Dr Subas Chandra Rout

Tragedy Inspirational

3.9  

Dr Subas Chandra Rout

Tragedy Inspirational

ଅତୀନ୍ଦ୍ରିୟ ସଂଯୋଗ

ଅତୀନ୍ଦ୍ରିୟ ସଂଯୋଗ

8 mins
140


ମାନବର ଗୋଟିଏ ବିଚିତ୍ର ଗୁଣ ଅଛି । ନିଜର ଅଭାବ ଥିବା ଜିନିଷକୁ ଅଧିକ ଖୋଜେ । ମଧୁମେହ ରୋଗ ଥିଲେ ରସଗୋଲା ଖାଇବାକୁ ସବୁବେଳେ ମନ ହୁଏ, କିନ୍ତୁ ରୋଗ ନଥିଲା ବେଳେ କ୍ଵଚିତ କେବେ ମନ ହୁଏ । ନିଜର ଦୁଇ ଚକିଆ ଗାଡ଼ିଟିଏ ନଥିଲେ ଲାଗିପଡ଼ି ଗାଡ଼ିଟିଏ କିଣିବାକୁ ମନ ହୁଏ । ନିଜର ନଥିବା ଜିନିଷ କେତେବେଳେ ହେଲେ ମିଳିବାର ଆଶା ମନ ମଧ୍ୟରେ ଲୁଚି ରହିଥାଏ । କିନ୍ତୁ ନିଜର ସନ୍ତାନଟିଏ ନଥିଲେ ପାଇବାର ଅନିଶ୍ଚିତତା ସର୍ବଦା ମନରେ ବସା ବାନ୍ଧି ରହେ । ଗୋଟିଏ ତୀବ୍ର ଅଭାବ ବୋଧର ଦୁଶ୍ଚିନ୍ତା ଘୁଣ ସର୍ବଦା ପ୍ରଶାନ୍ତ ମନକୁ କାଟି ଟିକି ଟିକି କରି ଖାଉଥାଏ । ଏହିଭଳି ଅବସ୍ଥା ଥିଲା ମିସେସ ପ୍ରଭାତ ମଞ୍ଜରୀ ମିଶ୍ରଙ୍କର ।

ପରିବାରରେ ସୁଖ ଶାନ୍ତି ବିରାଜମାନ କରୁଥିଲେ ମଧ୍ୟ ଗୋଟିଏ ବଡ଼ ଅଭାବ ଥିଲା । ପତି ପତ୍ନୀଙ୍କର ଝିଅଟିଏ ନଥିଲା । ତିନୋଟି ପୁତ୍ରମଣି ଥିଲେ କିନ୍ତୁ ଗୋଟିଏ ହେଲେ କନ୍ୟାରତ୍ନ ନଥିଲା । ତାଙ୍କ ଭାଗ୍ୟରେ କନ୍ୟା ନଥିଲା, ସେକଥା ନୁହେଁ । ଦୁଇଟି କନ୍ୟା ଜନ୍ମ ହେବା ପରେ ପରେ ଅଚିହ୍ନା ରୋଗଗ୍ରସ୍ତ ହୋଇ ପରଲୋକ ପ୍ରାପ୍ତ ହୋଇଥିଲେ । ମୂଳରୁ ନଥିଲେ ଏତେ ଦୁଃଖ ବୋଧହୁଏ ନଥାଆନ୍ତା କିନ୍ତୁ ନଅ ମାସ କାଳ ଗର୍ଭରେ ରଖିବା ପରେ କୋଳ ମଣ୍ଡନ କରିସାରି ପରଲୋକକୁ ଚାଲିଯିବା ଅତ୍ୟନ୍ତ ଦୁଃଖଦାୟକ ଥିଲା । ମାଆଟି ଅନେକ ସମୟରେ ସେଇ ଝିଅ ଦୁଇଟିଙ୍କୁ ମନେ ପକେଇ ଆଖିରୁ ଲୁହ ଝରାଉ ଥିଲେ । ଅବଶେଷରେ ତୃତୀୟ କନ୍ୟା ତାଙ୍କ କୋଳକୁ ଆସିବା ପରେ ସାମାନ୍ୟ ସାଷ୍ଟମ ହୋଇଥିଲେ କିନ୍ତୁ ଭାଗ୍ୟର ବିଡ଼ମ୍ବନା ଯୋଗୁ ତାହାର ମଧ୍ୟ ବଞ୍ଚି ରହିବା ଏକ ଅନିଶ୍ଚିତ ଗର୍ଭକୁ ଠେଲିହୋଇ ଯାଇଥିଲା ।  

ପତିପତ୍ନୀ ଉଭୟ ବହୁତ ଠାକୁର ଭକ୍ତ ଥିଲେ । ବାର ବ୍ରତ ଓ ତେର ପୂଜା କରି ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ । କୃଷ୍ଣଙ୍କର ଗୋଟିଏ ବଡ଼ ଫୋଟୋ ଠାକୁର ଘରେ ରଖି ମିସେସ ଅତି ଭକ୍ତିର ସହିତ ପୂଜା ସମ୍ପାଦନ କରୁଥିଲେ । ସେହି ଫୋଟୋରେ ଠିଆହୋଇଥିବା ବଡ଼ ହୃଷ୍ଟପୁଷ୍ଟ ଗାଈର ଗୋଟିଏ ଚିତ୍ର ଥିଲା ଯାହାର ପେଟ ପାଖରେ ଠିଆ ହୋଇ କୃଷ୍ଣ ବଂଶୀ ବାଦନ କରୁଥିବାର ଦୃଶ୍ୟ ଥିଲା । ସତରେ ଯେପରି କୃଷ୍ଣ ଭାବବିହ୍ଵଳ ହୋଇ କୌଣସି ମିଠା ରାଗରେ ବଂଶୀ ବାଦନ କରୁଥିଲେ । ଗାଈ ବି ତନ୍ମୟ ହୋଇ ବଂଶୀ ସ୍ଵରରେ ମଜ୍ଜି ଯାଇଥିଲା ଭଳି ଲାଗୁଥିଲା । ଚିତ୍ରଟି ଅତି ଜୀବନ୍ତ ଦେଖାଯାଉଥିଲା ।

ସ୍ଵାମୀ ସାଧୁ ମିଶ୍ର ଗୋଟିଏ ଛୋଟ ସହରରେ ମୁନସଫ ପଦବୀରେ ସରକାରୀ କାମ କରୁଥିଲେ । ମୁନସଫ ସେତେବେଳେ ଦୋଷୀଙ୍କର ବିଚାର କରି ଦଣ୍ଡ ବିଧାନ କରୁଥିଲେ । ବେଶ୍ ଖାତିର ଥାଏ ଏହି ବିଚାରପତି କାମରେ । ଯୁଆଡ଼େ ବାହାରକୁ ବାହାରିଲେ ଲୋକମାନେ ମୁଣ୍ଡ ତଳକୁ କରି ସମ୍ମାନ ଦେଖାଉଥିଲେ । ଅତି ଭଲ ଲୋକ ଥିଲେ ସାଧୁ ବାବୁ । ମେଳାପୀ ମଧ୍ୟ ଥିଲେ ।

ଡାକ୍ତରମାନକୁ ସେ ବହୁତ ସମ୍ମାନ ଦେଖାଉଥିଲେ । ମଝିରେ ମଝିରେ ଡାକ୍ତରଙ୍କୁ ଗୃହକୁ ଡାକି ସୁସ୍ଵାଦୁ ଖାଦ୍ୟ ଦେଇ ଆପ୍ୟାୟିତ କରୁଥିଲେ । ହାକିମି ବ୍ୟବହାର ନ କରି ସେମାନଙ୍କ ସହିତ ବହୁତ ଭଲ ବ୍ୟବହାର 

କରୁଥିଲେ । ସୁତରାଂ ଚିକିତ୍ସକମାନେ ତାଙ୍କୁ ବହୁତ ଭଲ ପାଉଥିଲେ ଓ କିଛି ରୋଗ ହଠାତ୍ ଆରମ୍ଭ ହୋଇଗଲେ ତାଙ୍କୁ ଘରକୁ ଡାକିଦେଲା ମାତ୍ରେ ତୁରନ୍ତ ସେମାନେ ଆସୁଥିଲେ । ସେମାନଙ୍କ ମଧ୍ୟରେ ଏକ ନିବିଡ଼ ଆତ୍ମୀୟ ଭାବ ରହିଥିଲା । ଘରେ କିଛି ଭଲ ଖାଦ୍ୟ ରନ୍ଧା ହେଉଥିଲେ ତାଙ୍କ ଘରକୁ ପଠେଇ ଦିଆଯାଉଥିଲା । ତାଙ୍କ ଘର ସାମାନ୍ୟ ଦୂରରେ ଥିଲା ଯେଉଁଠାକୁ ଚାଲି କରି ଯାଇହୁଏ ।

ତୃତୀୟ କନ୍ୟା ମଧ୍ୟ ତୃତୀୟ ବର୍ଷ ବୟସରେ ଅଧିକାଂଶ ସମୟରେ ରୋଗଗ୍ରସ୍ତ ରହୁଥିଲା । ଥରେ ଅବସ୍ଥା ଅତି ଖରାପ ହୋଇ ବିଛଣାରେ ପଡ଼ିରହିଲା । ଜୁଳୁ ଜୁଳୁ ହୋଇ ଅନେଇ ରହୁଥିଲା । ସାମାନ୍ୟ ଜ୍ୱର ସବୁବେଳେ ଦେହରେ ରହୁଥିଲା । ଦୁଇ ଦିନ ପରେ ତାର ଆଖି ମଧ୍ୟ ବନ୍ଦ କରି ରଖିଲା । କଥା କହିବା ମଧ୍ୟ ବନ୍ଦ ହୋଇଗଲା । ଏହି ଘଡ଼ିସନ୍ଧି ସମୟରେ ତାଙ୍କୁ ଚିକିତ୍ସା କରୁଥିବା ସେଠାକାର ଡାକ୍ତରଙ୍କର ବଦଳି ହୋଇଗଲା ଓ ତାଙ୍କ ସ୍ଥାନରେ ଜଣେ ନୂଆ ଡାକ୍ତର ଆସି କାର୍ଯ୍ୟରେ ଯୋଗଦାନ କଲେ । ଏ କଥା ଶୁଣିବା ମାତ୍ରେ ସାଧୁ ବାବୁ ଅତ୍ୟନ୍ତ ବିଚଳିତ ହୋଇଗଲେ । ଝିଅ ବେମାର, ଏଣେ ଡାକ୍ତରଙ୍କର ବଦଳି । ବିଷର୍ଣ୍ଣ ହୋଇ ସେ ନୂଆ ଡାକ୍ତରଙ୍କୁ ଭେଟିବାକୁ ଗଲେ । ଭେଟ ହେଲାବେଳେ ପୁରୁଣା ଡାକ୍ତର ମଧ୍ୟ ଉପସ୍ଥିତ ଥିଲେ । ସେ ମୁନସଫଙ୍କ ସହିତ ନୂଆ ଡାକ୍ତରଙ୍କୁ ପରିଚୟ କରେଇଦେଲେ ଓ ଝିଅମାନଙ୍କ ମୃତ୍ୟୁ ଖବର ମଧ୍ୟ କହିଲେ । କାର୍ଯ୍ୟଭାର ଗ୍ରହଣ କରି ସାରିବା ପରେ ସାଧୁ ବାବୁଙ୍କ ସହିତ ଡାକ୍ତର ବାବୁ ଝିଅକୁ ଦେଖିବାକୁ ଗଲେ । 

ଝିଅର ଦେହରେ ପଳେ ବୋଲି ମାଂସ ନଥିଲା । ଗାଲ ପଶିଯାଇଥିଲା । ଦେହ ଶେତା ପଡ଼ିଯାଇଥିଲା । ନୂଆ ଡାକ୍ତର ଝିଅକୁ ତନ୍ନ ତନ୍ନ କରି ଦେଖିଲେ । ଅବଶେଷରେ କହିଲେ, "ଆପଣଙ୍କ ଝିଅକୁ ଗୋଟିଏ ସାଂଘାତିକ ବେମାରୀ ହୋଇଛି ।" ଏକଥା ଶୁଣୁଶୁଣୁ ମିସେସ କାନ୍ଦିବାକୁ ଲାଗିଲେ । ବନ୍ଧ ଭାଙ୍ଗିବା ପଶ୍ଚାତ ଧାବମାନ ଦ୍ରୁତ ଜଳସ୍ରୋତ ଭଳି ଲୋତକଧାର ଅବିଶ୍ରାନ୍ତ ଭାବରେ ତାଙ୍କ ଚକ୍ଷୁରୁ ବୋହିବାକୁ ଲାଗିଲା । ତୃତୀୟ କନ୍ୟାର ମୃତ୍ୟୁ ସମ୍ଭାବନା ତାଙ୍କୁ ବିଚଳିତ କରିପକେଇଲା । ଲଥ କରି ତଳେ ବସିପଡ଼ିଲେ । ଡାକ୍ତର ବାବୁ ତାଙ୍କୁ ପ୍ରବୋଧନା ଦେଇ କହିଲେ, "ମ୍ୟାଡାମ, ବ୍ୟସ୍ତ ହୁଅନ୍ତୁ ନାହିଁ । ଭଗବାନ ଚାହିଁଲେ ଝିଅ ନିଶ୍ଚୟ ବଞ୍ଚିଯିବ । ମୁଁ ଏଠାକୁ ଆସିବା ପୂର୍ବରୁ ମୋର ପୂର୍ବତନ ପୋଷ୍ଟିଂ ସ୍ଥାନରେ ଗୋଟିଏ ଝିଅର ଠିକ ଏହିଭଳି ରୋଗ ହୋଇଥିଲା । ଏହି ରୋଗରେ ଆବଶ୍ୟକ ହେଉଥିବା ଇଂଜେକସନ ଆମ ଦେଶରେ ମିଳେନି । ମୁଁ ବିଦେଶରୁ ମଗେଇଥିଲି । ଦୁଇଟି ଭାଏଲ ମୋ ପାଖରେ ଅଛି ଯାହା ମୁଁ ଆପଣଙ୍କୁ ଦେବି, କିନ୍ତୁ ଗୋଟିଏ ଅସୁବିଧା ଅଛି ।" ସ୍ଵାମୀ ସ୍ତ୍ରୀ ଦୁହେଁ ଡାକ୍ତରଙ୍କ ମୁହଁକୁ ଅନେଇଲେ । ଔଷଧ ତ ଅଛି, ଫେର ଅସୁବିଧା କଅଣ !  

ଏହି ଘଟଣା ସମୟରେ ସନ୍ଧ୍ୟା ଉପନୀତ ହୋଇଯାଇଥିଲା । ଡାକ୍ତରବାବୁ କହିଲେ, "ସାର, ମୁଁ ଏଠାରେ ଚାରି ଘଣ୍ଟା ହେଲା ଆସି ପହଞ୍ଚିଛି । ଆସିବା ବେଳେ ପ୍ୟାକିଂ କରି ସେ ଔଷଧ କେଉଁଠି ରଖିଛି ମୋର ତ ମନେ ନାହିଁ । ଏମିତି ହଠାତ୍ ଆବଶ୍ୟକ ହେବ ବୋଲି ମୁଁ କେମିତି ଭାବିଥାଆନ୍ତି । ଜିନିଷପତ୍ର ଖୋଲିବାକୁ ସମୟ ପାଇନି । ଖୋଲିଲେ ସିନା ଇଞ୍ଜେକସନ ପାଇବି । ଘର ଯାକର ଜିନିଷ ଖୋଲି ତାକୁ ଖୋଜି ପାଇବା କାଠିକର ପାଠ । ତଥାପି ଯାଉଛି, ତାକୁ ଘରେ ଖୋଜିବି । ମୋର ସ୍ପଷ୍ଟ ମନେଅଛି, ମୁଁ ଆଣିଛି । ଭଗବାନଙ୍କୁ ଡାକି ଖୋଜିବାରେ ଲାଗିପଡ଼ିବି । ପାଇଲେ ମୁଁ ନିଜେ ଇଞ୍ଜେକସନ ଧରି ଆସିବି ।" ସେ ଗଲାବେଳେ ହତାଶ ଆଖିରେ ମୁନସଫ ଦମ୍ପତି ତାଙ୍କ ଫେରିବା ଦିଗକୁ ଅନେଇ ରହିଗଲେ । ବଦଳି ପରେ ଘରର ଲଗେଜ ଖୋଲି ଆବଶ୍ୟକୀୟ ଜିନିଷ ପାଇବାରେ ଯେଉଁ କଷ୍ଟ ହୁଏ ତାହା ବଦଳି ହେଉଥିବା ଲୋକ ହୃଦୟଙ୍ଗମ କରିପାରିବ ।

ସନ୍ଧ୍ୟା ପରେ ରାତ୍ରିର ତମସା ଧୀରେ ଧୀରେ ବୃଦ୍ଧିପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ମିସେସ ପ୍ରଭାତଙ୍କର ନିରାଶା ମଧ୍ୟ ପୁଞ୍ଜିଭୂତ ହେବାକୁ ଲାଗିଲା। ରାତି ନଅଟା ବେଳେ ବଡ଼ କଷ୍ଟରେ ଉଠି ସକାଳର ପଖାଳ ସହିତ ପିଆଜ, ଲଙ୍କା ଓ ଆଚାର ଆଣି ଦୁହେଁ ଖାଇ ବସିଲେ । ଖାଦ୍ୟ ତଣ୍ଟି ଭିତରକୁ ଯାଉନଥିଲା । ମୁନସଫ ବାବୁ ଶୋଇବାକୁ ଗଲେ । ପତ୍ନୀଙ୍କୁ ଡାକିଲେ, "ଆସ ଶୋଇବା ।" "ତୁମେ ଯାଅ, ମୁଁ ଆସୁଛି ।" ଅବଶ ହୋଇଥିବା ମୁନସଫ ବାବୁ ବିଛଣାରେ ପଡ଼ୁ ପଡ଼ୁ ନିଦ୍ରା ମାଡ଼ିବସିଲା । ଦିନଭରି ଅଫିସରେ କାମ ପରେ ମୁଣ୍ଡ ଉପରେ ଦୁଃଖ-ପାହାଡ଼ର ଓଜନ ସହିବାକୁ ଶକ୍ତି ନଥିଲା । ପ୍ରତି ଅଧ ଘଣ୍ଟାରେ ଥରେ ନିଦ ଭାଙ୍ଗୁଥାଏ କିନ୍ତୁ ଆଖି ଖୋଲୁନଥାଏ ।

ପତ୍ନୀଙ୍କ ଚିତ୍କାର ଶୁଣି ହଠାତ୍ ସାଧୁ ବାବୁଙ୍କ ନିଦ ଭାଙ୍ଗିଗଲା । ଦେଖିଲେ ପତ୍ନୀ ବିଛଣାରେ ନାହାନ୍ତି । ଦେହ ଶୀତେଇ ଉଠିଲା । ଭାବିଲେ ଡକାୟତ ପଶିଛି କି ! ଟର୍ଚ୍ଚ ମାରି ହାତ ଘଣ୍ଟାରେ ଦେଖିଲେ ୩ଟା ୩୦ ମିନିଟ ହୋଇଛି । କଅଣ ହେଲା ଜାଣିବାକୁ ଶୋଇବା ଘରୁ ବାହାରି ଦେଖିଲେ ପୂଜା ଘରୁ ପତ୍ନୀ ବାହାରୁଛନ୍ତି । ପତ୍ନୀ ବଡ଼ ପାଟିରେ କହିଲେ, " ଆଗୋ, ଶୀଘ୍ର ବାହାର, ଡାକ୍ତର ବାବୁଙ୍କ ଘରକୁ ଯିବା ।" ମୁନସଫ ବାବୁ ଭାବିଲେ ପତ୍ନୀ ବୋଧହୁଏ ମାନସିକ ଚାପ ସହି ନପାରି ବାୟାଣୀ ହୋଇଗଲେ । କହିଲେ, "ଆରେ କଅଣ ହେଲା, ରାତି ସାଢ଼େ ତିନି ହୋଇଛି, ଏତେବେଳେ କିଏ କାହା ଘରକୁ ଯାଏ କି ? ଧୈର୍ଯ୍ୟ ଧର । ଆଉ ଘଣ୍ଟାଏ ପରେ ସକାଳ ହେଲେ ଯିବା ।" 

"ତୁମେ ଶୀଘ୍ର ବାହାର । ଶୁଣ, ମୁଁ ସ୍ଵପ୍ନରେ ଦେଖିଲି, ଡାକ୍ତର ବାବୁ ମୋ ପାଖକୁ ଆସି ମୋତେ କହୁଛନ୍ତି, "ମ୍ୟାଡାମ, ଖୁସି ଖବର, ମୁଁ ଇ଼ଞ୍ଜେକସନ ପାଇଗଲି । କମ୍ବଳ ଭିତରେ ରଖିଦେଇଥିଲି ।" ଶୀଘ୍ର ଚାଲ, ଝିଅକୁ ଧରି ଡାକ୍ତର ବାବୁଙ୍କ ଘରକୁ ଯିବା ।" ପତି କହିଲେ, "ସ୍ଵପ୍ନ ଦେଖି ଏମିତି କିଏ କାହା ଘରକୁ ଯାଏ ! ତୁମେ କେଉଁଠି ଥିଲ ରାତିରେ ? ବିଛଣାରେ ତ ନଥିଲ ।" "ମୁଁ ଶ୍ରୀକୃଷ୍ଣଙ୍କ ପାଖରେ ସାରା ରାତି ଅଧିଆ ପଡ଼ିଥିଲି । ତାଙ୍କୁ କହିଲି, ପ୍ରଭୁ ମୋ ଝିଅକୁ ନ ବଞ୍ଚେଇଲେ ଏଇଠି ସକାଳେ ମୋ ମଲା ମୁହଁ ଦେଖିବେ ।" ମୋ ସ୍ଵପ୍ନ ନିଶ୍ଚୟ ସତ୍ୟ ହୋଇଥିବ । ଚାଲ ଦେଖିବା । ସ୍ଵପ୍ନ ମିଛ ହୋଇଥିଲେ କ୍ଷମା ମାଗି ଫେରିବା ।" ଯେତେ ବୁଝେଇଲେ ବି ପତ୍ନୀ ବୁଝିଲେନି । ପିଲାଙ୍କ ଉପରେ ବିପଦ ପଡ଼ିଲେ ମାଆଙ୍କର ହିତାହିତ ଜ୍ଞାନ ରହେନାହିଁ । ଘର ପିନ୍ଧା ଶାଢୀ ଦେହରେ ଥାଇ ଝିଅ ଉପରେ ଗୋଟିଏ ଛୋଟ ଚାଦର ଘୋଡ଼େଇଦେଲେ ଓ ତାକୁ କାନ୍ଧରେ ପକେଇଲେ । ପ୍ୟାଣ୍ଟ ସାର୍ଟ ପିନ୍ଧି ସାରିବା ପରେ ସ୍ଵାମୀଙ୍କୁ ଟାଣି ଟାଣି ରାସ୍ତାକୁ ନେଇଗଲେ । ଅଗତ୍ୟା ଦୁହେଁ ଡାକ୍ତରଙ୍କ ଘରେ ପହଞ୍ଚିବା ବେଳକୁ ରାତି ଚାରିଟା ହୋଇସାରିଥିଲା ।  

ଡରି ଡରି ମୁନସଫ ବାବୁ ଡାକ୍ତରଙ୍କ କବାଟ ବାଡ଼େଇଲେ । କିଛି ସମୟ ପରେ ଡାକ୍ତର କବାଟ ଖୋଲି ଏମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ଓ ଭିତରକୁ ଡାକି ନେଲେ । କହିଲେ, "ମୁଁ ଏଇନେ ଆପଣଙ୍କ ଘରକୁ ଯିବାକୁ ବାହାରିଥିଲି ।" "କାହିଁକି ?", ଆଶ୍ଚର୍ଯ୍ୟାନ୍ଵିତ ହୋଇ ପଚାରିଲେ ମୁନସଫ ବାବୁ । ଟିକି ଝିଅକୁ ଦେଖି ଘର ଭିତରେ ଥିବା ଗୋଟିଏ ଟେବୁଲ ଉପରେ ଶୁଏଇଦେବାକୁ କହିଲେ ।

"ଆଜ୍ଞା, ଅଳ୍ପ ସମୟ ତଳେ ମୁଁ ଶୋଇଥିବା ବେଳେ ସ୍ଵପ୍ନ ଦେଖିଲି ଆପଣଙ୍କ ମିସେସ ମୋ ପାଖକୁ ଆସି ମୋତେ କହୁଛନ୍ତି, "ବିଛଣା ପତ୍ର ବନ୍ଧାବନ୍ଧି କଲାବେଳେ ଆପଣଙ୍କ କମ୍ବଳ ଭିତରେ ପରା ନିଜେ ଇଞ୍ଜେକସନ ରଖିଥିଲେ । ଭୁଲିଗଲେ କେମିତି ? ସେଇଠି ଖୋଜନ୍ତୁ, ମିଳିଯିବ ।" ଏତିକି କହିବା ପରେ ସେ ଉଭେଗଲେ । ଏ ସ୍ଵପ୍ନ ଦେଖି ମୋ ନିଦ ଭାଙ୍ଗିଗଲା । ଏମିତି କି ସ୍ଵପ୍ନ ଦେଖିଲି ! ବିଚିତ୍ର କଥା ! ତା ପରେ ଭାବିଲି, ଦେଖେ କାଳେ ସତରେ ଯଦି ରଖିଥିବି, ତାହେଲେ ରୋଗୀଟିଏ ବଞ୍ଚିଯିବ । ସବୁ ବିଛଣା ଖୋଲି କମ୍ବଳ କାଢ଼ି ଦେଖିଲା ବେଳକୁ ସତକୁ ସତ ଇଞ୍ଜେକସନ ଭାଏଲ ମିଳିଗଲା । ଆଶ୍ଚର୍ଯ୍ୟ ହୋଇ ଭାଏଲକୁ ଅନେଇଲି ।" ତାପରେ ମୁଁ ଏଇ ଇ଼ଞ୍ଜେକସନ, ତୁଳା ଓ ସ୍ପିରିଟ ଆଦିନେଇ ଆପଣଙ୍କ ଘରକୁ ବାହାରୁଥିଲି କି ଆପଣ କବାଟ ଖଟ୍ ଖଟ୍ କଲେ । 

ଏକଥା ଶୁଣି ମୁନସଫ ଦମ୍ପତି ପରସ୍ପର ମୁହଁକୁ ଅନେଇଲେ, ଯେଉଁଠି ଆଶ୍ଵାସନାର ଲହରୀ ଖେଳୁଥିଲା । ସାଧୁ ବାବୁ ମଧ୍ୟ ପତ୍ନୀଙ୍କର ସ୍ଵପ୍ନ ବୃତ୍ତାନ୍ତ ତାଙ୍କୁ କହିଲେ । ଡାକ୍ତର ବାବୁ ଏହା ଶୁଣି ବିସ୍ମୟାନ୍ଵିତ ହୋଇଗଲେ । ଘରର ଧିମା ଆଲୁଅରେ ହଠାତ ପତ୍ନୀ ଦେଖିଲେ, ଡାକ୍ତର ବାବୁଙ୍କ ଘର କାନ୍ଥରେ ନିଜ ଘରେ ଥିବା କୃଷ୍ଣଙ୍କ ଚିତ୍ର ଭଳି ଅବିକଳ ଦେଖିବାକୁ ଗୋଟିଏ ଶ୍ରୀକୃଷ୍ଣଙ୍କ ଚିତ୍ର ଅଛି । ସେଇଠି ମିସେସ ସାଷ୍ଟାଙ୍ଗ ପ୍ରଣିପାତ କରି କହିଲେ, "ପ୍ରଭୁ, ଆପଣ ପ୍ରକୃତ ଦୟାର ଅବତାର ।" "ଏଇ, ପଭୁଙ୍କୁ ଜୁହାର କର । ଅନେଇଛ କଅଣ ?" ଦୁଇ ଭଦ୍ର ବ୍ୟକ୍ତି ଏହା ଶୁଣି ଅବାକ୍ ହୋଇ ପରସ୍ପରକୁ ଅନେଇ ରହିଗଲେ । "କାଇଁ, କୃଷ୍ଣ କାହାନ୍ତି ?" "ଆରେ, ଆମ ସାମନା କାନ୍ଥରେ ତାଙ୍କ ଫୋଟୋ ଟଙ୍ଗା ହୋଇଛି ପରା, ଦେଖିପାରୁନ ?" ଆଉ କିଛି ଶୁଣିବା ଅବସ୍ଥାରେ ସାଧୁ ବାବୁ ନଥିଲେ । ପତ୍ନୀଙ୍କ ହାତ ଧରି ଉଠେଇ ଦେଲେ । "କାଇଁ, କେଉଁ ଛବି କଥା କହୁଛ । ଛବି କାଇଁ ?" ମିସେସ ମଧ୍ୟ ଆଖି ମଳି ମଳି ଦେଖିଲେ କାନ୍ଥରେ କିଛି ନାହିଁ । ସାଧୁ ବାବୁ କହିଲେ, "ପ୍ରିୟେ, ତୁମର ହାଲୁସିନେସନ ହେଲାଣି ।" "ବିଶ୍ଵାସ କର ଏଇଠି ଗୋଟିଏ ଶ୍ରୀକୃଷ୍ଣଙ୍କର ଗୋଟିଏ ଛବି ଥିଲା ଯେଉଥିରେ ଭଗବାନଙ୍କ ହାତରେ ବଂଶୀ ନଥିଲା ଓ ସେ ଆଶୀର୍ବାଦ ମୁଦ୍ରାରେ ଥିଲେ, ଯେମିତି ଆମକୁ ଆଶୀର୍ବାଦ କରୁଛନ୍ତି । ମୋତେ ବିଶ୍ଵାସ କର । ମୁଁ ମୋ ଝିଅ ରାଣ ପକେଇ କହୁଛି ।"

ଏତିକି ବେଳେ ଡାକ୍ତର ବାବୁ କହିଲେ, "ସାର୍, ମ୍ୟାଡାମ ସତ କହୁଛନ୍ତି ନିଶ୍ଚୟ । କୌଣସି ମାଆ ମିଛରେ ଝିଅ ରାଣ ପକେଇବନି । ଫୋଟୋ ରୂପରେ ବୋଧହୁଏ ସ୍ଵୟଂ ଶ୍ରୀକୃଷ୍ଣ ଅଳ୍ପ କିଛି ମୁହୂର୍ତ୍ତ ନିମନ୍ତେ ଆସି ଆଶୀର୍ବାଦ ଦେଇଗଲେ ନିଶ୍ଚୟ । ଆପଣଙ୍କ ମିସେସ ବୋଧହୁଏ ଶ୍ରୀକୃଷ୍ଣଙ୍କ ବଡ଼ ଭକ୍ତ । ତାଙ୍କ କଷ୍ଟ ଦେଖି ସହି ନପାରି ତାଙ୍କୁ ଦର୍ଶନ ଦେଇଗଲେ । ନମସ୍କାର ମିସେସ, ଆପଣଙ୍କ ଭଳି ଭକ୍ତଙ୍କ ଦର୍ଶନ ପାଇ ମୁଁ ବି କୃତାର୍ଥ ହୋଇଗଲି । ସେ ହିଁ ସ୍ଵପ୍ନରେ ଆମ ଦୁଇ ଜଣଙ୍କୁ ଭିନ୍ନ ଭିନ୍ନ ରୂପରେ ଏକା ସମୟରେ ଦର୍ଶନ ଦେଇ ଆମକୁ ଇଂଜେକସନ ପାଇବାର ରାସ୍ତା ଦେଖେଇଛନ୍ତି । ଏହା ଏକ ଅତୀନ୍ଦ୍ରିୟ ସଂଯୋଗ । ନହେଲେ ଅନେକ ସାମଞ୍ଜସ୍ୟ ଥାଇ ଆପଣଙ୍କୁ ଓ ମୋତେ କିପରି ଏକା ସମୟରେ ସ୍ୱପ୍ନ ହୋଇଥାଆନ୍ତା !" ତିନି ଜଣ ମଣିଷ ଆବେଗରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପରକୁ ଅନେଇ ପ୍ରଣାମ କଲା ବେଳେ ଭକ୍ତିରେ ଗଦ୍ ଗଦ୍ ହୋଇଗଲେ । ଏ ଅପୂର୍ବ ଅନୁଭୂତି ପ୍ରାପ୍ତ ହୋଇ ସମସ୍ତଙ୍କ ଚକ୍ଷୁରୁ ଅଶ୍ରୁ ବିସର୍ଜନ ହୋଇଚାଲିଥିଲା । ଶରୀରରେ ଏକ ଅପୂର୍ବ ଶିହରଣ ଢେଉ ଖେଳି ରୋମାଞ୍ଚ ସୃଷ୍ଟି ହୋଇଥିଲା ।  

କାଳ ବିଳମ୍ବ ନକରି ଡାକ୍ତର ବାବୁ ପ୍ରସ୍ତୁତ ହୋଇ ଇଞ୍ଜେକସନ ଦେଲେ । ସମସ୍ତେ ସେଠାରେ ବସିରହିଲେ । ପ୍ରାୟ ଅଧ ଘଣ୍ଟା ପରେ ଅଭୂତପୂର୍ବ ଭାବରେ ଝିଅ ଧୀରେ ଧୀରେ ଆଖି ଖୋଲି କ୍ଷୀଣ ସ୍ଵରରେ କହିଲା, "ମାଆଆଆଆ ।" ସେଇ କ୍ଷୀଣ ମାଆ ଡାକ ମିସେସ ପ୍ରଭାତଙ୍କର କାନରେ ପ୍ରତିଧ୍ଵନିତ ହୋଇଗଲା । ଦେହରେ ଯେମିତି ଜୀବନ ପଶିଗଲା । ଝିଅର ସେଇ ସ୍ୱରଟି ତାଙ୍କ କର୍ଣ୍ଣ କୁହରରେ 'ମାଆ' ବଦଳରେ 'ସାରେଗାମା' ଭଳି ପଞ୍ଚମ ରାଗରେ ସାହାନାଇର ଅନନ୍ୟ ଗୁଞ୍ଜନ ସୃଷ୍ଟି କରିଦେଲା । "ଓଓଓ ମୋ ଝିଅ" କହି ଆବେଗରେ ଝିଅ ହାତକୁ ଧରି ପାଗଳୀଙ୍କ ଭଳି ମିସେସ ଚୁମିବାକୁ ଲାଗିଲେ । ସାଧୁ ବାବୁ ମଧ୍ୟ ଝିଅକୁ ଆଉଁସିବାକୁ ଲାଗିଲେ । 

ଡାକ୍ତରଙ୍କର ଗୋଡ଼ ତଳେ ସ୍ଵାମୀ ସ୍ତ୍ରୀ ଉଭୟ ଲୋଟିଗଲେ। "ସାର୍, ଆପଣ ଆମ ଦୁଇଜଣଙ୍କ ପାଇଁ ଆଜିଠାରୁ ଭଗବାନ । ସମସ୍ତେ କହନ୍ତି ଡାକ୍ତର ଭଗବାନଙ୍କ ଦ୍ଵିତୀୟ ଅବତାର । ଆଜି ତାର ଚାକ୍ଷୁଷ ପ୍ରମାଣ ପାଇଗଲୁ ।" ତାଙ୍କ ହାତ ଧରି ଉଠେଇ ଡାକ୍ତର କହିଲେ, "ଆଜ୍ଞା, ମୁଁ ନିମିତ୍ତ ମାତ୍ର । ସବୁ ସେଇ ପ୍ରଭୁଙ୍କ ଲୀଳା । ନହେଲେ ସେଇ ସ୍ଵପ୍ନ ଦର୍ଶନ କେମିତି ହୋଇଥାଆନ୍ତା । ମୋର ଅହୋ ଭାଗ୍ୟ, ମୁଁ ଆପଣଙ୍କ ଭଳି ପ୍ରଭୁଭକ୍ତଙ୍କ ଦର୍ଶନ ପାଇ ଧନ୍ୟ ହୋଇଗଲି । ମୁଁ ଆପଣଙ୍କ ପାଦ ଧୂଳି ନେଇ ମଥାରେ ଟିକା ମାରିବା ଯୋଗ୍ୟ ।"



Rate this content
Log in

Similar oriya story from Tragedy