ବୈଧତା
ବୈଧତା


ଦୀର୍ଘ ବାଇଶି ବର୍ଷ ଧରି ବ୍ୟବହାର କରି ଆସୁଥିବା ମୋବାଇଲ୍ ସିମ୍ ନମ୍ଵର୍ ପୋର୍ଟ୍ ଆବେଦନ କରୁ କରୁ ଗ୍ରାହାକ ସେବା ଅଧିକାରୀଙ୍କ ପାଖରୁ କଲ୍ ଆସିଲା ବିରାଜ ବାବୁଙ୍କୁ। ଅତ୍ୟନ୍ତ ବିନମ୍ରତାର ସହିତ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିବାର କାରଣ ବିଷୟରେ ଜିଜ୍ଞାସା କରୁଥିଲେ ମହିଳା ଅଧିକାରୀ ଜଣକ।
ବାରମ୍ବାର ବିରାଜ ବାବୁ "ମୋହ ଭଙ୍ଗ" "ମୋହ ଭଙ୍ଗ" ବୋଲି ପ୍ରତ୍ୟୁତ୍ତରରେ କହୁଥାନ୍ତି।
ଏହାର ମର୍ମ କିଛି ବୁଝିନପାରି ମହିଳା ଅଧିକାରୀ ପଚାରିଲେ, "ସାର୍! ଏମିତି କାହିଁକି କହୁଛନ୍ତି? ଆମ ତରଫରୁ ଯଦି ସେବା ପ୍ରଦାନ କରିବାରେ କୌଣସି ତୃଟି ରହିଥାଏ, ଆମକୁ କହିଲେ ତାହାର ନିବାରଣ ନିମନ୍ତେ ଚେଷ୍ଟା କରିବୁ। ଦୟାକରି ଆମ ନେଟୱାର୍କ୍ ଛାଡ଼ିକରି ଯାଆନ୍ତୁ ନାହିଁ।
: ପାରିବେ ଯଦି ମୋର କଥାକୁ ରେକର୍ଡ଼ କରି ଆପଣଙ୍କ ଉଚ୍ଚପଦାଧିକାରୀଙ୍କୁ ଟିକେ ଶୁଣେଇ ଦେବେ। ଗୋଟିଏ ବିଶ୍ୱସ୍ତ ତଥା ନିରବଛିନ୍ନ ଗ୍ରାହାକ ମନର ବ୍ୟଥା ଇଏ। ଦୀର୍ଘ ବାଇଶି ବର୍ଷର ସମ୍ବନ୍ଧ ଆପଣଙ୍କ ସଂସ୍ଥା ସହିତ। ସାରା ଦୁନିଆଁକୁ ହାତମୁଠାରେ ଧରିବାକୁ ଘରେ ଜିଦ୍ କରି କଲେଜରେ ପଢିବା ସମୟରେ ନେଇଥିଲି ଏଇ ମୋବାଇଲ୍ ସଂଯୋଗ। ଜାଣି ପାରୁଥିବେ କେତେ ସ୍ମୃତି ଜଡ଼ିତ ଏଇ ମୋବାଇଲ୍ ନମ୍ବର ଆଉ ଆପଣଙ୍କ ସଂସ୍ଥା ସହିତ। ଯେତେବେଳେ ଇନକମିଂ କଲ୍ ପାଇଁ ବି ପଇସା ପଡୁଥିଲା ସେବେଠୁଁ କେବଳ ଭଲ ନେଟୱାର୍କ୍ ପାଇଁ ମୁଁ ଏଇ ସିମ୍ ନେଇଥିଲି। କିନ୍ତୁ ଆପଣଙ୍କ ସଂସ୍ଥାର ଯେଉଁ ମୁନାଫାଖୋର ମନୋବୃତ୍ତି ମୋତେ ବାଧ୍ୟ କରୁଛି ଏପରି ପଦକ୍ଷେପ ଗ୍ରହଣ କରିବାକୁ। ମନଇଛା ମୂଲ୍ୟଯୁକ୍ତ ସେବା ଯୁକ୍ତ କରି ଏକପାଖିଆ ଭାବେ ପଇସା କାଟିବା, ବୈଧତା ମାସକ ବଦଳରେ ଅଠେଇଶ ଦିନକୁ ହ୍ରାସ କରି ବର୍ଷକ ବାରମାସ ବଦଳରେ ତେରମାସର ପାଉଣା ଆଦାୟ କରିବା ଭଳିଆ ଯୋଜନା ସବୁ କରି ଫୋର୍ବସ୍, ବ୍ଲୁମବର୍ଗ କିମ୍ବା ଫର୍ଚୁନ ମାଗାଜିନ୍ ପକ୍ଷରୁ ପ୍ରକାଶିତ ଧନୀକଙ୍କ ତାଲିକାରେ ସ୍ଥାନ ପାଇବା ପାଇଁ ଆପଣଙ୍କ ମାଲିକଙ୍କର ଇଏ ଗୋଟିଏ ଚାଲବାଜି। ଆଜି ରିଚାର୍ଜ୍ କରିଥିବେ ମାତ୍ର ଦି' ଦିନ ପରେ ବାଲାନ୍ସ ନଥିବ। କଥା କଣ ନା ହ୍ଯାଲୋଟ୍ଯୁନ୍ ଠାରୁ ଆରମ୍ଭ କରି କେତେ କଣ ସେବା ଆପେଆପେ ସକ୍ରିୟ ହୋଇଯାଇଛି। ମୁଁ ଶୁଣିଛି ଆପଣଙ୍କର ପୂର୍ବତନ କର୍ମଚାରୀଙ୍କ ଠାରୁ ଯେବେ କଲେକ୍ସନ୍
ପାଇଁ ଟାର୍ଗେଟ୍ ଥିବ ଗାଁ ଗହଳି ତଥା ଛୋଟ ଛୋଟ ସହରର ଗ୍ରାହାକଙ୍କ ଆକାଉଣ୍ଟରୁ ଏମିତି ଅଚାନକ ବାଲାନ୍ସ କଟିଯାଏ। ବିଚରା କରିବେ କଣ? ପୁଣି ରିଚାର୍ଜ୍... ଥରେ ଚିନ୍ତା କରନ୍ତୁ ତ ସାରା ଦେଶରେ ଏଭଳି କେତେ ଗ୍ରାହକ ଥିବେ, ଯାହାଙ୍କୁ କି ଜଣା ନଥିବ ଆପଣଙ୍କ ସଂସ୍ଥା ଏମିତି କେତେ ଟଙ୍କା ଅନ୍ୟାୟ ଭାବେ ସେମାନଙ୍କ ଠାରୁ ଆଦାୟ କରିଛି। କେତେ ଫନ୍ଦି ଫିକର କରି ଆପଣଙ୍କ ସଂସ୍ଥା ଲୁଟୁଛି ସରଳ ବିଶ୍ଵାସୀ ଗ୍ରାହକଙ୍କୁ, ବିଶେଷକରି ପ୍ରିପେଡ଼ ସେବାରେ। ମୋର ତ ଇଚ୍ଛା ଥିଲା ନମ୍ବରଟି ପୁରା ବନ୍ଦ କରିଦେବା ପାଇଁ, କିନ୍ତୁ ବନ୍ଧୁ ବାନ୍ଧବ ସାଙ୍ଗସାଥି ସମେତ ବ୍ୟାଙ୍କ୍, ବୀମା କମ୍ପାନୀ, ଆଧାର କାର୍ଡ଼, ପାନ୍ କାର୍ଡ଼ ସହିତ ନମ୍ବରଟା ଲିଙ୍କ୍ ହୋଇଥିବାରୁ ସେବା ପ୍ରଦାନକାରୀ ସଂସ୍ଥା ବଦଳାଉଛି।
: ଆଚ୍ଛା ହେଉ। ଆପଣ ଏବେ କହିବେ କି କେଉଁ ନୂତନ ନେଟୱର୍କ୍ ପାଇଁ ଆପଣ ଆବେଦନ କରିଛନ୍ତି?
: ଆପଣ ତ ମୋ କଥା ଅପେକ୍ଷା ଆପଣଙ୍କ ପ୍ରତିଦ୍ୱନ୍ଦ୍ୱୀ ସଂସ୍ଥା ବିଷୟରେ ଜାଣିବା ପାଇଁ ଅଧିକ ଆଗ୍ରହୀ। ମୁଁ ଏତେ ଯେଉଁ ସବୁ କଥା କହିଗଲି ତାହାର କଣ କିଛି ମୂଲ୍ୟ ନାହିଁ?
: ଆପଣ ସେମିତି କାହିଁକି ଭାବୁଛନ୍ତି? ଆମେ ତ କଲ୍ ରେକର୍ଡ଼ କରୁଛୁ। ମ୍ୟାନେଜମେଣ୍ଟ୍ ପାଖକୁ ପଠାଇବୁ।
: ଓଃ! ମୁଁ ତ ଶୁଦ୍ଧ ଓଡ଼ିଆ ଭାଷାରେ କହୁଛି। ଆପଣଙ୍କର ପରିଚାଳନା କର୍ତ୍ତୃପକ୍ଷ କଣ ମୋ କଥା ବୁଝିପାରିବେ?
: ସେଥିପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ। ଆମେ ବିହିତ ବ୍ୟବସ୍ଥା କରିବୁ। କିନ୍ତୁ ଦୟାକରି ଆପଣ ନମ୍ବର ପୋର୍ଟ୍ ଆବେଦନ ରଦ୍ଦ କରନ୍ତୁ। ଆପଣଙ୍କର ନମ୍ବରର ବୈଧତା ଆସନ୍ତା କାଲି ଶେଷ ହେଉଛି। ତୁରନ୍ତ ରିଚାର୍ଜ୍ କରି ଆମର ଉଚ୍ଚଗୁଣାତ୍ମକ ସେବା ନିରନ୍ତର ଉପଲବ୍ଧି କରନ୍ତୁ। ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ଓ ଶୁଭଦାୟକ ହେଉ।
: ହ୍ୟାଲୋ... ହ୍ୟାଲୋ...
ଗ୍ରାହକ ସେବା ଅଧିକାରୀଙ୍କ ଫୋନ୍ କଟିଯାଇଥିଲା। ଜଣେ ଗ୍ରାହକ ହିସାବରେ ବିରାଜ ବାବୁ ଭାବୁଥିଲେ ତାଙ୍କ ଅନୁଯୋଗର କିଛି ମୂଲ୍ୟ ନାହିଁ। ସେବା ପ୍ରଦାନକାରୀ ସଂସ୍ଥା କେବଳ ଚାହେଁ ରିଚାର୍ଜ୍ ଆଉ ରିଚାର୍ଜ୍। ନହେଲେ ସେବାର ବୈଧତା ଶେଷ!