ଟଙ୍କିକିଆ ଚାଉଳ
ଟଙ୍କିକିଆ ଚାଉଳ
ଶିତୁଆ ସକାଳରେ କଲେଜ ଛକ ନିତିଆନା ଚାହା ଦୋକାନରେ ଖଟି ଜମୁଛି। ଚାହା ଗ୍ଲାସ୍.ରୁ ବାହାରୁଥିବା ଗରମ ବାମ୍ଫ ସହିତ ତାଳ ଦେଇ ସରଗରମ ହୋଇଉଠୁଛି ଆଲୋଚନା। ଯୁବକ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କର ଇଏ ନିତିଦିନିଆ ସମ୍ମିଳୀତ ପ୍ରାତଃ ଆସର। କଟକ ସହରରୁ ନେଇ ବିଶ୍ବର କୋଣାନୁକୋଣର ସମସ୍ତ ଖବରର ଏଠି ପୁଙ୍ଖାନୁପୁଙ୍ଖ ଆଲୋଚନା ହୁଏ, ଟିକିନିକି ଚର୍ଚ୍ଚା ହୁଏ।
ଗଠନମୂଳକ ଆଲୋଚନା, ସମାଲୋଚନା ଏବଂ ପର୍ଯ୍ଯାଲୋଚନାର ମୁକ୍ତ ମଞ୍ଚଟିଏ ଏଇ ନିତିଆନା ଚାହା ଦୋକାନ। କିନ୍ତୁ ଆଜିର ଆଲୋଚନା ଯେତେ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ତ୍ବପୂର୍ଣ୍ଣ ତାହା ଠାରୁ ଅଧିକ ତାତ୍ତ୍ଵିକ, ବୌଦ୍ଧିକ ଏବଂ ତର୍କ ସଙ୍ଗତ।
ଆଲୋଚନା ଆରମ୍ଭ କରି ବରିଷ୍ଠ ନାଗରିକ ଅବଧୂତ ବାବୁ କହିଲେ, "ଏଇ ଟଙ୍କିକିଆ ଚାଉଳ ଆଜି ବେଶ୍ ବଦନାମ! ଦୁର୍ଦ୍ଧର୍ଷ ଓଡ଼ିଆ ଜାତିକୁ କର୍ମକୁଣ୍ଠ ଅର୍ଥାତ୍ କୋଢ଼ିଆ କରିଦେଇଛି ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି। ସଭିଏଁ ନିନ୍ଦୁଛନ୍ତି ଏଇ ଚାଉଳ ବଣ୍ଟାକୁ। ଶସ୍ତାରେ ନାମମାତ୍ର ମୂଲ୍ୟରେ ଆହାର ଉପଲବ୍ଧ ଥିବାରୁ, ଗାଁ ଗଣ୍ଡାରେ ମୁଲିଆ ମିଳୁ ନାହାଁନ୍ତି କାମ କରିବାକୁ। ବିଲବାଡି ଚାଷ ନହୋଇ ପଡିଆ ପଡିଛି। ଲୋକେ କର୍ମକୁଣ୍ଠ ହୋଇ କ୍ଲବଘରେ କି ଚଉତରା ମୂଳରେ ବସି ତାସ୍ ପତା ଖେଳୁଛନ୍ତି। କିନ୍ତୁ କାମ କରିବାକୁ ଇଚ୍ଛା କରୁ ନାହାଁନ୍ତି..."
ତାଙ୍କର କଥାଟା ସହଜରେ ଗ୍ରହଣୀୟ ହେଲା ନାହିଁ ଯୁବ ନେତା ରାଜୀବଙ୍କ ପକ୍ଷରେ। ସେ କହି ଉଠିଲେ,"ଓଡ଼ିଆଙ୍କୁ କୋଢ଼ିଆ କରିବାରେ ଦାୟୀ କିଏ? କେନ୍ଦ୍ର... ନହେଲେ ଆଉ କିଏ ଦାୟୀ? କେନ୍ଦ୍ର ଦେଉଛି ବୋଲି ତ ରାଜ୍ୟ ସରକାର ବାଣ୍ଟୁଛନ୍ତି। ରାଜ୍ୟର ଯାହା ସମ୍ବଳ, ସେଥିରେ ମାଗଣା ବଣ୍ଟନ ସମ୍ଭବପର ନୁହେଁ।"
: ଶହେରୁ ଚାଳିଶ ଭାଗ ତ ରାଜ୍ୟର ରାଜସ୍ବ ଖର୍ଚ୍ଚ ହେଉଛି। ତା'ଛଡା
କେନ୍ଦ୍ର କଣ ମାଗଣାରେ ଦେଉଛି କି? ଆମ ମାଟିରୁ ଯେଉଁ ଖଣିଜ ସମ୍ପଦ ନେଉଛନ୍ତି ତା'ର ରୟଲିଟି ବାବଦରେ ମିଳୁଥିବା ଅର୍ଥ ତ ଖୁବ୍ ନଗଣ୍ଯ। ଓଡ଼ିଆ ପୋଷିବେ ଗାଈ, ତାକୁ ଖାଇବାକୁ ଦେବେ, ତା' ଗୋବର ପୋଛିବେ। କିନ୍ତୁ କ୍ଷୀର ଖାଇବ କେନ୍ଦ୍ର, ଘିଅ ଖାଇବେ ରାଜ୍ୟ ବାହାରର ଅଣଓଡ଼ିଆ ବ୍ୟବସାୟୀ। କାଇଁ ଏଇଠି ଆମର ଖଣିଜପଦାର୍ଥକୁ ପ୍ରକ୍ରିୟାକରଣ କରୁନ, ଆମ ପିଲା ବି ଚାକିରୀ ପାଇବେ, ଦି'ପଇସା ରୋଜଗାର କରିବାକୁ ସକ୍ଷମ ହେବେ। କଥା ପଡିଛି, ସରକାର, ରାଜ୍ୟ ହେଉ ବା କେନ୍ଦ୍ର ମାଗଣାରେ କାହିଁକି ବାଣ୍ଟିବେ ନା...
: ଯଦି ଗରିବଗୁରୁବାଙ୍କ ପାଇଁ ସରକାର ମାଗଣାରେ ଚାଉଳ ବଣ୍ଟିଲେ, ଏମିତି କଣଟା ଭାସିଗଲା? ଲକ୍ଷ ଲକ୍ଷ କୋଟି ଟଙ୍କାର ଋଣ ତ ଦେଶର ଶିଳ୍ପପତି ବ୍ୟବସାୟୀ ଖିଲାପ କରି ପଳାତକ ସାଜିଲେ କାହିଁ ସେତେବେଳେ ତ କେହି କିଛି କହୁନଥିଲେ। କାରଣ କେନ୍ଦ୍ର ସରକାରଙ୍କ ଭିତିରିଆ ମଧୁଚନ୍ଦ୍ରିକା ରହିଛି ବ୍ୟବସାୟୀଙ୍କ ସହିତ।
: ହଉ ହେଲା। ଯଦି ନିହାତି ଅଭାବୀ ଲୋକ, ଗରିବଗୁରୁବାଙ୍କ ପାଇଁ ବାଣ୍ଟିଲ କିଛି ନାହିଁ। ହିତାଧିକାରୀ ତାଲିକାରେ କୋଠାବାଡି ଥିଲାବାଲାର ନାଁ ଯେ ଆସୁଛି। ରାଜନୈତିକ ଦଳର କର୍ମୀମାନଙ୍କ ପାଇଁ ଯେମିତି ଅନ୍ନଛତ୍ର ଖୋଲିଛି ଏଇ ମାଗଣା ବଣ୍ଟନ ବ୍ୟବସ୍ଥା। ଯେଉଁମାନେ ଶାସକଦଳର ସମର୍ଥକ ସେମାନେ ପାଇବେ କିନ୍ତୁ ଯେଉଁମାନଙ୍କ ପାଇଁ ପ୍ରକୃତ ପକ୍ଷେ ଯୋଜନା ସେମାନେ ଏଥିରୁ ବଞ୍ଚିତ।
: ସିଧାକଥା ଆଜ୍ଞା! ଯିଏ ଏଇ ସରକାରଙ୍କୁ ଭୋଟ୍ ଦେବ। ତା'ପାଇଁ ସରକାର ଯୋଜନା କରିବେ। ଏଥିରେ ନୂଆ କଣ ଯେ?
ଏକଥା ଶୁଣିବା ପରେ ଆଉ ସମ୍ଭାଳି ହୋଇ ରହିପାରିଲେ ନାହିଁ
ସାମ୍ବାଦିକ ଦିବାକର ବାବୁ। ଆଲୋଚନାକୁ ଡେଇଁ ପଡ଼ି ସିଏ କହିଲେ, "ଚାଷୀ ଅଭାବୀ ବିକ୍ରି ପାଇଁ ମୁଣ୍ଡ କୋଡୁଛି। ପୋକରା ବିହନ, ଚକଡା ପୋକ ତା' ମେରୁଦଣ୍ଡ ଭାଙ୍ଗି ଦେଉଛନ୍ତି। ଚାରିଆଡ଼ୁ ନିରୂପାୟ ହୋଇ ଆତ୍ମହତ୍ଯା କରିବାକୁ ସିଏ ଏକରକମ ବାଧ୍ୟ ହେଉଛି। ଏତେ ସବୁ ପରେ ଯାହିତାହି ଅମଳ ହେଉଛି କିଣିବାକୁ ଲୋକ ନାହାଁନ୍ତି ତ ସଂରକ୍ଷଣ କରିବା ପାଇଁ ଶୀତଳଭଣ୍ଡାର ନାହିଁ। ଚାହିଦା ବେଳେ ଅମୂଲ ମୂଲ ଭାଉ। କିନ୍ତୁ ଅମଳ ସମୟରେ ବିଲରେ ସଢୁଛି ଫସଲ। କୃଷି ପ୍ରଧାନ ରାଜ୍ୟ ବୋଲି ଡିଣ୍ଡିମ ପିଟାଯାଉଛି କିନ୍ତୁ କୃଷି ଓ କୃଷକ ପାଇଁ ଗଳଗ୍ରହ ସାଜିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ବଡ଼ ବଡ଼ ଶିଳ୍ପପତି ବ୍ୟବସାୟୀ ରାଜନୈତିକ ଚାନ୍ଦା ଦିଅନ୍ତି, ସେଥିପାଇଁ ତାଙ୍କର ଶହେ ଖୁଣ ମାଫ୍..."
ଭଜମନ ବାବୁ ବନ୍ଧୁ ଦିବାକର ବାବୁଙ୍କୁ ଗମାତ ଶୈଳୀରେ କଟାକ୍ଷ କରି କହିଲେ,"ଡବଲ୍ ଇଂଜିନ୍ ସରକାର ନଆସିବା ଯାଏଁ ଏମିତି ପରସ୍ପରକୁ ଦୋଷାରୋପ ଚାଲିଥିବ। ରାଜ୍ୟ, କେନ୍ଦ୍ରକୁ ନିନ୍ଦୁଥିବ ତ କେନ୍ଦ୍ର ରାଜ୍ୟର ଗୋହି ଖୋଳୁଥିବ, ଆଉ ସାମ୍ବାଦିକମାନଙ୍କୁ ଭଲ ଖୋରାକି ମିଳୁଥିବ।"
: ଆମେ ସାମ୍ବାଦିକମାନେ ହେଲୁ ସମାଜର ଆଖି, କାନ ଆଉ ମୁହଁ। ଯାହା ଦେଖିଲୁ, ଶୁଣିଲୁ ତାହା କହିଲୁ। ଦେଶ, ଜାତି ଓ ସମାଜକୁ ସଚେତନ କରିବା ଆମର କର୍ମ ଆଉ ଧର୍ମ। ରାଜନୀତି ତ ହେବ। ଏହା ବି ଏକ କର୍ମ, ନେତା, ମନ୍ତ୍ରୀ, ଅମଲାଙ୍କର... ଆମକୁ ଯିଏ ଯେତେ ନିନ୍ଦୁଛି ନିନ୍ଦୁ। ଆମର ପରବାୟ ନାହିଁ। ଆମ କାମ ଆମେ କରିବୁ ଜୀବନର ଶେଷ ଶ୍ବାସ ପର୍ଯ୍ୟନ୍ତ...
ଏଯାବତ ଚୁପଚାପ୍ ସବୁ କଥା ଶୁଣି ଖଟିର ମଜା ଉଠାଉଥିବା ରାମହରି ବାବୁ ଆଲୋଚନା ବ୍ଯକ୍ତିଗତ ସ୍ତରକୁ ଖସିଯାଉଥିବା ଦେଖି ସନ୍ତୁଳନ ରକ୍ଷା କରିବା ପାଇଁ କହିଲେ, "ଛାଡ଼ ହେ ବନ୍ଧୁମାନେ! ଏସବୁ ବଡ଼ ବଡ଼ିଆଙ୍କ ମଗଜର କଥା। ବିଭେଦ ସୃଷ୍ଟି କରି ଶାସନ କରିବା ନୀତି! ଆଉ ଗ୍ଲାସେ ଲେଖାଏଁ ଚାହା ଲଗାଅ ନିତିଆନା... ଏଠି ରାଜ୍ୟ ଆଉ କେନ୍ଦ୍ର ଭିତରେ ଲୁଚକାଳି ଖେଳ ଚାଲିଛି। ଆଙ୍ଗୁଳି ସନ୍ଧିରେ ମଳି, ଉପରେ ଉପରେ କରନ୍ତି କଳି, ଭିତରେ ଭିତରେ କୋଳାକୋଳି। ଆମେ ସବୁ ଭକୁଆ!"
ଶେଷକୁ ନିତିଆନା ସଭିଙ୍କ ହାତକୁ ଚାହା ଗ୍ଲାସ୍ ବଢାଇ ବଢାଇ କହୁଥିଲେ, "
ଆଉ ଯେଉଁଠି ସବୁ ଡବଲ୍ ଇଂଜିନ୍ ସରକାର ଚାଲିଛି ସେଠି କୋଉ ପରିସ୍ଥିତି ଭଲ ଯେ? ସେଠି ବି ବଣ୍ଟା ଚାଲିଛି।..."
ଚାହା ଗ୍ଲାସ୍.ରେ ଓଠର ସ୍ପର୍ଶ ଦେଉ ଦେଉ ସଭିଏଁ ହୃଦୟଙ୍ଗମ କରୁଥିଲେ... ସରକାର ଖାଲି ବିଭିନ୍ନ ଯୋଜନା ନାମରେ ବ୍ରାଣ୍ଡିଂ କରି ଭୁଆଁ ବୁଲାଉଛନ୍ତି ଲୋକଙ୍କୁ। ଟଙ୍କିକିଆ ଚାଉଳ ଖାଇ ଆମେ ସବୁ ଭକୁଆ ସାଜିଛନ୍ତି। ଅସଲ ସମ୍ବଳ ତ ମାର୍କାମରା ମହାପାତ୍ରେଙ୍କ ଝୁଲାମୁଣିରେ... ।