STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଚାହାବାଲା

ଚାହାବାଲା

2 mins
127

ଏକ ନମ୍ବର ଚାହାବାଲା ବୋଲି ଢେର୍ ସୁନାମ ଥାଏ ଲୋକଟିର ସହରର ସେହି ନିର୍ଦ୍ଦିଷ୍ଟ ଅଞ୍ଚଳରେ। ସକାଳ, ସଞ୍ଜ ହେଉ ଅବା ଦିନ ଦ୍ବିପ୍ରହର, ତା'ର ଦୋକାନ ଆଗରେ ଗ୍ରାହକଙ୍କ ଭୀଡ଼ ସଦାସର୍ବଦା ପରିଲକ୍ଷିତ ହୁଏ। ବ୍ୟସ୍ତ ବହୁଳ ସହରୀ ଜୀବନ ଚର୍ଯ୍ୟାରେ ହାତରେ ଚାହା କପ୍ ଧରି ଏକସଙ୍ଗରେ ଅନେକେ ସିଗାରେଟ୍ ଜଳାନ୍ତି ସେଠି। ନିରୁତା ଚାହା ପ୍ରିୟ ଗ୍ରାହକ ଏହାକୁ ନେଇ ଭୃକୁଞ୍ଚନ କରନ୍ତି କିନ୍ତୁ ତୁଣ୍ଡରେ ଚାହା ସୋସାଡି କିଛି ପ୍ରତିକ୍ରିୟା ପ୍ରକାଶ କରନ୍ତି ନାହିଁ।

ବଡି ଭୋରରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏଇ ଚାହା ଦୋକାନରେ ଗହଳ ଚହଳ ଲାଗିରହିଥାଏ। ଏହାର ପ୍ରମୁଖ କାରଣ ହେଉଛି ଦୋକାନୀଙ୍କ ସ୍ମିତହାସ୍ୟ ବୋଳା ସୁମଧୁର ବ୍ୟବହାର ଏବଂ ପରସା ଯାଉଥିବା ଚାହାର ଉଚ୍ଚ ଗୁଣବତ୍ତା ଓ କଞ୍ଚାମାଲର ବିଶୁଦ୍ଧତା। ଦୋକାନୀ କାହାରି ସହିତ ବିଶେଷ କଥାବାର୍ତ୍ତା କରେ ନାହିଁ କିମ୍ବା ଅଯଥା କଥା କହେ ନାହିଁ ଅନ୍ଯ ଚାହାବାଲାଙ୍କ ପରି। କିନ୍ତୁ କାହାକୁ କଣ ବିକିଲା, ମାନେ କେତେ ଚାହା, ସିଗାରେଟ୍, ଗୁଟଖା ଅବା ବିସ୍କୁଟ୍, ପାଣି ବୋତଲ ତାହାର ବରାବର ହିସାବ ରଖୁଥାଏ। ସଠିକ୍ ଦାମ୍ ନିଏ ଗ୍ରାହକଙ୍କ ଠାରୁ।

ବିନୋଦ ଏଇ ଚାହା ଦୋକାନରେ ନିୟମିତ ଗ୍ରାହକ କିନ୍ତୁ ଦୋକାନୀର ବ୍ୟସ୍ତତା ହେତୁ କେବେ ବି ମନଖୋଲା କଥାଭାଷା ହୋଇପାରେ ନାହିଁ। କିନ୍ତୁ ମନ ଭିତରେ ଦୋକାନୀର ଆୟ ଓ ଲାଭକୁ ନେଇ ଅଙ୍କ କଷୁଥାଏ। ଦିନକୁ ପ୍ରାୟ ସତର ଘଣ୍ଟା ପରିଶ୍ରମ କରୁଥିବା ଲୋକଟି କେତେ ଆୟ କରୁଥିବ? ସବୁବେଳେ ପଚାରିବ ପଚାରିବ ବୋଲି ଚିନ୍ତା କରେ କିନ୍ତୁ ସୁଯୋଗ ଜୁଟେ ନାହିଁ।

ଦିନେ ଦୋକାନରେ ଗ୍ରାହକଙ୍କ ଗହଳି ବିଶେଷ ନଥାଏ। ମନରେ ସାହାସ ବାନ୍ଧି ସିଏ ଦୋକାନୀକୁ ପଚାରିଲା, "ଭାଇ! ଗୋଟେ କଥା ପଚାରିବି। ଖରାପ ଭାବିବନି ତ

: କଣ ପଚାରିବେ ପଚାରନ୍ତୁ। ଏଥିରେ ଖରାପ ଭାବିବାର କଣ ଅଛି

:ଏଇ ଦୋକାନରୁ କଣ ଏମିତି ଆୟ ହେଉଛି ଯେ, ତମର ପୁରା ପରିବାର ଚଳି ଯାଉଛି?

:ବାବୁ! ଭଗବାନଙ୍କ କୃପାରୁ ସଂସାର ଚାଲିଛି। ଅଭାବ ବୋଲି କିଛି ନାହିଁ। ବାପାମାଆ ପିଲାଛୁଆ ସଭିଏଁ ଖୁସି ମୋର ଏଇ କାମରେ ଆଉ ଆୟରେ। ଆଉ କଣ ଦରକାର ଯେ?

ଦୋକାନୀର କଥା ଶୁଣି ଅକଳରେ ପଡିଗଲା ବିନୋଦ। ତା' କଥାର ବିନ୍ଦୁ ବିସର୍ଗ କିଛି ବି ବୁଝିପାରିଲା ନାହିଁ। ଆଉ କହିଲା, "ଭାଇ କିଛି ବୁଝି ହେଲା ନାହିଁ।"

: ବାବୁ! ଆପଣ ତ ପାଠପଢୁଆ ଲୋକ। ବୁଝି ପାରୁନାହାଁନ୍ତି କଣ... ସ୍ବାଧୀନ ବେପାର ଆମର। ଆପଣଙ୍କ ପରି ଚାକିରି କରି କାହାର ହାକୁମାତି କରିବାର ନାହିଁ କି କାହାଠାରୁ ଦିପଦ ଶୁଣି ମାନସିକ ଅଶାନ୍ତି ସୃଷ୍ଟି କରିବାର ନାହିଁ। ଯାହା ଆୟ ହେଲା ଶାନ୍ତିରେ ଘରେ ରହିଲୁ। ଶାଗ ପଖାଳ ଯାହା ମିଳିଲା ଖାଇଲୁ। ସପରିବାର ହସଖୁସିରେ ସମୟ କାଟୁଛୁ।

: ନାଇଁ ଭାଇ। ତୁମର ଏଇ ଦୋକାନରୁ କେତେ ଆୟ ହେଉଛି କୁହ...

: ସେକଥା ବାବୁ। ଏଇ ଧରି ନିଅନ୍ତୁ କପେ ଚାହାରେ ସବୁ ଖର୍ଚ୍ଚ ଗଲାପରେ ମୋର ଲାଭ ମାତ୍ର ଦୁଇ ଟଙ୍କା।

ମାମୁଲି ଚାହାବାଲା ଭାବି ହେୟଜ୍ଞାନ କରୁଥିବା ଦୋକାନୀର କଥା ଶୁଣି ବିନୋଦ ତୁଳନା କରୁଥିଲା ନିଜର ମାସିକ ଦରମା ସହିତ ଦୋକାନୀର ମାସିକ ଶୁଦ୍ଧ ଲାଭକୁ ଯଦି ଦିନକୁ ହଜାରେ କପ୍ ଚାହା ବିକ୍ରି ହେଉଥିବ ଶୁଦ୍ଧ ଲାଭ ଦୁଇ ହଜାର ଟଙ୍କା। ନା ଟ୍ଯାକ୍ସ ଦେବାର ଅଛି ନା ଆଉ କୋଉ ଝିନଝଟ୍ ଅଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract