ଚିଠି
ଚିଠି
ଚୁଇଁ,
ପ୍ରଥମେ ତୁ ମନେ ରଖିବା ଦରକାର କି ମୁଁ ତୋ କବିତାକୁ ଯେତିକି ଭଲପାଏ ତାଠୁ ଅଧିକ ଭଲପାଏ ତତେ । ସେହି କାରଣରୁ ମୁଁ ତୋର ଆଉ ତୋ ହାତ ଲେଖା କବିତାର ମୁଗ୍ଧ ପ୍ରଶଂସକ। ଏମିତି କି ତୋ କବିତାରେ ଭୁଲ ଦେଖିଲେ ସଂଶୋଧନ କରିବାକୁ ପଛାଏ ନାହିଁ । କାରଣ ମୁଁ ତତେ ଗୋଟେ ଭଲ କବୀ କିମ୍ବା ଲେଖିକା ଭାବେ ଦେଖିବାକୁ ଚାହେଁ । ତୁ ଭବିଷ୍ୟତରେ ଯେ କୌଣସି କାର୍ଯ୍ୟରେ ଯୋଗ ଦେଲେ ମଧ୍ୟ ଲେଖା କେବେ ବି ଛାଡ଼ିବୁନି । ଏଇ ଅନୁରୋଧ ମୋର ।
ବର୍ତ୍ତମାନର ବିଷୟ କବିତାକୁ ନେଇକି । ତୋର ଶୁଭ ଚିନ୍ତକ ଭାବରେ ଗୋଟେ କଥା କହିବି ମନେ ରଖିବୁ । ଯେମିତି ଛୁଆ ଜନ୍ମ ହେବା ପରେ ତା ନାମକରଣ ହୋଇଥାଏ ଠିକ୍ ସେମିତି କବିତା ଲେଖିବା ପରେ ତା ନାମକରଣ କରିବା ନିହାତି ଆବଶ୍ୟକ । ଯାହାକୁ ଆମେ ସାହିତ୍ୟିକ ଭାଷାରେ ଶୀର୍ଷକ ବୋଲି କହିଥାଉ । ମୁଖଶାଳାର ସୌନ୍ଦର୍ଯ୍ୟକୁ ଦେଖି ମନ୍ଦିରର ସୁନ୍ଦରତାକୁ ଅନୁମାନ କରିହୁଏ । ଶୀର୍ଷକରୁ ସେପରି କବିତାର ମଧୁରତାକୁ ଅନୁମାନ କରାଯାଇପାରେ । ଆକର୍ଷଣୀୟ ଶୀର୍ଷକଟି ପାଠକମାନଙ୍କୁ ଆକୃଷ୍ଟ କରିଥାଏ କବିତାକୁ ସଂପୂର୍ଣ୍ଣ ଭାବେ ପଢିବା ନିମନ୍ତେ ।
ଏହା ସବୁ ଥିଲା ଅନ୍ୟ ମାନଙ୍କ ଦୃଷ୍ଟିଭଙ୍ଗୀରେ ମୁଁ ଯାହା ଦେଖେ ତାହା ହିଁ କହିଲି । ତୋ କବିତା ପ୍ରତି ମୋ ନିଜସ୍ୱ ମତ ଆଉ ଅଧିକ କଣ ଦେବି । ତୋ କବିତା ସବୁ ମତେ ନିଜର ବୋଲି ଲାଗେ । ଆଗରୁ ଅନ୍ୟମାନଙ୍କ କଥା ଆଉ ସମାଜ କଥା ଲେଖୁଥିଲୁ, ଆଉ ଏବେ ତୋ ନିଜ କଥା ଲେଖୁଚୁ ଯାହା ଭିତରେ ମୁଁ ନିଜକୁ ଖୋଜିପାଉଛି । ଏହି କବିତାଟା ବହୁତ ନିଜର ଲାଗିଲା । ଯେଉଁଥିରେ ପ୍ରେମର ପରିଭାଷାକୁ ସୁବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । ବିଶେଷ କରି-:
" କିନ୍ତୁ ଏହା ନିରାଟ ସତ୍ୟ
ତୁମ ଉପସ୍ଥିତିରେ ମୁଁ
ସଂପୂର୍ଣ୍ଣ ଭୁଲିଯାଏ ନିଜକୁ
ତୁମ ନୟନରେ ଦେଖିଚାଲେ
ମୋ ପ୍ରତିଛବିକୁ । "
ଏହି ପଦଟି ଜଣାଇ ଦେଉଛି ତୋ ହୃଦୟରେ ଥିବା ଗଭୀର ପ୍ରେମ । ଏହି ପ୍ରେମ ହିଁ କବିତ୍ଵ ସ୍ଫୁରଣର ଅନ୍ୟ ଏକ ମାଧ୍ୟମ । ତୋ ହୃଦୟରେ କବିତାର ବୀଜଟି ପୋତାଯାଇଥିଲା, କିନ୍ତୁ ଏବେ ପ୍ରେମର ସ୍ପର୍ଶରେ ତାହା ଦ୍ଵିଗୁଣିତ ହୋଇଯାଇଛି । ଆଗରୁ ପଢିଥିବା କବିତା ଗୁଡିକରେ ଏଭଳି ଶବ୍ଦ ପ୍ରୟୋଗ ହୋଇଥିବାର ଦେଖିନାହିଁ । ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି କି ଭାଷାର ଶୈଳୀ ଓ ଶବ୍ଦ ସଂଯୋଜନାର ଲକ୍ଷଣୀୟ ପରିବର୍ତ୍ତନର ଏକ ମାତ୍ର କାରଣ ହେଉଛି ପ୍ରେମ । ଯାହା ହେଉ ପ୍ରେମ ଭଳି ଏକ ପବିତ୍ର ଅନୁଭବ, ଅନୁଭୂତିକୁ ତଥା ଏକ ବୃହତ ସତ୍ତାକୁ ନିଜ ହୃଦୟରେ ସ୍ଥାନ ଦେଇ ନିଜକୁ ସହୃଦୟତାର ପରିଚିତ କରାଇବା ସହ ମତେ ସୌଭାଗ୍ୟବନ୍ତ କରାଇଛୁ ।
ଶେଷରେ ପଦୁଟିଏ ତୋ ପାଇଁ ଲେଖିବି-
" ମୁଁ ଜାଣେନି ତୁ କିଏ ?
ସାଧାରଣ ନାରୀ
ନା କେଉଁ ସ୍ୱର୍ଗର ଅପସରୀ
ଦେବୀ ନା ମହାମାନବୀ
ତୁ ଯାହା ବି ହେଲେ
ମୋ ପାଇଁ ପ୍ରିୟ ବାନ୍ଧବୀ ।
ବନ୍ଧୁତା ହେଉ ଅବା ପ୍ରେମ
ସେତ ସଂପର୍କର ଅନ୍ୟନାମ,
ଯେଉଁ ସଂପର୍କରେ ବନ୍ଧାପଡ଼ିଛି
ଦୁଇଟି ସରଳ ହୃଦୟ
ଆଉ ଦୁଇ ନିଷ୍ପାପ ମନ ।"
ଆଉ କିଛି ଅଧିକ କହୁନି । ବାକି ଯାହା ମୁଁ କହିବା କଥା ନିଜେ ବୁଝିନେବୁ । ମୁଁ କିଛି କହିବା ଆଗରୁ ତୁ ବହୁତ ଭଲ ଭାବରେ ବୁଝିପାରୁ, କାରଣ ମତେ ଭଲ ଭାବେ ବୁଝିଚୁ ଆଉ ମୋ ମନକଥାକୁ ଭଲରେ ପଢ଼ିପାରିଚୁ । ରହିଲି
ଇତି
ତୋର ମୁଁ
ମହାରାଜ