Dr Subas Chandra Rout

Others

3.4  

Dr Subas Chandra Rout

Others

ଅଲୌକିକ ସନ୍ଥ କବୀର

ଅଲୌକିକ ସନ୍ଥ କବୀର

9 mins
468


କାଲିର କାମ ଆଜି ହିଁ କର

ଅନେକ ସମୟରେ ଦେଖାଯାଏ, ଭାରତରେ ଜନ୍ମିତ କତିପୟ ଯୋଗଜନ୍ମା ଲୋକଙ୍କର ଜୀବନୀ ପୃଥିବୀର ବିଖ୍ୟାତ ଲେଖକଙ୍କଦ୍ୱାରା ଲିଖିତ ଲୋକପ୍ରିୟ କାହାଣୀମାନଙ୍କଠାରୁ କୌଣସି ଗୁଣରେ କମ୍ ନୁହେଁ । ଏହିଭଳି ଜଣେ ବ୍ୟକ୍ତି ଥିଲେ, କବୀର ଦାସ (ଖ୍ରୀ: ୧୩୯୮-୧୫୧୮) । ତାଙ୍କ ଜୀବନରେ ଦାରିଦ୍ର୍ୟ, କବି ପ୍ରତିଭା, ଦୟା ସ୍ୱଭାବ, ମାନବିକତା ଓ ଅଲୌକିକ କର୍ମର ପ୍ରାଚୁର୍ଯ୍ୟ ଭରି ରହିଥିଲା । ନିର୍ଲିପ୍ତ ଓ ସାଧୁ ସନ୍ୟାସୀ ଭଳି ଜୀବନ ଯାପନ କରୁଥିବାରୁ ତାଙ୍କୁ ସନ୍ଥ କୁହାଯାଏ । କିନ୍ତୁ ସେ କେବଳ ସନ୍ଥରେ ସୀମିତ ନଥିଲେ, ବରଂ ପୃଥିବୀର ଏକ ଆଗଧାଡ଼ିର କବି ଥିଲେ । ତେଣୁ ତାଙ୍କୁ ସନ୍ଥ କବି କବିର ଦାସ ଆଖ୍ୟା ଦିଆଯାଇଥିଲା ।  

ଧରିତ୍ରୀ ହଜାର ହଜାର ବର୍ଷ ଧରି ଭଗବାନଙ୍କର ତପସ୍ୟା କଲେ ବୋଧହୁଏ ସେହିଭଳି ଜଣେ ବ୍ୟକ୍ତି ଜନ୍ମ ଗ୍ରହଣ କରନ୍ତି । ତାଙ୍କର ଜୀବନ ଗାଥା ଏତେ ଦୁଃଖ, ରୋମାଞ୍ଚ ଓ ରହସ୍ୟରେ ଭରପୁର ଯେ, କୌଣସି ସୁନ୍ଦର କାହାଣୀଠାରୁ ମଧ୍ୟ ଅଧିକ ସୁଖପାଠ୍ୟ ଲାଗେ । ପୃଥିବୀର ବିଖ୍ୟାତ କବିମାନଙ୍କ ମଧ୍ୟରେ କବୀର ଗଣ୍ୟ ହୁଅନ୍ତି । ସ୍ଵଦେଶ ଓ ବିଦେଶରେ ବାସ କରୁଥିବା ଅଧିକାଂଶ ଶିକ୍ଷିତ ଶ୍ରେଣୀର ଭାରତୀୟ ଲୋକମାନେ ଅତି ବେଶିରେ ଶହ ଶହ ସନ୍ଥଙ୍କ ଭଳି ତାଙ୍କୁ କେବଳ ଜଣେ ସନ୍ଥ ଭାବରେ ଜାଣିଛନ୍ତି, ଯାହା ଏକ ସାହିତ୍ୟିକ ବିସ୍ମୟ । 

କଥା କଥାରେ ଆମେ ତାଙ୍କର କବିତାର ଅଂଶ ଉଦ୍ଧାର କରି ଆମ ପାଣ୍ଡିତ୍ୟ ଦେଖାଉ, କିନ୍ତୁ ଏହା ତାଙ୍କର କବିତା ବୋଲି ଆଦୌ

ଜାଣୁନାହିଁ । ଉଦାହରଣ ସ୍ୱରୂପ “କାଲ କରେ ସୋ ଆଜ କର, ଆଜ କରେ ସୋ ଅବ, ପଲମେ ପରଲୟ ହୋଗୀ, ବହୁରୀ କରେଗା କବ ।” ଯାହାକୁ ଅନୁବାଦ କଲେ ଏହିଭଳି ହେବ –

କାଲିର କାମ ଆଜି ହିଁ କର, ଆଜିକାର କାମ ଏବେ,

ପଲକ ମଧ୍ୟେ ପ୍ରଳୟ ହେବ, କର୍ତ୍ତବ୍ୟ କରିବୁ କେବେ ।

ଅନ୍ୟ ଏକ ପଦ – ପୋଥି ପଢ଼ ପଢ଼ ଜଗ ମୁଆଁ, ପଣ୍ଡିତ ଭୟା ନ କୋୟ,

ଢାଇ ଅକ୍ଷର ପ୍ରେମ କା, ପଢେ ସୋ ପଣ୍ଡିତ ହୋୟ ।

ଯାହାକୁ ଅନୁବାଦ କଲେ ଏହିଭଳି ହେବ –

ପୋଥୀ ପଢ଼ି ପଢ଼ି ସଭିଏ ଗଲେ, କେହି ହେଲେ ନାହିଁ ଜ୍ଞାନୀ,

ଅଢେଇ ଅକ୍ଷର ପ୍ରେମର ଭାଷା ଯେ ପଢ଼ିପାରେ ସେ ଜ୍ଞାନୀ ।

ଉତ୍ତର ଭାରତର ଗ୍ରାମମାନଙ୍କରେ ତାଙ୍କ କବିତା ଘରେ ଘରେ ଆବୃତ୍ତ ଓ ଆଦୃତ ହୁଏ । ଅନେକ ଚଳଚ୍ଚିତ୍ରରେ ଅଭିନେତାମାନେ ତାଙ୍କ କବିତା ଗାନ କରନ୍ତି । ଗୋଟିଏ ଚଳଚ୍ଚିତ୍ର ମଧ୍ୟ ତାଙ୍କର ଜୀବନୀ ଉପରେ ଆଧାରିତ ହୋଇ ତିଆରି ହୋଇଛି । ସୁବିଖ୍ୟାତ ଗାୟକ ଅନୁପ ଜଲୋଟା ତାଙ୍କର ଗୀତଗୁଡ଼ିକର ଅପୂର୍ବ ସ୍ଵର ସଂଯୋଜନା କରି ଗାଇଛନ୍ତି ଓ ସେ ଗାଇଥିବା ରେକର୍ଡ ଲକ୍ଷ ଲକ୍ଷ ସଂଖ୍ୟାରେ ବିକ୍ରି ହୋଇଛି । କବୀରଙ୍କର ଏକ କୋଟିରୁ ଉର୍ଦ୍ଧ୍ଵ ଅନୁଗାମୀ ଆଜି ବି ଅଛନ୍ତି ଓ କବୀରପନ୍ଥୀ ନାମରେ ପରିଚିତ ଅଛନ୍ତି । 

ସମଗ୍ର ଭାରତରେ ଲୋକମାନଙ୍କଦ୍ୱାରା କୌଣସି ଜଣେ ବ୍ୟକ୍ତିର କବିତା ପଂକ୍ତି ଉଦ୍ଧୃତ ହେବାରେ କବୀର ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି, ପ୍ରଥମ ସ୍ଥାନରେ ସୁବିଖ୍ୟାତ ତୁଳସୀ ଦାସଙ୍କ ନାମ ଅଛି । ସେ କୌଣସି ଶିକ୍ଷାୟତନରେ ଶିକ୍ଷା ଲାଭ କରିନଥିଲେ, କେବଳ ‘ରାମ’ ଲେଖିପାରୁଥିଲେ । ଶ୍ରୀ ଅକ୍ଷର ବିବର୍ଜିତ ହୋଇଥିଲେ ମଧ୍ୟ ହଜାର ହଜାର କବିତା ତାଙ୍କ ମୁଖରୁ ସ୍ଫୁରିତ ହେଉଥିଲା । ତାଙ୍କର ଭକ୍ତ ଓ ପ୍ରଶଂସକମାନେ ସେହି କବିତା ଗୁଡ଼ିକ ଶୁଣି ଲିପିବଦ୍ଧ କରିଛନ୍ତି । ତାଙ୍କର କବିତା ପଢ଼ି ନୋବେଲ ପୁରସ୍କାର ବିଜେତା ବିଶ୍ଵକବି ରବୀନ୍ଦ୍ରନାଥ ଠାକୁରଙ୍କ ଭଳି ବ୍ୟକ୍ତି ଅତ୍ୟନ୍ତ ପ୍ରଭାବିତ ଓ ଅନୁପ୍ରାଣିତ ହୋଇ ସେହି କବିତାଗୁଡ଼ିକର ଇଂରାଜୀ ଅନୁବାଦ କରିଥିଲେ । ସେତିକି ନୁହେଁ, ଧର୍ମଗୁରୁମାନେ ମଧ୍ୟ ତାଙ୍କ କବିତାଦ୍ୱାରା ପ୍ରଭାବିତ ହୋଇଥିଲେ । ଶିଖ ଧର୍ମଗ୍ରନ୍ଥ (ଆଦି ଗ୍ରନ୍ଥ) ‘ଗୁରୁ ଗ୍ରନ୍ଥ ସାହିବ’ ପୁସ୍ତକରେ ସନ୍ଥ କବୀରଙ୍କ ଲିଖିତ ୧୭ଟି ରାଗରେ ୨୨୭ ପଦ ଓ ୨୩୭ ଶ୍ଳୋକ ଲିଖିତ ଅଛି (ପୃଷ୍ଠା ୯୧, ୯୨, ୩୩୦ ରୁ ୧୩୭୩) । ଏହାଠାରୁ ଅଧିକ ଲୋକପ୍ରିୟତା ଓ ସମ୍ମାନର ବିଷୟ ଆଉ କଅଣ ହୋଇପାରେ । 

      ଏତେ ବଡ଼ କବି ହେଲେ କଅଣ ହେବ, ସନ୍ଥ କବୀରଙ୍କ ଅଲୌକିକ ଜନ୍ମ ଓ ମୃତ୍ୟୁ ବୃତ୍ତାନ୍ତ ରହସ୍ୟ ଓ ମତଭେଦରେ ପରିପୂର୍ଣ୍ଣ । ତାଙ୍କର ପିତାମାତା କିଏ, ସଠିକ ଜନ୍ମ ତାରିଖ ଓ ସ୍ଥାନର ନାମ ମଧ୍ୟ ଅଜ୍ଞାତ । କେତେକ ଐତିହାସିକଙ୍କ ମତରେ ବାରାଣସୀର ଲହରତାରା ଗ୍ରାମର ଏକ ଦରିଦ୍ର ବିଧବା ବ୍ରାହ୍ମଣୀ କୋଳ ମଣ୍ଡନ କରି ସେ ଜନ୍ମ ଗ୍ରହଣ କରିଥିଲେ, କିନ୍ତୁ ଅସତୀ ନାମ ଧରି ବଞ୍ଚିବା କଷ୍ଟକର ଜାଣି ତଥା ସମାଜର ନାଲି ଆଖି ଡରରେ ସେ ଜନ୍ମିତ ସନ୍ତାନକୁ ନେଇ ଦୂରବର୍ତ୍ତୀ ଏକ ନିଛାଟିଆ ସ୍ଥାନରେ ପରିତ୍ୟାଗ କରି ଫେରିଆସିଥିଲେ ।

କେତେକ ଗବେଷକଙ୍କ ମତାନୁସାରେ ଖ୍ରୀ: ୧୩୯୮ର ଜ୍ୟେଷ୍ଠ ପୁର୍ଣ୍ଣୀମା ଦିନ ସେ ଜନ୍ମ ଗ୍ରହଣ କରିଥିବା ସ୍ଥିର କରାଯାଇଛି । ଜନଶୃତି ଅନୁସାରେ କାଶୀରେ ଗୋଟିଏ ତନ୍ତୀ ମୁସଲମାନ ଦମ୍ପତି (ସ୍ଵାମୀ – ନିରୁ, ମୁସଲମାନ ଜାତି ଓ ସ୍ତ୍ରୀ – ନିମା, ତୁର୍କୀ ଝିଅ) ବାସ କରୁଥିଲେ । ବିବାହର ଏକ ବର୍ଷ ପରେ ପତି ପତ୍ନୀ ଦ୍ୱୟ ସେତେବେଳର ପ୍ରଥା ଅନୁସାରେ ପ୍ରଥମ କରି କନ୍ୟା ପିତାଙ୍କ ଗୃହକୁ ଯାଇଥିଲେ । ଗ୍ରୀଷ୍ମ କାଳରେ ଶଗଡ଼ରେ ଫେରିବା ସମୟରେ ବାଟରେ ଅନେକ ଘନ ବୃକ୍ଷ ଛାୟା ଥିବା ଗୋଟିଏ ସ୍ଥାନ ଦେଖିଲେ । ଅନତି ଦୂରରେ ଗୋଟିଏ ପୁଷ୍କରିଣୀ ଦେଖି ଖରାବେଳଟା ବିଶ୍ରାମ କରିବାକୁ ସେଠାରେ ଯାତ୍ରା ବିରାମ କଲେ । ନିମା ଉକ୍ତ ପୁଷ୍କରିଣୀ ଜଳରେ ପ୍ରକ୍ଷାଳିତ ହୋଇ ଫେରିବା ବେଳେ ଗୋଟିଏ ଶିଶୁର କ୍ରନ୍ଦନ ଧ୍ୱନି ଶୁଣିବାକୁ ପାଇଲେ । କୌତୁହଳ ବଶତଃ ଧ୍ୱନି ଆସୁଥିବା ଦିଗକୁ ଯାଇ ବୃକ୍ଷମୂଳେ ଗୋଟିଏ ନବଜାତ ଶିଶୁକୁ ଦେଖିଲେ । ଅନ୍ୟ ଏକ ଜନଶ୍ରୁତି ଅନୁସାରେ ଶିଶୁଟି ଗୋଟେ ପଦ୍ମ ଫୁଲ (ଭିନ୍ନ ମତରେ ପଦ୍ମ ପତ୍ର) ଉପରେ ଶୋଇ କ୍ରନ୍ଦନ କରୁଥିବା କଥା ଜଣାଯାଏ । ଏହିଠାରେ ବୋଧହୁଏ ପୂର୍ବୋକ୍ତ ବିଧବା ମହିଳା ଉକ୍ତ ସନ୍ତାନକୁ ପରିତ୍ୟାଗ କରିଥିଲେ ।   

‘ଇଏ କାହାର ଛୁଆ, ଆସି ନେଇଯାଅ’ କହି ବଡ଼ ପାଟିରେ ନିମା ଅନେକ ଥର ଡାକ ଦେଲେ; କିନ୍ତୁ କିଛି ଉତ୍ତର ପାଇଲେନି । କିଛି ସମୟ ଅପେକ୍ଷା କଲା ପରେ ସେହି ଶିଶୁଟିକୁ ଛାତିରେ ଜାକିଧରି ସେ ସ୍ଵାମୀଙ୍କ ପାଖକୁ ଫେରିଆସିଲେ । ପ୍ରଶ୍ନିଳ ଆଖିରେ ନିରୁକୁ ଦେଖି ନିମା ସବୁକଥା ଖୋଲି କହିଲେ । ଶିଶୁକୁ ସାଥିରେ ନେଇ ଘରକୁ ଫେରିଯିବାକୁ ନିରୁ ଅନିଚ୍ଛୁକ ଥିଲେ ମଧ୍ୟ ନିମାର ବାତ୍ସଲ୍ୟ ମମତା ଆଗରେ ମୁଣ୍ଡ ନୋଇଁଲେ ଓ ତାକୁ ଧରି ଉଭୟ ନିଜ ଗ୍ରାମକୁ ଫେରିଲେ । ନିରୁର ପିତାମାତା ଏହି ଅଜ୍ଞାତ କୁଳଶୀଳ ଶିଶୁକୁ ଗୃହରେ ରଖିବାକୁ ମଧ୍ୟ ଅନିଚ୍ଛୁକ ଥିଲେ । ଅବଶେଷରେ ମରିବାକୁ ଛାଡ଼ି ନ ଦେଇ ଅଶେଷ ଆହ୍ଲାଦରେ ସେହି ମୁସଲମାନ ପରିବାର ଶିଶୁକୁ ଗୃହରେ ସ୍ଥାନ ଦେଇ ପାଳିଲେ ।

ଶିଶୁର ନାମକରଣ ନିମନ୍ତେ ସେହି ଗ୍ରାମର କାଜି କୋରାନ ଖୋଲିବା ବେଳେ ପ୍ରଥମେ ଚାରୋଟି ନାମ ବାହାରିଥିଲା ଓ ସେ ସବୁ ଆଲ୍ଲାଙ୍କର ନାମ ଥିଲା । ଗୋଟିଏ ତନ୍ତୀ ସଂପ୍ରଦାୟର ପିଲାର ନାମ ସହିତ ଆଲ୍ଲାଙ୍କ ନାମ ଯୋଡ଼ିବାକୁ କାଜି ଅନିଚ୍ଛା ପ୍ରକାଶ କରିଥିଲେ କିନ୍ତୁ ଯେତେଥର କୋରାନ ଖୋଲିଲେ ସେତେଥର ସେହି ଏକା ନାମ ଆସିଲା । ବ୍ୟସ୍ତ ହୋଇ ଆଉ ଜଣେ କାଜିଙ୍କୁ ଡକାହେଲା, କିନ୍ତୁ ସେହି ଏକା ନାମ ବାହାରିଲା । ଅବଶେଷରେ ତାଙ୍କର ନାମ ‘କବୀର’ ରଖାଗଲା ଯାହାର ଅର୍ଥ ‘ବିରାଟ’ । ତାଙ୍କର ସମ୍ଭାବ୍ୟ ଜନ୍ମ ସମୟ ଅନୁସାରେ ସେହି ଗୋଟିଏ ନାମ ତାଙ୍କ ଧର୍ମ ଗ୍ରନ୍ଥରେ ଉଲ୍ଲେଖ ଥିଲା । 

ସେହି କାଳରେ ଜାତି ଅନୁସାରେ କୁଳ ବେଉସା କରିବା ପ୍ରଥା ଥିଲା ଓ ତନ୍ତୀ ଏକ ଛୋଟ ଜାତିରେ ଗଣା ଯାଉଥିଲେ । ସେଭଳି ଛୋଟ ଜାତିର ପିଲାକୁ ବିଦ୍ୟା ଶିକ୍ଷା ଦେବା ପ୍ରଥା ସେତେବେଳେ ନଥିଲା । କବିରଙ୍କର କିନ୍ତୁ ଶିକ୍ଷା ଲାଭ କରିବାର ଅଦମ୍ୟ ଇଚ୍ଛା ଥିଲା । ସେ ଅନ୍ୟମାନଙ୍କ ଭଳି ବିଦ୍ୟା ଶିକ୍ଷାରୁ ବଞ୍ଚିତ ହୋଇଥିଲେ ମଧ୍ୟ ସର୍ବଦା ଜଣକୁ ଗୁରୁ କରିବାକୁ ଇଚ୍ଛା କରୁଥିଲେ । କିନ୍ତୁ ତାଙ୍କୁ ଶିଷ୍ୟ କରିବାକୁ କେହି ଇଚ୍ଛା କରୁନଥିଲେ । ସେତେବେଳ ସ୍ଵାମୀ ରାମାନନ୍ଦ ଜଣେ ପ୍ରସିଦ୍ଧ ଅଦ୍ଵୈତବାଦର ଭକ୍ତି ସନ୍ଥ କବି ଥିଲେ । ସ୍ୱାମୀ ରାମାନନ୍ଦଙ୍କ ଶିଷ୍ୟ ହେବା ନିମନ୍ତେ ତାଙ୍କ ସନ୍ନିକଟକୁ କବୀର ଯାଇଥିଲେ, କିନ୍ତୁ ତାଙ୍କୁ ରାମାନନ୍ଦ ନାସ୍ତି ବାଣୀ ଶୁଣେଇଥିଲେ । 

 କବିରଙ୍କୁ ଶିଷ୍ୟ କରିନଥିଲେ ମଧ୍ୟ ସ୍ଵାମୀ ରାମାନନ୍ଦଙ୍କୁ ନିଜର ଗୁରୁ କହି ସେ ପ୍ରଚାର କରିଥିଲେ । ଯେଉଁ ପରିସ୍ଥିତିରେ ଏହା ସମ୍ଭବ ହେଲା ତାହା ଆଉ ଗୋଟିଏ କାହାଣୀ । କଥିତ ଅଛି, ରାମାନନ୍ଦ ରାତ୍ରିର ଅନ୍ଧକାର ଥାଉ ଥାଉ ଅତି ପ୍ରାତଃ କାଳରେ ପୁଷ୍କରିଣୀକୁ ସ୍ନାନ କରିବାକୁ ପ୍ରତ୍ୟହ ଯାଉଥିଲେ । ତାଙ୍କର ଏହି ଅଭ୍ୟାସ ବିଷୟରେ ଅବଗତ ହୋଇ କବୀର ଏକ ଉପାୟ ଅବଲମ୍ବନ କରିଥିଲେ । ଦିନେ ସେ ଉକ୍ତ ପୁଷ୍କରିଣୀର ଏକ ପାବଛ ଉପରେ ଯାଇ ଶୋଇଗଲେ । ଏହି ବିଷୟରେ ଅଜ୍ଞାତ ରାମାନନ୍ଦ ତାଙ୍କର ଅଭ୍ୟାସ ମୁତାବକ ପ୍ରାତଃ କାଳରେ ସ୍ନାନ ଶୌଚ ନିମନ୍ତେ ଉକ୍ତ ପୁଷ୍କରିଣୀକୁ ଗଲେ । ଅନ୍ଧକାର ଯୋଗୁ ପାହାଚ ଦେଇ ତଳକୁ ଗଲାବେଳେ କିଛି ଦେଖିନପାରି ସେ କବୀରଙ୍କ ଛାତି ଉପରେ ପାଦ ରଖିଦେଲେ । ହତଚକିତ ହୋଇ ତାଙ୍କ ମୁଖରୁ ରାମ ଶବ୍ଦ ବାହାରିଗଲା । ଏତିକିବେଳେ କବୀର ତାଙ୍କ ପାଦ ଦୁଇଟି ଜାବୁଡ଼ି ଧରି ଶିଷ୍ୟତ୍ଵ ନିମନ୍ତେ ନିଜର ପରିଚୟ ଦେଇ ବିକଳ ହୋଇ ପ୍ରାର୍ଥନା କରିବାକୁ ଲାଗିଲା । 

କବିରଙ୍କର ଜ୍ଞାନ ଲାଭ ନିମନ୍ତେ ଗଭୀର ନିଷ୍ଠା ଦେଖି ରାମାନନ୍ଦ ପ୍ରସନ୍ନ ହୋଇ ତାଙ୍କୁ ନିଜର ଶିଷ୍ୟ ଭାବରେ ସ୍ଵୀକାର କରିଥିଲେ । ଅଳ୍ପ କେତେକ ମତରେ ରାମାନନ୍ଦ ନିଜ ଆଶ୍ରମରେ ତାଙ୍କୁ ରଖି ନିଶୁଳ୍କ ଶିକ୍ଷା ପ୍ରଦାନ କରିଥିଲେ । ଅନ୍ୟ ପକ୍ଷରେ କବୀର ନିଜେ ଲେଖିଛନ୍ତି “ମୁଁ କଲମ ଧରିନି କି କାଳି ଓ କାଗଜ ଛୁଇନି” (Masi Kagad chuyo nahi, kalam gahi nahi hat”) । କିଏ ଜାଣିଥିଲା, ସେହି ଅଜ୍ଞାତ ଜାତି କୁଳ ଧର୍ମର ପରିତ୍ୟକ୍ତ ଶିଶୁ ଦିନେ ସଂସାରର ଏକ ସୁବିଖ୍ୟାତ କବି ହୋଇ ସୁନାମ ଅର୍ଜନ କରିବ !

କବିରଙ୍କର ଗୁରୁ ଭକ୍ତି ଅତୁଳନୀୟ ଥିଲା । ସେ ଲେଖିଛନ୍ତି,

“କବୀର, କହେ ମଣିଷ ଅନ୍ଧ, ଗୁରୁଙ୍କୁ ବୁଝନ୍ତି ନାହିଁ,

ହରି ରାଗରୁ ବଞ୍ଚାନ୍ତି ଗୁରୁ, ଗୁରୁ ରାଗେ ମୁକ୍ତି ନାହିଁ ।”

ସୁପ୍ରସିଦ୍ଧ ଗୁରୁ ଗୋରଖନାଥ ତାଙ୍କୁ ଥରେ ପ୍ରଶ୍ନ କରିଥିଲେ, “ଆପଣଙ୍କର ଆବିର୍ଭାବ (ଜନ୍ମ ନୁହେଁ) କେବେ ହୋଇଥିଲା ?” କବୀର ଉତ୍ତର ଦେଇଥିଲେ, “ମୋର ଆବିର୍ଭାବ ସମୟରେ କେବଳ ଏକ ଇଶ୍ଵର ଥିଲେ, ବ୍ରହ୍ମା, ବିଷ୍ଣୁ, ମହେଶ୍ଵର ଆଦି କେହି ସୃଷ୍ଟି ହୋଇ ନଥିଲେ ।” ଏଥିରୁ ଜଣାଯାଏ, ସେ ଜଣେ ଅଲୌକିକ ଶକ୍ତିଧାରୀ ଐଶ୍ଵରିକ ମହାପୁରୁଷ ଥିଲେ ।

      ବଡ଼ ହେବା ପରେ ସେ ତାଙ୍କର ପିତାଙ୍କର ଲୁଗାବୁଣା ବେଉସା ଚଳେଇଲେ । ବାରାଣସୀର କବୀର ଚଉରା ନାମକ ସ୍ଥାନରେ କବୀର ବାସ କରିବାକୁ ଲାଗିଲେ । ତନ୍ତ ଚଳେଇବା ସମୟରେ ତାଙ୍କ ମୁଖରୁ ଅନର୍ଗଳ ଭକ୍ତି କବିତା ବାହାରୁଥିଲା । ଲୋକମାନେ ତାକୁ ଶୁଣି ଜ୍ଞାନ ତଥା ଆନନ୍ଦ ଲାଭ କରୁଥିଲେ । ଲୁଗା ବୁଣା ବେପାରରୁ ଯାହା ଆୟ ହୁଏ ସେଥିରେ ସେ ନିଜର ଗୁଜୁରାଣ ମେଣ୍ଟାନ୍ତି । ଅବିବାହିତ ଥିଲେ ମଧ୍ୟ ଜଣେ ନିରାଶ୍ରୟା ମହିଳାଙ୍କୁ ନିଜର ସ୍ତ୍ରୀର ପରିଚୟ ଦେଇ ରଖିଥିଲେ କିନ୍ତୁ ତାଙ୍କ ସହିତ କୌଣସି ଶାରୀରିକ ସମ୍ପର୍କ ରଖିନଥିଲେ । ଠିକ ସେହିଭଳି ଗୋଟିଏ ବାଳକ ଓ ଗୋଟିଏ ବାଳିକାକୁ ନିଜର ପୁଅ ଓ ଝିଅର ପରିଚୟ ଦେଇ ରଖିଥିଲେ । ସେ ନିଜେ ଅତି ଗରିବ ଥିଲେ ମଧ୍ୟ କୌଣସି ଅଭାବଗ୍ରସ୍ତ ଦୁଃଖୀ ରଙ୍କି ଦେଖିଲେ ପିତାଙ୍କ ବିରୋଧ ସତ୍ଵେ ତାଙ୍କ ସଞ୍ଚିତ ଅର୍ଥ ଦେଇ ସେହି ଲୋକମାନଙ୍କୁ ପାରୁପର୍ଯ୍ୟନ୍ତ ସାହାଯ୍ୟ କରୁଥିଲେ । ଏଥିରୁ ତାଙ୍କର ଦୟାର୍ଦ୍ର ମନୋଭାବର ସମ୍ୟକ ସୂଚନା ମିଳେ ।

      ଧୀରେ ଧୀରେ ତାଙ୍କର କବି ପ୍ରତିଭା ଚାରି ଦିଗରେ ବ୍ୟାପିଗଲା । ତାଙ୍କର ଭକ୍ତି କବିତା ଶୁଣି ଲକ୍ଷ ଲକ୍ଷ ଲୋକ ଆକର୍ଷିତ ହୋଇ ତାଙ୍କୁ ଦେଖିବାକୁ ଓ ତାଙ୍କର କବିତା ଶୁଣିବାକୁ ଦୂରଦୂରାନ୍ତରରୁ ଆସିବାକୁ ଲାଗିଲେ । ତାଙ୍କର ଖ୍ୟାତି ବ୍ୟାପିବାକୁ ଲାଗିଲା । ତାଙ୍କର ଭକ୍ତି ସଙ୍ଗୀତ କୌଣସି ଗୋଟିଏ ଧର୍ମକୁ ଅନୁସରଣ କରୁନଥିଲା । ଯେ କୌଣସି ଧର୍ମର କୁଅର୍ଥ ଦେଖିଲେ ସେ ତୀବ୍ର ସମାଲୋଚନା କରୁଥିଲେ । ମୁସଲମାନଙ୍କ ସୁନ୍ନତ ପ୍ରଥା ଓ ହିନ୍ଦୁଙ୍କ ପଇତା ଧାରଣକୁ ସେ ସମାଲୋଚନା କରୁଥିଲେ । ପ୍ରାତଃ କାଳରେ ମୁସଲମାନ ପରମ୍ପରା ଅନୁଯାୟୀ ‘ଆଲ୍ଲା ହୋ ଆକବର’ ଡାକ ଶୁଣି ସେ କବିତାରେ ଲେଖିଛନ୍ତି – 

ମସଜିଦ ଉପର ମୁଲ୍ଲା ପୁକାରେ, କ୍ୟା ସାହେବ ତେରା ବେହରା ହାଏ,

ଚିଣ୍ଟିକେ ପଗ ନେଭର ବନ୍ଧେ, ସୋ ଭି ସାହିବ ସୁନତା ହାଏ ।

ଏହାର ଅର୍ଥ – ତୁମର ଆଲ୍ଲା କଅଣ କାଲା କି, ମସଜିଦ ଉପରେ ମୁଲ୍ଲା ଏତେ ଜୋରରେ କାହିଁକି ଚିତ୍କାର କରୁଛି, ପିମ୍ପୁଡ଼ି ଗୋଡ଼ରେ ବନ୍ଧା ଘଣ୍ଟି ଶବ୍ଦ ମଧ୍ୟ ସାହିବ (ଭଗବାନ) ଶୁଣିପାରନ୍ତି ।’ ଏହା ଶୁଣି ମୁସଲମାନ ସମ୍ପ୍ରଦାୟ ତାଙ୍କ ଉପରେ କ୍ରୋଧ ପ୍ରକାଶ କରୁଥିଲେ ।

ସେହିଭଳି ଗଙ୍ଗା ଜଳରେ ସ୍ନାନ କଲେ ସବୁ ପାପ କ୍ଷୟ ହୋଇଯିବା କଥାକୁ ସମାଲୋଚନା କରୁଥିଲେ । ଗୋଟିଏ ମାଟି ପାତ୍ରରେ ଗଙ୍ଗା ଜଳ ଆଣି ସେ ଜଣେ ବ୍ରାହ୍ମଣକୁ ପିଇବାକୁ ଦେବାରୁ ବ୍ରାହ୍ମଣ ମନା କଲେ । କାରଣ ଦର୍ଶାଇ କହିଲେ, “ଛୋଟ ଜାତିର ଲୋକ ଛୁଇଁବାରୁ ତାହା ଅପବିତ୍ର ହୋଇଗଲା ।” କବୀର କହିଲେ, “ଯଦି ଜଣେ ଛୋଟ ଜାତି ଲୋକର ସ୍ପର୍ଶରେ ଗଙ୍ଗା ଜଳ ନିଜେ ଅପବିତ୍ର ହେଉଛି, ତା’ହେଲେ ତାହା ମନୁଷ୍ୟର ପାପକୁ କିପରି କ୍ଷୟ କରିପାରିବ ?” ଏହିପରି କଥା ଯୋଗୁ ସେ ଲୋକଙ୍କର ଥଟ୍ଟା ପରିହାସର ପାତ୍ର ହୋଇଥିଲେ । ବିଭିନ୍ନ ଧର୍ମମାନଙ୍କୁ ସମାଲୋଚନା କରିବା ଫଳରେ ସେହି ଧର୍ମାବଲମ୍ବୀ ମୁଖିଆମାନଙ୍କର ଶତୃ ପାଲଟିଯାଇଥିଲେ । କିନ୍ତୁ ଠିକ ସେହି କାରଣମାନଙ୍କ ଯୋଗୁ ସେ ସାଧାରଣ ଲୋକଙ୍କର ଅତି ପ୍ରିୟଭାଜନ ହୋଇ ତନ୍ତୀ ଜାତିରୁ ସନ୍ଥ କବିରେ ପରିଣତ ହୋଇଥିଲେ । ସେ ନମ୍ର ସ୍ଵଭାବର ପ୍ରତୀକ ଥିଲେ ଓ ନିଜର ନାମ କବୀର ଦାସ ରଖିଥିଲେ, ଯାହାର ଅର୍ଥ ବିରାଟ ଦାସ ବା ବିରାଟ ସେବକ ।  

      ସେତେବେଳେ ଦିଲ୍ଲୀରେ ମୁସଲମାନଶାସକ ସୁଲତାନ ସିକନ୍ଦର ଲୋଦୀ ରାଜତ୍ଵ କରୁଥଲେ । ଈର୍ଷାନ୍ଵିତ ଧର୍ମ ରଖୁଆଳମାନେ କବୀରଙ୍କ ବିରୁଦ୍ଧରେ ଲୋଦୀଙ୍କ ଆଗରେ ଫେରାଦ କଲେ । କବୀରଙ୍କୁ ଆଣି ଲୋଦୀଙ୍କ ଆଗରେ ଠିଆ କରାଗଲା । ନବାବଙ୍କ ଆଗରେ ମୁଣ୍ଡ ନୋଇଁବାକୁ କହିବାରୁ ସେ କହିଥିଲେ, “ମୁଁ କେବଳ ଭଗବାନଙ୍କ ଆଗରେ ମୁଣ୍ଡ ତଳକୁ କରେ” । କ୍ରୋଧ ଓ ଅପମାନରେ ଲୋଦୀ ତାଙ୍କୁ ଶିକୁଳୀରେ ବାନ୍ଧି ନିଆଁରେ, ପୋଖରୀରେ ଓ ପାଗଳ ହାତୀ ଆଗରେ କ୍ରମାନ୍ୱୟରେ ରଖିଲେ ମଧ୍ୟ ତାଙ୍କର କୌଣସି କ୍ଷତି ହେଲାନାହିଁ । ତା’ପରେ ଆଶ୍ଚର୍ଯ୍ୟଚକିତ ଲୋଦୀ କବୀରଙ୍କର କ୍ଷମା ଭିକ୍ଷା କରି ତାଙ୍କୁ ମୁକ୍ତ କରିଥିଲେ । 

      ତାଙ୍କ କବିତାଗୁଡ଼ିକୁ ସୁଫି ସଙ୍ଗୀତ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି । ଆଶ୍ଚର୍ଯ୍ୟର ବିଷୟ, ବିଭିନ୍ନ ଶାସ୍ତ୍ରୀୟ ରାଗ ରାଗିଣୀ ଅନୁସାରେ ସବୁ କବିତା ସେ ଗାଇଥିଲେ । ଗୁରୁ କାହାକୁ କହନ୍ତି, ସଂସାରରେ ଭଲ କଅଣ ଓ ମନ୍ଦ କଅଣ, ଭଗବାନଙ୍କ ସହିତ କିପରି ମିଳନ ହୋଇପାରିବ ଇତ୍ୟାଦି ଅନେକ ଭକ୍ତି ସମ୍ପର୍କୀୟ ବିଷୟ ତାଙ୍କ କବିତାରେ ସ୍ଥାନ ପାଇଥିଲା । ଏହି ସମସ୍ତ କାରଣରୁ ତାଙ୍କୁ ଇଂରାଜୀରେ ମିଷ୍ଟିକ ପୋଏଟ (mystic poet) କୁହାଯାଏ । ତାଙ୍କର କବିତା ଗୁଡ଼ିକ ସାକ୍ଷୀ, ଶବଦ ଓ ରମୈନୀ (साखी, सबद, रमैनी) ଶୀର୍ଷକରେ ଅବଧୀ, ସଧୁକ୍କଡ଼ି ଓ ପଞ୍ଚମେଲ ଖିଚଡ଼ି (अवधी, सधुक्कड़ी, पंचमेल खिचड़ी) ଭାଷାରେ ଲେଖାଯାଇଥିଲା । ସେ ଗାଇଥିବା ସହସ୍ରାଧିକ କବିତାମାନଙ୍କୁ ‘ଦୋହା’ କୁହାଯାଉଛି । ଶୀର୍ଷକ ଥାଇ ଓ ନଥାଇ ସେ କବିତାମାନ ଗାଇଥିଲେ ।    

      ସେହି ସମୟରେ କାଶୀରେ ମୃତ୍ୟୁ ବରଣ କଲେ ସ୍ଵର୍ଗ ଓ ‘ମଘର’ରେ ମୃତ୍ୟୁ ବରଣ କଲେ ନର୍କ ପ୍ରାପ୍ତି ହୁଏ ବୋଲି ଲୋକମାନଙ୍କର ବିଶ୍ଵାସ ଥିଲା । ଏହି ବିଶ୍ଵାସକୁ ଭାଙ୍ଗିବାକୁ ସେ ମୃତ୍ୟୁ ପୂର୍ବରୁ ‘ମଘର’ (ଜିଲ୍ଲା – ଗୋରଖପୁର) ଗ୍ରାମକୁ ଯାଇ ସେଠାରେ ରହିଥିଲେ ଓ ଅବଶେଷରେ ସେହି ସ୍ଥାନରେ ତାଙ୍କର ଅନୁଗାମୀଙ୍କ ମତରେ ସନ ୧୫୧୮ରେ ମୃତ୍ୟୁ ବରଣ କରିଥିଲେ କିନ୍ତୁ ହଜାରି ପ୍ରସାଦ ତ୍ରିବେଦୀଙ୍କ ଗବେଷଣା ଅନୁଯାୟୀ ଏହା ୧୪୪୮ ହୋଇପାରେ ।

      ତାଙ୍କର ମୃତ୍ୟୁ ମଧ୍ୟ ଅତ୍ୟଧିକ ରହସ୍ୟମୟ । ତାଙ୍କର ମର ଶରୀରକୁ ଗୋଟିଏ ଚାଦର ସାହାଯ୍ୟରେ ଢାଙ୍କିଦିଆଯାଇଥିଲା । ନିକଟ ଓ ଦୂରରୁ ହଜାର ହଜାର ଲୋକ ତାଙ୍କ ଶେଷ ଦର୍ଶନ ନିମନ୍ତେ ଆସିବାକୁ ଲାଗିଲେ । ଜୀବଦ୍ଦଶାରେ ଅନେକ ଜାତିର ଲୋକଙ୍କର ଅପ୍ରିୟ ଥିଲେ ମଧ୍ୟ ମୃତ୍ୟୁ ପରେ ତାଙ୍କର ଲୋକପ୍ରିୟତା ସମସ୍ତ ସୀମା ଲଙ୍ଘନ କରିଥିଲା । ହିନ୍ଦୁ ଭକ୍ତମାନେ ତାଙ୍କ ମତ ଓ ମୁସଲମାନମାନେ ତାଙ୍କ ମତ ଅନୁସାରେ ଶେଷ କୃତ୍ୟ କରିବାକୁ ଜିଦ୍ ଧରିବସିଲେ । ଏହି ଗୋଳମାଳ ଯୋଗୁ କିଛି ସମାଧାନ ନହୋଇପାରିବାରୁ ଓ ଅସଂଖ୍ୟ ଭକ୍ତ ତାଙ୍କର ଶେଷ ଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିବାରୁ ଅବଶେଷରେ ତାଙ୍କର ମର ଶରୀର ଉପରୁ ଚାଦର କାଢ଼ିଦିଆଯାଇଥିଲା । ଆଶ୍ଚର୍ଯ୍ୟର ବିଷୟ, ଚାଦର ତଳେ କବୀରଙ୍କର ମର ଶରୀର ନଥିଲା ଓ ତା’ ବଦଳରେ ଅସଂଖ୍ୟ ସତେଜ ଫୁଲ ଜମା ହୋଇ ରହିଥିଲା । ଲୋକମାନେ ଏହି ଅଦ୍ଭୁତ ଦୃଶ୍ୟ ଦେଖି ସାଷ୍ଟାଙ୍ଗ ପ୍ରଣାମ କରିବାକୁ ଲାଗିଲେ । ସେହି ପୁଷ୍ପରାଶିରୁ ଅଧା ହିନ୍ଦୁମାନେ ନେଇ ଦାହ ସଂସ୍କାର କଲେ ଓ ଅଧା ମୁସଲମାନମାନେ ନେଇ କବର ଦେଇଥିଲେ । ତାଙ୍କର ଅଗଣିତ ଶତୃ ମଧ୍ୟ ଶେଷରେ ତାଙ୍କ ଆଚାର, ବ୍ୟବହାର, ଧର୍ମୋପଦେଶ ଓ କବିତାଦ୍ଵାରା ପ୍ରଭାବିତ ହୋଇ ତାଙ୍କର ପ୍ରଶଂସକ ପାଲଟିଯାଇଥିଲେ । ବିସ୍ମୟର ବିଷୟ, ମୀରା ବାଈଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କର ମର ଶରୀର ମିଳିନଥିଲା ଓ ଭଗବାନ ଶ୍ରୀକୃଷ୍ଣଙ୍କର ମୂର୍ତ୍ତିରେ ଲୀନ ହୋଇଯାଇଥିବା ବିଶ୍ଵାସ କରାଯାଏ । 

      ସନ୍ଥ କବୀରଙ୍କ ଜୀବନ, ଦର୍ଶନ, ଉପଦେଶ ଓ କବିତାମାନଙ୍କର ମର୍ମ ଅତିମାନବୀୟ ଓ ଅତି ବୃହତ୍ ଯାହା ଏହି କ୍ଷୁଦ୍ର ରଚନାରେ ସଂପୂର୍ଣ୍ଣ କରିବା ସମ୍ଭବ ନୁହେଁ । ଭାରତ ଓ ଭାରତ ବାହାରେ ଅନେକ ବ୍ୟକ୍ତି ତାଙ୍କର କବିତାର ଯଥାର୍ଥ ଅର୍ଥ ତଥା ମର୍ମ ବୁଝିବାକୁ ଗବେଷଣା କରିଚାଲିଛନ୍ତି ଓ ବହିମାନ ପ୍ରକାଶ କରିଚାଲିଛନ୍ତି । ଏହା ଏକ ପ୍ରବହମାନ ପ୍ରଚେଷ୍ଟା ଯେଉଁଥିରେ ମୁଁ ସାମାନ୍ୟ ଅଂଶ ମାତ୍ର ଗ୍ରହଣ କରିଛି ।  

* ବି:ଦ୍ର: ତାଙ୍କର ସହସ୍ରାଧିକ କବିତା ପଢ଼ିବାକୁ ଇଚ୍ଛୁକ ବନ୍ଧୁମାନେ ତାଙ୍କର ନାମ ଲେଖିଲେ ସମୟକ୍ରମେ କବିତା ପୁସ୍ତକ ପ୍ରକାଶ କରିବା ସହ ଆଲୋଚକମାନଙ୍କର ସମୀକ୍ଷା ମଧ୍ୟ ପ୍ରକାଶ କରିବି ।



Rate this content
Log in