Sambit Srikumar

Crime Inspirational

4.7  

Sambit Srikumar

Crime Inspirational

ଏସ୍କର୍ଟ୍ ଦୀପୁନ୍

ଏସ୍କର୍ଟ୍ ଦୀପୁନ୍

8 mins
326


"ଭାଇ, ମୁଁ ଟଙ୍କା ପାଇଁ କିଛି ବି କରି ପାରିବି। ଏମିତି କି ମର୍ଡର ବି କରି ପାରିବି। ମୋତେ ଖାଲି ଟଙ୍କା ଦରକାର। ପୁଳା ପୁଳା ଟଙ୍କା ମୋର ଦରକାର। ଭାଇ, ଆପଣ ମୋତେ ଯାହା ବି କାମ ଦେବେ ସବୁ ଇମାନଦାରି ସହକାରେ କରିବି। ମୋ ଉପରେ ଭରସା ରଖନ୍ତୁ। ଥରୁଟିଏ ମାତ୍ର କିଛି କାମ ଦେଇ କରି ଦେଖନ୍ତୁ, ଯଦି ନପାରିବି ଆଉ କେବେ ବି ଆପଣଙ୍କୁ ମୁହଁ ଦେଖାଇବି ନାହିଁ..."।


ଏକା ନିଶ୍ବାସକେ ଭାବ ବିହ୍ବଳ ହୋଇ କହି ଚାଲିଥିଲା ଦୀପୁନ୍। ଦୀପୁନ୍ ଦାସ୍। ଏଇ ନାଁ ଟା ହିଁ ତା'ର ପରିଚୟ। ଖଣ୍ଡ ମଣ୍ଡଳରେ ତା' ନାଁର ଗୋଟେ ନିଆରା ପରିଚୟ ରହିଛି। ଛ' ଫୁଟ ଉଚ୍ଚତା ବିଶିଷ୍ଟ ବଳିଷ୍ଠ ସୁଠାମ ବପୁଧାରୀ ଯୁବକ। ଆକର୍ଷଣୀୟ ଚେହେରା ଯାହାକୁକି କେହିବି ନିରେଖି ଚାହିଁବ ବାରମ୍ବାର। ଗାଁ ପାଖ କଲେଜର ହିରୋ! ଲବଙ୍ଗ ଦ୍ବୀପର ରାଜକୁମାର, ଅସଂଖ୍ଯ ତରୁଣୀଙ୍କ ସ୍ବପ୍ନର ସୌଦାଗର। ଛାତ୍ର ସଂସଦର ସଭାପତି।


ଏସବୁ ବ୍ଯତୀତ ଯେଉଁ କଥାଟି ପାଇଁ ଦୀପୁନ୍ ନିଆରା, ସେଇଟା ହେଉଛି ଲୋକଙ୍କ ସୁବିଧା ଅସୁବିଧାରେ ସିଏ ସର୍ବାଗ୍ରେ ଥାଏ। ବିପଦ ଆପଦରେ ସମସ୍ତଙ୍କୁ ଯଥା ସମ୍ଭବ ସାହାଯ୍ୟ କରେ। ରାତି ଅଧରେ କାହାକୁ ହସ୍ପିଟାଲ ନେଇକରି ଯିବା ହେଉ କି କେତେବେଳେ ଆଉ କାହାକୁ କି କି ସାହାଯ୍ୟ, ସବୁଥିରେ ଦୀପୁନ୍ ହିଁ ପହିଲେ ଖୋଜାପଡ଼େ।

ଛାତ୍ରାବସ୍ଥାରେ ଅତ୍ୟନ୍ତ ମେଧାବୀ ନହେଲେ ମଧ୍ୟ ହାରାହାରି ଛାତ୍ର ଥିଲା ସିଏ। ତଥାପି ଜୀବନ ବ୍ୟାପି ଯାହିତାହି ପ୍ରଥମ ଶ୍ରେଣୀରେ ପ୍ରଥମ ପ୍ରୟାସରେ ଉତ୍ତୀର୍ଣ୍ଣ ହୋଇଛି। କଲେଜ ଛାଡିବା ପରେ ଯେ, ଚାକିରି କରିବା ପାଇଁ ଏତେ ଅସୁବିଧା ଭୋଗ କରିବାକୁ ପଡ଼ିବ ଦିନେ ବି କଳ୍ପନା କରି ନଥିଲା ଦୀପୁନ୍। ବି.ଏ. ଡିଗ୍ରୀ ସାର୍ଟିଫିକେଟ୍ ହାତରେ ଧରି ରାଜଧାନୀ ଭୁବନେଶ୍ଵରରେ ଏ ଅଫିସରୁ ସେ ଅଫିସକୁ ଧାଇଁ ଧାଇଁ ଚପଲ ଛିଣ୍ଡିଗଲାଣି ତଥାପି ଧାଇଁବାର ଅନ୍ତ ନାହିଁ। ଚାକିରି ଖଣ୍ଡିଏ ମିଳିବାର ନାଁ ନାହିଁ।


ଦିନକୁ ଦିନ ଭାଙ୍ଗି ପଡେ ଦୀପୁନ୍। ଭାଙ୍ଗିଯାଏ ତା'ର ଆତ୍ମ ବିଶ୍ୱାସ। ଘରୁ ଆଣିଥିବା ଟଙ୍କା ପଇସା ଧିରେ ଧିରେ ସରିବାକୁ ଲାଗିଲାଣି। ପେଟରେ ଭୋକ ଦାଉ ସାଙ୍ଗକୁ ଶରୀରର ଅବୟବ ଶିଥିଳ ହୋଇପଡନ୍ତି ବେଳେ ବେଳେ।

ପିଲାଟି ଦିନରୁ ବାପାଙ୍କୁ ଦେଖିନାହିଁ ସେ। ତା'ର ମାଆ ତାକୁ ବହୁକଷ୍ଟରେ ଛୋଟ ବେଳୁ ବଢାଇଛନ୍ତି। ସାଧ୍ୟ ମତେ ପାଠ ପଢାଇଛନ୍ତି। ଆଉ ମାଆ ଉପରେ ବୋଝ ହେବ ନାହିଁ ବୋଲି ଶପଥ କରି ଘରୁ ପଦାକୁ ଗୋଡ଼ କାଢ଼ିଛି ଦୀପୁନ୍। ଚାକିରି ଯୋଗାଡ଼ କରିବା ପରେ ହିଁ ଘରକୁ ଫେରିବ। ସିଏ ଭଲ ଭାବରେ ଜାଣିଛି ଯେ, ବିନା ଚାକିରିରେ ଘରକୁ ଫେରିଲେ, ମାଆ ସିନା ମୁହଁରେ କିଛି କହିବ ନାହିଁ, କିନ୍ତୁ ମନେ ମନେ ବହୁତ ଦୁଃଖ ପାଇବ। ସାହି ପଡିଶା ଲୋକେ ଦେଖେଇ ଶିଖେଇ ନାନା କଥା ଶୁଣେଇବେ ମାଆକୁ। ନା, ଏସବୁ ଘଟଣା ଘଟିବାକୁ ସେ ଦେବ ନାହିଁ। ଭଲ ଚାକିରିଟିଏ ନିଶ୍ଚିତ ଯୋଗାଡ଼ କରି ଗାଁକୁ ଯାଇ ସମସ୍ତଙ୍କୁ ମିଠା ଖୁଆଇବ। ଢେର୍ ଟଙ୍କା ରୋଜଗାର କରି ସୁଖ ସ୍ବାଛନ୍ଦ୍ୟରେ କାଳାତିପାତ କରିବ, ଏହା ହିଁ ତା' ଜୀବନର ଲକ୍ଷ୍ୟ।


ଏମିତି ଅନାବନା ବିକ୍ଷିପ୍ତ ଭାବନାରେ ଚିନ୍ତାମଗ୍ନ ଥିବା ସମୟରେ ଦିନେ ଆକସ୍ମିକ ଭାବେ ବରମୁଣ୍ଡା ଛକରେ ଦୀପୁନ୍.ର ଭେଟ ହେଲା ଲାଲାଭାଇଙ୍କ ସହିତ। ତାଙ୍କ ଗାଁ ପାଖର ଲୋକ ଲାଲାଭାଇ। ଛୋଟ ଠାରୁ ବଡ଼ ଯାଏ ସଭିଏଁ ଜାଣନ୍ତି ଲାଲାଭାଇଙ୍କୁ। ବଡ଼ ବଦାନ୍ୟ ବ୍ୟକ୍ତି ସିଏ। ଗାଁ ଗଣ୍ଡାରେ ମେଳା ମଉଛବ ହେଲେ ସବୁଠାରୁ ଅଧିକା ଟଙ୍କା ଏଇ ଲାଲାଭାଇ ହିଁ ଖର୍ଚ୍ଚ କରନ୍ତି। କଟକରୁ ନାମୀଦାମୀ ଗାୟକ ଓ କଳାକାରଙ୍କୁ ଆଣି ନାଚଗୀତ, ମେଲୋଡି କରାନ୍ତି।


ପୁରାନାମ ତାଙ୍କର ଲାଲମୋହନ ମହାନ୍ତି। ରାଜଧାନୀର ବିଶିଷ୍ଟ ରିଅଲ୍ଇଷ୍ଟେଟ୍ ବ୍ଯବସାୟୀ। ଖୁବ୍ ପଇସାବାଲା ଲୋକ ସିଏ। ପାଖାପାଖି କେଜିଏ ସୁନାର ନାନାଦି ଅଳଙ୍କାର ତାଙ୍କର ଶୋଭା ବର୍ଦ୍ଧନ କରୁଥାଏ ସବୁ ବେଳେ। ଶହ ଶହ ସଂଖ୍ଯାରେ କର୍ମଚାରୀ କାମ କରନ୍ତି ତାଙ୍କ ସଂସ୍ଥାରେ। ଲାଲାଭାଇଙ୍କୁ ଦେଖିବା ପରେ ଦୀପୁନ୍ ଆଖିରେ ଏକ ଚମକ ସୃଷ୍ଟି ହେଲା। ଖୁସିରେ କୁରୁଳି ଉଠିଲା ତା'ର ମନ ପ୍ରାଣ। ଭାଙ୍ଗି ପଡ଼ିଥିବା ଆତ୍ମବିଶ୍ୱାସ ପୁଣି ଯେମିତି ପୁନର୍ଜୀବିତ ହୋଇ ଉଠିଲା। ନଦୀର ପ୍ରଖର ସ୍ରୋତରେ ଭାସି ଯାଉଥିବା ଲୋକ କୁଟାଖିଅଟିକୁ ଆଶ୍ରା କରିବା ପରି ଥିଲା ତା'ର ଅବସ୍ଥା।


ଲାଲାଭାଇଙ୍କ ମଧ୍ଯରେ ତା'ର ପରିତ୍ରାଣକର୍ତ୍ତାଙ୍କୁ ଦେଖୁଥିଲା ଦୀପୁନ୍। ଆଉ ନିଜକୁ ସମ୍ଭାଳି ନପାରି ଲାଲାଭାଇଙ୍କ ଆଗରେ ଅନର୍ଗଳ ଭାବରେ କହିଗଲା ଚାକିରି ଖଣ୍ଡିଏ ପାଇଁ ରାଜଧାନୀର ରାଜରାସ୍ତାରେ ତା'ର ସଂଘର୍ଷରତ ଜୀବନର କଥା। ଏଇ ଲାଲାଭାଇ ଯଦି କୃପା କରିବେ, ତା' ପ୍ରତି ଟିକିଏ ସଦୟ ହେବେ ତାଙ୍କ ସଂସ୍ଥାରେ ଚାକିରିଟିଏ କରାଇଦେବେ। ଏମିତି ହେଲେ ତା'ର ଭାଗ୍ଯୋଦୟ ହେବ।


ଏମିତି ଚିନ୍ତା କରି ଦୀପୁନ୍ କହି ପକେଇଲା, "ଲାଲାଭାଇ ନମସ୍କାର! ଚିହ୍ନି ପାରୁଛନ୍ତି ନା ନାହିଁ ମୋତେ? ମୁଁ ଦୀପୁନ୍। ଦୀପୁନ୍ ଦାସ। ଆମ ଗାଁ ଈଛାପୁର। ଆପଣଙ୍କ ଗାଁ ପାଖରେ ଆମ ଗାଁ। ଗଲା ଦୋଳ ମେଲଣ ବେଳେ ଆପଣଙ୍କୁ ଆମେ ସବୁ କ୍ଲବ୍ ପିଲା ଭେଟିଥିଲୁ। କଣ ମ ଜାଣି ପାରୁନାହାଁନ୍ତି ଯେ...


ଗୋଲାମନଗରୀରେ ଗାଁ ପିଲାର ପରିଚୟ ଦେଉଥିବା ଦୀପୁନ୍ କଥା ଶୁଣି ଲାଲାଭାଇ ତାଙ୍କର ସୁନା ଫ୍ରେମ୍ ଲଗା ନାଲି ରଙ୍ଗର ଚଷମା ଟେକି ତାକୁ ତାଳୁରୁ ତଳିପା ଯାଏଁ ନିରେଖି ଚାହିଁଲେ। ଯଦିଓ ଏଇ ପିଲାଟାକୁ ଆଗରୁ କେଉଁଠି ଗାଁରେ କି ଗାଁ ପାଖ ଛକ ବଜାରରେ ଦେଖିଛନ୍ତି କିନ୍ତୁ ସଠିକ୍ ଭାବରେ ଠଉରେଇବା କାଠିକର ପାଠ। ଛ' ଫୁଟିଆ ହୃଷ୍ଟପୃଷ୍ଟ ବଳିଷ୍ଠ ପିଲାଟାଏ। ବ୍ଯକ୍ତିତ୍ବରେ ଆଭିଜାତ୍ୟପୂର୍ଣ୍ଣ ଠାଣି ସ୍ପଷ୍ଟ ଭାବେ ବାରି ହୋଇପଡୁଛି କିନ୍ତୁ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ। ସ୍ବଭାବତଃ ସ୍ବାଭିମାନୀ ଓ ବେଶ୍ କାମିକା ହୋଇଥିବ। ଚେହେରାକୁ ଦେଖି ଯାହା ଜଣା ପଡୁଛି ଗୁରୁତ୍ୱପୂର୍ଣ୍ଣ ତଥା ଗୋପନୀୟ କାର୍ଯ୍ୟରେ ନିୟୋଜିତ କଲେ ଅନ୍ତତଃ ପକ୍ଷେ ଠକିବ ନାହିଁ। ବିଶ୍ବସ୍ତ ହୋଇ ରହିବ ଚିରଦିନ।


: ହଁ... ହଁ... ଜାଣିଲି, ଜାଣିଲି। ତମେ ତାହେଲେ ଈଛାପୁର ତଳସାହିର ଦୀପୁନ୍। କୁହ ତମ ପାଇଁ ମୁଁ କଣ କରି ପାରିବି? ମାନେ ତମର କି ସାହାଯ୍ୟ କରି ପାରିବି ମୁଁ...

: ଲାଲାଭାଇ! ମୁଁ ଆପଣଙ୍କ ଠାରୁ ଢେର୍ ସାନ ବୟସରେ। ମୋତେ ତମେ କଣ କହୁଛନ୍ତି ଯେ? ତୁ କହନ୍ତୁ...

: ହଉ ବାବା ହେଲା। ଏବେ କହ, ତୋର କଣ ଦରକାର?

: ଭାଇ! ମୁଁ ବି.ଏ. ପାସ୍ କରିଛି ଫାଷ୍ଟ୍ କ୍ଲାସରେ। ଚାକିରି ଖଣ୍ଡିଏ ପାଇଁ ଏଠି ଏ ଅଫିସରୁ ସେ ଅଫିସକୁ ଦୌଡୁଛି। ମାସଟେ ହୋଇଗଲାଣି, ହେଲେ କିଛି ବି କାମ ମୋତେ ମିଳୁନାହିଁ। ଯଦି ଚାକିରିଟିଏ ମୋ ପାଇଁ ଯୋଗାଡ଼ କରି ଦିଅନ୍ତେ... ବହୁତ ଉପକାର ହୁଅନ୍ତା ଆପଣଙ୍କର ଆମ ପରିବାର ଉପରେ।


: ଆରେ ଏଇ ଗୋଟାଏ କଥା। ଅସରପା ଗୋଟେ ଚଢେଇ। ତୁ ବସ୍ ମୋ ଗାଡିରେ ଆଜି ହିଁ ତୋର ଇଣ୍ଟରଭ୍ୟୁ କରି ନେବା। ସାର୍ଟିଫିକେଟ୍ ଯାଞ୍ଚ କରିବା ପରେ ବାକି ଯାହା ସବୁ ଫରମାଲିଟି ଅଛି ପୁରଣ କରିବା ପାଇଁ ସପ୍ତାହକର ସମୟ ଲାଗିବ। କିନ୍ତୁ ତୁ ଚିନ୍ତା କର ନାହିଁ। ଚାହିଁଲେ କାଲି ଠାରୁ ଆମ ଅଫିସ୍ ଜଏନ୍ କରି ପାରିବୁ।

"ମଳୁ ଖୋଜୁଥିଲା କାକରପାଣି, ବଇଦ କହଲା ଦେ ତୋରାଣି!" ଲାଲାଭାଇଙ୍କ କଥା ଶୁଣି କାଳ ବିଳମ୍ବ ନ କରି ତାଙ୍କ ଟୋୟଟା ଫର୍ଚୁନର୍ ଗାଡିରେ ଯାଇ ଅତି ସନ୍ତର୍ପଣରେ ବସି ପଡ଼ିଲା ଦୀପୁନ୍। ଏତେ ବଡ଼ ଆଉ ଏତେ ଦାମୀକା ଗାଡ଼ିରେ ବସିବା ଥିଲା ତା'ର ପ୍ରଥମ। ଏଣୁ ମନରେ କିଛିଟା ଡର ବି ଥିଲା। କିନ୍ତୁ ଗଭୀର ଆତ୍ମବିଶ୍ୱାସ ଝଲସି ଉଠୁଥିଲା ତା'ର ମୁଖମଣ୍ଡଳରେ।


ବରମୁଣ୍ଡା ଛକରୁ ଖଣ୍ଡଗିରି ସ୍ଥିତ ଲାଲାଭାଇଙ୍କ ଅଫିସକୁ ଯିବା ସମୟରେ ଦୁହିଁଙ୍କ ଭିତରେ ଆଦୌ କୌଣସି କଥାବାର୍ତ୍ତା ହୋଇନଥିଲା, ଲାଲାଭାଇ ଫୋନ୍ ଯୋଗେ କାହା ସହିତ କଥା ହେଉଥିବା ହେତୁ। ଦଶ ମିନିଟ୍ ପରେ ସେମାନେ ପହଞ୍ଚିଲେ ଅଫିସରେ। ଲାଲମୋହନ ଇଷ୍ଟେଟ୍ସ୍ ଲିମିଟେଡ୍.ର ଚାରି ମହଲା ବିଶିଷ୍ଟ ସୁନ୍ଦର ଅଟ୍ଟାଳିକା। ଭଳିକି ଭଳି ଫୁଲଗଛର ସମ୍ଭାର। ସୁଦୃଶ୍ୟ ଦପ୍ତର। ଏକଦମ୍ ଷ୍ଟାର୍ ହୋଟେଲ ପରି ଦାମୀ ଆସବାବପତ୍ରର ସାଜସଜ୍ଜା। ଆଖି ଖୋସି ହୋଇଯିବ।


ଗାଡ଼ିରୁ ଓହ୍ଲାଇବା ପରେ ଆଜ୍ଞାଧୀନ ବାଧ୍ଯ ଛାତ୍ରଟିଏ ପରି ଦୀପୁନ୍ ଲାଲାଭାଇଙ୍କ ପଛେ ପଛେ ଚାଲିଲା ଅଫିସ ଭିତରକୁ। ମାଲିକଙ୍କ ସହିତ ଥିବାରୁ ଦରୱାନ୍ ବିନା ପଚରାଉଚରାରେ ଭିତରକୁ ଛାଡି ଦେଲା। ସିଧାସଳଖ ଦୁହେଁ ଲାଲାଭାଇଙ୍କର ଚ୍ଯାମ୍ବରକୁ ଚାଲିଲେ। ଲାଲାଭାଇ ତାଙ୍କ ଚୌକିରେ ବସି ପଡିଲେ। ଅଥଚ ବସିବାକୁ କୁହା ଯାଇନଥିବାରୁ ଦୀପୁନ୍ ଠିଆ ହୋଇ ରହିଥିଲା। ଏହା ଦେଖି ଲାଲାଭାଇ କହିଲେ, "ଆରେ ବାବା ବସ୍ ସେଠି। ଏତେ ଜାଗା ପଡିଛି ବସିବାକୁ, ଠିଆ ହୋଇ ରହିଲୁ କାହିଁକି? ତୋତେ କଣ ଅନୁମତି ଦରକାର ନା ନିମନ୍ତ୍ରଣ କରିବି ତୋତେ?"

: ନାଇଁ ଭାଇ। ବସୁଛି।

: ହଉ ଦେ ତ ତୋ ସାର୍ଟିଫିକେଟ୍ ସବୁ।

: ଏଇ ନିଅନ୍ତୁ ଭାଇ। ସବୁ ଅରିଜିନାଲ୍ ସାର୍ଟିଫିକେଟ୍। ମ୍ଯାଟ୍ରିକ୍ ଠାରୁ ଗ୍ରାଜୁଏସନ୍ ଯାଏ ସବୁ ସାର୍ଟିଫିକେଟ୍ ଆଉ ମାର୍କସିଟ୍ ଅଛି।

: ଆଛା ହଉ। ଆଗରୁ କୋଉଠି ଏକ୍ସପ୍ରିଏନ୍ସ୍ ନାହିଁ ନା ତୋର...

: ନାଇଁ ଭାଇ। ପୁରା ଫ୍ରେଶର୍ । ଏଇ ବର୍ଷର ପାସ୍ ଆଉଟ୍।

: ନୋ ପ୍ରୋବ୍ଲେମ୍। କିଛି କଥା ନାହିଁ। ଧିରେ ଧିରେ ସବୁ କିଛି ଶିଖିଯିବୁ। ଏକ୍ସପର୍ଟ୍ ହୋଇଯିବୁ କିଛିଦିନ ଭିତରେ। କେବଳ ଶିଖିବା ପାଇଁ ଇଣ୍ଟ୍ରେଷ୍ଟ୍ ଥିବା ଦରକାର। କାମ ଶିଖିବା ସମୟରେ ଆଉ ଆମ କମ୍ପାନୀରେ କାମ କରୁଥିବା ଯାଏଁ ତୋର ସବୁ ଅରିଜିନାଲ୍ ସାର୍ଟିଫିକେଟ୍ ଆଉ ଜରୁରୀ କାଗଜପତ୍ର ମୋ ପାଖରେ ରହିବ। ଏଥିରେ ତୁ ରାଜି ତ...

: ହଁ ଭାଇ । ସେ ସାର୍ଟିଫିକେଟ୍ ସବୁ ଆଉ କେଉଁ କାମକୁ। ମୁଁ ତ ଏଠି ସେଠି ବୁଲୁଛି। ବରଂ ଆପଣଙ୍କ ହେପାଜତରେ ସୁରକ୍ଷିତ ଥାଉ।


: ହଉ ହେଲା। ଏସବୁ ଫରମାଲିଟି ତ ପୁରଣ ହୋଇଯିବ। ଆମ ଏଚ୍.ଆର୍. ଟିମ୍ ଦେଖି ନେବ। ଏବେ ଅସଲ କଥା ହେଲା, ତୁ କଣ କଣ କାମ କରି ପାରିବୁ?

: ଭାଇ, ଆପଣ ମୋର ନିଯୁକ୍ତିଦାତା ପୁଣି ଅନ୍ନଦାତା। ମୋର ମାଲିକ। ଆପଣଙ୍କର ସବୁକଥା ମୁଁ ମାନିବି। ଆପଣ ଯେତେବେଳେ ଯାହା କହିବେ ସବୁ ଇମାନଦାରି ସହକାରେ କରିବି। ମୋତେ ସୁଖ ସ୍ବାଛନ୍ଦ୍ୟରେ ଜୀଇଁବାକୁ ଟଙ୍କା ଦରକାର। ମୁଁ ଟଙ୍କା ପାଇଁ କିଛି ବି କରି ପାରିବି। ଏମିତି କି ମର୍ଡର ବି କରି ପାରିବି। ମୋତେ ଖାଲି ଟଙ୍କା ଦରକାର। ପୁଳା ପୁଳା ଟଙ୍କା ମୋର ଦରକାର।

ଚତୁର ଶିକାରୀ ଲାଲମୋହନ ମହାନ୍ତି ମନେ ମନେ ଚିନ୍ତା କରୁଥିଲେ ଯେ, ସେ ଯେମିତିକା ଗୋଟିଏ ବିଶ୍ବାସୀ ଭୃତ୍ୟ ଖୋଜୁଥିଲେ ତାହା ତାଙ୍କୁ ଦୀପୁନ୍ ମାଧ୍ୟମରେ ମିଳି ଯାଇଛି। ଯିଏ କି ତାଙ୍କର ଗୋଟିଏ ଇସାରାରେ ମଣିଷ ମାରିବାକୁ ବି ପ୍ରସ୍ତୁତ। ଖୁସିରେ ଗଦଗଦ ହେଇ ଲାଲାଭାଇ କହିଲେ, "ଆରେ ଆରେ ଏସବୁ କଣ କହୁଛୁ। ଛି... ଛି... ମଣିଷ ମାରିବା କି ଖୁନ୍ ଖରାବା କାମ ମୁଁ କରେନାହିଁ କି ତୋତେ କରିବାକୁ ଦେବି ନାହିଁ। ମୁଁ ଶାନ୍ତିପ୍ରିୟ ମଣିଷଟିଏ। ଲୋକଙ୍କ ସେବା କରେ। କେବଳ ତୋତେ ଆମର ଖାସ୍ ଭିଭିଆଇପି ଅତିଥିମାନଙ୍କର ଯତ୍ନ ନେବାକୁ ହେବ। ସେମାନଙ୍କର ଫରମାଇସ୍ ପୁରଣ କରିବାକୁ ହେବ ଯାହା। ଏଥିରେ ତୋର ବି ମଙ୍ଗଳ... "


: ନାଇଁ ଭାଇ। ଏମିତି ଟିକେ ଭାବୁକ ହୋଇ କହି ଦେଲି।

: ତୁ ମୋ ସାନଭାଇ। ମୁଁ ତୋତେ ରାଜା କରି ରଖିବି। ତୁ ଯେତେବେଳେ ଯାହା ଚାହିଁବୁ ସବୁ କିଛି ତୋ ପାଇଁ ଲୁଟେଇ ଦେବି। ତୋର ଟଙ୍କା ପଇସା, ଘରଦ୍ବାର, ଜମିବାଡ଼ି, ଗାଡ଼ି ଘୋଡ଼ା କେଉଁଥିରେ ବି ଅଭାବ ରହିବ ନାହିଁ। ଆଜି ଠାରୁ ତୋର ଦାୟିତ୍ଵ ମୋର। ଆମ କମ୍ପାନୀ ଷ୍ଟାଫ୍ ମାନଙ୍କ ପାଇଁ ଥିବା ଆପାର୍ଟମେଣ୍ଟରେ ତୋର ରହିବା ବ୍ୟବସ୍ଥା କରିଦେଉଛି। ଖାଇବା ପିଇବା ରହିବା ସବୁ ମାଗଣା। ତୁ ଖାଲି ମନଲଗାଇ କାମ କର। ହଁ, ଆଉ ଗୋଟେ କଥା ତୋତେ ତୋ ଡ୍ରେସିଂ ଷ୍ଟାଇଲ୍ ଟିକେ ବଦଳାଇବାକୁ ହେବ। କାରଣ ସବୁଦିନ ତୋତେ ହାଇ-ଫାଇ ପାର୍ଟି ଆଟେଣ୍ଡ୍ କରିବାକୁ ଯିବାକୁ ହେବ ମୋ ସହିତ। ଦିଲ୍ଲୀ ମୁମ୍ବାଇ ସମେତ ଦେଶ ବିଦେଶରେ ବୁଲିବାକୁ ହେବ କ୍ଲାଏଣ୍ଟ୍ ମାନଙ୍କ ସହିତ। କାମ କରିବାର ତରିକା ମୁଁ ହିଁ ନିଜେ ତୋତେ ବତେଇବି। ତୋର ଚିନ୍ତା କରିବାର କିଛି ନାହିଁ। ତୁ କେବଳ ଏନଜୟ କର।


ଲାଲାଭାଇଙ୍କ କଥା ଶୁଣି ବି ନିଜ କାନକୁ ବିଶ୍ବାସ କରି ପାରୁନଥିଲା ଦୀପୁନ୍। ଏତେ ଦିନ ପରେ ଭାଗ୍ୟୋଦୟ ହେବା ପରି ମନେ ହେଉଥିଲା ତା'ର। ଏବେ ସବୁ ଦୁଃଖ କଷ୍ଟ ଦୈନ୍ୟ ଯାତନା କଷଣ ଦୂର ହୋଇଯିବ। ଏଇ ମୌକାରେ କପଟାଚାରୀ ଲାଲମୋହନ ମହାନ୍ତି କିଛି ସାଦା କାଗଜରେ ସରଳ ବିଶ୍ଵାସୀ ଦୀପୁନ୍ ଠାରୁ ଦସ୍ତଖତ କରାଇନେଲେ। ବିନା କୌଣସି ଦ୍ବିଧା ବା ଚିନ୍ତାରେ ଦୀପୁନ୍ ହସି ହସି ସବୁ କାଗଜରେ ଦସ୍ତଖତ କରି ନିଜକୁ କୃତ୍ଯ କୃତ୍ଯ ମଣୁଥିଲା।


ନିଯୁକ୍ତିଦାତା ଲାଲାଭାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗୋଟିଏ ସପ୍ତାହର ତାଲିମ ପ୍ରାପ୍ତି ଉପରାନ୍ତେ ଦୀପୁନ୍ ବାହାରି ପଡ଼ିଲା ଅର୍ଥାର୍ଜନର ବିକୃତ ପଥରେ। ଯେଉଁଠୁ ଫେରିବାର ସବୁ ରାସ୍ତା ବନ୍ଦ ହୋଇଯାଇଥିଲା ତା'ର। ଖୁବ୍ ଶୀଘ୍ର ସେ ପାଲଟିଗଲା ନିଷିଦ୍ଧ ନିଶିଥର ନିର୍ଜନ ପ୍ରହରର ବିଳାସୀ କଣ୍ଢେଇ। ପ୍ରଥମେ ପ୍ରଥମେ ତାକୁ ଟିକେ ଡର ତ ଲାଗୁଥିଲା କିନ୍ତୁ ଲାଲାଭାଇଙ୍କ ଛତ୍ରଛାୟା ତଳେ ତା' ମନର ଓରିମାନା ମେଣ୍ଟିବା ସହିତ ପ୍ରଚୁର ଅର୍ଥାର୍ଜନର ପଥ ସୁଗମ ହୋଇଗଲା।


ଦୁନିଆଁର ଅପବାଦ ସବୁକିଛି ସହିବାକୁ ସେ ପ୍ରସ୍ତୁତ ଥିଲା ବିଶ୍ବର ଏହି ସର୍ବପୁରାତନ ବୃତ୍ତିରେ ସଂଶ୍ଲିଷ୍ଟ ହୋଇ। ସ୍ବେଚ୍ଛାରେ ଆଦରି ନେଇଥିବା ଏହି କୁତ୍ସିତ ବୃତ୍ତିକୁ ନେଇ କେବେ ବି କାହାକୁ ଦୋଷାରୋପ କରିନାହିଁ ସେ, ବରଂ ଜୀବନ ଜୀଇଁବାର ସହଜ ଓ ସରଳ ମାର୍ଗ ଅନୁସରଣ କରି ବିଶେଷ ଭାବରେ ଗର୍ବିତ। ଲାଲାଭାଇଙ୍କ କୃପାରୁ ସିଏ ଆଜି ଏହି କ୍ଷେତ୍ରରେ ପ୍ରତିଷ୍ଠିତ ହାତଗଣତି ଲୋକଙ୍କ ମଧ୍ୟରେ ପରିଗଣିତ ହୋଇପାରିଛି।


ଇତିମଧ୍ୟରେ ବେଶ୍ କିଛି ବର୍ଷ ବିତିଗଲାଣି। ଈଛାପୁର ଗାଁର ଦୀପୁନ୍ ଆଜି ରାଜଧାନୀ ଭୁବନେଶ୍ଵରର ବିଶିଷ୍ଟ ଧନାଢ୍ୟ ବ୍ଯକ୍ତି। ଗାଁରୁ ଆରମ୍ଭ କରି ଦେଶର ବଡ ବଡ ମହାନଗରୀରେ ତା'ର ଅଟ୍ଟାଳିକା ସବୁ ବିରାଜମାନ। ସଭିଏଁ ତା'ର କ୍ଷୀପ୍ର ବେଗର ପ୍ରଗତିରେ ହତବମ୍ବ। ବିବାହ କରିବା ପାଇଁ ମାଆଙ୍କ ତରଫରୁ ପ୍ରୟୋଗ କରାଯାଇଥିବା ସମସ୍ତ ପ୍ରକାର ଚାପ ଫଳଶୂନ୍ଯ। ଅଗତ୍ୟା ଏକମାତ୍ର ପୁତ୍ରମଣିର ବିବାହ ଆଶା ତ୍ଯାଗ ପୂର୍ବକ ସଂସାରକୁ ପର କରି ଦେଇଛନ୍ତି ଅନେକ ଦିନରୁ।


ବେଶ୍ ରହସ୍ୟମୟ ଦୀପୁନ୍ ଦାସର ଜୀବନଚର୍ଯ୍ୟା, କେତେବେଳେ କେଉଁଠି ରହେ, କଣ କରେ, କେହିବି ଜାଣନ୍ତି ନାହିଁ। କେବଳ ଟଙ୍କା, ଟଙ୍କା ଆଉ ଟଙ୍କା ତା' ଜୀବନର ମୂଳମନ୍ତ୍ର, ମୁଳଦୂଆ, ଏକମାତ୍ର ଲକ୍ଷ୍ୟ। ଅର୍ଥର ପ୍ରାଚୁର୍ଯ୍ୟ ବଦଳାଇ ଦେଇଛି ତା'ର ମନୋଗତିକୁ। ଅମାପ ଧନର ଅହମିକାରେ ଆଜିକାଲି ଆଉ ଲୋକଙ୍କୁ ଚିହ୍ନି ପାରୁ ନାହିଁ ସେ। ପିଲାଦିନର ସାଙ୍ଗସାଥିମାନଙ୍କ ଠାରୁ ବରାବର ଦୂରତ୍ବ ବଜାୟ ରଖିଛି।


ଏମିତି କି ଲାଲାଭାଇଙ୍କ ସହିତ ସମ୍ପର୍କରେ ଆସିଛି ଭଟ୍ଟା। ସାନଭାଇ ଆଉ ବଡ଼ଭାଇର ଅହିନକୁଳ ସମ୍ବନ୍ଧ। ଲାଲାଭାଇଙ୍କୁ ଚକମା ଦେଇ ଭିଭିଆଇପି କ୍ଲାଏଣ୍ଟ୍ ମାନଙ୍କୁ ନିଜେ ସେବା ପ୍ରଦାନ କରୁଛି। ତା' ପରିଶ୍ରମର ଅର୍ଥରେ ଲାଲାଭାଇ କାହିଁକି ଭାଗିଦାର ହେବ? ଏହା ହିଁ ଦୁହିଁଙ୍କ ମଧ୍ୟରେ ସମ୍ବନ୍ଧ ବିଗିଡ଼ିବାର ପ୍ରମୁଖ ଏବଂ ଏକମାତ୍ର କାରଣ।


ଲାଲାଭାଇଙ୍କ ସହିତ ଶତ୍ରୁତାରେ ବେଶୀ ଦିନ ତିଷ୍ଠି ରହିବା ଅସମ୍ଭବ ହୋଇ ପଡୁଥିଲା ଦୀପୁନ୍ ପାଇଁ। ଦୁହିଁଙ୍କ ମଧ୍ୟରେ ଚାଲିଥିଲା ଶୀତଳ ଯୁଦ୍ଧ, ପତିଆରା ଜାହିର୍ କରିବା ପାଇଁ, ନିଜର ଶ୍ରେଷ୍ଠତ୍ବର ପରାକାଷ୍ଠା ପ୍ରଦର୍ଶନ କରିବା ପାଇଁ, ସମ୍ଭ୍ରାନ୍ତ ବର୍ଗର ସୌଖିନ୍ ଦରବାରରେ। ଦୁହିଁଙ୍କ ଭାଗିଦାରୀର ଫଳସ୍ବରୂପ ଦୁହେଁ ନିର୍ବିଘ୍ନରେ ଚଢିଚାଲିଥିଲେ ବିତ୍ତୀୟ ସାଫଲ୍ୟର ସୁଉଚ୍ଚ ସୋପାନ। କିନ୍ତୁ ପରସ୍ପର ପ୍ରତି ଅବିଶ୍ଵାସ ଆଉ ଅସହିଷ୍ଣୁ ମନୋଭାବ ସବୁକିଛି ଛାରଖାର କରିଦେଇଥିଲା।


ଶେଷରେ ଦିନେ ଖୋଲିଗଲା ତା'ର ସମ୍ଭାନ୍ତପଣିଆର ଭଦ୍ର ମୁଖା। ଦେହ ବ୍ୟବସାୟ ପରି ଘୃଣ୍ୟ ବୃତ୍ତିରେ ଲିପ୍ତ ଥିବାର ଅଭିଯୋଗରେ ଦିଲ୍ଲୀରେ ଗିରଫ ହୋଇଥିଲା ଦେଶର ଦାମୀ ଅଥଚ କୁଖ୍ୟାତ ଏସ୍କର୍ଟ୍ ଦୀପୁନ୍ ଓରଫ୍ ଦୀପୁନ୍ ଦାସ...



Rate this content
Log in

Similar oriya story from Crime