STORYMIRROR

Sambit Srikumar

Inspirational Children

3  

Sambit Srikumar

Inspirational Children

ଖୁସିର ମନ୍ତ୍ର (!)

ଖୁସିର ମନ୍ତ୍ର (!)

2 mins
170

ରବିବାର ଦିନ ସକାଳୁ ନିଦରୁ ଉଠୁ ଉଠୁ ଅଧୁଆ ମୁହଁରେ ଫୋନ୍ ଧରି ସୋଫା ଉପରେ ବସିପଡ଼ିଲେ ନଗେନ୍ ବାବୁ। ଏତିକି ବେଳେ ତାଙ୍କର କୁନି ଝିଅ ଗେହ୍ଲା ହେବା ପାଇଁ ଧାଇଁ ଆସିଲା। କିନ୍ତୁ ବିରକ୍ତି ପ୍ରକାଶ କରି ଝିଅକୁ ଆଡ଼େଇ ଦେଇ ଫୋନ୍.ରେ ବ୍ୟସ୍ତ ରହିଲେ ସିଏ। ଝିଅ ଭେଁ ଭେଁ ରଡି କାନ୍ଦିବାକୁ ଲାଗିଲା।

ଝିଅର କାନ୍ଦରେ କାନ ଅତଡା ପଡିବାରୁ ବାଲକୋନୀରେ ଫୋନ୍.ରେ ବ୍ୟସ୍ତ ଥିବା ଶ୍ରୀମତୀ ଝପଟି ଆସିଲେ ବୈଠକଖାନାକୁ। ଝିଙ୍ଗାସ ବଚନ ଭାଷିଲେ, "କି ବାପା ହେଇଛ ହେ ତମେ? ଛୁଆଟା କାନ୍ଦି କାନ୍ଦି ତଳେ ଗଡୁଛି ଅଥଚ ତମେ ଫୋନ୍.ରେ ବ୍ୟସ୍ତ... ଧିକ୍ ତୁମ ବାପାପଣିଆକୁ। ଝିଅ ଧିରେ ଧିରେ ବଡ଼ ହେଉଛି। ସବୁ ବୁଝି ପାରୁଛି। ଏଇ ଦିନଗୁଡ଼ାକ କଣ ଆଉ ଫେରିବ? ଆଜି ତମେ ତାକୁ ସମୟ ଦେଉନ, କାଲି ସିଏ ବି ତୁମକୁ ପଚାରିବନି..."

: ରଖ ହେ ତମର ଅଲଣା କଥା ତମ ପାଖରେ। ମୋର ଗୋଟେ ଜରୁରୀ ମେଲ୍ ଆସିଥିଲା ବୋଲି ଦେଖୁଥିଲି। ତମ ପରି ବଡ଼ି ଭୋରରୁ ବାପଘରକୁ ଭିଡ଼ିଓ କଲ୍ କରୁନଥିଲି। ମୋ ଠୁଁ ତ ତମେ ଅଧିକ ସମୟ ଫୋନ୍.ରେ ବିତାଉଛ...

: ମୁଁ ମାଆ ହେଲି ବୋଲି କଣ ମୋର ଆଉ ବାପଘର ନାହିଁ ନା କଣ? ମୋର ବି ନିଜର ବୋଲି କିଛି ଅଛି...

ଦମ୍ପତ୍ତିଙ୍କ ମଧ୍ୟରେ ଜାରି ରହିଥିବା ଉଚ୍ଚବାଚ ଉଗ୍ର ରୂପ ଧାରଣ କରିବାରେ ଲାଗିଥିଲା। ଏହାକୁ ଲକ୍ଷ୍ୟ କରି କଣ ବୁଝିଲା କେଜାଣି, କୁନି ଝିଅଟି ଆପଣାକୁ ବୋଧ ଦେଇ ଆସି ତା'ର ଦରୋଟି ଓଠରେ ଚେନାଏ ହସ ଖେଳାଇ କହିଲା,"ପାପ୍ପା... ପାପ୍ପା... ମୋର ଗୋଟେ ଫୋନ୍ ଦର୍କାର। କିଣି ଦିଅନା ମୋ ପାଇଁ ଗୋଟେ ଫୋନ୍। ମାମା, ନା ତାଙ୍କ ଫୋନ୍ ଦେଉନାହାନ୍ତି ମୋତେ। ତମେ ବି ତ ଦଉନ ତମ ଫୋନ୍। ଘରକୁ ତମେମାନେ ଯେତେବେଳେ ବି ଆସୁଛ, ଫୋନ୍.ରେ ବ୍ୟସ୍ତ ରହୁଛ। ମୋ ପାଇଁ ତ ତମମାନଙ୍କ ପାଖରେ ସମୟ ନାହିଁ। ସବୁବେଳେ ଖାଲି ଫୋନ୍... ଫୋନ୍ ଆଉ ଫୋନ୍। ମୋ ପାଖରେ ମାମା ପାପ୍ପା ଦି'ଜଣ ଯାକ ଥାଇକି ବି ମୁଁ ଏକଲା। ମୋ ସାଥିରେ ତମେମାନେ ଖେଳୁ ନାହଁ କି କଥାବାର୍ତ୍ତା କି ମଜା କୌତୁକ କରୁନାହଁ। ତମେମାନେ ତମମାନଙ୍କ ଦୁନିଆରେ ମସ୍ତ। ମୋ ପାଇଁ ଫୋନ୍ ଗୋଟେ ଆଣି ଦିଅ ଯେ, ମୁଁ ଆଉ ତମମାନଙ୍କୁ ଖୋଜିବି ନାହିଁ କି କନ୍ଦାକଟା କରିବି ନାହିଁ। ମୋ ପାଇଁ ତମ ଉପରେ ମାମା ରାଗିବେନି କି ତମେ ମାମାଙ୍କ ଉପରେ ରାଗିବନି। ମୋ ପାଇଁ ଫୋନ୍ ଗୋଟେ ଆଣି ଦେଲେ ଆମେ ସମସ୍ତେ ଖୁସିରେ ରହିବା..."

ଝିଅର କଥାରେ ଦୁହେଁ ଆପଣାର ତୃଟିକୁ ହୃଦୟଙ୍ଗମ କରି ପଶ୍ଚାତାପର ଦାବାନଳରେ ଦଗ୍ଧ ହୋଇଯାଉଥିଲେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational