ଗୋଟିଏ ଶୀତରାତିର ସ୍କେଚ୍
ଗୋଟିଏ ଶୀତରାତିର ସ୍କେଚ୍
ଭଙ୍ଗା ଚାଳିଆ ଟି ଭିତରେ ଥରଥର ହୋଇ ଥରୁଥିଲା ମଦନା ସେଠୀ। ଛାଉଣି ଛପର ଉଡି ଯାଇଥିବା ଚାଳିଆ ଭିତରେ ଧସେଇ ପଶି ଆସୁଥିଲା ହେମାଳ ପବନ, ଜହ୍ନ ଟା ଦେଖା ଯାଉଥିଲା ଧୂଆଁଳିଆ, ଠିକ୍ ତା’’ ସ୍ତ୍ରୀ ଫୁଲ ର ମୁହଁ ଭଳି । ସାତ ଆଠବର୍ଷ ତଳେ କୋଉ କାଳର ପୁରୁଣା ଛିଣ୍ଡା ଲେଙ୍କଡା କମ୍ବଳଟିଏ ଦେଇଥିଲେ ସେବେକାର ସରପଞ୍ଚ ବିଶ୍ୱାଳ ବାବୁ , ଆଜି ସେଇ ଦଦରା କମ୍ବଳ ଟି ହିଁ ଭରସା ।
ଇନ୍ଦିରା ଆବାସ ଯୋଜନାରେ ମିଳିଥିଲା ଘର ଖଣ୍ଡିଏ ଯେ ସେଇଟା ମାଡିବସିଛି ତା’ ପୁଅ ଦୟାନିଧି । ତା’ ସ୍ତ୍ରୀ ପିଲାମାନଙ୍କୁ ଧରି ସେଇଠି ଶୋଇଛି ସେ। ସେଇ ଘରକୁ ଲଗେଇ ଚାଳିଆ ଖଣ୍ଡିଏ କରି ଦେଇଛି ମଦନା ରହିବା ପାଇଁ । ଦଇଆ ଦଶବର୍ଷର ହେଲାବେଳକୁ ତା’ ମାଆ ମରି ଯାଇଥିଲା, ମଦନା ନିଜେ ବାପମାଆ ହୋଇ ମୂଲମଜୁରି କରି ପାଳିଥିଲା ତା’କୁ । ମାଆ ଛେଉଣ୍ଡ ଛୁଆଟା ବୋଲି ନିଜେ ନଖାଇ ତା’କୁ ଖୁଆଇଥିଲା, ତା’ର ଦେହ ଖରାପ ହେଲେ ରାତି ରାତି ଅନିଦ୍ରା ରହି ସେବାଯତ୍ନ କରୁଥିଲା , ଏମିତିଆ ଶୀତ ରାତିରେ ନିଜର କନ୍ଥା ଖଣ୍ଡିକ ତା’କୁ ଘୋଡେଇ ଦେଇ ନିଜେ ଛିଣ୍ଡା ଚଦର ଘୋଡେଇ ହୋଇ ଶୋଉଥିଲା । ଆଉ ଆଜି ? ଦଇଆ ବଡ ହୋଇଛି, ତା’ ସଂସାର କରିଛି ।
ବୁଢା ବାପର ଇନ୍ଦିରାଆବାସ ରେ , ବାର୍ଦ୍ଧକ୍ୟ ଭତ୍ତା ରେ, ଦି’ଟଙ୍କିଆ ଚାଉଳରେ ତା’ର ଅଧିକାର ସାବ୍ୟସ୍ତ କରୁଛି କିନ୍ତୁ ବୁଢା ବାପ କୁ ଟିକେ ଦେଖିବାକୁ ସୁଦ୍ଧା ତା'ର ସମୟ ନାହିଁ । ଅନ୍ୟ କଥା ଛାଡମୁଠାଏ ଭଲକରି ଖାଇବାକୁ ଦେବାପାଇଁ ବି ତା’ ସ୍ତ୍ରୀ ଦୁନିଆଁ କଥା ଶୁଣାଏ। ଭଙ୍ଗା ଚାଳିଆ ଖଣ୍ଡିକ ମରାମତି କରିବା ପାଇଁ ତା’ ପାଖରେ ସମୟ ନାହିଁ । ସିଏ କାଳେ ଗାଆଁ ଉଆଡମେମ୍ବର ହୋଇଛି , ଗାଆଁ ଲୋକମାନଙ୍କର ସେବା କରୁଛି। ସେଇ ଚାଳିଆ ରେ ପଡି ରହୁଛି ମଦନା ।ସକାଳେ ନାଲି ଚାହା ଗିଲାସେ, ଦି’ ପହରେ କେବେ ତତଲା ତ କେବେ ପଖାଳ ମୁଠାଏ ଥୋଇ ଦେଇ ଯାଏ ବୋହୁ, ସେଇତକ ଖାଇ ଦେଇ ସେଇଠି ଗାଈଗୋରୁ ଭଳି ପଡିଥାଏ ସେ। । ଆଜି ସଞ୍ଜ ବୁଡୁ ବୁଡୁ ବୋହୁ ଆଣି ଥୋଇ ଦେଇ ଯାଉଛି ପଖାଳ କଂସାଏ , ବୋହୁ ସିନା ପରଝିଅ, ହେଲେ ଦଇଆ ତ ତା' ରକ୍ତର ନା' । ସିଏ କେବେହେଲେ ଦିନେ ଆସି ପଚାରେନା “ କେମିତି ଅଛ ବାପା ?”। ଛାତି ଫାଟିଗଲେ ବି ମୁହଁ ଫିଟାଏନି ମଦନା। କ’ଣ ଆଉ କରନ୍ତା ? ମଲା ବେଳେ ପରା କଥା ଦେଇଥିଲା ଫୁଲ କୁ , ତା’ ପୁଅକୁ ଭଲରେ ରଖିବ ବୋଲି । ସେଇଥିପାଇଁ ସବୁ ଚୁପ୍ ଚାପ୍ ହୋଇ ସହିଯାଏ। ଦି’ଦିନ ହେଲାଣି ଟିକିଏ ଅଧିକ ଥଣ୍ଡା ପଡିଛି। ହାତ ଗୋଡ କୋଲ୍ ମାରି ଯାଉଛି। ସଞ୍ଜ ବେଳେ ବୋହୁ ଥୋଇ ଦେଇ ଯାଇଥିବା ପଖାଳ କଂସା ଟା ଦୂରକୁ ଠେଲି ଦେଇ ସେମିତି ଉପାସରେ ଶୋଇ ପଡିଲା ମଦନା। ଧଇଁ କାଶଟା ଶୁଆଇ ଦେଉନି। ମଦନା ଭାବିଲା କାଲି ସକାଳ ହେଲେ ଦଇଆ କୁ କହିବ କ’ଣ ଟିକିଏ ଥଣ୍ଡା ଓଷଦ ଆଣିଦେବ। ରାତି ଅଧକୁ ଲାଗିଲା କ’ଣ ଗୋଟିଏ ବାଆଁ ପଟ ଛାତି ପାଖରେ ଅଟକି ଗଲା ପରି ଲାଗୁଛି, ନିଶ୍ବାସ ବନ୍ଦ ହୋଇ ଗଲା ଭଳି ଲାଗୁଛି । ପାଟି କରି ପୁଅକୁ ଡାକିବା ପାଇଁ ଚେଷ୍ଟା କଲା ମଦନା, ହେଲେ ପାରିଲାନି, ପାଟି ଖଟି ମାରିଗଲା। । ସୁ.. ସୁ.. ହୋଇ ଘରକୁ ପଶି ଆସୁଥିବା ପ୍ରବଳ ଶୀତ ଲହରୀ ତା’ର ପାଟି ଭିତରେ ପଶି ଆଖି ବାଟେ ବାହାରି ଗଲା। ଆକାଶ ରେ ଧୂଆଁଳିଆ ଜହ୍ନ ଟା ଭିତରୁ ଫୁଲ ହାତ ଠାରି ଡାକୁଥିଲା " ଆସ , ମୋ' ପାଖକୁ ଆସ" । ମଦନା ର ଅସାବଧନତା ଶରୀର କୁ ଦେଖି ଜହ୍ନ ଟା ସେମିତି ହସୁଥିଲା ।