Bandita Mohanty

Crime Fantasy Inspirational

5  

Bandita Mohanty

Crime Fantasy Inspirational

କୁଆଁରୀ ଦେବକୀ

କୁଆଁରୀ ଦେବକୀ

6 mins
485


  ଦେବକୀ ସାଜି ବନ୍ଦୀଶାଳା ରେ ଜୀବନ ଅତିବାହିତ କରିବା ପରେ ଦିନେ ପୁନେଇଁ ରାତି ରେ କୁଆଁ କୁଆଁ ରାବ ର ଧ୍ଵନି ଚାରି କାନ୍ଥ ମଧ୍ୟରେ ପ୍ରତିଧ୍ବନିତ ହେବାକୁ ଲାଗିଲା। ଏ କ'ଣ ? ଇଏ ସ୍ବପ୍ନ ନା ସତ ! ନା' ଏ ନିଶ୍ଚୟ ସ୍ବପ୍ନ ହିଁ ହେଇଥିବ। କିନ୍ତୁ.....

  ବନ୍ଦୀଶାଳାର ଛୋଟ ଝରକା ଦେଇ ପୂର୍ଣ୍ଣିମା ରାତିର ଗୋଲେଇ ଜହ୍ନ ର ତୋଫା କିରଣ ସମାନ୍ତର ସରଳରେଖା ଭଳି ଧାର ଧାର ହେଇ ପଡ଼ିଥାଏ। ସତେ ଯେପରି ଧିର ପବନ କୁଆଁ କୁଆଁ ରାବ ର ଧ୍ଵନି ରେ ଅତି ବେଗ ରେ ଆତଯାତ କରିବାକୁ ଆରମ୍ଭ କରିଲା। ସମସ୍ତେ ଶୋଇ ପଡ଼ିଛନ୍ତି । କେବଳ ଏଠି ଦୁଇଟି ଆଖି ଚେଇଁ ରହିଛି। ତା ସହ ଚେଇଁ ରହିଛି ପୂର୍ଣ୍ଣମୀ ରାତି ର ଚାନ୍ଦ। ସେଇ ଚାନ୍ଦ ଯିଏ କି ରାତ୍ରୀ ଉଜାଗର ରହି କୁଆଁରୀ ମନରେ ଅସୁମାରୀ ସ୍ବପ୍ନ ଦେଖେ। ଅସୁମାରୀ ଆଶା ଆନନ୍ଦ ରେ ତା ମନ ପ୍ରାଣ କେବେ ଉତ୍ଫୁଲିତ ହେଇଯାଏ ତ ପୁଣି କେବେ ଅମାବାସ୍ୟା ର ଅମା ଅନ୍ଧକାରରେ ଅନ୍ତର ଭିତରର କେଉଁ କୋଣ ରୁ ଲୁଚି ରହିଥିବା କୋହ ଜାଗ୍ରତ ହେଇ ଉଠେ। କୁଆଁରୀ ମନ ର ସ୍ବପ୍ନ ମରିଯାଏ ଏ ଅନ୍ଧକାର ରେ। କବର ଦେଇଦିଏ ସେ ତାର ଅସ୍ଥିତ୍ତ୍ଵ କୁ। କେହି ଦେଖି ପାରନ୍ତିନି ଏଇ ଅନ୍ଧକାର ରାତ୍ରୀ ରେ କଣ କଣ ସବୁ ଘଟିଯାଏ। ଏଇ ଅନ୍ଧକାର ରେ କେବେ କିଛି ମଣିଷ ନୃଶଂସ ସାଜି ଯାଆନ୍ତି ତ ପୁଣି କେବେ ନର ପିପାସୁ ସାଜି କାମାଗ୍ନି ରେ ଅନ୍ଧ ହେଇ ନିଜର ଶୋଷ ମେଣ୍ଟାଇ ଥାଆନ୍ତି। ଯଦି ପ୍ରତିବାଦ କରିବାକୁ ସ୍ୱର ଉଠାଇବ ତା ହେଲେ ସମାଜ ର ନିନ୍ଦା ଅପବାଦ ମାନସିକ ଚିନ୍ତା ଓ ପରିସର ମଧ୍ୟରେ ବନ୍ଦୀ ହୋଇରହିବାକୁ ପଡ଼ିବ। ଏ ସବୁକୁ ଆଖି ଆଗରେ ରଖି ବାଟ ଚାଲିଲା ବେଳେ ନିଜେ ନିଜ ଭିତରେ ବନ୍ଦୀ ହେଇ ରହିଯିବ ସବୁଦିନ ପାଇଁ। ହେଲେ ଦିନେ ନା ଦିନେ କଳା ବାଦଲ ତଳୁ ପୂର୍ଣ୍ଣମୀ ର ଚାନ୍ଦ ଉଇଁବ। ତୋଫା କିରଣରେ ସାରା ଜଗତ କୁ ବିଚ୍ଛୁରିତ କରିବ। ଯାହା ସତ ତାକୁ ପାତାଳ ଗର୍ଭ ରେ ନେଇ ଲୁଚାଇ ରଖିଲେ ବି ଦିନେ ନା ଦିନେ ସାମ୍ନା କୁ ଆସିବ।

   ହେଲେ ଏ ପିଲା..... ତାର କଣ ହେବ ? ସେଦିନ ସିନା ବସୁଦେବ ନିଜ ପୁତ୍ର କୁ ଗୋପପୁର ନେଇ ଯାଇଥିଲେ। ୟାକୁ କିଏ ଗୋପ କୁ ନେବ। ଏଠି ତ ବସୁଦେବ ନାହାନ୍ତି। ତା ହେଲେ କଣ କରିବି ଏଇ ପିଲା କୁ ? ମାରିଦେବି !! ନା, ହାତ କେମିତି ଯିବ ନିଜ ଛୁଆ କୁ ମାରିବାକୁ। ହେ ଭଗବାନ........ ରାସ୍ତା ଦେଖାଅ। ସେଦିନ ଯେମିତି ଗୋପ ପୁରେ ପହଞ୍ଚିବା ପାଇଁ ବସୁଦେବ ଙ୍କୁ ବାଟ ଦେଖାଇ ଥିଲ। ଆଜି ସେମିତି ଏ ପିଲା କୁ ବଞ୍ଚାଇବା ପାଇଁ ରାସ୍ତା ଦେଖାଅ।

  କୁଆଁରୀ ମନ ଯେଉଁ ସମୟରେ ହସି ବୁଲି ଖେଳି ଜୀବନ ଜିଇଁବା କଥା ସେହି ସମୟରେ ମାତୃତ୍ଵ ର ସୁଖ ପାଇବାକୁ ବସିଥିଲା ଦେବକୀ। ତା ବି ପୁଣି ବିନା ବାହାଘର ରେ। ଭଗବାନ ଙ୍କ ବିଚିତ୍ର ଲୀଳା। କିଛି ସମୟ ପରେ ଦୂର ରୁ ଏକ କଳା ଛାଇ ଦେଖାଗଲା। ଦେବକୀ ସତର୍କ ର ସହ ପାଖରେ ଥିବା ଛୁରୀ କୁ ଧରି ବସି ପଡ଼ିଲା। ଏକ ବଳିଷ୍ଠକାୟ ଦୀର୍ଘ ଶରୀର। ହାତ ରେ ତାର ଲାଠି ବାଡି ଟେ ଅଛି। ଧୀରେ ଧୀରେ ଛାଇ ଟା ପାଖକୁ ପାଖକୁ ଆସୁଥାଏ। ଦେବକୀ ପଛକୁ ଘୁଞ୍ଚି ଯାଇ ପିଲାକୁ ପିନ୍ଧିଥିବା ଧଳା ଲୁଗା ରେ ଘୋଡେ଼ଇ ଦେଲା। ଛାଇ ଟି ପାଖରେ ଆସି ପହଞ୍ଚିଗଲା। ଦେବକୀ ମୁଣ୍ଡ ଟେକି ମୁହଁ କୁ ଚାହିଁଲା। ପୁଣି ମନକୁ କଣ ଆସିଲା କେଜାଣି ସେ କାନ୍ଦିବାକୁ ଉଦ୍ୟୋତ ହେଇ ଉଠିଲା ବେଳକୁ ତା ମୁହଁ ରେ ସେଇ ଲୋକ ଟି ହାତ ଦେଇ କହିଲା,"ରହିଯା' ରେ ମା। ଆଉ କେତେ କାନ୍ଦିବୁ ? ଯେତିକି ଆଖିରୁ ଲୁହ ଝରାଇବା କଥା ଝରାଇ ସାରିଛୁ। ଏଥର ମତେ ତାକୁ ଦେ...। ଯାହା ମୁଁ କରି ପାରିଲିନି ସେ ତୋ ପାଇଁ ନିଶ୍ଚୟ କରିବ। ମୁଁ ତାକୁ ମଣିଷ ଭଳି ମଣିଷ ତିଆରି କରିବି। ଏଇ ସମାଜର ପରିସର ଚାରିକାନ୍ଥ ର ଆବଦ୍ଧ କୋଠରୀ ରୁ ମୁକ୍ତ କରିବ। ଏଇ ବର୍ଦ୍ଦି ପିନ୍ଧି ମୁଁ ଯାହା କରି ପାରିଲିନି ସେ କରିକି ଦେଖାଇବ।

   ଏତିକି କହିଦେଇ ବର୍ଦ୍ଦୀ ପିନ୍ଧାଧାରୀ ମଣିଷ ଟି ଦେବକୀ ଠାରୁ ତା ପୁଅ କୁ ନେଇ ଚାଲିଗଲା। ଏକଲୟ ରେ ଚାହିଁ ରହିଥାଏ। ହସିବ କି କାନ୍ଦିବ ତାହା ଜାଣି ପାରୁ ନ ଥିଲା। କେବଳ ଏକ କରୁଣ ଚାହାଣୀ ରେ ବିଦାୟ ଦେଇ ବୁଲି ପଡ଼ିଲା ପଛକୁ।

   ଦୀର୍ଘ ପଚିଶ ବର୍ଷ ପରେ.....

  ଥାନା ରେ ନୂଆ ଅଫିସର୍ ଙ୍କ ନିଯୁକ୍ତି। ହୃଷ୍ଟପୃଷ୍ଟ ଶରୀର। ମୁହଁ ରେ ଦୀପ୍ତିମନ୍ତ ଉଜ୍ଜ୍ବଳ ପ୍ରତିଭା । ପ୍ରବେଶ କରୁ କରୁ ପ୍ରଥମେ କଏଦୀ ମାନଙ୍କୁ ଦେଖିବା ପାଇଁ ଚାଲିଗଲେ। ହଁ ଏଇ ପଚିଶ ବର୍ଷ ଭିତରେ କେତେ କଏଦୀ ଙ୍କ ମୃତ୍ୟୁ ଘଟିଛି ଅବା କାହାର ଅନ୍ୟ ଏକ ବନ୍ଦୀଶାଳା କୁ ପ୍ରସ୍ଥାନ ହୋଇଛି। କିଛି ନୂତନ କଏଦୀ ମଧ୍ୟ ଆସି ସାରିଥିଲେ। କିନ୍ତୁ ସବୁଠୁ ପୁରୁଣା ହେଇ ରହିଥିଲା ଜଣେ। କାହ୍ନୁ ସିନା ଷୋହଳ ବର୍ଷ ପରେ ଦେବକୀ ଙ୍କୁ ବନ୍ଦୀ ଗୃହରୁ ମୁକ୍ତ କରିଥିଲା। ହେଲେ ପଚିଶ ବର୍ଷ ପରେ ଦେବକୀ କଣ ମୁକ୍ତ ହେଇ ପାରିବ ? ନା ସିଏ ମୁକ୍ତ ହେବାର ଆଶା ରଖିନି, ସେ ତ ଭାବିଥିଲା ସମାଜ ରେ ପୁଅ ର ପରିଚୟ କଣ ରହିବ ? ଏବେ ତ ନୂଆ ପରିଚୟ ସୃଷ୍ଟି ହେଇ ସାରିଛି ତାର......। ମୋର ଆଉ ଦୁଃଖ ନାହିଁ। କଡ ଲେଉଟାଇ ଦେଲା ଦେବକୀ। ହଠାତ୍ ଗୋଟିଏ ଶବ୍ଦ ଶୁଣାଗଲା। ମା'....। ପିଲା ଦିନୁ ଶୁଣିଛି ଏ ଶବ୍ଦ ରେ କଣ ରହିଛି କେଜାଣି ଶୁଣିଦେଲା କ୍ଷଣି ମନ ପ୍ରାଣ ଆନନ୍ଦିତ ହେଇ ଉଠେ। ଡାକିବା ଲୋକ ଯେତିକି ଖୁସୀ ନ ଥିବ ଶୁଣିବା ଲୋକ ତା ଠାରୁ ଦଶ ଗୁଣ ଆନନ୍ଦିତ ହେଇ ଯାଉଥିବ। କିନ୍ତୁ ଦେବକୀ ଏ ଡାକ ଶୁଣିବ ବୋଲି ସ୍ବପ୍ନ ରେ ବି ଭାବି ନ ଥିଲା। ହେଲେ ଏବେ କିଏ ଡାକୁଛି ତାକୁ। ନା ନା ଏ ବୋଧେ ସ୍ବପ୍ନ। ଟିକେ ଶୋଇ ପଡ଼ିବି ଯାଉଛି। କଣ କଣ ସବୁ ଭାବୁଛି କେଜାଣି ? ପୁଣି ଶୁଭିଲା ମା'...। ନା ସତରେ କେହି ଜଣେ ଡାକୁଛି ? ବୁଲି ପଡ଼ିଲା ଦେବକୀ। ଆଗରେ ଛିଡା ହେଇ ରହିଛି ଏକ ବର୍ଦ୍ଦି ପିନ୍ଧା ମଣିଷଟିଏ।ଗୋରା ତକ୍ ତକ୍ ମୁହଁ। ଆଖି ଦୁଇଟିକୁ ଦେଖିଲେ ଲାଗୁଥିଲା ଯେମିତି ବହୁତ ଦିନ ରୁ ସେ କାହାର ଅପେକ୍ଷା ରେ ରହିଛି। କାହାର ଆଦର ସ୍ନେହ ମମତା ପାଇଁ ସେ ବୋଧେ ଯୁଗ ଯୁଗ ଧରି ପ୍ରତୀକ୍ଷା କରିଛି। ଦେବକୀ ଠିକ୍ ଜାଣି ପାରୁଥିଲା। ଆଖି ର ଭାଷା ପଢ଼ିବାରେ ହୁଏ ତ ଆଉ କିଏ ଭୁଲ୍ କରି ଦେଇପାରେ କିନ୍ତୁ ଦେବକୀ ନୁହଁ। ଲୁହା ର କବାଟ ଟିକୁ ଖୋଲି ଦେଇ ଲୋକ ଟି ଧାଇଁ ଆସି ପାଦ ତଳେ ପଡ଼ିଗଲା।

  ଦେବକୀ ସବୁ ଜାଣି ପାରୁଥିଲା। ତଳୁ ଉଠାଇ ଦେଇ ପିନ୍ଧିଥିବା ମଇଳା ଲୁଗା ରେ ମୁହଁ ଟିକୁ ପୋଛି ଦେଇ ପାଖରେ ବସେଇ ଦେଲା। ବହୁ ଦିନରୁ ପ୍ରତୀକ୍ଷା ରେ ଥିବା ନୟନରୁ ଲୁହ ଗୁଡାକ ଅବିରତ ଝରି ପଡିଥିଲା ସିନା କୁଆଁରୀ ବୟସ ରୁ ମାତୃତ୍ଵ ଲାଭ କରିଥିବା ଦେବକୀ କିନ୍ତୁ ଆନନ୍ଦିତ ହେଇ ପଡ଼ିଥିଲା। ହାତ କୁ କିଛି ଧଳା କାଗଜ ବଢ଼ାଇ ଦେଇ କହିଲା , ମା' ମୁକ୍ତି ର ସମୟ ଆସିଗଲା। ମୁଁ ସବୁ ଜାଣିଛି। କ'ଣ ଜାଣିଛୁ ତୁ ? କିଛି ଜାଣିନୁ। ଚାଲି ଯା'..... ଧନ। ସେଦିନ ଆସିବୁ ଯେଉଁଦିନ ଦେବକୀ ଡାକିବ ମୁକ୍ତି ପାଇଁ।

    ସବୁ ଜାଣିଛି। ତମେ ଚାଲ ମୋ ସହ। କିଛି ଲୋକଙ୍କୁ ଜବାବ୍ ଦେବାର ସମୟ ଆସିଛି। ଯେଉଁ ବଡବଡିଆ ଙ୍କ ପାଇଁ ଛବିଶି ବର୍ଷ ବନ୍ଦୀ ଜୀବନ ବିତାଇଛ। ସେମାନଙ୍କ ପାଖକୁ ଯିବାର ଅଛି। ମୁକ୍ତି ମିଳିଗଲା, ଏବେ କେବଳ ସମାଜକୁ କିଛି କହିବାର ଅଛି।

  ରଙ୍ଗୀନ୍ ଶାଢ଼ୀ ଟିଏ ପିନ୍ଧି ହାତ ରେ କିଛି ଚୁଡି ଲଗାଇ ଚାଲି ଚାଲି ଗାଁ କୁ ବାହାରିଲା। ପୁରୁଣା କର୍ମ ପାଇଁ ଗାଁ ରେ ପାଦ ପଡ଼ିଲା କ୍ଷଣି ସବୁ ଧାଇଁ ଆସିଲେ। କିଛି ସ୍ତ୍ରୀ ଲୋକଙ୍କ ପାଟିରୁ ଅନର୍ଗଳ ଭାଷା ବାହାରୁଥାଏ। ଆଉ କିଛି ଜଣ କୁକୁର କୁ ଦେଖିଲେ ଯେମିତି ବ୍ୟବହାର କରନ୍ତି ସେପରି କରୁ ଥାଆନ୍ତି। ଦେବକୀ କିନ୍ତୁ ମୁଣ୍ଡ ଟେକି ବାଟ ଚାଲିଥାଏ। ହଠାତ୍ ଜଣଙ୍କ ପ୍ରଶ୍ନ ରେ ଦେବକୀ ଷ୍ଟାଚ୍ୟୁ ପାଲଟି ଗଲା। "କୁଆଁରୀ ମା ତ ସାଜିଲୁ, ଶୁଣିଥିଲି ତୋ ପୁଅ କୁଆଡେ ବଡ ଚାକିରୀ କରୁଛି। ସେ କ'ଣ ତତେ କେବେ ପଚାରୁନି ତା ବାପା କିଏ ବୋଲି ?"

   ଦେବକୀ ଉତ୍ତର ରେ କହିଲା ," ଏଇ ଗାଁ ର ଯେତିକି ବଡବଡିଆ ମରଦ ମାନଙ୍କୁ ଦେଖୁଛ ସେମାନେ ହେଉଛନ୍ତି ତା ବାପା। କଣ ଭାବୁଛ ତମେ ସବୁ !! ମୁଁ ଅନ୍ୟକୁ ମାରିବାର ଦେଖାଗଲା କିନ୍ତୁ ମତେ ସେମାନେ କଣ କରିଥିଲେ ତାହା ଦେଖାଗଲା ନାହିଁ। ଦେଖ .... ବୋଲି କହି ଦେବକୀ ବୁଲି ପଡି ପିଠି କୁ ଦେଖାଇ ଦେଲା। ଛବିଶି ବର୍ଷ ମଧ୍ୟରେ ବି ସେଇ ଦାଗ ଲିଭି ନ ଥିଲା। ସେଦିନ ରାତି ରେ ଏକା ଘରକୁ ଫେରିଲା ବେଳେ ସରପଞ୍ଚ ଆଉ କିଛି ଲୋକ ମାନଙ୍କ ନଜର ପଡ଼ିଥିଲା ଦେବକୀ ଉପରେ। ବହୁତ କଷ୍ଟ ରେ ସେମାନଙ୍କ କବଳରୁ ନିଜକୁ ବଞ୍ଚେଇବା ପାଇଁ ଧାଇଁଲା। ବେଶି ଦୂର ନ ଧାଇଁ ପାରିବାରୁ ଶେଷରେ ସେମାନଙ୍କ ଆଖିରେ ଜଳି ଉଠୁଥିବା କାମାଗ୍ନି ରେ ନିଜକୁ ଦଗ୍ଧିଭୂତ କରିଲା। ଏକ ତୀକ୍ଷଣ ଧାରୁଆ ଛୁରୀଟେ ଜଣଙ୍କ ପକେଟ୍ ରୁ ବାହାର କରି ସରପଞ୍ଚ କୁ ମାରିଦେଲା। ଯାହାକି ତା'ର ବନ୍ଦୀ ଜୀବନ ର କାରଣ ହେଲା। ଆଉ ଏବେ ସେ ସବୁ ସତ ସାମ୍ନା କୁ ଆସି ସାରିଛି। ଗୋଟି ଗୋଟି କରି ଗୁମର ଖୋଲି ସରିଛି। ଆଗରୁ ବି ସରପଞ୍ଚ ପାଇଁ କିଛି ଝିଅ ଆତ୍ମହତ୍ୟା କରିଥିଲେ। ଭୋଟ୍ ବେଳେ ହେଇଥିବା କିଛି ମର୍ଡର ସବୁର ପ୍ରମାଣ ମିଳିଛି। କେବଳ ବାକି ଅଛି ସେଇ ବଡବଡିଆ ମାନଙ୍କ ବନ୍ଦୀ ଜୀବନ ଦେଖିବାକୁ।

    ମୁଁ କୁଆଁରୀ ସାଜି ମାତୃତ୍ଵ ର ସୁଖ ସିନା ପାଇଲି। ହେଲେ ଆଉ କେହି ସେମିତି କୁଆଁରୀ ଦେବକୀ ସାଜନ୍ତୁ ତାହା ମୁଁ ଚାହେଁ ନାହିଁ। ମୁଁ ଡରିଥିଲି ସମାଜ କୁ, ସତରେ କଣ ଉତ୍ତର ଦେବି ? ମୋ କୁମାରୀତ୍ତ୍ଵ ଉପରେ ପ୍ରଶ୍ନ ତ ନିଶ୍ଚୟ ଉଠିବ। ଯଦି ବି ଉତ୍ତର ନ ଦେଇ ଥାଆନ୍ତି, ତା ହେଲେ ନିଜ ଭିତରେ ନିଜେ ବନ୍ଦୀ ହେଇ ରହି ଥାଆନ୍ତି। କିନ୍ତୁ ଏବେ ମୁଁ ମୁକ୍ତ। ନା ସମାଜର ଆକ୍ଷେପ ପଡୁଛି ନା କାହାର ପ୍ରଶ୍ନ..!



Rate this content
Log in

Similar oriya story from Crime