RUNALAILA MOHANTA

Romance Crime Inspirational

4.2  

RUNALAILA MOHANTA

Romance Crime Inspirational

ଅମାବାସ୍ୟା ରେ ପୂର୍ଣ୍ଣିମା

ଅମାବାସ୍ୟା ରେ ପୂର୍ଣ୍ଣିମା

6 mins
448



   ଆଜିର ବର୍ଷା ଓ ଅନ୍ଧାର ରାତି ଦେଖି ଆଦିତ୍ୟ ବାବୁ ମନେ ମନେ କିଛି କହିଲେ l ସେଦିନର ସେ ବର୍ଷା ରାତି ଆଜି ବି ବହୁତ ମନେ ପଡେ । ସେଦିନ ଯଦି ସେପରି ହୋଇ ନଥାନ୍ତା , ତାହେଲେ ମୁଁ ତାକୁ ପାଇ ଥାନ୍ତି ବା କିପରି ?

 ସେଦିନ ସେ ରାତିରେ ରାସ୍ତା ରେ ଯାଉ ଯାଉ ଗାଡ଼ି ଟି ଖରାପ ହୋଇଗଲା । ରାତ୍ରୀ କାଳ ପାଖରେ ଘର ନା ଦ୍ଵାର ,ଏପରି ନିଛାଟିଆ ଜାଗା ରେ ମଣିଷ କରିବ ବା କଣ ? ମୁଣ୍ଡ କାମ କରୁନଥାଏ । ହଠାତ୍ ମନେ ପଡିଲା ଆରେ ଏ ତ ବଳରାମପୁର ପାଖ ଜଙ୍ଗଲ ।ମନକୁ ଟିକିଏ ଶାନ୍ତି ଆସିଲା , କାହିଁକି ନା ବଳରାମପୁର ତା ସ୍କୁଲ ସାଙ୍ଗ ରାକେଶର ଘର । ଗାଡିଟିକୁ ଲକ୍ କରି ,ଯାଇ ସେ ଗାଁ ରେ ପଚାରି ପଚାରି ସାଙ୍ଗ ଘରକୁ ପହଞ୍ଚିଗଲା । ରାକେଶ ତାକୁ ଦେଖି ବହୁତ ଖୁସି ହେଲା। ପିଲାଦିନର ପୁରୁଣା ସାଙ୍ଗ କୁ ଖୁସି ରେ ଘରକୁ ପାଛୋଟି ନେଲା । ଭିଜି ଯାଇଥିବାରୁ ପିନ୍ଧିବାକୁ ଶୁଖିଲା କପଡା ଦେଇ ଗୋଟିଏ କକ୍ଷ ଦେଖାଇ ଫ୍ରେସ୍ ହୋଇ ଖାଇବା ପାଇଁ ଆସିବାକୁ କହିଲା ।

ବର୍ଷା ଘଡଘଡ଼ି ପାଇଁ ବିଜୁଳି ଚାଲିଗଲା ରୁ ଆଦିତ୍ୟ କ'ଣ କରିବ ଜାଣି ପାରିଲା ନାହିଁ। ହଠାତ୍ ଅମାବାସ୍ୟା ରାତ୍ରିରେ ପୂର୍ଣ୍ଣିମା ର ଆଲୋକ ପରି ଗୋଟିଏ ସୁନ୍ଦରୀ ଝିଅ ହାତରେ ଆଲୁଅ ନେଇ ପୂର୍ଣ୍ଣ ଚନ୍ଦ୍ର ସଦୃଶ୍ୟ ଆଖି ଆଗରେ ଆସି ଛିଡା ହୋଇଗଲା । କହିଲା ଅନ୍ଧାରରେ ଏଣେତେଣେ ବୁଲିଲେ ଝୁଣ୍ଟି ପଡ଼ିବ ଯେ ହେଲେ ବାଟ ଦିଶିବ ନାହିଁ । ଏ ମହମବତୀ ଟି ନିଅ ଓ ଦେଖି ଦେଖି ଚାଲ ।

ରାକେଶ ତାକୁ ଦେଖି କହିଲା ଆରେ ଆଦିତ୍ୟ ଆସିଗଲୁ ଆ ବସ ଖାଇଦେବା ବହୁତ ଭୋକ ହେଉଥିବ ତୋତେ । ନା ରାକେଶ ସେମିତି କିଛି ନୁହଁ। ତା ମନ ତା ପାଖରେ ଥିଲେ ସିନା ସେ ଜାଣି ପାରିବ ଭୋକ ହେଉଛି କି ନାହିଁ । ରାକେଶ୍ ର ମାଆ ଖାଇବା ଆଣି ପରୋଷିବାରୁ ଆଦିତ୍ୟ କହିଲା , ମାଉସୀ ଆପଣଙ୍କ ହାତ ବଟେଇବାକୁ କ'ଣ କେହି ନାହାନ୍ତି । ରାକେଶ୍ ପାଇଁ ଗୋଟେ ଝିଅ ନେଇ ଆସିବା ନା କ'ଣ କହୁଛନ୍ତି। ଏହା ଶୁଣିବାରୁ ରାକେଶ୍ କହିଲା ତୁ ଆଗ ଖାଇସାର ତା ପରେ ଭାଉଜ ଖୋଜିବୁ ।

 କିନ୍ତୁ ଆଦିତ୍ୟ ଏ ଉଦ୍ଦେଶ୍ୟରେ କହି ନ ଥିଲା । ସେ ତ ସେ ଝିଅ ବିଷୟରେ ଜାଣିବା ପାଇଁ ଛୋଟ ପ୍ରୟାସ ଥିଲା । ସେଥିରେ ବିଫଳ ହେବାରୁ ସେ ଭାବିଲା କିଛି କଥା ନୁହଁ କାଲି ସକାଳ ସୁଦ୍ଧା ସମୟ ଅଛି ଜାଣିବା ପାଇଁ । ସେଥି ମଧ୍ୟରେ ଦୁଇ ସାଙ୍ଗ ଖାଇସାରି ତାଙ୍କ ହଷ୍ଟେଲର କଥା ସବୁ ମନେ ପକେଇ କଥା ହୋଇ ହୋଇ ଶୋଇ ଗଲେ । ସକାଳ ହେଲା, ରାକେଶ୍ ଗାଡିଟିକୁ ଠିକ୍ କରି ନେଇ ଆସି ଥାଏ, ଯିବାର ସମୟ ହେବାରୁ ଆଦିତ୍ୟ ବାହାରି ପଡ଼ିଲା,କିନ୍ତୁ ସେ ପର୍ଯ୍ୟନ୍ତ ସେ ଝିଅ ର ଛାୟା ମଧ୍ୟ ଦେଖିବାକୁ ମିଳିନଥିଲା କି ତା ବିଷୟରେ କିଛି ଜାଣି ମଧ୍ୟ ପାରିଲା ନାହିଁ। ରାକେଶ ର ଫୋନ୍ ନମ୍ୱର୍ ନେଇ ତା ଘର କୁ ଫେରି ଆସିଲା । 

ସେଦିନ ପାଖରୁ ତା ଦିନ ଗୁଡ଼ିକ ଆଗ ଭଳି କଟୁ ନଥାଏ, ସେ ମୁହଁ ତା ଆଖି ଆଗରେ ଝଲସି ଉଠୁ ଥାଏ । ମନରେ କେତେ ଭାବନା ସେ କିଏ ହୋଇଥିବ ? ମୁଁ ତ ତା ପରିଚୟ କିଛି ଜାଣିନି ତାକୁ ପାଇବି କିପରି ? ମୁଣ୍ଡକୁ ବୁଦ୍ଧି ଜୁଟିଲା ସେ ରାକେଶ କୁ କଲ୍ କରି କହିଲା , ଆରେ ସେଦିନ ତୋ ଘରେ ଯଉ ଝିଅ ଟିକୁ ଦେଖି ଥିଲି, ତା ଭଳିଆ ମାର୍କେଟ ରେ ଆଜି ଜଣକୁ ଦେଖିଲି । ଝିଅ ପୁଣି ମୋ ଘରେ ,ତୁ କଣ ପାଗଳ ହେଇ ଗଲୁଣି କି? ଏହା କହି ରାକେଶ ଫୋନ୍ କାଟି ଦେଲା । ତାର ଏପରି ବ୍ୟବହାର ରେ ଆଦିତ୍ୟ କିଛି ବୁଝି ପାରିଲା ନାହିଁ ।

ସେ ତା ବାପାମାଆ ଙ୍କର ବହୁତ ଅଲିଅଳ ହୋଇ ଥିବାରୁ ,ସେମାନଙ୍କୁ ସବୁ କଥା ଖୋଲି କହିଲା । ଏହା ଶୁଣି ସାରିବା ପରେ ତା ମାତା ପିତା ତାକୁ ସାନ୍ତ୍ଵନା ଦେବା ସହ ସିଧାସଳଖ ଯାଇ ବୁଝି ଆସିବା ପାଇଁ କହିଲେ । ସେ ଆଉ ବିଳମ୍ବ ନକରି ଗାଡ଼ି ବାହାର କରି ରାକେଶର ଗାଁ କୁ ଗଲା ।

 ପାଣି ଶୋଷ ହେବାରୁ ସେ ଗାଁ ମୁଣ୍ଡର ଗୋଟିଏ ଦୋକାନରୁ ପାଣି ବୋତଲ କିଣିଲା । ସେଠି ଜଣେ ପିଲା ଆଦିତ୍ୟକୁ ଗାଡ଼ି ସାଙ୍ଗରେ ଦେଖି କହିଲା ,ବାବୁ ଆପଣ ରାକେଶର ସାଙ୍ଗ ନା । ମୋ ନାଁ ନଟିଆ, ମୁଁ ହିଁ ସେଦିନ ଆପଣଙ୍କ ଗାଡ଼ି ଠିକ୍ କରିଥିଲି । ମୋର ସବୁବେଳେ ତାଙ୍କ ଘର କୁ ଯିବା ଆସିବା ହୁଏ ହେଲେ ଆପଣତ ଆଗରୁ କେବେ ଆସୁ ନଥିଲେ । ଆରେ ମୁଁ ତା ସ୍କୁଲ ସାଙ୍ଗ ଆଦିତ୍ୟ । ପରୀକ୍ଷା ପରେ ଆଉ ଦେଖା ହୋଇ ନଥିଲା । ସେଦିନ ମୋ ଗାଡ଼ି ଖରାପ ହେବାରୁ ତା ଘରେ ରାତି ଟା ଆଶ୍ରୟ ନେଲି । ନଟିଆ ତମକୁ ଗୋଟିଏ ପ୍ରଶ୍ନ ପଚାରିବାର ଥିଲା । ତମେ ତ ତାଙ୍କ ଘରକୁ ସବୁଦିନ ଯାଅ, ତା ହେଲେ ମୋତେ କହି ପାରିବ କି ତାଙ୍କ ଘରେ ରହୁଥିବା ଝିଅ ଟି କିଏ ? ଆରେ ବାବୁ ତା ନା ଉଠାନ୍ତୁ ନାହିଁ , ତା କଥା କହିଲେ ଆପଣଙ୍କର ଅମଙ୍ଗଳ ହେବ । ସେଥିପାଇଁ ତାକୁ କେହି ଆଖିରେ ଦେଖନ୍ତି ନି । ଘରୁ ବାହାରିବା ତାର ମନା । ସେ ରାକେଶର ଭଉଣୀ ଆହାନା ଏବଂ ସେ ଅଭିଶପ୍ତ । କ'ଣ କହୁଛ ତମେ ନଟିଆ,ଆଦିତ୍ୟ ଆଶ୍ଚର୍ଯ୍ୟ ହୋଇ କହିଲେ । ଗୋଟେ ନିରୀହ ନାରୀ ର ଏମିତି କଣ ଦୋଷ ହୋଇଗୋଲା କି ? ବାବୁ, ତାର ଛୋଟ ବେଳୁ ବିବାହ ହୋଇ ସେ ବିଧବା ହୋଇ ସାରିଛି । ତା ଦୋଷ ଏତେ ଥିଲା ଯେ ତା ସ୍ବାମୀ କୁ ଲାଗିଗଲା ଓ ସେ ମୃତ୍ୟୁ ବରଣ କଲା । ଆଦିତ୍ୟ ଅତ୍ୟନ୍ତ ଚିନ୍ତା ରେ କହିଲେ ଏପରି ସମ୍ଭବ ନୁହେଁ । ଆଉ କିଛି ନକହି ସେ ସିଧା ରାକେଶ ଘରେ ଯାଇ ପହଞ୍ଚିଲେ । 

ମାଉସୀ କୁଆଡେ ଗଲେ ସମସ୍ତେ କହି ଭିତରକୁ ଯାଇ ଦେଖେ ତ ଆହାନା କୁ ରାକେଶ ଆଉ ତା ମାଆ ଗାଳି କରୁଛନ୍ତି । ତୁ ଜାଣିଛୁ ତୋ ନିଜ କଥା ତାପରେ ବି ଏମିତି କାଇଁ କଲୁ ,ତୋ ସାହସ ବଢ଼ିଗଲା ନା କଣ ? ଆଦିତ୍ୟ ସେସବୁ ଦେଖି ସହି ପାରୁ ନଥାଏ । ଶେଷରେ କହିଲା ମାଉସୀ ରାକେଶ ବନ୍ଦ କରନ୍ତୁ ଆପଣଙ୍କ ପାଟି । ଆହାନା କୁ କିଛି କହିବା ଆଗରୁ ନିଜକୁ ପଚାରନ୍ତୁ , ତା ସହ ଆପଣ ମାନେ କେତେ ନ୍ୟାୟ କରିଛନ୍ତି । ଏହା ଶୁଣି ରାକେଶ କହିଲା ତୁ ଏଠି! ତୁ ଏ ବିଷୟରେ କିଛି ଜାଣିନୁ ତୁ ଚୁପ୍ ରହ । ଆଚ୍ଛା ମୁଁ କିଛି ଜାଣିନି । ମୁଁ ସବୁ ଜାଣିଛି ଆଉ ବୁଝିଛି ମଧ୍ୟ । ମୁଁ ଏତିକି ବୁଝି ପାରୁନି ତୋର କଣ ହୋଇଛି । ଆଜି କାଲିକା ଆଧୁନିକ ଦୁନିଆର ଉଚ୍ଚ ଶିକ୍ଷିତ ଲୋକ ହୋଇ ବାଲ୍ୟ ବିବାହ କିଏ କରାଏ ? ଏତେ ଛୋଟ ବେଳୁ ତା ବିବାହ କରି ଦେଇ , ତା ସ୍ବାମୀ ମରିବାରୁ ପୁଣି ତାକୁ ହିଁ ଦୋଷ ଦେଉଛ । ଖେଳିବା ବୁଲିବା ସମୟରେ ତା ହାତ ଗୋଡ ବାନ୍ଧି ଦେଲ, ଏବେ ଯଦି କିଛି କରିବାର ସମୟ ଆସିଛି ତାକୁ ଘରେ ବନ୍ଦ୍ କରି ରଖୁଛ । ଏ ଯୁଗର ମଣିଷ ହୋଇ ପୁରାତନ ଯୁଗର ଲୋକ ମାନଙ୍କ ଭଳି କାମ କରୁଛ । ଆଉ ଏ ନିର୍ଦ୍ଦୋଷ ଝିଅ ଟାର ବଳି ଚଢେଇ ଦେଉଛ ,ଖରାପ ଲାଗୁନି ନା ତମ ମାନଙ୍କୁ । ସମସ୍ତେ ଚୁପ୍ ହୋଇ ଗଲେ , ସତେ ଯେମିତି ନୀରବ ରେ ଛାଇ ଯାଇଥିଲା ସେ ସମୟ ।

କିଛି ସମୟ ପରେ ରାକେଶ ର ମାଆ କହିଲେ , ଆମେ ଆଉ କଣ କରି ପାରିବୁ ପୁଅ ? ଆମେ ହେଉଛୁ ଗାଉଁଲି ଲୋକ ତା ଉପରେ ଏ ଦୁଇଟି ବାପ ଛେଉଣ୍ଡ ପିଲାଙ୍କୁ ବଢ଼େଇବା ପାଇଁ ମୋର ଯେ କେତେ କଷ୍ଟ ତା ମୁଁ ହିଁ ଜାଣେ । ଆମ ଗାଁ ପଣ୍ଡିତ କଥା ସମସ୍ତେ ମାନନ୍ତି । ସେ ମୋ ଝିଅ ର ହାତ ଦେଖି କହିଲେ ; ଝିଅ ର ବହୁତ ବଡ ଦୋଷ ଅଛି । ତମକୁ ତାର ସାତ ବର୍ଷ ରେ ହିଁ ବିବାହ କରିବାକୁ ପଡିବ ନହେଲେ ତାର ମୃତ୍ୟୁ ସୁନିଶ୍ଚିତ । ସେ ଭୟରେ ମୁଁ ତାର ବାଲ୍ୟ ବିବାହ କରିବାକୁ ବାଧ୍ୟ ହେଲି । କିନ୍ତୁ ବିବାହ ସାରି ଫେରିବା ବାଟରେ ସଡ଼କ ଦୁର୍ଘଣାଗ୍ରସ୍ତ ତା ସ୍ବାମୀ ର ମୃତ୍ୟୁ ଘଟିଲା । ଏହା ଫଳରେ ସମସ୍ତେ କହିଲେ ମୋ ଆହାନା ର ଦୋଷ କୁଆଡେ ତାକୁ ଲାଗିବାରୁ ତାର ଏପରି ଦୁର୍ଦ୍ଦଶା ହେଲା। ତା ପରେ ଗାଁ ର ବିଚାର ଅନୁଯାୟୀ ମୋ ଝିଅ ର ଘରୁ ଗୋଡ କାଢିବା କିମ୍ବା ସାଙ୍ଗସାଥି କାହା ସହ ମଧ୍ୟ କଥା ହେବା ସମ୍ପୂର୍ଣ୍ଣ ଭାବେ ବାରଣ କରାଗଲା । ଏହା ପାଳନ ନ କଲେ ଆମକୁ ଗାଁ ରେ ରହିବାର ଅନୁମତି ମଧ୍ୟ ଛଡ଼େଇ ନିଆ ଯିବ ବୋଲି କହିଲେ । ସେହିଦିନ ପାଖରୁ ମୋ ଝିଅ ର ଜୀବନ ସବୁଦିନ ପାଇଁ ନଷ୍ଟ ହିଁ ହୋଇଗଲା ଜାଣ । ଆଦିତ୍ୟ ଏହା ଶୁଣି ସାରିବା ପରେ କିଛି ସମୟ ନୀରବ ରହି ,ତାଙ୍କ ଠାରୁ ବିଦାୟ ନେଇ ଚାଲି ଆସିଲେ ।

 ଘରେ ଯାଇ ସବୁ କଥା କହି ତାଙ୍କ ମତାମତ ନେଲେ ଏବଂ ତା କଥା ରେ ମଧ୍ୟ ସମସ୍ତେ ସମ୍ମତି ଜଣାଇଲେ । ତା ପରଦିନ ସମସ୍ତେ ଆହାନା ର ଗ୍ରାମକୁ ପୋଲିସ ନେଇ ପହଞ୍ଚିଲେ ଓ ସେଠାରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଯେମିତି ଆଉ କାହା ସହ ନହେଉ ସେ ବିଷୟରେ ସଚେତନ କରାଇ ସମସ୍ତଙ୍କୁ ବୁଝାଇ କହିଲେ ଏବଂ ଶେଷରେ ଗୋଟିଏ ବଡ ନିଷ୍ପତି ନେଲେ ସମସ୍ତଙ୍କ ଅନ୍ଧ ବିଶ୍ବାସକୁ ଦୂର କରିବା ପାଇଁ ।ଆହାନା ପାଇଁ ଆଦିତ୍ୟ ର ବିବାହ ପ୍ରସ୍ତାବ ଦେଲେ । ଏଥିରେ ସମସ୍ତେ ରାଜି ହୋଇ ଦୁହିଁ ଙ୍କ ବିବାହ କରାଇ ଦେଲେ ।

ବିବାହ କୁ ଆଜି କେତେ ଦିନ ହେଲାଣି ,କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ଦୁହେଁ ଖୁସିରେ ଅଛନ୍ତି। ତାଙ୍କର କିଛି ମଧ୍ୟ ଅସୁବିଧା ହୋଇ ନାହିଁ କି ହେବାର ସମ୍ଭାବନା ମଧ୍ୟ ଦେଖା ଯାଉନାହିଁ । 


"ସମୟର କୌଣସି ଘଟଣାକୁ କାହାରି ଦୋଷ ବୋଲି ନକହି ,ସେଥିରୁ ମୁକୁଳି ଖୁସି ରହିବା ପାଇଁ ଚେଷ୍ଟା କରିବା ଟା ହିଁ ପ୍ରତ୍ୟେକ ମାନବ ର ପ୍ରକୃତ ଧର୍ମ ।"



Rate this content
Log in

Similar oriya story from Romance