sushama Parija

Others

3.6  

sushama Parija

Others

ଦନେଇଁ ଦାସଙ୍କ ମାଛ ପୋଖରୀ

ଦନେଇଁ ଦାସଙ୍କ ମାଛ ପୋଖରୀ

8 mins
174



ଉଦୁଉଦିଆ ଦିପହରଟାରେ ଝାଳନାଳ ଆଣ୍ଠିଏ ହୋଇ ଘରକୁ ଫେରିଥିଲା ସର୍ବେଶ୍ୱର, ଅଗଣା ଭିତରେ ପଶି ସାଇକଲ୍ ଟା ଦୁମ୍ କରି କାନ୍ଥରେ ଡେରି ଦେଇ ବଡ ବଡ ପାହୁଣ୍ଡ ପକାଇ ଘର ଭିତରକୁ ପଶିଲା । ତା’ ଚାଲି ଦେଖି ମାଳତୀ ର ମନେହେଲା ଯେ କିଛି ଗୋଟିଏ ଅଘଟଣ ଘଟିଛି , ହେଲେ କାରଣ ପଚାରିବାକୁ ତା’ର ସାହସ କୁଳୋଉନଥିଲା, ସେ ଜାଣେ ତା’ ପୁଅ ଟି କ୍ଷଣକୋପୀ ଠିକ୍ ତା’ରି ଭଳିଆ । ନିଜ କାମରେ କୌଣସି ପ୍ରକାର ବାଧାବିଘ୍ନ ଆସିଲେ ମୁଣ୍ଡ ବିଗିଡି ଯାଏ ତା’ର। ତା’ ବାପାଙ୍କ ଭଳି ଧୈର୍ଯ୍ୟ ନାହିଁ ତା’ ପାଖରେ। ଆଜିକୁ ମାସେ ହେଲା ଲାଗିଛି ଗାଆଁ ର ୱାର୍ଡ ମେମ୍ବର ଟୁକୁନା ରାଉତ ସାଥିରେ କ’ଣ ଗୋଟାଏ ଲୋନ୍ ଆଣି ଛୋଟିଆ ଦୋକାନ ଟିଏ କରି ବ୍ୟବସାୟ ଆରମ୍ଭ କରିବ ବୋଲି।ପାଠଶାଠ ତା’ ଦ୍ୱାରା ହେଲାନି ନବମ ଶ୍ରେଣୀରେ ଦୁଇ ଦୁଇଥର ଫେଲ୍ ହେଲାରୁ ଆଉ ସ୍କୁଲ୍ କଲାନାହିଁ, ଗାଁ ପିଲାଙ୍କ ସାଥିରେ ପଡି ବାତେରା ହେଲା, ଏଠି ସେଠି ବୁଲି ବୁଲି ତାହା ଖେଳି, ଗୁଲିଖଟି କଲା। ବାପ କହିଲେ ମୁହଁରେ ଜବାବ ଦେଲା “ ପାଠ ହବନି ମୋ ଦେଇ , ତମେ ଜମି ବିକ୍ରି କରି ପଇସା ଦିଅ, ମୁଁ ବେପାର କରିବି , ଯଦି ନ ଦେବ ତେବେ ଦାଦନ ଖଟିବାକୁ ବାହାରକୁ ପଳେଇବ ଜାଣିଥା ”। ମୁଣ୍ଡରେ ହାତ ଦେଇ ସେଦିନ ପିଣ୍ଡାରେ ବସି ପଡିଥିଲେ ତା’ର ବାପା ଦୀନବନ୍ଧୁ ଦାସ ।ଗୋଟାଏ ବୋଲି ପୁଅ ତାଙ୍କର, ସିଏ ଘର ଛାଡି ଚାଲିଗଲେ ସେମାନେ ବଞ୍ଚିବେ କେମିତି ଭାବି ଭାବି ଆଖିରେ ଲୁହ ଆସିଯାଇଥିଲା ତାଙ୍କର। ଦିନସାରା ଉପାସ ରହିଲେ, ବଡ କଷ୍ଟରେ ହାତ ଓଠ ଧରି ମନେଇଥିଲା ତାଙ୍କୁ ସେଦିନ ମାଳତୀ। କହିଥିଲା “ ସରବା ଟା ସିନା ପିଲାଲୋକ , ଯାହା ମନକୁ ଆସିଲା କହି ଦେଉଛି, ହେଲେ ତମେ ବୁଝିବା ଶୁଣିବା ଲୋକ ହୋଇ ଏମିତି ହେଉଛ ? ତମ ବାପ ପୁଅ ଦୁହିଁଙ୍କ ମଝିରେ ମୁଁ ପେଷି ହୋଇ ଯାଉଛି”।

ମାଳତୀ ଆଖିରେ ଲୁହ ଦେଖି ସମ୍ଭାଳି ପାରିଲାନି ଦନେଇ, ସବୁ ମାନ ଅଭିମାନ ପଛକୁ ପକାଇ ଖାଇବସିଲା। ରାତିରେ ଶୋଇବା ବେଳକୁ ମାଳତୀ କୁ କହିଲା “ ଏକୋଇର ବଳା ବିଶିକେଶନ ଆମର ସରବା, ତା’ ଛଡା ଆଉ କିଏ ଅଛି ଯେ ଆମ ମୁହଁ ରେ ପାଣି ଟୋପାଏ କି ନିଆଁ ଟିକିଏ ଦେବ କହିଲୁ? ସିଏ ଯଦି ଦାଦନ ଖଟିବାକୁ ବାହାରକୁ ଯିବ , ଆମେ ବଞ୍ଚି ପାରିବା ଟି? 

ଆଉ ସେ ଜମି ବିକିବା କଥା କହୁଛି ଯେ ଆମର ତ ଜମା ମାଣଟିଏ ଜମି, ତା’କୁ ମିଶାଇ ଅନ୍ୟ ମାନଙ୍କର ଭାଗଚାଷ କରିବାରୁ ଏ ପରିବାର କୁ ଆଜି ଯାଏ ପୋଷା ପାରୁଛି ନହେଲେ କୋଉକାଳୁ ଭୋକ ଓପାସରେ ମରି ସାରନ୍ତେଣି । ମନରେ ଭାବିଥିଲି ସରବା ଆମର ପାଠଶାଠ ପଢି ଚାକିରୀ ବାକିରୀ କରି ବଡ ମଣିଷ ହେବ, ଆମ ଦୁଃଖ ଦୂର ହେବ, ହେଲେ ସେ ସୁଖ ମୋ ଭାଗ୍ୟରେ ନାହିଁ, ଜମିବାଡି ଥିଲେ ସେଇ ଖାଇଥାଆନ୍ତା ବିକିଲେ ସେଇ ଉପାସ ରହିବ , ଆମ ବୁଢାବୁଢୀ ଦୁଇଜଣଙ୍କର ଆଉ କୋଉ ଜୀବନ ଅଛି ଯେ? ଯଦି ସେ କହୁଛି ତେବେ ଏ ଜମି ବାଡି କୁ ବିକ୍ରି ନକରି ବରଂ ବ୍ୟାଙ୍କ୍ ରେ ବନ୍ଧା ରଖି କିଛି ଋଣ କରୁ, ବେପାର କରି ପରେ ଶୁଝିଦେବ” । ବାପାଙ୍କ ସେଇ ଆଶ୍ୱାସନା ର କଥା ପଦକ ସକାଳୁ ଶୁଣେଇ ଦେଇଥିଲା ସର୍ବେଶ୍ୱର କୁ। ସର୍ବେଶ୍ୱର ଖୁସି ହୋଇ ଧାଇଁ ଯାଇଥିଲା ଗାଁ ର ୱାର୍ଡ ମେମ୍ବର ଟୁକୁନା ରାଉତ ପାଖକୁ । ଟୁକୁନା ରାଉତ ସାଥିରେ ଗାଆଁ ଟୋକାଙ୍କର ଭଲ ମେଳ।ସେଇ ମାନଙ୍କୁ ଖାଇବା ପିଇବାକୁ ଦେଇ ବେଶ୍ ହାତ କରି ରଖିଥାଏ ସେ, ଗାଁ ର ସବୁ ଉନ୍ନତି ମୂଳକ କାର୍ଯ୍ୟ ସେମାନଙ୍କୁ ଧରି ସହଜରେ କରିଥାଏ ଟୁକୁନା । ।ତା’ର ସରଳ ବ୍ୟବହାର ଆଉ ସଚ୍ଚୋଟ ପଣିଆ ଯୋଗୁଁ ଗାଆଁ ରେ ସେ ସମସ୍ତଙ୍କର ପ୍ରିୟ । ସେଇ ଟୁକୁନା କୁ ଧରି କୋଉ ଗୋଟାଏ ବ୍ୟାଙ୍କ୍ ରୁ କିଛି ଲୋନ୍ ଆଣିବା ଲାଗି ଧାଁ ଅପଡ କରୁଥିଲା ସରବା। ହେଲେ ଆଜି କାହିଁକି ଏମିତି ଭୁଷୁଣ୍ଡା ମୁହଁ କରି ଫେରିଛି କେଜାଣି? 

କିଛି ସମୟ ପରେ ବାଆଁରେଇ ହୋଇ ସରବା ପାଖରେ ଯାଇ ପହଞ୍ଚିଲା ମାଳତୀ, ଖଟ ଉପରେ ମୁହଁ ମାଡି ଶୋଇଥିବା ସରବା ର ମୁଣ୍ଡ କୁ ଆଉଁସି ଦେଲା ସ୍ନେହରେ , କହିଲା “ ଆରେ ବାପା ! ଖରାତରାରେ ବୁଲି ବୁଲି ଥକି ଯାଇଥିବୁ , ଆ’ ମୁଠାଏ କ’ଣ ଖାଇଦେଇ ଆସି ଶୋଇବୁ ପଛେ “। ନାଗସାପ ଭଳିଆ ଫଣା ଟେକି ଉଠିଲା ସରବା “ ଆଉ ଏ ଘରେ ପାଣି ଛୁଇଁ ବିନି, ତମେ ଦି’ଜଣ ମିଶି ମତେ ଯୋଉ ବେଜିତ୍ କରିଛ ନା’ , ଆଉ କାହାକୁ ମୁହଁ ଦେଖାଇ ପାରିବିନି ମୁଁ, ଜୀବନ ହାରିଦେବି ନହେଲେ ଏ ଗାଁ ଛାଡ଼ି ଚାଲିଯିବି କୁଆଡେ” ।

 ଏକା ନିଶ୍ବାସ କେ ଏତକ କହି ସଁ ସଁ ହେଉଥିଲା ସରବା, କାବା କାଠ ହୋଇ ତା’କୁ ଚାହିଁ ରହିଥିଲା ମାଳତୀ । ସେ ବୁଝି ପାରୁ ନଥିଲା ଯେ କ’ଣ ଭୁଲ୍ ହୋଇଛି ସେମାନଙ୍କ ଦ୍ବାରା ଯେ ଏତେ ବଡ କଥା କହୁଛି ସରବା । ତଥାପି ନେହୁରା ହୋଇ ପଚାରିଲା ପୁଅକୁ “ ଆରେ, କ’ଣ ହୋଇଛି କହୁନୁ, କ’ଣ କଲୁ ଆମେ ଦି’ଜଣ? କ’ଣ ପାଇଁ ତୁ ମୁହଁ ଦେଖାଇ ପାରିବୁନି କାହାକୁ ? କାହିଁକି ରେ ପୁଅ” ?? ସେମିତି ଗର୍ଜି ଗର୍ଜି ଉତ୍ତର ଦେଲା ସରବା “ ତୁ ଜାଣିନୁ ? ଯୋଉ ଜମି କୁ ବ୍ୟାଙ୍କ୍ ରେ ବନ୍ଧା ପକାଇ ଟଙ୍କା ଆଣି ବେପାର କରିବା ପାଇଁ ମତେ ଫୁସୁଲୋଉଥିଲୁ, ସେଇ ଜମି କୁ ସତର ବର୍ଷ ତଳୁ ବାପା ସମବାୟ ବ୍ୟାଙ୍କ୍ ରେ ବନ୍ଧା ପକାଇ ଲୋନ୍ ଆଣିଥିଲେ ବୋଲି, ତମେ ଦୁହେଁ ମୋତେ ବୋକା ବନେଇବା ପାଇଁ ଏତକ ନାଟ କରିଛ। ଟୁକୁନା ଭାଇ ପାଖକୁ ଦୌଡି ଦୌଡି ବ୍ୟାଙ୍କ୍ ରେ ଋଣ ମଞୁର ହେଲା ବେଳକୁ ଧରା ପଡିଲା ଯେ ମୁଁ ବନ୍ଧକ ଦେବାକୁ ଚାହୁଁଥିବା ଜମି ଖଣ୍ଡିକ ବହୁବର୍ଷ ତଳୁ ବନ୍ଧା ପଡିସାରିଛି ବ୍ୟାଙ୍କ୍ ରେ , ମାଛ ପୋଖରୀ ଖୋଲିବାକୁ ପାନ୍ଚ ହଜାର ଟଙ୍କା ଋଣ କରିଥିଲେ ବାପା, ସିଏ ବଢି ବଢି ଆଜି ତିରିଶି ହଜାର ହେଲାଣି । ଟୁକୁନା ଭାଇର , ମୋର ଇଜ୍ଜତ ଦି’ କଡା ର ହେଲା କି ନାହିଁ? ମୋ ପାଇଁ ସିଏ ମଧ୍ୟ ବେଇଜ୍ଜତ ହେଲା କି ନାହିଁ ?

ଆଶ୍ଚର୍ଯ୍ୟ ହୋଇ ଦୁଇ ପାଦ ପଛକୁ ଘୁଞ୍ଚିଗଲା ମାଳତୀ ! ଧକ୍କା ଖାଇଲା ଯାଇ ଅନେକ ବେଳରୁ ଆସି ତା’ ପଛରେ ଛିଡା ହୋଇଥିବା ଦନେଇ ସହିତ। ଗଛରୁ ପଡିଲା ଭଳିଆ ହାଁ କରି ଚାହିଁ ରହିଥିଲା ଦନେଇଁ, ସେ ବିଶ୍ବାସ କରି ପାରୁ ନଥିଲା ଯେ ଯାହା ସରବା କହିଲା ସେଇଟା ସତକଥା ବୋଲି। ଷାଠିଏ ବର୍ଷ ଭିତରେ ଜୀବନରେ ଥରେ ହେଲେ ବି ବ୍ୟାଙ୍କ୍ ର ଦୁଆରମୁହଁ ମାଡି ନଥିବା ଦନେଇଁ ଦାସ ନାଆଁ ରେ ପୁଣି ଜମି ବନ୍ଧାଦେଇ ପାନ୍ଚ ହଜାର ଟଙ୍କା ର ଋଣ? କିଏ ଆଣିଲା? କେତେବେଳେ? କେମିତି? ଆଉ ସବୁଠାରୁ ବଡ କଥା ହେଲା ମାଛ ପୋଖରୀ ପାଇଁ ସେ ଋଣ କରିବା କଥା। ଦନେଇଦାସ ର ଦି’ ଡିସିମିଲି ଘର ଜିହ ଛାଡିଦେଲେ ଆଉ ବାଡି ଗୋବରେ ଗୋବେ ହେଲେ ମଧ୍ୟ ଜମି ନାହିଁ, ସେ ପୋଖରୀ ଖୋଳିବ କୋଉଠି ? ମାଛ ଚାଷ କରିବ କୋଉଠି ? ମୁଣ୍ଡ ଗୋଳମାଳ୍ ହୋଇ ଯାଉଥିଲା ଦନେଇଁ ର , ତଣ୍ଟି ଶୁଖି ଅଠା ଅଠା ହୋଇ ଯାଉଥିଲା, ମୁଣ୍ଡ ଘୁରାଇ ଧୂମ୍ କରି ଗଛ କାଟିଲା ପରି ଗଳି ପଡିଲା ସିଏ। ହାଉଳି ଖାଇ କାନ୍ଦି ଉଠିଲା ମାଳତୀ, ଖଟ ଉପରୁ ଚମକି ଉଠି ଦୌଡି ଆସିଲା ସରବା । ଦନେଇଁ ମୁହଁ ରେ ପାଣି ଛାଟି ସାଷ୍ଟମ କଲେ ମା’ ପୁଅ ଦିହେଁ । ଧୀରେ ଧୀରେ ଆଖି ଖୋଲି ଚାହିଁଲା ଦନେଇଁ, ଭେଁ ଭେଁ କାନ୍ଦି ଉଠିଲା, କହିଲା “ କିଏ ମୋର ତଣ୍ଟି କାଟି ନେଲାରେ ସରବା, ମୁଁ ସର୍ବସ୍ବାନ୍ତ ହୋଇଗଲି, କିଏ ଏମିତି ମୋ ସାଥିରେ ଦାଉ ସାଧିଲା ରେ ପୁଅ, ମୁଁ ଏବେ କ’ଣ କରିବି । କୁଆଡେ ଯିବି ଲୋ ମାଳତୀ! “ କାନ୍ଦି କାନ୍ଦି ବୁଢାର ତଣ୍ଟି ଶୁଖି ଯାଉଥିଲା, ପୁଣି ପାଣି ଢୋକେ ପିଇଲା, ଥରଥର ଗଳାରେ କହିଲା “ ତୋ’ ବୋଉ ଆଉ ତୋର ମୁଣ୍ଡରେ ହାତ ରଖି କହୁଛିରେ ଧନ ମୁଁ କେବେହେଁ 

ବ୍ୟାଙ୍କ୍ ଦୁଆରମୁହଁ ମାଡିନି, କୋଉଠୁ ଟଙ୍କାଟିଏ ମଧ୍ୟ ଋଣ କରି ନାହିଁ ଜୀବନରେ, ମୋ ବାପା! ମୋ ଧନ! ତୁ ବିଶ୍ୱାସ କର ମୋତେ, ମୁଁ ମିଛ କହୁ ନାହିଁ ରେ, ମିଛ କହୁଥିଲେ ମୋ ଆଖି ଫୁଟିଯିବ, ମୋ କଥା ବିଶ୍ୱାସ କର , ମୁଁ ଏ ଋଣ କରି ନାହିଁ , କେହି ଜଣେ ମୋ ନାଆଁ ରେ ମିଛ କହିଛି “ । ଦନେଇଁ ର ମୁହଁ ଦେଖି ସରବା ଆଉ ମାଳତୀ କୁ ଲାଗୁଥିଲା ସେ ସତ ହିଁ କହୁଛି ହେଲେ ବ୍ୟାଙ୍କ୍ ବାଲା କାହିଁକି ମିଛ କହିବ? କାଗଜପତ୍ର ନଦେଖି ସେ କ’ଣ ମିଛ କହିବ ? ସରବା ର ମୁଣ୍ଡ ମଧ୍ୟ କାମ କରିବା ବନ୍ଦ କରି ଦେଇଥିଲା । ସେ ଧାଇଁଲା ଟୁକୁନା ରାଉତ ପାଖକୁ, ତା’କୁ ସବୁ ଘଟଣା ଜଣାଇଲା ପରେ ଦୁହେଁ ସାଥୀ ହୋଇ ଫେରିଲେ ଦନେଇଁ ଦାସ ଙ୍କ ପାଖକୁ । ଟୁକୁନା ରାଉତ ସାନ୍ତ୍ଵନା ଦେଲା “ ମଉସା! ବ୍ୟସ୍ତ ହୁଅନାହିଁ, ଯଦି ଏକଥା ମିଛ ହୋଇଥାଏ , ତେବେ ଦିନେ ଦୁଇ ଦିନ ଭିତରେ ସତ କଥା ମୁଁ ନିଶ୍ଚୟ ଖୋଜି ବାହାର କରି ଦେବି, ଏଠିକାର ନୂଆ ତହସିଲଦାର ଜଣେ ସୁଦକ୍ଷ କର୍ମନିଷ୍ଠ ଯୁବକ, ସେ ଜଣେ ଖୁବ୍ ସଚ୍ଚୋଟ ଅଫିସର୍ ମଧ, ଅନ୍ୟାୟ ଅନୀତି କୁ ମୋଟେ ସହି ପାରନ୍ତି ନାହିଁ, ତାଙ୍କ ସହିତ ଭଲ ସଂପର୍କ ଅଛି ମୋର , ଆମେ ସାଙ୍ଗ ହୋଇ କାଲି ସକାଳେ ଯିବା ତାଙ୍କ ପାଖକୁ, ତାଙ୍କୁ ସବୁକଥା ଜଣାଇବା ,ଦେଖିବା କ’ଣ ସାହାଯ୍ୟ ସେ କରିପାରିବେ ଆମକୁ “।

ପରଦିନ ସକାଳୁ ସକାଳୁ ସମସ୍ତଙ୍କୁ ନିଜ ସାଙ୍ଗରେ ନେଇ ତହସିଲଦାରଙ୍କ ଅଫିସ୍ ରେ ପହଞ୍ଚିଲା ଟୁକୁନା ରାଉତ, ବହୁତ ଅନୁରୋଧ କରି ସାକ୍ଷାତକାର ପାଇଁ ସମୟ ନେଇ ଭେଟ କଲେ ସମସ୍ତେ, ଦନେଇଁ ଦାସଙ୍କ ମୁହଁ ରୁ ସବୁ କଥା ଗୋଟି ଗୋଟି କରି ଶୁଣିଲେ ତହସିଲଦାର ଶ୍ରୀ ବିଭାସ କାନୁନଗୋ,କିଛି ସମୟ ଆଖି ବନ୍ଦ କରି ଚିନ୍ତା କଲେ, ତା’ପରେ ପଚାରିଲେ ଆଛା ମଉସା ! ଗୋଟିଏ କଥା ଆପଣ ମତେ ମନେ ପକାଇ କୁହନ୍ତୁ, ଆପଣ କେବେ ଆପଣଙ୍କ ଜମିରେ ପଟା କାହାକୁ ଦେଇଥିଲେ କି? କେବେବି ? କୌଣସି କାରଣରୁ ?

ବିଜୁଳି ଭଳି ଝଲସି ଗଲା ଦନେଇଁ ଦାସ ଙ୍କ ଆଖିରେ ଅନେକ ଦିନ ତଳର ଗୋଟାଏ ଦୃଶ୍ୟ, ସର୍ବେଶ୍ୱର ସେତେବେଳକୁ ତିନି ବର୍ଷ ର ହୋଇଥାଏ, ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହେଲା ,ଆଠଦିନ ଧରି ଗାଁ ଡାକ୍ତରଖାନାରେ ଚିକିତ୍ସା ପରେ ଡାକ୍ତର କହିଲେ ତୁରନ୍ତ କଟକ ବଡ ଡାକ୍ତରଖାନା କୁ ନେବାକୁ ପଡିବ, ପିଲାର ଅବସ୍ଥା ସଙ୍କଟାପନ୍ନ। କାଣି କଉଡି ଟିଏ ନଥିଲା ଦନେଇଁଙ୍କ ହାତରେ , କ’ଣ କରିବେ, କୋଉଠୁ ଟଙ୍କା ପଇସା ଆଣିବେ, କେମିତି ପୁଅର ଜୀବନ ବଞ୍ଚେଇବେ

 ବୋଲି ଭାବି ଭାବି ତାଙ୍କ ଘର ଠାରୁ ଅଳ୍ପ ଦୂରରେ ଘର କରିଥିବା ଗାଁ ସରପଞ୍ଚ

 ପଦ୍ମନାଭ ସାହୁଙ୍କ ପାଖକୁ ଧାଇଁ ଯାଇଥିଲେ, ସେ ଭଲ ଭାବରେ ଜାଣିଥିଲେ ଯେ ପଦନି ସାହୁ ବିନା କୌଣସି ବନ୍ଧକ ରେ ପାହୁଲା ଟିଏ ଦିଅନ୍ତି ନାହିଁ କାହାକୁ, ତେଣୁ ହାତରେ ଜମିବାଡି କାଗଜପତ୍ର ଧରି ଯାଇଥିଲେ, ସେତକ ତାଙ୍କର ପାଦତଳେ ଥୋଇ ପାଞ୍ଚ ଶହ ଟଙ୍କା କରଜ ଆଣି ଦୌଡି ଦୌଡି ଯାଇଥିଲେ ସରବା କୁ ନେଇ ବଡ ମେଡିକାଲ । ସେଠାରେ ପନ୍ଦର ଦିନ ରହି ଚିକିତ୍ସା କରି ଭଲ କରି ଆଣିଥିଲେ ପୁଅକୁ । ଘରକୁ ଫେରିବା ପରେ ମାଳତୀଙ୍କୁ କହିଥିଲେ ସେ କଥା।ମାଳତୀ ବ୍ୟସ୍ତ ହୋଇ ପଡିଥିଲେ ଜମିବାଡି କାଗଜପତ୍ର କଥା ଶୁଣି।କହିଥିଲେ ଆମେ ଗରିବ ଲୋକ, କେତେ ବେଳେ କୋଉକଥା, ପଦନି ସାହୁ ଭଲ ଲୋକ ନୁହଁନ୍ତି, ତମେ ଆଗ ତାଙ୍କର ଉଦାର ଶୁଝି ଆମ କାଗଜପତ୍ର ନେଇ ଆସ । ତାଙ୍କର ବାପଘରର ଏକମାତ୍ର ସନ୍ତକ ହଳେ ସୁନାର କାନଫୁଲକୁ ଜବରଦସ୍ତି ଗୁଞ୍ଜି ଦେଇଥିଲେ ଦନେଇଁଙ୍କ ହାତରେ, ସେତକ ବିକ୍ରି କରି ଉଧାର ଶୁଣିବାକୁ । ସେଇ କାନଫୁଲକୁ ବିକ୍ରି କରି ପଦନି ସାହୁ ଙ୍କର କରଜ ସୂଧମୂଳ ଦେଇ ଶୁଝି ଦେଇଥିଲେ ଦନେଇଁ, ହେଲେ ଜମି କାଗଜପତ୍ର ଫେରି ପାଇବାକୁ ତାଙ୍କୁ ଛଅ ମାସ କାଳ ଦୌଡିବାକୁ ପଡିଥିଲା ପଦନି ସାହୁ ଙ୍କ ଘରକୁ । ସେଇ ଦିନ ଠାରୁ ସେ ଆଉ କେବେ ବି କୌଣସି ଧାର କରଜ କରି ନାହାଁନ୍ତି ଜୀବନସାରା। ତହସିଲଦାରଙ୍କ ମୁହଁ ଏବେ ଉଜ୍ବଳ ଦେଖାଗଲା, ସତେ କି ସେ ଅନ୍ଧାର ଭିତରେ ସୂକ୍ଷ୍ମ ଆଲୁଅ ର ରେଖା ଟିଏ ଦେଖି ପାରିଲେ। ଦନେଇଁ ଦାସ ଙ୍କୁ ଆଶ୍ୱାସନା ଦେଲେ “ ମଉସା! ଆପଣ ଏବେ ଘରକୁ ଫେରି ଯାଆନ୍ତୁ, ମୁଁ ଚେଷ୍ଟା କରିବି ଆପଣଙ୍କର ସମସ୍ୟା ର କିଛି ଗୋଟିଏ ସମାଧାନ କରିବା ପାଇଁ, ହେଲେ ମୋତେ ଟିକେ ସମୟ ଲାଗିବ । ଆପଣ ନିଶ୍ଚିନ୍ତ ହୋଇ ଯାଆନ୍ତୁ “। ଟୁକୁନା ରାଉତ କୁ କହିଲେ ତୁମେ ମଉସା ଙ୍କୁ ଘରେଛାଡି ତୁରନ୍ତ ଆସିବ ମୋ ପାଖକୁ, କାମ ଅଛି। ଶଙ୍କାକୁଳ ମନ ନେଇ ଘରକୁ ଫେରିଲେ ସମସ୍ତେ । ସତରେ କ’ଣ ଏଇ ନୂଆ ତହସିଲଦାର ବାବୁ ଆମକୁ ଏ ବିପଦରୁ ଉଦ୍ଧାର କରିପାରିବେ? 

ମନେମନେ ଠାକୁରଙ୍କୁ ଡାକୁଥିଲେ ମାଳତୀ, ହେ ପ୍ରଭୁ! ମୋ ସ୍ବାମୀ ନିର୍ମାୟା ଲୋକ, ତାଙ୍କୁ ଏ ଷଡଯନ୍ତ୍ର ରୁ ରକ୍ଷାକର ପ୍ରଭୁ ! ଦିନ ଗଣି ଗଣି କଟୁଥାାଏ । ଟୁକୁନା ରାଉତ ର ମଧ୍ୟ ଆଉ ଦେଖା ନଥାଏ । ସର୍ବେଶ୍ୱର ର ମନ ବି ମରିମରି ଯାଉଥାଏ।ସେ ମଧ୍ୟ ଘରୁ ଆଉ ବେଶୀ ବାହାରକୁ ବାହାରୁ ନଥାଏ।

ମାସକ ପରେ ଦିନେ ସକାଳୁ ହସ ହସ ମୁହଁ ରେ ଖବରକାଗଜ ଖଣ୍ଡିଏ ଧରି ଦନେଇଁ ଦାସଙ୍କ ଘରେ ପହଞ୍ଚିଲା, ପାଟି କରି ଡାକ ଛାଡିଲା” ଆରେ ସରବା ! ବାହାରକୁ ଆ’ ଦେଖିବୁ, ମଉସା ଙ୍କୁ ନ୍ୟାୟ ମିଳିଛି, ଏଇ ଖବରକାଗଜରେ ସବୁ ବାହାରିଛି ପରା, ଘର ଭିତରୁ ଧାଇଁ ଆସିଲେ ସାରା ପରିବାର, ଟୁକୁନା ରାଉତ ପାଖକୁ ମାଡିଗଲା ସର୍ବେଶ୍ୱର , ଦେଖିଲା ଗୋଟାଏ ନାଲି ମୁଣ୍ଡୁଳା ବୁଲା ହୋଇଛି ଗୋଟାଏ ଖବର ଉପରେ। ଟୁକୁନା ବଡ ପାଟିରେ ପଢିଲା ଖବରରୁ ଶୀର୍ଷକ “ ସପନପୁର ଗାଁ ର ପୂର୍ବତନ ସରପଞ୍ଚ ଶ୍ରୀ ପଦ୍ମନାଭ ସାହୁ ଜମି ଜାଲିଆତି ଅପରାଧରେ ରେ ଗିରଫ “ । ତଳେ ଲେଖା ଅଛି ସୋନପୁର ଗାଁ ର ଗରିବ ଚାଷୀ ଦୀନବନ୍ଧୁ ଦାସ ଙ୍କର ଜମିବାଡି କାଗଜପତ୍ର କୁ ଜାଲିଆତି କରି ମାଛପୋଖରୀ ଋଣ ଆଣି ନିଜ ବାଡିରେ ପୋଖରୀ ଖୋଳି ମାଛଚାଷ କରିବାର ଅଭିଯୋଗ ହୋଇଥିଲା। ସ୍ଥାନୀୟ ତହସିଲଦାର ଏବଂ ବ୍ୟାଙ୍କ୍ ମ୍ୟାନେଜର୍ ଙ୍କ ସହାୟତା ରେ ମାମଲାର ଅନୁସନ୍ଧାନ କରି ଶ୍ରୀ ପଦ୍ମନାଭ ସାହୁଙ୍କର ଏଥିରେ ସଂପୃକ୍ତ ଥିବାର ସତ୍ୟତା କୁ ପ୍ରମାଣିତ କରି ତାଙ୍କୁ ଗିରଫ କରିଛି ପୋଲିସ୍ । 

ଆହୁରି ମଧ୍ୟ ଲୋକ ଅଦାଲତ ଶ୍ରୀ ପଦ୍ମନାଭ ସାହୁ ଙ୍କୁ ମାଛ ପୋଖରୀ ଋଣ ଟି ସମୂଳସୁଧ ବ୍ୟାଙ୍କ୍ ରେ ମାସକ ଭିତରେ ତୁରନ୍ତ ପଇଠ କରିବା ଲାଗି ଆଦେଶ ଦେଇଛି । ଦନେଇଁ ଦାସ ଦୁଇ ହାତ ଉପରକୁ ଟେକି ମୁଣ୍ଡରେ ଲଗାଇଲା । ମାଳତୀ ବେକରେ କାନି ଗୁଡେଇ ଦଣ୍ଡବତ କରୁଥିଲା ପ୍ରଭୁଙ୍କ ଉଦ୍ଦେଶ୍ୟ ରେ। ଖୁସିରେ ଟୁକୁନା ରାଉତ କୁ କୁଣ୍ଢେଇ ପକାଇଲା ସର୍ବେଶ୍ୱର, ତା’ର କାନ୍ଦୁରା ସ୍ୱର ଶୁଭୁଥିଲା “ ତୁମେ ଆମକୁ ବଞ୍ଚେଇ ଦେଲ ଟୁକୁନା ଭାଇ ! “ । ଦାଣ୍ଡ କୁ ବାହାରିଲା ବେଳକୁ ପଦନି ସାହୁର ଘର ପାଖରେ ଗାଁ ଟୋକା ମାନଙ୍କ ଚିତ୍କାର ଶୁଭୁଥିଲା “ ମାଛ ପୋଖରୀ ଚୋର କିଏ ? ଆମ ପଦନି ସାହୁ , ଆଉ କିଏ? “ ।



Rate this content
Log in