Dr Subas Chandra Rout

Crime

4.6  

Dr Subas Chandra Rout

Crime

ଅପୂର୍ବ ଋଣ ପରିଶୋଧ

ଅପୂର୍ବ ଋଣ ପରିଶୋଧ

11 mins
246


ଯୁବ ଡାକ୍ତର ‘ଡକ୍ଟର ମାନସ ରାୟ’ ଷ୍ଟେସନରୁ ଦେଢ଼ କିଲୋମିଟର ଦୂରରେ ଥିବା ନିଜ ଗ୍ରାମକୁ ଚାଲି ଚାଲି ଯାଉଥିଲେ । ଗାଁରେ ଥିବା ନିଜର ସାଙ୍ଗ ମହେଶକୁ ପୂର୍ବ ଦିନ ଫୋନ କରିଥିଲେ ଓ ସେ ନିର୍ଭର କଥା ଦେଇଥିଲା ସ୍କୁଟିରେ ଷ୍ଟେସନକୁ ଆସି ତାଙ୍କୁ ସ୍ଵାଗତ କରିନେବ । ଷ୍ଟେସନରେ ଟ୍ରେନରୁ ଓହ୍ଲେଇ ପ୍ଲାଟଫର୍ମ ବାହାରକୁ ଆସି ତାକୁ ଖୋଜିଲେ । ନା ସାଙ୍ଗର ଦର୍ଶନ ମିଳିଲା ନା ତାର ସ୍କୁଟିର ଦର୍ଶନ । ଫୋନ ମଧ୍ୟ ସଂଯୁକ୍ତ ହେଉନି । କଥା ଦେଇ ନ ରଖିଲେ ବଡ଼ ବିରକ୍ତ ଲାଗେ । କଥାରେ କହନ୍ତି ମରଦକା ବାତ ହାତୀକା ଦାନ୍ତ । ହତାଶ ହୋଇଗଲେ ମାନସ । 

      ଅବଶ୍ୟ ଦେଢ଼ କିଲୋମିଟର ଅତି ବେଶି ଦୂର ବାଟ ନୁହେଁ । ଆରାମରେ ଚାଲି ଚାଲି ଯାଇହେବ । ଦିନ ବେଳା, ଭଲ ପାଗ ମଧ୍ୟ ଥିଲା । ଲୋକମାନେ ଦୁଇକିଲୋମିଟରରୁ ଅଧିକ ରାସ୍ତାରେ ୱାକ କରିପାରୁଛନ୍ତି । ଗଲା ବେଳେ ଆଗକୁ ପଛକୁ ଅନେଇ ଯାଉଥିଲେ, କାଳେ କେହି ଚିହ୍ନା ଲୋକ ସାଥିରେ ଭେଟ ହୋଇଯିବ । କାହାର ଦେଖା ମିଳିଲାନି । ଆସନ୍ତା ତିନି ଦିନ ପରେ ପ୍ରିୟ ଭଉଣୀର ବାହାଘର ।

ଝିଅ ବାହାଘର ହେବାର ଥିଲେ ଘର ଲୋକଙ୍କର ମୁଣ୍ଡରେ ଗୋଟିଏ ବୋଝ ଲଦା ହୋଇଥିବା ଭଳି ଲାଗେ, ଏହା ସର୍ବଜନ ବିଦିତ । କେମିତି ଭଲରେ ଭଲରେ ବର ପକ୍ଷ ଆସିବେ, ବିବାହ ସରିବ ଓ ଝିଅ ବିଦା ହୋଇଯିବ ସେ ଚିନ୍ତା ଗୋଟିଏ ବୋଝ ଭଳି ଲାଗେ । ବରଯାତ୍ରୀ ଅର୍ଥ ସୁପର ଭିଆଇପି । ସେମାନଙ୍କ ଇଚ୍ଛା ଅନୁଯାୟୀ ଉପଯୁକ୍ତ ସମ୍ମାନ ଦେଇ ବରଯାତ୍ରୀଙ୍କୁ ଆପ୍ୟାୟିତ ନ କଲେ ଭଉଣୀ ଶାଶୁ ଘରେ ଅପମାନିତା ହେବ । ଭଉଣୀ ବିବାହ ଭଲରେ ଭଲରେ ସରିବା ପରେ ନିଜର ବିବାହ ପ୍ରସଙ୍ଗ ପଡ଼ିବ ।  

ପ୍ରାୟ ସମସ୍ତ ବନ୍ଧୁ ବାନ୍ଧବ ଆଜି ସୁଦ୍ଧା ଆସି ସାରିଥିବେ । କୁଟୁମ୍ବର ଗୋଟିଏ ବୋଲି ଝିଅ । ତେଣୁ ସମସ୍ତେ ଆସିବେ ନିଶ୍ଚୟ । ନିର୍ବନ୍ଧ କାମ ଆଗରୁ ସରିଛି । ଆସନ୍ତା କାଲି ମେହନ୍ଦି ଲାଗି, ତା ପରଦିନ ମଙ୍ଗନ । ଯାଉଣୁ ଆସୁଣୁ ସୁସ୍ଵାଦୁ ଖାଦ୍ୟ ଦିଆଯିବ । ବାହାଘରରେ ବ୍ୟବହାର ହେବାକୁ ଥିବା ସବୁ ଜିନିଷ କିଣା ହୋଇ ପୂର୍ବରୁ ଗାଡ଼ିରେ ଗାଁକୁ ଅଣାଯାଇ ସାରିଛି ।

      ବହୁତ ଖୁସି ଲାଗୁଥିଲା । ବନ୍ଧୁ ବାନ୍ଧବମାନଙ୍କ ସାଥିରେ ବହୁତ ଦିନ ପରେ ଦେଖା ହେବ । ପଢ଼ିଲା ବେଳର ଅନେକ ସାଙ୍ଗଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଗୁଲିଖଟି, ଥଟ୍ଟା ତାମସା, ପିଲା ଦିନର ଫୁଲ ତଥା ଫଳ ଚୋରୀ ଓ ମାଷ୍ଟର ମାରିଥିବା ମାଡ଼ ଇତ୍ୟାଦି ଅନେକ କଥା ସ୍ମରଣ ହେବ ଓ ମନ କଳାପଟାରେ ସବୁ ଝାପସା ହୋଇଯାଇଥିବା କଥା ତାଜା ହେବ ।

      ଦୁଃଖ ବି ଆସୁଥିଲା । ସାନ ଭଉଣୀ ପ୍ରତିମା କେବଳ ନାମ ମାତ୍ର ଭଉଣୀ ନଥିଲା, ସେ ଭାଇର ସାଙ୍ଗ, ମା, ବଡ଼ ଭଉଣୀ ଇତ୍ୟାଦି ସମସ୍ତ ସମ୍ପର୍କ ତୁଲଉ ଥିଲା । ସେ ଚାଲିଗଲେ ମାନସ ଜୀବନରେ ଗୋଟିଏ ଶୂନ୍ୟତା ଆସିଯିବ । କିଏ ସ୍ନେହ ବୋଳା ‘ଭାଇ’ ଡାକିବ, କିଏ କୋଳରେ ମୁଣ୍ଡ ରଖି ଗେଲ୍ହା ହେବ । ପିଲାଦିନେ ତାକୁ କାନ୍ଧରେ ବସେଇ ଗାଁ ସାରା ବୁଲେଇଛି । ଏ ସବୁ ମନେ ପଡ଼ିବାରୁ ଗଳା ଓଦା ହୋଇଆସିଲା । 

      ସେ କେବଳ ଭଉଣୀ ନଥିଲା, ସେ ଥିଲା ଏକ ବସନ୍ତ ଋତୁ ଯିଏ ଘରେ ଥିଲେ ଅବିରତ ପୁଷ୍ପମୟ ଲାଗେ । ଖୁସିର ଏକ ଲହରୀ ହୋଇ ଘରର ସମସ୍ତଙ୍କୁ ବୁଡ଼େଇ ରଖେ । ସେ ଥିଲେ ସମସ୍ତଙ୍କ ମନରୁ ଅବସାଦ ଦୂରେଇ ଯାଏ । ତାର କଥା ଶୁଣିଲେ ଏକ ସଙ୍ଗୀତମୟ ପରିବେଶ ସୃଷ୍ଟି ହୋଇଯାଏ । ପାଠ ପଢ଼ା, ଗୀତ ଗାଇବା, ପୂଜା ପାଠ କରିବା, ଗଳ୍ପ ଲେଖିବା ଆଦି ସମସ୍ତ ଗୁଣରେ ପ୍ରତିମା ଭଉଣୀ ଅପ୍ରତିମ ଥିଲା । ପ୍ରତିମା ବିନା ଘର ଶ୍ରୀହୀନ ହୋଇଯିବ । ଏ କଥା ସ୍ମରଣ କରି ହଠାତ୍ ମାନସଙ୍କ ମନରେ ଏକ ଅବସାଦର ଝଲକ ଆସି ବାହାରି ଗଲା ।

      ମାନସଙ୍କ ସାଥିରେ କେବଳ ଗୋଟିଏ ଛୋଟ ପରିବା ବ୍ୟାଗ ଥିଲା । ଗ୍ରାମକୁ ଗଲେ ପିନ୍ଧା ପୋଷାକ ନେବା ଦରକାର ହୁଏନି, ସବୁ ସେଠାରେ ସାଇତା ହୋଇ ଥାଏ । ଅଧିକ ସଂଖ୍ୟକ ବନ୍ଧୁ ବାନ୍ଧବ ଆସିଲେ ଓ ତାଙ୍କ ଶୋଇବା ପାଇଁ ଘର ବିଛଣା ଅଭାବ ପଡ଼ିଲେ ପଡ଼ିଶା ଘରୁ ଆଣି ବ୍ୟବହାର କରାଯାଏ ।  

      ରାସ୍ତା ଦୁଇପାଖରେ ବଡ଼ ବଡ଼ ପୁରୁଣା ଗଛ ଥିବାରୁ ଖରା କାଟୁନଥିଲା । ଗାଁକୁ ଚାଲିକରି ଯିବା କିଛି ନୂଆ କଥା ନୁହେଁ । ପିଲା ଦିନରୁ ଆରମ୍ଭ କରି ହିସାବ କଲେ ଅନେକ ଥର ଯିବା ଆସିବା ହୋଇଥିବା । ହେଲେ ଆଜିର ଚାଲିବା ଏକ ନିଆରା ଅନୁଭୂତି ଥିଲା । ଭାବି ଭାବି ଆସୁ ଆସୁ ତାଙ୍କ ମନ ଏହି ପାର୍ଥିବ ଦୁନିଆରୁ ବାହାରି ଯାଇଥିଲା । 

      ତାଙ୍କୁ ଗୋଟିଏ ଦୁଇଚକିଆ ଗାଡ଼ିର କ୍ଷୀଣ ଶବ୍ଦ ଶୁଣାଗଲା, ଯେମିତି ଗୋଟିଏ ଗାଡ଼ି ତାଙ୍କରି ଚଲା ରାସ୍ତାରେ ପଛରୁ ଆସୁଛି । ବୁଲିକରି ଅନେଇଲେ । ଆରେ ହଁ ! ଦୂରରୁ ଗୋଟିଏ ସ୍କୁଟି ଆସୁଥିବାର ଦେଖାଗଲା । ଭାବିଲେ, ଯାହାହେଉ ଏହି ଗାଡ଼ିରେ ଗୋଟିଏ ଲିଫ୍ଟ ମିଳିଯିବ । ଗାଡ଼ି ପାଖକୁ ଆସିଲା । ସେଥିରେ ଲୋକଟିଏ ବସିଥିଲା । ତାର ମୁଣ୍ଡରେ ହେଲମେଟ ଲାଗିଥିବାରୁ ମୁହଁ ଦେଖା ଯାଉନଥିଲା । ଦେହ ସାରା ପ୍ୟାଣ୍ଟ ଶାର୍ଟରେ ଘୋଡ଼େଇ ହୋଇ ରହିଥିଲା । ଗାଡ଼ି ସାମନାରେ ନମ୍ବର ପ୍ଳେଟ ନଥିଲା ।

      ଡକ୍ଟର ମାନସ ସେଇ ସ୍କୁଟି ଦିଗରେ ଅନେଇ ରହିଲେ । ଗାଡ଼ି ତାଙ୍କ ପାଖକୁ ଆସିବା ପରେ ମାନସ ହାତ ଦେଖେଇଲେ । ଚାଳକ ବ୍ରେକ ଦେଲା । କିଛି କହିବା ପୂର୍ବରୁ ସ୍କୁଟିରେ ବସିଥିବା ଲୋକ ତାଙ୍କ ଛାତିକୁ ଲକ୍ଷ୍ୟ କରି ଗୋଟିଏ ଶକ୍ତ ଧକ୍କା ମାରିଲା । ମାନସ ନିଜର ପିଠି ପଟକୁ ଢଳି ଯାଇ ତଳେ ପଡ଼ିଗଲେ । କିଛି ବୁଝିବା ପୂର୍ବରୁ ତାଙ୍କ ବ୍ୟାଗଟି ଝିଙ୍କି ନେଇ ସେ ଲୋକ ଦ୍ରୁତ ଗତିରେ ସ୍କୁଟି ଚଳେଇ ପଳେଇଲା । ମାନସ ଭୁଇଁରୁ ଉଠି ଦେଖିବା ବେଳକୁ ସେ ଲୋକ ବହୁତ ଦୂରକୁ ଚାଲିଯାଇଥିଲା । ବହୁତ ଜୋରରେ ସେ ‘ଚୋର ଚୋର’ କହି ଚିତ୍କାର କଲେ । ଶୁଣିବାକୁ ଆଖ ପାଖରେ କେହି ନଥିଲେ ଓ ଦୁଇ ପାଖରେ ଥିବା ବିଲମାଳରେ ତାଙ୍କ ଚିତ୍କାର ଧୂଆଁ ଭଳି ମିଳେଇ ଗଲା । ଲୁଗାପଟା ଧୂଳି ଧୂସରିତ ହୋଇଯାଇଥିଲା । ଭୟରେ ମାନସ ଥରିବାକୁ ଲାଗିଲେ । ହାତ ଗୋଡ଼ରେ ସାମାନ୍ୟ ଖଣ୍ଡିଆ ଦାଗ ଦେଖାଗଲା । ପାଖରେ ପଡ଼ିଥିବା ଗୋଟିଏ ପଥର ଉପରେ ବସିପଡ଼ିଲେ । ମୁଣ୍ଡ କିଛି କାମ କଲାନି । ଗାଁ ରାସ୍ତାରେ ଏଭଳି ଘଟଣା କେବେ ହୋଇନଥିଲା ବା ହୋଇପାରେ, ଏ କଥା କଳ୍ପନା ବାହାରେ ଥିଲା ।

      ଇଏ କଅଣ ହେଇଗଲା । ସୁନ୍ଦର ଭାବନାରେ ବିଚରଣ କରୁଥିବା ଗୋଟିଏ ସ୍ଵପ୍ନିଳ ସହର ଯେମିତି ଭୂମିକମ୍ପ ହୋଇ ଐତିହାସିକ ପମ୍ପେଇ ସହର ଭଳି ନିମିଷକ ମଧ୍ୟରେ ଧୂଳିସାତ ହୋଇଗଲା । 

      ପ୍ରାୟ ପାଞ୍ଚ ମିନିଟ ପରେ ଗାଁ ଆଡ଼ୁ ସ୍କୁଟିଟିଏ ଆସିବା ଦେଖିଲେ । ଗାଡ଼ି ପାଖକୁ ଆସିବାରୁ ଦେଖିଲେ ମହେଶ ସେଥିରେ ବସିଛି । ସ୍କୁଟି ତାଙ୍କ ପାଖରେ ଅଟକିଗଲା । ମହେଶ ତାଙ୍କୁ ଦେଖି ଗାଡ଼ିରୁ ଓହ୍ଲେଇ ପାଖକୁ ଆସି ତାଙ୍କ ଅବସ୍ଥା ଦେଖି ଆଖି ବଡ଼ ବଡ଼ କରି କହିଲା, “ସାଙ୍ଗ, କଅଣ ହେଲା ? କେମିତି ପଡ଼ିଗଲୁ । ଦୁର୍ଘଟଣା ହେଲା ନା କଅଣ ? ଗୋଡ଼ ହାତ ଠିକ ଅଛି ତ ?”

ମାନସ – ତୁ ଏତେ ଡେରିରେ ଆସୁଛୁ । ମୋ ଅବସ୍ଥା ଢିଲା ହୋଇଗଲାଣି । ମୁଁ ଏବେ କଅଣ କରିବି ? କହୁ କହୁ ଆଖିରୁ ଲୁହ ଝରିବାକୁ ଲାଗିଲା ।

ମହେଶ – ଭାଇ, ମୁଁ ଠିକ ବାହାରିବା ବେଳକୁ ଦେଖିଲି ସ୍କୁଟି ଷ୍ଟାର୍ଟ ହେଉନି । ଭାଗ୍ୟକୁ ସହରର ଗ୍ୟାରେଜରେ କାମ କରୁଥିବା ଆମ ଗାଁର ରାମୁ ମେକାନିକ ଆସିଥିବା ଶୁଣିଲି । ତାଙ୍କୁ ଡାକିବାକୁ ଜଣକୁ ପଠେଇଲି । ସେ ଆସି ସ୍କୁଟି ସଜାଡ଼ି ଦେବାରୁ ଆସିଲି । ଦୁଇ ଜଣ ଯାକର ଭାଗ୍ୟ ଖରାପ । କିନ୍ତୁ କାନ୍ଦୁଛୁ କାହିଁକି ? ପଡ଼ିଗଲେ କଅଣ କିଏ ପିଲାଙ୍କ ଭଳି କାନ୍ଦେ ?

      ସେମିତି କାନ୍ଦି କାନ୍ଦି ମାନସ କହିଲେ, “ଭୁବନେଶ୍ଵରର ପ୍ରସିଦ୍ଧ ବଣିଆ ହିରାଚାନ୍ଦ ଦୋକାନରୁ ସୁନା ଅଳଙ୍କାର ଓ ବାହାଘର ବାବଦ ଖର୍ଚ୍ଚ ପାଇଁ କିଛି ଟଙ୍କା ସାଥିରେ ନେଇ ଯାଉଥିଲି । ଗୋଟିଏ ବ୍ୟାଗରେ ସେ ସବୁ ରଖି ତା ଉପରେ କିଛି ପରିବା ରଖିଦେଇଥିଲେ ଯେମିତି କିଛି ଦାମିକିଆ ଜିନିଷ ଥିବା କଥା ଜଣା ପଡ଼ିବନି । ଯାହା ଥିଲା, ତାହା ନିକିତିରେ ଓଜନିଆ ନଥିଲା କିନ୍ତୁ ମୂଲ୍ୟରେ ଆମଭଳି ମଧ୍ୟବିତ୍ତ ପରିବାର ପାଇଁ ବହୁତ ଓଜନିଆ ଥିଲା । କେବଳ ପାଞ୍ଚ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଥିଲା । ଏବେ ବାହାଘର କେମିତି ହେବ ?”  

ମହେଶ ଏହି କଥା ଶୁଣି ସ୍ତବ୍ଧ ହୋଇଗଲା ଓ ବଡ଼ ଦୁଃଖିତ ହେଲା । କିଛି ସମୟ ପାଇଁ ତାଙ୍କ ପାଟିରୁ କଥା ବାହାରିଲାନି । କେମିତି ଦୁର୍ଯୋଗ ଓ ସଂଯୋଗର କଥା ! ଠିକ ସେଇ ସମୟରେ ସ୍କୁଟି ଖରାପ ହେବାକୁ ଥିଲା । ତା ଆଖିରୁ ମଧ୍ୟ ଲୁହ ବୋହିବାକୁ ଲାଗିଲା । ମାନସର ଭଉଣୀ ମଧ୍ୟ ତାକୁ ଭାଇ କହି ଡାକୁଥିଲା । ନିଜ ଭଉଣୀ ନ ହୋଇ ମଧ୍ୟ ଅତି ଗେଲବସର ହୋଇଥିଲା ଓ ନିଜ ଭଉଣୀଠାରୁ ମଧ୍ୟ ଅଧିକ ସ୍ନେହୀ ଥିଲା । 

ମହେଶ – “ହଉ, ଯାହା ହେବାର ଥିଲା ହେଇ ସାରିଲାଣି । ଘରକୁ ଚାଲ । ଟିକିଏ ସଫା ସୁତରା ହୋଇ ଥାନାକୁ ଯାଇ ଏଫ. ଆଇ. ଆର ଦେବା । କାଲି ପ୍ରତିମାର ଭାବୀ ଶାଶୁ ଘରକୁ ଖବର ଦେବା । ଏ କଥା ଶୁଣି “ଯଦି ସୁନା ନାହିଁ ତ ବାହା ନାହିଁ କହିବେ” ତେବେ ବାହାଘର ଘୁଞ୍ଚିଯିବ ବା ଭାଙ୍ଗିଯିବ । ଆଉ କଅଣ କରିହେବ । ଦୁର୍ଭାଗ୍ୟ ଉପରେ କାହାର ବା ନିୟନ୍ତ୍ରଣ ଅଛି । ଯଦି ବାହାଘର ପାଇଁ ରାଜି ହେବେ, ତେବେ ଆମ ଘରେ ଅଳ୍ପ କିଛି ଯାହା ସୁନା ଅଛି, ସେଥିରୁ କିଛି ଦେଇ ଆଗ କାମ ଚଳେଇନେବା । ସୁନା ୧୦ ଗ୍ରାମକୁ ୫୦,୦୦୦ ହଜାର ଟଙ୍କା । ଏଇନେ ଆଉ ଥରେ ପାଞ୍ଚ ଲକ୍ଷ ଟଙ୍କା ଯୋଗାଡ଼ କରିବା ଓ ସହରକୁ ଯାଇ ଆଣିବା ତ ଏକ ମୁସ୍କିଲ କାମ ।

ଆଉ ଗୋଟିଏ କଥା, ପ୍ରତିମା ତ ନିଜେ ଏକ ସୁନା ମୁଣ୍ଡା । ଅତି ଭଲ ଛାତ୍ରୀ । ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପ୍ରାୟ ନିଶ୍ଚିତ । ସବୁ ପରୀକ୍ଷାରେ ପ୍ରଥମ ହୋଇଛି । ତାର ଭାବୀ ଶାଶୁ ଘର ଲୋକ ଯଦି ଠିକ ବଣିଆ-ପ୍ରତିମ ହୋଇଥିବେ ତେବେ ପ୍ରତିମା ଭଳି ସୁନାକୁ ନିଶ୍ଚୟ ଆଦରି ନେବେ ।

ଦୁଇ ବନ୍ଧୁ ଯାଇ ଘରେ ପହଞ୍ଚିଲେ । ଘର ଲୋକ ତାଙ୍କ ପାଖକୁ ଆସି ଘେରିଗଲେ । ପ୍ରତିମା ପାଖକୁ ଆସି ପଚାରିଲା, “ଭାଇ, ତୁମ ଜିନିଷ ପତ୍ର କାଇଁ । ତୁମ ମୁହଁ ଏତେ ଶୁଖିଲା ଦେଖା ଯାଉଛି କାହିଁକି, କାନ୍ଦୁଥିଲ କି ?” ବାପା ପଚାରିଲେ, ଆରେ ତୁମ ଦୁଇଜଣଙ୍କର ମୁହଁ କାହିଁକି ଶୁଖିଯାଇଛି । ସବୁ ହାଲ ବର୍ଣ୍ଣନା କରିବା ପରେ ଘରେ କାନ୍ଦ ବୋବାଳି ଆରମ୍ଭ ହୋଇଗଲା । ଘରର ସବୁ ଲୋକ ପରସ୍ପରର ମୁହଁକୁ ଅନେଇ ରହିଲେ । କଅଣ କରାଯିବ, କାହାରିକୁ କିଛି ବୁଦ୍ଧି ଦିଶୁନଥିଲା । କିଏ କହିଲା ଚାଲ ଆଖ ପାଖ ଗାଁରେ ଖୋଜିବା କାହାର ସ୍କୁଟି ଅଛି । ତାକୁ ଦେଖିବା । ସ୍କୁଟି ନେଇ ଯଦି କେହି ବାହାରକୁ ଯାଇଥିବାର ଜଣାପଡ଼େ ତେବେ ମାନସ ତାର ଆକାର ପ୍ରକାର ଦେଖିଲେ କିଛି ତ ସନ୍ଦେହ କରିପାରିବ ଓ ଏହା କଲେ ତାଙ୍କୁ ଧରିବା । ଡାକ୍ତର ସେ, ଦେଖିଲେ ଗୋଟିଏ ଅନୁମାନ ତ କରିପାରିବ । ଆଉ ଜଣେ କହିଲେ, “ଯିଏ ନେଇଥିବ, ସିଏ କଅଣ ମାନିବ ।” ଆଉ ଜଣେ କହିଲା, “ଚାଲ ପାଖ ଗାଁ ଲୋକଙ୍କୁ ପଚାରିବା ଉକ୍ତ ସମୟରେ କେହି ଦ୍ରୁତ ଗତିରେ ସ୍କୁଟି ଚଳେଇ ଯାଇଥିବା ଲୋକକୁ ଦେଖିଛ କି ?” କିଛି ଫଇସଲା ହୋଇପାରିଲା ନାହିଁ । ଅବଶେଷରେ ୨ କି. ମି. ଦୂରରେ ଥିବା ଥାନାକୁ ଯାଇ ଏଫ ଆଇ ଆର ଦେଇ ଆସିଲେ ।

ସେ ଦିନ ସନ୍ଧ୍ୟା ବେଳ । ଘର ଲୋକମାନେ କିଂକର୍ତ୍ତବ୍ୟବିମୂଢ ହୋଇ ମୂକ ହୋଇଯାଇଥିଲେ । ନିରବତାର ଏକ କଳା ଓଢଣୀରେ ଯେମିତି କେହି ଘରକୁ ଆଚ୍ଛାଦିତ କରିଦେଇଛି । ପରସ୍ପର ମୁହଁକୁ ଅନେଇ ସମାଧାନର ବାଟ ଖୋଜୁଥିଲେ । ନିଜ ମନ ଦୁଃଖକୁ ମନ ଭିତରେ ଚାପି ରଖି ପ୍ରତିମା କହିଲା, “ଭାଇ, ମୋଟେ ବ୍ୟସ୍ତ ହୁଅନି । ସୁନା, ଟଙ୍କା ସବୁ ମିଳିଯିବ । ଆମେ କାହାରି ମନରେ କେବେ ଦୁଃଖ ଦେଇନେ । ବାପା ଓ ତୁମେ ସଚ୍ଚୋଟ ଭାବରେ ନିଜର କାମ କରିଛ । କେବେ କୌଣସି ରୋଗୀଠାରୁ ଉତ୍କୋଚ ନେଇନ । ଭଗବାନ କେବେବି ଆମକୁ କଷ୍ଟ ଦେବେନି, ଏଇଟା ମୋର ଦୃଢ ବିଶ୍ଵାସ । କୋଉ ବାଟରେ ହେଲେ ଆମ ସମସ୍ୟାର ସମାଧାନ ହୋଇଯିବ । ମୁଁ ଯାଉଛି, ରୋଷେଇ କଥା ବୁଝିବି ।”

ସେଠୁ ବାହାରି ଆସି ପ୍ରତିମା ସିଧା ଠାକୁର ଘର ଭିତରେ ପଶିଲା । ଠାକୁର ଘରେ ପଶି ତାଙ୍କ ମୂର୍ତ୍ତି ଦେଖିବା ମାତ୍ରେ ଏ ପର୍ଯ୍ୟନ୍ତ ଆବେଗକୁ ଚାପି ରଖିଥିବା ପ୍ରତିମାର ଦୁଇ ଆଖିରୁ ଧାରା ଶ୍ରାବଣ ବୋହିବାକୁ ଲାଗିଲା। ସାଷ୍ଟାଙ୍ଗ ପ୍ରଣିପାତ କରି ଭାବିଲା, ଯେତେ ଦେବାଦେବୀ ଅଛ, ସମସ୍ତଙ୍କୁ ମୋର ଅନୁରୋଧ, ଆମକୁ ବେଇଜ୍ଜତ କରନି । ଯଦି ପ୍ରସ୍ତାବିତ ସ୍ଥାନରେ କିଛି ଅସୁବିଧା ଅଛି; ପ୍ରଭୁ! ଏ ବିବାହ ଭାଙ୍ଗିଯାଉ । ମୋର କିଛି ଦୁଃଖ ନାହିଁ ।

ଏହି ଦୁଃଖଦ ସମ୍ବାଦ ଶୁଣି ଘର ଲୋକଙ୍କର ଭୋକ ମରିଯାଇଥିଲା । ବଲବଲ ହୋଇ ପରସ୍ପର ମୁହଁକୁ ଚାହିଁ ରହୁଥିଲେ । ରାତି ପ୍ରାୟ ଦଶଟା ବାଜିଲା । ଏହି ସମୟରେ ଗୋଟିଏ ଦୁଇ ଚକିଆ ଗାଡ଼ି ଆସି ଘର ଆଗରେ ରହିବା ଶବ୍ଦ ଶୁଣାଗଲା । ଏତେ ରାତିରେ କିଏ ଆସିଲା; ଦେଖିବାକୁ ସମସ୍ତେ ଦାଣ୍ଡ ବାରଣ୍ଡାକୁ ଚାଲିଗଲେ । ଜଣେ ଅଚିହ୍ନା ବ୍ୟକ୍ତି ଓ ଜଣେ ପ୍ରାୟ ତେଇଶ ଚବିଶ ବର୍ଷର ଅଳ୍ପ ବୟସ୍କ ଯୁବକ ଗାଡ଼ିରୁ ଓଲ୍ହେଇଲେ । ମାନସଙ୍କ ବାପା ତାଙ୍କୁ ପଚାରିଲେ, “ଆଜ୍ଞା, ଆପଣଙ୍କୁ ଚିହ୍ନି ପାରିଲିନି ।” ଆଗନ୍ତୁକ କହିଲେ, ମୁଁ ଡାକ୍ତର ମାନସ ବାବୁଙ୍କ ପାଖକୁ ଆସିଛି । ମାନସଙ୍କୁ ଦେଖି ପ୍ରଣାମ କଲେ।

ମାନସ ଆଗକୁ ଆସି ପ୍ରଶ୍ନ କଲେ, “ କେହି ରୋଗୀ ଅଛନ୍ତି ନା କଅଣ ?” “ନାଇଁ ଆଜ୍ଞା, ଆପଣଙ୍କର କିଛି ଜିନିଷ ହଜିଛି କି ?” ସମସ୍ତେ ଅବାକ ହୋଇ ପରସ୍ପରକୁ ଅନେଇଲେ । “ଇଏ କିଏ, ଆମ ହଜିବା କଥା କେମିତି ଜାଣିଲେ ।“ ମାନସ ବାବୁ - “ଆପଣ ଥାନାରୁ ଆସିଛନ୍ତି କି ?” “ନାଇଁ ଆଜ୍ଞା, ମୁଁ ଥାନାରୁ ଆସିନି । ମୁଁ ଇନ୍ଦୁପୁର ଗାଁର ଲୋକ । ଅଟୋ ଚଳାଏ । ମୋ ନା ରାମୁ, ରାମ ପୃଷ୍ଟି ।”

ଆଉଥରେ ପ୍ରଶ୍ନ କଲେ, “ଆପଣଙ୍କର କିଛି ଜିନିଷ ହଜିଛି କି ?” ମାନସ କହିଲେ, “ନାହିଁ, ପ୍ରକୃତରେ କିଛି ହଜିନି । ଡକାୟତି ବା ଯାହାକୁ କହନ୍ତି ଛିନତାଇ ହେଇଛି । ମୋତେ ଧକ୍କା ଦେଇ ମୋର ଗୋଟିଏ ବ୍ୟାଗ କେହି ଜଣେ ଛଡ଼େଇ ନେଇଛି ।” ଅଟୋ ବାଲା ଘୋଡ଼େଇ ହୋଇଥିବା ଚାଦର ମଧ୍ୟରୁ ଗୋଟିଏ ବ୍ୟାଗ କାଢ଼ି ଦେଖେଇଲେ ଓ ପ୍ରଶ୍ନ କଲେ, “ଏଇଟି ଆପଣଙ୍କର ବ୍ୟାଗ କି ?” ସେ ବ୍ୟାଗ ଦେଖି ମାନସ ତାଙ୍କ ହାତରୁ ପ୍ରାୟ ଛଡ଼େଇ ନେଲେ ଓ ଖୋଲି ଦେଖିଲେ ସେଥିରେ ସେ ରଖିଥିବା ଟଙ୍କା ସୁନା ସବୁ ଠିକ ଅଛି । ଅଟୋ ବାଲା – “ସବୁ ଜିନିଷ ଠିକ ଅଛି ନା ?” 

ଅବାକ ହୋଇ ସମସ୍ତେ ଆଗନ୍ତୁକଙ୍କୁ ଅନେଇ ରହିଲେ । ଭଗବାନ କଅଣ ଏହି ରାମୁ ବେଶରେ ଆସି ଆମକୁ ବ୍ୟାଗ ଫେରେଇଲେ ନା କଅଣ ! ସେ ଯାହା ହୁଏ, ସମସ୍ତଙ୍କ ମୁହଁରେ ଗୋଟିଏ ଆଶ୍ଵସ୍ତିର ଢେଉ ଖେଳିଗଲା । ହରିବୋଲ ଶବ୍ଦରେ ଘର ପୁରିଉଠିଲା ।

ଗୋଟିଏ ଗଭୀର ଖାଇ ମଧ୍ୟରୁ ଯେମିତି କେହି ସମସ୍ତଙ୍କୁ ଟେକି ନେଇ ଫୁଲ ଭରା ସବୁଜ ପଡ଼ିଆ ଉପରେ ଥୋଇଦେଲା । ମାନସ ବାପା ନିଜକୁ ନିୟନ୍ତ୍ରଣ କରିନପାଇ ସେଇ ଲୋକକୁ କୁଣ୍ଢେଇ ପକେଇଲେ । “ତୁମେ ରାମୁ ନୁହେଁ, ଆମ ପାଇଁ ଶ୍ରୀ ରାମଚନ୍ଦ୍ର । କଅଣ କହି ତୁମକୁ ଧନ୍ୟବାଦ ଦେବୁ, ସେ ଭାଷା ଆମ ପାଟିକୁ ଜୁଟୁନି ।” ସମସ୍ତ ଜଣ ଜଣ କରି ଆସି ତାଙ୍କ ସାଥିରେ କରମର୍ଦ୍ଦନ କଲେ ।

ଆପଣଙ୍କର ଏହି ମହାନ ଉପକାର ଆମେ ସାରା ଜୀବନ ଭୁଲି ପାରିବୁନି। ଆମ ଝିଅ ବାହାଘର ବନ୍ଦ ହେବା ଉପରେ ଥିଲା । ମାନସ ଏହାକୁ ନେଇ ଷ୍ଟେସନରୁ ଘରକୁ ଆସିଲା ବେଳେ କେହି ଛଡ଼େଇ ନେଲା । କିନ୍ତୁ ଏହା ଆପଣଙ୍କ ପାଖକୁ କେମିତି ଆସିଲା । କୁହନ୍ତୁ କଅଣ ପାଇଲେ ଆପଣ ଖୁସି ହୋଇ ଏଠାରୁ ଫେରିବେ ?

“ସେଇ ଯେଉଁ ଡକାୟତ କଥା କହୁଛନ୍ତି ସେ ମୋ ପୁଅ ଗୋପାଳ, ଏଇଠି ଆପଣଙ୍କ ସାମନାରେ ଠିଆ ହୋଇଛି ।“ କ୍ରୋଧ ଭରା ନୟନରେ ସମସ୍ତେ ତାକୁ ଅନେଇଲେ । “ଆଜିକାଲିର ପିଲା ଭଳି ମୋ ପୁଅ ମଧ୍ୟ ଶୀଘ୍ର ଧନୀ ହେବାର ସ୍ଵପ୍ନ ଦେଖେ । ତାର ଜଣେ ସାଙ୍ଗର ସ୍କୁଟି ମାଗିଆଣି ଏଇ କାମ କରିଛି । ଦୈବାତ ମୋ ନଜରରେ ସେ ବ୍ୟାଗ ପଡ଼ିଗଲା । ମୁଁ ଦେଖିଲି, ଏ ବ୍ୟାଗ ତ ଆମର ନୁହେଁ । ଏଇଟା କୋଉଠୁ ଆସିଲା ବୋଲି ପଚାରିବାରୁ ସେ ଥତମତ ହେଲା । ଧମକେଇ ପଚାରିବାରୁ ଡକାୟତି କରିଥିବା ମାନିଗଲା । ମୁଁ ସେଇ ବ୍ୟାଗ ଖୋଲିଲି ଓ ଭିତରେ ଏହି ଜିନିଷ ସବୁ ଦେଖି କ୍ରୋଧରେ ପଞ୍ଚମ ହୋଇ ତାକୁ ପିଟି ନୋଳା ଫଟେଇ ଦେଇଛି । ଆମେ ଆଜ୍ଞା ପରିଶ୍ରମୀ ଖଟିଖିଆ ଲୋକ । କଷ୍ଟ କରି ଇଷ୍ଟ ପାଇବା ଆମ ଲକ୍ଷ ।” ତା ସାର୍ଟ ଟେକି ଦେଇ ନୋଳା ଦେଖେଇଦେଲେ । ତାଙ୍କୁ ଟାଣି ଆଣି ମାନସ ବାବୁଙ୍କ ଗୋଡ଼ ତଳେ ପକେଇଦେଲେ। “ଆଜ୍ଞା, କ୍ଷମା କରିଦିଅନ୍ତୁ ଏ ପିଲାକୁ ।”

“କିନ୍ତୁ ଏଇଟା ଆମ ବ୍ୟାଗ ବୋଲି ଜାଣିଲେ କେମିତି । ଆଉ ଆମକୁ ଚିହ୍ନିଲେ କେମିତି ।” ଆଜ୍ଞା, ବ୍ୟାଗ ଭିତରେ ଥିବା ଗହଣାର ରସିଦରେ ଆପଣଙ୍କ ନାମ ଓ ଠିକଣା ଲେଖାଥିଲା । ଦୁଇ ବର୍ଷ ତଳେ ମୋ ଅଟୋର ଗୋଟିଏ ଆକ୍ସିଡେଣ୍ଟ ହୋଇଥିଲା ମୁଁ ଅଚେତ ହୋଇ ରାସ୍ତାରେ ପଡ଼ିରହିଥିଲି । କିଛି ଲୋକ ମୋତେ ନେଇ ଆପଣଙ୍କ ଡାକ୍ତରଖାନାରେ ପହଞ୍ଚେଇଦେଇ ପଳେଇଥିଲେ । ମୋ ସାଥିରେ କେହି ନଥିଲେ, ମୋର ପରିଚୟ ମଧ୍ୟ ନଥିଲା । ମୋର ଚେତା ଆସିବା ପରେ ଜାଣିଲି, ଆପଣ ଔଷଧ ପାଇଁ ହାତରୁ ଟଙ୍କା ଦେଇ ମୋ ଜୀବନ ବଞ୍ଚେଇଥିଲେ । ମୁଁ ଆଜି ବଞ୍ଚିଛି ଆପଣଙ୍କ ଯୋଗୁ ଓ ସେଇ ଋଣ ସାତ ଜନ୍ମରେ ମଧ୍ୟ ଭୁଲି ପାରିବିନି । ସେଇ ରସିଦ ଦେଖି ମୁଁ ଏଠିକି ଆସିଲି ।”

      ଡକ୍ଟର ମାନସ ସେ ପିଲାକୁ ତଳୁ ଉଠେଇ ପ୍ରଶ୍ନ କଲେ, “ଗୋପାଳ, ଏଇ ବୟସରୁ ଏତେ ଖରାପ କାମ କାହିଁକି କଲୁ । ସାରା ଜୀବନ ପଡ଼ିଛି । ଏ କାମ କଲେ ତ ଜେଲରେ ତୋ ଜୀବନ କଟିବ, ଭୋଗ କରିବୁ କଅଣ ?”

“ଆଜ୍ଞା, ପାଠ ମୋ ଦ୍ଵାରା ହେବନି । କାମ ମିଳୁନି । ଘରେ ଖାଲି ବସିରହିଲାରୁ ମାଡ଼ ଗାଳି ମିଳୁଛି । କରିବି କଅଣ ?”

“କାମ କରିବୁ ଯଦି ସାତ ଦିନ ପରେ ମୋ ପାଖକୁ ଯିବୁ । ମୁଁ କାମ ଦେବି । ଆଗ ଶିଖିବୁ । ଭଲ କାମ କଲେ ଦରମା ବଢ଼ିବ ।”

      ବାପ ପୁଅ ଦୁହେଁ ମାନସ ଓ ତାଙ୍କ ବାପାଙ୍କ ପାଦ ଛୁଇଁ ସମ୍ମାନିତ କଲେ ଓ ଅନ୍ୟ ସମସ୍ତଙ୍କୁ ନମସ୍କାର କଲେ । ଏତିକିବେଳେ ମାନସ ନିଜ ଭଉଣୀକୁ ଆଣି ତାଙ୍କ ସାମନାରେ ଠିଆ କରେଇ କହିଲେ, “ଏଇ ଭଉଣୀର ବାହାଘର ତିନି ଦିନ ପରେ ହେବ ଆସନ୍ତା ବୁଧବାର । ଆପଣଙ୍କୁ ନିମନ୍ତ୍ରଣ ରହିଲା, ନିଶ୍ଚୟ ଆସିବେ ।” “ନିଶ୍ଚୟ ଆସିବି ଆଜ୍ଞା” କହି ଘରକୁ ଫେରିବାକୁ ବିଦାୟ ମାଗିଲେ । ଆଖି ଆଗରୁ ଲୁଚିଯିବା ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଅନେଇ ରହିଥିଲେ ।

       ସେମାନେ ଯିବାପରେ ପ୍ରତିମା କହିଲା, “ଭାଇ, ମୁଁ କଅଣ କହୁଥିଲି । ମୋ କଥା ସତ ହେଲା କି ନାହିଁ ।”

ହସି ହସି ମାନସ କହିଲେ, “ଆରେ ତୁ ସେକଥା କହିଲା ବେଳକୁ ତୋ ପଛଆଡ଼େ ଭଗବାନ ଠିଆ ହୋଇ ଶୁଣୁଥିଲେ ପରା । ତାଙ୍କ ଝାପସା ଆକାର ମୁଁ ଦେଖିଛି । ତୋ ଭଳି ଭକ୍ତ କଥା ନ ମାନି କୁଆଡ଼େ ଯିବେ ।” ସମସ୍ତେ ହୋ ହୋ ହୋଇ ହସିବାକୁ ଲାଗିଲେ । ପ୍ରତିମା ଗେଲରେ ତାଙ୍କୁ ମାରିବାକୁ ଲାଗିଲା । “ଉଁ, ଭାଇ ବଡ଼ ଦୁଷ୍ଟ ହେଲେଣି ।” ସମସ୍ତେ ତାଳି ମାରିବାକୁ ଲାଗିଲେ ।

 



Rate this content
Log in

Similar oriya story from Crime