Dr Subas Chandra Rout

Abstract Classics

4.0  

Dr Subas Chandra Rout

Abstract Classics

ମହାଯୋଗୀ

ମହାଯୋଗୀ

10 mins
205


ପ୍ରାୟ ୧୪୦ କେଜି ଓଜନ ବିଶିଷ୍ଟ ଜଣେ ଲୋକ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ରାସ୍ତାରେ ଯାଉଥିଲେ । ଜଣେ ପୋଲିସ ତାଙ୍କୁ ଦେଖି ଅଟକିବାକୁ କହିଲେ । ସେ ଚାଲୁଥାଆନ୍ତି, ଯେମିତି କିଛି ଶୁଣି ନାହାନ୍ତି । ସେହି ପୋଲିସ ଜଣକ ତାଙ୍କ ପଛରେ ଦୌଡିଲେ । ସେହି ବ୍ୟକ୍ତି ମଧ୍ୟ ଦୌଡ଼ିଲେ । ଆଉ ତିନି ଜଣ ପୋଲିସ ମଧ୍ୟ ସାଥିରେ ଗୋଡ଼େଇଲେ । ପୋଲିସ ଭାବିଲେ, ମୋଟା ଲୋକ, କେତେ ଦୌଡ଼ିବ ! ଥରେ ଧରିଲେ ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଠେଙ୍ଗାରେ ସେକିଦେବା ଯେ ଆଉ ଜୀବନରେ କେବେ ହେଲେ ଉଲଗ୍ନ ହେବାକୁ ସାହସ କରିବନି । ଯେତେ ଜୋରରେ ଦୌଡ଼ିଲେ ବି ସେମାନଙ୍କ ମଧ୍ୟରେ ଦୂରତା ସବୁବେଳେ ଏକ ହାତ ମାତ୍ର ରହିଲା । 

ଆଗରେ ଗୋଟିଏ ନଦୀ ଦେଖାଗଲା । ପୋଲିସ ଭାବିଲେ, ଏଥର କୁଆଡ଼େ ଯିବ; ତାକୁ ଧରି ଉତ୍ତମ ମଧ୍ୟମ ସେକିଦେବା । କିନ୍ତୁ ଏ କଅଣ ! ସେ ଲୋକ ନଦୀଜଳ ଉପରେ ଚାଲିବାକୁ ଲାଗିଲେ । ପୋଲିସ ନଦୀ କୂଳରେ ରହିଗଲେ । ଅତି ସ୍ରୋତସ୍ଵିନୀ ନଦୀ ଥିଲା । ହେଲେ କଅଣ ହେବ, ସେ ଲୋକ ପାଣି ଉପରେ ଏମିତି ଚାଲିଲେ ଯେମିତି ମାଟି ଉପରେ ଚାଲୁଛନ୍ତି । କିଛି ବାଟ ଯିବା ପରେ ସେଇ ନଦୀଜଳ ଉପରେ ବସି ରହିଲେ । ତଳେ ଜଳସ୍ରୋତ ଚାଲିଛି, ଉପରେ ସେହି ବ୍ୟକ୍ତି ନିର୍ବିକାର ଭାବରେ ବସିଛନ୍ତି । ପୋଲିସ ଆଖି ମଳି ମଳି ଦେଖିଲେ, ନାହିଁ ସ୍ଵପ୍ନ ତ ଦେଖୁନାହାନ୍ତି ।

ଏହା ବାସ୍ତବ ସତ୍ୟ ଥିଲା ଓ ଏହି ଭାରତଭୂମିରେ ଘଟିଥିଲା । ଏହିପରି ଅସଂଖ୍ୟ ଅଲୌକିକ ଓ ଅନନ୍ୟ ପ୍ରଦର୍ଶନର ମଣିଷ ଥିଲେ ତୈଲଙ୍ଗ ସ୍ଵାମୀ ଯାହାଙ୍କୁ ହଜାର ହଜାର ଲୋକ ସ୍ୱଚକ୍ଷୁରେ ପ୍ରତ୍ୟକ୍ଷ ଭାବରେ ଦେଖିଛନ୍ତି । କେହି କେହି ତାଙ୍କୁ ତ୍ରଇଲଙ୍ଗ ସ୍ଵାମୀ ନାମରେ ମଧ୍ୟ ଡାକୁଥିଲେ । 

      ସେ ନିଜକୁ ଏକ ଶିଶୁ ମନେକରୁଥିଲେ । ସୁତରାଂ ଉଲଗ୍ନ ହେବା କୌଣସି ଲଜ୍ଜାର କଥା ନଥିଲା ବା ଲୋକମାନଙ୍କ ଆଗରେ ସେ ନିଜକୁ ଅପ୍ରତିଭ ମନେ କରୁନଥିଲେ । ସେଭଳି ବ୍ୟକ୍ତିଙ୍କୁ ଆମେ ସାଧାରଣ ମଣିଷ କହିପାରିବାକି ?

ଆସନ୍ତୁ ଜାଣିବା ତାଙ୍କର ମାନବୀୟ ପରିଚୟ । ବିଜିଆନା ବା ଏବେକାର ଆନ୍ଧ୍ର ପ୍ରଦେଶର ବିଜୟନଗରମ ଇଲାକାରେ ଥିବା ହୋଲିଆ ନାମକ ଗ୍ରାମର ଏକ ଧନୀ ବ୍ରାହ୍ମଣ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ନରସିଂହ ରାଓ ଗ୍ରାମର ମୁଖିଆ ଥିଲେ । ମାତାଙ୍କର ନାମ ବିଦ୍ୟାବତୀ ଦେବୀ ଥିଲା । ପିତାମାତା ଦୁହେଁ ଅତ୍ୟନ୍ତ ଧାର୍ମିକ ସ୍ଵଭାବର ଲୋକ ଥିଲେ । ତାଙ୍କ ଘରୁ କେହି ସାହାଯ୍ୟ ମାଗି ଖାଲି ହାତରେ ଫେରୁନଥିଲେ । ଦୁହେଁ ସର୍ବଦା ମନ୍ତ୍ର ଜପ କରୁଥିଲେ ଓ ଶାନ୍ତିରେ ରହୁଥିଲେ ।  

ଦୀର୍ଘକାଳ ଧରି ସନ୍ତାନ କାମନା କରୁଥିବା ବିଦ୍ୟାବତୀ ଦେବୀଙ୍କର ଅବଶେଷରେ ଡିସେମ୍ବର ୧୬୦୭ ମସିହା (କେତେକ ମତରେ ୧୫୨୯) ଶୁକ୍ଳ ଏକାଦଶୀ ଦିନ ଏକ ପୁତ୍ର ସନ୍ତାନ ଜାତ ହେଲା । ସନ୍ତାନ ଭୂମିଷ୍ଠ ହେବା ପରେ ତାଙ୍କ ଗୃହରେ ହସ ଖୁସି ଓ ଉତ୍ସବର ଲହରୀ ଖେଳିଗଲା ।

ଅଶୌଚ ସମୟ ବିତିବା ପରେ ବିଦ୍ୟାବତୀ ଗ୍ରାମରେ ଥିବା ଏକ ମନ୍ଦିରକୁ ଗଲେ ଓ ବାରଣ୍ଡା ଉପରେ ପିଲାକୁ ଶୁଏଇ ଦେଇ ଭିତରକୁ ଗଲେ। ପୂଜା ସରିବା ପରେ ଫେରି ଆସି ଦେଖିଲେ, ତାଙ୍କ ପିଲା ଦେହରୁ ଏକ ଦିବ୍ୟ ଜ୍ୟୋତି ବାହାରୁଛି । ଏହା ଦେଖି ମାଆ ଭୟଭୀତ ହୋଇ କିଛି ସମୟ ଅନେଇ ରହିବା ପରେ ପିଲାକୁ ଧରି ଘରକୁ ଫେରିଆସି ତାଙ୍କ ସ୍ଵାମୀଙ୍କୁ ସେକଥା କହିଲେ । ତାଙ୍କ ସ୍ଵାମୀ ହାତ ଯୋଡ଼ି ଉପରକୁ ଅନେଇ କହିଲେ, “ଆମ ପୁଅ ବୋଧହୁଏ ଶିବଙ୍କ ସନ୍ତାନ ହୋଇଥିବ, ନହେଲେ ଏତେ ଦିବ୍ୟ ଜ୍ୟୋତି କୁଆଡ଼ୁ ଆସିବ ।” ପରବର୍ତ୍ତୀ ସମୟରେ ତାଙ୍କ ଗୃହରେ ଥିବା ଏକ ଶିବଲିଙ୍ଗରୁ ଏକ ଦିବ୍ୟ ଜ୍ୟୋତି ବାହାରି ପୁତ୍ର ଦେହରେ ମିଳେଇ ଯାଉଥିବା ଦୃଶ୍ୟ ସେହି ଗ୍ରାମର ଲୋକମାନେ ଦେଖିଥିଲେ । 

ମହାପ୍ରଭୁ ଶିବଙ୍କ ସହିତ ସମ୍ପର୍କ ଥିବା ଭାବନା ଯୋଗୁ ପିଲାବେଳେ ତାଙ୍କର ନାମ ଶିବରାମ ରଖାଯାଇଥିଲା । ବାଲ୍ୟ କାଳରେ ସେ ଖେଳ କୁଦରେ ନ ମାତି ପୁରାଣ ଶାସ୍ତ୍ର ଶୁଣିବାରେ ମଗ୍ନ ରହୁଥିଲେ । ସେହି କାଳରୁ ତାଙ୍କର ବୈରାଗ୍ୟ ଭାବ ଥିଲା ଓ ବଡ଼ ହେବାପରେ ଅବିବାହିତ ରହି ସାଧନା କରିବାକୁ ତାଙ୍କର ଇଚ୍ଛା ଥିଲା । ମାତାଙ୍କର ଅତ୍ୟଧିକ ଆଗ୍ରହ ଯୋଗୁ ସେ ବିବାହ କରିଥିଲେ ଓ ତାଙ୍କ ପରଲୋକ ପ୍ରାପ୍ତି ପର୍ଯ୍ୟନ୍ତ ଗୃହସ୍ଥାଶ୍ରମ ନିର୍ବାହ କରିଥିଲେ । ମାତାଙ୍କର ଅନ୍ତେଷ୍ଟି କ୍ରିୟା ଶ୍ମଶାନରେ କରିସାରିବା ମାତ୍ରେ ସେ ଆଉ ଗୃହକୁ ଫେରି ନଥିଲେ । ତାଙ୍କର ପୈତୃକ ସମ୍ପତ୍ତିର ଭାଗ ସାବତ ଭାଇମାନଙ୍କୁ ଦାନ କରିଦେଇଥିଲେ । ସେତେବେଳେ ତାଙ୍କର ବୟସ ବାଉନ ବର୍ଷ ଥିଲା । ସେହି ସ୍ଥାନରେ ଗୋଟିଏ କୁଟୀର ତିଆରି କରି ପ୍ରାୟ କୋଡ଼ିଏ ବର୍ଷ ଧରି ଏକାକୀ ସାଧନା କରୁଥିଲେ ।

ସଂଯୋଗ ବଶତଃ ପଂଜାବରୁ ଆସିଥିବା ସ୍ଵାମୀ ଭଗୀରଥାନନ୍ଦ ସରସ୍ଵତୀଙ୍କ ସହିତ ଭେଟ ହୋଇଥିଲା । ତାଙ୍କ ସହିତ ସେ ସବୁଦିନ ପାଇଁ ହୋଲିଆ ପରିତ୍ୟାଗ କରି ତୀର୍ଥ ଭ୍ରମଣ କରିବାକୁ ଗଲେ । ସେହି ଦୁଇ ପ୍ରସିଦ୍ଧ ବ୍ୟକ୍ତି ପୁଷ୍କର ତୀର୍ଥରେ ପହଞ୍ଚିଲେ । ସେଠାରେ ଭଗୀରଥ ସ୍ଵାମୀଙ୍କଠାରୁ ୧୬୭୯ ମସିହାରେ, ୭୮ ବର୍ଷ ବୟସରେ ସନ୍ୟାସ ଦୀକ୍ଷା ନେବା ପରେ ତାଙ୍କର ‘ଗଣପତି ସରସ୍ୱତୀ’ ନାମକରଣ କରାଯାଇଥିଲା । ଦଶ ବର୍ଷ କଠିନ ସାଧନା କରିବା ପରେ ୮୮ ବର୍ଷ ବୟସରେ ସେ ଭାରତର ପ୍ରସିଦ୍ଧ ତୀର୍ଥସ୍ଥାନମାନ ପରିକ୍ରମା କରିବାକୁ ବାହାରିଲେ । ସେହି ବୟସରେ ମଧ୍ୟ ତାଙ୍କ ଦେହରେ ବାର୍ଦ୍ଧକ୍ୟର କୌଣସି ଚିହ୍ନ ବର୍ଣ୍ଣ ନଥିଲା ଓ ସେ ସୁନ୍ଦର ସ୍ୱାସ୍ଥ୍ୟର ଅଧିକାରୀ ଥିଲେ ।

ତାଙ୍କୁ ଖାଇବା ଅବସ୍ଥାରେ କ୍ଵଚିତ କେହି ଦେଖିଛନ୍ତି, କିନ୍ତୁ ପ୍ରତି ବର୍ଷ ତାଙ୍କର ଓଜନ ଏକ ପାଉଣ୍ଡ (୧ କେଜି = ୨.୨୦୫ ପାଉଣ୍ଡ) ହିସାବରେ ବଢ଼ୁଥିଲା । ସର୍ବଦା ଉପବାସରେ ସେ ରହୁଥିଲେ କିନ୍ତୁ କୌଣସି ଶିଷ୍ୟ ବା ଭକ୍ତ କିଛି ଖାଇବା ପଦାର୍ଥ ଅର୍ପଣ କଲେ ସାଦରେ ଗ୍ରହଣ କରୁଥିଲେ । ସ୍ଵାସ୍ଥ୍ୟରକ୍ଷାର ମୌଳିକ ନୀତିକୁ ତାଙ୍କ ଇଚ୍ଛା ଅନୁସାରେ ସେ ପରିବର୍ତ୍ତନ କରୁଥିଲେ । 

 ଗୁରୁଙ୍କ ଦେହାନ୍ତ ହେବା ପରେ କିଛି ବର୍ଷ ପର୍ଯ୍ୟନ୍ତ ସେ ସେତୁବନ୍ଧ ଓ ରାମେଶ୍ଵରମରେ ରହିଥିଲେ । ସେହି ଦୁଇ ସ୍ଥାନରେ ତାଙ୍କର ଚମତ୍କାର ଶକ୍ତି ବିଷୟ ଶୁଣି ଲୋକମାନେ ବହୁତ ଭିଡ଼ ଜମେଇଲେ ଯାହା ଯୋଗୁ ତାଙ୍କର ସାଧନାରେ ବିଘ୍ନ ଜାତ ହେଲା । ସେଠାରୁ ସେ ମୋକ୍ଷ ଧାମ କାଶୀ ଯାଇ ଦଶାଶ୍ଵମେଧ ଘାଟରେ ଯୋଗାଶ୍ରମ କରି ଲୋକଙ୍କୁ ଯୋଗ ଶିକ୍ଷା ଦେଉଥିଲେ ଓ ଅଭାବୀ ଲୋକଙ୍କୁ ସାହାଯ୍ୟ କରୁଥିଲେ । ତାଙ୍କର ଚମତ୍କାରିତା ଚତୁର୍ଦ୍ଦିଗରେ ପରିବ୍ୟାପ୍ତ ହୋଇଯିବାରୁ ବହୁତ ଲୋକ ତାଙ୍କର ଦର୍ଶନ ନିମନ୍ତେ ଆସି ସେଠାରେ ମଧ୍ୟ ଭିଡ଼ ଜମେଇଲେ ।

ଭିଡ଼ ଯୋଗୁ ସେ ଭଲରୂପେ ଯୋଗ ସାଧନା କରି ନପାରିବାରୁ ବିଭିନ୍ନ ସମୟରେ ନେପାଳ, ତିବ୍ବତ, ଗଙ୍ଗୋତ୍ରୀ, ଯମୁନୋତ୍ରୀ ଓ ମାନସରୋବର ଆଦି କ୍ଷେତ୍ରକୁ ଯାଇ ସେହି ସ୍ଥାନମାନଙ୍କରେ ରହି ଯୋଗାଭ୍ୟାସ କଲେ । ପ୍ରୟାଗରେ ସେ ସନ ୧୭୩୩ ରେ ପହଞ୍ଚିଥିଲେ ଓ ଅବଶେଷରେ ସିଦ୍ଧି ପ୍ରାପ୍ତ ହୋଇ ସେ କାଶୀ ନଗରୀକୁ ଚାଲିଗଲେ । ବାରାଣସୀରେ ୧୭୩୭ ମସିହାରେ ପହଞ୍ଚି ସେଠାରେ ପ୍ରାୟ ୧୫୦ ବର୍ଷ ଧରି ବସବାସ କରିଥିଲେ । ତେଲୁଗୁ ଭାଷାଭାଷୀ ରାଜ୍ୟରେ ତାଙ୍କର ଗ୍ରାମ ଥିବାରୁ ସେଠାକାର ଲୋକମାନଙ୍କ ମଧ୍ୟରେ ସେ ତୈଲଙ୍ଗ ସ୍ଵାମୀ ବା ତ୍ରୈଲଙ୍ଗ ସ୍ଵାମୀ ନାମରେ ବିଖ୍ୟାତ ହୋଇଥିଲେ । 

      ଅଲୌକିକ କାର୍ଯ୍ୟାବଳୀ:- ଦକ୍ଷିଣ ଭାରତର ରାମଶ୍ଵରମ ସ୍ଥାନରେ ଏକଦା ସ୍ଵାମୀଜୀ ଚାଲି ଚାଲି ଯାଉଥିଲେ । ସେତେବେଳେ ଗୋଟିଏ ଯୁବକର ମୃତ୍ୟୁ-ପର ଶୋଭାଯାତ୍ରା ଚାଲିଥିଲା । ହଠାତ୍ ସ୍ଵାମୀଜୀ ସେହି ଶବ ପାଖକୁ ଯାଇ ହାତ ଟେକି ଆଶୀର୍ବାଦ ଦେଲେ । ଶୋଭାଯାତ୍ରାରେ ଯାଉଥିବା ଶହ ଶହ କ୍ରନ୍ଦନରତ ଲୋକଙ୍କ ସାମନାରେ ସେ ପିଲା ଉଠି ବସିବାରୁ ସମସ୍ତେ ଆଶ୍ଚର୍ଯ୍ୟାନ୍ଵିତ ହୋଇଯାଇଥିଲେ । କିନ୍ତୁ ପର ମୁହୂର୍ତ୍ତରେ ଏହି ଘଟଣାର ଜନକ ସ୍ଵାମୀଜୀଙ୍କୁ ଖୋଜିଲା ବେଳକୁ ସେ ସେଠାରୁ ଉଭେଇ ଯାଇଥିଲେ ।

      ପ୍ରାୟ ୨୫୦ ବର୍ଷ ଧରି ସେ ଯୋଗ-ସାଧନାରେ ରତ ଥିଲେ ଓ ଆଧ୍ୟାତ୍ମିକ ଜ୍ଞାନର ଶୀର୍ଷରେ ପହଞ୍ଚିଥିଲେ । ଏହା ବ୍ୟତୀତ ଯୋଗଶାସ୍ତ୍ରରେ ପଣ୍ଡିତ ଥିଲେ । କାଶୀରେ ଥିବାବେଳେ ଅତ୍ୟନ୍ତ ଜାଡ଼ ସମୟରେ ସେ ଗଙ୍ଗା ନଦୀ ଉପରେ ଦିନ ଦିନ ଧରି ଭାସୁଥିଲେ ଓ ମଣିକର୍ଣ୍ଣିକା ଘାଟରେ ପ୍ରଚଣ୍ଡ ଗ୍ରୀଷ୍ମଋତୁରେ ଗରମ ପଥର ଉପରେ ଶୋଇଥିବା ମଧ୍ୟ ଲୋକମାନେ

ଦେଖିଥିଲେ । ଦୀର୍ଘ କାଳ ଧରି ସେ ଜଳ ଉପରେ ବା ଜଳ ଭିତରେ ରହିଲେ ମଧ୍ୟ ତାଙ୍କ ଉପରେ କୌଣସି କୁପ୍ରଭାବ ପଡ଼ୁନଥିଲା ।

ଏକଦା ପୃଥ୍ଵୀଗିରି ନାମକ ଏକ ଶିଷ୍ୟ ତାଙ୍କୁ ଭେଟିବାକୁ ଆସିଥିଲେ । ବହୁତ ବ୍ୟକ୍ତି ତାଙ୍କୁ ଘେରି ରହିଥିଲେ । ତାଙ୍କ ପାଖକୁ ସହଜରେ ଯିବା ଅସମ୍ଭବ ମନେ ହେବା ପରେ ହଠାତ୍ ତାଙ୍କ ଗୁରୁ ତାଙ୍କୁ ଦେଖିପକେଇଲେ ଓ ସଙ୍ଗେ ସଙ୍ଗେ ଗୁରୁ ଶିଷ୍ୟ ଦୁହେଁ ଉଭାନ ହୋଇଗଲେ । ଅଧ ଘଣ୍ଟା ସମୟ ପରେ ଗୁରୁ ଫେରିଲେ କିନ୍ତୁ ଶିଷ୍ୟ ଫେରିଲେନି । 

ତାଙ୍କର ଦୀର୍ଘ ଜୀବନ, ଓଜନ ଓ ଅଲୌକିକ କାର୍ଯ୍ୟାବଳୀ ଯୋଗୁ ସେ ବଙ୍ଗ ପ୍ରଦେଶରେ ବିଖ୍ୟାତ ଥିଲେ । ସେଠାରେ ତାଙ୍କର ଆଧ୍ୟାତ୍ମିକ ଶକ୍ତି ଓ ସୁଦୀର୍ଘ ଆୟୁ ଯୋଗୁ ସେ ବହୁତ ଆଦର ପାଉଥିଲେ । ସେହି ପ୍ରଦେଶର ହୁଗୁଳି ଜିଲ୍ଲାରେ ଥିବା ଶ୍ରୀରାମପୁରରେ ଗୋପାଳ ନାମକ ଜଣେ ବ୍ୟକ୍ତି ଥିଲେ ଯାହାଙ୍କର ହଠାତ୍ ବୈରାଗ୍ୟ ଜାତ ହେଲା । ସେ ପରିବାରକୁ ତ୍ୟାଗକରି କାଶୀ ଧାମରେ ସ୍ଵାମୀଜୀଙ୍କ ପାଖକୁ ଗଲେ । ପ୍ରତିଦିନ ସେ ତାଙ୍କୁ କିଛି ନ କହି ଦେଖାକରୁଥିଲେ ଓ କିଛି ଫୁଲ ଫଳ ସମର୍ପଣ କରୁଥିଲେ । କିଛି ଦିନ ପରେ ସ୍ୱାମୀଙ୍କର କୃପା ଦୃଷ୍ଟି ତାଙ୍କ ଉପରେ ପଡ଼ିଲା ।

ଦିନେ ପ୍ରତ୍ୟୁଷରେ ସ୍ଵାମୀଜୀଙ୍କୁ ଗୋପାଳ କହିଲେ, “ଆଜି କେଜାଣି କାହିଁକି ମୋ ମନ ଅସ୍ଥିର ରହୁଛି । ଛାତି ଧଡ଼ ଧଡ଼ କରୁଛି । ଲାଗୁଛି ଯେମିତି କିଛି ଅଶୁଭ ଘଟିବାକୁ ଯାଉଛି ।” “ମୁଁ ଅଳ୍ପ ସମୟ ମଧ୍ୟରେ ତୁମ ଘରର ସମାଚାର ଆଣୁଛି,” କହି ସ୍ୱାମୀ କିଛି ସମୟ ଧ୍ୟାନମଗ୍ନ ହେବା ପରେ ଗୋପାଳଙ୍କୁ ସନ୍ଧ୍ୟା ସମୟରେ ଭୋଜନ ସାରି ଆସିବାକୁ କହିଲେ । ସନ୍ଧ୍ୟାରେ ସେ ଆସିବାରୁ ତାଙ୍କୁ କହିଲେ, “ତୁମ ପୁଅର ହଇଜା ରୋଗରେ ସକାଳେ ମୃତ୍ୟୁ ହୋଇଯାଇଛି ।” ଅତି ବ୍ୟାକୁଳ ହେଉଥିବା ଗୋପାଳକୁ ସେ ସଂସାରର ଅସାରତା ଓ ଅସ୍ଥିରତା କଥା କହି ବୁଝେଇଲେ । ତା ପରଦିନ ଗୋପାଳ ଟେଲିଗ୍ରାମ କରି ମୃତ୍ୟୁର ସତ୍ୟତା ବୁଝି ପାରି ଆଚମ୍ବିତ ହୋଇଥିଲେ ଯେ କେମିତି ଏଠାରେ ଥାଇ ସ୍ଵାମୀଜୀ ତାଙ୍କ ଘର କଥା ଜାଣିପାରିଲେ ! 

       ଥରେ ପୋଲିସ ତାଙ୍କୁ ଧରି ଜେଲ କୋଠରୀରେ ରଖିଦେଲେ । କିଛି ସମୟ ପରେ ସେ ଜେଲ ଛାତ ଉପରେ ବୁଲୁଥିବାର ଦେଖାଗଲା । ଯେଉଁ କୋଠରୀରେ ତାଙ୍କୁ ବନ୍ଦ କରାଯାଇଥିଲା, ସେ କୋଠରୀର ତାଲା ବନ୍ଦ ଥିଲା । ଆଉ ଥରେ ପୋଲିସ ତାଙ୍କୁ କାରାରୁଦ୍ଧ କରି ପହରା ଦେବା ବନ୍ଦବୋସ୍ତ କଲେ କିନ୍ତୁ ସେ ପୂର୍ବ ଥର ଭଳି ଛାତ ଉପରେ ବୁଲିବାକୁ ଲାଗିଲେ ।

ସ୍ଵାମୀଜୀ ସର୍ବଦା ମୌନ ରହୁଥିଲେ । ଅନେକ ଥର ଦେଖାଯାଇଛି, ସେ କୌଣସି ଦ୍ରବ୍ୟ ପାନ କଲେ ତାଙ୍କ ଉପରେ କୌଣସି କୁପ୍ରଭାବ ପଡ଼ୁନଥିଲା । ଏମିତିକି ବିଷ ପାନ କଲେ ମଧ୍ୟ ଅକ୍ଷତ ରହୁଥିଲେ । ଥରେ ଜଣେ ଦୁଷ୍ଟ ଲୋକ ବାଲ୍ଟିଏ ଦୁଧ ଆଣି ବିନୟ ପୂର୍ବକ ତାଙ୍କୁ ପିଇବାକୁ ଦେଲା ଯେଉଁଥିରେ ପ୍ରକୃତରେ ଦୁଧ ନଥାଇ ଚୂନ ମିଶ୍ରିତ ପାଣି ଥିଲା । ସ୍ଵାମୀଜୀ ଜାଣିପାରିଲେ ମଧ୍ୟ ତାକୁ ପିଇଲେ, କିନ୍ତୁ ଅଳ୍ପ ସମୟ ପରେ ସେହି ଦୁଷ୍ଟ ଲୋକର ପେଟରେ ପ୍ରବଳ ପୀଡ଼ା ହେବା ଯୋଗୁ ଛଟପଟ ହେଲା ଓ ସ୍ଵାମୀଜୀଙ୍କୁ କ୍ଷମା ମାଗିଲା । ସ୍ଵାମୀଜୀ ତାଙ୍କୁ କହିଲେ, “ତୁମେ ମୋତେ ବିଷ ପିଇବାକୁ ଦେଇଥିଲ, କିନ୍ତୁ ତୁମେ ଜାଣିନାହଁ ଯେ ତୁମର ଜୀବନ ଓ ମୋ ଜୀବନ ଏକାକାର ହୋଇଯାଇଛି । ଅଣୁ ପରମାଣୁ ସହ ମୋ ପେଟରେ ମଧ୍ୟ ଈଶ୍ଵର ବିରାଜମାନ କରିଛନ୍ତି ।” ଏତିକି କହି କ୍ଷମା କରିଦେବା ପରେ ସେ ଲୋକ କଷ୍ଟମୁକ୍ତ ହୋଇଗଲା । ଭୟରେ ସେ ଲୋକ ପଛକୁ ଘୁଞ୍ଚିଗଲା । ସ୍ୱାମୀ ସେଠାରେ ସେହି ମୂହୁର୍ତ୍ତରେ ସମସ୍ତ ଚୂନ ପାଣି ବାନ୍ତି କରିଦେଲେ । ଆଶ୍ଚର୍ଯ୍ୟରେ ସମସ୍ତେ ଅନେଇ ରହିଲେ । 

      ଏକଦା ପରମହଂସ ଯୋଗାନନ୍ଦଙ୍କର ମାମୁଁ ଭକ୍ତଙ୍କ ଭିଡ଼ ମଧ୍ୟରେ ସ୍ଵାମୀଙ୍କୁ ବସିଥିବା ଦେଖିଲେ । କୌଣସି ମତେ ଭିଡ଼ରେ ରାସ୍ତା ବାହାର କରି ତାଙ୍କ ପାଖକୁ ଯାଇ ଚରଣ ସ୍ପର୍ଶ କଲେ । ସ୍ପର୍ଶ ମାତ୍ରକେ ସେ ଅନୁଭବ କଲେ, ତାଙ୍କର ଦୀର୍ଘକାଳୀନ ପୀଡ଼ାଦାୟକ ପେଟ ବେମାରୀ ତୁରନ୍ତ ଭଲ ହୋଇଯାଇଛି । 

      ସ୍ଥାନୀୟ ରାଜାଙ୍କର ଜଣେ ଅଫିସର ଥରେ ରାମନଗରରୁ ଡଙ୍ଗାରେ ବସି ବନାରସ ଆସୁଥିଲେ । ଠିକ୍ ସେହି ସମୟରେ ସ୍ୱାମୀଜୀ ଗଙ୍ଗା ନଦୀ ଉପରେ ପଦ୍ମାସନରେ ବସିଥିଲେ । ଏହି ବିସ୍ମୟ ଜନକ ଘଟଣା ଦେଖି ଅଫିସର ଜଣକ ଅବାକ ହୋଇଗଲେ । ନାଉରିଆମାନଙ୍କଠାରୁ ସ୍ୱାମୀଜୀଙ୍କ ବିଷୟରେ ସବୁ କଥା ଅଫିସର ଜାଣିବା ପରେ ତାଙ୍କୁ ଡାକିଆଣି ଡଙ୍ଗାରେ ବସେଇଲେ । ଅଫିସର କିଛି ପ୍ରଶ୍ନ ପଚାରିଲେ, କିନ୍ତୁ ସ୍ଵାମୀଜୀ ଉତ୍ତର ନଦେଇ ଚୁପ ହୋଇ ବସିରହିଲେ । 

ମଝି ନଈ ଉପରେ ଯାଉଥିବାବେଳେ ଅଫିସରଙ୍କ ବହୁମୂଲ୍ୟ ସୁନ୍ଦର ସୁଶୋଭିତ ଖଣ୍ଡାଟି ଦେଖିବାକୁ ସ୍ୱାମୀ ମାଗିଲେ । ତାକୁ ଗ୍ରହଣ କଲାବେଳେ କୌଣସି କାରଣ ବଶତଃ ତାହା ହାତରୁ ଖସି ଗଙ୍ଗାରେ ପଡ଼ିଗଲା । ସେ ଖଣ୍ଡାଟି ଜଣେ ବଡ଼ ଇଂରାଜୀ ଅଫିସର ତାଙ୍କୁ ଭେଟି ଦେଇଥିଲେ । ଖଣ୍ଡା ପଡ଼ିଯିବା ଦେଖି ଅଫିସର ବଡ଼ ନାରାଜ ହେଲେ ଓ ବକିବାକୁ ଲାଗିଲେ । ସ୍ଵାମୀଜୀଙ୍କ ମୂଖ୍ୟ ଶିଷ୍ୟ ତାଙ୍କୁ ଶାନ୍ତ ରହିବାକୁ ଅନୁରୋଧ କଲେ । ବୁଡ଼ାଳି ଡାକି ଖଣ୍ଡାଟି ନଦୀରୁ କାଢ଼ି ଫେରେଇ ଦେବେ ବୋଲି କହି ତାଙ୍କୁ ଆଶ୍ଵାସନା ଦେଲେ । ଶିଷ୍ୟଙ୍କୁ ଦୁଃଖୀ ଦେଖି ସ୍ଵାମୀଜୀ ପାଣିରେ ହଠାତ୍ ହାତ ବୁଡ଼େଇ ତିନୋଟି ଖଣ୍ଡା ବାହାର କରିଆଣିଲେ ଓ ଅଫିସରଙ୍କୁ ନିଜ ଖଣ୍ଡା ବାଛି ନେବାକୁ କହିଲେ । ଆଶ୍ଚର୍ଯ୍ୟ ଚକିତ ଅଫିସର ସ୍ଵାମୀଜୀଙ୍କୁ ସବିନୟ କ୍ଷମା ପ୍ରାର୍ଥନା କରି ତାଙ୍କ ନିଜର ଖଣ୍ଡା ଗ୍ରହଣ କଲେ ।  

      ଥରେ ସ୍ଵାମୀଜୀ ଜଣେ ଲାହିଡ଼ି ମହାଶୟଙ୍କୁ ସାର୍ବଜନୀନ ଅଭିବାଦନ କରିବାକୁ ଇଚ୍ଛା କଲେ । ସ୍ଵାମୀଙ୍କ ଶିଷ୍ୟ ଏକଥା ଶୁଣି ସ୍ଵାମୀଜୀଙ୍କୁ ପ୍ରଶ୍ନ କଲେ, “ଆପଣ ଜଣେ ତ୍ୟାଗୀ ସନ୍ୟାସୀ । ଜଣେ ଗୃହସ୍ଥଙ୍କୁ କାହିଁକି ଏତେ ଆଦର ଗୌରବ ଦେଉଛନ୍ତି ?” ଉତ୍ତରରେ ସ୍ଵାମୀଜୀ କହିଲେ, “ଲାହିଡ଼ି ମହାଶୟ ଜଗତ ଜନନୀଙ୍କର ଦିବ୍ୟ ବାଳକ ଯାହାଙ୍କୁ ସ୍ଵୟଂ ମା ଏଠାରେ ବାଳକ ରୂପରେ ଛାଡ଼ି ଯାଇଛନ୍ତି । ସେ ପୂର୍ଣ୍ଣ ଆତ୍ମଜ୍ଞାନପ୍ରାପ୍ତ ହୋଇଛନ୍ତି ଯାହା ପାଇବାକୁ ମୁଁ ଦୁନିଆର ସବୁ କିଛି ପରିତ୍ୟାଗ କରିଛି, ଏପରିକି ମୋର କଉପୁନି ମଧ୍ୟ ।”

      ଏକଦା ସେ ଚାଲି ଚାଲି ଯାଉଥିବା ବେଳେ ଜଣେ ଇଂରେଜ ଅଫିସର ତାଙ୍କୁ ନିକଟବର୍ତ୍ତୀ କୌଣସି ସ୍ଥାନର ଠିକଣା ପଚାରିଲେ । ମୌନୀ ଥବା ହେତୁ ସେ ଉତ୍ତର ନ ଦେଇ ଚାଲିବାକୁ ଲାଗିଲେ । ବାରମ୍ବାର ପ୍ରଶ୍ନ କରିବା ସତ୍ଵେ କୌଣସି ଉତ୍ତର ନ ପାଇବାରୁ କ୍ରୋଧବଶତଃ ସେହି ଅଫିସର ସ୍ୱାମୀଙ୍କ ଗୋଟିଏ ଅଗ୍ରବାହୁକୁ ଖଣ୍ଡାଦ୍ଵାରା ହାଣିଦେଇ ଚାଲିଗଲେ । କୌଣସି ପ୍ରତିକ୍ରିୟା ନ କରି ସ୍ଵାମୀ ଚାଲିଥାଆନ୍ତି । କିଛି ଦୂର ଯିବାପରେ ଜଣେ ବାଟୋଇ ତାଙ୍କ କଟା ଅଗ୍ରବାହୁରୁ ରକ୍ତ ଝରୁଥିବା ଦେଖି ସ୍ଵାମୀଙ୍କ ନଜରକୁ ଆଣିଲେ । କିଛି ନକହି କଟା ସ୍ଥାନ ଉପରୁ ଆରମ୍ଭ କରି ତଳକୁ ଆଉଁସି ଦେଲେ ସ୍ଵାମୀ । ଆଶ୍ଚର୍ଯ୍ୟ ଚକିତ ହୋଇ ବାଟୋଇ ଦେଖିଲେ, ସ୍ୱାମୀଙ୍କ ହାତ ତୁରନ୍ତ କଅଁଳି ଯାଇ ପୁନଃସ୍ଥାପିତ ହୋଇଗଲା । 

ସେ ମାୟା ବିନିମୁକ୍ତ ଥିଲେ । ବାରାଣସୀରେ ଥିବା ଆସି ଘାଟ, ବେଦବ୍ୟାସ ଘାଟ ଓ ଦଶ୍ଵାସମେଧ ଇତ୍ୟାଦି ଘାଟମାନଙ୍କରେ ସେ ରହୁଥିଲେ । ସ୍ଵାମୀଜୀ ଙ୍କ ଓଜନ ୩୦୦ ପାଉଣ୍ଡ ଥିଲା ଓ ସେ ପ୍ରାୟ ତିନି ଶହ ବର୍ଷ ବଞ୍ଚିଥିଲେ । ତା’ ମଧ୍ୟରୁ କେବଳ ବାରାଣସୀରେ ୧୫୦ ବର୍ଷ ରହିଥିଲେ ।

ବାରାଣସୀରେ ସ୍ଵୟଂ ରାମକୃଷ୍ଣ ପରମହଂସ ତାଙ୍କୁ ସାକ୍ଷାତ କରିବାକୁ ଅନେକ ଥର ଯାଇଥିଲେ । ସ୍ଵାମୀଜୀ ସେତେବେଳେ ମଣିକର୍ଣ୍ଣିକା ଘାଟରେ ମୌନବ୍ରତ କରି ରହୁଥିଲେ । ସ୍ଵାମୀଜୀଙ୍କର ଶରୀରର ସମସ୍ତ ଲକ୍ଷଣ ତନ୍ନ ତନ୍ନ ଭାବରେ ଦେଖିସାରି ଫେରିବା ବାଟରେ ଅନ୍ତରରୁ କହିଥିଲେ, “ଯଥାର୍ଥରେ ସ୍ଵାମୀଜୀଙ୍କର ସମସ୍ତ ପରମହଂସ ଲକ୍ଷଣ ଅଛି । ଇଏ ସାକ୍ଷାତ ବିଶ୍ୱେଶ୍ୱର ଅଟନ୍ତି ।”

ସେ ଜଣେ ଅସାଧାରଣ ବ୍ୟକ୍ତି ଥିଲେ ଯାହାଙ୍କୁ ‘ଶିବଙ୍କ ଏକ ଅବତାର’ ବୋଲି ଶ୍ରୀମା ଭଳି ସାଧ୍ଵୀ ମହିଳା କହୁଥିଲେ । ଶ୍ରୀମା ଓ ରାମକୃଷ୍ଣ ପରମହଂସ ବ୍ୟତୀତ ଯୋଗାନନ୍ଦ ଓ ସେ ସମୟର ଅନେକ ବିଖ୍ୟାତ ସନ୍ଥମାନେ ମଧ୍ୟ ତାଙ୍କୁ ଶିବଙ୍କର ଚଳନ୍ତି ଅବତାର କହୁଥିଲେ । ଅବଧୂତ ବାବା ନାମରେ ମଧ୍ୟ ସେ ପରିଚିତ ଥିଲେ ।

      କେବଳ ବାରାଣସୀରେ ସେ ୧୭୩୭ ରୁ ୧୮୮୭ ମସିହା ପର୍ଯ୍ୟନ୍ତ ପ୍ରାୟ ୧୫୦ ବର୍ଷ ରହିଥିଲେ । ସେଠାରେ ତାଙ୍କୁ ସଚଳ ବିଶ୍ଵନାଥ ଉପାଧି ଦିଆଯାଇଥିଲା ଓ ଭଗବାନ ଶିବଙ୍କ ଅବତାର ମାନ୍ୟତା ଦିଆଯାଇଥିଲା । ତାଙ୍କ କର୍ମରୁ ଜଣାଯାଏ, ମନୁଷ୍ୟ ଜୀବନ କେବଳ ଅମ୍ଳଜାନ ଉପରେ ନିର୍ଭର କରେନି । ଏହା କେତେକ ସର୍ତ୍ତ ଓ ପରିସ୍ଥିତି ଉପରେ ମଧ୍ୟ ନିର୍ଭର କରେ । ଏହା କେବଳ ସ୍ଵର୍ଗୀୟ ଚେତନା ଆବଶ୍ୟକ କରେ । 

ସେ ପ୍ରକୃତରେ ଜଣେ ସିଦ୍ଧ କ୍ରିୟାଯୋଗୀ, ସନ୍ଥ ଓ ସାଧୁ ପୁରୁଷ ଥିଲେ । ଶତ୍ରୁ ମିତ୍ର ନିର୍ବିଶେଷରେ ସେ ସମସ୍ତଙ୍କର ମଙ୍ଗଳ କାମନା କରୁଥିଲେ । ବିଶ୍ୱକୁ ଇଶ୍ଵରଙ୍କ ମନର ଏକ ପରିକଳ୍ପନା ରୂପରେ ଅନୁଭବ କରୁଥିଲେ । ଅନେକ ସାଧୁ ସନ୍ଥଙ୍କ ଭଳି ସେ ଭାରତରେ ଜନ୍ମଗ୍ରହଣ କରିଥିଲେ କିନ୍ତୁ ତାଙ୍କ ଭଳି ମହାଯୋଗୀ ବିରଳ ଅଟନ୍ତି ।

      ଯାହା ଅଲୌକିକ କର୍ମ ହେଉଥିଲା ତାହା ବିନା କୌଣସି ଆଶାରେ ସ୍ଵତଃ ପରିସ୍ଫୁଟ ହେଉଥିଲା ଓ ସେହି କାର୍ଯ୍ୟ ସାଧନ ନିମନ୍ତେ କୌଣସି ଯାଦୁ ବା ମ୍ୟାଜିକର ସାହାଯ୍ୟ ନିଆଯାଉନଥିଲା । କିଛି ଧନ ରତ୍ନ ସେ ରଖିନଥିଲେ, କାରଣ ତାଙ୍କର କୌଣସି ଲାଳସା ନଥିଲା । ତାଙ୍କର ଚରିତ୍ର ଥିଲା ତାଙ୍କର ଅନୁପମ ଧନ । ତାଙ୍କର କୌଣସି ମଠ, ଆଶ୍ରମ ବା କୋଠାବାଡ଼ି ଆଦି କିଛି ନଥିଲା । ଅନ୍ୟାନ୍ୟ ଅନେକ ଭଣ୍ଡ ସାଧୁଙ୍କ ଭଳି ଅନୁଗାମୀମାନେ ତାଙ୍କ ବିଷୟରେ କୌଣସି ଅଯଥା ପ୍ରଚାର କରୁନଥିଲେ ।  

ସେ ଜାଣିଥିଲେ, ଏହି ପାର୍ଥିବ ଶରୀର ଏକ ଘନୀଭୂତ କାର୍ଯ୍ୟସାଧକ ଅତିରିକ୍ତ ଆଉ କିଛି ନୁହେଁ । ତେଣୁ ସେ ନିଜର ରୂପ ମଧ୍ୟ ବଦଳେଇ ପାରୁଥିଲେ । ଏହା ହିଁ ତାଙ୍କର ବୈଚିତ୍ର୍ୟ ଥିଲା । 

       ଶେଷ ସମୟ:- ସାରା ପୃଥିବୀରେ ସେ ବିଖ୍ୟାତ ହୋଇଥିଲେ । ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସେ ଦେହ ତ୍ୟାଗ କଥା କହିଥିଲେ । ସନ ଡିସେମ୍ବର ୧୮୮୭, ପୌଷ ୧୧ ଦିନ ସନ୍ଧ୍ୟା ସମୟରେ ସେ ଯୋଗାସନରେ ଏକାଗ୍ର ଚିତ୍ତରେ ବସି ତାଙ୍କର ନଶ୍ଵର ଶରୀର ପରିତ୍ୟାଗ କରିଥିଲେ । ସେତେବେଳେ ତାଙ୍କର ବୟସ ୨୮୦ ବର୍ଷ ହୋଇଥିଲା (୧୬୦୭ - 1887) । ତାଙ୍କୁ ଏକ କଫିନରେ ପୁରେଇ ଗଙ୍ଗା ଘାଟକୁ ନିଆଗଲା । ଶେଷ ଦର୍ଶନ ନିମନ୍ତେ କଫିନ ଖୋଲିବାରୁ ତାଙ୍କ ମର ଶରୀର ବଦଳରେ ସେଥିରେ ସୁଗନ୍ଧିତ ପୁଷ୍ପ ସଂଭାର ଭର୍ତ୍ତି ହୋଇ ରହିଥିବା ଦେଖାଯାଇଥିଲା । କୋଟି କୋଟି ଲୋକଙ୍କୁ ଶୋକ ସାଗରରେ ଭସେଇ ସେ ପବିତ୍ର ଭାରତ ଭୂମିରୁ ବିଦାୟ ନେଇଗଲେ ।  


ସଂଗ୍ରାହକ ଓ ଲେଖକ - ସୁବାସ ଚନ୍ଦ୍ର ରାଉତ


Rate this content
Log in

Similar oriya story from Abstract