STORYMIRROR

sushama Parija

Drama Tragedy Crime

4  

sushama Parija

Drama Tragedy Crime

ମାଆ ପଣିଆ

ମାଆ ପଣିଆ

7 mins
664



ସେଦିନ ଉପରଓଳି କାମ କରିବା ପାଇଁ ଆସିଲା ବେଳକୁ ସେବତୀର ଗୋରା ମୁହଁ ଟା ନାଲି ଦିଶୁଥିଲା, ଆଖି ଦୁଇଟା ବି କାନ୍ଦି କାନ୍ଦି ଫୁଲି ଗଲା ଭଳି ଦିଶୁଥିଲା । ତା’କୁ ଏମିତି ଅବସ୍ଥାରେ ଦେଖି ମୁଁ ପଚାରିଲି “ କ’ଣ ହେଲା କି’ରେ ସେବୀ ? ଆଜି ତୋ ବର ସାଙ୍ଗରେ କଳି ଝଗଡା ହୋଇଛି କି? ନାଇଁ ଆଜ୍ଞା କହି ମୁଣ୍ଡ ଝୁଙ୍କାଇ ବାସନ ମାଜିବାକୁ ଆରମ୍ଭ କଲା ସିଏ। ଆମେ ଆସି ଭୁବନେଶ୍ଵରରେ ରହିବା ଦିନୁଁ ସେବତୀ ଆମ ଘରର ସହାୟିକା, ସୂଦୂର ଫୁଲବାଣୀରୁ ଆସି ଭୁବନେଶ୍ଵରରେ ତା’ର ପରିବାରର ହୁଛନ୍ତି ପ୍ରାୟ ପନ୍ଦର ବର୍ଷ ହେଲା। ତା’ ସ୍ୱାମୀ ବୈକୁଣ୍ଠ  କୋଉ ଗୋଟାଏ ଅଫିସ୍ ରେ ଝାଡୁଦାର ଅଛି , ସ୍ୱଳ୍ପ ଶିକ୍ଷିତା ହୋଇଥିଲେ ମଧ୍ୟ  ସେବତୀ ଭାରି ଚାଲାକ । ପିଲାମାନଙ୍କୁ ପାଠ ପଢାଇ ବଡ ମଣିଷ କରିବା ଲାଗି ଚାରି ଛଅଘର କାମ ଧରିଛି ସିଏ। ଦୁଇଟି ଝିଅରୁ ଗୋଟିଏ ଅଧାରୁ ପାଠ ଛାଡି ଗୋଟିଏ ଅଟୋରିକ୍ସା ଡ୍ରାଇଭର କୁ ପ୍ରେମ ବିବାହ କରିଛି ବୋଲି ଖୁବ୍ ଦୁଃଖ ତା’ର। ସାନ ଝିଅଟି କଲେଜରେ ପାଠ ପଢୁଛି , ତା’ ଉପରେ ଖୁବ୍ ନଜର ରଖିଥାଏ ସିଏ।


କାମ କଲାବେଳେ ମୋ ସହିତ ଦୁଃଖ ସୁଖ ହୁଏ , କହେ “ ମୋ’ର ତ ପୁଅ ନାହିଁ ମା’ , ଏଇ ଝିଅ ଦୁହିଁଙ୍କୁ ଭଲ ଘରର ଦେଖି ବାହାଘର କରିଦେଲେ ସେଇମାନେ ଆମ ବୁଢାବୁଢୀ ଦୁଇଜଣଙ୍କୁ ଶେଷ ସମୟରେ ସାହା ହେବେ ବୋଲି ଭାବିଥିଲି, ହେଲେ ଏଇ ବଡ ଝିଅଟାକୁ ଦେଖୁନ କ’ଣ କଲା । ଷୋହଳ ନହେଉଣୁ ସେ ଟୋକା ସାଥିରେ ଭାଗି କି ପଳେଇଲା, କୋଉ ମନ୍ଦିରରେ ବାହା ହୋଇରହିଲା ତାଙ୍କ ଘରେ। ସତର ବର୍ଷ ନପୁରୁଣୁ ଗୋଟିଏ  ଝିଅର ମାଆ ହୋଇ ବସିଲା । କ’ଣ ଆଉ କରନ୍ତି? ତା’ ବାପା ରାଗିପାଚି ମୁହଁ ଚାହିଁବନି କହୁଥିଲା , ତା’କୁ ବୁଝାଶୁଝା କରି ଝିଅ ଜ୍ୱାଇଁ ଙ୍କୁ ଘରକୁ ଆଣିଲି, ଝିଅକୁ ସୁନା ହାର ଆଉ ନାତୁଣୀ ପାଇଁ ଚେନ୍ ଟିଏ ଧାର୍ କରଜ କରି ପଠାଇଲି ତା’ ଶାଶୁଘରକୁ । ଏବେ ସବୁ ଭଲ , ଜ୍ୱାଇଁ ଅଟୋରିକ୍ସା ଚଲେଇ ଭଲରୋଜଗାର କରୁଛି ତା’ ଶାଶୁ ଶଶୁର ଖୁବ୍ ଭଲରେରଖିଛନ୍ତି ସେମାନଙ୍କୁ । ତା’ ଚିନ୍ତା ଆଉ ନାହିଁ ଆମର। ଖାଲି ଏଇ ସାନ ଝିଅଟିର ପାଠ ସରି କୋଉଠି ଚାକିରୀ ଟିଏ ହୋଇଗଲେ ତା’ର ବାହାଘର କରିଦେଲେ ଆମେ ବୁଢାବୁଢୀ ଗାଆଁ କୁ ଫେରିଯିବୁ । ଆଜି ସିନା ବଳ ଅଛି ବୋଲି ଖଟୁଛି, କେତେଦିନ ଯାଏଁ ଖଟି ପାରିବି? ମୁଁ ତା’କୁ ବୋଧ ଦିଏ “ ଦୁଇ ଝିଅ ମିଶି ତୁମକୁ ଚଳେଇ ନେବେ ମ , କାହିଁକି ଗାଆଁ କୁ ଯିବୁ? “। ସେ ହସିଦେଇ କହେ “ ହଉ ମା’ ତମେ ସେଇ କଲ୍ୟାଣ କର “। 


ଆଜି ସେବତୀର ମୁହଁ କୁ ଦେଖି ମନେ ହେଉଥିଲା କିଛି ଗୋଟାଏ ଅଘଟଣ ଘଟିଛି ନିଶ୍ଚୟ । ମୁଁ ଜାଣିବାରେ ସେବତୀର ସ୍ୱାମୀ ବୈକୁଣ୍ଠ ସାଧାସିଧା ମଣିଷଟିଏ, ଟିକିଏ ତୀଖା ମିଜାଜ୍‌ର ହେଲେ ମଧ୍ୟ ସେ ନିଶାପାଣି କରେନାହିଁ, ତେଣୁ ସେବତୀ ସବୁବେଳେ ଖୁସି ଥାଏ । ଫୁଲବାଣୀର ଫୁଲ ଭଳି ସବୁବେଳେ ସତେଜ, ସୁନ୍ଦର ଦିଶେ ତା’ ଚେହେରା , ସେଇଥିରୁ ମୁଁ ଅନୁମାନ କରେ ଯେ ତା’ର ଝିଅମାନେ ମଧ୍ୟ ତା’ରି ଭଳି ସୁନ୍ଦର ହୋଇଥିବେ । କିଛି ଦିନ ପରେ ଦେଖିଲି ସେବତୀ ପ୍ରାୟ ଅନ୍ୟମନସ୍କରହୁଛି, ଆଗରୁ ନକହି ମଝିରେ ମଝିରେ କାମକୁ ଆସିବା ବନ୍ଦ କରିଦେଉଛି । ଆଗରୁ କେବେ ନ ଆସିବାର ଥିଲେ ଦୁଇଦିନ ଆଗରୁ ଜଣାଇଥାଏ ସେ , କହେ” ବୋହୁ ମା’ ଅଫିସ୍ ଯିବା ଲୋକ, ହଇରାଣ ହେବେ , ତୁମେ ଟିକିଏ ଦିନେ ଦୁଇଦିନ ଚଳେଇଥିବେ ମାଆ, ମୋର ଜରୁରୀ କାମ ଅଛି “। ଏବେ କିନ୍ତୁ ସେ ସେମିତିରହି ଯାଉଥିଲା, ଫେରିବା ପରେ କହୁଥିଲା ମୋର ଦେହ ଖରାପ ଥିଲା ମାଆ। ମୋର ସନ୍ଦେହ ହେଉଥିଲା କିଛି ଗୋଟାଏ ମୋତେ ଲୁଚାଇବାକୁ ଚେଷ୍ଟା କରୁଛି ସେବତୀ କିମ୍ୱା ଏମିତି କିଛି ଘଟଣା ଘଟୁଛି ତା’ ସହିତ ଯେ ସିଏ ଆମକୁ ଜଣାଇବାକୁ କୁଣ୍ଠାବୋଧ କରୁଛି । ସବୁଆଡୁ ଚିନ୍ତା କରି ମୁଁ ଚୁପ୍ରହିବାକୁ ଶ୍ରେୟସ୍କର ମଣିଲି କିନ୍ତୁ ଆଗକୁ ଛୁଟିରେରହିଲେ ମୋତେ ଆଗରୁ ଜଣାଇବୁ ବୋଲି ତାଗିଦା କଲି।


ଦୁଇ ତିନି ଯାଇଛି କି ନାହିଁ ଦିନେ ପୁଣି ତିନିଦିନଧରି ଗାଏବ୍ ହୋଇଗଲା ସେବତୀ । ନାତିକୁ ଥଣ୍ଡା ଜର ହୋଇଥାଏ ବୋହୁ କୁ ମଧ୍ୟ ଥଣ୍ଡା ଜ୍ୱର , ସେଥିରେ ପୁଣି ସେମାନଙ୍କର ଅଫିସ୍, ବଡ ହଇରାଣ ହେଲୁ ଆମେ ସେବତୀ ନଆସିବାରୁ, ଖୁବ୍ ରାଗ ଆସିଲା ମନରେ । ତିନିଦିନ ପରେ ସେ ଫେରିବାରୁ ମୋ ମନକୁ ଯାହା ଆସିଲା ବକିଗଲି ତା’କୁ । ତଳକୁ ମୁହଁ ପୋତି ଠିଆ ହୋଇଥିଲା ସେ , ତା’ ଆଖିରୁ ଥପ୍ ଥପ୍ ହୋଇ ଲୁହ ଗଡି ପଡୁଥିଲା । ସଚେତନ ହେଲି ମୁଁ, ଭାବିଲି କିଛି ଅସୁବିଧାରେ ପଡିରହିଥିବ ବିଚାରୀ, ମୁଁ ଚଣ୍ଡାଳୁଣୀ କିଛି ନବୁଝି ତା’କୁ ଏମିତି ଗାଳିଗୁଳା ଦେଲି କାହିଁକି ଟି? ନିଜ ବ୍ୟବହାର ପାଇଁ ଅନୁତାପ ଆସୁଥିଲା ମନରେ, ଧୀରେ ଧୀରେ ଯାଇଁ ତା’ ପାଖରେ ଠିଆ ହେଲି , ତା’ ହାତଧରି ବସେଇ ଦେଲି ଗୋଟିଏ ଷ୍ଟଲ୍ ଉପରେ, କହିଲି “ ତତେ ବାରମ୍ବାର କହିଥିଲି ନା କହିକି ଯିବୁ, ଛୁଆ ଦେହ ଖରାପ, ମାଆ ଦେହ ଖରାପ ଦେଖି ମୋ ମନ ବଡ ଖରାପ ଥିଲା ତେଣୁରାଗଟାଗରେ ଦି’ପଦ କହିଦେଲି ତତେ, ମୋ କଥା ଧରିବୁନି “। ମୋ’ର ଆଶ୍ୱାସନା ବୋଳା କଥା ଦୁଇପଦ ଶୁଣି ଭୋ ଭୋ ହୋଇ କାନ୍ଦି ଉଠିଲା ସେବତୀ । ମୋ’ କଥା ତା’କୁ ବହୁତ ବାଧିଛି ବୋଲି ଭାବି ଶଙ୍କି ଗଲି ମୁଁ । କିଛି ସମୟ ପରେ ଆଖିରୁ ଲୁହ ପୋଛି କହି ଉଠିଲା ସେବତୀ “ ନାଇଁ ଗୋ ମାଆ! ତୁମ ଯାଗାରେ ଯେ କେହି ଥିଲେ ବିରାଗିଥାନ୍ତା ଏମିତି ପରିସ୍ଥିତିରେ , ତୁମ କଥାରେ କାନ୍ଦୁନାହିଁ ଗୋ ମାଆ, ମୋର ଭାଗ୍ୟ କନ୍ଦାଉଛି ମୋତେ । 

- କ’ଣ ହେଲା କିରେ ? ମୁଁ ପଚାରିଲି

- କ’ଣ କହିବି ମାଆ ! ଦୀର୍ଘ ନିଶ୍ବାସ ଟିଏ ପକାଇ ସେବତୀ ଆରମ୍ଭ କଲା :

ମୋ’ ବଡଝିଅ ଗୀତାର କଥା ତ ସବୁ କହିଥିଲି ତୁମକୁ । ଏବେ ସେଇ ଝିଅର କପାଳ ଫାଟିଛି ।ଆଗରୁ ଜାଣି ନଥିଲି ତା’ର ବରଟା ଗୋଟାଏ ଘୋଡା ମଦୁଆ ବୋଲି। ସାତ ଆଠ ମାସ ତଳେ ତା’ର ଅଟୋରିକ୍ସା ଟି ଆକ୍ସିଡେଣ୍ଟ୍ ହୋଇଥିଲା କୋଉ ଟ୍ରକ୍ ସହିତ। ସେଇ ଭୟଙ୍କର ଦୁର୍ଘଟଣାରେ ଅଟୋରିକ୍ସା ତ ଭାଙ୍ଗି ଚୁରମାର୍ ହୋଇଥିଲା, ମୋ ଜ୍ୱାଇଁର ମୁଣ୍ଡ ଫାଟିବା ସହ ମେରୁଦଣ୍ଡ ମଧ୍ୟ ଭାଙ୍ଗି ଯାଇଥିଲା । ବହୁତ ଦିନ ଧରି ମେଡିକାଲରେ ପଡି ଚିକିତ୍ସିତ ହେଲା ପରେ ଘରକୁ ଫେ

ରିଲା, ହେଲେ ଆଉ ଚାଲି ପାରିଲାନି । ମୋ ଝିଅ ଗହଣାଗାଣ୍ଠି ବିକି ତା’ର ଚିକିତ୍ସା କରେଇଥିଲା, ଏବେ ଆଉରୋଜଗାର ତ ନାହିଁ ଚଳିବ କେମିତି? ତା’ ବାପ ରାଜମିସ୍ତ୍ରୀ କାମ କରେ । ଭଡା ଘର, ଚାରିଚାରିଟା ଛୁଆ, ସିଏ କେତେ କାହାକୁ ପୋଷିବ । ନିଜ ଛୁଆଙ୍କୁ ତ ଚଳେଇ ପାରୁନି ଆଉ ୟା ପରିବାର କୁ ଚଳେଇବ ବା କେମିତି? ମୋ ଜ୍ୱାଇଁର ଅଣ୍ଟାରେ ଅପରେସନ୍ କରିବାକୁ ଖର୍ଚ୍ଚ ହେବ ଦୁଇ ଲକ୍ଷ ଟଙ୍କା, ଆସିବ କୋଉଠୁ ? ସିଏ ତ ଖଟରେ ସେମିତି ପଡିରହିଛି । ଆମ କଥା ତ ଜାଣିଛ, କେତେ କଷ୍ଟରେ ଚଳୁଛୁ ଆମେ , ଆମର କି ବଳ ଅଛି ଯେ ଝିଅକୁ ଆଣି ପୋଷିବୁ? ଜ୍ୱାଇଁର ଚିକିତ୍ସା କରେଇବୁ ? ସେଇ ନେଇ ସବୁ ଅଶାନ୍ତି ଲାଗିରହିଛି । ମୋ’ର ନାତୁଣୀ ଟି ତିନି ବର୍ଷର ହେଲାଣି, ସେ ଖାଇବ କ’ଣ ? ପାଠ ପଢିବ କେମିତି? କ’ଣ ହେବ ତା’ର ଭବିଷ୍ୟତ ? ସେଇ କଥା ଭାବି ମୋ ଝିଅ କହୁଛି ମୁଁ ବାହାରକୁ ଯାଇଁ କାମ କରିବି ହେଲେ ତା’ର ଶାଶୁ ଶଶୁର ବାରଣ କରୁଛନ୍ତି ଘରୁ ପଦାକୁ ଗୋଡ କାଢିବା ପାଇଁ । ମୋ ଜ୍ୱାଇଁ ତା’ ବାପା ମାଆଙ୍କ କଥାରେ ଉଠ ବସ ହେଉଛି । ଝିଅ ଜ୍ୱାଇଁ ଙ୍କ ମଧ୍ୟରେ ସେଇ କଥାକୁ ନେଇ ଲାଗିଛି ଘମାଘୋଟ ଝଗଡା ।ଏଇ ପରିସ୍ଥିତିରେ ମୁଁ ଆଉ କ’ଣ କରିବି କୁହ? ମୋର ସମୟ ସୁବିଧା ଦେଖି ମଝିରେ ମଝିରେ ମୁଁ ଯାଇ କିଛି ପଇସାପତ୍ର ଦେଇ ଆସୁଛି ତା’କୁ,ହେଲେ ସେତିକିରେ କ’ଣ ତା’ ସଂସାର ଚଳିବ ।


ସେବତୀର ଦୁଃଖରେ ସମଦୁଃଖୀ ହୋଇ ସମବେଦନା ଜଣାଇବା ଛଡା ଅନ୍ୟ କୌଣସି ଉପାୟ ନଥିଲା ମୋର। କାମ ସାରି ଘରକୁ ଫେରିଗଲା ସେବତୀ। ପରଦିନ ପୁଣି ଅନୁପସ୍ଥିତରହିଲା । ତହିଁ ଆରଦିନ ଉପର ବେଳା କାମକୁ ଆସିଲା। ଏଥରକ ମୁଁ କିଛି କହିବା ଆଗରୁ କହିଲା ସେ “କାଲିଠାରୁ ଝିଅ ଆସି ମୋ’ ଘରେ ବସିଛି ମାଆ , ବାଡିରେ ପିଟି ତା’ର ପିଠି ଫଟେଇ ଦେଇଛନ୍ତି ଶାଶୁଘର ଲୋକେ। ତା’ର କଅଁଳା ଛୁଆଟାକୁ ଛଡେଇରଖି ଘରୁ ବିଦା କରିଦେଇଛନ୍ତି । ମୋ ଝିଅ ଆଉ ସେ ଅଳପେଇସା ପାଖକୁ ଯିବନାହିଁ ବୋଲି କହୁଛି , ମୁଁ ବୁଝାଶୁଝା କରି ପଠାଇବାକୁ ଚେଷ୍ଟା କଲାରୁ ଧମକେଇ କହୁଛି କ’ଣ ନା’ ଯଦି ମୋତେ ସେଠିକି ଜୋର୍ ଜବରଦସ୍ତି କରି ପଠାଇବୁ ,ତେବେ ବେକରେରସି ଲଗାଇ ନହେଲେ ବିଷ ଖାଇ ଜୀବନ ହାରି ଦେବି ସିନା ଆଉ ସେ ନର୍କ କୁ ଯିବି ନାହିଁ । କ’ଣ କରିବି ମାଆ, ଜନମ ଦେଇଛି ଯେତେବେଳେ ରଖିବାକୁ ବାଧ୍ୟ ହେଉଛି। ମୋ ସ୍ବାମୀ ବାଡିଧରି ଗୋଡାଉଛି ମତେ, କହୁଛି ଛାଡିଦେ’ ତା’କୁ, ସେ ତା’ ମନକୁ ଯାଇଥିଲା, ତା’ କଥା ସିଏ ବୁଝୁ , ମୁଁ ଏତେ ଦାୟିତ୍ଵ ନେଇ ପାରିବି ନାହିଁ” । ସେ ବାପ ଝିଅ ଦୁହିଁଙ୍କ ଭିତରେ ମୁଁ ପେଷି ହୋଇ ଯାଉଛି ମାଆ । ଟିକିଏ ଏପଟ ସେପଟକୁ ଚାହିଁ କହିଲା ଆଉ ଗୋଟିଏ ଲାଜର କଥା ମାଆ , ମୁଁ ତା’ ବାପ କୁ ବି ମୁହଁ ଖୋଲି କହି ପାରୁନି । ଗୀତାର ଶଶୁର ଟା କୁଆଡେ ଭାରି ନିଉଁଛୁଣା , ବୋହୁ ଟା ଉପରେ ପାପଦୃଷ୍ଟି ପକାଉଛି, ଗୀତା କୁ ପରା କେତେଥର ଟଣା ଭିଡା କରି ସାରିଲାଣି । ସେଇକଥା ଗୀତା ତା’ ସ୍ୱାମୀ ଆଉ ଶାଶୁଙ୍କୁ କହିଲାରୁ ସେମାନେ ଓଲଟା ୟାକୁ ଦୋଷ ଦେଇ ମିଛ କହୁଛୁ ବୋଲି ମରାପିଟା କରୁଛନ୍ତି।ମୋ ଝିଅ ଡରି ଡରି ମରିବାକୁ ବସିଲାଣି ଗୋ ମାଆ ! କ’ଣ କରିବି ବୁଦ୍ଧିବାଟ ଦିଶୁନାହିଁ। ସେବତୀ କଇଁ କଇଁ ହୋଇ କାନ୍ଦି ଉଠିଲା । ଅସହାୟା ଝିଅଟି ଉପରେ ଏମିତି ଅମାନୁଷିକ ଅତ୍ୟାଚାର କଥା ଶୁଣି ମୋର ମଧ୍ୟ ଖୁବ୍ ରାଗ ଆସୁଥିଲା ଗୀତାର ପରିବାର ଉପରେ । ଭାବୁଥିଲି କ’ଣ କରିବ ସେ କୋଡିଏ ବର୍ଷର ଝିଅଟି? ପଙ୍ଗୁ ସ୍ୱାମୀ କୁ କାମୁକ ଶଶୁର, କେମିତି ବଞ୍ଚେଇ ପାରିବ ନିଜର ଆଉ ନିଜ ସନ୍ତାନର ଜୀବନ ? କାହା ଭରସାରେ ? ହେ ଈଶ୍ୱର ! ତା’କୁରକ୍ଷାକର ।


ମୁଁ ସେବତୀ କୁ କହିଲି “ ଦେଖ୍ ସେବତୀ , ଅନ୍ୟାୟ କରିବା ଯେତିକି ପାପ,ଅନ୍ୟାୟ ସହିବା ମଧ୍ୟ ସେତିକି ପାପ , ତୁ ତୋ’ ଝିଅକୁ ନେଇ ଏଠାରେ ମହିଳା ଥାନାକୁ ଯାଆ , ସେଠାରେରିପୋର୍ଟ ଲେଖା , ସେମାନେ ତଦନ୍ତ କରି ଦୋଷୀ କୁ ଉପଯୁକ୍ତ ଦଣ୍ଡ ଦେବେ “। ସିଏ କହିଲା , ଆମ ଗରିବ ଲୋକଙ୍କ କଥା କିଏ ଶୁଣିବ ଆଉ କିଏ ବୁଝିବ ମାଆ।ଆଇନ୍ କାନୁନ କେବଳ ବଡ ଲୋକ ମାନଙ୍କ ପାଇଁ ।

ସେବତୀ କୁ କହିଲି ତୁ ଆଗ ଯାଆ ତ ଥରେ , ନ ଯାଉଣୁ ସବୁ ଦୁଃଶ୍ଚିନ୍ତା ତୋ’ର। ତା’କୁ ପଠାଇଦେଲା ପରେ ମୋର ଜଣେ ପରିଚିତ ଥିଲେ ପୋଲିସ୍ ବିଭାଗରେ, ତାଙ୍କୁ ଫୋନ୍ କରି ସେବତୀକୁ ସାହାଯ୍ୟ କରିବା ପାଇଁ ଅନୁରୋଧ କଲି।

ପରଦିନ ସେବତୀ ତା’ର ଝିଅକୁ ନେଇ ପହଞ୍ଚିଲା ମହିଳା ଥାନାରେ ,ରିପୋର୍ଟ ଲେଖାଇଲା, ଭାଗ୍ୟକୁ ଜଣେ ଭଲ ଇନ୍ ଚାର୍ଜ ଅଫିସର୍ ଥିଲେ ସେଠାରେ, ଗୀତାର ବୟାନ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଦେଶ ଦେଇଥିଲେ ଷ୍ଟାଫ୍ ମାନଙ୍କୁ । ତଦନ୍ତ ଆରମ୍ଭ ହେବା ପରେ ସେବତୀ କୁ ପ୍ରାୟ ସବୁଦିନେ ଥାନାକୁ ଦୌଡିବା ପାଇଁ ପଡୁଥିଲା, ତେଣୁ ଆମ ଘର କାମ କରିବା ପାଇଁ ସେ ଆଉ ସମୟ ଦେଇ ପାରିଲାନି, ଆଉ ଗୋଟିଏ ସ୍ତ୍ରୀ ଲୋକ ଯୋଗାଡ କରିଦେଲା ଆମ ଘରେ କାମ କରିବା ପାଇଁ । ଆଉ ଅନେକ ଦିନ ଧରି ଦେଖା ହୋଇନଥିଲା ସେବତୀ ସହିତ। ଏବେ ଦୋଳ ପୂର୍ଣ୍ଣିମା ଦିନ ଆସିଥିଲା ସେବତୀ । ମୁହଁରେ ଆଗ ପରି ସରସତା ନଥିଲେ ମଧ୍ୟ ଟିକିଏ ଆଶ୍ୱସ୍ତ ଜଣା ପଡୁଥିଲା ସିଏ। ମତେ ଜୁହାର ହୋଇ କହିଲା “ ମାଆ ଗୋ, ତୁମ ଦୟାରୁ ସବୁ ଠିକ୍ ହୋଇ ଯାଇଛି ଏବେ । ପୋଲିସ୍ ଗୀତାର ଶାଶୁ ଶଶୁର କୁ ଗିରଫ କରି ଆଣି ଥାନାରେ ରଖିଲା, ବୁଝାଶୁଝା କରି ବିଫଳ ହେବାରୁ ଧମକେଇ ଚମକେଇ ମୋ ନାତୁଣୀ କୁ ତାଙ୍କ ପାଖରୁ ଆଣି ତା’ ମାଆକୁ ଦେଲା। ଗୀତା ଏବେ ନିଜେ ବୁଝାବୁଝି କରି ଗୋଟିଏ ନର୍ସିଂ ହୋମ୍ରେ ଆଟେଣ୍ଡାଣ୍ଟ୍ କାମ କରୁଛି, ମୁଁ ତା’ଝିଅ କୁରଖି ଘରେରହୁଛି। ଆଉ ଝାଡୁପୋଛା କାମ କରିବା ପାଇଁ ମନା କରୁଛି ଗୀତା, କହୁଛି ଏବେ ଆମ ସମସ୍ତଙ୍କୁ ଚଳେଇବ ସିଏ । ମୋ ଉପରେ ରାଗ କରିବନି ମାଆ , ଏତେ ଦିନର ପୁରୁଣା କାମ ଛାଡିଦେଲି ବୋଲି । ଭଗବାନ ମତେ ସେମିତି ଅସୁବିଧାରେ ପକାଇନଥିଲେ ମୁଁ ତମର କାମ ମୋଟେ ଛାଡିନଥାନ୍ତି। ସେବତୀ ଜୁହାର ହୋଇ ଫେରି ଯାଉଥିଲା , ତା’କୁ ମୁଁ ପଛରୁ ଡାକି କିଛି ଫଳ ,ମିଠା ସହିତ ପାଞ୍ଚ ଶହ ଟଙ୍କା ଗୁଞ୍ଜି ଦେଲି ତା’ ହାତରେ ଆଉ କହିଲି ତୋ‘ର ମାଆ ପଣିଆ କୁ ଧନ୍ୟବାଦ ଦେଉଛି ଲୋ ସେବତୀ । ତୋ’ ଝିଅକୁ ରାକ୍ଷସ ମାନଙ୍କ କବଳରୁରକ୍ଷା କରିଦେଲୁ।



Rate this content
Log in

Similar oriya story from Drama