଥିଲି । ତାର କଥାବାର୍ତ୍ତା, ବ୍ୟବହାର ଏପରିକି ଚାଲିଚଳନିରେ ପରିବର୍ତ୍ତନ ପରିଲକ୍ଷିତ ହେଲା । ସେ ସଦାବେଳେ ଏକାଠି ସମୟ ବିତାଇବା, ବାହାରେ ବୁଲିବା, ହୋଟେଲ କି ରେଷ୍ଟୁରାଣ୍ଟରେ ଖାଇବା, ସିନେମା ଦେଖିବା, ପାର୍କ ଯିବାକୁ ବାଧ୍ୟ କରୁଥିଲା । ମତେ ଏସବୁ ପସନ୍ଦ ନୁହଁ ଜାଣିବା ପରେ ଏମିତି କରୁଥିଲା ମୁଁ ବୁଝିପାରୁନଥିଲି । ସେ ତ ଆଗରୁ ଏମିତି ନଥିଲା ଏବେ କଣ ପାଇଁ ହେଉଛି ? ଏହାର କାରଣ ବୁଝିବା ପରେ ଜାଣିବାକୁ ପାଇଲି ସେ କେବେ ବି କାହାକୁ ହୃଦୟର ସହ ଭଲପାଇ ନଥାଏ । ପ୍ରେମର ମାୟାଜାଲ ବିଝାଇ ପୁଅମାନଙ୍କୁ ଫସାଏ, ଆଉ ସେମାନଙ୍କ ଠାରୁ ନିଜର ଅଭିଳାଷକୁ ହାସଲ କରିନେବା ପରେ ଅନ୍ୟ ଏକ ପୁଅ ସହ ସେମିତି ହିଁ କରେ । ଏ ସବୁ କଥା ଭାବି ଦେଲା ବେଳକୁ ନିଜକୁ ଘୃଣା ଓ ଧିକ୍କାର ଲାଗୁଥାଏ । ସୁନୀତା ମୋ ଜୀବନ ପରିଧିକୁ ଯେମିତି ଅକସ୍ମାତ୍ ଚାଲିଆସିଥିଲା, ଠିକ୍ ସେମିତି ଅନ୍ତର୍ଦ୍ଧାନ ହେଇଗଲା । ସେ ଗଲା ପରେ ପ୍ରେମ ଆଉ ଝିଅମାନଙ୍କ ଉପରୁ ଭରସା ତୁଟିଗଲା ସବୁଦିନ ପାଇଁ । ଆଜି ମୁଁ ଏକା ରହିବାର ଏହା ଅନ୍ୟ ଏକ କାରଣ ଅଟେ ।"

   "ପ୍ରେମରେ ଧୋକା ମିଳିବା କିଛି ନୂଆ ନଥିଲା ମୋ ପାଇଁ । ନିଜସ୍ଵ ଅନୁଭୂତି କେବେ ନଥିଲେ ବି ସାଙ୍ଗମାନଙ୍କ ଠାରୁ ଆଗରୁ ବହୁତ କିଛି ଶୁଣିଥିଲି । ମତେ ଲାଗେ କି ସୁନୀତା ବୋଧହୁଏ ଆସିଥିଲା ଉଭୟ ପ୍ରେମ ଓ ଧୋକାର ସ୍ୱାଦ ଚଖେଇବା ନିମନ୍ତେ । ପ୍ରେମର ନିଶାଟା କିଛି ଦିନ ପର୍ଯ୍ୟନ୍ତ ମୁଣ୍ଡରୁ ବାହାରିନଥିଲା । ଯେଉଁଦିନ ମନୋରଞ୍ଜନ ସାର୍ ମୋ ବିଷୟରେ ସବୁ ଜାଣି ପାରିଲେ ମତେ ଅନେକ ବୁଝାଇଥିଲେ । କିଛି ଭୁଲ ନଥାଇ ନିଜକୁ ଅପରାଧୀ ଭଳି ମନେହେଉଥିଲା । ମୁହଁ ଟେକି ସାରଙ୍କୁ ପ୍ରତ୍ୟୁତ୍ତର ଦେବାକୁ ସାହସ ହେଉ ନଥାଏ । ସମୟକ୍ରମେ ସବୁକିଛି ପୂର୍ବଭଳି ସାଧାରଣ ହୋଇଗଲା । ଯେଉଁ ବହିମାନଙ୍କ ଠାରୁ କିଛି ଦିନ ପାଇଁ ଦୁରେଇ ଯାଇଥିଲି, ସେମାନଙ୍କୁ ପୁଣି ଥରେ ନିଜର କରିନେଲି । ପରୀକ୍ଷା ଆଗକୁ ଥିବାରୁ ପାଠପଢ଼ାରେ ସଂପୂର୍ଣ୍ଣ ମନ ଢାଳିଦେଲି । ସେହି ବର୍ଷ ପାଠ୍ୟକ୍ରମ ଅନୁସାରେ ପଢାହେଉଥିଲା 'ବୌଦ୍ଧ ଦର୍ଶନ ତତ୍ତ୍ୱ' ବିଷୟରେ । ଏସିଆର ଆଲୋକ କୁହାଯାଉଥିବା ଗୌତମ ବୁଦ୍ଧଙ୍କ ନୀତି, ଆଦର୍ଶ ତଥା ତାଙ୍କ ଦ୍ୱାରା ପ୍ରଚାରିତ ଧର୍ମ ମତବାଦକୁ 'ବୌଦ୍ଧ ଦର୍ଶନ ତତ୍ତ୍ଵ' କୁହାଯାଏ । ଗୌତମ ବୁଦ୍ଧଙ୍କର ଅନେକ ନୀତିବାଣୀ ପଢିଥିଲି । କିନ୍ତୁ ଗୋଟିଏ ବାକ୍ୟ ବିଶେଷ ପ୍ରଭାବିତ କରିଥିଲା । 'କାମନାର ବିନାଶରେ, ଦୁଃଖର ବିନାଶ' । ଆଜି ପର୍ଯ୍ୟନ୍ତ ଅନେକ ଦୁଃଖ, କଷ୍ଟ ସହି ଆସିଛି । ପ୍ରତ୍ୟେକ ଦୁଃଖ ପଛରେ ଗୋଟିଏ ଗୋଟିଏ ନାରୀର ଭୂମିକା ରହିଥିଲା । ତେଣୁ ନାରୀମାନଙ୍କ ଠାରୁ ନିଜକୁ ଦୁରେଇ ରଖିଲି ସବୁଦିନ ପାଇଁ । ବୁଦ୍ଧଙ୍କ ଜୀବନୀ ଓ ଦର୍ଶନ ତତ୍ତ୍ଵ ପଢିବା ପରେ ଜୀବନରେ ଏକୁଟିଆ ରହିବାକୁ ନିଷ୍ପତ୍ତି ନେଇଗଲି । ସେବେଠାରୁ ମୁଁ କେବେ ବି ପଛକୁ ଫେରି ଚାହିଁନାହିଁ । ଅଫେରା ନଦୀଟେ ଭଳି ଆଗକୁ ଆଗକୁ ମାଡ଼ି ଚାଲିଛି ସମୟର ସ୍ରୋତରେ । ଗୋଟିଏ ପରେ ଗୋଟିଏ ସଫଳତାର ସିଡ଼ି ଚଢି ଆଜି ମୁଁ ଜଣେ ଅଧ୍ୟାପକ ଭାବରେ ଏଠାରେ ପଡ଼ି ରହିଛି ।"

   ଜୀବନ ବାବୁଙ୍କ ଠାରୁ ସମସ୍ତ କଥା ଶୁଣିବା ବେଳକୁ ମଂଜରୀ ମ୍ୟାଡାମଙ୍କୁ ଛାଇ ନିଦ ଲାଗି ଆସୁଥାଏ। ଭାବ ବିହ୍ୱଳ ହୋଇ ଜୀବନର ସମସ୍ତ ବୃତ୍ତାନ୍ତ ଅର୍ନଗଳ ଭାବରେ କହି ଚାଲିଥାନ୍ତି । ମଂଜରୀ ମ୍ୟାଡାମଙ୍କୁ କେତେବେଳେ ନିଦ ଲାଗିଯାଇଛି ତାଙ୍କର ସେଥିପ୍ରତି ଦୃଷ୍ଟି ନାହିଁ । ନିଜର କଥା ସରିବା ପରେ ଜୀବନ ଅପଲକ ନୟନରେ ଚାହିଁ ରହିଥାଏ ମଂଜରୀ ମ୍ୟାଡାମଙ୍କ ମୁହଁକୁ। ଏ କ’ଣ ? ଯିଏ ନାରୀମାନଙ୍କୁ ଘୃଣା କରେ, ନିଜକୁ ସ୍ତ୍ରୀ ଲୋକମାନଙ୍କଠାରୁ ଦୂରେଇ ରଖେ ସେ ପୁଣି ଆଜି କେମିତି ଅଚିହ୍ନା, ଅପରିଚିତା ମହିଳାଙ୍କ ନିକଟରେ ସହଜ ହୋଇପାରିଲା। ନିଜର ଭଳି ସବୁ କିଛି ବ୍ୟକ୍ତିଗତ କଥାକୁ ତାଙ୍କ ଆଗରେ ଢାଳି ପକେଇଲା। ଅର୍ଦ୍ଧ ନିଦ୍ରିତ ମୁହଁଟି ବେଳକୁ ବେଳ ଉଜ୍ୱଳତର ହୋଇଉଠିଲା । କାହିଁକି କେଜାଣି ଏକ ଅଜଣା ପୁଲକରେ ଜୀବନ ରୋମାଞ୍ଚିତ ହୋଇଗଲା, କେଉଁ ଅଜଣା ଆକର୍ଷଣରେ ଆକର୍ଷିତ ହେଉଥିଲା ସେ ନିଜେ ବି ଜାଣିପାରୁନଥିଲା। ଏତେ ସବୁ ପରେ ବି ଜୀବନ ନିଜକୁ ତଥା ନିଜ ମନକୁ ଆୟତରେ ରଖି ପାରିଥିଲା। 

  ଜୀବନର କିଛି କ୍ଷଣ ନିରବତା ପରେ ମଂଜରୀ ମ୍ୟାଡାମଙ୍କ ନିଦ ଭାଙ୍ଗିଗଲା ସେ ପ୍ରକୃତିସ୍ଥ ହୋଇ ଉଠିଲେ। କି ସ୍ୱପ୍ନ ଦେଖିଲେ କେଜାଣି ଉଠିବା ପରେ ତାଙ୍କ ମୁହଁରେ ଏକ ଭିନ୍ନ ପ୍ରକାରର ସ୍ମିତ ହାସ୍ୟ ସାଙ୍ଗକୁ ଉଜ୍ୱଳତମ ଚମକ ଖେଳିଗଲା। ସେ ଠିଆ ହୋଇ କହିଲେ “ Sorry ଜୀବନ ବାବୁ ଆପଣଙ୍କ କଥା ଶୁଣୁ ଶୁଣୁ କେତେବେଳେ ଆଖିରେ ନିଦ ଲାଗିଗଲା ଜାଣିପାରିଲିନି। Really I’m extremely sorry” 

  " Sorry କହିବାର କିଛି ନାହିଁ ମ୍ୟାଡାମ, ଏବେ ତ ରାତି ଅନେକ ହେଲାଣି, ଏମିତିରେ ବି ଆପଣ କ୍ଳାନ୍ତ ହୋଇଯାଇଥିଲେ। ନିଦ ଲାଗିବା ତ ସ୍ଵାଭାବିକ । ଠିକ୍ ଅଛି ଆପଣ ଯାଆନ୍ତୁ ଟିକେ ଶୋଇପଡନ୍ତୁ, ସକାଳ ହେଲେ ମୁଁ ଆପଣଙ୍କୁ ଉଠେଇଦେବି।"

" ଆଉ ଆପଣ ?"

" ମୋର କ’ଣ ଅଛି, ମୁଁ ଏମିତି ଅନେକ ରାତି ବିତାଇଦିଏ ପ୍ୟାକେଟ ପରେ ପ୍ୟାକେଟ ସିଗାରେଟମାନଙ୍କ ସହିତ। "

" କିନ୍ତୁ, ଆପଣ ତ କହୁଥିଲେ ମୋ ଆତ୍ମହତ୍ୟାର କାରଣ ନ ଶୁଣିବା ପର୍ଯ୍ୟନ୍ତ ମୋତେ ଛାଡିବେ ନାହିଁ, ଆଉ ଏବେ କହୁଛନ୍ତି ଶୋଇବାକୁ ଏ କେମିତି ସମ୍ଭବ।

" ରାତି ଆସି ଅନେକ ହେଲାଣି ଆପଣ ଶୋଇଯାଆନ୍ତୁ, ସକାଳୁ ଉଠିବା ପରେ ଆପଣ ନିଜ କଥା କହିବେ। ସକାଳ ହେବା ପର୍ଯ୍ୟନ୍ତ ମୁଁ ଆପଣଙ୍କୁ ଅପେକ୍ଷା କରିବି ଏଥିରେ ମୋର କିଛି ଆପତ୍ତି ନାହିଁ ।"

" ନା, ଆପଣ ସେମିତି କରନ୍ତୁ ନାହିଁ, ମୋ ପାଇଁ ହୁଏତ ଆପଣ ପାଖ ପଡ଼ୋଶୀଙ୍କ ନିକଟରେ ସନ୍ଦେହ ଘେରରେ ପଡିପାରନ୍ତି। ଅଧ୍ୟାପକ ଭାବରେ ଆପଣଙ୍କ ଯେଉଁ ସମ୍ମାନ ଓ ମର୍ଯ୍ୟାଦା ରହିଛି ସେଥିପ୍ରତି ଅଙ୍ଗୁଳି ଉଠିପାରେ । ତେଣୁ ସୂର୍ଯ୍ୟଙ୍କର ଆଲୋକ ପୃଥିବୀ ପୃଷ୍ଠରେ ପଡ଼ିବା ପୂର୍ବରୁ ମୋତେ ଏହି ସ୍ଥାନ ଛାଡି ଚାଲିଯିବାକୁ ‌ହେବ। ମୁଁ ଚାହେଁ ନାହିଁ ମୋ ଭଳି ପରିଚୟହୀନା ମହିଳା ପାଇଁ ଆପଣ ଅପଦସ୍ତ ହୁଅନ୍ତୁ।"

" ମୁଁ ଦେଖୁଛି ଆପଣ ନିଜ ଅପେକ୍ଷା ମୋ କଥା ବେଶୀ ଚିନ୍ତା କରୁଛନ୍ତି। ଠିକ୍ କହିଲି ନା ମ୍ୟାଡାମ, ଆପଣ ଯେତେବେଳେ ଏତେ ବଡ଼ ନିଷ୍ପତ୍ତି ନେଇସାରିଲେଣି ମୁଁ ଅଟକାଇବାକୁ ଅବା କିଏ ? ତେବେ ଯିବା ଆଗରୁ ମୋତେ ସ୍ପଷ୍ଟ କରି କୁହନ୍ତୁ ଆପଣ କାହିଁକି ଏପରି ଘୃଣ୍ୟ କାମ କରିବାକୁ ଯାଇଥିଲେ ? "

" ଆପଣ ଠିକ୍ କହିଛନ୍ତି ଜୀବନ ବାବୁ, ଆତ୍ମହତ୍ୟାକୁ ଏ ସମାଜ ଘୃଣ୍ୟ ମନେ କରେ, ଦୁର୍ବଳ ମାନସିକତାର ଏକ ପରିଚୟ ଦେଇପାରେ। କିନ୍ତୁ ସେ ଏକା ଜାଣିଛି ଆତ୍ମହତ୍ୟା ପଛରେ ଲୁଚିରହିଥିବା ଅସହ୍ୟ ଯନ୍ତ୍ରଣା ଓ ଅବ୍ୟକ୍ତ ବେଦନାକୁ । ମଣିଷକୁ ସେତେ ପରିମାଣରେ ଦୁଃଖ କଷ୍ଟ ଆଚ୍ଛାଦିତ ନ କଲେ ମୋ ପରି ଜଣ ମହିଳା ଯୌବନକୁ ଉପଭୋଗ କରିବା ପରିବର୍ତ୍ତେ ତାକୁ ତ୍ୟାଗ କରୁଛି କ’ଣ ପାଇଁ ?" 

" ଦୁଃଖ ଯନ୍ତ୍ରଣାରୁ ମୁକ୍ତି ପାଇବାର ଶେଷ ପନ୍ଥା ଆତ୍ମହତ୍ୟା ନୁହଁ ମଂଜରୀ ମ୍ୟାଡାମ, ଜୀବନର ଅନ୍ୟ ନାମ ସଂଘର୍ଷ। ଜୀବନକୁ ଭଲପାଆନ୍ତୁ, ଜୀଇଁବାର ନୂତନ ରାହା ଖୋଜନ୍ତୁ ଦେଖିବେ ଜୀବନ ଆପଣଙ୍କୁ କେତେ ସରଳ ମନେ ହେବ। ଯଦି ଆପଣ କିଛି ମନେ ନ କରନ୍ତି ତେବେ ନିଃସଂଶୟରେ ନିଜ ଦୁଃଖ କଷ୍ଟକୁ ମୋ ଆଗରେ ପ୍ରକାଶ କରିପାରିବେ। ହୁଏତ ଆପଣଙ୍କ ସମସ୍ୟାର ସମାଧାନ ପାଇଁ କିଛି ରାସ୍ତା ମୋତେ ଜଣାଥିବ, ତାହା ଆପଣଙ୍କୁ ଦେଖାଇପାରିବି। "

" କ’ଣ ଶୁଣିବେ ଜୀବନ ବାବୁ, ଯାହାର ଜନ୍ମର ନିର୍ଦ୍ଦିଷ୍ଟ ଠିକଣା ନାହିଁ ତାହାଠାରୁ ଆପଣ କ’ଣ ଅଧିକା ଶୁଣିବାକୁ ଆଶା କରୁଛନ୍ତି। ଯେତେବେଳେ ଆପଣ ମୋ ଜୀବନ ବଞ୍ଚାଇଛନ୍ତି ଏବଂ ଆଶା ପୋଷଣ କରୁଛନ୍ତି କି ମୋ ସମସ୍ୟା ସମାଧାନର ରାସ୍ତା ଦେଖାଇବେ, ଏଭଳି ପରିସ୍ଥିତିରେ ଆପଣଙ୍କୁ ନିରାଶ କରିବାକୁ ମୁଁ ଉଚିତ୍ ମନେ କରୁନାହିଁ। କହିବା ଆଗରୁ ଗୋଟିଏ କଥା ସ୍ପଷ୍ଟ କରିଦେଉଛି, ମୋ ଠାରୁ ସବୁ ଶୁଣିବା ପରେ ମୋତେ କୈାଣସି ପ୍ରଶ୍ନ କରିବେ ନାହିଁ । ମୁଁ ଆପଣଙ୍କ କୈାଣସି ପ୍ରଶ୍ନର ଉତ୍ତର ଦେଇପାରିବିନି, ହୁଏତ କୈାଣସି ଉତ୍ତର ନ ଦେବା ମୋର ବିବସତା ।"

" ଠିକ୍ ଅଛି ମ୍ୟାଡାମ ଆପଣ ତ ଆଗ କୁହନ୍ତୁ, ତା'ପରେ ମୋର ପ୍ରଶ୍ନ କରିବା ନ କରିବା ପଛ କଥା। "

ଜୀବନ ଦାସଙ୍କଠାରୁ ଆଶ୍ୱସ୍ତିକର ବାକ୍ୟ ଶୁଣି ମଂଜରୀ କହିବାକୁ ଆରମ୍ଭ କରିଥିଲା ନିଜ ଜୀବନର ଅବ୍ୟକ୍ତ କାହାଣୀ।

  " ପ୍ରେମ କେବଳ କାହାଣୀରେ ପଢିବାକୁ ଆଉ ସିନେମାରେ ଦେଖିବାକୁ ଭଲଲାଗେ । କିନ୍ତୁ ସେହି ପ୍ରେମ ଯେତେବେଳେ ବାସ୍ତବିକ ଭାବେ ବ୍ୟକ୍ତିଗତ ଜୀବନରେ ପ୍ରବେଶ କରେ କେତେଜଣ ଅବା ତାକୁ ସ୍ୱୀକାର କରନ୍ତି। ପ୍ରେମ ନାମରେ କଳଙ୍କ ବୋଳିବା ଛଡ଼ା ଅନ୍ୟ କିଛି ନଥାଏ। ପ୍ରେମ ବଦଳରେ ମିଳେ କ’ଣ ? କିଛି ମିଛ ପ୍ରତିଶ୍ରୁତି, କିଛି ବଦନାମ, କିଛି ଛଳନା, ମେଞ୍ଚାଏ ଦୁଃଖ ସାଙ୍ଗକୁ ଅସରା ଲୁହ। ଏଥିରୁ ହିଁ ମୋର ଜନ୍ମ, ନ ହେଲେ କିଏ ଅବା କାହିଁକି ମୋତେ ଅନ୍ଧାର ରାତିରେ ଅଳିଆ ଗଦା ପାଖରେ ଫୋପାଡି ଚାଲି ଯାଇଥାନ୍ତା ? କେଉଁ ମଣିଷର କ୍ଷଣିକ ଉତ୍ତେଜନାର ସାମୟିକ ସୁଖରୁ ହେଉ କିମ୍ବା କାହାର ଗୁପ୍ତ ପ୍ରଣୟରୁ ହେଉ ଅଥବା କେଉଁ ଅଭାବି ପରିବାରର ବୋଝ ଭାବରେ ହେଉ, ମୋ ସୃଷ୍ଟିର ଏକମାତ୍ର କାରଣ ଭୁଲ । ପାପ ସମ୍ପର୍କରୁ ହେଉ କି ଯେ କୌଣସି କାରଣରୁ ହେଉ, ମୁଁ ଜନ୍ମ ହେଇଥିଲି ସତ ମାତ୍ର ବଞ୍ଚିବାର ସମସ୍ତ ଅଧିକାର ମୋଠାରୁ ଛଡ଼ାଇ ନିଆଯାଇଥିଲା। ସଦ୍ୟ ନବଜାତ ଶିଶୁ କନ୍ୟାକୁ ଆଣି କିଏ ସେ କାହିଁକି ଅଳିଆ ଗଦାରେ ଫିଙ୍ଗି ଦେଇଗଲା ? ସେ ସମସ୍ତ ଘଟଣା ଆଜି ପର୍ଯ୍ୟନ୍ତ ବି ମୋ ପାଇଁ ରହସ୍ୟ ହୋଇ ରହିଯାଇଛି। କେବେ ବି ଆଶା କରିନି କି ଚେଷ୍ଟା କରିନି ସେ ରହସ୍ୟକୁ ଉନ୍ମୁକ୍ତ କରିବାକୁ। ଯେଉଁ ଅମଣିଷ, ହୃଦୟହୀନ ବ୍ୟକ୍ତି ପରିତ୍ୟକ୍ତ ଅବସ୍ଥାରେ ପରିତ୍ୟାଗ କରିପାରେ, ସେମାନଙ୍କ ପରିଚୟ ଜାଣିବାକୁ ଚାହେଁନା କି ସେମାନଙ୍କ ମୁହଁ ଦେଖିବାକୁ ଇଛା ମଧ୍ୟ କରି ନାହିଁ ।"

   " ଏ ସବୁ ମୋ‌ ମନ ଗଢ଼ା ନୁହେଁ ଜୀବନ ବାବୁ, ମୋ ପାଳିତା ମାଆ ଠାରୁ ଯାହା ଶୁଣିଛି ସତ କହୁଚି। କୃଷ୍ଣ ସିନା ଦେବକୀଙ୍କ ଠାରୁ ଜନ୍ମ ହୋଇ ଯଶୋଦାଙ୍କ ପାଖରେ ପାଳନ ହୋଇଥିଲେ, କିନ୍ତୁ ମୋ ପାଇଁ ସେ ଜଣେ ହିଁ ଯଶୋଦା ଆଉ ଦେବକୀ। ମୋ ଜନ୍ମ ବିଷୟରେ ମାଆ ଯାହା ସବୁ କହିଥିଲା ଅନେକଥର ସେସବୁ ମନରେ ମୋର ଦ୍ଵନ୍ଦ୍ୱ ସୃଷ୍ଟି କରିଛି । ମୋ ମନର ଦ୍ଵନ୍ଦ୍ୱ କୁ ଦୂର କରିବା ପାଇଁ ମାଆକୁ ସବୁ କଥା ଖୋଲି ପଚାରିଥିଲି। ମୋ ପ୍ରଶ୍ନର ଉତ୍ତରରେ ମାଆ କହିଥିଲେ, କେବଳ ମୁଁ କାହିଁକି ମୋ ଭଳି ଅନେକ ଶିଶୁକୁ ଅଳିଆ ଗଦାରେ ପଡିଥିବାର ସେ ନିଜ ଆଖିରେ ଦେଖିଛି । ଶିଶୁଟିଏ ଜନ୍ମ ହେବା ମାତ୍ରେ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଏ । କିନ୍ତୁ ନିଜ ଶିଶୁକୁ ଯେଉଁମାନଙ୍କୁ ଏଠାରେ ଆସି ଫୋପାଡି ଦିଆଯାଏ, ସେମାନେ ଅବୈଧ ସନ୍ତାନ ନୁହନ୍ତି ତ ଆଉ କ’ଣ ? କାହାର ପିଣ୍ଡରେ ପ୍ରାଣ ନଥାଏ ତ ଆଉ ପୁଣି ଆଉ ବିଲୁଆ କୁକୁରଙ୍କ ଅର୍ଦ୍ଧ ଭୋଜନ ହୋଇସାରିଥାଏ। ମୋତେ ଯଦି ମାଆ ସେଠାରୁ ଆଣିନଥାନ୍ତା କିଏ ଜାଣେ ମୋ ଅବସ୍ଥା ଅନ୍ୟ ଶିଶୁଙ୍କ ଭଳି ହୋଇନଥାନ୍ତା ? ପାହାନ୍ତି ପ୍ରହରରୁ ମାଆ ଗାଧୋଇବା ଲାଗି ପୋଖରୀ ଯାଉଥିବା ବାଟରେ ଅଳିଆ ଗଦା ନିକଟରୁ କୁଆଁ କୁଆଁ ଡାକ ଶୁଣି ଧାଇଁ ଆସି ମୋତେ ନିଜ ସହିତ ଘରକୁ ଆଣିଥିଲେ। ନଚେତ୍ ସକାଳ ହେବା ବେଳକୁ କେଉଁ ହିଂସ୍ର ଜୀବଜନ୍ତୁଙ୍କ ଜଳଖିଆ ହୋଇ ନିଜ ପରିଚୟ ଓ ଠିକଣା ସବୁଦିନ ପାଇଁ ହରାଇ ଦେଇଥାନ୍ତି । ଜଣେ ନାରୀ ମୋତେ ଘୃଣାରେ ଫୋପାଡି ଦେଲା ଆଉ ଜଣେ ନାରୀ ନିଜ ସ୍ନେହ ପ୍ରେମ ଦେଇ ଛୋଟରୁ ବଡ଼ କଲା। ସତରେ ଏ ଦୁନିଆରେ ନାରୀମାନେ କେତେ ବିଚିତ୍ର।"

   "ପିଲାଦିନ ମୋର କେମିତି କଟିଛି ସେ କଥା କେବଳ ମୋ ମାଆ ହିଁ ଜାଣନ୍ତି। ମୁଁ ତାଙ୍କର ଜନ୍ମିତ ସନ୍ତାନ ନ ହେଲେ ମଧ୍ୟ ମୋର କେଉଁଥିରେ ସେ କିଛି ଅବହେଳା କରିନାହାନ୍ତି। ଏପରିକି ୧୦ ବର୍ଷ ପର୍ଯ୍ୟନ୍ତ ବି ମୋତେ ଜାଣିବାକୁ ଦେଇନାହାନ୍ତି କି ମୁଁ ତାଙ୍କର ପାଳିତା କନ୍ୟା। ପିଲାଟି ଦିନରୁ ମୁଁ ଦେଖି ଆସୁଛି ମାଆଙ୍କୁ ପ୍ରତ୍ୟେକ ଦିନ ରାତିରେ ସେ ମୋତେ ଜଣେ ମାଉସୀଙ୍କ ପାଖରେ ଛାଡି ଯାଆନ୍ତି। ଏହା ଦିନେ କି ଦୁଇ ଦିନର ନୁହେଁ, ପ୍ରତ୍ୟେକ ଦିନର କଥା ମୁଁ ବୁଝିପାରେନି ମାଆ ଏମିତି କାହିଁକି କରନ୍ତି। ମାଉସୀଙ୍କୁ ଏକଥା ପଚାରିବାରୁ ମୁଁ ଛୋଟ ପିଲା ମୋର କୈାଣସି କଥାରେ ମୁଣ୍ଡ ପୁରେଇବା ଦରକାର ନାହିଁ କହି କଥାକୁ ଫାଙ୍କି ଦିଅନ୍ତି। ପଞ୍ଚମ ଶ୍ରେଣୀରେ ପଢିବା ବେଳେ ଜଣେ ସାଙ୍ଗ ମୋତେ କହିଥିଲା କି ମୋ ମାଆ କୁଆଡେ ବେଶ୍ୟା। ଏତେ କମ ବୟସରେ ସେ କଥାର ଅର୍ଥ ବୁଝିବା ମୋ ଅଭିଧାନର ବାହାରେ। ବୟସ ବଢ଼ିବା ସାଙ୍ଗକୁ ଦୁନିଆକୁ ବୁଝିବାକୁ ଧିରେ ଧିରେ ଲାଗିଲି। "

    "ମଣିଷ ବହୁତ ବଡ଼ ଅସହାୟ। ସବୁକିଛିକୁ ନିଜ ଭାଗ୍ୟ ଉପରେ ଛାଡିଦିଏ। କଥାରେ ଅଛି ନା 'ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣଇ ତେଣିକି ଯାଇ।' ମଣିଷର ଭାଗ୍ୟ ଦଉଡ଼ି କେତେବେଳେ କାହାକୁ କେଉଁଆଡ଼କୁ ଟାଣିନେବ କେହି ବି ଜାଣି ପାରନ୍ତି ନାହିଁ। ଠିକ୍ ସେମିତି ହିଁ ଘଟିଥିଲା ମୋ ମାଆଙ୍କ ଜୀବନରେ, ନହେଲେ ସମାଜ ଯାହାକୁ ଘୃଣା ଚକ୍ଷୁରେ ଦେଖେ, ଅପବିତ୍ର ବୋଲି ମନେ କରେ ସେଭଳି ଏକ ନିନ୍ଦନୀୟ ପନ୍ଥାକୁ କାହିଁକି ଅବା ଆପଣେଇ ଥା'ନ୍ତେ। ଯୁବତୀ ଥିଲାବେଳେ ସେ ବି ଜଣେ ପୁରୁଷକୁ ମନ ପ୍ରାଣ ଦେଇ ଭଲପାଇ ବସିଲେ। ଅନ୍ୟ ଏକ ଯୁବକ ‌ସହିତ ପ୍ରେମ ସମ୍ପର୍କରେ ରହିଥିବାର ଜାଣି ତାଙ୍କ ବାପା, ମାଆ ଅନ୍ୟତ୍ର ବିବାହ କରାଇ ଦେବା ପାଇଁ କହିଥିଲେ। କିନ୍ତୁ ପ୍ରେମରେ ପଡି ମୋ ମାଆ ଅନ୍ଧପ୍ରାୟ ହୋଇଯାଇଥିଲେ। ମନର ମଣିଷକୁ ନିଜର କରିବା ଲାଗି ଘରଛାଡି ଭଲପାଉଥିବା ମଣିଷ ସହିତ ଚାଲି ଆସିଲେ ଦୂର ସହରକୁ। ସେ ମନରେ କେତେ ଆଶା ଓ ସ୍ୱପ୍ନ ଦେଖିନଥିଲେ ଅବା। ପ୍ରତ୍ୟେକ ନାରୀ ସ୍ୱପ୍ନ ଥାଏ ମନର ମଣିଷ ସହିତ ବିବାହ କରି ସୁଖର ସଂସାର ଗଢ଼ିବାକୁ । ହେଲେ ମୋ ମାଆଙ୍କ ଭାଗ୍ୟରେ ଅନ୍ୟ କିଛି ଲେଖା ହୋଇଥିଲା। ଯାହାକୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ଭାବି ବିଶ୍ୱାସ କରି ଏତେ ବାଟ ଚାଲି ଆସିଥିଲେ, ବାସ୍ତବରେ ସେ ଥିଲେ ମାଆଙ୍କ ଭାବନାର ସଂପୂର୍ଣ୍ଣ ବିପରୀତ ମଣିଷଟିଏ । ଯାହାକୁ ଦୁନିଆରେ ଦଲାଲ୍ ବୋଲି କୁହନ୍ତି। ସେହି ରାକ୍ଷାସଟି ବିଶ୍ଵାସରେ ବିଷ ଦେଇ ମାଆଙ୍କୁ ଆଣି ଛାଡ଼ିଗଲା ବେଶ୍ୟା ପଡ଼ାରେ। ଏଥିନିମନ୍ତେ ସେ ହାତେଇ ନେଲା ଅନେକ ଅର୍ଥ। ଏଭଳି ଅର୍ଥ ଲୋଭୀ ମଣିଷମାନଙ୍କ ପାଇଁ ଏହା ହେଉଛି ପେଶା । ସୁନ୍ଦରୀ ଯୁବତୀମାନଙ୍କୁ ପ୍ରେମର ଜାଲରେ ଫଶାଇ ବିବାହର ମିଛ ପ୍ରତିଶ୍ରୁତି ଦେଇ ଗାଁରୁ ସହରକୁ ନେଇ ଆସନ୍ତି ବେଶ୍ୟାଳୟକୁ। ବେଶ୍ୟାପଡ଼ାର ମାଲିକାଣୀ ଚଢ଼ା ଦରରେ କୁକୁଡ଼ା, ଛେଳି କିଣିଲା ଭଳି ଝିଅମାନଙ୍କୁ କିଣି ନେଇ ବେଶ୍ୟା ବୃତ୍ତିରେ ବିନିଯୋଗ କରାନ୍ତି। ମାଆଙ୍କୁ ପ୍ରେମ ବଦଳରେ ମିଳିଥିଲା କେବଳ ପ୍ରତାରଣା ଛଡ଼ା ଆଉ କିଛି ନୁହଁ। ତଥାପି ଭାଗ୍ୟକୁ ଆଦରି ନେଇ ସେଠାରେ ପଡ଼ିରହିଛନ୍ତି। "

   "ଏଠି ତାରିଖ ବଦଳି ଯାଏ, ମାସ ବଦଳି ଯାଏ, କ୍ୟାଲେଣ୍ଡରର ପୃଷ୍ଠା ପରେ ପୃଷ୍ଠା ଲେଉଟିଯାଏ, କେତେବେଳେ ନୂଆ କ୍ୟାଲେଣ୍ଡରଟା ପୁରୁଣା ହେଇଯାଏ, ପୁଣି ଗୋଟେ ନୂଆ କ୍ୟାଲେଣ୍ଡରର ଖୋଜା ପଡେ । ସବୁକିଛି ବଦଳିଯାଏ, କ୍ୟାଲେଣ୍ଡର ଭଳି ସମୟ ବି। କ୍ୟାଲେଣ୍ଡର ଝୁଲୁଥିବା ସେ ନିର୍ଦ୍ଦିଷ୍ଟ ସ୍ଥାନରେ ପୂର୍ବଭଳି ଅପେକ୍ଷା କରିଥାଏ ଅନ୍ୟ ଏକ ନୂତନ ବର୍ଷର ନୂଆ କ୍ୟାଲେଣ୍ଡରକୁ। ଏଭଳି ସଂସାରର ରୀତିନୀତି। କାନ୍ଥ ଭଳି ମାଆ ପଡ଼ି ରହିଛନ୍ତି। ପ୍ରତ୍ୟେକ ରାତିର ନୂଆ କ୍ୟାଲେଣ୍ଡର ସାଜି ଆସନ୍ତି ଏ ସମାଜର ବଡ଼ ବଡୁଆ ବାବୁମାନେ। ସକାଳ ର ସୂର୍ଯ୍ୟ ଆଲୋକରେ ଭଦ୍ରଲୋକର ମିଛ ଖୋଳପା ପରିଧାନ କରି ଲୁଟି ଚାଲନ୍ତି ଏ ସମାଜକୁ, ଏ ଦୁନିଆକୁ, ଆଉ ଶେଷରେ ନିଜକୁ। ମୁଁ ଆଉ ମାଆଙ୍କୁ ଛାଡ଼ିଦେଲେ ଆମର ନିଜର ଭଳି ଆଉ କେହି ନାହାନ୍ତି। ବେଶ୍ୟାର ଯିଏ ନିଜର ସେ କେବଳ ଗୋଟିଏ ରାତି ପାଇଁ। ଫୁଲ ଫୁଟି ସତେଜ ଥିବାବେଳେ ସେ ଭଗବାନଙ୍କ ମସ୍ତକରେ ଲାଗେ। ଆଉ ସେହି ଫୁଲ ବାସି ହୋଇଗଲା ପରେ ମନ୍ଦିର ପୂଜକ ନେଇ ଫୋପାଡି ଦିଏ କେଉଁ ଏକ ସ୍ଥାନରେ। ଠିକ୍ ସେହିଭଳି ନାରୀ ଲୋଭୀ ମଣିଷ ମାନେ ଆସନ୍ତି ନିଜ ଦେହର ଭୋକ ମେଣ୍ଟାଇବା ପାଇଁ । ନିଜ ଉଦରର କ୍ଷୁଧା ନିବାରଣ ପାଇଁ ମାଆ ନିଜକୁ ପରଷି ଦିଅନ୍ତି ଅନ୍ୟ ଏକ ପୁରୁଷ କାମନା ଥାଳିରେ । ନିଜ ମନ ପୁରିବା ପର୍ଯ୍ୟନ୍ତ ରାକ୍ଷାସ ଭଳି ଝୁଣି ଯାଆନ୍ତି ମୋ ମାଆଙ୍କୁ। କଷ୍ଟ ହେଲେ ମଧ୍ୟ ସବୁକିଛିକୁ ମଥା ପାତି ସହିଯା’ନ୍ତି କେବଳ ମୋରି ପାଇଁ। ମୋର ପାଠ ପଢ଼ାରେ ଖର୍ଚ୍ଚ, କଲେଜ ଆଡ଼ମିଶନ, ବହି ଖାତା ଠାରୁ ଆରମ୍ଭ କରି ପୋଷାକ ପ୍ରସାଧନ ପର୍ଯ୍ୟନ୍ତ, ସବୁକିଛିର ଭରଣ ପୋଷଣ ହୁଏ ସେହି ଅର୍ଥରୁ । ବେଶ୍ୟାପଡା ମାଲିକାଣୀ ଅନେକ ବାର ଚେଷ୍ଟା କରିଛି ମୋତେ ସେ ବାଟରେ ନେବା ପାଇଁ କିନ୍ତୁ ମାଆ ସବୁବେଳେ ପ୍ରାଚୀର ହୋଇ ଠିଆ ହୁଅନ୍ତି ମୋ ସାମ୍ନାରେ। ତାଙ୍କର ଇଚ୍ଛା ତାଙ୍କ ଝିଅ ପାଠ ପଢି ଭଲ ମଣିଷ ହେଉ ଆଉ ଚାକିରି ଖଣ୍ଡେ କରୁ। ଏଇଟା ତ ଦୁନିଆର ପ୍ରତିଟି ବାପାମାଆ ଚାହାନ୍ତି। ନିଜର ସନ୍ତାନମାନଙ୍କ ଖୁସି ଲାଗି ସବୁ ଦୁଃଖ କଷ୍ଟକୁ ମଥାପାତି ସହିଯା’ନ୍ତି। "

    " ଦୁନିଆରେ ବେଶ୍ୟା ବୃତ୍ତିକୁ ସମସ୍ତେ ଘୃଣା କରନ୍ତି ସତ, ଅନ୍ୟ ଏକ ଦୃଷ୍ଟି ଭଙ୍ଗୀରେ ସେମାନଙ୍କୁ ଦେଖିଲେ ବୁଝାପଡେ କି ପ୍ରତ୍ୟକ୍ଷରେ ନ ହେଲେ ମଧ୍ୟ ପରୋକ୍ଷରେ ସେମାନେ ସମାଜର ହିତ ତଥା ମଙ୍ଗଳ ସାଧନ କରୁଛନ୍ତି। ନଚେତ୍ ଏହି ନାରୀ ଲୋଭୀ ରାକ୍ଷାସମାନଙ୍କ ଦ୍ଵାରା କେତେ ଯେ ଯୁବତୀ ଆଉ ମହିଳା ମାନେ ବଳାତ୍କାରର ଶିକାର ହୁଅନ୍ତେ। ସେମାନଙ୍କ ଲାଗି କେତେ ପରିବାରର ମାଆଭଉଣୀଙ୍କ ଇଜ୍ଜତ ରାଜରାସ୍ତାରେ ଉନ୍ମୁକ୍ତ ଭାବରେ ନିଲାମ ହୁଅନ୍ତା ତା’ର କୈାଣସି ହିସାବ ରୁହନ୍ତା ନାହିଁ। ତେଣୁ ବେଶ୍ୟା ବୃତ୍ତି ତଥା ବେଶ୍ୟାମାନଙ୍କୁ ଘୃଣା କରିବା ପୂର୍ବରୁ ପ୍ରଥମେ ଏଇ ପୁରୁଷମାନଙ୍କୁ ସଦବୁଦ୍ଧି ଦେବା ଆବଶ୍ୟକ। "

   " ଇତି ମଧ୍ୟରେ ମୋ ପାଠ ପଢା ସରିଯାଇଥାଏ। ଆଗକୁ ପଢ଼ିବାର ଇଛା ଥିଲେ ମଧ୍ୟ ଆର୍ଥିକ ଅବସ୍ଥାକୁ ଦେଖି ନିଜର ଇଚ୍ଛାକୁ ମାରିଦେବା ପାଇଁ ବାଧ୍ୟ ହେଲି। ଏମିତିରେ ମାଆଙ୍କ ବୟସର ବୃଦ୍ଧି ହେତୁ ଆଜି କାଲି ତାଙ୍କ ବୃତ୍ତିରେ ମାନ୍ଦାବସ୍ଥା ଦେଖାଗଲାଣି। ଏଭଳି ପରିସ୍ଥିତି ମୁଁ ଆଉ ଆଉ ଚାହୁଁନଥିଲି କି ମାଆ ମୋ ଲାଗି ଆଉ କଷ୍ଟ ପାଆନ୍ତୁ। ଏକ ଘରୋଇ ସଂସ୍ଥା ଦେଖି ମୁଁ ରହିଗଲି, ଯାହା କିଛି ସ୍ୱଳ୍ପ ବେତନ ମିଳୁଥିଲା ସେଥିରେ ଆମେ ଦୁହେଁ ଖୁସିରେ ଚଳି ଆସୁଥିଲୁ। ମୁଁ ଭାବିଦେଇଥିଲି ଭାଗ୍ୟ ଦେବୀଙ୍କ କୃପାରୁ ଆମର ଆଉ କୈାଣସି ଦୁଃଖ ରହିବ ନାହିଁ। କିନ୍ତୁ ଭଗବାନଙ୍କ ଇଛା କିଛି ଅଲଗା ଥିଲା, ସୁଖର ଆକାଶରେ ପୁଣି ଥରେ ଦୁଃଖର କଳା ବାଦଲ ଘୋଟିଯାଇଥିଲା।" 

  " ସେଦିନ ଥାଏ ଆମ କାର୍ଯ୍ୟାଳୟର ମ୍ୟାନେଜରଙ୍କ ଜନ୍ମ ଦିବସ। ଜନ୍ମ ଉତ୍ସବ ପାଳନ ନିମନ୍ତେ ସମସ୍ତ କର୍ମଚାରୀଙ୍କୁ ନିମନ୍ତ୍ରଣ କରିଥାନ୍ତି ନିଜସ୍ଵ ଗୃହକୁ। ସମସ୍ତଙ୍କ ପାଇଁ ତ ନିମନ୍ତ୍ରଣ ପତ୍ର ଥିଲା, ମୋ ପାଇଁ ଥିଲା ନିମନ୍ତ୍ରଣ ପତ୍ର ସହିତ ଏକ ଉପହାର ଆଉ ତା ଉପରେ ଥିଲା ଛୋଟ ଚିଠି ଟିଏ। ଅବଶ୍ୟ ଗୋପନରେ ଏହି ଉପହାରଟି ମୋତେ ମିଳିଥିଲା। ତାକୁ କାର୍ଯ୍ୟାଳୟରେ ସମସ୍ତଙ୍କ ସମ୍ମୁଖରେ ଖୋଲିଲେ କିଏ କ’ଣ ଭାବିବ ମନେ କରି ଘରକୁ ନେଇ ଆସିଲି। ପ୍ରଥମେ ଉପହାର ଖୋଲି ଦେଖିଲି, କଳା ରଙ୍ଗର ଖଣ୍ଡିଏ ସୁନ୍ଦର ଶାଢ଼ୀ। ପରେ ଚିଠି ଖୋଲି ଦେଖିଲି ସେଥିରେ ଲେଖା ଥିଲା- 

ପ୍ରିୟର ମଂଜରୀ, 

    ଆଜିର ଜନ୍ମ ଉତ୍ସବକୁ ତୁମକୁ ନିମନ୍ତ୍ରଣ ରହିଲା। କୈାଣସି ବାହାନା ନ କରି ଯେମିତି ହେଲେ ତୁମକୁ ଆସିବାକୁ ହେବ। ଆଉ ତା ସହିତ ମୁଁ ଦେଇଥିବା ଶାଢ଼ୀକୁ ପିନ୍ଧି ଆସିବାକୁ ହେବ। ତୁମ ଗୋରା ରଂଗ ଶରୀରକୁ କଳା ରଂଗର ଶାଢ଼ୀ ବେଶ୍ ମାନିବ। ସମସ୍ତେ ଆସିବା ପୂର୍ବରୁ ତୁମେ ଆଗ ଆସିବା ନିହାତି ଜରୁରୀ । ଆଉ ହଁ, ଗୋଟିଏ କଥା ମନେ ରଖିଥିବ ମୋ ପାଇଁ କୈାଣସି ଉପହାର ଆଣିବ ନାହିଁ। କାରଣ ତୁମେ ମୋ ଜନ୍ମ ଉତ୍ସବରେ ଯୋଗ ଦେବ, ସେତିକି ହିଁ ମୋ ପାଇଁ ଶ୍ରେଷ୍ଠ ଉପହାର। ଶୀଘ୍ର ଆସିବାକୁ ଚେଷ୍ଟା କରିବ।

                        ରହୁଛି

                      ତୁମ ଅପେକ୍ଷାରେ 

                        ମୁଁ

   "ମ୍ୟାନେଜର ସାରଙ୍କଠାରୁ ଏଭଳି ଏକ ଉପହାର ଓ ପତ୍ର ପାଇବି ବୋଲି କେବେ ବି ଆଶା କରିନଥିଲି। ମୋତେ ଏ ସବୁ ସ୍ୱପ୍ନ ଭଳି ମନେ ହେଉଥିଲା, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଭାବିବା ବେଳକୁ ଲାଗୁଥିଲା ଯେମିତି ମୋତେ ଦୟା କରୁନାହାଁନ୍ତି ତ ବରଂ ମୋର ଅସହାୟତାକୁ ଉପହାସ କରୁଛନ୍ତି। ସେ ଯାହା ବି ହେଉ ସବୁ ଚିନ୍ତାକୁ ପଛ କରି ମୁଁ ବାହାରି ପଡ଼ିଲି ସାର୍ ଦେଇଥିବା ସେହି କଳା ଶାଢ଼ୀକୁ ପିନ୍ଧି। ଇଛା ନଥିଲେ ବି ବେଳେ ବେଳେ ଅନ୍ୟକୁ ଖୁସି କରିବାକୁ ଯାଇ ନିଜକୁ ଖୁସିରେ ଥିବାର ମିଛ ଅଭିନୟ କରିବାକୁ ପଡ଼ିଥାଏ। ମୁଁ ବି ସେମିତି ମିଛ ଅଭିନୟ କରିବାକୁ ଆରମ୍ଭ କରିଦେଲି। ମନେ ମନେ ଭାବୁଥାଏ ହୁଏତ ମ୍ୟାନେଜର ବାବୁଙ୍କୁ ଖୁସି କରିପାରିଲେ ମୋ ଚାକିରୀରେ ପଦୋନ୍ନତି ହୋଇପାରେ।" 

   " ସଂଧ୍ୟା ସମୟରେ ଯାଇ ପହଞ୍ଚିଲି ସାରଙ୍କ ଜନ୍ମ ଉତ୍ସବରେ। ଘରର ସାଜସଜ୍ଜା ରାଜପ୍ରସାଦ ପରି ମନେ ହେଉଥିଲା। ଆଲୋକ ଓ ତୋରଣର ମାଳାରେ ସବୁକିଛି ରଙ୍ଗିନ ରଙ୍ଗିନ ଦିଶୁଥିଲା, ତା ସାଙ୍ଗକୁ ଆଧୁନିକ ଧରଣର ଖାଦ୍ୟ ସାମଗ୍ରୀ ଓ ବିଦେଶୀ ପାନୀୟର ବ୍ୟବସ୍ଥା କରାଯାଇଥାଏ। ଏଇଟା ଥିଲା ମୋ ଜୀବନର ପ୍ରଥମ ଜନ୍ମ ଉତ୍ସବ। ଜନ୍ମ ଉତ୍ସବ ପାଳନ ନିମନ୍ତେ ଏତେ ବଡ଼ ଧରଣର ଆୟୋଜନ ମୁଁ ଆଗରୁ କେବେ ଦେଖିନଥିଲି। ମୋ ବ୍ୟତୀତ ସେ ଉତ୍ସବକୁ ନିମନ୍ତ୍ରିତ ହୋଇ ଆସିଥିବା ସମସ୍ତ ଅତିଥି ସମ୍ଭ୍ରାନ୍ତ ପରିବାରର ବୋଲି ମନେ ହେଉଥାନ୍ତି। ତେଣୁ ନିଜକୁ ସମସ୍ତଙ୍କଠାରୁ ଦୂରେଇ ରଖି ମୁଁ କୋଣରେ ଠିଆ ହୋଇ ଥାଏ। ଏମିତିରେ ଜନଗହଳି ସ୍ଥାନ ମୋତେ ଭଲଲାଗେନି। ଏହି ପ୍ରକୃତି ଯୋଗୁଁ ପିଲାଟି ଦିନରୁ କୈାଣସି ମେଳା ମହୋତ୍ସବକୁ ଯାଏ ନାହିଁ। ମୁଁ ବୁଲି ବୁଲି ସମସ୍ତଙ୍କୁ ଦେଖୁଥାଏ। କେତେ ଦାମୀ ପୋଷାକ ପିନ୍ଧି ଆସିଛନ୍ତି। ସାର୍ ଯଦି ଏହି ଶାଢ଼ୀଟି ମୋତେ ଦେଇନଥାନ୍ତେ ତେବେ ମୁଁ ଯେଉଁ ପୋଷାକ ପିନ୍ଧି ଆସିଥାନ୍ତି ମୋତେ କେହି ବି ଅତିଥି ବୋଲି ମନେ କରିନଥାନ୍ତେ। ଅତିଥି ଭାବରେ ଯେଉଁ ଚର୍ଚ୍ଚା କରାଯାଇଥିଲା ମୋତେ,ସେ ସବୁ ମୁଁ ପାଇନଥାନ୍ତି। ଆଖି ସାମ୍ନାରେ ଅନେକ ଗହଳି, ସବୁ ଅଚିହ୍ନା ମୁହଁ ଭିତରେ କେବଳ ସେହି ଚିହ୍ନା ମୁହଁକୁ ଖୋଜୁଥିଲି। କିନ୍ତୁ ଏ କ’ଣ ସବୁ ଘଟିଯାଉଥିଲା ମୋ ସହିତ, ମୁଁ କିଛି ବୁଝି ପାରୁନଥିଲି। ହଠାତ୍ କେହି ଜଣେ ପଛ ପଟରୁ ଆସି ମୋ ଆଖିକୁ ତା ହାତରେ ଚାପି ଧରିଲା । ମୁଁ ଭୟରେ ଗୋଟାପଣେ ଥରୁଥାଏ। କ’ଣ କରିବି କ’ଣ ନ କରିବି କିଛି ଭାବିପାରୁନଥିଲି । କେହି ଜଣେ ମୋ ହାତକୁ ଭିଡ଼ି କେଉଁ ଆଡକୁ ନେଇ ଯାଉଥାଏ। ଆଖି ଫିଟାଇ ଦେଖିଲା ବେଳକୁ ମୁଁ ଥାଏ କେଉଁ ଏକ ଅନ୍ଧାର ନିବୃତ କୋଠରୀ ଭିତରେ। କିଏ ବୋଲି ପଚାରିବା ବେଳକୁ ପାଟି ଖନି ମାରୁଥାଏ। ମୋ ପାଟି ଶୁଣି ସେ ଅନ୍ଧାର କୋଠରୀରେ ଗୋଟିଏ ମହମବତୀ ଜଳି ଉଠିଲା। ମନରେ ଅନେକ ଆଶଙ୍କା ସୃଷ୍ଟି ହେଉଥାଏ। ତଥାପି ନିଜର ସମସ୍ତ ସାହସକୁ ଏକଜୁଟ କରି ବିପଦକୁ ସାମ୍ନା କରିବାକୁ ଚେଷ୍ଟା କଲି। ମହମବତୀଟି ଯେତିକି ଯେତିକି ନିକଟତର ହେଉଥାଏ ମୋ ପାଦ ସେତିକି ପଛକୁ ପଛକୁ ଯାଉଥାଏ, ଗୋଟିଏ ଘର ଭିତରେ ଅବା କେତେ ଆଉ ପଛକୁ ଯାଇପାରିବି। ଗୋଟିଏ କାନ୍ଥକୁ ଲାଗି ଆଖି ବନ୍ଦ କରି ଠିଆ ହୋଇ ମନେ ମନେ ଭଗବାନଙ୍କୁ ସ୍ମରଣ କରିଲି। ଆଖି ଖୋଲିଲା ବେଳକୁ ମହମବତୀଟି ମୋ ସମ୍ମୁଖରେ। ମହମବତୀର ଆଲୋକରେ ଗୋଟିଏ ମୁହଁ ଝାପସା ଦେଖାଯାଉଥିଲା। ଝାପସା ମୁହଁଟି ଚିହ୍ନା ଚିହ୍ନା ମନେ ହେଉଥିଲା ହେଲେ ସ୍ପଷ୍ଟ ଚିହ୍ନି ପାରୁନଥିବାରୁ ମନରେ ଡର ବି ଥାଏ। ଗୋଟିଏ ହାତରେ ଥିଲା ମହମବତୀ, ଅନ୍ୟ ହାତଟି ଚାଲି ଆସିଲା ‌ମୋ ସାମ୍ନାକୁ, ସେ ହାତରେ ଲାଲ୍ ଗୋଲାପ ଫୁଲଟିଏ। ସେହି ଅସ୍ପଷ୍ଟ ଚେହେରାଟି ବର୍ତ୍ତମାନ ସ୍ପଷ୍ଟ ହେଉଥାଏ ମୋ ସାମ୍ନାରେ । ସେ ଚିହ୍ନା ମୁହଁଟି ଦେଖିବା ପରେ ମୁଁ ନିଜକୁ ବିଶ୍ୱାସ କରିପାରୁନଥିଲି। ଲାଗୁଥିଲା ପାଦ ତଳୁ ମାଟି ଖସି ଖସି ଯାଉଛି। ସେ ବ୍ୟକ୍ତି ଜଣକ ହେଉଛନ୍ତି ସ୍ୱାଧୀନ ମହାନ୍ତି। ଯିଏକି ଆମର ଅତିପ୍ରିୟ ମ୍ୟାନେଜର ସାର୍। ସ୍ୱାଧିନ ସାରଙ୍କ ଏଭଳି କାର୍ଯ୍ୟକଳାପକୁ କ’ଣ କୁହାଯିବ ପାଗଳାମି ନା ପିଲାଳିଆମି । ସେ ଯାହା ବି ହେଉ ସେହି ଅନ୍ଧାର କୋଠରୀ ଭିତରେ କେବଳ ଆମେ ଦୁଇଜଣ ହିଁ ଥିଲୁ। ମୁଁ ସାରଙ୍କ ଆଖି ଓ ଓଠକୁ ଚାହିଁଥାଏ। ସତେ ଯେମିତି କିଛି କହିବା ପାଇଁ ଆଗଭର ହୋଇ ପଡ଼ୁଥିଲେ। ସ୍ୱାଧିନ ସାର୍ ନିଜ ହାତରୁ ଗୋଲାପ ଫୁଲଟି ମୋତେ ଦେଇ ପ୍ରେମ ନିବେଦନ ଶୈଳୀରେ I Love you କହିଲେ। ମୁଁ ଗୋଲାପ ଫୁଲଟି ଧରି ସେ ଅନ୍ଧାର ଘରୁ ଧାଇଁ ଧାଇଁ ବାହାରି ଆସିଗଲି। ମୁଁ ଆସିବାର କିଛି ସମୟ ପରେ ସାର୍ ବି ଆସିଗଲେ । ତା’ପରେ ପୂର୍ବ ପ୍ରସ୍ତୁତି ଅନୁସାରେ କେକ୍ କଟାଯାଇଥିଲା। ପ୍ରସ୍ତୁତ ହୋଇଥିବା ସ୍ଵାଦିଷ୍ଟ ଭୋଜନର ଭୁରି ଭୁରି ପ୍ରଶଂସା କରୁଥାନ୍ତି ସମସ୍ତେ। ସବୁ କାର୍ଯ୍ୟ ସରିବା ପରେ ମୁଁ ବି ଫେରି ଆସିଥିଲି ନିଜ ବସାକୁ।" 

   "ଏଇଟା ଥିଲା ମୋ ଜୀବନର ପ୍ରଥମ ଗୋଲାପ ଫୁଲ ଏବଂ ପ୍ରଥମ ପ୍ରେମ ନିବେଦନ। ନିଜର ଜନ୍ମ ବୃତ୍ତାନ୍ତ ଆଉ ମାଆଙ୍କ ପରିସ୍ଥିତି ଜାଣିବା ପରେ ପ୍ରେମ ପ୍ରତି ଘୃଣା ମନୋଭାବ ସୃଷ୍ଟି ହୋଇ ଯାଇଥିଲା। କିନ୍ତୁ ଏକ ଭିନ୍ନ ପରିବର୍ତ୍ତନ ମୁଁ ନିଜ ଭିତରେ ଅନୁଭବ କରି ପାରୁଥିଲି। ଧିରେ ଧିରେ ପ୍ରେମର ଖସଡ଼ା ପଥରେ ପାଦ ଖସିଗଲା ଭଳି ଲାଗୁଥାଏ। ଦେହ ମନ ଏକ ନୂତନ ପୁଲକରେ ରୋମାଞ୍ଚିତ ହେଉଥିଲା । I Love you ଶୁଣିବା ପରଠାରୁ ହୃଦୟର ସ୍ପନ୍ଦନ କମୁନଥାଏ। ସେଠାରେ ଘଟିଥିବା ସମସ୍ତ ଘଟଣାବଳୀକୁ ଭୁଲିବାକୁ ଚେଷ୍ଟା କରୁଥିଲେ ବେଶୀ ବେଶୀ ମନେ ପଡୁଥାଏ। ନିଜସ୍ଵ ପ୍ରେମାନୁଭୂତି କେବେ ନଥିଲା। କଲେଜରେ ପଢ଼ିବା ବେଳେ ସାଙ୍ଗମାନଙ୍କ ଠାରୁ ଯାହା କିଛି ଶୁଣିଥିଲି। ତେବେ ଏ ସବୁ ଲକ୍ଷଣ କ’ଣ ପ୍ରେମରେ ଧିରେ ଧିରେ ମୁଁ ଆକର୍ଷିତ ହୋଇପଡୁଥିଲି ସ୍ୱାଧୀନ ସାରଙ୍କ ପ୍ରତି। ତାଙ୍କ କଥା ଭାବି ଭାବି ମୋତେ ଆଉ ରାତିରେ ନିଦ ବି ହେଲା ନାହିଁ । ପରଦିନ ସକାଳୁ ସବୁ ଦିନ ଭଳି ନିଜ କର୍ତ୍ତବ୍ୟ ସ୍ଥଳକୁ ଯାଇଥିଲି। ସେଦିନ ସ୍ୱାଧିନ ସାର୍ ବେଶୀ ରୋମାଣ୍ଟିକ ଥିଲା ପରି ଲାଗୁଥିଲେ। କୈାଣସି ଏକ କାରଣ ଦର୍ଶାଇ ମୋତେ ଡ଼ାକିନେଲେ ନିଜର ବ୍ୟକ୍ତିଗତ କୋଠରୀ ମଧ୍ୟକୁ। ଗତ କାଲିର ଘଟଣା ପରଠୁ ମୁଁ ସାରଙ୍କ ମୁହଁକୁ ଲାଜରେ ଚାହିଁ ପାରୁନଥିଲି। ସାର୍ ମୋ ମୁହଁକୁ ଚାହିଁ ମୁରୁକି ମୁରୁକି ହସୁଥିଲେ। ସେହି କୋଠରୀ ମଧ୍ୟରେ ମୁଁ ଆଉ ସାରଙ୍କୁ ଛାଡ଼ିଦେଲେ ତୃତୀୟ ବ୍ୟକ୍ତି କେହି ନଥିଲେ। ନିଜ ବସିବା ସ୍ଥାନରୁ ଉଠି ମୋ ହାତ ଦୁଇଟିକୁ ଧରି କହିଲେ “ Will you marry me ?” ସାରଙ୍କ ମୁଖରୁ ଏହି କଥା ପଦକ ଶୁଣି ମୁଁ ତଟସ୍ଥ ହୋଇଗଲି। ଗତ କାଲି ପ୍ରେମ ନିବେଦନ ଆଉ ଆଜି ବିବାହର ପ୍ରସ୍ତାବ....। ସତେ ଯେମିତି ମୋତେ ଲାଗୁଥାଏ ମୁଁ ସ୍ଥିର ହୋଇ ଅଛି ଆଉ ମୋ ଚତୁଃପାର୍ଶ୍ଵର ପରିବେଶ କ୍ଷୀପ୍ର ବେଗରେ ଗତି କରୁଅଛି। ସ୍ୱାଧିନ ସାରଙ୍କ ପ୍ରେମକୁ ଗ୍ରହଣ କରିବି କି ପ୍ରତ୍ୟାଖ୍ୟାନ କରିବି କିଛି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ପୁଣି ଏକ ପ୍ରଶ୍ନବାଚୀ ମୋ ସମ୍ମୁଖରେ ଦଣ୍ଡାୟମାନ। ପ୍ରେମ କଥା ଛାଡ ବିବାହ ପରି ଚରମ ନିଷ୍ପତ୍ତିକୁ କେମିତି କଣ କହିବି ନିଜେ ବୁଝି ପାରୁନଥିଲି କି ସାରଙ୍କୁ ବୁଝାଇପାରୁନଥିଲି। ଖାଲି ଗୋଟିଏ ଲାଜୁଆ ହସ ଦେଇ ସେଠାରୁ ବାହାରି ଆସିଲି।"

   " କିଛି ଦିନର ବ୍ୟବଧାନ ପରେ ସ୍ଵାଧିନ ସାର ମୋତେ ପୁଣି ନିମନ୍ତ୍ରଣ କଲେ ନିଜ ଘରକୁ। କାରଣ ପଚାରିବାରୁ କହିଥିଲେ ତାଙ୍କ ଡାଡୀ, ମମିଙ୍କ ସହିତ ଦେଖା ସାକ୍ଷାତ କରାଇବେ। ମୁହଁ ସାମ୍ନାରେ ନାହିଁ କରିପାରୁନଥିଲେ ବି ମନ ଭିତରୁ ହଁ ବି କରିପାରୁନଥିଲି। ଜୀବନର ଦୋଛକିରେ ସମୟ ମୋତେ ଆଣି ଛାଡ଼ି ଦେଇଥିଲା। ସ୍ୱାଧିନ ସାର୍ ଆମ କାର୍ଯ୍ୟାଳୟ ର ମୁଖ୍ୟ ହେବା ହେତୁ ତାଙ୍କ ମନକୁ କଷ୍ଟ ହେବ ଭାବି ସବୁ କଥାରେ ମୌନ ସମ୍ମତି ପ୍ରଦାନ କରୁଥିଲି। ମୋ ନିରବତାରୁ ସେ ବୁଝି ପାରୁଥିଲେ ବୋଧହୁଏ ମନର ସବୁ ଅକୁହା କଥାକୁ। ସେଦିନ ସନ୍ଧ୍ୟାରେ ମୁଁ ଆଉ ଘରକୁ ନ ଫେରି ସାରଙ୍କ ସହିତ ତାଙ୍କ ଘରକୁ ଯାଇଥିଲି। ବାଟରେ ଯିବା ବେଳେ ମନେ ମନେ ଠାକୁରଙ୍କୁ ଡାକୁଥାଏ କି ସାରଙ୍କ ଡାଡୀମମି ଘରେ ନଥାନ୍ତୁ। କାରଣ ମୁଁ ଯଦି ଗୋଟିଏ ବେଶ୍ୟାର ଝିଅ ବୋଲି ଜାଣିବେ ମୋତେ ଘୃଣା କରିପାରନ୍ତି, ଯେଉଁଟାକୁ ମୁଁ କେବେ ସହି ପାରିବିନି। ମୋ ମନର କଥାକୁ ଭଗବାନ ଶୁଣିଲେ ବୋଧହୁଏ ସତକୁ ସତ ତାଙ୍କ ଡାଡୀମମି କୈାଣସି କାମରେ ବାହାରକୁ ଯାଇଥିଲେ। ଦରୱାନ ଆମକୁ ଦେଖି କହିଲା - "ବଡ଼ ବାବୁ ମାଆ ଫେରିବା ବେଳକୁ ଡେରି ହେବ। ସେମାନଙ୍କୁ ଅପେକ୍ଷା ନ କରି ନିଜେ ଖାଇନେବ।" ଏହି କଥା ଶୁଣି ମୁଁ ମନ ଭିତରୁ ଭଗବାନଙ୍କୁ କୃତଜ୍ଞତା ଜ୍ଞାପନ କରୁଥିଲି। ମୁଁ କଣ ଜାଣିଥିଲି ଏ ସମୟଟା ମୋ ପାଇଁ କାଳ ପାଲଟିବ ବୋଲି। "

   " ମହାଭାରତର ଯୁଦ୍ଧରେ ଅଭିମନ୍ୟୁ ଚକ୍ରବ୍ୟୁହ ଭିତରେ ପଶିଲା ଭଳି ମୁଁ ମଧ୍ୟ ସ୍ୱାଧୀନ ସାରଙ୍କ ପ୍ରେମର ଚକ୍ରବ୍ୟୁହ ଭିତରକୁ ପଶିଯାଉଥିଲି। ଯେତିକି ଆଗକୁ ଆଗକୁ ଯାଉଥାଏ ସେତିକି ପଛକୁ ଫେରିବାର ବାଟ ମୋର ବନ୍ଦ ହୋଇଯାଉଥାଏ। ପ୍ରଥମଥର ଆସିଥିଲି ଗହଳି ଓ କୋଳାହଳ ମଧ୍ୟରେ ସମ୍ପୂର୍ଣ୍ଣ ଘରଟି ପରିପୂର୍ଣ୍ଣ ଲାଗୁଥିଲା। ଆଉ ଦ୍ଵିତୀୟ ଥର ସମ୍ପୂର୍ଣ୍ଣ ବିପରୀତ। ସବୁ ଶୂନଶାନ୍ ଖାଁ ଖାଁ ଲାଗୁଥାଏ। ଘରେ କେବଳ ଦୁଇ ତିନୋଟି ଚାକରଙ୍କୁ ଛାଡ଼ି ଦେଲେ ଆଉ କେହି ନଥାନ୍ତି। ମୋତେ ଦେଖି ସେମାନେ ମୁରୁକି ମୁରୁକି ହସୁଥିଲେ ମାତ୍ର ଏହାର କାରଣ ମୋତେ ଜଣା ନଥିଲା। ଗୋଟି ଗୋଟି କରି ଘର ସାରା ମୋତେ ବୁଲାଇଲେ ଶେଷରେ ନିଜର ନେଇଗଲେ ଶୟନ କକ୍ଷକୁ। ଏଇ କକ୍ଷଟି ଘରର ସମସ୍ତ ଘରଠାରୁ ଥିଲା ସ୍ୱତନ୍ତ୍ର ଆଉ ନିଆରା। ଧଳା ରଙ୍ଗର ତକିଆ, ଚାଦର ସାଙ୍ଗକୁ କାନ୍ଥର ରଙ୍ଗ ବି ସମ୍ପୁର୍ଣ୍ଣ ଧଳା। କାନ୍ଥରେ ଟଙ୍ଗା ଯାଇଥିଲା ପ୍ରଣୟରେ ଲିପ୍ତ ଥିବା କେତୋଟି ପଟ୍ଟଚିତ୍ର। ସେ ସବୁ ପଟ୍ଟଛବି ସହିତ ଝୁଲୁଥିଲା ଗୋଟିଏ କାନ୍ଥ ଘଣ୍ଟା। ଘଣ୍ଟାର ଟିକ୍ ଟିକ୍ ଶବ୍ଦ ନିରବତାକୁ ଭଙ୍ଗ କରୁଥିଲା। ଘଣ୍ଟାର ଟିକ୍ ଟିକ୍ ଶବ୍ଦ ସହିତ ତାଳ ମୋ ହୃଦୟର ସ୍ପନ୍ଦନ ବଢ଼ିଚାଲିଥିଲା। ମୋ ହାତକୁ ଭିଡ଼ି ନେଇ ବସାଇ ଦେଲେ ତୁଳୀତଳ୍ପ ଶଯ୍ୟା ଉପରେ। ମୁଁ କିଛି ଭାବିବା ଆଗରୁ ମୋ ଓଠରେ ଆଙ୍କି ଦେଲେ ସୂକ୍ଷ୍ମ ଚୁମ୍ବନଟିଏ ।"

    "ମୁଁ ଆଉ ମୁଁ ହେଇନଥିଲି ସେ ସ୍ପର୍ଶରେ। କାଠ କି ପାଷାଣର ମୂର୍ତ୍ତିଟିଏ ପାଲଟି ଗଲି କ୍ଷଣିକ ମଧ୍ୟରେ। ସେ ମୁହୂର୍ତ୍ତରେ ନିଜସ୍ଵ ବୋଲି ସବୁକିଛି ହରାଇ ବସିଲି।ମାନବରୁ ପାଲଟି ଗଲି ଯନ୍ତ୍ରମାନବ। ସୁପ୍ତ ରକ୍ତ କଣିକା ସବୁ ଜାଗ୍ରତ ହୋଇ ଶିରାପ୍ରଶିରାରେ ଓ ଧମନୀରେ କ୍ଷୀପ୍ର ବେଗରେ ରକ୍ତ ପ୍ରବାହିତ ହେବାକୁ ଲାଗିଲା। ଝଡ଼ ସଦୃଶ ନିଃଶ୍ୱାସ ପ୍ରଃଶ୍ୱାସରୁ ମୋ ଉଷ୍ଣ ବାୟୁ ନିର୍ଗତ ହେଉଥିଲା। ଭୂମିକମ୍ପ ପରି ସମଗ୍ର ଶରୀରରେ ମୋର କମ୍ପନ ସୃଷ୍ଟି ହେଲା। ମନ ମଧ୍ୟରେ ସାଗରର ଉଜାଣୀ ଢେଉ ଆସି ବାଲି ଶଯ୍ୟାରେ ପିଟିହେଲା। ବନ୍ୟା ସମ ଶରୀରରୁ ବୋହି ଯାଉଥିବା ସ୍ୱେଦବିନ୍ଦୁରେ ମୁଁ ସମ୍ପୂର୍ଣ୍ଣ ଓଦା ହୋଇଯାଇଥିଲି । ଏକ ଅଜଣା ଶୀହରଣରେ ହୃଦୟ ମୋର ପୁଲକିତ ହୋଇ ଉଠୁଥିଲା। ପ୍ରେମର ବର୍ଷାରେ ଭିଜୁଥିଲି, ବସନ୍ତର ଶୀତଳ ସମୀରକୁ ନିଜ ଭିତରେ ଅନୁଭବ କରି ପାରୁଥିଲି। ସତରେ କ’ଣ ପୁରୁଷର ପ୍ରଥମ ସ୍ପର୍ଶରେ ଏମିତି ରୋମାଞ୍ଚ ସୃଷ୍ଟି ହୁଏ ନା କେବଳ ମୋର ହେଉଛି ? ଶଯ୍ୟାରେ ପଡ଼ିରହିଥିଲି ନିର୍ଜିବ କଣ୍ଢେଇଟିଏ ପରି ଆଉ ସେ ଉପଭୋଗ କରୁଥିଲେ ମୋର ସମଗ୍ର ଶରୀରକୁ, ବିନା ଦ୍ୱିଧାରେ ନିଜର କୁମାରୀତ୍ୱକୁ ଅର୍ପଣ କରି ଦେଲି ସାରଙ୍କ ନିକଟରେ ।"

   "ସେହି ମୁହୂର୍ତ୍ତର କଥା ମନେ ପଡିଲେ ଆଜି ବି ଲାଜରେ ମୁହଁ ତଳକୁ ହୋଇଯାଏ। ସେଦିନ ତ ସାରଙ୍କ ଡାଡୀମମିଙ୍କ ସହିତ ଆଉ ଦେଖା ହେଲାନି ବରଂ ସେମାନେ ଆସିବା ଆଗରୁ ସାର୍ ନିଜେ ଆସି ମୋତେ ଛାଡ଼ି ଦେଇଗଲେ ଆମ ଘର ସାମ୍ନାରେ। ଘରକୁ ପ୍ରବେଶ କରୁ କରୁ ମାଆ ମୋତେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥାନ୍ତି, ସେ ବି ଲକ୍ଷ୍ୟ କରିପାରୁଥିଲେ ମୋ ଭିତରେ ଘଟିଥିବା ପରିବର୍ତ୍ତନକୁ। ପୋଷାକରେ ଶାଳୀନତା ନଥାଏ। କେଶ ଅସଜଡ଼ା ହୋଇଥାଏ। ଏବଂ ମୋ ମୁହଁରେ ଲାଗିଥିବା ପ୍ରସାଧନ ସାମଗ୍ରୀ ସବୁ ଧୋଇ ହୋଇ ଯାଇଥିଲା। ବେଶଭୂଷାରେ କୈାଣସି ଅସ୍ତିତ୍ୱ ନଥିଲା। ମୋ ଭିତରେ ହୋଇଥିବା ପରିବର୍ତ୍ତନକୁ ମାଆ ଠଉରେବା ପୂର୍ବରୁ ମୁଁ ତରବର ହୋଇ ଘର ଭିତରକୁ ପଶିଗଲି । ତା’ପରେ ନିଜକୁ ସଂଜତ କରି ନିଜର ପରିବର୍ତ୍ତନତାକୁ ମାଆଙ୍କ ସମ୍ମୁଖରେ ଲୁଚାଇବାରେ ସକ୍ଷମ ହୋଇପାରିଲି। ସେଦିନ ରାତିରେ ପ୍ରାଣହୀନ ଶରୀର ପରି ମୁଁ ବିଛଣାରେ ପଡ଼ି ରହିଥାଏ, ଆଖିରୁ ନିଦ ସବୁ କୁଆଡେ ହଜିଯାଇଥିଲା। ବାରମ୍ବାର ସେ ମୁହୂର୍ତ୍ତମାନ ମୋ ଆଖି ଆଗରେ କେଉଁ ସିନେମାର ଏକ ଅଂଶ ଭଳି ଭାସିଯାଉଥାଏ। ଆଗାମୀ ଦିନ ଗୁଡିକ ଥିଲା ମୋ ଏକ ନୂତନ ସଂଘର୍ଷର ଆହ୍ଵାନ।"

   " ମାଟିରେ ପୋତାଯାଇଥିବା ମଞ୍ଜିରୁ ଦିନେ ନା ଦିନେ ବୃକ୍ଷ ଅଙ୍କୁରୋଦଗମ ହେବ, ସେଥିପାଇଁ ଅନୁକୂଳ ପରିବେଶ ଓ ଉଚିତ୍ ସମୟକୁ ଅପେକ୍ଷା କରିବାକୁ ପଡ଼ିଥାଏ। କିଛି ଦିନ ଅତିକ୍ରାନ୍ତେ ମୁଁ ଜାଣିବାକୁ ପାଇଲି ସ୍ୱାଧିନ ସାରଙ୍କ ସନ୍ତାନ ମୋ ଗର୍ଭରେ ବଢୁଛି। ମାତୃତ୍ଵ ଲାଭ କରିବାରେ ଯେତିକି ଆନନ୍ଦ ଲାଗୁଥାଏ, ବିବାହ ପୂର୍ବରୁ ଅନ୍ତଃସତ୍ତ୍ଵା ହୋଇଛି ଭାବି ସେତିକି ଘୃଣା ଲାଗୁଥାଏ ନିଜକୁ। ଏକଥା କାହାକୁ କହିବି ଆଉ କେମିତି କହିବି କିଛି ଭାବି ପାରୁନଥାଏ। ଏଥିପାଇଁ ଯିଏ ଏକମାତ୍ର କାରଣ ତାଙ୍କୁ ସବୁକଥା ଜଣାଇବାକୁ ନିଷ୍ପତ୍ତି ନେଲି। ଯଦି ମାଆ ଏସବୁ ଜାଣିବେ ତେବେ ସେ ସମ୍ପୂର୍ଣ୍ଣ ଭାଂଗିଯିବେ ଭିତରୁ, ମୋ ଚରିତ୍ରରେ କଳଙ୍କ ନଲାଗିବା ପାଇଁ ବେଶ୍ୟା ବୃତ୍ତିରୁ ମୋତେ ଦୂରେଇ ରଖିଥିଲେ। ଆଜି ଯଦି ସେ ଜାଣିପାରନ୍ତି ବିବାହ ନକରି ତାଙ୍କ ଅଲିଅଳି ଝିଅ ଗର୍ଭବତୀ ହୋଇଛି, କେଉଁ ମାଆ ଏହାକୁ ଗ୍ରହଣ କରିବ ? ମାଆ ଜାଣିବା ଆଗରୁ ସ୍ୱାଧିନ ସାରଙ୍କୁ ସବୁ କଥା ଅବଗତ କରାଇଲି। ମୁଁ ଭାବିଥିଲି ପିତୃତ୍ୱ ପ୍ରାପ୍ତିର ଖୁସିରେ ଆତ୍ମହରା ହୋଇଯିବେ। କିନ୍ତୁ ମୋ ଭାବନାର ଠିକ୍ ବିପରୀତ ହିଁ ଘଟିଲା। ମୋତେ ଗ୍ରହଣ କରିବା ପରିବର୍ତ୍ତେ ମୋତେ ଭର୍ତ୍ସନା କଲେ, କେତେ କଟୁ କଥା କହିଲେ। ସେ ସବୁକୁ ସହ୍ୟ କରିବା ମୋ ପକ୍ଷେ ଅସମ୍ଭବ ଥିଲା। ମୁଁ ବୁଝିଗଲି ସାରଙ୍କ ମୋ ପ୍ରତି କେବେ ବି ପ୍ରେମ ନଥିଲା। ତାହା ଥିଲା କେବଳ ଛଳନା ଓ ପ୍ରତାରଣା। ମୁଁ ସ୍ଥିର କରିଥିଲି ଆମ ପ୍ରେମର ସନ୍ତକକୁ ଦୁନିଆର ଆଲୋକ ଦେଖାଇବାକୁ ହେଲେ ସ୍ୱାଧିନ ସାରଙ୍କୁ ବିବାହ କରିବାକୁ ହେବ । କିନ୍ତୁ ସେ ଟଙ୍କା ବିଡ଼ା ମୋ ଉପରକୁ ଫୋପାଡି ଦେଇ ଗର୍ଭରେ ବଢୁଥିବା ଶିଶୁ ସନ୍ତାନକୁ ହତ୍ୟା କରିବାକୁ କହିଲେ। ତାଙ୍କ ପ୍ରତି ଯେଉଁ ପ୍ରେମ, ଭଲପାଇବା, ସମ୍ମାନ ଥିଲା ଏ ସବୁ ଘଟଣା ଘଟିବା ପରେ ସେତିକି ଘୃଣାରେ ପରିଣତ ହୋଇଗଲା। "

   " ସମୟ ପରିସ୍ଥିତିରେ ସବୁକିଛି ପରିବର୍ତ୍ତନ ହୋଇ ଗୋଟିଏ ମାତ୍ର ଭୁଲ ପାଇଁ ଜୀବନ ଚଲାପଥରେ ମୋଡ଼ ଆସିଯାଏ, ଭାଗ୍ୟ ଭବିଷ୍ୟତ ବି ବଦଳିଯାଏ। ସନ୍ତାନଟିକୁ ଜନ୍ମ ଦେବାରେ ଯେଉଁ ନିଷ୍ପତ୍ତି ନେଇଥିଲି ତାହା କ୍ଷଣିକ ମଧ୍ୟରେ ଭାଙ୍ଗି ଚୁରମାର ହୋଇଗଲା। ସବୁ ବିଶ୍ୱାସ ଭରସା ମାଟିରେ ମିଶିଗଲା। କେଉଁ ପରିଚୟ ଦେଇ ସନ୍ତାନଟିକୁ ଜନ୍ମ ଦେଇଥାନ୍ତି, ଦୁନିଆକୁ ମୁଁ କେମିତି ମୁହଁ ଦେଖାଇଥାନ୍ତି । ଆଉ ସେଇ ମାଆ ଯିଏ ମୋତେ ନରଭୋଗୀ ମଣିଷଠାରୁ ମୋତେ ନିଜ ପଣତ କାନିରେ ଘୋଡାଇ ରଖିଥିଲେ କିପରି ସାମ୍ନା କରିବି ତାଙ୍କୁ । ସେ ତ ମୋର କର୍ତ୍ତବ୍ୟରେ କେବେ ଅବହେଳା କରିନଥିଲେ। ତେବେ ସେ ମୋ ପାଇଁ କାହିଁକି କଷ୍ଟ ପାଇବେ, ସବୁକିଛି ଭାବିଦେଲା ବେଳକୁ ଲଜ୍ୟା ଓ ଘୃଣାର ପାହାଡ଼ ମୋ ମୁଣ୍ଡ ଉପରେ ଲଦି ହେଲା ଭଳି ଲାଗୁଥିଲା। ଏବେ ଘରକୁ ଫେରିବାର ସବୁ ରାସ୍ତା ମୋ ପାଇଁ ବନ୍ଦ ହୋଇଯାଇଥିଲା। ଉନ୍ମୁକ୍ତ ଥିଲା କେବଳ ଗୋଟିଏ ପଥ ମୃତ୍ୟୁର ପଥ । ଯିଏ ସମସ୍ତଙ୍କୁ ନିଜ କୋଳରେ ଆଶ୍ରୟ ଦେବାରେ ଆଗଭର ଥାଏ । ସେଥି ନିମନ୍ତେ ଏହି ପଥକୁ ନିଜର କରିବାକୁ ଧାଇଁ ଆସିଥିଲି ଅସହାୟ ନାରୀ ପରି। "

   "ଆପଣ କୁହନ୍ତୁ ଜୀବନ ବାବୁ, ଏଭଳି ଅଭିଶପ୍ତ ଜୀବନ ନେଇ ବଞ୍ଚିବାର ମୂଲ୍ୟ କଣ ? ଯେଉଁଠି ଜୀବନ ଜିଇଁବାର ମୂଲ୍ୟ କିଛି ନାହିଁ, ମୃତ୍ୟୁର ପଥକୁ ଆପଣାଇବାରେ କ୍ଷତି କଣ ? "

   ମଂଜରୀଙ୍କ ଜୀବନର ସବୁ ଘଟଣା, ଦୁର୍ଘଟଣାକୁ ମନଧ୍ୟାନ ଦେଇ ଶୁଣୁଥିଲେ ଜୀବନ ଦାସ। ସେ ପଥର ପ୍ରତିମୂର୍ତ୍ତି ଭଳି ବସିଥାନ୍ତି। କହିବାକୁ ପାଟିରେ କିଛି ଭାଷା ନଥିଲା ବୋଧ ହୁଏ ତାଙ୍କର, ଆଖିରୁ ଦୁଇ ଧାର ଲୁହ ଗଡ଼ାଇ କେବଳ ନିରବ ସମବେଦନା ଜଣାଉଥିଲେ ମଂଜରୀ ମ୍ୟାଡାମଙ୍କୁ। ତାଙ୍କ ଜୀବନ ସମସ୍ୟାର ସମାଧାନ ଖୋଜୁଥିଲେ ଉର୍ଦ୍ଧ୍ଵକୁ ଚାହିଁ। ସେତେବେଳକୁ ସିନ୍ଦୂରା ଫାଟି ପୂର୍ବ ଦିଗରେ ଉଦୟ ହେଉଥିଲେ ନବରବି।



Rate this content
Log in

Similar oriya story from Romance