sushama Parija

Inspirational

3  

sushama Parija

Inspirational

ମନେପଡେ ମୋ’  ଉଡାଣର କଥା

ମନେପଡେ ମୋ’  ଉଡାଣର କଥା

5 mins
204


ପିଲାଟି ଦିନରୁ ବୋଉକୁ ଦେଖେ, ସେ ଘରେ କାମ ଧନ୍ଦା କରୁଥିଲା ବେଳେ ସେ ସବୁବେଳେ କିଛି ଗୋଟେ ଗୁଣୁଗୁଣୋଉଥାଏ ।ସକାଳୁ ତୁଳସୀ ଚଉଁରା ମୂଳେ ପାଣି ଦେଲାବେଳେ ବଡ ପାଟିରେ ପ୍ରାର୍ଥନା ବୋଲେ। ସନ୍ଧ୍ୟା ବେଳେ ସଞ୍ଜବତୀ ଦେଇ ସାରି ଭାଗବତ ପଢେ । ମୋର ଜନ୍ମ ପରେ ପରେ କଟକରେ ଆମେ ସବୁ ମାଉସୀ ଘରେ ରହୁଥିଲୁ ମଙ୍ଗଳାବାଗରେ । ମୋ ମାଉସୀ ଘର ଠାକୁରବାଡି। ମଠରେରେ ରାଧା କୃଷ୍ଣଙ୍କ ମନ୍ଦିର । ସେଠାରେ ପୂଜା ପାଆନ୍ତି ରାଧେକୃଷ୍ଣ ମୁଗୁନି ପଥରର ମୂର୍ତ୍ତି, ରାଧାମୋହନଙ୍କର ପିତ୍ତଳ ବିଜେ ପ୍ରତିମା ଏବଂ ଜୀବନ୍ତ ଶାଳଗ୍ରାମ କେତୋଟି । ସେଇଠି ସନ୍ଧ୍ୟା ଆରତୀ ପରେ ସବୁଦିନେ ପୁରାଣ ପଢା ହୁଏ । ମୋ’ ବୋଉ ସବୁଦିନେ ସେଇଠି ପୁରାଣ ପଢେ। ମାଉସୀର ଶଶୁର ଖୁବ୍ ସ୍ନେହ କରନ୍ତି ମୋ’ ବୋଉକୁ । ତା’ର ପୁରାଣ ପଢାକୁ ଖୁବ୍ ପସନ୍ଦ କରନ୍ତି ।

ମୋ’ ବୋଉ ଖୋରଧା ଜଟଣୀର ପାଇକ ସର୍ଦ୍ଦାର ମଙ୍ଗରାଜ ଘର ଝିଅ । ପରାଧୀନ ଭାରତରେ ଜନ୍ମ ନେଇ ଥିବା ହେତୁ ସେ ସମୟର ଚଳଣି ଅନୁସାରେ ପଞ୍ଚମ ଶ୍ରେଣୀ ଯାଏଁ ପଢିବା ପରେ ଆଉ ସ୍କୁଲକୁ ଯାଇ ପାରିନଥିଲା କିନ୍ତୁ ତା’ର ପାଠପଢ଼ାରେ ଖୁବ୍ ଆଗ୍ରହ ଥିଲା।ମୋ ଅଜା ବାସୁଦେବ ମଙ୍ଗରାଜ ଜଣେ ପକ୍କା କିର୍ତ୍ତନୀୟା ଥିଲେ। ମର୍ଦ୍ଦଳ ବାଦନରେ ତାଙ୍କ ନାଆଁ ଡାକଥିଲା ସେ ଖଣ୍ଡମଣ୍ଡଳରେ । ବୋଉ କହେ ଅଜାଙ୍କ କିର୍ତ୍ତନ ଶୁଣି ଶୁଣି ସେ ଭଜନ, ଜଣାଣ, ଛାନ୍ଦ, ଚମ୍ପୂ ସବୁ ଶିଖି ଯାଇଥିଲା ସେ ସମୟରେ। ଏଗାର ବର୍ଷରେ ତା’ର ବାହାଘର ହୋଇଥିଲା, ସେ ତେରବର୍ଷରେ ଶାଶୁଘରକୁ ଆସିଲା । ପାଠ ପଢିବା ପାଇଁ ଇଚ୍ଛା ଥିଲେ ମଧ୍ୟ ପ୍ରତିକୂଳ ପରିବେଶ ହେତୁ ଆଉ ପଢି ପାରିଲାନି । ମୋ’ ବାବା କଟକରେ ଚାକିରୀ କରୁଥିଲେ ଆଉ ମୋ’ ବୋଉର ଆଗ୍ରହ ଦେଖି, ତା’ର ଅନୁରୋଧ ରଖି ତା’କୁ କଟକରୁ ବହିପତ୍ର କିଣିନେଇ ପଢିବାକୁ ଦେଉଥିଲେ। ସେଇ ମଧ୍ୟରେ ଅନେକ ଗୁଡିଏ ପୁରୁଣା କାବ୍ୟ, ପୁରାଣ, ଗ୍ରନ୍ଥାବଳୀ ପଢି ସାରିଥିଲା ମୋ’ବୋଉ। ଉତ୍ତରାଧିକାରୀ ସୂତ୍ରରେ ଅଜାଙ୍କ ପାଖରୁ ତା’କୁ ମିଳିଥିଲା ସୁନ୍ଦର କଣ୍ଠସ୍ୱର । ସେ ପୁରାଣ ବୋଲିଲେ ଅନେକ ଲୋକ ରୁଣ୍ଡ ହୋଇ ଶୁଣୁଥିଲେ। ମୋ’ ବୋଉ ସେସବୁ ପୁରାଣର ବ୍ୟାଖ୍ୟା କରି ଶୁଣାଉଥିଲା ସେମାନଙ୍କୁ। ଗୋଟିଏ ପୁରାଣର ସେଟ୍ ପଢା ସରିଗଲେ ଆଉ ଗୋଟିଏ ପୁରାଣର ଆରମ୍ଭ ହେଉଥିଲା। ମୋର ମନେ ପଡୁଛି ଦାଣ୍ଡି ରାମାୟଣ, ଶାରଳାଦାସଙ୍କ ମହାଭାରତ, ପଦ୍ମପୁରାଣ, ବ୍ରହ୍ମ ବୈବର୍ତ୍ତ ପୁରାଣ, ମାର୍କଣ୍ଡେୟ ପୁରାଣ ଇତ୍ୟାଦି ଇତ୍ୟାଦି ଅନେକ ପୁରାଣ ରହିଥିଲା ସେ ମଠରେ। ସବୁ ପଢୁଥିଲା ମୋ’ ବୋଉ। ସମସ୍ତେ ଭୁରି ଭୁରି ପ୍ରଶଂସା କରୁଥିଲେ ମୋ’ ବୋଉକୁ। ସେଇଠି ରହିବା ସମୟରେ ସେ ଥିଲା ସମସ୍ତଙ୍କ ଆଦରର ପାତ୍ରୀ, ସାନ ମାନଙ୍କର ପ୍ରିୟ “ରେଖା ଦେଈ”, ବଡ ମାନଙ୍କର ଝିଅ ଏବଂ ପିଲାମାନଙ୍କ ଆଦରର “ରେଖା ମାଉସୀ”।

ଟିକିଏ ବଡ ହେଲା ପରେ ଧୀରେ ଧୀରେ ମୁଁ ଜାଣିଲି ଯେ ସିଏ ମଠରେ ସନ୍ଧ୍ୟାବେଳେ ଯାହା ପ୍ରାର୍ଥନା କରୁଥିଲା, ବାସ୍ତବରେ ସେ ଥିଲା ଜୟଦେବଙ୍କ ଗୀତଗୋବିନ୍ଦ । ବୋଉ ମୋର ଭକ୍ତିଭାବରେ ତଲ୍ଲୀନ ହୋଇ ସୁନ୍ଦର ସ୍ୱରରେ ଭଜନ ବୋଲେ। ଗୀତ, ସଂଗୀତ, କବିତା ପ୍ରତି ଆଗ୍ରହ ମୋର ପ୍ରତି ମୁହୂର୍ତ୍ତରେ ସେଇଠି ବୋଉର କଣ୍ଠସ୍ୱରରୁ ଗୀତ ଶୁଣି ଶୁଣି ସୃଷ୍ଟି ହୋଇଥିଲା। ମୋର ଟିକିଏ ହେତୁ ହେବା ବେଳକୁ ସେ ମୋତେ ଶିବ ପଞ୍ଚାକ୍ଷର ସ୍ତୋତ୍ର, ଭବାନୀ ଅଷ୍ଟକ, ଦଶାବତାର ସ୍ତୋତ୍ର, ସବୁ ଶିଖାଇଥିଲା, ମୁଁ ସେସବୁ ବୋଲୁଥିଲି ସେଇ ମଠରେ । କଳା ପ୍ରତି ଧୀରେ ଧୀରେ ମୋର ଆଗ୍ରହ ବଢିଲା ଏବଂ ଧୀରେ ଧୀରେ ମୁଁ ମଧ୍ୟ ବିଧିବଦ୍ଧ ଭାବେ ସଂଗୀତ ଶିଖିଲି । ପ୍ରଖର ସ୍ମୃତିଶକ୍ତି ଥିଲା ମୋ’ ବୋଉର, କୋଉ ପିଲାବେଳେ ପଡିଥିବା, ଶୁଣିଥିବା ଗୀତ ସବୁ ପ୍ରାଞ୍ଜଳ ଭାବରେ ମନେ ରଖିଥିଲେ ସିଏ।

ମୋର ପ୍ରେରଣାର ଆଦ୍ୟ ସ୍ରୋତ ମୋ’ ବୋଉ। ତା’ରି ଦ୍ୱାରା ଅନୁପ୍ରାଣିତ ହୋଇ ମୁଁ ଗୀତ ନାଚ ଶିଖିଲି, ସ୍କୁଲରେ ଡ୍ରାମା କଲି, ଗୀତିନାଟ୍ଯ କଲି, ବହୁତ ବହି ପଢାପଢି କଲି, ଛୋଟ ବେଳୁ ଗଳ୍ପ, କବିତା ଲେଖିଲି। କାଜି ବଜାର ସ୍ଥିତ ମହିଳା ଟ୍ରେନିଂ ସ୍କୁଲ୍ରୁ ପଞ୍ଚମ ଶ୍ରେଣୀ ପାଶ୍ କଲା ପରେ ମୁଁ ପଢିଲି ଥୋରିଆସାହିର ମୁନିସିପାଲିଟି ଗାର୍ଲ୍ସ ହାଇସ୍କୁଲରେ । ସେଇ ଦୁଇଟି ଯାକ ସ୍କୁଲରେ ମଧ୍ୟ ଶିକ୍ଷୟତ୍ରୀ ମାନେ ଖୁବ୍ ପ୍ରୋତ୍ସାହିତ କରୁଥିଲେ ନୃତ୍ୟ, ସଙ୍ଗୀତ ଆଉ ସୃଜନ କୁ। ପ୍ରତ୍ୟେକ ବର୍ଷ ସ୍କୁଲ୍ର ବାର୍ଷିକ ଉତ୍ସବରେ ମୁଁ ନୃତ୍ୟ, ସଙ୍ଗୀତ, ଗୀତାଭିନୟରେ ଭାଗ ନେଇ ଗୁରୁମା’ମାନଙ୍କର ପ୍ରିୟଭାଜନ ହୋଇଥିଲି। ପାଠ ମଧ୍ୟ ଖୁବ୍ ଭଲ ପଢୁଥିଲି । ଗୁରୁମା’ ମାନଙ୍କର ପ୍ରେରଣାରେ ମୋର ପ୍ରତିଭା ଯେତିକି ଉନ୍ମୋଚିତ ହେଲା ସେତିକି ସଂସ୍କାରିତ ହେଲା ମଧ୍ୟ । ସ୍କୁଲ୍ ଶିକ୍ଷା ପରେ ମୁଁ ଆଇ.ଏସ୍.ସି ପଢିଲି ଶୈଳବାଳା ମହିଳା କଲେଜରେ । ପାରିପାର୍ଶ୍ବିକ ପରିସ୍ଥିତିର ପରିବର୍ତ୍ତନରେ ମୋର ପାଠପଢାର ଦିଗ ମଧ୍ୟ ବଦଳିଗଲା। ମୁଁ ରେଭେନ୍ସା ମହାବିଦ୍ୟାଳୟରେ କଳାରେ ସ୍ନାତକ କଲି, ହେଲେ ଅର୍ଥାଭାବରୁ ଆଉ ଆଗକୁ ପଢିବା ପାଇଁ ସୁଯୋଗ ପାଇଲିନି। ମାତ୍ର ଊଣେଇଶି ବର୍ଷ ବୟସରେ ବାହାଘର ହୋଇଥିଲା ମୋର । ବାହାଘର ପରେ ଘର ସଂସାର, ଯୌଥ ପରିବାରରେ ଆଉ ସାହିତ୍ୟ ସହିତ ସଂପର୍କ ରହିଲାନି ।

 ଝିଅଟିଏ ଜନ୍ମ ହେବାର ଦୁଇ ବର୍ଷ ପରେ ପରିସ୍ଥିତି ଚକ୍ରରେ ପଡି ଚାକିରୀ କଲି। ସେଇଠୁ ଆମ ଯୌଥ ପରିବାର, ନିଜର ଗୋଟିଏ ଛୋଟ ପିଲା ଆଉ ଚାକିରିର ଜଞ୍ଜାଳ ଭିତରେ ପେଷି ହୋଇ ଗଲା ମୋ' ଜୀବନ ଆଉ ତା’ ସହିତ ମୋର ସୃଜନ । ମୋ' ଶାଶୁଙ୍କ ପ୍ରେରଣାରେ ହେଉ କି କିଛି କିଛି ଶୁଭାକାଂକ୍ଷୀ ବନ୍ଧୁ ମାନଙ୍କ ବାଧ୍ୟବାଧକତାରେ କେତେବେଳେ କେମିତି କାଁ ଭାଁ ଲେଖାଟିଏ ଲେଖି ଦେଉଥିଲି । କେତେବେଳେ କିଏ ଛାପିଲା ତ, ଆଉ କିଏ ଫୋପାଡି ଦେଲା ଅଳିଆ ଗଦାରେ । ସେଥିପାଇଁ ଭୃକ୍ଷେପ ନଥିଲା ମୋର। ମୁଖ୍ୟ ଥିଲା ମୋ' ଘର ସଂସାର, ମୋର ସନ୍ତାନ ମାନଙ୍କର ଭବିଷ୍ୟତ, ମୋ’ ଜୀବନ ଆଉ ଜୀବିକା ।ତା’ପରେ ଆଉ ଦୁଇଟି ପୁଅ ଜନ୍ମ ହେଲେ। ସେମାନଙ୍କ ଲାଳନପାଳନ, ପାଠପଢା ଜଞ୍ଜାଳ ମଧ୍ୟ ବଢିଲା । ପିଲାଏ ଟିକିଏ ବଡ ହେଲା ବେଳକୁ ଆମ ପରିବାର ଉପରେ ଅନେକ ଝଡଝଞ୍ଜା ବହିଗଲା। କିଛି ଆପଣାର ମଣିଷଙ୍କୁ ହରାଇଲି ଦୁରାରୋଗ୍ୟ ବ୍ୟାଧିରେ। 

ସେଇ ସମୟରେ ବୋଉ ମୋର ଭୟାବହ କର୍କଟ ରୋଗ ସହିତ ଲଢି ଲଢି କୌଣସିମତେ ବଞ୍ଚି ଗଲା ସିନା ସବୁଦିନ ପାଇଁ ବିକଳାଙ୍ଗ ହୋଇଗଲା ଗୋଟିଏ ପଟରେ ମାଟିକୁ ହରାଇ। ତା'କୁ ସେବା କରୁ କରୁ ମୁଁ ନିଜେ ଆକ୍ରାନ୍ତ ହୋଇ ପଡିଲି ଆଣ୍ଠୁ ଗାଣ୍ଠି ବାତରେ। ଧୀରେ ଧୀରେ ସେଇ ରୋଗ ବଢି ବଢି ମୁଁ ସଂପୂର୍ଣ୍ଣ ଚଳତ୍ ଶକ୍ତି ହରାଇଲି । ଶାରିରୀକ ଅସୁସ୍ଥତା ଭିତରେ ମୋ' ଲେଖନୀରେ ଅଳନ୍ଧୁ ଲାଗିଗଲା। ସାହିତ୍ୟ ଠାରୁ ସଂପୂର୍ଣ୍ଣ ଦୂରେଇଗଲି କିଛି ସମୟ ପାଇଁ । ଦୀର୍ଘଦିନର ଅସୁସ୍ଥତା ଭୋଗିବା ପରେ ମୋର ଦୁଇଟି ଯାକ ଆଣ୍ଠୁ ପ୍ରତିରୋପଣ ହେଲା ବାଙ୍ଗାଲୋରର ଏକ ବଡ ହସପିଟାଲରେ । ତା'ପରେ କୌଣସିମତେ ଧୀରେସୁସ୍ଥେ ସାଧାରଣ ଜୀବନକୁ ଫେରିଲି। ପୁଣିଥରେ ସେଇ ସଂସାର ଆଉ ଚାକିରିରେ ବାନ୍ଧି ହୋଇ ପଡିଲି।

ପ୍ରକୃତରେ ମୋର ସୃଜନଶୀଳତାର ଦ୍ୱିତୀୟ ଅଧ୍ୟାୟ ଆରମ୍ଭ ହେଲା ଚାକିରୀରୁ ଅବସର ନେବା ପରେ। ମୋର ପିଲାମାନଙ୍କ ପ୍ରେରଣା ମୋ’ ଭିତରର ସୃଜନଶୀଳ ମଣିଷକୁ ଉଚ୍ଛନ୍ନ କଲା ପୁଣିଥରେ ଅଣ୍ଟା ସଳଖି ଠିଆ ହେବା ପାଇଁ । ମୁଁ ସାହସ କରି ପାଦ ବଢାଇଲି ଆଗକୁ ଆଗକୁ ... । ମୋର ସୃଷ୍ଟି ମାନ ରାଜ୍ୟର ଅନେକ ପ୍ରତିଷ୍ଠିତ ସମ୍ବାଦପତ୍ର, ଅନେକ ପତ୍ରିକା ମାନଙ୍କରେ ପ୍ରକାଶିତ ହୋଇଛି, ପାଠକ ମାନଙ୍କ ସ୍ନେହ ଶ୍ରଦ୍ଧା ମୋତେ ଆହୁରି ଅଧିକ ଲେଖିବା ପାଇଁ ପ୍ରୋତ୍ସାହିତ କରିଛି । ମୋର ଲେଖାକୁ ଅଧିକ ମାର୍ଜିତ କରିଛି। ଏହା ମୋ’ ପ୍ରତି ମୋର ବାବା, ବୋଉ ଏବଂ ମୋର ଶାଶୁ, ସର୍ବୋପରି ଏହା ପରମେଶ୍ଵରଙ୍କ ଆଶୀର୍ବାଦ ବୋଲି ମୁଁ ମନେକରେ।

କିଛି କିଛି ସାହିତ୍ୟ ଅନୁଷ୍ଠାନ ମାନେ ମଧ୍ୟ ସମ୍ମାନିତ କରିଛନ୍ତି ମୋର ପ୍ରତିଭାକୁ, ସେମାନଙ୍କ ପାଖରେ ମୁଁ ଋଣୀ । ଏ ଯାବତ୍ “ ପ୍ରତିବଦ୍ଧ” “ପରିପୂର୍ଣ୍ଣା” "କ୍ଳାନ୍ତ ଅପରାହ୍ନ" ଓ "ଗୋଟିଏ ଶୀତ ରାତିର ସ୍କେଚ୍" ନାମରେ ମୋର ଚାରୋଟି ଗଳ୍ପ ସଙ୍କଳନ, "ବର୍ଣ୍ଣାଳୀ" ନାମରେ ଏକ କବିତା ସଂକଳନ, ଏବଂ"ମୋ' କାନାଡା ଡାଏରୀ " ନାମରେ ଏକ ଭ୍ରମଣକାହାଣୀ ପ୍ରକାଶିତ ହୋଇ ଖୁବ୍ ପାଠକୀୟ ଆଦୃତି ଲାଭ କରିଛି, ଆହୁରି କେତୋଟି ପାଣ୍ଡୁଲିପି ପ୍ରକାଶ ଅପେକ୍ଷାରେ ଅଛି । ଏବେ ନିରୋଳାରେ ବସିଲେ ସେଇସବୁ କଥା ଖୁବ୍ ମନେପଡେ । ଏବେ ବି ମୋର ମନେ ହୁଏ.. ଏଇ ମାତ୍ର ଆରମ୍ଭ ହୋଇଛି ମୋର ସାହିତ୍ୟ ଜୀବନ। ଆହୁରି ଅନେକ ବାଟ ଯିବାକୁ ଅଛି, ଆହୁରି ଅନେକ କିଛି ଶିଖିବାର ଅଛି, ଏବେ ଏବେ ତ ମୁଁ ଉଡାଣ ଆରମ୍ଭ କରିଛି, ଅନନ୍ତ ଆକାଶ ବୁକୁରେ .... । 



Rate this content
Log in

Similar oriya story from Inspirational