ମୁଁ ପାଗଳୀ ନୁହେଁ
ମୁଁ ପାଗଳୀ ନୁହେଁ
ମୁଁ ଗୋଟିଏ ବଡ଼ ପରିବାରର ସଦସ୍ୟ ଥିଲି । ବଡ଼ ଅଫିସର ଭାବରେ କାମ କରୁଥିଲି । ଉଚ୍ଚ ରୋଜଗାର ମଧ୍ୟ ଥିଲା । ଯାହାର ଯାହା ଆବଶ୍ୟକ ହେଉଥିଲା, ପାରୁପଣେ ମୁଁ ସେମାନଙ୍କୁ ସାହାଯ୍ୟ କରୁଥିଲି । ସମସ୍ତେ ‘ମୋର’ ଥିଲେ, ଏକାନ୍ତ ମୋର ଓ ସମସ୍ତେ ମୋତେ ଭଲ ପାଉଥିଲେ । କଥା କଥାରେ ମୋତେ ପ୍ରଶଂସାରେ ପୋତି ପକାଉଥିଲେ । କହୁଥିଲେ, ଏଭଳି (ସମ୍ପର୍କ ନାମ ଦେଇ, ଯେପରିକି ‘ଭାଇ’) ବହୁତ ଭାଗ୍ୟରେ ଥିଲେ ମିଳେ । ଚିହ୍ନା ପରିଚିତ ଲୋକମାନେ ଆମକୁ ‘ସୁଖୀ ପରିବାର’ ଟିପ୍ପଣୀ ଦିଅନ୍ତି । ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରୁଥିଲି ଓ ସେମାନଙ୍କର ପ୍ରଶଂସା (ସେତେବେଳେ ଜାଣି ନଥିଲି ତାହାକୁ ଚାଟୁ ବାକ୍ୟ କୁହାଯାଏ) ଶୁଣି ମୋର ଛାତି କୁଣ୍ଢେ ମୋଟ ହୋଇ ରହୁଥିଲା ।
ସମୟକ୍ରମେ ମୋର ପୁଅ ଇନଫୋସିସ ଭଳି ବଡ଼ କମ୍ପାନୀରେ ବଡ଼ ଅଫିସର ଭାବରେ ଚାକିରି ଆରମ୍ଭ କଲା । ସେଇ ଦିନଟି ମୋର ଗୋଟିଏ ଅବିସ୍ମରଣୀୟ ଦିନ ଥିଲା । ମୋର ବହୁତ ଦିନର ସାଇତା ସ୍ୱପ୍ନ ସାକାର ହୋଇ ସବୁ ଦୁଃଖ ସମାପ୍ତ ହୋଇଗଲା ଭଳି ଲାଗିଲା । ତାହାର ଉଚ୍ଚ ଦରମା ଓ ମୋର ପେନସନ ମିଶି ଅତି ଭଲରେ ଚଳିବା ଭଳି ଅବସ୍ଥା ଆସିଥିଲା ।
ତେବେ ଏ ସଂସାରରେ ସବୁ କଥାର ଗୋଟିଏ ଶେଷ ଥାଏ । କାହାର ଶନିଦୃଷ୍ଟି ମୋ ଉପରେ ପଡ଼ିଲା କେଜାଣି, ଆମ ଘର ପରିବାର ଧୀରେ ଧୀରେ ଟିକିଟିକି ହୋଇ ଭାଙ୍ଗିଗଲା । ବିଳମ୍ବରେ ହେଉ ପଛେ, ସେ ସମୟ ଆସି ମୋର ଅନ୍ତରାତ୍ମାକୁ ଏକ ଠୋକର ମାରି “କେହି କାହାର ନୁହେଁ” ଭଳି ପୁରୁଣା ଲୋକ କଥାକୁ ଦୋହରେଇ ଦେଲା ।
କିଛି ଦିନ ପରେ ଗୋଟିଏ ଶିକ୍ଷିତା ଝିଅକୁ ବୋହୁ କରି ଆଣିଲି । ଜାକଜମକରେ ବିବାହ ସମ୍ପନ୍ନ ହୋଇଗଲା । ଭାବିଲି, ଏ ଦୁନିଆରେ ମୋଠାରୁ ବଳି ସୁଖୀ ଲୋକ ବହୁତ କମ୍ ଥିବେ । ନୂଆ ନୂଆ ବୋହୁ ଆସିବା ପରେ ଯଦି କେତେବେଳେ ମୋର ଦେହ ଅସଜ ଲାଗେ, ତେବେ ବୋହୁ ଶୁଣିଲା ସଙ୍ଗେ ସଙ୍ଗେ ଆସି ମୋର ମନା କରିବା ସତ୍ୱେ ଗୋଡ଼ ହାତ ଚିପି ଦିଏ । ସେତେବେଳେ ମୁଁ ଭାବେ, ମୋର ଅହୋ ଭାଗ୍ୟ, ଏଭଳି କନ୍ୟା ରତ୍ନ ପାଇଲି !
ମୁଁ ଭାବେ ପରିବାର ଏକ ନଦୀ ସଦୃଶ ଓ ଗୃହକୁ ବୋହୁ ହୋଇ ଆସୁଥିବା ଝିଅ ଏକ ଉପନଦୀ ସଦୃଶ । ପାହାଡ଼ରୁ ଗଡ଼ି ଆସୁଥିବା ଚଳଚଞ୍ଚଳ ଉପନଦୀ ଆସି ନଦୀ ସାଥିରେ ମିଳିତ ହୋଇଯାଏ । ସେମାନଙ୍କର ଏକମାତ୍ର ସାମ୍ୟ, ସେମାନେ ଜଳ । ଏକମାତ୍ର କାମ୍ୟ ହେବା କଥା, ପୂର୍ବ ଭଳି ସମାନ ଛଳଛଳ କୁଳୁକୁଳୁ ସଙ୍ଗୀତ ସୁରରେ ବୋହିଯିବା । ଚେହେରା ଫରକ୍ ହୋଇପାରେ, ଲକ୍ଷ ପୃଥକ୍ ହୋଇପାରେ, କିନ୍ତୁ ପ୍ରତ୍ୟେକଟି ଜଳ, କେବଳ ଜଳ ।
ମୁଁ କଅଣ ଜାଣିଥିଲି, ସେଇ ବିବାହ ପରେ ମୋ ଜୀବନରେ ଏତେ ପରିବର୍ତ୍ତନ ଆସିଯିବ ! ଭାଗ୍ୟଚକ୍ରର ବିବର୍ତ୍ତନରେ ସମସ୍ତେ ଆମ ପାଖରୁ ଇତି ମଧ୍ୟରେ ଦୂରେଇ ଯାଇଥିଲେ । କେବଳ ମୁଁ, ମୋର ପୁଅ ଓ ବୋହୁ ଏକାଠି ଥିଲୁ । ମୁରୁକି ହସୁଥିବା ଭାଗ୍ୟଲକ୍ଷ୍ମୀଙ୍କୁ ଦୂରେଇ ଦେଇ ମୋର ଅଲକ୍ଷରେ ସଇତାନ ଅଟ୍ଟହାସ କରୁଥିଲା ଯାହା ମୁଁ ସମୟକ୍ରମେ ଜାଣିପାରିଲି ।
ପୁତ୍ର ବିବାହ ପରେ ଛଅ ମାସ ବିତିଗଲା । ମୁଁ ଜୀବନର ଷାଠିଏତମ ପାହାଚରେ ପାଦ ଦେଲି । ଧୀରେ ଧୀରେ ମୋ ପ୍ରତି ବୋହୂର ଆଭିମୁଖ୍ୟ ପରିବର୍ତ୍ତିତ ହୋଇଗଲା ଭଳି ଅନୁଭବ ହେଲା । ଆଜୀବନ ଏକତ୍ର ବସି ରାତ୍ରି ଭୋଜନ କରୁଥିବା ପରିବାର ଆଉ ଏକାଠି ବସୁ ନ ଥିଲେ, ଖାଇବା ଦୂରେ ଥାଉ । ଟେବୁଲ ଉପରେ ଚାକରାଣୀ ଖାଦ୍ୟ ବାଢ଼ିଦିଏ । ଖାଇବା ସ୍ଥାନରେ ‘’ଆଉ କଅଣ ଖାଇବେ କି”, କେହି ପ୍ରଶ୍ନ କରୁ ନ ଥିଲେ । ଡାକିଲେ ବି କେହି ଶୁଣୁନଥିଲେ । ‘ଭଲ ଲାଗିଲେ ଖାଅ ନହେଲେ
ଯାଅ’ ।
ଘର ଅପରିଷ୍କାର ହୋଇଗଲେ କେହି କହିଲେ ମଧ୍ୟ ପରିଷ୍କାର କରୁନଥିଲେ । ଶୋଇବା ପୂର୍ବରୁ ରାତିରେ ଦାଣ୍ଡ କବାଟ ବନ୍ଦ କରିବାକୁ ମଧ୍ୟ କାହାରି ଇଚ୍ଛା ହେଉନଥିଲା । ସେଇଟା ମୋର ଇଚ୍ଛାକୃତ କାମ ଥିଲା ଓ ଅଛି । ଯଦି କେବେ ଭୁଲିଯାଏ, ତେବେ ସେମିତି ସାରା ରାତି କବାଟ ଖୋଲା ପଡ଼ିଥାଏ । ରାତିରେ ଏକ କରିବାକୁ ଉଠିଲେ ମନେ ପଡ଼ିଯାଏ । ବୟସ ଓ ରୋଗ କଷାଘାତରେ ଜର୍ଜରିତ ଶରୀରକୁ ଘୋଷାଡ଼ି ଘୋଷାଡ଼ି ନେଇ କବାଟ ବନ୍ଦ କରିବାକୁ ଯାଏ । ତା’ପରଦିନ ଏକଥା କହିଲେ ବୋହୁ କହେ, “ହଃ, କଅଣ ଅଛି ଏ ଘରେ ଯେ କିଏ ଆସି ନେଇଯିବ ।” ପୁଅ କହେ, “ସେମିତି କଅଣ କହୁଛ ? ଆମର ବି ଦେଖିବା
କଥା । ଚୋର କଅଣ ବାଜା ବଜେଇ ଆସେ କି ?” ବୋହୁ ଉତ୍ତର ଦିଏ, “ଏ ଖପରାଖିଆ ଘରକୁ କେହି ଆସିବେନି, ମୁଁ ଗ୍ୟାରେଣ୍ଟି ଦେଇ ଲେଖିଦେବି ।”
“ଖପରାଖିଆ ଘର” ଶୁଣି ମୋ ହୃଦୟରେ ଶୂଳବିଦ୍ଧ ହେବା ଭଳି ଯନ୍ତ୍ରଣା ଅନୁଭବ ହୁଏ । ଗୋଟିଏ ବଡ଼ ଅଫିସରର ବୋହୁ ଓ ବଡ଼ ଅଫିସରର ପତ୍ନୀ ହୋଇ ଏଭଳି କଥା କେମିତି ପାଟିକୁ ଆସେ କେଜାଣି ! ଏହିଭଳି ବୟସର କେବଳ ଝିଅ କଅଣ, ତାଙ୍କ ମା, ଜେଜେମା ଆଦି ମୋ ସମ୍ମୁଖରେ କେବେ ମଥା ସିଧା କରି ଠିଆ ହୁଅନ୍ତିନି । ବିବାହ ପରେ ବୋହୂର କଅଣ ଆତ୍ମ ମର୍ଯ୍ୟାଦା ଏତେ ବଢ଼ିଯାଏ ଯେ ବର୍ଷୀୟାନ ଶ୍ଵଶୁରଙ୍କୁ କୁକୁର ବିଲେଇ ଭଳି ବ୍ୟବହାର ଦେଖେଇବ !
କେବଳ ବିଶ୍ଵବିଦ୍ୟାଳୟ ଡିଗ୍ରୀ ପାଇଲେ ବିଦ୍ୟା ଲାଭ ହୁଏନି । ବିଦ୍ୟା ନିଜ ଅନ୍ତରାତ୍ମାକୁ ପବିତ୍ର କରେ ଓ ଅନ୍ତରାତ୍ମା ପବିତ୍ର ଥିଲେ ସତ୍ ଭାବନାର ସୁଗନ୍ଧ ଘର ଭିତର କୋଣ ଅନୁକୋଣରେ ଖେଳିଯାଏ ।
ଉପନଦୀ ବୋହି ଆସି ସେହି କୁଳୁକୁଳୁ ନାଦରେ ମନ ଖୁସିରେ ବୋହିଯାଉଥିବା ନଦୀରେ ମିଶି ଯଦି ତାକୁ ଭାଗ ଭାଗ କରିଦିଏ, ତେବେ ସେହି ନଦୀର ନାମ ବଦଳି ଯାଏ । ତା’ର ଆଉ ପୂର୍ବ ନାମ ରହେନି, ପରିବର୍ତ୍ତିତ ହୋଇ ନାଳ କୁହାଯାଏ । ସେହି ନଦୀର ସ୍ୱର ମଧ୍ୟ ବଦଳିପାରେ । କୁଳୁ କୁଳୁ ନାଦ ମଧ୍ୟ ବଦଳିଯାଇପାରେ ।
ପୁଅ କହେ, “ବାପା ପାଖରେ ଅଛନ୍ତି ବୋଲି ତାଙ୍କ ମହତ୍ତ୍ଵ ତୁମେ ଜାଣିପାରୁନ । କେବେ ଦୂରେଇ ଗଲେ ବାପାଙ୍କ ମହତ୍ତ୍ଵ କଅଣ ଜାଣିବ । ଜନ୍ମ ହୋଇ ହେତୁ ହେବା ଦିନଠୁ ସେ ମୋତେ ବାପା ଓ ମାଆର ସ୍ନେହ-ଚାଦରରେ ଘୋଡ଼େଇ ରଖିଛନ୍ତି ।” “ଏତେ ଯଦି ମହତ୍ତ୍ଵଖୋର ଅଛ, ତାଙ୍କୁ ନେଇ ରହ, ମୋତେ ମୋ ବାପଘରେ ଛାଡ଼ିଦିଅ ।”
ଆଉଥରେ ଛୁରୀ ପଶିଯାଏ ମୋ ଛାତି ଭିତରକୁ । ମୁଣ୍ଡ ଭିତର ଘୁରିଯାଏ । କୋଉଠି ଥାଏ କେଜାଣି, ଚକ୍ଷୁ ଭିତରେ ଲୋତକର ବନ୍ୟାଜଳ ପୂର୍ଣ୍ଣ ହୋଇସାରି ତଳକୁ ଧାର ଧାର ହୋଇ ବୋହିଯାଏ । କଅଣ କରାଯାଇ ପାରିବ ! ନଦୀ କଅଣ ନିଜର ସ୍ରୋତସ୍ଵିନୀ ଉପନଦୀକୁ କିଛି କହିପାରେ ? ତାର ଜଳ ସ୍ରୋତର ମାଡ଼ ଖାଏ ସିନା ପ୍ରତିରୋଧ କରିପାରେନି । ସମୟକୁ ଅପେକ୍ଷା କରେ, କେତେବେଳେ ଶାଖା ହୋଇ ବୋହିଯିବ ।
ଦିନେ ରାତିରେ କାହାର ସ୍ପର୍ଶ ପାଇ ମୋର ନିଦ୍ରାଭଗ୍ନ ହୋଇଗଲା । ଚମକି ପଡ଼ି ପ୍ରଶ୍ନ କଲି, “କିଏ ?” “ବାପା, ମୁଁ ତୁମର ଅଭାଗା ପୁଅ । ତୁମର ଅପମାନ ଶୁଣି ମୋ ଛାତି ଫାଟିଯାଉନି କାହିଁକି କେଜାଣି !” ଅଣ୍ଡାଳି ଅଣ୍ଡାଳି ତା’ ଓଠରେ ହାତ ଦେଇ ଚିପି ଧରିଲି । ହାତ ଓଦା ଲାଗିଲା। ଆଖି ଲୁହ ବୋଧହୁଏ ଓଠକୁ ଝରି ଆସିଥଲା । କଥାରେ କହନ୍ତି, ଅଜାଗା ଘାଆ ଦେଖିହୁଏନି କି ଦେଖେଇହୁଏନି । ଗଭୀର ତମସାଚ୍ଛନ୍ନ ରାତିରେ ଅନୁଭବ କଲି ‘ପିତା ପ୍ରତି ତା’ର ସ୍ନେହ ଓ କିଂକର୍ତ୍ତବ୍ୟବିମୂଢ଼ତା ।’ ତା ଆଗରେ କୋଟିଏ ଟଙ୍କାର ପ୍ରଶ୍ନ ଥିଲା – “ପତ୍ନୀରେ ଦାୟ ନା ପିତାରେ ଦାୟ ।” ଟାଣି ଆଣିଲି ଛାତି ଉପରକୁ । ଦୁହିଙ୍କ ଆଖି ଲୁହରେ ମୋର ରାତି ପିନ୍ଧା ଗେଞ୍ଜି ଓଦା ହୋଇଗଲା ।
ବିଛଣାରେ ଶୋଇବାଠାରୁ ଉଠି ବସିଲି । କହିଲି, “ପୁଅ ! ସମୟ ବହୁତ ବଳବାନ । ସମୟଦ୍ଵାରା ଅନେକ ଲୋକଙ୍କର ଗର୍ବ ଭାଙ୍ଗିଯାଇଛି, ଦୁଃଖ କରନି ।” “ବାପା, ମୁଁ ମୋ ପାଇଁ ଦୁଃଖ କରୁନି, ତୁମ ପାଇଁ ଦୁଃଖ ଲାଗୁଛି । ସବୁବେଳେ କହୁଥିଲ, “ବୋହୁ ଆସିଲେ ମୋ ଝିଅ ଅଭାବ ପୂରଣ ହୋଇଯିବ ।” ଅଭାବ ତ ପୂରଣ ହେଲାନି, ବଦଳରେ ଦୁଃଖର ପାହାଡ଼ ମୁଣ୍ଡ ଉପରେ ଲଦା ହୋଇଗଲା ।” ଆଉ ଥରେ ଲୁହ ବୋହିବାକୁ ଲାଗିଲା ।
ପୁଅ କହିଲା, “ବାପା, ନଦୀ ସିନା ଉପନଦୀକୁ ବାଧା ଦେଇ ପାରିବନି, କିନ୍ତୁ ତାହାର ନିମ୍ନଗାମୀ ଶ୍ରୋତକୁ ପାହାଡ଼ର ବିରାଟ ପ୍ରସ୍ତର ତ ଧକ୍କା ଦେଇ ଅଟକେଇ ପାରିବ ।” ମୁଁ କହିଲି, “ପୁଅ, ମୁଁ ବୁଝିପାରିଲିନି ତୁ କଅଣ କହୁଛୁ ।” ପୁଅ ଏକ ମୁରୁକି ହସ ମାରି ଯାଉଯାଉ କହିଲା, “ବାପା, ପରେ କହିବି, ଏବେ ଶୋଇପଡ଼” । ଆଶ୍ଵାସନା ପାଇ ମନଟା କିଛି ପରିମାଣରେ ହାଲୁକା ହୋଇଗଲା । ଦୁଃଖ କେବଳ ବାଣ୍ଟିଲେ କମ୍ ହୋଇଯାଏ ।
ଦିନକର ଘଟଣା: ଭୋର ସମୟରେ ନିଦ ଭାଙ୍ଗିଗଲା ବୋହୂର । ନିଦ ମଳମଳ ଆଖି ଖୋଲିଲେ । ହାଇ ମାରିଲେ । ବିଛଣା ଟାଣ ଲାଗିଲା । ହାତ ମାରି ଅନୁଭବ କଲେ ସେ ନିଜ ବିଛଣାରେ ନ ଶୋଇ ଖଟଠାରୁ ବେଶ ଦୂରରେ କାନ୍ଥ ପାଖରେ ଶୋଇଛନ୍ତି । ପାଖରେ ପତି ନାହାନ୍ତି । ଆଶ୍ଚର୍ଯ୍ୟ ହୋଇ ଚାରି ଦିଗକୁ ଅନେଇଲେ । ଭୋରର କ୍ଷୀଣ ଆଲୁଅରେ ଦେଖିଲେ, ଭୂମି ଉପରେ ନିଜେ ଶୋଇଛନ୍ତି ଓ ସ୍ଵାମୀ ପଲଙ୍କ ଉପରେ ବିଛଣାରେ ଶୋଇଛନ୍ତି । ବିସ୍ମୟରେ ଚିତ୍କାର କଲେ । ଘରେ କେହି କୌଣସି ପ୍ରତିକ୍ରିୟା କଲେନି । ତଳୁ ଉଠି ସୁଇଚ ଅନ୍ କରି ଆଲୁଅ ଲଗେଇଲେ । ସ୍ଵାମୀଙ୍କ ଦେହକୁ ହଲେଇଲେ । ଗଭୀର ନିଦ୍ରାରେ ଥିଲେ, ଯେମିତି ଅୟୁତ ଯୁଗର ଅନିଦ୍ରା ପରେ ଶୋଇଛନ୍ତି ।
ଶୋଇବା ଘରର ଚାରି ଆଡ଼କୁ ନଜର ଘୂରେଇଲେ । ଆଲମାରି ଖୋଲା ଥିଲା ଓ ଥାକଗୁଡ଼ିକ ଖାଲି ପଡ଼ିଥିଲା । କ୍ୟାସ ଡ୍ରୟରର କବାଟ ଖୋଲା ପଡ଼ିଥିଲା । ବୋହୂର ମୁଣ୍ଡ ଘୂରେଇଗଲା । ଦୌଡ଼ିଯାଇ ଦେଖିଲେ, ସୁନା ଗହଣା ରଖିଥିବା ସ୍ଥାନରେ କିଛି ନାହିଁ । ଦିଗବିଦିଗ ଶୂନ୍ୟ ଦେଖାଗଲା । ଚାରିଆଡ଼ ଅନ୍ଧାର ମାଡ଼ିଆସିଲା ଭଳି ଲାଗିଲା । ଭରିଏ, ଦୁଇଭରି ନୁହେଁ, ପଚାଶ ଭରି ସୁନା ଥିଲା । ଆଲମିରା ସାରା ଅଣ୍ଡାଳିଲେ । ହାତକୁ ସୋରିଷଟିକର ଜିନିଷ ବି ଲାଗିଲାନି । ଲକ୍ଷେ ଟଙ୍କାର କ୍ୟାଶ ଓ ଚେକ୍ ବହି ଆଦି ସବୁ ଗାଏବ । ଶ୍ଵଶୁର ଶୋଇଥିବା ବଖରାକୁ ଦୌଡ଼ିଲେ, କେହି ନଥିଲେ । “ଆରେ, ଶଳା ବୁଢ଼ା ସବୁ ଜିନିଷ ନେଇ କୁଆଡ଼େ ପଳେଇଛି । ତାର ଦିନେକୁ ମୋର ଦିନେ । ଆଜି ତାକୁ ଜେଲ ହାୱା ଖୁଏଇବି । ମୋତେ କଅଣ ପାଇଛିକି !”
ଅଧାନିଦିଆ ଅନିଲ କହିଲେ, “କାହିଁକି ଏଡ଼େ ପାଟି କରୁଛ, କଅଣ ହେଲା ?” “କାହିଁକି ପାଟି କରୁଛି ? ତୁମ ଗୁଣମଣି ପିତାଶ୍ରୀ ମୋ ବାପଘରୁ ଆଣିଥିବା ସବୁ ଧନ ସମ୍ପତ୍ତି ଧରି ଗାଏବ ହୋଇଯାଇଛନ୍ତି । ଘରେ କିଛି ବି ନାହିଁ ।” “ହେଃ, କାହିଁକି ଏଡ଼େ ବଡ଼ ପାଟି କରୁଛ ? ତୁମେ ନିଜେ କେଉଁଠି ରଖିଦେଇଥିବ । ଦାଣ୍ଡ କବାଟ ବନ୍ଦ କରିନଥିଲେ ଚୋର ଆସି ନେଇଥବ । ଆଉ କିଏ ନେବ ? ଚାଲ ଘର ସାରା ବାପାଙ୍କୁ ଖୋଜି ଦେଖିବା, କାଳେ କେଉଁଠି ଷ୍ଟ୍ରୋକ ହୋଇ ଖସିପଡ଼ିଥିବେ ।” “ମୋର ଟଙ୍କା ସୁନା କୁଆଡ଼େ ଗଲା, ଏଙ୍କର ବାପ ସୁଆଗ ବାହାରୁଛି ।” “ଆରେ ଅଧମ ପତ୍ନୀ, ମୋ ପାଇଁ ସେ ଦୁନିଆର ସବୁଠୁ ଅମୂଲ୍ୟ ରତ୍ନ । ସୁନା, ରୂପା, ହୀରା, ନୀଳା, ମୋତି, ମାଣିକ୍ୟଠାରୁ ମଧ୍ୟ ଅଧିକ ମୁଲ୍ୟବାନ । ଧନ ପୁଣି ଆସିଯିବ, ବାପା ହଜିଗଲେ କେଉଁଠୁ ପାଇବି ।”
ପଛରୁ ବୋହୁ ବଡ଼ ପାଟିରେ କହିଲେ, “ମୋ କଥା ଶୁଣୁନ ମୋଟେ । ମୋ ଟଙ୍କା ସୁନା କୁଆଡ଼େ ଗଲା, ଖୋଜୁନ କି ଦେଖୁନ ? ମୁଁ ଚାଲିଲି ମୋ ବାପ ଘରକୁ । ତମେ ତମ ବୁଢ଼ାକୁ ନେଇ ଏଇ ପଚା ଘରେ ରହ । ମୋତେ ଓ ପୁଅକୁ ଗାଳି ଦେଇ ଦେଇ ଚାଲିଗଲେ ।” ଦୁମ୍ ଦୁମ୍ ଚାଲିର ଶବ୍ଦ ଧୀରେ ଧୀରେ ଦୂରରୁ ଦୂରକୁ ଯାଇ ମିଳେଇଗଲା । ମୁଁ ଘର ଭିତରେ ନଥିଲି । ବାରିପଟ ବାରଣ୍ଡାରେ ଗୋଟିଏ ଆର୍ମ ଚେୟାର ଉପରେ ଶୋଇଥିଲି । ପୁଅ ମୋର ହାତ ଧରି ଉଠେଇ ମୋ ଖଟ ଉପରେ ବସେଇଦେଲା । ସାରା ଘର ନିସ୍ତବ୍ଧ ରହିଥିଲା । ସୋରିଷ ଦାନାଟିଏ ପଡ଼ିଲେ ବି ଶବ୍ଦ ଶୁଣାଯିବ ।
ଅଧ ଘଣ୍ଟାଏ ପରେ ମୋ ଫୋନ ରିଙ୍ଗ ହେଲା । ମୋବାଇଲ ଉଠେଇ “ହେଲୋ” କହିଲି । ସେ ପାଖରୁ ଶୁଣାଗଲା ସମୁଦୀଙ୍କ ସ୍ୱର, “ଆରେ ସମୁଦୀ, ଆପଣ ତ ଅଛନ୍ତି, ରୀନା କଅଣ କାନ୍ଦି କାନ୍ଦି ଏଠିକୁ ପଳେଇ ଆସିଛି ।” କହୁଛି, “ତା’ର ସବୁ ଗହଣା ଗାଣ୍ଠି ଚୋରି ହୋଇଯାଇଛି; ଶ୍ଵଶୁର ସବୁ ଧରି ପଳେଇଛନ୍ତି । କଅଣ ହେଲା, କେମିତି ହେଲା, ଟିକିଏ କହିଲେ ।”
ମୋଠାରୁ ଫୋନ ଛଡ଼େଇ ନେଇ ଅନିଲ କହିଲା, “ବାପା ପ୍ରଣାମ । କହିବାକୁ ଖରାପ ଲାଗୁଛି, ରୀନା ଅନେକ ଦିନ ହେବ ପାଗଳୀ ହୋଇଯାଇଛି । ଇଆଡ଼ୁ ସିଆଡ଼ୁ ମନକୁ ଯାହା ଆସିଲା ଗପୁଛି । ତା’ର ଅନେକ ସମୟରେ ହାଲୁସିନେସନ (hallucination) ହେଉଛି । ପାଗଳମାନଙ୍କର ଏଭଳି ଲକ୍ଷଣ ଦେଖାଯାଏ । ନ ଥିବା ଜିନିଷ ତାକୁ ଦେଖା ଯାଉଛି ଓ ଥିବା ଜିନିଷ ଦେଖା ଯାଉନି । କିଛି ଖରାପ ଭାବିବେନି, ତା’ର ବିବାହ ପୂର୍ବରୁ କାହା ସାଥିରେ ପ୍ରେମ ଥିଲା କି ? ଆପଣଙ୍କୁ ଏହି ସନ୍ଦେଶ ଦେବାକୁ ଭାବିଥିଲି, ଫେର ଭାବିଲି ଆପଣ କାଳେ ଅନ୍ୟ କିଛି ଭାବିବେ । ଆପଣ ଦୟା କରି ଏଠାକୁ ଆସନ୍ତୁ ଓ ନିଜେ ଦେଖିଯାଆନ୍ତୁ । ରୀନାକୁ ବି ଆଣି ଆସନ୍ତୁ ।“
“ତା’ର କଥାବାର୍ତ୍ତା ସବୁ ମୁଁ ମୋ ମୋବାଇଲରେ ରେକର୍ଡ଼ କରି ରଖିଛି । ଆସନ୍ତୁ, ଶୁଣିବେ । ମୋର ଗୋଟିଏ ବିଶେଷ ଅନୁରୋଧ, ତାଙ୍କୁ ଆପଣ ନେଇ କୌଣସି ପାଗଳା ଡାକ୍ତରଖାନାରେ ଭଲ ହେବା ପର୍ଯ୍ୟନ୍ତ ଛାଡ଼ି ଆସନ୍ତୁ । ମୋ ବାପାଙ୍କୁ ବିନା ଦୋଷରେ ଶୋଧୁଛି । ମୁଁ ତାଙ୍କୁ ଆଉ ପାରିବିନି । ମୋ ଜୀବନ ନଷ୍ଟ ହୋଇଗଲା ବାବା ।” ଏହା କହି ପାଟିକରି ପୁଅ କାନ୍ଦିବାକୁ
ଲାଗିଲା ।
କିଛି ସମୟ ପରେ ବାପ ଝିଅ ଆସି ଘରେ ହାଜର । ଦୁହିଙ୍କୁ ଶୋଇବା ବଖରାକୁ ଡାକି ନେଇ କହିଲି, “ଦେଖନ୍ତୁ, କଅଣ ହଜିଛି ?” ଆଲମାରୀ ଭିତରେ ଚାରି ଆଡ଼କୁ ରୀନା ଅନେଇ ଭଲ ଭାବରେ ତନ୍ନ ତନ୍ନ କରି ଦେଖିବାକୁ ଲାଗିଲା । ସବୁ ଜିନିଷ ଯଥା ସ୍ଥାନରେ ଥିଲା । ଟଙ୍କା, ଗହଣା ଇତ୍ୟାଦି ହାତରେ ଧରି ଗଣିବାକୁ ଲାଗିଲା । ଆଶ୍ଚର୍ଯ୍ୟ, ଅବିଶ୍ଵାସ, ଲଜ୍ଜା, ଅପମାନ ଓ ହତାଶାରେ ତାର ମୁଖମଣ୍ଡଳ କିମ୍ଭୂତକିମାକାର ଦେଖାଯାଉଥିଲା । ପୁଅ ଶ୍ଵଶୁରଙ୍କୁ କହିଲା, “ଆଜ୍ଞା, ଦେଖିଲେ ତ । ସବୁ ଟଙ୍କା ସୁନା ଯେମିତି ଥିଲା, ସେମିତି ଅଛି । କେମିତି ପାଗଳାମି କରୁଛି, ଦେଖନ୍ତୁ । ଫୋନରେ ତା’ର କଥାବାର୍ତ୍ତା ବି ଶୁଣନ୍ତୁ”, କହି ମୋବାଇଲକୁ ତାଙ୍କ ହାତକୁ ବଢ଼େଇଦେଲା । ବାପା ଓ ପୁଅ ଦୁହେଁ କାନ୍ଦିବାକୁ ଲାଗିଲୁ । ଝିଅକୁ ଅବିଶ୍ଵସନୀୟ ଦୃଷ୍ଟିରେ ଦେଖି ସମୁଦୀ ଗାଳି ଦେଲେ । କହିଲେ, “ତୁ ଏତେ ଖରାପ ହୋଇଗଲୁଣି ? ମୁଁ ବିଶ୍ଵାସ କରିପାରୁନି ।”
“ତୋ ଶ୍ଵଶୁର ଜଣେ ଦେବୋପମ ଓ ମାନ୍ୟଗଣ୍ୟ ବ୍ୟକ୍ତି । ମୁଁ ତାଙ୍କୁ ଅନେକ ବର୍ଷ ହେବ ଜାଣିଛି । ଜଣେ ସଚ୍ଚୋଟ ସମ୍ଭ୍ରାନ୍ତ ବ୍ୟକ୍ତି ଭାବରେ ସହରର ଅନେକ ବ୍ୟକ୍ତି ତାଙ୍କୁ ଜାଣନ୍ତି । ତାଙ୍କ ଭଳି ଲୋକକୁ ତୁ ‘ଖପରାଖିଆ’ ଓ ‘ଚୋର’ କହୁଛୁ ? ଜାଣିଛୁ, ସଚ୍ଚୋଟତା ନିମନ୍ତେ ସଭା ସମିତିରେ ତାଙ୍କୁ ଡାକି ସମ୍ବର୍ଦ୍ଧନା ଦିଆଯାଏ । ତାଙ୍କ ବାର୍ଦ୍ଧକ୍ୟ ଚେହେରା ଦେଖି ତୁ ହତାଦର କରୁଛୁ । ଚାଲ୍, ଆଜି ଘରକୁ ଚାଲ୍ । ମୋର କଲେଜ ଦିନର ସାଙ୍ଗ କଟକର ପାଗଳା ବିଭାଗ ଡାକ୍ତରଖାନାରେ ଡାକ୍ତର ଅଛି । ସେଠାରେ ତୋତେ ଆଗ ଆଡମିଶନ କଲାପରେ ଯୋଉ କଥା ।” ରୀନାର ହାତ ଧରି ଟାଣି ଟାଣି ବାହାରକୁ ନେଇଗଲେ ।
“ନାଇଁ ନାଇଁ, ମୁଁ ପାଗଳୀ ନୁହେଁ, ମୁଁ ପାଗଳୀ ନୁହେଁ, ବାପା ମୁଁ ପାଗଳୀ ନୁହେଁ । ମୁଁ ପାଗଳା ଗାରଦକୁ ଯିବିନି ବାପା ।” “ଚୁପ୍ , ଚୁପ୍, ପାଟି ବନ୍ଦ, ମୋ ସାଥିରେ ଚାଲ । ସବୁ ପାଗଳୀ ନିଜକୁ ପାଗଳୀ ନୁହେଁ ବୋଲି କହନ୍ତି । ତୁ ଯଦି ପାଗଳୀ ନୁହେଁ ତାହାହେଲେ ଏ ହରକତ କେମିତି କରୁଥିଲୁ । ଭଲ ମଣିଷକୁ କଅଣ ଏମିତି ଟଙ୍କା ସୁନା ଉଭେଇ ଯିବା ଦେଖାଯାଏ ? ମୁଁ ଆଜି ଜୀବନରେ ପ୍ରଥମ ଥର ନିମନ୍ତେ ତୋ ପାଇଁ ଭଦ୍ରଲୋକରେ ଭାଣ୍ଡିଆ ହେଲି ।“ “ନାଇଁ ବାପା, ନାଇଁ”, କହୁ କହୁ ଗାଲରେ ଗୋଟିଏ ଶକ୍ତ ଚାପୁଡ଼ା ତା’ ବାପା ମାରିଦେଲେ । “ତୋତେ ପାଠ ପଢ଼େଇ ମୁଁ ବହୁତ ଭୁଲ କରିଛି ।”
“ଆଲୋ ! ବାପା କିଏ ଆଉ ଶ୍ଵଶୁର କିଏ ? ଜଣେ ପୁଅ ତାର ଶ୍ଵଶୁରକୁ ବାପା ଡାକିଲେ ମଧ୍ୟ ସେହି ବାପା ତାର ଲାଳନ ପାଳନ କରନ୍ତି କି ? ଏହାର ଉତ୍ତର କେବଳ “ନାହିଁ” । ସବୁବେଳ ପୁଅର ଗୋଟିଏ ବାପା କିନ୍ତୁ ଝିଅର ଦୁଇଟି ବାପା । ଏଭଳି ସୁଯୋଗକୁ ହତାଦର କରିବା କଥା ନୁହଁ । ଦୁହେଁ ତୋର ବାପା । ଝିଅଟିଏ ନିଜ ବାପା ପାଖରେ ଅଠରରୁ ପଚିଶ ବର୍ଷ ରହିଲେ ଶ୍ଵଶୁର-ବାପା ପାଖରେ ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ରହିବ । ଏହା ଶହେ ବର୍ଷ ମଧ୍ୟ ହୋଇପାରେ ।”
“ବାପ ଘରେ ଝିଅ କିଛି ବର୍ଷର ଅତିଥି, ଏହା ଏକ ଅପ୍ରିୟ ସତ୍ୟ । ବିବାହ ପରେ ଝିଅର ପାଳନ ପୋଷଣର ଦାୟିତ୍ଵ ସ୍ଵାମୀ ଓ ଶ୍ଵଶୁରଙ୍କର, ନିଜ ବାପାର ନୁହେଁ । ତାଙ୍କ ଅନ୍ତେ ତାଙ୍କର ଘର, ବାଡ଼ି ବଗିଚା, ଜମି ବାଡ଼ି, ଘରର ଧନ ସମ୍ପତ୍ତି ଇତ୍ୟାଦି ସବୁ ତୋର ହେବ । ତାଙ୍କର ମହତ୍ତ୍ଵ ନିଜ ବାପାଠାରୁ କିଛି କମ ନୁହେଁ ବରଂ ବେଶି ହୋଇପାରେ । ଏତିକି ଯଦି ଆଜି ପର୍ଯ୍ୟନ୍ତ ଶିକ୍ଷା ଲାଭ କରିନୁ, ଆଉ କେବେ କରିବୁ ? କାଲି ସକାଳେ ତୋ ଭାଉଜ ଯଦି ମୋତେ ଏହିଭଳି ‘ଶଳା ଶଳା’ କହେ, ତୋତେ ଭଲ ଲାଗିବ ତ ? ପାଠ ପଢ଼ି କଅଣ ଶିଖିଛୁ, ଖାଲି ଉଦ୍ଧତ ପଣିଆ ? ଜାଣିଛୁ, ଗର୍ବ ହିଁ ମନୁଷ୍ୟର ପତନର ମୂଳ କାରଣ ।”
“ତୁ ତ ଏମିତି ନଥିଲୁ, ଭଲ ପିଲା ଥିଲୁ । କାହା ବୁଦ୍ଧିରେ ପଡ଼ି ଏମିତି ହେଉଛୁ । କହ, କିଏ ତୋତେ ଏ କୁଶିକ୍ଷା
ଦେଇଛି ? ଏ ଘର ଭଙ୍ଗା ବୁଦ୍ଧି ତୋତେ କିଏ ଦେଲା । ଏ ଭାଷା ଶୁଣି ରୀନାର ମୁହଁ ଲାଲ ହୋଇଗଲା । ସମୁଦି ମଧ୍ୟ କ୍ରୋଧରେ ପାଚି ଲାଲ ପଡ଼ିଯାଇଥିଲେ ଓ ଥରୁଥିଲେ । ସତ କଥା କହ, ନହେଲେ ମାରି ମାରି ଆଜି ତୋର ଝିଅ ପଣିଆ ଛଡ଼େଇ ଦେବି । କାହା ବୁଦ୍ଧିରେ ପଡ଼ି ଏମିତି ହେଉଛୁ ? କହ, ଶୀଘ୍ର କହ ନ ହେଲେ ଆଉ ଗୋଟିଏ ଚାପୁଡ଼ା ଖାଇବୁ ।”
ଗାଲକୁ ଆଉଁସୁଥିବା ବୋହୁ ଧକେଇ ହୋଇ କାନ୍ଦିବାକୁ ଲାଗିଲା । ଶେଷରେ ଥଙ୍ଗେଇ ଥଙ୍ଗେଇ ହୋଇ କହିଲା, “ମାଆ ଶିଖେଇଛି ।” ମୁଁ ଏଠିକୁ ଆସିଲା ପୂର୍ବ ରାତିରେ କହିଥିଲା, “ଶାଶୁ ଘରେ ଅଳ୍ପ କିଛି ଦିନ ବୋହୁ ପଣିଆ କରିବୁ । ତା’ପରେ ସମସ୍ତଙ୍କ ଉପରେ ଚଢ଼ିକରି କଥାବାର୍ତ୍ତା କରିବୁ । ନହେଲେ ସବୁଦିନ ପାଇଁ ତୋ ଉପରେ ଶାଶୁ ଘର ଲୋକମାନେ ଚଢ଼ଉ କରୁଥିବେ । ତୋତେ ଚାକରାଣୀ କରି ରଖିବେ । ମନେ ରଖିଥା । କାନିରେ ଗଣ୍ଠି ପକେଇଥା ।”
“ଓଃ, ତାହେଲେ ତୋ ମାଆ ଏ ସବୁ ନାଟର ଗୋବର୍ଦ୍ଧନ । ଚାଲ୍, ଆଜି ମା ଝିଅ ଦୁଇ ଜଣକୁ ପାଗଳା ଡାକ୍ତରଖାନାରେ ଛାଡ଼ିଦେଇ ଆସିଲା ପରେ ମୁଁ ଅନ୍ନ ଗ୍ରହଣ କରିବି ।”
ରୀନାକୁ ଟାଣି ଟାଣି ବାହାରକୁ ନେଇଗଲେ । ଆମେ ବି ତାଙ୍କ ସାଥିରେ ବାହାରକୁ ଛାଡ଼ିବାକୁ ଗଲୁ । ମୋ ଆଗରେ ହାତଯୋଡ଼ି ସମୁଦୀ କହିଲେ, “ସମୁଦୀ, ମୁଁ ଜୀବନରେ କାହାରି ଆଗରେ ମୁଣ୍ଡ ନୁଏଇଁ ନଥିଲି । ଆଜି ମୋର ମାନ ସମ୍ମାନ ସବୁ ଚାଲିଗଲା । ମୁଁ ବୋଧହୁଏ ତାକୁ ଉପଯୁକ୍ତ ଶିକ୍ଷା ଦେଇ ପାରିନାହିଁ । ରୀନା ପାଇଁ ମୁଁ କ୍ଷମା ମାଗୁଛି । ମୋତେ କ୍ଷମା କରିଦିଅନ୍ତୁ ।”
ଘର ଭିତରକୁ ଆସିବା ପରେ ଦୀର୍ଘଶ୍ଵାସ ନେଇ ମୁଁ ପୁଅକୁ କହିଲି, “ତୋର ପ୍ଲାନ ଠିକ କାମ ଦେଲା । କିନ୍ତୁ ଟିକିଏ ବେଶି ହୋଇଗଲାକି ?” “ନାଇଁ ବାପା, କଣ୍ଟକେ ନୈବ କଣ୍ଟକମ । ବହୁତ ଭାବି ଚିନ୍ତି ଏହି ପନ୍ଥା ଠିକ କଲି । ଆଉ କିଛି ବାଟ ନ ଥିଲା । ତୁମ ଗାଳି ଖାଇବା କେତେ ସହିବି ? ଥରେ ଗୋଟିଏ ବଡ଼ ଶକ୍ ଖାଇଲେ ଝିଅ ଥଣ୍ଡା ହୋଇଯିବ । କାହାକୁ ଏ ବିଷୟ କେବେହେଲେ ଭୁଲରେ ବି କହିବେନି ।”
ତା’ ପର ଦିନ ସନ୍ଧ୍ୟା ସମୟରେ ସମୁଦୀ, ସମୁଦୁଣୀ ଓ ଝିଅ ଆସି ଘରେ ହାଜର । ବୋହୁ ଆସି ମୋ ପାଦ ପାଖରେ ଲମ୍ବା ହୋଇ ଶୋଇପଡ଼ି କାନ୍ଦିବାକୁ ଲାଗିଲା । “ମୋତେ କ୍ଷମା କରିଦିଅ ବାପା, ମୋର ଅଶେଷ ଭୁଲ ହୋଇଯାଇଛି । ରାଣ ଖାଇ କହୁଛି, ଆଉ ଏମିତି କେବେ କହିବିନି । ମୋତେ ପାଗଳା ଗାରଦକୁ ପଠାନ୍ତୁନି । ସେଠିକୁ ଗଲେ ମୁଁ ମରିଯିବି ।” ବୋହୁ କଥା କହୁଥାଏ, ଏଣେ କାଶୁଥାଏ । ସମୁଦୀ ଓ ସମୁଦୁଣୀ ଯୋଡ଼ ହସ୍ତରେ କହିଲେ, “ଏଇ ଥରକ ଆମ ସମସ୍ତଙ୍କୁ କ୍ଷମା କରିଦିଅନ୍ତୁ ସମୁଦୀ । ଏମିତି ଭୁଲ ଆଉ କେବେ ହେବନି ।”
ମୁଁ କହିଲି, “ହଉ ସମୁଦୀ, ପିଲାମାନେ ତ ସବୁବେଳେ ଭୁଲ କରନ୍ତି ଓ ବଡ଼ମାନେ ତାଙ୍କୁ କ୍ଷମା କରନ୍ତି । ଏହା ତ ଏକ ଚିରନ୍ତନ ପ୍ରକ୍ରିୟା । ଉଠ, ଉଠ ମା । ହିନ୍ଦୀରେ ଗୋଟିଏ ଲୋକ କଥା ଅଛି: ‘ସୁବହ କା ଭୋଲା ଅଗର ଶାମକୋ ଲୌଟ ଆୟେ ତୋ ଉସେ ଭୁଲା ନହିଁ କହତେ’ । ଡେରିରେ ହେଉ ପଛେ, ଦୋଷ ପାଇଁ ଅନ୍ତଃକରଣରେ କ୍ଷମା ମାଗିଲା ପରେ ତାକୁ ଦୋଷ କହନ୍ତିନି ।” ସମୁଦୀ ଆସି ମୋତେ କୁଣ୍ଢେଇ ପକେଇଲେ । ସମସ୍ତଙ୍କ ଆଖିରେ ଲୁହ ଟଳ ଟଳ ହେଉଥିଲା, କିନ୍ତୁ ପୁଅ ମୁହଁରେ ମୃଦୁ ଦୁଷ୍ଟ ହସ ଖେଳୁଥିଲା ଯାହାକୁ ଲୁଚେଇବା ପାଇଁ ସେ ମୁହଁ ବୁଲେଇଦେଲା ।
ଏବେ ଜାଣିଗଲି, ଉପନଦୀକୁ ଧକ୍କା ଦେବା ଶକ୍ତି ରଖୁଥିବା ପାହାଡ଼ର ପ୍ରସ୍ତର କିଏ । କିନ୍ତୁ ପୁଅ କହିଲା ବେଳେ ବୁଝିପାରିନଥିଲି ।