STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ଜ୍ଞାନୋଦୟ

ଜ୍ଞାନୋଦୟ

2 mins
38

ବଡ଼ି ଭୋରରୁ ସଫେଇ ଗାଡ଼ିର ସଙ୍ଗୀତ ବାଜିବାରୁ ଅମିୟ ବାବୁଙ୍କ କାନରେ ଅତଡା ପଡିଲା। ରାସ୍ତା କଡ଼କୁ ଲାଗି ତାଙ୍କର ଶୋଇବା ଘର। ପେଶାରେ ଆଇଟି ଇଞ୍ଜିନିୟର ଅମିୟ ବାବୁ ନିତି ନିଶାର୍ଦ୍ଧରେ ନିଦ୍ରା ଯାଆନ୍ତି ଏବଂ ପୂର୍ବାହ୍ନ ଦଶ ଘଟିକା ପୂର୍ବରୁ ଶଯ୍ୟା ତ୍ଯାଗ କରିବା ତାଙ୍କ ପାଇଁ କାଠିକର ପାଠ। ଏହା ତାଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟା।

ସେଦିନ ଠିକ୍ ସୂର୍ଯ୍ୟୋଦୟ ପରେ ପରେ ସଫେଇ ଗାଡ଼ିର ସଙ୍ଗୀତ ତାଙ୍କର ସୁଖ ନିଦ୍ରାରେ ବ୍ଯାଘାତ ଘଟାଇବା ହେତୁ ବିରକ୍ତି ପ୍ରକାଶ କରି କହିଲେ, " ଶଃ! ଏଗୁଡ଼ାଙ୍କର କିଛି କାମ ନାହିଁ। ସକାଳୁ ସକାଳୁ ଆସି ଘର ଦୁଆରେ ଅଳିଆ ନେବାକୁ ହାଜର। ଚୁପଚାପ୍ ତ ନିଜ କାମ କରିବ ମାତ୍ର ଏମିତି ବାଜା ବଜାଇବା କଣ ଯେ ଦରକାର? ଅଭଦ୍ର ନିହାତି ମୁର୍ଖ ଲୋକ ଗୁଡ଼ାକ, ସାମାନ୍ଯ ଜ୍ଞାନ ନାହିଁ। କିଏ ରାତି ସାରା ଜାଗି ରହି କାମ ସାରି ଏବେ ଶୋଇଥିବ, କିନ୍ତୁ ଏଇ ଅଳିଆବାଲା ତାକୁ ଶୁଏଇ ଦେବେନି... "

ଅମିୟ ବାବୁଙ୍କ ଏମନ୍ତ ବିରକ୍ତିଭାବ ତାଙ୍କ ମାଆ ବନଜା ଦେବୀଙ୍କ ମନରେ ଗଭୀର ଆଘାତ ଦେଲା। ଅଗତ୍ୟା ସେ କହି ଉଠିଲେ, "ତୁ ଯେମିତି ତୋ କାମ କରୁଛୁ, ସେମାନେ ସେମାନଙ୍କ କାମ କରୁଛନ୍ତି। ତୁ ଯେମିତି ଗର୍ବରେ ନିଜକୁ ଇଞ୍ଜିନିୟର ବୋଲି ଚାରିଆଡ଼େ କହି ବୁଲୁଛୁ, ସେମାନେ ବି ଆପଣାକୁ ସଫେଇବାଲା କହୁଛନ୍ତି। ଏଥିରେ ଅସୁବିଧା କଣ ଅଛି। ଥରେ ଚିନ୍ତା କରି ଦେଖ, ଆମେ ସକାଳୁ ଉଠି ସ୍ନାନ ଶୌଚ ହୋଇ ଠାକୁର ପୂଜା କରୁଛୁ, ମନ୍ଦିର ଯାଇ ଦିଅଁ ଦର୍ଶନ କରୁଛୁ। କିନ୍ତୁ ସେମାନେ ଆମ ଘରକୁ ଘର ବୁଲି ଆମ ମାନଙ୍କର ଉଚ୍ଛିଷ୍ଟ, ନାନାଦି ବର୍ଜ୍ୟବସ୍ତୁ ସଂଗ୍ରହ କରୁଛନ୍ତି ବିନମ୍ର ଭାବରେ, ଖୁସି ମନରେ, ସହାସ୍ଯ ବଦନରେ ବିନା କୌଣସି ଦ୍ବିଧା ବା ବିରକ୍ତିରେ। ଆମ ପିଲାଛୁଆଙ୍କ ମଳ ମୂତ୍ର ଉଠାଇବାକୁ ବି କୁଣ୍ଠାବୋଧ କରୁନାହାଁନ୍ତି। ମାତ୍ର ଆମେ ସେମାନଙ୍କ ସହିତ କରୁଛୁ କଣ? କେତେ ଦୁର୍ବୋଧ୍ୟ ବିଶେଷଣରେ ସେମାନଙ୍କୁ ଆଖ୍ୟାୟିତ କରୁଛୁ। ସେମାନଙ୍କ ସହ ଅଯଥା ଯୁକ୍ତି ତର୍କ କରୁଛୁ, ଗାଳି ଗୁଲଜ କରୁଛୁ। ସେମାନେ ବି ତ ଆମ ପରି ମଣିଷ ନା... ସେମାନଙ୍କ ମଧ୍ୟରୁ ଅନେକ ଶିକ୍ଷିତ ପିଲା ବି ଅଛନ୍ତି। ଅନ୍ୟ କାମଧନ୍ଦା ନ ମିଳିବାରୁ ଏଇ ସଫେଇ ଗାଡ଼ି ଚଲାଉଛନ୍ତି। ଗୀତାରେ ତ ସ୍ଵୟଂ ମହାପ୍ରଭୁ ଶ୍ରୀକୃଷ୍ଣ କର୍ମର ମହନୀୟତା ବିଷୟରେ..."

ମାତୃଦେବୀଙ୍କ ଠାରୁ ଗୁରୁ ଜ୍ଞାନ ଲାଭ କରି ଅମୀୟ ବାବୁ ଅନୁଭବ କରୁଥିଲେ ଆଜିର ପ୍ରତ୍ଯୁଷରେ ତାଙ୍କର ଜ୍ଞାନୋଦୟ ଘଟୁଛି। କାମକୁ ନେଇ ତାଙ୍କ ମନରେ ଥିବା ଉଚ୍ଚନୀଚ ଭେଦଭାବ କ୍ରମଶଃ ଦୂରୀଭୂତ ହେବାକୁ ଲାଗିଛି। ହୃଦୟର କେଉଁ ନିଭୃତ କୋଣରେ ସଫେଇ କାର୍ଯ୍ୟରେ ନିୟୋଜିତ କର୍ମବୀରମାନଙ୍କ ପ୍ରତି ସମ୍ମାନ ସ୍ବତଃ ଜାତ ହେଉଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract