Dr Subas Chandra Rout

Action Crime

4.8  

Dr Subas Chandra Rout

Action Crime

ତଦନ୍ତ

ତଦନ୍ତ

8 mins
608


ରାତ୍ରି-ଚାଦର ସହରକୁ ପ୍ରାୟ ଆବୃତ କରିସାରିଥିଲା । ସୂର୍ଯ୍ୟ ଅସ୍ତ ହେବା ଉପକ୍ରମ କରି ପଶ୍ଚିମ ଦିଗରେ ଲାଳିମା ବିଛେଇ ଦେଇସାରିଥିଲେ । ସହରର ଉପାନ୍ତ ଅଞ୍ଚଳ ହେଲେ ମଧ୍ୟ ରାସ୍ତା କଡ଼ରେ ବଡ଼ ବଡ଼ ଦୋକାନ ଅଛି, କିନ୍ତୁ ଅଧିକାଂଶ ମଲ ଓ ବଡ଼ ଦୋକାନ ଖୋଲୁନଥିଲେ । ଖୋଲିଲେ ମଧ୍ୟ ଗ୍ରାହକ ଆସୁନଥିଲେ । କରୋନା ରୋଗ ଭୟରେ କେହି ନିହାତି ଆବଶ୍ୟକ ନହେଲେ ଘରୁ ବାହାରୁନଥିଲେ । ରାସ୍ତାରେ ବିଶେଷ ଜନସମାଗମ ନଥିଲା । କାଁଭାଁ କାର୍ ଓ ଦୁଇଚକିଆ ଯାନ ଯିବା ଆସିବା ଚାଲୁଥିଲା । ଧନତେରସ ଉପଲକ୍ଷେ କେବଳ ସୁନା ଦୋକାନ ପାଖରେ ଭିଡ଼ ଦେଖିବାକୁ ମିଳୁଥିଲା । 

ଏହି ସମୟରେ ଛଅଫୁଟିଆ ହୃଷ୍ଟପୁଷ୍ଟ ଦୀର୍ଘକାୟ ଇନିସପେକ୍ଟର ସୁନ୍ଦର ମର୍ଦ୍ଦରାଜ ମଟରସାଇକେଲ ଚଢ଼ି ଅଫିସରୁ ଘରକୁ ଫେରୁଥିଲେ । ନାମଟି ସୁନ୍ଦର କିନ୍ତୁ ମୁହଁଟି ଦେଖିବାକୁ ଭୟାବହ । ମୁହଁ ସାରା ଛୋଟ ଛୋଟ ଗାତ । ଅଳ୍ପ ବୟସରେ ବସନ୍ତ ରୋଗରେ ପୀଡ଼ିତ ହୋଇ ମୁହଁ ଏହିଭଳି ବିକୃତ ହୋଇଯାଇଥିଲା । ଜନ୍ମ ସମୟରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ତେଣୁ ତାଙ୍କର 'ସୁନ୍ଦର' ନାମକରଣ କରାଯାଇଥିଲା । ଆକାଶବାଣୀର ପୂର୍ବତନ ଓଡ଼ିଆ ସମ୍ବାଦଦାତା ଯତୀନ ଦାସଙ୍କ ଭଳି ତାଙ୍କର ସ୍ୱର ଅତି ଗମ୍ଭୀର । ଏ ସବୁ ସତ୍ତ୍ୱେ ସେ ଜଣେ ଅତି ଭଲ ପୋଲିସ ଅଫିସର ତଥା ସହୃଦୟ ଲୋକ ହିସାବରେ ଅଫିସ ଓ ଟାଉନର ଜନ ସାଧାରଣ ମଧ୍ୟରେ ସୁପରିଚିତ ଓ ଲୋକପ୍ରିୟ ଥିଲେ । ପୋଲିସ ଭାବରେ କେବେ କାହାକୁ ଅତ୍ୟାଚାର କରିଥିବା ଶୁଣାଯାଇନଥିଲା । ଦୁର୍ବଳ ମାନସିକ ସମ୍ପନ୍ନ ଚୋର, ଡାକୁ ଆଦି ତାଙ୍କୁ ଦେଖିପକେଇଲେ ଡରରେ ପୋଷାକରେ ଏକ ହୋଇଯିବା ଶୁଣାଯାଏ, ପିଟାପିଟି କରିବା ଆବଶ୍ୟକ ହୁଏନି ।

ହଠାତ୍ ପଛ ପାଖରୁ ବଡ଼ ପାଟିରେ କେହି 'ଧର ଧର, ଚୋର ଚୋର' ଚିତ୍କାର କରିବା ଶୁଣାଗଲା । ଗାଡ଼ି ସାଇଡ କରି ଓ ବ୍ରେକ ଦେଇ ଇନିସପେକ୍ଟର ପଛ ପାଖକୁ ଅନେଇଲେ । ଜଣେ କୋଡିଏ ବାଇଶ ବର୍ଷୀୟ ଯୁବକ ତାଙ୍କ ପାଖ ଦେଇ ଦୌଡ଼ି ଦୌଡ଼ି ଆଗକୁ ଚାଲିଗଲା । ମୁହଁରେ ମୁଖା ଭିଡ଼ାହୋଇଥିଲା । ସାଧାରଣ ଶସ୍ତା ପ୍ୟାଣ୍ଟ ସାର୍ଟ ହଳେ ପିନ୍ଧିଥିଲା ଯାହା ମଇଳା ହୋଇଯାଇଥିଲା । ଭିଡ଼ ନଥିବାରୁ କେହି ବାଧା ଦେବାକୁ ନଥିଲେ । ତେଣୁ ଅନାୟାସରେ ସେ ପିଚୁ ରାସ୍ତା ଉପରେ ଦୌଡ଼ୁଥିଲା । ତା' ହାତରେ ଗୋଟିଏ ଈଷତ ନୀଳ ରଙ୍ଗର ପ୍ରାୟ ୧'x୧' ସାଇଜର ଛୋଟ ବ୍ୟାଗ ଥିଲା । କିଛି ସେକେଣ୍ଡ ପରେ ତା ପଛେ ପଛେ ଜଣେ ଭଦ୍ର ବ୍ୟକ୍ତି 'ଚୋର ଚୋର, ଧର ଧର' ପାଟି କରି ଦୌଡ଼ି ଆସିଲେ । ଇନିସପେକ୍ଟରଙ୍କୁ ଦେଖି ଧଇଁସଇଁ ହୋଇଯାଇଥିବା ସେହି ଭଦ୍ର ବ୍ୟକ୍ତି ଦୌଡ଼ିବା ଛାଡ଼ି ଠିଆହୋଇଗଲେ । "କଅଣ ହେଲା," ପ୍ରଶ୍ନ କରିବାରୁ ସେହି ଲୋକ ରହି ରହି କହିଲେ, "ସାର୍, ଧନତେରସ ଉପଲକ୍ଷେ ପତ୍ନୀଙ୍କୁ ଦେବା ନିମନ୍ତେ ମୁଁ ସୁନା ହାରଟିଏ କିଣି ଗୋଟିଏ ନୀଳ ରଙ୍ଗର ବ୍ୟାଗରେ ରଖି ଆସୁଥିଲି । ଅପ୍ରତ୍ୟାଶିତ ଭାବରେ ଏ ଲୋକ କୁଆଡ଼ୁ ଆସି ମୋ ହାତରୁ ହାର ସହ ବ୍ୟାଗଟି ଛଡ଼େଇ ନେଲା । ଲକ୍ଷେ ଟଙ୍କାର ହାର ଆଜ୍ଞା ।" ହାତ ଯୋଡି କହିଲେ, "ମୋ ସ୍ତ୍ରୀ ମୋତେ ରଖେଇ ବସେଇ ଦେବନି, ଗାଳି ଗୁଲଜ କରିବ ଆଜ୍ଞା । ମୋତେ ସାହାଯ୍ୟ କରନ୍ତୁ ପ୍ଳିଜ ।" ଆଶ୍ଵାସନା ଦେଇ ସୁନ୍ଦର ବାବୁ ତାଙ୍କୁ ପାଖ ଥାନାକୁ ଯାଇ ରିପୋର୍ଟ କରିବାକୁ କହିଲେ । "ମୁଁ ତାଙ୍କୁ ଧରୁଛି", କହି ଗାଡ଼ି ଷ୍ଟାର୍ଟ କରି ସେ ଲୋକ ପଛରେ ଗୋଡ଼େଇଲେ । ସେତେବେଳକୁ ସେ ପ୍ରାୟ ଏକ କିଲୋମିଟର ଆଗେଇ ଗଲାଣି । ରାସ୍ତା ଫାଙ୍କା ଥିବା ଯୋଗୁ ତାଙ୍କୁ ଦେଖି ହେଉଥିଲା । ଦୁହିଙ୍କ ମଧ୍ୟରେ ତଫାତ ବହୁତ କମିଆସୁଥିଲା ।   

ଦେଖୁ ଦେଖୁ କିଛି ଦୂର ଯିବାପରେ ପରେ ସେ ରାସ୍ତାର ବାମ ପାଖରେ ଥିବା ଏକ ଗଳି ଭିତରକୁ ପଶିଗଲା । ଇନିସପେକ୍ଟର ମଧ୍ୟ ସେଇ ଗଳିରେ ପଶିଗଲେ । ପ୍ରାୟ ଏକ କିଲୋମିଟର ପରେ ସେହି ରାସ୍ତା ବାମ ପାଖକୁ ମୋଡ଼ି ହୋଇଯାଇଥିଲା ଓ ସେହି ଲୋକ ମଧ୍ୟ ସେହି ବାମ ଦିଗକୁ ଦୌଡ଼ିଲା । ପରେ ପରେ ଇନିସପେକ୍ଟର ମଧ୍ୟ ସେଠାକୁ ଯାଇ ବାମ ପାଖକୁ ଗାଡ଼ି ବୁଲେଇଲେ, କିନ୍ତୁ ସେ ଲୋକ ଆଉ ତାଙ୍କର ଦୃଷ୍ଟିଗୋଚର ହେଲାନି । ପ୍ରାୟ ଅଧ କିଲୋମିଟର ଦୂରରେ ସେହି ରାସ୍ତା ସରିଗଲା । ତାପରେ ବୁଦୁବୁଦିକିଆ ଜଙ୍ଗଲ । ଏତେ ଦୂର ପର୍ଯ୍ୟନ୍ତ ଚୋର ଆଖି ଆଗରେ ଥିଲା, କିନ୍ତୁ ହଠାତ୍ ରାସ୍ତା ମୋଡ଼ ପରେ ଯେପରି ଶୂନ୍ୟରେ ମିଳେଇଗଲା । ଦୁଇ ପାଖକୁ ଅନେଇ ଅନେଇ ଗାଡ଼ି ଆଗକୁ ନେଇଗଲେ । ରାସ୍ତା ଯେଉଁଠି ସରିଗଲା, ସେଇଠି ଡାହାଣ ପାଖରେ ଗୋଟିଏ କୁଡ଼ିଆ ଘର ଥିବା ଦୂରରୁ ଦେଖିଲେ ।   

ଗଳି ରାସ୍ତାର ଦୁଇ ପାଖରେ ଦୁଇମହଲା କୋଠା ଶିରୋତ୍ତୋଳନ କରି ଠିଆ ହୋଇଥିଲେ । ସେଇ ପାଖା ପାଖି ଘର ଗୁଡ଼ିକୁ ଇନିସପେକ୍ଟର ଅନୁଧ୍ୟାନ କଲେ । ଯାଉ ଯାଉ ଶେଷରେ କୁଡ଼ିଆ ଘର ଆଗରେ ପହଞ୍ଚିଗଲେ । ଘର ଉପରେ ପତଳା ଚାଳ ଥିଲା । କିଛି ବର୍ଷ ଧରି ଛପର ହୋଇନଥିବା ଭଳି ଲାଗୁଥିଲା । ଚାଳ ବାନ୍ଧି ରଖୁଥିବା ବତା ଅନେକ ଜାଗାରେ ନଥିଲା । ମାଟି କାନ୍ଥର ଘର । ଅତି ଗରିବ ଲୋକର ଘର ହୋଇଥିବ ନିଶ୍ଚୟ । ଚୋର ଧରି ନପାରିବାରୁ ଇନିସପେକ୍ଟରଙ୍କର ମୁଖ ମଣ୍ଡଳରେ ହତାଶା ସ୍ପଷ୍ଟ ବାରିହେଉଥିଲା । ମଟରସାଇକେଲ ଷ୍ଟାଣ୍ଡ ମାରି ଚତୁର୍ଦିଗକୁ ଅନେଇଲେ । ଥାନାକୁ ଫୋନ କରି କନଷ୍ଟେବଳ ମଦନକୁ ଡାକି ସବୁ କଥା କହିଲେ ଓ ଦିଗ୍‌ଦର୍ଶନ ଦେଇ ତାଙ୍କ ପାଖକୁ ଆସିବାକୁ ନିର୍ଦ୍ଦେଶ ଦେଲେ ।   

 ସେହି କୁଡ଼ିଆ ଘର ମଧ୍ୟରୁ କୌଣସି ନାରୀ ରୋଗଗ୍ରସ୍ତ ସ୍ଵରରେ 'ଆଃ, ଓଃ' ଶବ୍ଦ କରୁଥିବା ଶୁଣାଗଲା । ଆଉ ମଧ୍ୟ ଶୁଣାଗଲା, "ଆଉ ବଞ୍ଚି ପାରିବିନିରେ ପୁଅ । ବହୁତ କଷ୍ଟ ହେଉଛି । ମରିଗଲେ ତ ସରିଯାଆନ୍ତା । ସବୁ ଯନ୍ତ୍ରଣାରୁ ମୁକ୍ତ । ମୋ ଚିନ୍ତା ମୋର ନାହିଁ । କିଛି କାମ ଧନ୍ଦା କଲୁନି । ସ୍କୁଲକୁ ବି ଗଲୁନି । ତୁ କେମିତି ବଞ୍ଚିବୁରେ ପୁଅ, ସେଇଟା ମୋର ଚିନ୍ତା ।" ତାପରେ ଗୁମୁରି ଗୁମୁରି କାନ୍ଦୁଥିବା ଶବ୍ଦ ଶୁଣାଗଲା । ତାପରେ ଗୋଟିଏ ବାଳକ କଣ୍ଠରେ କାନ୍ଦ କାନ୍ଦ ସ୍ଵରରେ ଧକେଇ ହୋଇ କେହି କହିଲା, "ନା ମାଆ, ସେମିତି କହନି । ମୋଟେ କହନି । ମୋତେ ଛାଡ଼ି ଚାଲିଗଲେ ମୁଁ ବଞ୍ଚିବି କେମିତି । ଗଲା ସନ ବାପା ଆମକୁ ଛାଡ଼ି ଚାଲିଗଲେ । ମୁଁ ତୋତେ ନିଶ୍ଚୟ ଭଲ କରିବାକୁ ଚେଷ୍ଟା କରିବି । ଭଲ ଡାକ୍ତରଖାନାକୁ ନେଇଯିବି । ତୁ ନିଶ୍ଚୟ ଭଲ ହୋଇଯିବୁ । "ସୁନ୍ଦର ବାବୁ ଏତିକି ବେଳେ ବାହାର କବାଟ ଠେଲି ଘର ଭିତରକୁ ପ୍ରବେଶ କଲେ । ପୋଲିସକୁ ଦେଖି ଦୁଇଜଣଙ୍କର ଆଖିରେ ଆଶ୍ଚର୍ଯ୍ୟ ଓ ଭୟର ଲହରୀ ଖେଳିଗଲା । ଘର ଭିତରେ ପଶି ଇନିସପେକ୍ଟର ବାବୁ ସବୁଆଡ଼େ ନଜର ବୁଲେଇ ଅନୁଧ୍ୟାନ କଲେ । କିଛି ପୁରୁଣା ଆଲୁମିନିଅମ ବାସନ, ରନ୍ଧନ ସାମଗ୍ରୀ ଓ ଗୋଟିଏ ପୁରୁଣାକାଳିଆ ସୁଟକେଶ ଥିଲା । ତା ଉପରେ ଗୋଟିଏ ବଜାର ସଉଦା କରିବା ବ୍ୟାଗ ପଡ଼ିଥିଲା । ଲୁଗା ଶୁଖେଇବା ଦଉଡ଼ି ଗୋଟିଏ ଘର ଭିତରେ ଟଣା ହୋଇଥିଲା । ତା ଉପରେ ଗୋଟିଏ ଶାର୍ଟ ଓ ଖୋର୍ଦ୍ଧା ହସ୍ତତନ୍ତ ଗାମୁଛା ଝୁଲୁଥିଲା । ଘରର ଗୋଟିଏ କୋଣରେ ମାଟି ଚୁଲିଟିଏ ଥିଲା ଓ ପାଖରେ କିଛି ଜାଳେଣୀ କାଠ ଗଦାହୋଇଥିଲା । 

ବଡ଼ କଷ୍ଟରେ ମାଆ ଜଣକ ପ୍ରଶ୍ନ କଲେ, "ଆଜ୍ଞା, କାହାକୁ ଖୋଜୁଛନ୍ତି ? ଏଠି ଆମ ଦୁଇ ଜଣଙ୍କ ଛଡ଼ା ଆଉ କେହି ନାହାନ୍ତି ।"

"ହଁ, ମୁଁ ସେଇଆ ଦେଖୁଛି । ଆଉ କେହି ସାହାଯ୍ୟ କରିବାକୁ ନାହାନ୍ତି ?", "ନାହିଁ ଆଜ୍ଞା, ଦୁଃଖୀ ଲୋକର କେହି ସାଙ୍ଗ ସାଥୀ ନଥାଆନ୍ତି," ମାଆ କହିଲେ । "ଯିଏ ବି ଥାଆନ୍ତି, ବିପଦ ସମୟରେ ଦୂରେଇ ଯାଆନ୍ତି । ଭଗବାନ ବି ବୋଧହୁଏ ଆଖି ଓ କାନ ବୁଜିଦିଅନ୍ତି ।" "ତୁମ ଦୁଃଖୀ ସ୍ୱର ଶୁଣି ପଶିଆସିଲି । କାହାକୁ ନିର୍ଦ୍ଦିଷ୍ଟ ଭାବରେ ମୁଁ ଖୋଜୁନି । ଗୋଟିଏ ଚୋର ପଛରେ ଗୋଡ଼ଉଥିଲି କିନ୍ତୁ ହଠାତ୍ ସେ ଏଇ ଗଳି ଭିତରେ କୁଆଡ଼େ ଉଭେଇ ଗଲା ।" ସୁନ୍ଦର ବାବୁ ଲକ୍ଷ କଲେ ଚୋର କଥା ଶୁଣି ମହିଳା ଜଣକ ତାଙ୍କ ପୁଅ ଆଡ଼କୁ ଗୋଟିଏ ସେକେଣ୍ଡ ପାଇଁ ପ୍ରଶ୍ନବାଚୀ ଦୃଷ୍ଟିରେ ଅନେଇଲେ । "ମନ ଦୁଃଖ କରନି । ଆଗକାଳର ପୋଲିସ ମନୋଭାବ ବଦଳି ଗଲାଣି । ଆମେ ଜନସାଧାରଣଙ୍କର ସାଥି ଓ ବନ୍ଧୁ । କେହି ନଥିଲେ କଅଣ ହେଲା, ମୁଁ ସାହାଯ୍ୟ କରିବି ।" ପୁଅଙ୍କୁ ନିର୍ଦ୍ଦେଶ ଦେଇ କହିଲେ, "ପୁଅ, ତୁମ ନାମ କଅଣ ? ଡାକ୍ତରଖାନା ଯିବାକୁ ରେଡି ହୁଅ । ପିନ୍ଧା ଲୁଗା କିଛି ପୋଟଳି କରି ନେଇଥାଅ । ମୁଁ ଫୋନ କରିଦେଉଛି । ଆମ୍ବୁଲାନ୍ସ ଆସି ନେଇଯିବ । ସେଠିକାର ଖର୍ଚ୍ଚ ମୁଁ ବର୍ତ୍ତମାନ ପାଇଁ ଦେଇଦେବି । ପରେ ମୁଖ୍ୟମନ୍ତ୍ରୀ ଫଣ୍ଡରୁ ଅଧିକ ଦାନ କରେଇଦେବି ।" ପୁଅ ପାଟିରୁ ଧୀର ସ୍ଵରରେ ନାମ ଶୁଣାଗଲା, "ମୋ ନାଁ ଗୋବିନ୍ଦ ଦାସ ।" ସଙ୍ଗେ ସଙ୍ଗେ ସେ ଫୋନ କରିଦେଲେ ।

ପ୍ରାୟ ପନ୍ଦର ମିନିଟ ପରେ ଆମ୍ବୁଲାନ୍ସ ଆସି ଘରଠାରୁ ଅଳ୍ପ ଦୂରରେ ରହିଗଲା । କନଷ୍ଟେବଳ ମଦନ ମଧ୍ୟ ଇତି ମଧ୍ୟରେ ପହଞ୍ଚିଥିଲେ । ସେ ଓ ଗୋବିନ୍ଦ ମିଶି ମାଆଙ୍କୁ ଟେକିନେଇ ଗାଡ଼ିରେ ଶୁଏଇ ଦେଲେ । ଗୋବିନ୍ଦ ଆଉ ଥରେ ଆସି ଘର ଭିତରେ ଥିବା ବ୍ୟାଗ ଓ ପୋଟଳିଟି ନେଇ ଘର ତାଲା ପକେଇଦେଲା । ପୋଟଳିଟି ନେଇ ଗାଡ଼ିରେ ମାଆ ପାଖରେ ଥୋଇ ବ୍ୟାଗଟିକୁ ଧରି ଫେରିଲା । ଇନିସପେକ୍ଟର ପଚାରିଲେ, "ଫେରିଲ କାହିଁକି ?" ଗୋବିନ୍ଦ ଧୀର ସ୍ଵରରେ ଉତ୍ତର ଦେଲା, "ଆଜ୍ଞା, ଆପଣଙ୍କ ପାଦ ଧୂଳି ମୁଣ୍ଡରେ ମାରିସାରିଲେ ଯିବି ।" ନଇଁ ପଡ଼ି ବ୍ୟାଗଟି ଇନିସପେକ୍ଟରଙ୍କ ପାଦ ପାଖରେ ରଖିଲା ଓ ପାଦ ଛୁଇଁ ଆମ୍ବୁଲାନ୍ସ ପାଖକୁ ଦୌଡ଼ିଗଲା । କନଷ୍ଟେବଳ କହିଲେ, ଆରେ ବାବୁ, ବ୍ୟାଗ ଛାଡ଼ିଗଲ । କିନ୍ତୁ ସେ ତାଙ୍କ କଥାକୁ କାନ ନଦେଇ ଗାଡ଼ିରେ ବସିବା ପରେ ଆମ୍ବୁଲାନ୍ସ ଷ୍ଟାର୍ଟ ହୋଇ ଚାଲିଗଲା ।  ବ୍ୟାଗକୁ ଅନେଇ କନଷ୍ଟେବଳ କହିଲେ, "ସାର ସେ ତରତରରେ ବୋଧହୁଏ ବ୍ୟାଗଟି ଛାଡ଼ିଗଲା ।" ସୁନ୍ଦର ବାବୁଙ୍କ ମୁହଁରେ ଈଷତ ସ୍ମିତ ହସ ଖେଳିଗଲା । କହିଲେ, "ନାହିଁ, ସେ ଜାଣିଶୁଣି ଛାଡ଼ିଯାଇଛି, ଭୁଲରେ ନୁହେଁ । ଆଶ୍ଚର୍ଯ୍ୟାନ୍ଵିତ ହୋଇ କନଷ୍ଟେବଳ ପଚାରିଲା, "ସାର, ଆପଣ କେମିତି ଜାଣିଲେ ?" "ହାଃ ହାଃ, ମୁଁ ପରା ଇନିସପେକ୍ଟର, ସେଇଟା ମୋର କାମ । ଖୋଲି ଦେଖୁନୁ, ସେ ଜାଣିଶୁଣି ଛାଡ଼ି ଯାଇଛି କି ନାହିଁ ।" କନଷ୍ଟେବଲ ବ୍ୟାଗ ଖୋଲିବାରୁ ତା ଭିତରେ ଗୋଟିଏ ନୂଆ ଗହଣା ବାକ୍ସ ବାହାରିଲା ଓ ତାକୁ ଖୋଲିବାରୁ ନୂଆ ମୋଟା ହାର ବାହାରିଲା । ଅବାକ ହୋଇ ମଦନ ଇନିସପେକ୍ଟରଙ୍କ ମୁହଁକୁ ଅନେଇ ରହିଲା ।

"ସାର, ଚୋରି ଜିନିଷ ଅଛି ବୋଲି ଯଦି ଜାଣିଥିଲେ, ଗୋବିନ୍ଦକୁ ଆରେଷ୍ଟ କଲେନି ? ଛାଡ଼ିଦେଲେ କେମିତି ?" ଗମ୍ଭୀର ହୋଇ ସୁନ୍ଦର ବାବୁ କହିଲେ, "ଆରେ ବାବୁ, ତାକୁ ଆରେଷ୍ଟ କରିଥିଲେ ଫଳ କଅଣ ହୋଇଥାଆନ୍ତା ? ହାର ମାଲିକ ତାର ହଜିଲା ହାର ତ ଏମିତି ବି ଫେରିପାଇବ । ଚୋର ଧରିଥିଲେ ଆମେ ବାହା ବାହା ସାଉଁଟିଥାଆନ୍ତେ । କିନ୍ତୁ ଭାବ ତ, ସେ ପିଲାଟି କଅଣ ପାଇଥାଆନ୍ତା ? ଜେଲ ଯାଇଥାଆନ୍ତା ଓ ତାହା ସାଥେ ସାଥେ ତାର ରୋଗିଣୀ ସିରିଅସ ମାଆ ନିଶ୍ଚୟ ମରିଯାଇଥାଆନ୍ତେ । ଚିର ଦିନ ପାଇଁ ସେ ମାଆକୁ ହରେଇ ଥାଆନ୍ତା । ଦେଶରେ ଆମେ ଗୋଟିଏ ନୂଆ ଯୁବ କ୍ରିମିନାଲ ସୃଷ୍ଟି କରି ଥାଆନ୍ତେ । କାହାର କଅଣ ଲାଭ ହେଇଥାଆନ୍ତା !

ସେ ପିଲାଟି ବୋଧହୁଏ ତା ଜୀବନରେ କାହାଠାରୁ ସାହାଯ୍ୟ ବା ସହାନୁଭୂତି ପାଇନି । ମୁଁ ସେଥିପାଇଁ କିଛି ସହାନୁଭୂତି

ଦେଖେଇଲି । ଟିକିଏ ଟିକିଏ ସ୍ନେହ ସହାନୁଭୂତି ପାଇଲେ ମଣିଷ ସୁଧୁରିଯାଏ ଓ ଜୀବନର ଚଲାପଥ ବଦଳିଯାଏ । ତାର ସଦ୍‌ବୁଦ୍ଧି ଅଛି ବୋଲି ତ ସେ ଏହି ବ୍ୟାଗ ଏଠାରେ ଥୋଇଦେଲା । ଯଦି ନ ରଖିଥାଆନ୍ତା, ତେବେ ମୁଁ ଗାଡ଼ି ସାଥିରେ ଯାଇ ଡାକ୍ତରଖାନାରେ ତାକୁ ଆରେଷ୍ଟ କରିଥାଆନ୍ତି ।" କନଷ୍ଟେବଳ ମଦନର ଆଶ୍ଚର୍ଯ୍ୟର ସୀମା ରହିଲାନି । ଅନୁନୟ କରି ପ୍ରଶ୍ନ କଲା, "ସାର, ମୋତେ ବତେଇ ଦିଅନ୍ତୁ କେମିତି ଜାଣିଲେ ।" ଇନିସପେକ୍ଟର କହିଲେ, "ପ୍ରଥମ କାରଣ ହେଲା, ଏହି ଗଳିରେ ବଡ଼ ବଡ଼ ଘର ସବୁ ଅଛି । ଏଇଭଳି କୋଠା ଘରର ଲୋକ ଚୋରି କରିବାକୁ ଗଲେ ଚୋରି କରିସାରି କେବେହେଲେ ଦୌଡ଼ି ଦୌଡ଼ି ପଳେଇବେନି । ସେମାନେ ମଟର ସାଇକେଲ ବା କାର୍ ଆଣିବେ ଓ ସେଥିରେ ବସି ପଳେଇବେ । ଗୋବିନ୍ଦ ଭଳି ଗୋଟିଏ ଗରିବ ପିଲା ପକ୍ଷରେ ଦୌଡ଼ିବା ବ୍ୟତୀତ ଅନ୍ୟ କୌଣସି ପନ୍ଥା ନଥାଏ । ଏଥି ଯୋଗୁ ମୁଁ ସେହି ଚାଳ ଘର ଲୋକଙ୍କୁ ସନ୍ଦେହ କରି ଘର ଭିତରକୁ ପଶିଯାଇଥିଲି ।" ସନ୍ଦେହ କରିବାର ଦ୍ଵିତୀୟ କାରଣ ହେଲା, ରୋଗୀ କଷ୍ଟ ପାଉଥିବାରୁ ବିକଳ ଭାବରେ କ୍ରନ୍ଦନ କରୁଥିଲା । ଗରିବ ଘର, କେହି ରୋଜଗାରିଆ ନଥିବେ । ରୋଗ ତଥା ଅର୍ଥାଭାବରେ ସେମାନେ ପୀଡ଼ିତ ଥିବା ସମ୍ଭାବନା ଅଧିକ ଥାଏ । ତେଣୁ ସେଠାରେ ମୋର ଅଧିକ ସନ୍ଦେହ ହେଲା । ବିଚରାର ମାଆ ସିରିଅସ ଥିବାରୁ ତାଙ୍କୁ ବଞ୍ଚେଇବାକୁ ସେ ଏଇ କ୍ରାଇମ ରାସ୍ତାକୁ ଆପଣେଇଥିଲା ।

ସନ୍ଦେହ କରିବାର ତୃତୀୟ କାରଣ ହେଲା, ମୁଁ ସେ ଘରେ ପଶି ଦେଖିଲା ବେଳକୁ ଗୋବିନ୍ଦ ଝାଳରେ ଲତପତ ହୋଇ ବସିଛି । ବର୍ତ୍ତମାନ ଗରମ ଋତୁ ନାହିଁ । ଝାଳ କୁଆଡ଼ୁ ବୋହିବ । ଏଣୁ ମୋ ଆଗେ ଆଗେ ଦୌଡ଼ି ଦୌଡ଼ି ଆସିଥିବାରୁ ଝାଳ ବୋହିଥିବ ନିଶ୍ଚୟ । ସନ୍ଦେହର ଚତୁର୍ଥ କାରଣ, ଲୁଚେଇବାକୁ ସେ ଘରେ ଆଲମୀରା ବା ଅନ୍ୟ କିଛି ଜାଗା କାହିଁ ? ବୋଧହୁଏ, ବାକ୍ସଟିଏ ଥିଲେ ମଧ୍ୟ ଚୋରି ମାଲ ଲୁଚେଇବାକୁ ଚୋର ସମୟ ପାଇନି ଓ ସେଭଳି ଗୁପ୍ତ ଜାଗା ମଧ୍ୟ ପାଇନି । ସେଇ ଘରେ ମୁଁ ସଉଦା କରାଯାଉଥିବା ବ୍ୟାଗଟିଏ ପଡ଼ିଥିବାର ଦେଖିଲି । ସେଇ ବ୍ୟାଗ ଉପରପଟେ ସାମାନ୍ୟ ନେଳିଆ ରଙ୍ଗ ଦେଖାଗଲା । ଆଉ ମଧ୍ୟ ସେ କେବେହେଲେ ଚିନ୍ତା କରିନଥିବ ଯେ ପୋଲିସ ଏତେ ଶୀଘ୍ର ଆସି ଘରେ ପଶିବେ । ସେଇ ବ୍ୟାଗ ଭିତରେ ଚୋରିମାଲ୍ ଥିବା ସମ୍ଭାବନା ଅଧିକ ଥିଲା । ମୋ ମନକୁ ଥରେ ଆସିଲା, ଘର ସର୍ଚ୍ଚ କରିବି, କିନ୍ତୁ ତା' ମାଆର ଅବସ୍ଥା ଦେଖି ବିବେକ ବାଧା ଦେଲା । ଯଦି ସେଇ ବ୍ୟାଗରେ ଚୋରିମାଲ ଅଛି, ତେବେ ଯିବ କୁଆଡ଼େ ! ମୋ ସାମନାରେ ତ ଅଛି । ଯେତେବେଳେ ମନ ହେବ, ମାଡ଼ିବସିବି ।

ଗୋବିନ୍ଦ ଯେତେବେଳେ ଘରୁ ଯାଇ ବ୍ୟାଗ ଆଣିଲା ବେଳେ ମୁଁ ଲକ୍ଷ କରୁଥିଲି, ସେ କଅଣ କରିବାକୁ ଯାଉଛି । ଯଦି ଗାଡ଼ିରେ ରଖିଥାଆନ୍ତା, ତେବେ ମୁଁ ଆମ୍ବୁଲାନ୍ସ ପଛେ ପଛେ ଡାକ୍ତରଖାନା ଯାଇ ତା ପରେ ତାଠାରୁ ଚୋରିମାଲ ଜବତ କରିଥାଆନ୍ତି ।

ପ୍ରଶଂସନୀୟ ଚକ୍ଷୁରେ ଇନିସପେକ୍ଟରଙ୍କୁ କନଷ୍ଟେବଳ ମଦନ ଅନେଇ କହିଲେ, "ସାର୍, ଆପଣ ମହାନ! ମାତ୍ର କିଛି ମିନିଟ ମଧ୍ୟରେ ଏତେ କଥା କେମିତି ଚିନ୍ତା କରିପାରିଲେ ? ମୋ ପାଟିକୁ ଭାଷା ଆସୁନି, କଅଣ କହି ଆପଣଙ୍କୁ ପ୍ରଶଂସା କରିବି । ଆପଣ ଆଇ.ପି.ଏସ. ଅଫିସର ହେବାକୁ ଯୋଗ୍ୟ ସାର୍ ।" "ନାହିଁରେ ମଦନ, ଜୀବନରୁ ଏହି ଶିକ୍ଷା ଲାଭ କରିଛି । ହଠାତ୍ ତାଙ୍କ ଗଳା ଭାରି ହୋଇଗଲା ଓ ଆଖି ଲୁହ ଛଳଛଳ ହୋଇଗଲା । ଆଜିକୁ କୋଡ଼ିଏ ବର୍ଷ ତଳେ ଠିକ ଏହିଭଳି ଏକ ଅବସ୍ଥା ମୋ ଜୀବନରେ ଆସିଥିଲା ଓ ଅର୍ଥ ତଥା ଚିକିତ୍ସା ଅଭାବରୁ ମୁଁ ମୋ ମାଆକୁ ହରେଇଥିଲି । ଗୋବିନ୍ଦର ମାଆକୁ ଦେଖି ମୋର ନିଜ ମାଆ କଥା ମନେପଡ଼ିଲା ।" ଅନୁତପ୍ତ ଗଳାରେ ମଦନ କହିଲେ, "ସାର୍, ମୁଁ ଦୁଃଖିତ । ଆପଣଙ୍କ ମନରେ କଷ୍ଟ ଦେଲି ।"



Rate this content
Log in

Similar oriya story from Action