sushama Parija

Romance

4.1  

sushama Parija

Romance

ମଉଳା ଫୁଲ ର ହସ

ମଉଳା ଫୁଲ ର ହସ

15 mins
992



  ଆପାର୍ଟମେଣ୍ଟର ଘରୁ ବାହାରି ପିୟରସନ୍ ଏୟାରପୋର୍ଟ ରେ ପହଞ୍ଚିଲା ଯାଏଁ ବାଟ ସାରା କାର୍ ଭିତରେ ମାଆର ହାତକୁ ନିଜ କୋଳରେ ଧରି ବସିଥିଲା ଶ୍ରେୟା । ବିଦେଶରେ ଝିଅକୁ ଛାଡି ଏମିତି ଅଚାନକ ଭାବେ ବାଧ୍ୟ ହୋଇ ଇଣ୍ଡିଆ ଫେରିବାକୁ ପଡିବ ବୋଲି ସ୍ୱପ୍ନ ରେ ସୁଦ୍ଧା ଭାବି ନଥିଲେ ବିଭାବରୀ। କେମିତି ଏଇ ପରିସ୍ଥିତିରେ ଏକା ରହିବ ଝିଅ, ସେଇ ଚିନ୍ତା ରେ ସେ ଗଲା ସାତ ଦିନ ହେବ ଘାରି ହେଉଛନ୍ତି, ଆଖିରେ ନିଦ ନାହିଁ କି ପେଟକୁ ଭୋକ ନାହିଁ । ଲୁହ ଗୁଡା ଝର ଝର ହୋଇ ଝରି ପଡୁଛି ଅମାନିଆଁ ହୋଇ। ଶ୍ରେୟା ବୋଧ ଦେଉଛି “ କିଛି ହେବନି ଲୋ ବୋଉ ! ତୁ ଖାଲି ମିଛଟା ରେ ବ୍ୟସ୍ତ ହେଉଛୁ, ମୁଁ ଏଠିକି ଆସିବାର ଦୁଇବର୍ଷ ହେଲାଣି , ଏକା ଏକୁଟିଆ ହୋଇ ରହିଛି, କେବେ କିଛି ଅସୁବିଧା ହୋଇଛି କି ? ଆଉ ଆଜି ତ ଆକାଶ ଅଛନ୍ତି ମୋ’ କଥା ବୁଝିବେ ଲାଗି, ତୋ’ର ସବୁବେଳେ ଏଇ ନାକ କାନ୍ଦୁରୀ ଗୁଣ ଗଲା ନାହିଁ। ଦେଖ୍ ଏବେ ଏୟାରପୋର୍ଟ ଆସିଲାଣି, ଲୋକେ ବସିବେ ତତେ ଏମିତି କାନ୍ଦିବାର ଦେଖି ” । ଲୁଗା କାନିରେ ଆଖିରୁ ଲୁହ ପୋଛି ସଜାଡି ହୋଇ ବସିଲେ ବିଭାବରୀ । “ ବୋଉ ! ଧୀରେ ଧୀରେ ଓହ୍ଲାଇ ଆ” ଏୟାର୍‌ପୋର୍ଟ ର ପ୍ରବେଶଦ୍ୱାର ରେ ଟାକ୍ସିରୁ ଓହ୍ଲାଇ ଲଗେଜ୍ ବାହାର କରୁ କରୁ କାର୍ ଭିତରେ ବସିଥିବା ବିଭାବରୀଙ୍କ ଉଦ୍ଦେଶ୍ୟରେ କହିଲା ଶ୍ରେୟା । 

ଷ୍ଟ୍ରଲି ଉପରେ ଏୟାରବ୍ୟାଗ୍ ଟି ଥୋଇ ଟିକେଟ୍ କାଉଣ୍ଟରରେ ଟିକେଟ୍ ଯାଞ୍ଚ କରେଇ ଲଗେଜ୍ କାଉଣ୍ଟର ରେ ଲଗେଜ୍ ଚେକ୍ କରି ବେଲ୍ଟ ରେ ଲୋଡ୍ କରି ଦେବା ପରେ ବିଭାବରୀ ଙ୍କ ହାତ ଧରି ଲାଉଞ୍ଜ୍ ରେ ପହଞ୍ଚି ଚାରି ଆଡକୁ ଥରେ ଦୃଷ୍ଟି ପହଁରେଇ ଆଣିଲା ଶ୍ରେୟା । ଆକାଶଙ୍କର ବାପା ମଧ୍ୟ ସେଇ ଫ୍ଲାଇଟ୍ ରେ ଫେରିବେ ଇଣ୍ଡିଆ, ତେଣୁ ସିଏ ମଧ୍ୟ ନିଶ୍ଚୟ ଆସି ଅପେକ୍ଷା କରିଥିବେ ଏଇଠି କୋଉଠି। ଆକାଶ କହୁଥିଲେ ସେ ହାଲୁକା ଭାବରେ ସେମାନଙ୍କ ସଂପର୍କ ର କଥା ତାଙ୍କ ବାପାଙ୍କ କାନରେ ପକାଇଛନ୍ତି, ଏଇଠି ଦେଖାହେଲେ ସେ ପରିଚିତ କରାଇ ଦେବେ ଶ୍ରେୟା କୁ ତାଙ୍କ ବାପାଙ୍କ ସହିତ। ବାକି କଥା ଦୁହିଁଙ୍କ ବାପା ମାଆ ଫ୍ଲାଇଟ୍ ରେ ଏକାଠି ଇଣ୍ଡିଆ ଯିବା ଭିତରେ ଆପେ ଆପେ ସମାଧାନ ହୋଇଯିବ। ଦୁଇଜଣ ବୟସ୍କ ଲୋକ, ଛତିଶି ଘଣ୍ଟା ଯାତ୍ରା କାଳରେ କ’ଣ ପାଟି ବନ୍ଦ କରି ବସି ରହିବେ ? କିଛି ତ ଗପିବେ, ଆମେ ତାଙ୍କୁ ଗପ ର ଖୋରାକ ଯୋଗାଇ ଦେବା, କହି ହୋ ହୋ କରି ହସି ଉଠିଥିଲେ ଆକାଶ । ଆକାଶ ସବୁବେଳେ ଏମିତି ହାଲକା ଫୁଲକା। କୌଣସି କଥାରେ ସିରିୟସ୍ ହେବେନି। କିନ୍ତୁ ଶ୍ରେୟା ? ସିଏ ଖୁବ୍ ସିରିୟସ୍ ସବୁବେଳେ । ସେ ସଂପର୍କରେ ହେଉ ବା କାର୍ଯ୍ୟକ୍ଷେତ୍ର ରେ ହେଉ। ଯାହା ବି କରେ ଖୁବ୍ ଭାବିଚିନ୍ତି କରେ । ବୋଧହୁଏ ସବୁ ବାପ ନଥିବା ଝିଅମାନେ ସମସ୍ତେ ସେମିତି, ନିଜ ସୁରକ୍ଷା ର ଭୟ ରେ ବହୁତ କମ୍ ବୟସରୁ ବଡ ହୋଇ ଯାଆନ୍ତି । କରୋନା ମହାମାରୀ ଯୋଗୁଁ ପ୍ରବାସୀ ମାନଙ୍କୁ ଫେରାଇ ଦିଆଯିବ ବୋଲି ସରକାରୀ ଘୋଷଣା ଶୁଣି ମାଆ ପାଇଁ ଚିନ୍ତିତ ହୋଇ ଉଠିଥିଲା ସେ। ଏକୁଟିଆ କେବେ ଘରୁ ପଦାକୁ ଗୋଡ କାଢି ନଥିବା ବୋଉ କେମିତି ଏକା ଫେରିବ ବୋଲି ପରାମର୍ଶ କରିଥିଲା ଆକାଶ ଙ୍କ ସହିତ। ବିନ୍ଦାସ୍ ଭାବରେ କହିଥିଲେ ଆକାଶ “ ଡୋଣ୍ଟ୍ ୱୋରି ମାଇଁ ଡିଅର୍ ! ଆଇ ୱିଲ୍ ହାଣ୍ଡଲ୍ ଇଟ୍” । ସେଇଠୁ ଆଶ୍ୱସ୍ତ ହୋଇଥିଲା ଶ୍ରେୟା।

 ସେଇଥିପାଇଁ ତ ଶ୍ରେୟାର ମା’ ଙ୍କର ରିଟର୍ଣ୍ଣ ଟିକେଟ୍ କଲାବେଳକୁ ସିଏ ନିଜ ବାପାଙ୍କ ଟିକେଟ୍ ମଧ୍ୟ ସେଇ ଫ୍ଲାଇଟ୍ ରେ ଏକାଠି କରିଥିଲେ। ଶ୍ରେୟା କୁ କହିଥିଲେ “ ବାପାଙ୍କୁ କହିଛି ମୋ’ ସାଙ୍ଗର ମା’ ଏଠିକି ପ୍ରଥମ ଥର ପାଇଁ ଆସିଥିଲେ , କରୋନା ମହାମାରୀ ପାଇଁ ସେ ମଧ୍ୟ ବାଧ୍ୟ ହୋଇ ଫେରୁଛନ୍ତି, ବିଚାରୀ ଏକା ଯିବେ , ତୁମେ ଟିକିଏ ସାହାଯ୍ୟ କଲେ ସେ ସୁବିଧା ରେ ଯାଇ ପାରନ୍ତେ। ବାପା ଖୁବ୍ ଆନନ୍ଦ ରେ ରାଜି ହୋଇଛନ୍ତି ଜଣେ ଭାରତୀୟ ସହଯାତ୍ରୀ ମିଳିଯିବେ ବୋଲି । କାନାଡା ରୁ ଇଣ୍ଡିଆ, ମୋଟ ଛତିଶି ଘଣ୍ଟା ର ବିମାନ ଯାତ୍ରା, ନିଜ ଦେଶର ସହଯାତ୍ରୀ ଟିଏ ଥିଲେ ଯାତ୍ରା କଷ୍ଟ ଲାଘବ ହେବ “। ଦୂରରୁ ଶ୍ରେୟା ଏବଂ ତାଙ୍କ ମାଆଙ୍କୁ ଦେଖି ଡାହାଣ ହାତ ଉପରକୁ ଟେକି ନିଜର ଉପସ୍ଥିତି ଜଣାଇଲା ଆକାଶ। ଶ୍ରେୟା ପ୍ରତ୍ୟୁତ୍ତର ଦେବା ସହିତ ହାତ ଠାରି ପାଖକୁ ଆସିବାକୁ ସଂକେତ ଦେଲା । ହ୍ୟାଣ୍ଡ ଲଗେଜ୍ ସମେତ ବାପାଙ୍କୁ ନେଇ ଶ୍ରେୟା ବସିଥିବା ୱେଟିଂ କାଉଚ୍ ପାଖରେ ପହଞ୍ଚିଲା ଆକାଶ। ଆକାଶର ବାପାଙ୍କ ପାଦ ଛୁଇଁ ପ୍ରଣାମ ଜଣାଇଲା ଶ୍ରେୟା , ଆକାଶ ଚିହ୍ନାଇ ଦେଲା “ ଇଏ ଶ୍ରେୟା , ମୋର ଜଣେ ଭଲ ବନ୍ଧୁ, ଏଇଠି ତା’ ସହିତ ପରିଚୟ, ଆଉ ଇଏ ହେଲେ ଶ୍ରେୟା ର ମାଆ , ପ୍ରଥମ କରି ଆସିଥିଲେ ଝିଅ ପାଖକୁ, ଏବେ ପରିସ୍ଥିତିରେ ପଡି ଇଣ୍ଡିଆ ଫେରୁଛନ୍ତି ଠିକ୍ ତୁମରି ଭଳି। ମୁଣ୍ଡ ଉଠାଇ ଝିଅ ପାଖରେ ବସିଥିବା ତା’ର ମାଆଙ୍କୁ ଦେଖି ଚମକି ପଡିଲେ ଆକାଶ ର ବାପା ଅମରେନ୍ଦ୍ର ଚୌଧୁରୀ। ଆଖି ଦୁଇଟା ଲାଖି ରହିଥିଲା ସେଇ ମଧ୍ୟବୟସ୍କା ମହିଳାଙ୍କ ଉପରେ । ଏମିତି ତଲ୍ଲୀନ ହୋଇ ଚାହିଁ ରହିଥିଲେ ଯେ ତାଙ୍କ ପାଦ ଛୁଇଁ ପ୍ରଣାମ କରୁଥିବା ଶ୍ରେୟା କୁ ଆଶୀର୍ବାଦ କରିବାକୁ ମଧ୍ୟ ଭୁଲି ଯାଇଥିଲେ। ତାଙ୍କୁ ଏମିତି ଅବସ୍ଥା ରେ ଦେଖି ଆକାଶ ତାଙ୍କର ଦୁଇ ବାହୁ ଧରି ଝୁଙ୍କାଇ ଦେଲା “ ବାପା ! କ’ଣ ଏମିତି ଚାହିଁ ରହିଛି ଯେ ? ଇଏ ପରା ଶ୍ରେୟା ର ମାଆ , କ’ଣ ଆଗରୁ କେବେ ଦେଖିଛ କି ତାଙ୍କୁ ? ତୁମେ ଜାଣିଛ କି ତାଙ୍କୁ ? “ 

- ନାଇଁ ତ । କହି ପାଦ ପଛକୁ ଘୁଞ୍ଚାଇବା ସହିତ ପ୍ରକୃତିସ୍ଥ ହେଲେ ଅମରେନ୍ଦ୍ର ଚୌଧୁରୀ । ଆକାଶ ଦେଖିଲେ ଶ୍ରେୟା ର ମାଆ ମଧ୍ୟ ଚାହିଁ ରହିଥିଲେ ଅପଲକ ନେତ୍ରରେ ତା’ ବାପାଙ୍କ ଆଜକୁ । କିଛି ମନେ ପକାଇବାରୁ ଚେଷ୍ଟା କରୁଥିଲେ ବୋଧହୁଏ । ସ୍ମିତା ହସି ଆକାଶ କହି ଉଠିଲା “ ଇଟ୍ସ ଇଣ୍ଟରେଷ୍ଟିଂ , ଆଇ ଥିଙ୍କ୍ ଦେ ନୋ ଇଚ୍ ଅଦର୍ , ଇଜ୍ ନଟ୍ ଇଟ୍ ଶ୍ରେୟା ? “ । ଶ୍ରେୟା ମଧ୍ୟ ସେମିତି କିଛି ଅନୁଭବ କରୁଥିଲା ।

- ସେ ତା’ ମାଆଙ୍କୁ ପଚାରିଲା - “ ତୁ ଆକାଶଙ୍କର ବାପାଙ୍କୁ ଜାଣିଛୁ କି ବୋଉ ?” ।

- ନାଇଁ ତ । ଆଖି ତଳକୁ କରି ଜବାବ ଦେଲେ ବିଭାବରୀ । ଶ୍ରେୟା ର ମନେହେଲା ବୋଉ ମିଛ କହୁଛି । ବୋଧହୁଏ ସେ କିଛି ଲୁଚାଇବା ଲାଗି ଚେଷ୍ଟା କରୁଛି ତା' ପାଖରୁ। ତେଣୁକରି ପ୍ରସଙ୍ଗ ଆଡେଇ ଦେବାକୁ ଯାଇ ସେ ଅମରେନ୍ଦ୍ର ଚୌଧୁରୀ ଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିଦେଲା ..

 “ ଆଉ , କେମିତି ଅଛନ୍ତି ଅଙ୍କଲ୍ ? ଏଠିକାର ପରିସ୍ଥିତି ତ ଦେଖୁଛନ୍ତି, ଆମ ଇଣ୍ଡିଆ ରେ ପରିସ୍ଥିତି କିନ୍ତୁ ବେଶ ଭଲ । ଶୁଣୁଛି ସେଠାରେ ସରକାର ଖୁବ୍ ଜାଗ୍ରତ , ଖୁବ୍ ସଚେତନ ଏଇ କରୋନା ମହାମାରୀ କୁ ନେଇ , ତାଙ୍କ ଭିଜନ୍ କୁ ମାନିବାକୁ ପଡିବ , ନିଜ ଲୋକମାନଙ୍କୁ କରୋନା ଦାଉରୁ ରକ୍ଷା କରିବା ଲାଗି ଏବେଠାରୁ ଖୁବ୍ ସୁନ୍ଦର ଭାବରେ ପ୍ଲାନିଂ ଆରମ୍ଭ କରି ଦେଲେଣି। ଯା’ ହେଉ ଆପଣଙ୍କ ସାଥିରେ ବୋଉ କୁ ପଠେଇ ମୁଁ ଚିନ୍ତା ମୁକ୍ତ ହେଲି। ମୋ' ବୋଉଟା ଯେମିତି ଆଲୁରି ନା , ସେଥିରେ ପୁଣି ପ୍ରଥମ ଥର ପାଇଁ ଏକୁଟିଆ ଯିବ, ଖୁବ୍ ଟେନସନ୍ ଥିଲା , ଥ୍ୟାଙ୍କସ୍ ଅଙ୍କଲ୍ ଫର୍ ରିଲାକ୍ସିଂ ମାଇଁ ଟେନସନ୍ “ । 

 ହସିଦେଇ ହସି ଆଉଥରେ ହାତ ଯୋଡି ପ୍ରଣାମ ଜଣାଇଲା ଶ୍ରେୟା । ଏଥର ନିଜକୁ ସଜାଡି ନେଇ ହସି ଉଠିଲେ ଅମରେନ୍ଦ୍ର ଚୌଧୁରୀ ।  “ ଦ୍ୟାଟ୍ସ ଓକେ , ୟୁ ନିଡ୍ ନଟ୍ ବି ୱୋରିଡ୍ ଫର୍ ୟୋର୍ ମଦର୍, ଫ୍ରମ୍ ଦିସ୍ ମୋମେଣ୍ଟ୍ ଶି ୱିଲ୍ ବି ମାୟ୍ ରେସପନସିବିଲିଟି, ଚିଅର୍ ଅପ୍ ମାୟ୍ ବେବି !”

ଆକାଶ କୁ ଲାଗୁଥିଲା ତା’ ବାପା ବୋଧହୁଏ ଅନୁମାନ କରି ନେଇଛନ୍ତି ଶ୍ରେୟା ଏବଂ ତା’ ମଧ୍ୟରେ ଥିବା ଅନ୍ତରଙ୍ଗତା କୁ। ସେଥିପାଇଁ ଏମିତି ସହୃଦୟତା ର ସହିତ ଆଦରି ନେଉଛନ୍ତି ଶ୍ରେୟା ର ଦାୟିତ୍ବ କୁ । ବାପାଙ୍କର ସ୍ଥିତଧୀ ପଣ ଦେଖି ଆମୋଦିତ ହେବା ସହିତ ନିଜକୁ ଗର୍ବିତ ମନେକଲା ସେ। ଶ୍ରେୟା କୁ ଚାହିଁ ବୁଢା ଆଙ୍ଗୁଠି ଦେଖେଇ ଆଖି ମିଟିକା ମାରି ଜଣାଇ ଦେଲା “ ମାଇଁ ଫାଦର୍ ଇଜ୍ ଏ ଜିନିୟସ୍ “। ଲାଜରେ ତଳକୁ ମୁହଁ ପୋତିଲା ଶ୍ରେୟା। ଶ୍ରେୟା ର ମା’ ସେମିତି ଅନ୍ୟମନସ୍କ ହୋଇ ତଳକୁ ମୁହଁ ପୋତି ବସିଥିଲେ।ଆକାଶ ର ମନେହେଲା ସେ ବୋଧହୁଏ ଶ୍ରେୟା କୁ ନେଇ ଖୁବ୍ ଚିନ୍ତିତ ଅଛନ୍ତି, ତେଣୁ ତାଙ୍କ ପାଖକୁ ଯାଇ ଆଶ୍ୱାସନା ଦେଲା “ ଶ୍ରେୟା ପାଇଁ ଚିନ୍ତା କରୁଛନ୍ତି କି ମାଉସୀ ! ମୋଟେ ଚିନ୍ତା କରନ୍ତୁନି, ସେ ଖୁବ୍ ବୁଝିବାର ଝିଅ, ଏଇ କେତେ ଦିନ ମଧ୍ୟରେ ମୁଁ ଖୁବ୍ ଲକ୍ଷ୍ୟ କରିଛି ତା’କୁ, ଯେ କୌଣସି ପରିସ୍ଥିତିରେ ମଧ୍ୟ ସେ ନିଜକୁ ଚଳାଇ ନେଇ ପାରିବ । ଖୁବ୍ ସାହସୀ ଝିଅ ଆପଣଙ୍କର । ଆଉ ବିଶେଷ କିଛି ଅସୁବିଧା ହେଲେ ମୁଁ ତ ଏଇ ପାଖରେ ଅଛି, ଆମର କିଛି ଭାରତୀୟ ବନ୍ଧୁମାନେ ମଧ୍ୟ ଅଛନ୍ତି, ଆମର ଭଲମନ୍ଦ ରେ ସେମାନେ ସାହାଯ୍ୟ କରିବେ"। 

ଆଖିରୁ ଲୁହ ପୋଛି ଥର ଥର କଣ୍ଠରେ କହିଲେ ଶ୍ରେୟା ର ମାଆ “ ନାଇଁ ରେ ବାପା! ଶ୍ରେୟା ମୋର ଖୁବ୍ ସାହସୀ , ମୁଁ ଜାଣେ , ମୋ’ର ଆଉ ତା’ ଛଡା କିଏ ଅଛି ଯେ ? ତା’ରି ପାଖରେ ଶେଷ ଜୀବନ କାଟିଦେବି ବୋଲି ଭାବି ଘର ଛାଡି, ଦେଶ ଛାଡି ଆସିଥିଲି , ହେଲେ ବିଧି ର ବିଧାନ ବଡ ବିଚିତ୍ର, ମୋତେ ଏଠି ବି ରହିବାକୁ ଦେଲାନାହିଁ, କିଏ ଜାଣେ ଆଉଥରେ ତା’କୁ ଦେଖି ପାରିବି କି ନାହିଁ?” ।  ଶ୍ରେୟା ଦୁଇ ହାତରେ ଚାପି ଧରିଲା ମାଆଙ୍କୁ ଆଉ କହିଲା” ନା’ ନା’ ସେମିତି କାହିଁକି କହୁଛୁ ବୋଉ ! ଏଇ ପରିସ୍ଥିତି ସୁଧୁରି ଗଲେ ମୁଁ ପୁଣି ଥରେ ତତେ ଆଣିବି ଏଠିକି, ସେତେବେଳକୁ ହୁଏତ ମୋର ପି ଆର୍ ମିଳି ସାରିଥିବ, ଏଇଠି ରହିବୁ ତୁ ମୋ’ସାଥିରେ, ଆଉ କେହି ତତେ ବାଧ୍ୟ କରି ପାରିବେନି ଇଣ୍ଡିଆ ଫେରିବା ଲାଗି”।

ଏଇ ସମୟରେ କାଉଣ୍ଟରରୁ ଘୋଷଣା ଶୁଭିଲା ଯାତ୍ରୀମାନଙ୍କୁ ବୋର୍ଡିଂ ପାସ୍ ସହିତ ନିର୍ଦ୍ଧାରିତ ପ୍ରବେଶ ଦ୍ୱାର ରେ ଉପସ୍ଥିତ ହେବା ପାଇଁ । ନିଜ ନିଜର ବ୍ୟକ୍ତିଗତ ଲଗେଜ୍ ଧରି ଏଥର ଉଠିଲେ ସମସ୍ତେ। ବୋର୍ଡିଂ ପାସ୍ ଚେକ୍ କରି ଲାଡର୍ ଆଡକୁ ଆଗେଇଗଲେ ଅମରେନ୍ଦ୍ର ଚୌଧୁରୀ ଆଉ ବିଭାବରୀ ରାଉତରାୟ । ନିଜ ଅଜାଣତରେ ବୋହି ଆସୁଥିବା ଲୁହ କୁ ହାତରେ ପୋଛି ଘରକୁ ଫେରିବା ପାଇଁ ପାଦ ବଢାଇଲେ ଆକାଶ ଏବଂ ଶ୍ରେୟା ।ଟ୍ୟାକ୍ସି ରେ ବସି ଫେରିବା ବେଳକୁ ଆକାଶ କାନ୍ଧରେ ମୁଣ୍ଡ ରଖି ଭୋ ଭୋ ହୋଇ କାନ୍ଦି ପକାଇଲା ଶ୍ରେୟା। କେଜାଣି କାହିଁକି ଆଜି ବୋଉକୁ ମୋଟେ ଛାଡିବାକୁ ଇଚ୍ଛା ହେଉନଥିଲା ତା’ର। ଫ୍ଲାଇଟ୍ ଭିତରେ ପହଞ୍ଚି ନିଜ ସିଟ୍ ଖୋଜି ଲଗେଜ୍ ସବୁ ବକ୍ସ୍ ଭିତରେ ରଖିବା ପରେ ମୁହଁ ଖୋଲିଲେ ଅମରେନ୍ଦ୍ର   ଝରକା ପାଖରେ ତତେ ଡର ଲାଗିବନି ତ ବିଭା ! ନହେଲେ ମୁଁ ସେପଟକୁ ବସିବି । ମୁଁ ଜାଣେ ତତେ ଉଚ୍ଚ ଗଛରେ ବି ଚଢିବାକୁ କେତେ ଭୟ ଲାଗେ , ଆଉ ଇଏ ତ କେତେ ହଜାର ଫୁଟ୍ ଉପରେ ଉଡିବ “।  “ଜୀବନ ବହୁତ କିଛି ସହିବାପାଇଁ ଶିଖାଇଦିଏ ଅମୁଭାଇ ! ଏତେ ଉତ୍ଥାନ ପତନ ସହି ସାରିଲିଣି ଯେ ଆଉ ମତେ କୌଣସି ପରିସ୍ଥିତିରେ ବି ଡର ଲାଗୁନାହିଁ। ତମେ ବ୍ୟସ୍ତ ହୁଅନା , ମୁଁ ଝରକା ପାଖକୁ ବସି ଯିବି”।  ଅମରେନ୍ଦ୍ର ଲକ୍ଷ୍ୟ କରୁଥିଲେ ବୟସ ଭାର ଅପେକ୍ଷା ସମସ୍ୟାର ଭାର ବୋଧହୁଏ ଅଧିକ ବୟସ୍କ କରି ଦେଇଛି ବିଭାବରୀ ଙ୍କୁ। ବିଭାବରୀ ଙ୍କ ପାଖକୁ ଲାଗି ବସି ପଡି ତାଙ୍କର ସିଟ୍ ବେଲ୍ଟ ବାନ୍ଧି ଦେବା ପରେ ନିଜର ସିଟ୍ ବେଲ୍ଟ୍ ବାନ୍ଧି ସିଟ୍ କୁ ଆଉଜି ଆଖି ବନ୍ଦ କରି ବସି ପଡିଲେ ସେ। ବନ୍ଦ ଆଖି ଭିତରୁ ଭାସି ଉଠୁଥିଲା ତେତିଶି ବର୍ଷ ତଳର ବିଭାବରୀ ଙ୍କର ସେଇ ଲାଜୁଆ ମୁହଁ । ଠିକ୍ ଏମିତି ବସ୍ ରେ ପାଖାପାଖି ବସି ଗାଆଁ କୁ ଫେରିବା ବେଳର କଥା। ଠିକ୍ ଏମିତି ଲାଜୁଆ ହୋଇ ମଥାପୋତି ବସି ରହୁଥିଲା ବିଭାବରୀ।

ସେତେବେଳକୁ ବିଭାବରୀ ରେଭେନ୍ସା କଲେଜ ରେ ଆଇ ଏ ରେ ନୂଆ ନୂଆ ନାଆଁ ଲେଖାଇ ହଷ୍ଟେଲରେ ରହୁଥାନ୍ତି ଆଉ ସେ ରେଭେନ୍ସାରେ ଏମ୍ ଏ ପଢିବା ସହିତ ବିଭିନ୍ନ ପ୍ରକାର ପ୍ରଶାସନିକ ସେବା ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥାନ୍ତି ଜଗନ୍ନାଥ ଛାତ୍ରାବାସରେ ରହି । ପଢାପଢି ପାଇଁ ବହୁଦିନ ଧରି ଗାଆଁ ରୁ ବାହାରେ ରହୁଥିବା ହେତୁ ଗାଆଁ ରେ କାହା ସହିତ ପରିଚିତି ନଥାଏ ସେମିତି । କିନ୍ତୁ ଥରେ ଦୋଳ ଛୁଟିରେ ଗାଆଁ କୁ ଯିବା ବେଳେ ହଠାତ ଷୋହଳ ସତର ବର୍ଷ ର ଝିଅଟିକୁ ନିଜ ଗାଁ ଷ୍ଟପେଜ୍ ରେ ଓହ୍ଲାଇବାର ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଅମରେନ୍ଦ୍ର । ଝିଅ ଟି ତାଙ୍କରି ସାଙ୍ଗରେ ବାଦାମବାଡି ରୁ ଉଠିଥିଲା , ସାଲୱାର୍ କମିଜ୍ ପିନ୍ଧା ଚେହେରାରେ ମୁହଁ ର ସଙ୍କୁଚିତ ଭାବ ରୁ ବୁଝି ହେଉଥିଲା ଯେ ଏମିତି ଯାତ୍ରା ତା’ ଲାଗି ନୂଆ ବୋଲି। ଛାତିରେ ଯାକି ଧରିଥିବା ବହିପତ୍ର ଆଉ ହାତରେ ଧରିଥିବା ଶସ୍ତା ବ୍ୟାଗ୍ ଟି ଜଣାଇଦେଉଥିଲା ସିଏ ସହରକୁ ପଢିବା ପାଇଁ ଆସିଥିବା ଜଣେ ମଫସଲି ଝିଅ ବୋଲି। ବସ୍ ରେ ଠିଆ ହୋଇଥିବା ବେଳେ ଅନ୍ୟ ଯାତ୍ରୀ ମାନଙ୍କର ସ୍ୱେଚ୍ଛାକୃତ ବା ଅନିଚ୍ଛାକୃତ ଅଶାଳୀନ ସ୍ପର୍ଶ ରେ ଅତିଷ୍ଠ ହୋଇ ପଡୁଥିବା ବେଳେ ଅମରେନ୍ଦ୍ରଙ୍କର ଦୃଷ୍ଟି ପଡିଥିଲା ତା’ ଉପରେ । ଝିଅ ଟିର ଅସହଜବୋଧ କୁ ଲକ୍ଷ୍ୟ କରି ଅମରେନ୍ଦ୍ର ତା’କୁ ନିଜର ସିଟ୍ ଟି ଦେଇ ଉଠି ଆସି ଆଗରେ ଠିଆ ହୋଇଥିଲେ ଏବଂ ପରେ ସିଟ୍ ଟିଏ ପାଇ ପଛରେ ବସିଥିଲେ। ଏବେ ସେଇ ଝିଅଟିକୁ ନିଜ ଗାଆଁ ଷ୍ଟପେଜ୍ ରେ ଓହ୍ଲାଇବା ର ଦେଖି ଅନୁମାନ କରିନେଲେ ଯେ ସେ ନିଶ୍ଚୟ ତାଙ୍କ ଗାଆଁ କିମ୍ବା ତାଙ୍କ ଗାଆଁ ପାଖର ହେବ ନିଶ୍ଚୟ । ଢେଙ୍କାନାଳ ର ମାଧପୁର ଭଳି ମଫସଲ ଗାଆଁ ଯେଉଁଠି ମାଇନର ସ୍କୁଲ୍ ଛଡା ହାଇସ୍କୁଲ ଟିଏ ନାହିଁ, ସେଇ ଗାଆଁ ରୁ ଝିଅ ଟିଏ ଯାଇ କଟକରେ ରେଭେନ୍ସା କଲେଜ ରେ ପଢିବ , ଏଇଟା ଖୁବ୍ ବଡ କଥା ବୋଲି ଭାବୁଥିଲେ ସେ ।

ସଞ୍ଜ ଗଡି ସାରିଥାଏ ସେତେବେଳକୁ, ଧୀରେ ଧୀରେ ଅନ୍ଧାର ମାଡି ଆସୁଥାଏ , ଷ୍ଟପେଜ୍ ରୁ ତାଙ୍କ ଗାଆଁ ପ୍ରାୟ ଦେବ କିଲୋମିଟର ଦୂରରେ, ଗୋହିରି ବାଟରେ ଯିବାକୁ ପଡିବ, ଝିଅଟି ଆଗକୁ ପଛକୁ ଅନେଇଁ ଧୀରେ ଧୀରେ ଚାଲୁଥାଏ । ଅମରେନ୍ଦ୍ର ଭାବିଲେ ଝିଅଟି ଆଉ ତାଙ୍କୁ ଡରୁ ନାହିଁ ତ? ସେ ଭାବୁ ନାହିଁ ତ ଅମରେନ୍ଦ୍ର ତା’କୁ ବସ୍ ରେ ଦୟା ଦେଖାଇଥିଲେ ବୋଲି ? ଏଇଠି ବସ୍ ରୁ ଓହ୍ଲାଇ ତା’କୁ ଫଲୋ କରୁଛି ବୋଲି ? ନିଜ ଭାବନା ରେ ନିଜକୁ ଦୋଷୀ ମନେକରି ଆଉ ଟିକିଏ ଆଗେଇ ଗଲେ ସେ , ଝିଅ ଟି ଶୁଣିଲା ଭଳି ପାଟି କରି କହିଲେ “ ମୁଁ ମାଧପୁର ବିଘ୍ନରାଜ ଚୌଧୁରୀଙ୍କ ପୁଅ ଅମରେନ୍ଦ୍ର, ରେଭେନ୍ସା କଲେଜ ରେ ପଢେ , ଦୋଳ କୁ ଗାଆଁ କୁ ଆସିଛି, ତୁମେ କିଏ ? କୋଉ ଗାଆଁ ର ?” ଏଥରକ ଝିଅଟି ବୁଲି ଚାହିଁଲା ପଛକୁ, ଫଗୁଣ ଶୁକ୍ଳ ପକ୍ଷ ର ଜହ୍ନ ଆଲୁଅ ରେ ତୋଫା ଦିଶିଲା ଝିଅ ର ମୁହଁ , ତା’ର ଲମ୍ବା ବେଣୀ, ଆଉ ଭୟାତୁର ଆଖି ଦୁଇଟି । ଅମରେନ୍ଦ୍ର ର ଛାତି ଭିତରେ ଗୋଟାଏ ଫ୍ରେମ୍ ରେ କଏଦ୍ ହୋଇ ରହିଗଲା ସେ ଚେହେରା । ଧଇଁ ସଇଁ ହୋଇ ଏକ ରକମ ର ଦୌଡି ଦୌଡି ସେ ପହଞ୍ଚି ଗଲା ଝିଅଟି ପାଖରେ । ଝିଅଟି ଅଭୟ ପାଇଗଲା ଯେମିତି । ଗତି ମନ୍ଥର ହୋଇ ଯାଇଥିଲା ତା’ର । ସେ ଧୀର କଣ୍ଠରେ କହିଲା ମୁଁ ବିଭା , ବିଭାବରୀ ସାମନ୍ତ, ମାଧପୁର ରମାନାଥ ସାମନ୍ତ ଙ୍କ ଝିଅ । ଏଇ ବର୍ଷ ରେଭେନ୍ସା କଲେଜ ରେ ଆଇ ଏ ପଢୁଛି, ମୁଁ ବି ଦୋଳ କୁ ଆସିଛି ଗାଆଁ କୁ। ଯମୁନା ଦେଠେଇଙ୍କ ଠାରୁ ଢେର୍ ଶୁଣିଛି ତୁମ କଥା, ହେଲେ ଦେଖି ନଥିଲି କେବେ। ତୁମେ ତ କେଉଁ କାଳୁ ଯାଇ ତୁମ ମାମୁଁ ଘରେ କଟକରେ ରହି ପାଠ ପଢୁଛ, କୋଉ ଦେଖିଛି ଯେ ଚିହ୍ନିବି ? ଜହ୍ନ ଆଲୁଅ ରେ ଝଲସି ଯାଉଥିଲା ବିଭାବରୀ ର ସୁନ୍ଦର ହସନ୍ତ ମୁହଁ, ଅମରେନ୍ଦ୍ର ଛାତି ରେ ଆହୁରି ଗହିରିଆ ହୋଇ ଆଙ୍କି ହୋଇ ଯାଉଥିଲା ସେଇ ଛବି। ସେ କିଛି ବି କହୁ ନଥିଲା ଖାଲି ଜଳ ଜଳ ହୋଇ ଚାହିଁ ରହିଥିଲା ବିଭାବରୀ ର ମୁହଁ କୁ । ଦୁଇ ଯୋଡ଼ା ପାଦ ଏବେ ସମାନ୍ତରାଳ ହୋଇ ଚାଲୁଥିଲେ ଗାଆଁ ଆଡକୁ। ଗାଆଁ ମୁଣ୍ଡରେ ବିଭା ର ଘର , ସେଇଠି ମୋଡ ବୁଲିଲା ବେଳକୁ ବିଭା କହିଲା “ କୁଞ୍ଜ କାନ୍ତ ଙ୍କ ମନ୍ଦିର ରେ ଦେଖା ହେବ ଅମୁଭାଇ ! ଆଉ ଫେରିଲା ବେଳକୁ ସାଥି ହୋଇ ଫେରିବା କଟକ “ ।

କଥା ତ ନୁହେଁ, ଗୋଟାଏ ଆଶାର ଦୀପାଳୀ ଜଳେଇ ଦେଇଗଲା ବିଭା । ଅମରେନ୍ଦ୍ରର ଶିରାପ୍ରଶିରାରେ ଗୋଟାଏ ମହକ ଖେଇ ଦେଇଗଲା , ସେଇ ମହକ ରେ ନିଜକୁ ହଜେଇ ଦେଲା ଅମରେନ୍ଦ୍ର । ଘରେ ପହଞ୍ଚିବା ଯାଏଁ ସେଇ ମହକ ଆଚ୍ଛନ୍ନ କରି ରଖିଥିଲା ତା’କୁ ।ଦଶ ଦୋଳ ଯାଏଁ ପ୍ରତିଦିନ ଭେଟ ହେଉଥିଲା ସେମାନଙ୍କର , କେବେ ମନ୍ଦିର ପ୍ରାଙ୍ଗଣରେ ତ କେବେ ଗାଆଁ ଆମ୍ବ ତୋଟା ଭିତରେ । ନିରୁତା ସ୍ନେହ ରୁ ଆରମ୍ଭ ହୋଇ ସମ୍ପର୍କ ପ୍ରେମ ଯାଏଁ ବିସ୍ତୃତ ହୋଇଥିଲା । ଫେରିବା ବେଳକୁ ଦୁଇ ମନ ଏକାକାର ହୋଇ ସାରିଥିଲା । ଦୁଇଟି ପ୍ରେମ ପକ୍ଷୀ ପରସ୍ପର ସାନ୍ନିଧ୍ୟ ପାଇବାକୁ ବାରମ୍ବାର ମିଳିତ ହେଉଥିଲେ କେବେ କଲେଜ୍ ହତାରେ ତ କେବେ ରିକ୍ସାରେ ବସି ଯୋବ୍ରା ଆନିକଟ ଯିବା ରାସ୍ତାରେ। କଥା ଥିଲା ଅମରେନ୍ଦ୍ର କିଛି ଗୋଟାଏ ଚାକିରୀ ପାଇଲେ ନିଜ ଘରେ ଜଣାଇବେ ସେମାନଙ୍କ ସଂପର୍କ ଆଉ ସେମାନଙ୍କ ବାହାଘର ପାଇଁ ରାଜି କରାଇଦେବେ ତାଙ୍କର ପରିବାରବର୍ଗ ଙ୍କୁ। ଅନାଗତ ଭବିଷ୍ୟତ ର ସୁନେଲି ସ୍ୱପ୍ନ ରେ ବିଭୋର ହୋଇ ରହିଥିଲେ ଦୁହେଁ । କିନ୍ତୁ ବିଧାତା ର ନିର୍ଦ୍ଦେଶ ଥିଲା ଭିନ୍ନ । ସେଇ ସମୟରେ ଆସିଥିଲା ରାଜ୍ୟ ର ନିର୍ବାଚନ । କୁଟିଳ ରାଜନୀତି ର ଶିକାର ହୋଇଥିଲେ ମାଧପୁରର ସରଳ ଗ୍ରାମବାସୀମାନେ । ଦୁଇ ଫାଙ୍କ ହୋଇ ଯାଇଥିଲା ମାଧପୁର ଗାଆଁ । ଗୋଟିଏ ପଟରେ କଂଗ୍ରେସ କୁ ସମର୍ଥନ କରୁଥିବା ବିଘ୍ନରାଜ ଚୌଧୁରୀ ଦଳ ଆଉ ଗୋଟିଏ ପଟରେ ଜନତାଦଳ କୁ ସମର୍ଥନ କରୁଥିବା ରମାନାଥ ସାମନ୍ତ ଙ୍କ ଦଳ। ବନ୍ଧୁତା ପାଲଟିଥିଲା ଶତ୍ରୁତାରେ । ତିକ୍ତତା ପହଞ୍ଚି ସାରିଥିଲା ଚରମ ସୀମାରେ । ଅର୍ଥ ଆଉ କ୍ଷମତା ବଳରେ ବିଜୟ ହୋଇଥିଲା କଂଗ୍ରେସ ପ୍ରାର୍ଥୀଙ୍କର ହେଲେ ରାଜନୈତିକ ତିକ୍ତତା ର ଉତ୍କଟ ହଳାହଳ ଖିନ୍ ଭିନ୍ କରି ଦେଇଥିଲା ଅମରେନ୍ଦ୍ର ଆଉ ବିଭାବରୀ ଙ୍କର ତମାମ୍ ଜୀବନ କୁ। ପୁଅ ର ସ୍ନେହ ଆଗରେ ନରମ ପଡିଥିବା ବିଘ୍ନରାଜ ଚୌଧୁରୀ ଏବେ ସଫା ସଫା ମନା କରି ଦେଇଥିଲେ ପୁଅର ବାହାଘର କେବେହେଲେ କରାଇଦେବେ ନାହିଁ ଶତ୍ରୁ ର ଝିଅ ସହିତ । ସେପଟେ ରମାନାଥ ସାମନ୍ତ ମଧ୍ୟ ଅଡି ବସିଥିଲେ ଝିଅ କୁ କେବେ ହେଲେ ଦେବେନାହିଁ ବିଘ୍ନରାଜ ଚୌଧୁରୀ ଙ୍କ ଭଳି ଗୋଟାଏ ଅର୍ଥଲୋଭୀ ଟାଉଟର ଘରେ। ନିଜ ନିଜର ଜିଦ୍ ରେ ଅଟଳ ରହିଥିଲେ ଦୁଇ ପରିବାର ଏବଂ କଟକଣା ଲାଗିଥିଲା ଅମରେନ୍ଦ୍ର ଆଉ ବିଭାବରୀ ଙ୍କର ମିଳାମିଶା, ଦେଖା ସାକ୍ଷାତ ଉପରେ। ପରସ୍ପର ର କୁତ୍ସା ରଟନା ରେ ଗାଆଁ ଉଠୁଥିଲା ପଡୁଥିଲା। ରମାନାଥ ଲୋକ ଲଜ୍ୟା ଭୟରେ ଅତିଷ୍ଠ ହୋଇ ଆଇ ଏ ପରୀକ୍ଷା ଦେବା ବନ୍ଦ କରି ଜୋର୍ ଜବରଦସ୍ତି ନିଜ ପସନ୍ଦର ଜ୍ୱାଇଁ ଯୋଗାଡ କରି ବିବାହ ଦେଇଥିଲେ ବିଭାବରୀ ଙ୍କୁ । ପରିବର୍ତ୍ତିତ ପରିସ୍ଥିତିରେ ଅତିଷ୍ଠ ହୋଇ ଅମରେନ୍ଦ୍ର ଘର ଛାଡି ଚାଲି ଯାଇଥିଲେ ଦିଲ୍ଲୀ। ପୂର୍ଣ୍ଣ ବିକଶିତ ହେବା ଆଗରୁ ଅଦିନିଆ ଝଡରେ ବିପର୍ଯ୍ୟସ୍ତ ହୋଇଯାଇଥିଲା ପ୍ରେମ ର ନୀଡ ଟିଏ । ବିସ୍ଥାପିତ ହୋଇଥିଲେ ପ୍ରେମ ପକ୍ଷୀ ଦୁଇଟି ସମୟର ଚକ୍ରବାତରେ। କେତେ ବର୍ଷ ତ ନୁହେଁ କେତେ ଯୁଗ ପରେ ଆଜି ପରସ୍ପରକୁ ଭେଟିଛନ୍ତି ଅତର୍କିତ ଭାବରେ ଏକ ଭିନ୍ନ ପରିସ୍ଥିତିରେ , ସମୟର ଏକ ଭିନ୍ନ ମୋଡରେ। ଫ୍ଲାଇଟ୍ ଟେକ୍ ଅଫ୍ କରିବାର ଘୁଁ ଘୁଁ ଶବ୍ଦ ରେ ଭୟଭୀତ ହୋଇ ନିଜ ମୁଣ୍ଡ କୁ ଅମରେନ୍ଦ୍ର ଙ୍କର କାନ୍ଧରେ ଚାପି ଦେଇଥିଲେ ବିଭାବରୀ । ନିଜ ଅଜାଣତରେ ଅମରେନ୍ଦ୍ର ଙ୍କର ହାତ ଉଠିଯାଇ ବିଭାବରୀଙ୍କର ମୁଣ୍ଡ କୁ ଛୁଇଁଲା, ସ୍ୱତଃସ୍ଫୁର୍ତ୍ତ ଭାବରେ ସ୍ୱରଟିଏ ବାହାରି ଆସିଲା “ ଡରନା ' , ମୁଁ ଅଛି ପରା “। ଦୁହିଁଙ୍କ ଆଖିରୁ ଲୁହ ଝରୁଥିଲା,ସେଇଥିରେ ଧୋଇ ନେଉଥିଲା ସମୟର ଦୂରତ୍ବ କୁ। ବିଭାବରୀ ସେମିତି ଆଖିବନ୍ଦ କରି ଅମରେନ୍ଦ୍ରଙ୍କର କାନ୍ଧରେ ଶୋଇ ରହିଥିଲେ।

ଅମରେନ୍ଦ୍ରଙ୍କର ଆଖିରେ ନିଦ ନଥିଲା । ବିଭାବରୀର ଶୂନ୍ୟ ହାତ , ଶୂନ୍ୟ ସୀମନ୍ତ ଦେଖି ଛାତି ଫାଟି ଯାଉଥିଲା ତାଙ୍କର । କେଜାଣି କେତେ କଷ୍ଟ ପାଇଥିବ ବିଭା, କେବେ ଠାରୁ ଭୋଗିଥିବ ଏଇ ବୈଧବ୍ୟ, କେମିତି ମଣିଷ କରିଥିବ ଶ୍ରେୟାକୁ , କେମିତି ଥିବ ତା’ର ଦାମ୍ପତ୍ୟ ଇତ୍ୟାଦି ଇତ୍ୟାଦି ବିଭିନ୍ନ ପ୍ରଶ୍ନବାଚୀ ମାନେ ତାଙ୍କୁ ଶୁଆଇ ଦେଉ ନଥିଲେ । ଥରେ ପଚାରି ନେବେ କି ବିଭା କୁ ତା’ର ଅତୀତ ? ଭୟ ଲାଗୁଥିଲା କାଳେ ବିଭା ଆହୁରି ଦୁଃଖ ପାଇବ ସେ ସବୁ ମନେ ପକାଇ । ନା’ ଥାଉ , ସିଏ ତ ବିଭା କୁ ସୁଖ ଟିକେ ଦେଇ ପାରିଲେନି, ଭୀରୁ ପରି ପଛଘୁଞ୍ଚା ଦେଇ ପଳେଇଗଲେ ଦିଲ୍ଲୀ, ଏବେ ତା’କୁ ଦୁଃଖ ଦେବେ କାହିଁକି ? ବରଂ ସିଏ ନିଜ କଥା ଆଗ ତାଙ୍କୁ ଶୁଣେଇବେ । କେମିତି ବୋଉ ତାଙ୍କୁ ନିଜର ରାଣ ନିୟମ ଦେଇ , ନିଜର ବଂଶ ରକ୍ଷା କରିବା ଲାଗି ବାଧ୍ୟ କରି ବାହାଘର କରେଇଥିଲା ମୀନାକ୍ଷୀ ସହିତ , ଯିଏ ତାଙ୍କର ପ୍ରଥମ ସନ୍ତାନ କୁ ଜନ୍ମ ଦେଇ ଚିରଦିନ ପାଇଁ ଛାଡି ଚାଲିଗଲା ଆଉ ସେଇ ଦୁଇ ମାସର ସନ୍ତାନ ଆକାଶ କୁ ସେ ନିଜେ ବାପମାଆ ହୋଇ ପାଳି ପୋଷି ମଣିଷ କରିଛନ୍ତି , ସେଇ ସଙ୍ଘର୍ଷମୟ ଜୀବନର କଥା ଶୁଣେଇବେ ବିଭାବରୀକୁ। ମୀନାକ୍ଷୀ ଖୁବ ସୁନ୍ଦର, ଗୁଣର ଥିଲେ ମଧ୍ୟ ଅମରେନ୍ଦ୍ର ତାଙ୍କର ହୃଦୟ ରେ କେବେ ବି ସ୍ଥାନଟିଏ ଦେଇ ପାରିନଥିଲେ ତାଙ୍କୁ, ବାହାଘର ପରେ ପ୍ରଥମ ରାତି ରେ ହିଁ ସେ ନିଜର ଅସହାୟତା ଜଣାଇ ଦେଇଥିଲେ ମୀନାକ୍ଷୀ ଙ୍କୁ, ତାଙ୍କ ହୃଦୟ ଟି ତାଙ୍କ ପାଖରେ ନାହିଁ ସେ ଆଉ କାହାକୁ ଦେଇ ସାରିଛନ୍ତି ବହୁ ପୂର୍ବରୁ, କେବଳ ବୋଉ ର ରାଣନିୟମ ରେ ବନ୍ଧା ହୋଇ ସେ ବିବାହ କରିଛନ୍ତି । ମୀନାକ୍ଷୀ ଙ୍କୁ ସେ ସ୍ତ୍ରୀ ର ମର୍ଯ୍ୟାଦା ଦେବେ , ସମସ୍ତ ଅଧିକାର ମଧ୍ୟ ଦେବେ ହେଲେ ହୃଦୟ ରେ ସ୍ଥାନ ଟିଏ କେବେ ବି ଦେଇ ପାରିବେନି, କହି କ୍ଷମା ମାଗି ନେଇଥିଲେ ଅମରେନ୍ଦ୍ର । ମୀନାକ୍ଷୀ ନୀରବ ରହିଥିଲେ । ସବୁ ଠିକ୍ ଚାଲିଥିଲା ବୋଲି ଅମରେନ୍ଦ୍ର ଙ୍କର ମନେ ହେଉଥିଲେ ମଧ୍ୟ ବୋଧହୁଏ ମୀନାକ୍ଷୀ ଙ୍କର ସେଇ ଅଭାବବୋଧ ହିଁ ତାଙ୍କ ହୃଦଘାତର କାରଣ ହୋଇଥିଲା ।

 ଏୟାରହୋଷ୍ଟେସ୍ ଚାହା ନେଇ ଆସିଥିଲା, ଅମରେନ୍ଦ୍ର ହାତ ବଢେଇ ଚାହା ଟ୍ରେ ଟି ଧରିଲା ବେଳକୁ ଉଠିଥିଲା ବିଭାବରୀ । ଫ୍ଲାଇଟ୍ ନିର୍ଦ୍ଧାରିତ ବେଗରେ ଚାଲୁ ଥିବାରୁ ଆଉ ଅସହଜବୋଧ ହେଉନଥିଲା ତା’କୁ । ଚାହା ସହିତ ବିସ୍କୁଟ ଦୁଇଟି ଖାଇବା ପରେ ସଳଖ ହୋଇ ବସିଲା ବିଭାବରୀ । ଅମରେନ୍ଦ୍ର ଙ୍କୁ ଚାହିଁ ପଚାରିଲା “ ଆଉ କେମିତି ଅଛ ଅମୁଭାଇ ! ଭାଉଜ କେଉଁଠି ଅଛନ୍ତି ? ମୁଁ ତ ବାହାଘର ର ଅନେକ ଦିନ ପର୍ଯ୍ୟନ୍ତ ଗାଆଁ କୁ ଯାଇ ନଥିଲି , ଶ୍ରେୟା ର ଜନ୍ମ ବେଳକୁ ଯିବା ବେଳେ ବୋଉ କହୁଥିଲା ଯମୁନା ଦେଠେଇଙ୍କ କଥା। ତୁମେ ତ ରାଗିରୁଷି ଘରୁ ପଳେଇ ଯାଇ ରହିଥିଲା ଦିଲ୍ଲୀ ରେ , ପ୍ରଶାସନିକ ସେବା ପରୀକ୍ଷା ମଧ୍ୟ ଦେଉନଥିଲ, ସେଇଠି କୋଉ ଗୋଟାଏ ବଡ କମ୍ପାନୀ ରେ ଚାକିରୀ କରୁଥିଲ । ଦେଠେଇ ତମକୁ ଝୁରି ଝୁରି ଶଯ୍ୟାଶାୟୀ ହେଲେ , ବହୁ କାକୁତି ମିନତି କରି ଡକେଇଥିଲେ ତୁମକୁ, ରାଣ ନିୟମ ଦେଇ ତୁମକୁ ବାହା କରେଇଥିଲେ ରାଧେକୃଷ୍ଣପୁର ଜମିଦାର ଙ୍କ ଝିଅ ମିନାକ୍ଷୀ ସହିତ। ବାହାଘର ପରେ ତୁମେ ସସ୍ତ୍ରୀକ ଫେରି ଯାଇଥିଲ ଦିଲ୍ଲୀ । ତା’ପରେ ଆଉ ଆସିନଥିଲ ଗାଆଁ କୁ । ଏବର୍ଷ ସେ ବର୍ଷ ହୋଇ ଦଳେଇ ଦେଠେଇ ଦୁହେଁ ଚାଲିଗଲେ, ଗାଆଁ ଜମିବାଡି ଭାଗକୁ ଦେଇ ତୁମେ ଗାଆଁ ସହିତ ସବୁ ସମ୍ପର୍କ ତୁଟେଇ ଦେଲ। ଆଉ ତା’ ପରର ଖବର କିଛି ନାହିଁ ମୋ’ ପାଖରେ । 

ମୋ’ କପାଳ ରେ ତ କେବେ ବି ସୁଖ ନଥିଲା ଅମୁଭାଇ ! ବାପା ତାଙ୍କ ଜିଦ୍ ରେ ଅଟଳ ରହି ମତେ ଯାହାଙ୍କ ହାତରେ ଛନ୍ଦି ଦେଇଥିଲେ, ସେ ଥିଲେ ତାଙ୍କ ମାଆଙ୍କର ସାବତ ପୁଅ । ଭୁବନେଶ୍ଵର ରେ ସରକାରୀ ଅଫିସ୍ ରେ କିରାଣୀ ଚାକିରୀ କରିଥିଲେ ମୋ’ ସ୍ବାମୀ ଜଗତନାରାୟଣ ରାଉତରାୟ । ପିଲାଟି ଦିନରୁ ସାବତ ମାଆର ତାଡନା ସହି ମଣିଷ ହୋଇଥିଲେ ବୋଲି କି କ’ଣ ତାଙ୍କ ହୃଦୟ ରେ ମାୟା ମମତା ବୋଲି କିଛି ନଥିଲା। ସ୍ତ୍ରୀ କୁ କେବଳ ଦେହ ର ଭୋକ ମେଣ୍ଟାଇବାକୁ ମାଧ୍ୟମଟିଏ ବୋଲି ମନେ କରୁଥିଲେ । ସାବତ ମାଆ ତାଙ୍କ ପିଲାମାନଙ୍କ ସ୍ୱାର୍ଥ ରଖି ବାହାଘର ଦି ମାସ ନପୁରୁଣୁ ମୋତେ ତାଙ୍କ ସହିତ ପଠାଇଦେଲେ ଭୁବନେଶ୍ଵର । ଘର ଭଡା ନେଇ ସେଇଠି ରହିଲୁ ଆମେ। ଘରର କିଛି ଦାୟିତ୍ଵ ନରହିବାରୁ ସାଙ୍ଗସାଥୀଙ୍କ ମେଳରେ ପଡି ନିଶାପାଣି ର ଅଭ୍ୟାସ କଲେ । ସେଇ ନିଶା ପାଣି ଖାଇ ଗଲା ତାଙ୍କୁ ଅକାଳରେ।

ସେତେବେଳକୁ ଶ୍ରେୟା ପଞ୍ଚମ ଶ୍ରେଣୀ ରେ ପଢୁଥାଏ। ସଞ୍ଚିତ ଅର୍ଥ ସବୁ ତାଙ୍କ ଚିକିତ୍ସା ରେ ଯାଇଥିଲା । ଗାଆଁ ରେ ସାବତଶାଶୁ ଘରେ ପୁରାଇ ଦେଲେନି । ବାଧ୍ୟ ହୋଇ ଫେରିଲି ଭୁବନେଶ୍ଵର । ତାଙ୍କର ଅଫିସ୍ ରେ ଅନୁକମ୍ପା ମୂଳକ ଚାକିରୀ ଟିଏ ମିଳିଲା, କ୍ୱାର୍ଟର ବି ମିଳିଲା । ସେଇଠି ଏକା ଏକା ଲଢିଲି ମୋର ଜୀବନଯୁଦ୍ଧ । ଶ୍ରେୟା ନ ଥିଲେ କେବେଠାରୁ ଜୀବନ ହାରି ସାରିଥାନ୍ତି ଅମୁଭାଇ ! କୋଉ ସୁଖ ଥିଲା ଯେ ଜୀଇଁ ଥାନ୍ତି? ମୋ’ ପାଇଁ ନୁହେଁ, ଖାଲି ଶ୍ରେୟା ପାଇଁ ଲୁହ ଲହୁ ପିଇ ଜିଇଁଛି । ତା’କୁ ଗୋଟାଏ ନିର୍ଭରଶୀଳ ଆଶ୍ରୟ ମିଳିବା ଯାଏଁ ଜିଇଁବାକୁ ପଡିବ ମତେ । ଜନ୍ମ ଦେଇଛି ପରା, କେମିତି ଛାଡିଦେବି ସେମିତି କୁହ? ସିଇଟି ରୁ ଇଞିନିୟରିଂ ପାଶ୍ କରି ସେଇଠି ଭୁବନେଶ୍ଵର ଟିସିଏସ୍ କମ୍ପାନୀ ରେ ଚାକିରୀ ପାଇଲା ଶ୍ରେୟା । ଖୁବ୍ ଉଚ୍ଚାଭିଳାଷୀ ଝିଅ ମୋର । ପିଲାଟି ଦିନରୁ ବାପାକୁ ହରାଇ ଦୁନିଆଁ କୁ ଖୁବ୍ ଚିହ୍ନିଛି ସେ, ଜୀବନ କୁ ଖୁବ୍ ପାଖରୁ ଦେଖିଛି , ମୋ ଭଳି ସୁଅ ମୁହଁ ର ପତରଟିଏ ହେବ ନାହିଁ ସିଏ । ନିଜର ଅଧିକାର କୁ ସେ ସାବ୍ୟସ୍ତ କରିବ । ଏଠିକାର ପୋଷ୍ଟିଂ ପାଇବା ବେଳେ ମୁଁ ଖୁବ୍ ଡରୁଥିଲି କିନ୍ତୁ ସେ ସାହସ କରି ଏକା ଏକା ଚାଲି ଆସିଲା ସାତ ସମୁଦ୍ର ତେରନଈ ପାର ହୋଇ ଏଠିକି । 

ଦୁଇ ବର୍ଷ ପରେ ମୋର ରିଟାୟାରମେଣ୍ଟ୍ ପରେ ମତେ ଆଣିଥିଲା ଏଠିକି ତା’ ପାଖରେ ରହିବାକୁ, ହେଲେ ମୋ’ର ଦୁର୍ଭାଗ୍ୟ କ’ଣ ମୋ’ ପିଛା ଛାଡୁଛି? ଏଇ ଦେଖ, କେମିତି ବାଧ୍ୟ ହେଲି ତା’ କୁ ଛାଡି ଫେରିବାକୁ । ଗୋଟେ କଥା କହିବି ଅମୁଭାଇ ! କିଛି ଖରାପ ଭାବିବନି। ଶ୍ରେୟା ମୋତେ ଆକାଶ ବିଷୟରେ ସବୁ କହିଛି , ସେ ଆକାଶ କୁ ତା’ର ଜୀବନସାଥୀ କରିବାକୁ ଚାହେଁ ଆଉ ଆକାଶ ମଧ୍ୟ ତା’କୁ ଖୁବ ଭଲ ପାଏ । ଆଗରୁ ଥରେ ଦୁଇଥର ଆକାଶ ସହିତ ସପିଂ ମଲ୍ ରେ ଭେଟ ହୋଇଛି ମୋର। ଶ୍ରେୟା ଚିହ୍ନାଇ ଦେଇଛି ମୋତେ। ତା’ ଆଖିରେ ଶ୍ରେୟା ପାଇଁ ପ୍ରତିବଦ୍ଧତା ଦେଖି ପାରିଛି ମୁଁ । ହେଲେ ଏବେ ଆଉ ସାହସ ହେଉନି ତୁମକୁ ସେମାନଙ୍କ ସୁଖ ମାଗିବା ପାଇଁ । ଆଗରୁ ଆକାଶ ର ପରିବାର ବିଷୟରେ ବିଶେଷ କିଛି ଜାଣିନଥିଲି ଏବେ ତୁମକୁ ଦେଖିବା ପରେ ଭାବୁଛି  “ ମୋ ଶ୍ରେୟା ଆଉ ମୋ ଭଳି ହତଭାଗୀ ଟିଏ ନୁହେଁ ତ ? “ । ସମୁଦ୍ର ରେ ଯାଇ ମିଶିବାର ଭାଗ୍ୟ ସବୁ ନଦୀ ର ନଥାଏ ଅମୁଭାଇ ! ସେ କଥା ତୁମ ମୋ ବ୍ୟତୀତ ଆଉ ଅଧିକ କିଏ ବୁଝି ପାରିବ ? ତଥାପି ଶ୍ରେୟା ର ପ୍ରେମ କୁ ମୁଁ ତମ ପାଖରେ ହାତ ପତେଇ ଭିକ ମାଗୁଛି ଅମୁଭାଇ ! ତମେ ସବୁ ଅତୀତ କୁ ପାଶୋରି ଦେଇ ମୋ’ ପାଇଁ ଭାଉଜଙ୍କୁ ଟିକିଏ ବୁଝେଇବ, ମୋ ଶ୍ରେୟା ର ପଣତରେ ତା’ର ପ୍ରେମ କୁ ନିଶ୍ଚୟ ବାନ୍ଧି ଦେବ । ମୋତେ କଥା ଦିଅ ଅମୁଭାଇ ! ଏତିକି କରିବ ମୋ’ ପାଇଁ । କଇଁ କଇଁ ହୋଇ କାନ୍ଦି ପକାଉଥିଲା ବିଭାବରୀ । ସ୍ତବ୍ଧ ହୋଇ ଶୁଣୁଥିଲେ ଅମରେନ୍ଦ୍ର । ବିଭାବରୀ ର ଦୁଇ ହାତ କୁ ମୁଠାଇ ଧରି ବାଷ୍ପରୁଦ୍ଧ କଣ୍ଠରେ ସେ କହିଲେ “ ଆକାଶ ର ମାଆ ନାହିଁ ରେ ବିଭା ! ସେ ବହୁଦିନରୁ ଆମକୁ ଛାଡି ଚାଲି ଯାଇଛି ଆରପୁରକୁ “ । ଆହୁରି ଜୋରରେ କାନ୍ଦି ଉଠିଲା ବିଭାବରୀ   “ ହେ ଈଶ୍ବର ! କ’ଣ ମିଳିଲା ତୁମକୁ ଏମିତି ଆମ ଦୁହିଁଙ୍କୁ ଏତେ ଦୁଃଖ ଦେଇ ?” । ଦୁହିଁଙ୍କ ଲୁହ ଏକାକାର ହେଉଥିଲା ।

ବଳକା ରାସ୍ତା ସେମିତି ହାତରେ ହାତ ରଖି କାଟି ଦେଇଥିଲେ ଅମରେନ୍ଦ୍ର ଆଉ ବିଭାବରୀ । ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲା ଫ୍ଲାଇଟ୍ । ସେଫ୍ଟି ସ୍କ୍ରିନିଂ ରେ ଜଣା ପଡିଥିଲା ବିଭାବରୀ ଙ୍କର କରୋନା ସିମଟମ୍ । ଅମରେନ୍ଦ୍ର ଏୟାରପୋର୍ଟ୍ ରୁ ଘରକୁ ନ ଯାଇ ସିଧା ପହଞ୍ଚିଥିଲେ ଭୁବନେଶ୍ଵର ଏମ୍ସ ହସ୍ପିଟାଲରେ । ବିଭାବରୀ ଙ୍କୁ ସେଇଠି ଆଡମିଟ୍ କରି ଫୋନ୍ କରିଥିଲେ ଆକାଶ କୁ । ଶ୍ରେୟା ର ଯତ୍ନ ନେବା ପାଇଁ ଏବଂ ବ୍ୟସ୍ତ ନହେବା ଲାଗି ଅନୁରୋଧ କରିଥିଲେ । ପନ୍ଦର ଦିନ କାଳ ସେଇଠି ଚିକିତ୍ସିତ ହୋଇ ଶେଷରେ କରୋନା ଭୂତାଣୁ ର ଶିକାର ହୋଇଥିଲେ ବିଭାବରୀ। ଅନେକ ଶାରିରୀକ ମାନସିକ ଯନ୍ତ୍ରଣା ଜର୍ଜରିତ ପ୍ରାଣ ତାଙ୍କର ମୁକ୍ତି ଲାଭ କରିଥିଲା ସେଇ ଏମ୍ସ ହସ୍ପିଟାଲ୍ ର କୋଭିଡ୍ ରୋଗ ଶଯ୍ୟା ରେ। ଅମରେନ୍ଦ୍ର ଦୁଃଖ ରେ ଭାଙ୍ଗି ପଡିଥିଲେ ଖବରଟି ଦେଲାବେଳକୁ ଶ୍ରେୟା ଏବଂ ଆକାଶ କୁ। ବିନା କାହାରି ଉପସ୍ଥିତି ରେ ବିଭାବରୀଙ୍କର ପାର୍ଥିବ ଦେହାବଶେଷ ଲୀନ ହୋଇ ଯାଇଥିଲା ବୈଦ୍ୟୁତିକ ଚୁଲ୍ଲୀ ରେ। ତା’ ସହିତ ସମସ୍ତଙ୍କ ଅଗୋଚର ରେ ଲୁଚି ଯାଇଥିଲା ଅଧୁରା ପ୍ରେମ କାହାଣୀ ଟିଏ । ସମୟ କଡ ଲେଉଟାଉଥିଲା ଆଉ ଗୋଟିଏ ନୂତନ ପ୍ରେମ କାହାଣୀ କୁ ସାର୍ଥକ କରିବାର ପ୍ରଚେଷ୍ଟାରେ ।


Rate this content
Log in

Similar oriya story from Romance