STORYMIRROR

Sambit Srikumar

Tragedy Classics Inspirational

4  

Sambit Srikumar

Tragedy Classics Inspirational

ଆଦର

ଆଦର

3 mins
429

ଦୀର୍ଘ ତିରିଶି ବର୍ଷ ଧରି ସନିଆ ମାଆ କାମ କରି ଆସୁଥିବା ଶ୍ରୀରାମ ବାବୁଙ୍କ ଘରେ ଆଜିକାଲି ଉତ୍ସବର ପରିବେଶ। ଏକମାତ୍ର ପୁତ୍ର ଅମୂଲ୍ୟର ବିବାହୋତ୍ସବ ଅନୁଷ୍ଠିତ ହେଉଛି ବହୁ ଆଡ଼ମ୍ବର ସହକାରେ। ପୂର୍ବ ପ୍ରସ୍ତୁତି ତଥା ଅର୍ଥ ବ୍ୟୟ ବରାଦରେ କୌଣସି ଉଣା କରି ନାହାଁନ୍ତି ଶ୍ରୀରାମ ବାବୁ। ବିଭିନ୍ନ ତିଥିରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଯଥା ସଙ୍ଗୀତ, ହଳଦୀ-ମେହେନ୍ଦୀ, ତରୁଣ ପ୍ରୀତିଭୋଜନ ଇତ୍ୟାଦି ସ୍ଥିରୀକୃତ ହୋଇ ରହିଛି। ବନ୍ଧୁ ବାନ୍ଧବ ସାଙ୍ଗସାଥି ସାହି ପଡିଶା ଲେଖାଯୋଖା କୁଟୁମ୍ବ ସମସ୍ତଙ୍କୁ ବହୁ ପୂର୍ବରୁ ଯଥାବିଧି ନିମନ୍ତ୍ରଣ କରାଯାଇଛି। ଅତିଥି ଅଭ୍ଯାଗତଙ୍କ ଗହଳି ଚହଳିରେ ଉଠୁଛି ପଡୁଛି ଶ୍ରୀରାମ ବାବୁଙ୍କ ପ୍ରକାଣ୍ଡକାୟ ବାସଭବନ।

ଘାସଗାଲିଚାରେ ମେଲିଛି ଭଳିକି ଭଳି ଦେଶୀ ବିଦେଶୀ ଖାଦ୍ୟ ତଥା ପାନୀୟର ପସରା। ଯିଏ ଯାହା ପାରିଲା ଖାଇବ ଆଉ ପିଇବ। କୌଣସି ଜିନିଷରେ ବାରଣ କିମ୍ବା ସୀମିତତା ନାହିଁ। କିନ୍ତୁ ବିବାହୋତ୍ସବର ମୁଖ୍ୟ ଅଭ୍ୟର୍ଥନା ଉତ୍ସବ ଅନୁଷ୍ଠିତ ହେବ ଏକ ସପ୍ତତାରକା ରିସୋର୍ଟରେ। ଏଥି ପାଇଁ ହାତଗଣତି ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରଣ କରାଯାଇଛି। କାରଣ ଏଠିକାର ଅଭ୍ୟର୍ଥନା ବାବଦୀୟ ଖର୍ଚ୍ଚ ଢେର୍ ଅଧିକ। ସମସ୍ତଙ୍କୁ ଡାକି ଆପ୍ଯାୟିତ କରିବା ବ୍ଯୟ ସାପେକ୍ଷ। ଏତଦବ୍ୟତୀତ ଖାସ୍ ଲୋକଙ୍କ ସାଥିରେ ମଳି ମୁଣ୍ଡିଆଙ୍କୁ ଡାକି ଚର୍ଚ୍ଚା କରିବା ଶ୍ରୀରାମ ବାବୁଙ୍କ ଆଭିଜାତ୍ୟର ପରିପନ୍ଥୀ।

ସନିଆ ମାଆ ସବୁଦିନ ବିଳମ୍ବିତ ରାତ୍ରିରେ ବାବୁଘର ଯାବତୀୟ କାର୍ଯ୍ୟ ସମ୍ପାଦନ କରି ଘରକୁ ଫେରେ। ଘରେ ଅଶୀତିପର ଶାଶୁବୁଢୀ ଅପେକ୍ଷା କରି ରହିଥାଏ। ବୁଢୀ ଲୋକ ପୁଣି ଆଶା ବି ଅଧିକ। ବାବୁଘର ପୁଅ ବାହାଘର ଯେତେବେଳେ ଭଲମନ୍ଦ କିଛି ପାଟିରେ ବାଜିବ। ତୁଣ୍ଡ ଟିକିଏ ସୁଆଦ ଚାଖିବ। ହେଲେ ବୁଢୀର ଆଶା ଆଶାରେ ହିଁ ରହିଯାଏ। ମନକଥା ମନରେ ମରିଯାଏ। ଖାଲିହାତରେ ଫେରୁଥିବା ବୋହୂକୁ ଦେଖି ବୁଢୀ ଆଉ ତୁଣ୍ଡ ନଖୋଲି ମନକୁ ମାରି ରହିଯାଏ। ଶାଶୁବୋହୁ ଦିହେଁ ମିଶି ପଖାଳ ଭାତକୁ ଆଳୁ ଚକଟା ଖାଇ ରାତି ବିତାନ୍ତି।

ମୁଖ୍ୟ ଭୋଜିଦିନ ଶାଶୁ ବୋହୁ ଖାଇ ବସିଥିବା ବେଳେ ଆଉ ତୁନି ହୋଇ ରହି ପାରିଲାନାହିଁ ବୁଢୀ। ବୋହୂକୁ ଛିଗୁଲେଇକି ପଚାରିଲା, "ଆଲୋ! ତୋ ବାବୁଘର ପରା ପୁଅ ବାହାଘର, ଆଉ ତୁ ଏଠି ନିତି ଆସି ଗେଫା ମାରୁଛୁ କଣ ବା?"

ଶାଶୁଙ୍କୁ ଅବା କି ଉତ୍ତର ଦେବ ସନିଆ ମାଆ। ମନେ ମନେ ଭାବିଲା ବାବୁ କି ବାବୁଆଣୀ କି ଆଉ କେହି ତ ଥରେ ତାକୁ କହିଲେ ନାହିଁ ଯେ, ଖାଇକରି ଯିବାକୁ। ଯେଉଁ ଅମୂଲ୍ୟକୁ ପିଲାଟି ଦିନରୁ କୋଳେଇ କାଖେଇ ସିଏ ବଡ କରିଥିଲା, ମାଆର ଅନୁପସ୍ଥିତି ଅନୁଭବ ହେବାକୁ ଦେଇ ନଥିଲା ସିଏ ବି ଦେଖି କିଛି କହିଲାନି, ମାଉସୀ ଖାଇକି ଯିବୁ ବୋଲି...

କୋଉ ମୁହଁରେ ଅବା ସିଏ ତାଙ୍କ ଘରେ ଭୋଜି ଖାଇଥାଆନ୍ତା? ଶାଶୁବୁଢୀ ପାଇଁ କଣ ଦିଇଟା ବାନ୍ଧିକି ଆଣିବା ତ ଦୂରର କଥା। ମନରେ କୋହ ଉଠୁଥିଲା। ଆଖିରୁ ଦୁଇ ଟୋପା ଉଷୁମ ଲୁହ ଝରି ପଖାଳ କଂସାରେ ପଡିଲା। ତଥାପି ମନକୁ ଦମ୍ଭ କରି କହିଲା, "ନାଇଁ ମ ମାଆ, ଆଜିକାଲିକା ଭୋଜିଭାତରେ ସେଇ ବିଦେଶୀ ଖାଦ୍ୟ କି କି ଅଜବ ନାଁ ସବୁ। ଆମ ପାଟିରେ ତ ପଶୁନି, ପେଟରେ ପଡିଲେ କଣ ସହଜେ ହଜମ ହେବ? ବରଂ ତା'ଠାରୁ ଭଲ ଆମର ପଖାଳ ଭାତ। ଖରା ବର୍ଷା ହେଉ କି ଶୀତ, ବଦହଜମୀର ସମସ୍ଯା ନାହିଁ।"

ଅନୁଭବୀ ଶାଶୁବୁଢୀ ବୋହୂର କୋହଭରା କଥାକୁ ଠିକ୍ ବୁଝି ପାରୁଥିଲା। ଆଉ ବୋହୂକୁ ଅପଦସ୍ତ ହେବାକୁ ନଦେଇ କହିଲା,"ହଁ ଲୋ ମାଆ। ଯାହା କହିଲୁ ଠିକ୍ କହିଲୁ। ସେଇ ଖାଦ୍ୟ ଆମ ଦିହରେ ଯିବନି। ଅଜୀର୍ଣ୍ଣ ହୋଇ ଝାଡାବାନ୍ତି ହେବ। ଥାଉ... ଥାଉ... ତୁ ନ ଆଣିକି ଭଲ କରିଛୁ।

କିନ୍ତୁ ବୁଢ଼ୀ ଶେଷରେ ଯେଉଁ କଥା ପଦକ କହିଲା ସେକଥା ଶୁଣି ଆଉ ଧୈର୍ଯ୍ୟ ଧରି ରହି ପାରିଲାନାହିଁ ସନିଆ ମାଆ। ଭୋ ଭୋ ହୋଇ କାନ୍ଦି ଉଠିଲା। ଲୁହ ଧାର ପଖାଳ କଂସାକୁ ଆହୁରି ଲବଣାକ୍ତ କରି ତୋରାଣିକୁ ସୁଆଦିଆ କରି ଦେଉଥିଲା।


ବୁଢୀର ଶେଷ ପଦକ କଥା :"ହସ୍ତିନାପୁରକୁ କୃଷ୍ଣ ମଧ୍ୟସ୍ଥି ହୋଇ ଯାଇଥିବା ବେଳେ ସିଏ ପରା ବିଦୁର କୂଟୀରରେ ଶାଗ ଖରଡ଼ା ଖାଇଲେ ପଛକେ ରାଜମହଲରେ ଜଳ ମୁନ୍ଦେ ବି ପିଇଲେ ନାହିଁ। ଆଦର ବିହୀନ ଭୋଜନ ସମସ୍ତ ଅନର୍ଥର କାରଣ।"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy