Dr Subas Chandra Rout

Inspirational

3.9  

Dr Subas Chandra Rout

Inspirational

କାମ୍ପି ଅଜା

କାମ୍ପି ଅଜା

10 mins
11.5K


ଜେଜେ ନାମକରଣ କରିଥିବା ହରିଶ୍ଚନ୍ଦ୍ର ମାନ୍ଧାତା ଭଳି ସୁନ୍ଦର ନାଁଟା କୋଉ ସଜରେ କେତେବେଳେ ଓ କାହା ଯୋଗୁ ବଦଳିଯାଇ କାମ୍ପି ଅଜା ହୋଇଗଲା, ସେ କଥା ଗାଁ ଲୋକମାନେ ନା ମନେ ରଖିଥିଲେ ନା ହରିଶ୍ଚନ୍ଦ୍ର କହିପାରିବେ । ତେବେ ସାଙ୍ଗ ସାଥିମାନେ ତାଙ୍କ ନାମରୁ ଅଧା କାଟିଦେଇ ହରି ଭାଇ ଓ ବୟସରେ ବଡ଼ ଲୋକମାନେ ତାଙ୍କୁ ହରିଆ କହି ସମ୍ବୋଧନ କରୁଥିଲେ । ପୁରୁଷାନୁକ୍ରମେ ଚାଲି ଆସୁଥିବା ମହାନ ଦାତା ଶବ୍ଦଟି ଅପଭ୍ରଂଶ ହୋଇ ମାନ୍ଧାତା ହୋଇଯାଇଥିବା କଥା ସାଗର ଜେଜେ କହୁଥିଲେ ଓ ଏହା ଏକ କିମ୍ବଦନ୍ତୀ ପାଲଟିଯାଇଥିଲା । ତେବେ ନିଜ ନାମର ଗରିମା ରଖିବାକୁ ଅନେକ କଥା ଲଗେଇ ଜୁଟେଇ କହିବା ଲୋକଙ୍କର ଅଭ୍ୟାସ ଥାଏ । ସୁତରାଂ, ସତ କଅଣ ବା ମିଛ କଅଣ, ଜାଣିବାର ଉପାୟ ନାହିଁ । ତେବେ ତାଙ୍କ ବଂଶର ଲୋକମାନେ ପରମ୍ପରାକ୍ରମେ ଗାଁର ମୁଖିଆ ଭାବରେ କାମ କରୁଥିଲେ ।   

ଆଖପାଖ ପଚାଶ ଖଣ୍ଡ ଗାଁରେ ହରିଙ୍କର ବାପା ‘ମଦନ’ ଓ ଜେଜେ ବାପା ‘ସାଗର’ଙ୍କ ଦାନ ଦକ୍ଷିଣା ଦେବା କଥା ନୂଆଗାଁର ଲୋକମାନେ ଆଜିଯାଏ ଭୁଲି ନାହାନ୍ତି, କି ଭୁଲି ପାରିବେନି । ଲୋକମାନେ ତାଙ୍କୁ ‘ମହାନ ଦାତା’ କହୁଥିଲେ । ତାଙ୍କ କଥା ପଡ଼ିଲେ ‘ଆଃ! କି ଲୋକ ଥିଲେ’, ପାଟିରୁ ସ୍ୱତଃ ବାହାରିଯାଏ । ଦୀନଦୁଃଖୀଙ୍କର ନିମନ୍ତେ ସେ ଆଲୋକବର୍ତ୍ତିକା ଥିଲେ । ସାଇ ପଡ଼ିଶାରେ କିଛି ଗଣ୍ଡଗୋଳ ହେଲେ ସେ ମୁକୁଟବିହୀନ ବିଚାରପତି ପରି କାମ କରୁଥିଲେ । ଅସମ୍ଭବ ଥିଲା ତାଙ୍କର ନ୍ୟାୟୀକ ବିଚାର ଧାରା । ସେ କାନୁନ ପାଠ ପଢ଼ି ନଥିଲେ, କିନ୍ତୁ ତାଙ୍କ ସମାଧାନରେ କେହି ଅସନ୍ତୁଷ୍ଟ ହେବା କେବେ ଶୁଣା ଯାଇନାହିଁ ।

ଅଧିକାଂଶ ଲୋକଙ୍କର ବହୁତ ଅଳ୍ପ ଜମି ଥାଏ ଯାହାକୁ ଚାଷ କରି ଗୁଜୁରାଣ ମେଣ୍ଟାନ୍ତି । ଗାଁରେ ଶତକଡ଼ା ପ୍ରାୟ ନବେ ଭାଗ ଲୋକ ନିଶାଗ୍ରସ୍ତ ଥାଆନ୍ତି । ନିଶାଗ୍ରସ୍ତ ଥିବାରୁ ପରସ୍ପର ମଧ୍ୟରେ ବାଡ଼ିଆ ପିଟା ପ୍ରାୟ ଚାଲିଥାଏ । କାମ ଧନ୍ଦାରେ ବିଶେଷ ମନ ଦିଅନ୍ତିନି । ଖାଇସାରି ଖଜୁରୀ ତାଡ଼ି ପାନ କରି ଖଳାରେ ଗୋଟିଏ ସପ ପକେଇ ତାସ ମୁଠାଏ ଧରି ଖେଳିଲେ କେତେ କଥା । କାମ କିଏ କରୁଛି ! ଅଭାବ ପଡ଼ିଲେ ଗାଁ ମୁଖିଆଙ୍କ ଘରେ ଯାଇ ମୁହଁ ଶୁଖେଇ ଧାର ମାଗିଲେ ବିନା ଦ୍ଵିଧାରେ ମିଳିଯାଏ । ସୁବିଧାରେ ଆର୍ଥିକ ସାହାଯ୍ୟ ମିଳିଯାଉଥିବାରୁ ଲୋକମାନେ ସମ୍ପୂର୍ଣ୍ଣ ଅଳସୁଆ ହୋଇଗଲେ । ଏମିତି ଜଣେ ବି କେହି ନ ଥିଲେ, ଯିଏ ତାଙ୍କଠାରୁ ଅସମୟରେ ହାତ ଉଧାରି ନେଇ ନଥିଲେ । ସମୟକ୍ରମେ ଟଙ୍କା ପଇସାର ଅପବ୍ୟୟ ଓ ଅପାତ୍ରରେ ଦାନ ଦେବା ହେତୁ ପରବର୍ତ୍ତୀ କାଳରେ ଧନ, ଐଶ୍ଵର୍ଯ୍ୟ, ମାନ, ସମ୍ଭ୍ରମତା ଆଦି ‘ଗରମ ଜଳ ବାଷ୍ପ ହୋଇ ଉଡ଼ିଗଲା’ ଭଳି ଚାଲିଗଲା, କିଛି ଜଣାପଡ଼ିଲା ନାହିଁ । କର୍ପୁର ଉଡ଼ିଗଲା, କେବଳ କନା ପଡ଼ିରହିଲା ।     

ମାନ୍ଧାତା ଶବ୍ଦର ଅର୍ଥ ପୁରୁଣକାଳିଆ ହୋଇପାରେ କିନ୍ତୁ ଗୋଟିଏ ବିରାଟ ଐତିହ୍ୟକୁ ସ୍ମରଣ ରଖିବାକୁ ସାଙ୍ଗିଆକୁ ବଦଳେଇବା ନିମନ୍ତେ ସେହି ବଂଶର ଲୋକମାନେ କେହି କେବେ ବି ଇଚ୍ଛା କରିନାହାନ୍ତି । କହନ୍ତୁ ଲୋକ ପୁରୁଣା କାଳିଆ କହିଲେ କଅଣ ହୋଇଗଲା ! କିନ୍ତୁ ଏଡ଼େ ବଡ଼ ଧନୀ ମାନୀ ଘରର ଦାୟାଦ ହରିଶ୍ଚନ୍ଦ୍ର ନାମଧାରୀ ଲୋକଟି କାମ୍ପି କେମିତି ହେଲା !

ପ୍ରକୃତରେ ଏହି ଅଧୋଗତି ହରି ଭାଇଙ୍କ ବାପା ମଦନ ମାନ୍ଧାତାଙ୍କ ଅମଳରୁ ଆରମ୍ଭ ହୋଇଥିଲା । ତା ଆଗରୁ ବି ଏହି ଦାନ ଧର୍ମ ପରମ୍ପରା ଥିଲା କିନ୍ତୁ ତାହା ଏକ ସୀମାରେ ଅବରୁଦ୍ଧ ଥିଲା । ପୈତୃକ ସମ୍ପତ୍ତି ସେତେବେଳକୁ ଧୀରେ ଧୀରେ ଅଲକ୍ଷରେ ଉଭେଇ ଯାଇଥିଲା, ଯେପରି ଯାଦୁକରମାନେ ଯାଦୁ ବଳରେ ଜିନିଷକୁ ଉଭାନ କରିଦିଅନ୍ତି । ହରି ଭାଇ ଦେଖିବାରେ ବାପାଙ୍କୁ ସବୁବେଳେ ଚାରି ପାଞ୍ଚ ଜଣ ଲୋକ ଦେହରକ୍ଷୀ ଭଳି ଘେରି ବସିଥାଆନ୍ତି । ସାମନାରେ ବିଦେଶୀ ମଦ ବୋତଲ ଥୁଆ ହୋଇଥାଏ । ମଦ ସାଥିରେ ଚାଟ୍ ନଥିଲେ କଅଣ ଜମିବ ! ମଝିରେ ମଝିରେ ଚାଟ୍ ଆଣିବାକୁ ଅର୍ଡର ଯାଏ । ତାଙ୍କ ସାଙ୍ଗମାନେ (ଶତ୍ରୁ?) ବୋତଲରୁ ଅଳ୍ପ ଅଳ୍ପ ମଦ ଗିଲାସରେ ଢାଳି ଦିଅନ୍ତି । ସେମାନେ ତେଲ ମାରିବାରେ ଓସ୍ତାଦ ଥାଆନ୍ତି । କହନ୍ତି, ଆଜ୍ଞା, ଗାଁରେ ଆପଣଙ୍କ ଭଳି ଦାନୀ ଓ ଭଲ ଲୋକ କେହି ନାହାନ୍ତି । ଆଉ ଜଣେ କହେ, ଆମ ଗାଁ କଅଣ କହୁଛୁ, ଆମ ପଞ୍ଚାୟତରେ କେହି ନାହାନ୍ତି । ଆଉ ଜଣେ କହେ, ଆରେ ସାରା ଓଡ଼ିଶାରେ ଟର୍ଚ୍ଚ ଲାଇଟ ଜଳେଇ ଖୋଜିଲେ ବି କେହି ମିଳିବେନି । ଏମିତି ତେଲିଆମାନେ କହି କହି ତାଙ୍କୁ ପୃଥିବୀର ସର୍ବଶ୍ରେଷ୍ଠ ଦାନୀ ଉପାଧିରେ ଅଳଙ୍କୃତ କରିଦିଅନ୍ତି ।

ବାପାଙ୍କର କୋଉ ହୋସ ଥାଏ ଯେ, ସେ ଭଲ ମନ୍ଦ ବିଚାର କରିବେ । ସେମାନଙ୍କ ଚାଟୁ କଥା ଶୁଣି ଖୁସିରେ ଦେହଟି ଧୀରେ ଧୀରେ ହଲୁଥାଏ । କଥା ନ କହି କେବଳ ମୁଣ୍ଡ ଟୁଙ୍ଗାରୁ ଥାଆନ୍ତି । ଗୋଟିଏ ସମୟ ଥିଲା, ଯେତେବେଳେ ହସ ଖୁସିରେ ସେହି ଘର ଉଠୁଥିଲା ପଡ଼ୁଥିଲା ।


ସେ ସମୟ ଚାଲିଗଲା । ଚାଷ ବାସ କଥା ଦେଖାଶୁଣା କରିବାକୁ ଓ ବୁଝିବାକୁ କେହି ନଥିଲେ । ହଳିଆ ମୁଲିଆ ତାଙ୍କ ଇଚ୍ଛା ମୁତାବକ ବିଲକୁ ଯାଆନ୍ତି, ମନ ହେଲେ କାମ କଲେ, ମନ ନହେଲେ ନାହିଁ । ଫସଲ ଅମଳ ହେଲେ ରାତିରେ ଲୁଚେଇ ଘରକୁ ନେଇଯାଆନ୍ତି । ଦେଖିବାକୁ ବା ଜଗିବାକୁ କେହି ନ ଥାଆନ୍ତି । ଧୀରେ ଧୀରେ ପରିବାରର ଅଧୋଗତି ଆରମ୍ଭ ହୋଇଗଲା । 

ଘରେ ତାଙ୍କ କଥା କେହି ଅମାନ୍ୟ କଲେ ଭୟଙ୍କର ମାଡ଼ ହେଉଥିଲା । ସ୍ନେହ ପ୍ରେମ ଆଦି ଅତି ମାନବୀୟ ଗୁଣ ସେ ଘରୁ ବିଦାୟ ନେଇଗଲେ । ତାଙ୍କ ହାବ ଭାବ ଓ ଗାଳି ଗୁଲଜ ସହି ସହି ତାଙ୍କ ପତ୍ନୀ ଓ ପିଲାମାନେ ତାଙ୍କ ପ୍ରତି ବିତସ୍ପୃହ ହୋଇଗଲେ । ପତ୍ନୀ, ୨ ଝିଅ ଓ ଏକ ପୁଅ ମିଶି ଧନ ଉଡ଼େଇବା ବନ୍ଦ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ପାରିଲେନି । ଲୁଚେଇ ଲୁଚେଇ କାନ୍ଦୁଥିବା ତାଙ୍କ ମାତାଙ୍କ ଆଖିର ଲୁହ ହରି ଭାଇ ଦେଖିଥିଲେ । ଅନେକ ସମୟରେ ଚାରିବେଳା ଖାଇବାକୁ ପାଉନଥିଲେ । ତାଙ୍କ ପିଲା ଦିନ ଅତି କଷ୍ଟରେ ବିତିଥିଲା । କଷ୍ଟ ଅସହ୍ୟ ହେବାରୁ ବିରକ୍ତ ହୋଇ ସ୍ତ୍ରୀ ଓ ପିଲାମାନେ ଘର ଛାଡ଼ି ଅଜା ଘରକୁ ଚାଲିଗଲେ । ଅଜାଙ୍କ ଘରେ ସେତେବେଳେ ଅଜା ଓ ଆଈ ବ୍ୟତୀତ ଆଉ କେହି ନଥିଲେ । ସେ ଖୁସିରେ ଏମାନଙ୍କୁ ଗ୍ରହଣ କରିନେଲେ । ହରି ଭାଇ ପ୍ରତିଜ୍ଞା କରିଥିଲେ, ବଡ଼ ହେଲେ ଏହାର ଏକ ଉଲ୍ଲେଖନୀୟ ବ୍ୟବସ୍ଥା କରିବେ ।  

ଯେତେବେଳେ ବିଦେଶୀ ମଦ ବୋତଲ ବଦଳରେ ଅର୍ଥାଭାବରୁ ଦେଶୀ ମାଲ ସାମନାରେ ରଖାଗଲା, ସେତେବେଳେ ଚାଟୁକାର ସଂଖ୍ୟା କମିବାକୁ ଲାଗିଲା । କିନ୍ତୁ ସେତେବେଳକୁ ନେଡ଼ି ଗୁଡ଼ କହୁଣିକୁ ବୋହି ଯାଇଥିଲା । ଅବଶେଷରେ ଅତ୍ୟଧିକ ମଦ୍ୟ ପାନ ଯୋଗୁ ହାର୍ଟ ଆଟାକ ରୋଗର ଶିକାର ହୋଇ ହଠାତ୍ ବାପା ମଦନ ବାବୁଙ୍କର ଇହଲୀଳା ସମାପ୍ତ ହୋଇଗଲା ।  

ଇତି ମଧ୍ୟରେ ସତକୁ ସତ ଯୁବକ ହେବାର ଅଳ୍ପ କିଛି ବର୍ଷ ମଧ୍ୟରେ ହରି କଠୋର ପରିଶ୍ରମ କରି ବେପାର କଲେ ଓ ବହୁତ ଧନୀ ହେଇଗଲେ । ପିତାଙ୍କ ମୃତ୍ୟୁ ସମ୍ବାଦ ପାଇ ସେ ସେହି ପରିତ୍ୟାଗ କରିଥିବା ନିଜ ଗୃହ ଓ ଗ୍ରାମକୁ ପୁନଶ୍ଚ ଫେରିଆସିଲେ । ବାପାଙ୍କ କ୍ରିୟା କର୍ମ ସାରିବା ପରେ ତାଙ୍କ ଟ୍ରଙ୍କ ସୁଟକେଶ ଅଣ୍ଡାଳିଲେ । ଗୋଟିଏ ସୁଟକେଶରୁ ଗୋଟିଏ ଲମ୍ବା ଚିଠା କାଗଜ ପାଇଲେ ଯେଉଁଥିରେ ଗ୍ରାମରେ ଧାର ନେଇଥିବା ଲୋକଙ୍କ ନାମ ଲିପିବଦ୍ଧ ହୋଇଥିଲା । ଖୁସିରେ ସେ ତା ଆରଦିନ ସେହି ଧାର ନେଇଥିବା ଲୋକଙ୍କୁ ଘରକୁ ଡକେଇଲେ ଓ କାଗଜ ଦେଖେଇ ଟଙ୍କା ଫେରେଇବାକୁ କହିଲେ । 

ତାଙ୍କ ଉତ୍ତର ଶୁଣି ହରି ବାବୁ ସ୍ତବ୍ଧ ହୋଇଗଲେ । ସେମାନେ କହିଲେ, ଆଜ୍ଞା, ଆପଣଙ୍କ ପୂଜ୍ୟ ପିତା ସବୁବେଳେ ମାତାଲ ହୋଇ ରହୁଥିଲେ । କଅଣ ସତ ମିଛ ଲେଖିଦେଇଛନ୍ତି, ତାଙ୍କୁ ବିଶ୍ଵାସ କରୁଛନ୍ତି ଆପଣ । ତାଙ୍କର ଶେଷ ସମୟରେ ଆପଣ ତ ନଥିଲେ, ଆମେ ବରଂ ତାଙ୍କୁ ସାହା ହୋଇଥିଲୁ । ଆମେ ତାଙ୍କୁ ସାହାଯ୍ୟ କରିଥିଲୁ । ଓଲଟା ଆମେ କିଛି ପାଇବା କଥା । ଆମେ ଦେବୁ କଅଣ ? ଆରେ, ଉଠ ଚାଲ ଯିବା । ଯାଉଛୁ ଆଜ୍ଞା, ବହୁତ କାମ ଅଛି । ସେମାନେ ଯିବା ପରେ ହରି ବାବୁ ମନକୁ ମନ ହସିବାକୁ ଲାଗିଲେ । ‘ଅନ୍ତତଃ ଏମାନେ ତ ଆଉ ଧାର ନେବାକୁ ଆସିବେନି’, ଭାବି ଆଶ୍ଵସ୍ତ ହେଲେ । 

ହରି ତାଙ୍କ ମାତାଙ୍କ ସହିତ ପ୍ରତ୍ୟାବର୍ତ୍ତନ କଲେ ସତ, କିନ୍ତୁ ତାଙ୍କର ଜୀବନ ପ୍ରତି ଆଭିମୁଖ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ସେ ଧନୀ ହୋଇଗଲେଣି ବୋଲି କାହାକୁ ଦେଖେଇ ହେଲେନି । ସାଧା ସିଧା ପୋଷାକ ପିନ୍ଧନ୍ତି । ଆଡ଼ାଚୌଡ଼ା ମୋଟେ ଦେଖାନ୍ତିନି । ପୁରୁଣା ପୈତୃକ ଘର ଭାଙ୍ଗିରୁଜି ଯାଇଥିଲା । ତାହାକୁ ଭାଙ୍ଗି ଏକ ନୂଆ ୨୦x୧୬ ଫୁଟର ଛଅଟି ବଖରା ଥିବା ବଡ଼ ଦୁଇ ମହଲା କୋଠା ଘରଟିଏ କଲେ କିନ୍ତୁ ଘରର କୌଣସି ସାଜ ସଜ୍ଜା ନଥିଲା । ଘରେ କୌଣସି ଦାମୀ ଆସବାସ ପତ୍ର ବା ଜିନିଷପତ୍ର କିଛି ରଖିଲେନି । ସେହି ଘର ପଛକୁ ଲାଗି ତାଙ୍କର ଅମାର ଓ ଭଣ୍ଡାର ଘର କରିଥିଲେ । କିନ୍ତୁ ତାଙ୍କର ଧନ କେଉଁଠୁ ଆସେ, କିଏ ଆଣେ, କେଉଁଠି ରଖନ୍ତି, କେହି ଜାଣିପାରନ୍ତିନି । ଯିଏ ତାଙ୍କ ଚାଲି ଚଳନ ଦେଖିବ, ଭାବିବ, ଏଃ, ଖାଲି ଘର ଛଡ଼ା ଏମାନଙ୍କର ଆଉ କିଛି ନାହିଁ । ଉପର ଚିକ୍କଣ ଭିତର ଫମ୍ପା । ଏଡ଼େ ମୋଟା ବାଉଁଶର ଭିତର ଏତେ ପୋଲା ! ହରି ବାବୁ ଓ ତାଙ୍କ ପତ୍ନୀ ସେହି ଘରେ ବାସ କରିବାକୁ ଲାଗିଲେ ଏକ ସାଧାରଣ ମଣିଷ ଭାବରେ । ଜଣେ ରାନ୍ଧୁଣିଆ, ଜଣେ ଘର ଝାଡ଼ୁ କରିବାକୁ ଓ ବାସନ ସଫାକରିବାକୁ ଥିଲେ, ଆଉ ଦୁଇଜଣ ବୋଲହାକ କରିବା ପାଇଁ ଥିଲେ ।

ହରି ବାବୁଙ୍କ ଲେଉଟାଣିର କିଛି ମାସ ପରେ ପୁରୁଣା ପରମ୍ପରା ଅନୁସାରେ ପ୍ରଥମେ ପ୍ରଥମେ ଲୋକମାନେ ହାତ ଉଧାରୀ ନେବାକୁ ଆସୁଥିଲେ, କିନ୍ତୁ କିଛି ନପାଇ ଫେରୁଥିଲେ । ଫେରିବା ପୂର୍ବରୁ ହରିଙ୍କୁ ତାଙ୍କ ପୂର୍ବ ପୁରୁଷଙ୍କ ଦାତା ପଣିଆ ସ୍ମରଣ କରେଇଦେଉଥିଲେ । ଏପରି କହିବା ପଛରେ ଟେହିବା ହିଁ ମୂଳ ଲକ୍ଷ ରହୁଥିଲା । ଟେହି ଦେଲେ କାଳେ ବନ୍ଦ ଭଣ୍ଡାର ଘରର ତାଲା ଖୋଲିଯିବ ! କେହି କେହି ଫେରିବା ପୂର୍ବରୁ ତୁମେ ପୂର୍ବ ପୁରୁଷଙ୍କ ଭଳି ହୋଇ ପାରିଲନି ! ଭଳି ଟିପ୍ପଣୀ ଦେଇଯାଉଥିଲେ । ହରି କେବଳ ମୁରୁକି ହସ ଦେଇ ବୟସ ଅନୁସାରେ ସମ୍ମାନ ଦେଇ ବିଦାୟ କରିଦେଉଥିଲେ ।

ଏହି ସବୁ କାରଣରୁ ବଦମାସିଆ ଲୋକମାନେ ତାଙ୍କୁ ‘କାମ୍ପି’ କହିବାକୁ ଲାଗିଲେ । ସମୟ ଗଡ଼ିବା ସଙ୍ଗେ ସଙ୍ଗେ ହରି ବାବୁ ରାସ୍ତାରେ ଚାଲିଗଲା ବେଳେ ଧୀର ସ୍ଵରରେ ‘କାମ୍ପି’ କହିବାକୁ ଲାଗିଲେ । ପଛ ବୁଲେଇଲା ସଙ୍ଗେ ସଙ୍ଗେ କାମ୍ପି କାମ୍ପି କହି ଚିଡ଼େଇବାକୁ ଲାଗିଲେ । ହେଲେ ହରି ଭାଇ କିଛି ମନକୁ ନେଲେ ନାହିଁ । ଲୋକଙ୍କ କଥା ଏ କାନରେ ପୁରେଇ ସେ କାନରେ ବାହାର କରିଦେଲେ । ପଚାଶ ବର୍ଷ ବୟସ ହେବା ପରେ ତାଙ୍କ ନାମରେ ଅଜା ଶବ୍ଦ ଲାଗିଗଲା ଓ ପିଲାମାନେ ବଡ଼ମାନଙ୍କଠାରୁ ଶୁଣି କାମ୍ପି ଶବ୍ଦ ସାଥିରେ ଅଜା ଲଗେଇ ତାଙ୍କୁ କାମ୍ପି ଅଜା କହିବାକୁ ଲାଗିଲେ ।

ସେହି ଛୋଟ ଗ୍ରାମରେ ଜଣେ ମାତ୍ର ବ୍ୟକ୍ତି ଥିଲେ ଯିଏ ତାଙ୍କ ସାଥିରେ ବସାଉଠା କରନ୍ତି । ସେ ଥିଲେ ରାମ ବାବୁ, ତାଙ୍କର ପଡୋଶୀ । ସେ ମଧ୍ୟ ଅତୀତରେ ବହୁତ ଧନୀ ଥିଲେ କିନ୍ତୁ କାଳର କରାଳ ଗର୍ଭରେ ଧନୀ ଶବ୍ଦ ରୂପାନ୍ତରିତ ହୋଇ ନିମ୍ନ ମଧ୍ୟବିତ୍ତ ହୋଇଗଲା । ରାମ ବାବୁଙ୍କ ଏକମାତ୍ର ପୁତ୍ର ଇଞ୍ଜିନିୟର ହୋଇ ମୁମ୍ବାଇରେ ଦୁଇ ବର୍ଷ ହେଲା ଚାକିରି କରୁଥିଲେ । ହରିଙ୍କର ଦୁଇ ଭଉଣୀ ବିବାହ କରି ଶାଶୁ ଘରେ ରହୁଥିଲେ ଓ ପୁଅଟି ସହରରେ ପାଠ ପଢ଼ୁଥିଲା ।

 ଥରେ ଲଗାତାର ତିନି ବର୍ଷ ଅନାବୃଷ୍ଟି ହେଲା । ମରୁଡ଼ି ପଡ଼ିଗଲା । ତିନି ବର୍ଷ ଧରି କିଛି ଅମଳ ନହେବାରୁ ଖାଇବାକୁ ମିଳିଲାନି । ଚାରିଆଡ଼େ ହାହାକାର ଶବ୍ଦ ଶୁଣାଗଲା । ସେହି ଗ୍ରାମର ଲୋକଗୁଡ଼ିକ ସାଧାରଣ ଗରିବ ଶ୍ରେଣୀର ଥିଲେ । ସେତେବେଳେ ଆଜିକାଲି ଭଳି ସରକାରୀ ସାହାଯ୍ୟ ବନ୍ଦବୋସ୍ତ ନଥିଲା । ତୃତୀୟ ବର୍ଷକୁ ଅବସ୍ଥା ଅସମ୍ଭାଳ ହୋଇଗଲା । ବିକଳ ହୋଇ ହରି ବାବୁଙ୍କ ଘରକୁ ଧାର ଉଧାର କରିବାକୁ ଗଲେ । ତାଙ୍କ ମଧ୍ୟରେ ବାପାଙ୍କ ପୂର୍ବୋକ୍ତ ପାଞ୍ଚ ସାଙ୍ଗ ମଧ୍ୟ ସମ୍ମିଳିତ ହୋଇଥିଲେ । ହରିବାବୁ କହିଲେ, ବାବୁମାନେ, ଏ ମରୁଡ଼ି ଅବସ୍ଥା ମୋର ବି ହେଇଛି, ଏକୁଟିଆ ତୁମର ନୁହେଁ । ମୁଁ କୁଆଡ଼ୁ ଆଣି ତୁମମାନଙ୍କୁ ଦେବି ? ତୁମେମାନେ ଆଗରୁ ଆମ ଘରୁ ଧାର କରଜ ନେଇ ଲୁଟିଥିଲ ଓ ଆମକୁ କାଙ୍ଗାଳ କରିଦେଇଥିଲ । ଧାର ବି ଫେରେଇଲନି । ମୋ ବାପା ଶେଷ ସମୟରେ ଖାଇବାକୁ ନ ପାଇ ମରିଗଲେ । ଏବେ କୁଆଡ଼େ ଆସିଛ ? 

ସବୁ ଗ୍ରାମବାସୀ ଲମ୍ବା ହୋଇ ହରି ବାବୁଙ୍କ ଗୋଡ଼ ତଳେ ପଡ଼ିଗଲେ । ଆଜ୍ଞା, ଆମେ ବହୁତ ଭୁଲ କରିଥିଲୁ । ଆମକୁ କ୍ଷମା କରିଦିଅନ୍ତୁ । ଆପଣଙ୍କ ତିନି ପୁରୁଷଙ୍କଠାରୁ କ୍ଷମା ମାଗୁଛୁ । ହରି ବାବୁ କିଛି ନ କହି ଘର ଭିତରକୁ ଚାଲିଗଲେ । ଗ୍ରାମବାସୀମାନେ ସେଠାରୁ ଯାଇ ମନ୍ଦିର ଚାନ୍ଦିନୀରେ ବସିଲେ । ଦେହ ଶୁଖିଲା, ଆଖି କୋଟରଗତ ହୋଇଯାଇଥଲା । ସେ ଆଖିରୁ ବୋହିବା ପାଇଁ ଲୁହ ବି ବଳି ନଥିଲା ।  

ଭୋକରୁ କ୍ରୋଧର ସୃଷ୍ଟି ହୁଏ । ଏତିକିବେଳେ ଗ୍ରାମର ସବୁଠାରୁ ଦୁଷ୍ଟ ଲୋକ କହିଲା, ଚାଲବେ, ଆଜି ରାତିରେ ତା ଭଣ୍ଡାର ଘର ଲୁଟିନେବା । ମାଗିଲେ ଦେଲାନି, ଏବେ ଛଡ଼େଇ କରି ନେବା । ଅନେକ ଲୋକ ତାଳି ମାରି ସମର୍ଥନ କରିବାକୁ ଲାଗିଲେ । ଏତିକି ବେଳେ ରାମ ବାବୁ ଆସି ସେଠି ପହଞ୍ଚିଲେ । ତାଙ୍କ କଥା ସବୁ ଶୁଣିଲେ । କହିଲେ, ସମସ୍ତେ ଶୁଣନ୍ତୁ, ଗୋଟିଏ ଖୁସି ଖବର । ମୋ ପୁଅ ଆପଣଙ୍କ ଦୁଃଖ କଥା ଶୁଣି ଲକ୍ଷେ ଟଙ୍କା ପଠେଇଛି । ଆପଣମାନଙ୍କୁ ପ୍ରତିଦିନ ଦୁଇ ବେଳା ଅନ୍ନ ଭୋଜନ ଦେବାକୁ କହିଛି । ରାମ ବାବୁଙ୍କୁ ପାଖକୁ ସମସ୍ତେ ଆସି କୁଣ୍ଢେଇ ପକେଇଲେ । ଗୋଟିଏ ହର୍ଷ ରୋଳରେ ଗ୍ରାମ ଦାଣ୍ଡ କମ୍ପିଉଠିଲା । ରାମ ବାବୁଙ୍କ ଜୟ ହେଉ, ତାଙ୍କ ପୁଅର ଜୟ ହେଉ । ପୁଅର ଚାକିରୀରେ ଆହୁରି ଉନ୍ନତି ହେଉ । ତାଳି ମାରି ସମସ୍ତେ ନିଜ ନିଜ ଘରକୁ ପ୍ରସ୍ଥାନ କଲେ । 

ତା, ପରଦିନ ଦୁଇପ୍ରହରରେ ଗାଁ ଲୋକମାନେ ଧାଡ଼ି ହୋଇ ଖାଇବାକୁ ବସିଲେ । ବସୁ ବସୁ ପ୍ରଥମେ ରାମ ବାବୁଙ୍କ ଆଗରେ ହରି ବାବୁଙ୍କୁ ଲକ୍ଷ କରି ଗାଳି ଦେବା ଆରମ୍ଭ କଲେ । ଆରେ ମଣିଷ ହେବ ତ ରାମ ବାବୁ ଓ ତାଙ୍କ ପୁଅ ଭଳି, ଆଉ ହରି ବାବୁ ! ସାମନାରେ ଲୋକ ମରିଯାଉଛନ୍ତି, ତାକୁ ଟିକିଏ ବିକଳ ଲାଗୁନି ମଧ୍ୟ । ଶଳା, ମହା ବଦମାସ । ଏହିଭଳି ଯାହା ଯାହାର ପାଟିକୁ ଯାହା ଆସିଲା, କହିବାକୁ ଲାଗିଲେ । ଛିଛାକର କରିବାକୁ ଲାଗିଲେ ।

ରାମ ବାବୁ ତାଙ୍କ କଥା ସବୁ ମନ ଦେଇ ଶୁଣିଲେ । କିଛି ସମୟ ପରେ ହଠାତ୍ ବଡ଼ ପାଟିକରି କହିଲେ, ଚୁପ୍ ରୁହନ୍ତୁ ସମସ୍ତେ, ପୁରା ଚୁପ୍ । କେହି କିଛି ବୁଝିପାରିଲେନି । ଅତୀତରେ ଯାହାର ଅନ୍ନ ଖାଇ ପ୍ରତିପାଳିତ ହୋଇଥିଲ, ତାଙ୍କୁ ଗାଳି ଦେବାକୁ ଲଜ୍ଜା ବୋଧ ହେଉନି ? ଏତେ ନମକ ହରାମ କେମିତି ହେଇପାରୁଛ ! ଏବେ ସତ କଥା ଶୁଣ । ଏ ଖାଇବାକୁ ମୋ ପୁଅ ଦେଉନି । ମାତ୍ର ଦୁଇ ବର୍ଷ ଚାକିରି କରି କେହି ଲକ୍ଷେ ଟଙ୍କା ଜମା କରିପାରିବନି, ଦେବା ଦୂରରେ ଥାଉ । ନୂଆ ଚାକିରୀରେ ବହୁତ କମ ଦରମା ମିଳେ । ତାର ଦରମାରୁ ସେ ଘର ଭଡ଼ା ଦେଉଛି ନିଜେ ଚଳୁଛି ଆମ ପାଖକୁ ପଠଉଛି । ଆଉ କେତେ ବଳିବ ବୋଲି ଆଶା କରୁଛ । ଏ କଥା କାହାର ମୁଣ୍ଡରେ ପଶୁନି କେମିତି ! ଏହି ଅନ୍ନଛତ୍ର ସେହି ହରି ବାବୁ ଖୋଲିଛନ୍ତି । ଆମର ଏତେ ସମ୍ବଳ କାହିଁ, ଏଭଳି ଦାନ ଧର୍ମ କରିବାକୁ । ଯାହାର ଖାଉଛ ତାକୁଇ ନିନ୍ଦା କରୁଛ । ଧର୍ମ ସହିବ ଟି ? ଏଇ ଗାଁ ଲୋକଙ୍କ ଯୋଗୁ ତାଙ୍କ ବାପା ମୃତ୍ୟୁ ବରଣ କଲେ । ତାଙ୍କ ଟଙ୍କା ଧାର ନେଇ ଫେରେଇଲନି । ଚୁପ ହୋଇ ବସି ଖାଅ । ଆରେ ଭାଗ୍ୟରେ ଥିଲେ ଏମିତି ଲୋକ ମିଳନ୍ତି । ମୋ ପୁଅଙ୍କୁ ସେଇ ହିଁ ଟଙ୍କା ଦେଇ ଇଞ୍ଜିନିୟରିଙ୍ଗ ପାଠ ପଢ଼େଇଛନ୍ତି । ମୋର ସେଭଳି ସମ୍ବଳ କେଉଁଠି ଥିଲା, ପୁଅକୁ ନେଇ ଏତେ ଭଲ କଲେଜରେ ପାଠ ପଢେଇବାକୁ । ସବୁ ତାଙ୍କର ଦୟାରୁ ହୋଇଛି । ସେ ମୋତେ ମନା କରିଥିଲେ ଏ କଥା କହିବାକୁ । ତୁମର ନମକ ହରାମି କଥାବାର୍ତ୍ତା ଶୁଣି ମୁଁ ସହିପାରିଲିନି କହିଦେଲି । ମୋତେ ସେ କଅଣ ଭାବିବେ କେଜାଣି ।

ଏଠି ଆଉ ଗୋଟିଏ କଥା କହୁଛି । ସେ ଗୋଟିଏ ସର୍ତ୍ତ ରଖିଛନ୍ତି । ଅନ୍ନ ଖାଇବା ପୂର୍ବରୁ ଭଗବାନଙ୍କ ନାମ ନେଇ ଶପଥ କରିବ ଆଜିଠାରୁ ଆଉ ମଦ ଛୁଇଁବ ନାହିଁ । ଆଜି ଖାଅ ଯିଏ ଏଥିରେ ରାଜି ନୁହେ ସେ କାଲିଠାରୁ ଏଠାକୁ ଆଉ ଆସିବନି । ଆଜି ଆମେ ମଦ ଦୋକାନ ପାଖରେ ଜଗିବୁ ଓ ଲୁଚିକରି ଦେଖିବୁ ମଦ ପିଉଛ କି ନାହିଁ ।  

ମୁଣ୍ଡ ତଳକୁ କରି ସମସ୍ତେ ଶୁଣିଲେ । ସେ ଏତେ ଭଲ ଲୋକ ବୋଲି ଆମେ କେମିତି ହୃଦୟଙ୍ଗମ କରିପାରିଲୁନି । ତାଙ୍କୁ ‘କାମ୍ପି ଅଜା’ କହି ବହୁତ ଭୁଲ କରିଛୁ । ଚାଲ, ଆଗ ତାଙ୍କଠାରୁ କ୍ଷମା ମାଗିବା । ରାମ ବାବୁ କିଛି କହିବା ଆଗରୁ ସମସ୍ତେ ହରି ବାବୁଙ୍କ ଘରକୁ ଯାଇ ତାଙ୍କ ଗୋଡ଼ ତଳେ ଲମ୍ବା ହୋଇ ପଡ଼ିଗଲେ । ଆମେ ବହୁତ ଭୁଲ କରିଛୁ ଆଜ୍ଞା ଆପଣଙ୍କୁ କାମ୍ପି ଅଜା କହି । କ୍ଷମା କରିଦିଅନ୍ତୁ । ଆପଣ ତ ପ୍ରକୃତରେ ସତସତିକା ହରିଶ୍ଚନ୍ଦ୍ର।

ହରି ବାବୁ କଣେଇ କରି ରାମ ବାବୁଙ୍କୁ ଅନେଇଲେ, କହି ଦେଲ ନା ! ମନା କରିଥିଲି ଶୁଣିଲନି । ଲୋକଙ୍କ ଆଡ଼କୁ ଅନେଇ କହିଲେ, ସମସ୍ତେ ଚୁପ ହୁଅ । ଏ ତେଲେଇବା ଗୁଣ ଛାଡ଼ । ଏମିତି କହି କହି ଆମ ବଂଶକୁ ଦରିଦ୍ର କରିଦେଇଛ । ନିଜେ ପରିଶ୍ରମ କର । ଧାର କରି ଖାଇବା ଅଭ୍ୟାସ ଛାଡ଼ । ଏଇ ମାଟିରେ ପରିଶ୍ରମ କଲେ ମାଟିମା ତୁମ କଥା ବୁଝିବ । ଗ୍ରାମରେ ଯେତେ ଖଜୁରୀ ଗଛ ଅଛି ସେ ସବୁ କାଲିଠାରୁ କାଟିବା ଆରମ୍ଭ କର । ତା ବଦଳରେ ଆମ୍ବ, ନଡ଼ିଆ, ଶିଶୁ, ସାଗୁଆନ ଗଛ ଲଗାଅ । ପାନ ବରଜ କର । ଔଷଧ ବୃକ୍ଷ ବା ପରିବା ଚାଷ କର, ବହୁତ ଟଙ୍କା ଲାଭ କରିବ । ମାଟିରେ ଖାଲି ଫୁଲ ଗଛ ଲଗେଇଲେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବ । ଏହି ଗାଁ ଛାଡ଼ି ଅଜା ଘରକୁ ଗଲାବେଳେ ଆମ ହାତରେ କିଛି ମୂଳଧନ ନଥିଲା । ଅଜା ଘରୁ କିଛି ଓ ବ୍ୟାଙ୍କ ଲୋନ କିଛି ନେଇ ମୁଁ ବେପାର କଲି । କରିବାକୁ ଇଚ୍ଛା ଥିଲେ ବହୁତ କିଛି କରିହେବ । ଅଳସୁଆ ଗୁଣ ଛାଡ଼ ।

ତୁମେମାନେ ଆମକୁ ଯେମିତି ଭିକାରି କରି ଛାଡ଼ିଥିଲ, ମୁଁ ଇଚ୍ଛା କରିଥିଲେ ତାର ପ୍ରତିଶୋଧ ନେଇପାରିଥାନ୍ତି । କିନ୍ତୁ କଲିନି । କାହିଁକି ଜାଣ ? ତୁମେମାନେ ମୋ ଗାଁ ଲୋକ । ତୁମେ ସବୁ ଚାଲିଗଲେ ମୁଁ ସେଇ ଶୂନ୍ୟତା ଭିତରେ ବଞ୍ଚିବି କେମିତି ? ମଣିଷ ପରା ଏକ ସାମାଜିକ ପ୍ରାଣୀ । ତୁମେ ଯାହା କଲ, ମୁଁ ସେଇଆ କଲେ ଗାଁ ମୁଖିଆ କଅଣ ହେଲି ।  

 ଏତିକିବେଳେ ଜଣେ ପାଟି କରିଉଠିଲା, ଆରେ, ସମସ୍ତେ କହ ଦାନୀ ଅଜାଙ୍କ ଜୟ । ସମସ୍ତେ ପାଳି ଧରିବାରୁ ଏକ ସ୍ଵରରେ ଗ୍ରାମ ଦାଣ୍ଡ କମ୍ପିଉଠିଲା, ଦାନୀ ଅଜାଙ୍କ ଜୟ । ରାମ ବାବୁ କହିଲେ, ହରି ବାବୁ ଧରିତ୍ରୀ ଭଳି ଉଦାର ଓ କ୍ଷମାଶୀଳ କିନ୍ତୁ ପାହାଡ଼ ଭଳି ମଧ୍ୟ କଠୋର । ଅବାଟରୁ ଲୋକଙ୍କୁ ବାଟକୁ ଆଣିବା ପାଇଁ ଆବଶ୍ୟକ ହେଲେ ସେ ସବୁ କିଛି କରିପାରିବେ।

ଲେଖକ – ଡ: ସୁବାସ ଚନ୍ଦ୍ର ରାଉତ


Rate this content
Log in

Similar oriya story from Inspirational