sushama Parija

Inspirational

4.0  

sushama Parija

Inspirational

ସଂପର୍କର ସଜ୍ଞା

ସଂପର୍କର ସଜ୍ଞା

5 mins
156



ଥରେ ଜଣେ ଉଚ୍ଚ ଶିକ୍ଷିତ ଯୁବକ ଗୋଟିଏ କମ୍ପାନୀ ର ମ୍ୟାନେଜର ଚାକିରୀ ପାଇଁ ଅନ୍ୟ ସବୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଶେଷ ସାକ୍ଷାତକାର ପରୀକ୍ଷା ଦେବା ଲାଗି ଆସି ଥାଆନ୍ତି । କମ୍ପାନୀ ର ମୁଖ୍ୟ ନିର୍ଦ୍ଦେଶକ ତାଙ୍କର ସାକ୍ଷାତକାର ପରୀକ୍ଷା ନେବାର ଥାଏ, ସେଥିପାଇଁ ଖୁବ୍ ପ୍ରସ୍ତୁତ ହୋଇ ଆସିଥାନ୍ତି ଯୁବକ ଜଣକ।ନିର୍ଦ୍ଧାରିତ ସମୟରେ ସାକ୍ଷାତକାର ପରୀକ୍ଷା ଆରମ୍ଭ ହେଲା। ବିନମ୍ରତାର ସହିତ ମୁଣ୍ଡ ନୁଆଁଇ ପ୍ରାର୍ଥୀ ଜଣକ କମ୍ପାନୀ ର ମୁଖ୍ୟ ନିର୍ଦ୍ଦେଶକ ଙ୍କୁ ନିଜର ସାର୍ଟିଫିକେଟ୍ ତକ ବଢାଇଦେଲେ । ସେଗୁଡିକ ଉପରେ ଥରେ ଆଖି ବୁଲେଇ ଆଣିଲେ କମ୍ପାନୀ ର ମୁଖ୍ୟ ନିର୍ଦ୍ଦେଶକ , ଆଶ୍ଚର୍ଯ୍ୟ! ସେକେଣ୍ଡାରୀ ସ୍କୁଲରୁ ଆରମ୍ଭ କରି ଏମ୍ ବି ଏ ପର୍ଯ୍ୟନ୍ତ କୌଣସି ପରୀକ୍ଷା ରେ ନବେ ପ୍ରତିଶତ ରୁ କମ୍ ନମ୍ବର ରଖି ନାହାଁନ୍ତି ଯୁବକ ଜଣକ । ସାର୍ଟିଫିକେଟ୍ ଉପରୁ ଆଖି ଉଠେଇ କମ୍ପାନୀ ର ମୁଖ୍ୟ ଆଉ ଥରେ ଚାହିଁଲେ ଯୁବକ ଙ୍କର ମୁହଁ କୁ , କହିଲେ

--ଖୁବ୍ ଭଲ, ଆଚ୍ଛା କୁହ ତ ! ତୁମେ କ’ଣ ସ୍କୁଲ୍ ରୁ ବୃତ୍ତି ପାଇ ପଢାପଢି କରିଛ ?

- ନାହିଁ, ସାର୍ । ଯୁବକ ଉତ୍ତର ଦେଲେ ।

- ତେବେ କ’ଣ ତୁମ ବାପା ନିଜେ ସବୁ ଖର୍ଚ୍ଚ କରି ତୁମକୁ ଏତେ ପାଠ ପଢାଇଛନ୍ତି? 

- ନାହିଁ ସାର୍ ! ପିଲା ଟି ଦିନରୁ ମୁଁ ବାପାଙ୍କୁ ହରାଇଛି । ମୋ’ ମାଆ ମତେ ମଣିଷ କରିଛନ୍ତି ।

- ତୁମ ମାଆ କ’ଣ କରନ୍ତି ? 

- ମୋ’ ମାଆ ଅନ୍ୟ ମାନଙ୍କର ଲୁଗାପଟା ସଫା କରନ୍ତି ସାର୍ । ସେଇଥିରେ ଆମେ ଚଳୁ।

- ଆଚ୍ଛା , ତୁମ ହାତ ଟିକେ ଦେଖାଇଲ ।

ଯୁବକ ଜଣକ ଟେବୁଲ୍ ଉପରେ ହାତକୁ ପ୍ରସାରିତ କରି ଦେଖାଇଲେ। ତାଙ୍କର ହାତ ଦୁଇଟି ଖୁବ୍ ସୁନ୍ଦର, ପରିଷ୍କାର ଏବଂ ସୁକୋମଳ ଦିଶୁଥିଲା। 

ପୁନଶ୍ଚ ମୁଖ୍ୟ ନିର୍ଦ୍ଦେଶକ କହିଲେ ...

- ତୁମେ କ’ଣ ତୁମ ମାଆଙ୍କୁ କାମରେ ସାହାଯ୍ୟ କର ?

- ନାହିଁ ସାର୍, ମା’ ମୋତେ କେବେ କାମ କରିବାକୁ ଦିଏନା’ । ସବୁବେଳେ କହେ “ ତୁ ଖାଲି ପାଠ ପଢ ରେ ବାବୁ ! ବାକି ସବୁ ମୁଁ ବୁଝିବି।“

 ଏଥର ମୁଖ୍ୟ ନିର୍ଦ୍ଦେଶକ ହସିଲେ ଏବଂ କହିଲେ ...

- ହଉ , ଠିକ୍ ଅଛି । ଆଜି ଏତିକି । କିନ୍ତୁ ମୋର ଗୋଟିଏ ଅନୁରୋଧ ଅଛି , ଆଜି ତୁମେ ଘରକୁ ଫେରିବା ପରେ ଥରେ ତୁମ ମାଆଙ୍କ ହାତକୁ ପାଣିରେ ଧୋଇଦେବ। ଆସନ୍ତାକାଲି ପୁଣି ଦେଖାକରିବ ମତେ।

ଯୁବକଙ୍କ ମନରେ ଚାକିରୀ ଟି ମିଳିଯିବାର ଆଶା ବେଶ୍ ଉଜ୍ବଳ ଦେଖା ଯାଉଥିଲା। ସେ ଘରକୁ ଫେରି ନିଜ ମାଆଙ୍କୁ ସବୁକଥା ଜଣାଇଲେ। ହାତ ଧୋଇବା କଥା ଟି ନେଇ ଆଶ୍ଚର୍ଯ୍ୟ ହେଲେ ମଧ୍ୟ ବିନା କୌଣସି ପ୍ରତିବାଦରେ ନିଜ ହାତ ଦୁଇଟି ପୁଅ ଆଡକୁ ବଢାଇଦେଲେ ମାଆ । ବାଲଟିଏ ପାଣି ଆଣି ମା’ଙ୍କୁ ପାଖରେ ବସାଇ ତାଙ୍କ ହାତ ଦୁଇଟି ଧରି ଧୋଇବାକୁ ଆରମ୍ଭ କଲାବେଳକୁ ଯୁବକଙ୍କ ଆଖିରୁ ଧାର ଧାର ଲୁହ ଝରି ପଡୁଥିଲା। ସେ ଦେଖୁଥିଲେ ମାଆର ହାତ ଦୁଇଟିକୁ। ଜୀବନରେ ପ୍ରଥମ ଥର ପାଇଁ ଅନୁଭବ କରୁଥିଲେ, ୟା ଭିତରେ ମାଆର ହାତ କେମିତି ଦୁର୍ବଳ ହୋଇ ପଡିଛି , କୁଞ୍ଚିତ ଚର୍ମ, ହାତରେ ଅସଂଖ୍ୟ ଫୋଟକା , ଠାଏ ଠାଏ ଫୋଟକା ସବୁ ଶୁଖି ଚର୍ମ ଫାଟି ନାଲି ଦିଶୁଛି । ହାତରେ ପାଣି ଢାଳିଲା ବେଳକୁ ଯନ୍ତ୍ରଣା ରେ ଶିହରି ଉଠୁଥିଲା ମାଆର ଦେହ, ହେଲେ ତା’ମୁହଁ ରୁ ଶବ୍ଦଟିଏ ବାହାରୁନଥିଲା । ପୁଅ ର ଛାତି ଫାଟି ଯାଉଥିଲା ଦୁଃଖରେ । ସେ ଭାବୁଥିଲା “ ଆହା ! ଏଇ ହାତ ଦୁଇଟି ଏତେ ବର୍ଷ ହେଲାଣି ଏଇ କାମ କରି ମୋ’ର ସ୍କୁଲ୍ କଲେଜର ଦରମା ଦେଇ ,ମୋତେ ପାଳିପୋଷି,ପାଠଶାଠ ପଢାଇ ମଣିଷ କରିଛି,ଏଥିପାଇଁ ମା’ କେତେ କଷ୍ଟ ଭୋଗିନଥିବ ସତେ ! ଦିନେହେଲେ ତ ସିଏ ଏ ବିଷୟରେ ତା’କୁ ଜାଣିବାପାଇଁ ଦେଇନାହିଁ ! ଏଇ ଫୋଟକା ଗୁଡିକ କେବଳ ମତେ ମଣିଷ କରିବାର ମୂଲ୍ୟ ଦେବାକୁ ପଡିଛି ମୋ’ମାଆ କୁ” ।  ଯୁବକ ଜଣକ ନିଜ ହୃଦୟ ଭିତରେ ଅନୁଭବ କରୁଥିଲେ ମାଆଙ୍କର କଷ୍ଟ ସବୁକୁ। ତାଙ୍କ ଆଖିରୁ ଲୁହ ଶୁଖୁନଥିଲା। ମାଆର ହାତ ଦୁଇଟି ଧୁଆପୋଛା କରି ତା’କୁ ଘରେ ବସାଇଦେଇ ବଳକା ପଡିଥିବା ଲୁଗାପଟା ସବୁକୁ କାଚି ସଫା କରିଦେଲେ ଯୁବକ ଜଣକ । ସେଦିନ ରାତିରେ ନିଜେ ରୋଷେଇ କରି ମାଆଙ୍କୁ ଖାଇବାକୁ ଦେଇ ଶୋଇବା ବେଳକୁ ଖୁବ୍ ଗପସପ କଲେ ମାଆ ପୁଅ ଦୁହେଁ । ପରଦିନ ପୁଣି ଥରେ କମ୍ପାନୀର ମୁଖ୍ୟ ନିର୍ଦ୍ଦେଶକ ଙ୍କୁ ଭେଟିଲା ବେଳକୁ ତାଙ୍କ ମୁହଁ ଭିନ୍ନ ପ୍ରକାର ଦିଶୁଥିଲା । ମୁଖ୍ୟ ନିର୍ଦ୍ଦେଶକ ମଧ୍ୟ ଠିକ୍ ଠଉରେଇ ନେଇଥିଲେ ଯୁବକଙ୍କ ମୁହଁ ର ପରିବର୍ତ୍ତନ ଏବଂ ତାଙ୍କର ଆଖିରେ ଛଳଛଳ ହେଉଥିବା ଲୁହକୁ । ସ୍ମିତ ହସି ମୁଖ୍ୟ ନିର୍ଦ୍ଦେଶକ ପଚାରିଲେ ..

- ଆଉ ? ସବୁ ଭଲ ତ ? ଗତକାଲି କେମିତି କଟିଲା ତୁମର ସମୟ ? ଆଶାକରେ ତୁମେ କାଲି ନିଶ୍ଚୟ ତୁମ ମାଆଙ୍କ ହାତ ଧୋଇଦେଇଥିବ । କେମିତି ଅନୁଭବ କଲ ?

- ଆଜ୍ଞା ହଁ, କାଲି ମା’ର ହାତ ଧୋଇ ସାରିବା ପରେ ମୁଁ ତା’ର ବାକି ରହିଥିବା ଲୁଗାପଟା ଗୁଡିକ ମଧ୍ୟ ସଫା କରିଦେଲି। ଜୀବନରେ ପ୍ରଥମ ଥର ପାଇଁ କିଛି ନୂଆ ଅନୁଭୂତି ହେଲା ଏବଂ କିଛି ଶିକ୍ଷା ମଧ୍ୟ ମିଳିଲା ।

ପ୍ରଥମତଃ ମୁଁ ବୁଝି ପାରିଲି କାର୍ଯ୍ୟଗ୍ରାହୀତା କ’ଣ। ଅନ୍ୟ ର କାମ କୁ ପସନ୍ଦ କରି , ତା’ ସହିତ ମିଶି କାମ କରିବାର ଆନନ୍ଦ କେତେ । ପ୍ରଥମ ଥର ପାଇଁ ଅନୁଭବ କଲି ମୋ’ ମାଆର ପ୍ରାଧାନ୍ୟ। ମୋତେ ମଣିଷ ଭଳି ମଣିଷଟିଏ କରିବା ପାଇଁ ସେ କେତେ କଷ୍ଟ ସହିଛି ତା’ ଜୀବନରେ। ତା’ ବିନା ମୋର ଆଜିର ଏ ସ୍ଥିତି ସଂପୂର୍ଣ୍ଣ ଅସମ୍ଭବ ହୋଇଥାନ୍ତା ।

ଦ୍ୱିତୀୟତଃ, ମାଆ ସହିତ କାମ କରି ମୁଁ ବୁଝି ପାରିଲି ଅନ୍ୟ କାହାର କାର୍ଯ୍ୟକୁ ପସନ୍ଦ କରି , ତା’ ସହିତ ମିଶି କାମ କରିବାର ଆନନ୍ଦ କେତେ । ସବୁ କାମ କୁ ସୁଚାରୁ ରୂପେ ନେଇ ଆଣି ଥୋଇବା କେତେ କଷ୍ଟକର ।

ତୃତୀୟତଃ, ମାଆଙ୍କୁ ସହିତ ଗପସପ କରି ମୁଁ ବୁଝି ପାରିଲି ପାରିବାରିକ ସଂପର୍କ ର ସଜ୍ଞା ଏବଂ ତା’ର ମୂଲ୍ୟବୋଧ।

ଏଥର ମନଖୋଲି ହସିଲେ ମୁଖ୍ୟ ନିର୍ଦ୍ଦେଶକ ଏବଂ କହିଲେ ...

ଠିକ୍ ଏଇ ସବୁ ଗୁଣ ଗୁଡିକ ହିଁ ମୁଁ ଆଶା କରୁଥିଲି ମୋ’ର କମ୍ପାନୀ ର ମ୍ୟାନେଜର ଙ୍କ ପାଖରୁ । ମୁଁ ଆଶା କରୁଥିଲି ଏମିତି ପରିଚାଳକଟିଏ ଯିଏ ନିଜେ ପରିଶ୍ରମ କରିବା ସହିତ ଅନ୍ୟ ର ପରିଶ୍ରମ କୁ ମଧ୍ୟ ସମ୍ମାନ କରୁଥିବ, ଯିଏ ଦଳବଦ୍ଧ ହୋଇ କାମ କରିବାର ମହତ୍ତ୍ଵ ବୁଝୁଥିବ ଏବଂ କେବଳ ଅର୍ଥଲିପ୍ସୁ ନହୋଇ ଗୁଣବତ୍ତା ର ମାନ ରଖୁଥିବ । ତୁମେ ସେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଛ ଯୁବକ ! ମୁଁ ତୁମକୁ ବର୍ତ୍ତମାନ ଠାରୁ କମ୍ପାନୀ ର ମ୍ୟାନେଜର ଭାବରେ ନିଯୁକ୍ତି ଦେଉଛି। ଆଶାକରେ ଭବିଷ୍ୟତ ରେ ତୁମେ କମ୍ପାନୀର ଉତ୍ତରୋତ୍ତର ଉନ୍ନତି କରିବା ସହିତ ନିଜକୁ ଜଣେ ଦକ୍ଷ ପରିଚାଳକ ଭାବରେ ପ୍ରମାଣିତ କରିବ। ପରବର୍ତ୍ତୀ ସମୟରେ ସେଇ ଯୁବକ ଜଣକ ଜଣେ ଦକ୍ଷ ପରିଚାଳକ ଭାବରେ ନିଜେ କଠୋର ପରିଶ୍ରମ କରି, ଅନ୍ୟ ସହଯୋଗୀ ମାନଙ୍କୁ ଉଚିତ୍ ପ୍ରାଧାନ୍ୟ ଦେଇ ଦଳବଦ୍ଧ ଭାବରେ ସେମାନଙ୍କ ସହିତ ମିଶି କମ୍ପାନୀ କୁ ଉନ୍ନତିର ଶୀର୍ଷ ରେ ପହଞ୍ଚାଇଥିଲେ । ନିଜର ଗୁଣବତ୍ତାରେ ସେ କମ୍ପାନୀ ରେ ସମସ୍ତଙ୍କର ଶ୍ରଦ୍ଧାଭାଜନ ହୋଇଥିଲେ । ଏହି ଘଟଣାରୁ ଆମକୁ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ମିଳେ । ଛୋଟ ପିଲାଟିଏ ଯଦି ଆରମ୍ଭ ରୁ ସବୁକିଛି ତା’ ହାତ ପାହାନ୍ତାରେ ପାଇଯାଏ , ତେବେ ତା’ ଭିତରେ ଗୋଟିଏ ଅହଂ ଭାବ ଉତ୍ପନ୍ନ ହୁଏ ଏବଂ ସେ ସବୁବେଳେ ନିଜକୁ ସର୍ବୋପରି ଭାବେ। ତା’ ପାଇଁ ବାପା ମାଆଙ୍କ ପରିଶ୍ରମ ର ସେ ମୂଲ୍ୟବୋଧ କରି ପାରେ ନାହିଁ ।ତା’ର ଜିଦି କୁ ଯଦି ବାପା ମାଆ ସହଜରେ ମାନି ନିଅନ୍ତି ତେବେ ସେ ବଡ ହେବା ପରେ ମଧ୍ୟ ଚାହିଁଥାଏ ଯେ ଅନ୍ୟ ମାନେ ତା’ର ନିର୍ଦ୍ଦେଶ ମାନି ଚଳନ୍ତୁ ବୋଲି।  ବଡ ହୋଇ ସେ ଭଲ ପାଠ ପଢି ଭଲ ଶିକ୍ଷାର ଯୋଗ୍ୟତା ହାସଲ କରି ପାରେ , ଜୀବନରେ ସଫଳ ମଧ୍ୟ ହୋଇପାରେ ,ମାତ୍ର ସେ ସଫଳତା ଦୀର୍ଘସ୍ଥାୟୀ ହୋଇନଥାଏ।ପିଲାଟି କିଛି ହାସଲ କରିବା ର ତାତ୍ପର୍ଯ୍ୟ ବୁଝି ପାରିନଥାଏ।  ବଡ ହୋଇ କିଛି କାମ କରିବାବେଳେ ସେଠାରେ ସେ ସମସ୍ତଙ୍କୁ ତା’ର ଅଧୀନରେ ରଖିବାକୁ ଚାହେଁ , ସେମାନଙ୍କ ପରିଶ୍ରମ ର ମୂଲ୍ୟବୋଧ କରି ପାରେନାହିଁ, ସେମାନଙ୍କୁ ସାଥିରେ ନେଇ କୌଣସି କାମ କରିବାର କୌଶଳ ଶିଖି ପାରେନାହିଁ । କେବେ ହେଲେ ନିଜର ଦୋଷ ଦୁର୍ବଳତା କୁ ଦେଖିପାରେନାହିଁ’ ବରଂ ସେଥିପାଇଁ ଅନ୍ୟ ମାନଙ୍କୁ ଦୋଷାରୋପ କରିଥାଏ । ସେ ଅହଂ ଭାବାପନ୍ନ ହୋଇପଡେ ଏବଂ ସବୁବେଳେ ଅଧିକ ରୁ ଅଧିକ ପାଇବା ପାଇଁ ଚେଷ୍ଟା କରିଥାଏ ଏବଂ ଇପ୍ସିତ ପଦାର୍ଥ ନମିଳିଲେ ଅନ୍ୟ ମାନଙ୍କ ଉପରେ ନିଜର କ୍ରୋଧ ପ୍ରକାଶ କରିଥାଏ। ଏଭଳି ମଣିଷ ଜୀବନରେ କେବେହେଲେ ଦକ୍ଷ ପରିଚାଳକଟିଏ ହୋଇ ପାରେନାହିଁ । କୌଣସି ଉନ୍ନତିମୂଳକ କାର୍ଯ୍ୟ କରିପାରେନାହିଁ ।

ତେଣୁ ସବୁ ପିତାମାତା ତାଙ୍କର ସନ୍ତାନ ମାନଙ୍କର ପାଳନପୋଷଣ କଲାବେଳକୁ କେତୋଟି କଥା ଧ୍ୟାନ ରଖିବା ଉଚିତ୍ ଆପଣ ଯେତେ ଧନୀ ହୋଇଥାନ୍ତୁ ନା କାହିଁକି, ନିଜର ପିଲା କୁ ବଡ କରିବା ପାଇଁ ବାପା ମାଆ ଙ୍କ ଅବଦାନ ବିଷୟରେ ଜଣାନ୍ତୁ, ପିଲାମାନଙ୍କୁ ସାଧାରଣ ଜୀବନ ସହିତ ପରିଚିତ କରାନ୍ତୁ । ଆପଣ କାର୍ ରେ ତା’କୁ ସ୍କୁଲ୍ କୁ ପଠାଇପାରନ୍ତି କିନ୍ତୁ ବେଳେବେଳେ ସାଧାରଣ ବସ୍ କିମ୍ବା ଅଟୋ ରେ ଯିବାକୁ ଶିଖାନ୍ତୁ । ଯେତେ ଦାସଦାସୀ ରଖିଥାନ୍ତୁ ନା କାହିଁକି, ବେଳେବେଳେ ପିଲାମାନଙ୍କୁ ଆପଣ ବଗିଚା ରେ ଘାସ କାଟିବା ବେଳେ ସାଥିରେ ନେଇ ଶିଖାନ୍ତୁ କିମ୍ବା ଭାଇ ଭଉଣୀ ମାନଙ୍କ ସାଥିରେ ଖାଇବା ପରେ ନିଜେ ନିଜର ବାସନ ନେଇ ଧୁଆଧୋଇ କରି ରଖିବାକୁ ଶିଖାନ୍ତୁ । ଏତଦ୍ବାରା ସେ ଭାଗୀଦାରୀ କରିବା ଶିଖିବ। ଜୀବନରେ ଅନ୍ୟର ଭଲକାମ କୁ ସମ୍ମାନ କରିବା ଶିଖାନ୍ତୁ, ସେ ମଣିଷପଣିଆ ଶିଖିବ।


Rate this content
Log in

Similar oriya story from Inspirational