ପ୍ରକୃତ ସେବକ
ପ୍ରକୃତ ସେବକ
ଗୋଟିଏ ସହରରେ ଜଣେ ବହୁତ ଧନୀ ବ୍ୟକ୍ତି ରହୁଥିଲେ । ତାଙ୍କର ଅଧିକ ଧନ ଥିବା ଯୋଗୁଁ ଧରାକୁ ସରା ମଣୁ ଥିଲେ । ଗରିବ ବ୍ୟକ୍ତି ମାନଙ୍କୁ ଦେଖିଲେ ତାଙ୍କର ରାଗ ବଢି ଯାଉଥିଲା । ଏମିତିକି ତାଙ୍କ ଘରେ ଥିବା ଚାକର ମାଳୀ ଡ୍ରାଇଭର କାହା ପ୍ରତି ମଧ୍ୟ ତାଙ୍କର ବ୍ୟବହାର ଭଲ ନଥିଲା । ତାଙ୍କ ଉପରେ ସଦା ଚିଡ଼ିଚିଡ଼ି ଭାବ ଦେଖାଉଥିଲେ । ସେ ତାଙ୍କ ସମ ଧନୀ ବ୍ୟକ୍ତି ଓ ପରିବାର ସଦସ୍ୟ ମାନଙ୍କୁ ହିଁ ପସନ୍ଦ କରୁଥିଲେ ।
ଏମିତି ଦିନ ପରେ ଦିନ ବିତି ଚାଲିଲା ।ସମୟ ସର୍ବଦା ସମାନ ରହେ ନାହିଁ । କୋରନା ନାମକ ଭୂତାଣୁ ଦ୍ଵାରା ବ୍ୟକ୍ତି ଜଣକ ସଂକ୍ରମିତ ହେଲେ । ଫଳରେ ତାଙ୍କୁ ଅନ୍ୟ ଏକ ଘରେ ଏକଦା ରହିବା ପାଇଁ କୁହାଗଲା । ସଂକ୍ରମଣ ହେବା ଡରରେ ପରିବାର ସଦସ୍ୟ କିମ୍ବା ସାଙ୍ଗସାଥି କେହି ପାଖକୁ ଆସିଲେ ନାହିଁ । ତାଙ୍କର ଟଙ୍କା ତ ବହୁତ ଥିଲା ,ହେଲେ ସେବା କରିବା ପାଇଁ ପାଖରେ କେହି ନଥିଲେ।
ହଠାତ୍ ଘରର କବାଟ ଠକ୍ ଠକ୍ ହେବାର ଶବ୍ଦ ଆସିଲା, କବାଟ ଖୋଲିବାରୁ ଦେଖିଲେ ତାଙ୍କ ଚାକର ହାତରେ ଖାଇବା ଧରି ଛିଡା ହୋଇଛି। କହିଲା ବାବୁ ଖାଇଦିଅନ୍ତୁ, ମୁଁ ଘର ଟା ସଫା କରିଦେବି ଆଉ ଆପଣଙ୍କର ଲୁଗା ମଧ୍ଯ ଧୋଇଦେବି, ଆପଣ ତ ଏସବୁ କେବେ କରିନାହାନ୍ତି ଯଦି ଆପଣଙ୍କ ଚାରିପାଖ ପରିଷ୍କାର ରହିବ ତା ହେଲେ ଆପଣ ଶୀଘ୍ର ସୁସ୍ଥ ହୋଇ ଯିବେ ଏହା କହି ସେ ତା କାମ କରିବାରେ ଲାଗିଲା । ମାଳି ମଧ୍ୟ ଘର ଚାରି ପାଖ ଲତା ଵୁଦାକୁ ସଫା କରିବାରେ ଲାଗିଥିଲା।
ତାଙ୍କୁ ଅସୁସ୍ଥ ଅନୁଭବ ହେବାରୁ ଡ଼ାକ୍ତରଖାନାକୁ ଡ୍ରାଇଭର ନେଇକି ଗଲା । ସେ ବାବୁ ଜଣକ ରାସ୍ତାରେ ଗଲା ବେଳେ ଦେଖିଲେ ସମସ୍ତେ କୋରନାରୁ ବଞ୍ଚିବାପାଇଁ ଘରେ ଅଛନ୍ତି ବେଳେ ଶ୍ରମିକ ମାନେ ସବୁ ଦିନ ଭଳି ରାସ୍ତା ଝାଡୁ,ନାଳ ନର୍ଦ୍ଦମା ସଫେଇରେ ଲାଗିଛନ୍ତି , ପୋଲିସ ମାନେ ମଧ୍ୟ ନିଜ କାମ ଠିକ ଭାବେ କରୁଛନ୍ତି । ଏମିତି ଦେଖୁ ଦେଖୁ ଗାଡ଼ି ଯାଇ ଡାକ୍ତରଖାନା ପହଞ୍ଚିଗଲା ।
ସେଠି ମଧ୍ୟ ସେଠାରେ ସମସ୍ତ କର୍ମଚାରୀ ମାନେ କାମରେ ଲାଗିଛନ୍ତି । ଚାରିଆଡେ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ରୋଗୀର ଖାଇବା ପିଇବା ଶୋଇବା ଓ ଚିକିତ୍ସାର ମଧ୍ୟ ବହୁତ ଭଲ ଭାବରେ ଯତ୍ନ ନେଉଛନ୍ତି । ତାଙ୍କର ମଧ୍ୟ ଭଲ ଭାବରେ ଦେଖ୍ ରେଖ୍ ହେଲା, ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଲେ । ସେ ଦିନଟି ଥିଲା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ କାରଣ ସେ ତାଙ୍କ ଡ୍ରାଇଭର କୁ କେମିତି ଅଛୁ ବୋଲି ପଚାରିଲେ ଏବଂ ଦ୍ବାରପାଳକୁ ମଧ୍ୟ ଖରାବର୍ଷା ସମୟରେ ସଚେତନ ରହିବାକୁ କହିଲେ ।
ବଗିଚା ଟି ବହୁତ ସୁନ୍ଦର ଦିଶୁଥିବାରୁ ମାଳି ର ପ୍ରଶଂସା କଲେ ଓ ଘରେ କାମ କରୁଥିବା ସମସ୍ତ ଶ୍ରମିକ ମାନଙ୍କୁ ମା ବାପା ସମ୍ବୋଧନ କରି କହିଲେ ଯେତେବେଳେ ଯାହା ଅସୁବିଧା ହେବ ମୋତେ କହିବେ । ତୁମ ଭଳି ସେବକ ସେବିକା ପାଇଁ ଆମେ ଖୁସି ରେ ରହୁଛୁ, ତେଣୁ ମୁଁ ମଧ୍ୟ ତମ ମାନଙ୍କ ଖୁସି ର କାରଣ ହେବାକୁ ଚାହେଁ । ସେ ଦିନ ସେ ବାବୁ ଜଣକ ବୁଝି ଯାଇ ଥିଲେ ଶ୍ରମିକମାନେ ଗରିବ ହେଲେ ମଧ୍ୟ କର୍ମବାନ ବୀର ପୁରୁଷ । ସମସ୍ତେ କେବଳ ଟଙ୍କା ପାଇଁ କାମ କରି ନଥାନ୍ତି । କିଛି ଲୋକ ସବୁକୁ ନିଜର ଭାବି ମନ ଲଗାଇ ସେବା କରିଥାନ୍ତି ।
ବିପଦ ସମୟରେ ହିଁ ପ୍ରକୃତ ସେବକର ପରିଚୟ ମିଳିଥାଏ।