sushama Parija

Others

4.5  

sushama Parija

Others

ସଂପର୍କର  ଶେଷ ସୂତାଖିଅ

ସଂପର୍କର  ଶେଷ ସୂତାଖିଅ

5 mins
391



ସଞ୍ଜ ନଇଁ ଯାଇଥିଲା ସେତେବେଳକୁ । ସମୁଦ୍ର କୂଳରେ ଢେର୍ ଜନଗହଳି, ପିଲାଠାରୁ ବୁଢା ଯାଏଁ ସମସ୍ତେ ଭାବୁଛନ୍ତି ସାଗରର ଢେଉଢେଉକା ଖେଳରେ, ସଭିଏଁ ମସଗୁଲ୍ ଯିଏ ଯାହା ଖୁସିରେ। ଏବେ ତ ପୁରୀ ସହରର ଦୃଶ୍ୟ , ନିଆରା , ଚାରିଆଡ ପରିଷ୍କାର ପରିଚ୍ଛନ୍ନ, ସୁସଜ୍ଜିତ ଆଉ ସୁରକ୍ଷିତ ମଧ୍ୟ । ଏଇ ସମୟରେ ଆମ୍ବାସାଡର୍ କାର୍ ଟିଏ ବ୍ରେକ୍ କସିଲା ସ୍ୱର୍ଗ ଦ୍ୱାର ସମ୍ମୁଖରେ, ମଜା ଚଣ୍ଡିଆ ମାନେ ଭାବିଲେ ବୋଧହୁଏ ଶବ ଟିଏ ଆସିଗଲା ଦାହ ସଂସ୍କାର ପାଇଁ । କିଛି ରୋଜଗାର ମିଳିଯିବା ଆଶାରେ ସେମାନେ ଚାହିଁଲେ କାର୍ ଆଡକୁ । ହେଲେ ଇଏ କ’ଣ ? କାର୍ ରେ ଆରୋହୀ ମାତ୍ର ଜଣେ, ଆଉ କେହି ଦିଶୁ ନାହାଁନ୍ତି ସାଥିରେ। ମଜା ଚଣ୍ଡିଆ ମାନେ ଭାବିଲେ ବୋଧହୁଏ ପଛରେ ଶବ ବୁହା ଗାଡି(ମୋର୍ଟାର ଭ୍ୟାନ ) ଟିଏ ଆସୁଛି ଶବ୍ଦ ଧରି , ଆଗତୁରା ଆସିଛନ୍ତି କେହି ଜଣେ ସବୁ ବ୍ୟବସ୍ଥା କରିବା ଲାଗି । ହେଲେ ସେମିତି କିଛି ଘଟିଲାନି,ଦଶ ମିନିଟ୍ ପରେ ଧୀରେ ଧୀରେ ଏପଟ ସେପଟକୁ ଚାହିଁ କାର୍ ରୁ ବାହାରିଲେ ଜଣେ ଯୁବକ । ବୟସ ତିରିଶି ପଇଁତିରିଶ ଭିତରେ ହେବ , କାର୍ ର ଡିକି ଖୋଲି ଟେକି ଧରି କ୍ଲାମ୍ପ୍ ଲଗାଇଲେ ଆଉ ନଇଁ ପଡିଲେ ଡିକି ଭିତରକୁ । ସେତେବେଳକୁ ମଡାଚଣ୍ଡିଆମାନଙ୍କ ସହିତ ଶବ ସଂସ୍କାର ପାଇଁ ସେଠାରେ ଥିବା ବ୍ରାହ୍ମଣ ଏବଂ ଆହୁରି କିଛି ଲୋକ ଜମା ହେବାକୁ ଆରମ୍ଭ କରିଥିଲେ ।

ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ଥିଲା ଖୋଲା ରହିଥିବା କାର୍ ର ଡିକି ଭିତରେ । ଅଭାବନୀୟ ଦୃଶ୍ୟ ଟିଏ ଦେଖି ଚମକି ଉଠିଲେ ସମସ୍ତେ। ଡିକି ଭିତରେ ଉପରକୁ ଆଁ କରି ଶୋଇଥିଲା ଶବଟିଏ, ଉପରେ ନୂଆ ଧୋତିଟିଏ ଘୋଡେଇ ହୋଇଥିଲା , ବେକରେ ଗେଣ୍ଡୁ ଫୁଲମାଳଟିଏ ଝୁଲୁଥିଲା । କାର୍ ଚଲେଇ ଆସିଥିବା ଲୋକଟି ବିନା ଦ୍ୱିଧା ରେ ଶବଟିକୁ ଦୁଇ ହାତରେ ଟେକି ଆଣି ଆଗେଇ ଗଲା ଶବ ସଂସ୍କାର ହେଉଥିବା ସ୍ଥାନ କୁ । ସେଠାରେ ଶବଟିକୁ ତଳେ ଥୋଇଦେଇ ଜଗୁଆଳୀକୁ କହିଲା , ଇଏ ମୋ ବାପା ହରି ଜେନା , ବୁଢା ହୋଇ ମରି ଗଲା । ଜୀବନ ଯାକ ଜଗନ୍ନାଥ, ଜଗନ୍ନାଥ ହେଉଥିଲା, କେବେ ଆସି ପାରିଲାନି ତାଙ୍କୁ ଦେଖିବାକୁ ପୁରୀ , ମଲାପରେ ନେଇ ଆସିଛି ମୁଁ ସ୍ୱର୍ଗ ଦ୍ୱାର କୁ। ଏଇଠି ସଂସ୍କାର କରିଦିଅନ୍ତୁ ତା’କୁ , ସିଧା ସ୍ୱର୍ଗ କୁ ଯାଉ ସେ। ଦେଖଣାହାରୀଏ ହତବାକ୍ ହୋଇ ଚାହିଁ ରହିଥାନ୍ତି, କୁହାକୁହି ହେଉଥାନ୍ତି “ ଲୋକ ଟା ପାଗଳ ନା’ କ’ଣ ? ଏମିତି କିଏ ଆଣେ ବାପ ର ଶବ କୁ ? କୋକେଇ ନାହିଁ, ଅବିର ମୁଠାଏ ନାହିଁ, ମଡା କାନ୍ଧିଆ ନାହିଁ, “ରାମ ନାମ ସତ୍ୟ ହୈ” ବୋଲିବାକୁ ଲୋକଟିଏ ନାହିଁ , ଇଏ କି କଥା? ହେ ଜଗନ୍ନାଥେ ! ଏମିତି ପାଷାଣ୍ଡ ପୁଅ କାହାକୁ ନ ଦିଅ, ପଛେ ଆଣ୍ଠୁକୁଡା ହୋଇ ମରୁ ,ସାଇ ପଡିଶାଏ ଦୟାକରି ନେଇ ଯଥାବିଧି ମଶାଣିରେ ପୋଡିଦେବେ ଚାନ୍ଦାଭେଦା କରି , କିନ୍ତୁ ଏମିତି ହନ୍ତସନ୍ତ କରି ନର୍କ କୁ ପଠାଅନାହିଁ। ରାମ୍ , ରାମ୍ ,କି କଳିଯୁଗ ହେଲା ହୋ! ମଣିଷ କୁ ପୁଣି ଏୟା ଦେଖିବାକୁ ପଡିଲା? ଛିଃ,ଛିଃ....।

ମୁହଁ ପୋତି ସବୁ ଶୁଣୁଥିଲା ଶବ ଆଣିଥିବା ଲୋକ ଟି । ନିର୍ବିକାର ଭାବରେ କହିଲା “ କେତେ କ’ଣ ଟଙ୍କା ଲାଗିବ କୁହ , ମୁଁ ଦେବି , ଶିଘ୍ର ଶିଘ୍ର କାମ ସାରି ଏଠୁ ଫେରିଲେ , ସେଠାରେ ମୋର ବହୁତ କାମ ଅଛି। ତା’କୁ ଏମିତି ନିର୍ବିକାର ଦେଖି ବୁଢା ବ୍ରାହ୍ମଣ ଜଣେ ଆଗେଇ ଆସିଲେ , କହିଲେ “ ହଇହୋ ବାବୁ! ତମେ ଏ କାର୍ ଚଲେଇ ଆଇଚ ଟି? ତା’ମାନେ ତୁମ ନିଜର କାର୍ ଟିଏ ଅଛି, ଆମକୁ କହୁଛ ଯାହା ପଇସା ଲାଗିବ, ଦେବ ବୋଲି, ତା’ ମାନେ ତୁମ ପାଖରେ ପଇସାପତ୍ର ମଧ୍ୟ ଅଛି , ତେବେ ଏ ବୁଢା ବାପଟାକୁ ଏମିତି ଅସଙ୍ଗତ ଭାବରେ କାହିଁକି ଆଣିଲ ଏଠିକି, ତୁମ ଗାଆଁ ମଶାଣିରେ ପୋଡି ଦେଲନି? ପୁଅ ଟି ସେମିତି ନିର୍ବିକାର ଭାବରେ ଉତ୍ତର ଦେଲା “ ନା’ ସେମିତି କରି ପାରିଲିନି କାରଣ ଗାଆଁ ରେ କେହି ମୋତେ ସାହାଯ୍ୟ କଲେନି । ଆଉ କାହିଁକି ସାହାଯ୍ୟ କଲେନି ସେକଥା ମଧ୍ୟ ଶୁଣ....

ମୋ ବାପା ହରି ଜେନା ଗାଆଁ ରେ ମୂଲ ଲାଗି ଚଳୁଥିଲା , ମୁଁ ବି ଟିକିଏ ଠେକ ହୋଇଯିବାରୁ ସ୍କୁଲ୍ କୁ ନପଠାଇ ମତେ ମୂଲ ଲାଗିବାକୁ ପଠେଇ ଦେଇଥିଲା । ଦଶ ବର୍ଷ ର ହେବା ବେଳ ଠାରୁ କେବେ ସାଇକେଲ ମରାମତି ଦୋକାନରେ ତ କେବେ ଜଳଖିଆ ଦୋକାନ ରେ , କେବେ ମୋଟର ଗ୍ୟାରେଜ୍ ରେ କାମ କରି ବଢିଲି ମୁଁ । ଅଠର ବର୍ଷର ହେଲା ବେଳକୁ ମୋ ଗ୍ୟାରେଜ୍ ମାଲିକ ଗଫୁର୍ ଚାଚା, ମୋତେ ପଠାଇଦେଲା ତା’ ଶଳା ସାଙ୍ଗରେ ଦୁବାଇ। ସେଇଠି ଦିନ ମଜୁରିଆ ହୋଇ କାମ କଲି କେବେ ପାଣି ଜାହାଜରେ ତ କେବେ ପେଟ୍ରୋଲ ପମ୍ପ ରେ କେବେ କୋଉ ଖଣିଖାଦାନରେ ।ଯେତିକି ପଇସା ରୋଜଗାର ହେଉଥିଲା ଖାଇବା ପିଇବା ପରେ ସବୁ ଠିକାଦାର ରଖୁଥିଲା, ତେଣୁ ଘରକୁ ଆସିବାର ସୁବିଧା ନଥିଲା।ସେମିତି ରହୁ ରହୁ ପ୍ରେମ ହୋଇଗଲା ଶାହିଦା ସାଥିରେ, ତା’କୁ ନିକାହ କରି ବହୁତ ଦିନ ପରେ ଫେରିଲି ଘରକୁ ଓଡିଶା। ମାଆ ସେତେବେଳକୁ କୁଆଡେ ମତେ ଝୁରି ଝୁରି ମରି ସାରିଥିଲା, ମତେ ଦେଖି ବାପା ଖୁସି ହେଲା ହେଲେ ଶାହିଦା କୁ ଘରେ ପୁରାଇଦେଲା ନାହିଁ । ସାହି ପଡିଶା ଜାଣିଲେ,ଛିଃଛାକର କଲେ , ଧମକ ଦେଇ କହିଲେ ତୋ ପୁଅ ବିଜାତୀୟ ଝିଅ କୁ ବାହା ହୋଇ ଧର୍ମ ହାରିଛି, ତା’କୁ ଘରେ ପୁରେଇଲେ ଜାତିରୁ ବାହାର କରିଦେବୁ, ବହୁତ କାକୁଡି ମିନତି କଲି ବାପାକୁ, ଏଠି ବହୁତ ହଇରାଣ ହେଉଥିବୁ,ଚାଲ୍ ଆମେ ପଳେଇଯିବା ଦୁବାଇ, ସେଇଠି ରହିବା ସମସ୍ତେ , ବୁଢା ମୋଟେ ରାଜି ହେଲାନି ,କହିଲା ଏଠି ଜଗନ୍ନାଥ ଅଛନ୍ତି ମୋ କଥା ବୁଝିବେ, ତୁ କୁଳାଙ୍ଗାର, ବିଧର୍ମୀ, ବାହାରି ଯା’ ମୋ ଘରୁ । କୋଉଠି ରହିଥାନ୍ତି? କ’ଣ ଖାଇଥାଆନ୍ତି? ଅଗତ୍ୟା ପୁଣି ଦୁବାଇ ଫେରିବାକୁ ପଡିଲା ଶାହିଦା କୁ ନେଇ । ସେଇଠି କାମ କରି ଚଳିଲି।

ଏବେ ସେଇ ଗଫୁର୍ ଚାଚା ଖବର ଦେଲା “ ତୋ ବାପ ବାଧେକା ପଡିଛି, “ଜଗାରେ, ଜଗାରେ “ ବୋଲି ଖୋଜି ହେଉଛି ତତେ , ଶେଷବେଳରେ ଦେଖିବୁ ଯଦି ଚାଲି ଆ’ । ମନ ଥୟ ହେଲାନି, ଭୟରେ ପିଲା ମାନଙ୍କୁ ନ ଆଣି ଏକା ଆସିଲି । ବାପା ର ଶେଷ ସମୟ, ଦେଖି ବହୁତ କଷ୍ଟ ଲାଗିଲା, ସାଇ ପଡିଶାଏ ଯିଏ ଯେମିତି ଟିକିଏ ତା'କୁ ଦେଖୁଥିଲେ, ମୋତେ ଦେଖି ଆଡ ଆଡ ହେଲେ । ମୁଁ ଏ ଘରେ ଥିବା ଯାଏଁ ସେମାନେ ବୁଢା ପାଖକୁ ଆଉ ଆସିବେନି ବୋଲି ସଫା ସଫା ଶୁଣେଇଦେଲେ। କ’ଣ କରିବି? ଜନ୍ମ କଲା ବାପ ସିଏ, କେମିତି ଛାଡି ଦେଇଥାନ୍ତି ତା’କୁ? ସିଏ ସିନା ରାଗଟାଗରେ ଘରୁ ବାହାର କରିଦେଲା ମୋତେ , ହେଲେ ମୁଁ ପାରିଲିନି , ଦୁଇତିନିଦିନ ଧରି ଜଗି ବସିଲି , ନିର୍ମାଲ୍ୟ ତୁଳସୀ ମାଗିଲା ,ଦେଲି , ଶେଷରେ ମୋ’ରି କୋଳରେ ଶେଷ ନିଶ୍ବାସ ନେଲା । ମୁଁ ଜାଣିଲି

ମୁଁ ଏଠି ଥିବା ଯାଏଁ, ତା’କୁ କାନ୍ଧ ଦେବାକୁ କେହି ଆସିବେନି , ତେଣୁ ଗଫୁର୍ ଚାଚା ଠୁ କାର୍ ଟି ମାଗି ଆଣି , ତା’ର ମରଶରୀରକୁ ଏକା ଏକା ନେଇ ଆସିଛି ସ୍ୱର୍ଗ ଦ୍ୱାର କୁ। ଜଗନ୍ନାଥ ଙ୍କୁ ବହୁତ ଭକ୍ତି କରୁଥିଲା ବୋଲି ମୋ ନାଆଁ ରଖିଥିଲା ଜଗନ୍ନାଥ । ଜଗା ରେ... ଜଗା ରେ ... ଡାକି ଡାକି ଚାଲିଗଲା , କାଳେ ଏଇ ସ୍ୱର୍ଗ ଦ୍ୱାର ରେ ସଂସ୍କାର ହେଲେ ସେ ମୁକ୍ତି ପାଇଯିବ, ସେଇଥିପାଇଁ ଆଣି ଆସିଛି ତା’କୁ । ମୋ କଥା ତ ଶୁଣିଲ ସମସ୍ତେ , ଏଣିକି ତୁମ ଇଚ୍ଛା । ତା’କୁ ସଂସ୍କାର କରିବ କି ନାହିଁ ତାହା ତୁମ ମାନଙ୍କ ଉପରେ ନିର୍ଭର କରେ। ତୁମେ ସଂସ୍କାର ନକଲେ ମୁଁ ଏଇଠି ନିଜେ କାଠ ଜାଳି ତା’କୁ ପୋଡିଦେଇ ,ପାଉଁଶ କୁ ମହୋଦଧିରେ ଭସାଇ ଦେବି , ଆଉ ଗାଆଁ କୁ ଫେରିଯିବି। ଗଫୁର୍ ଚାଚା ର କାର୍ ଫେରାଇ ଦେଇ ପୁଣି ଫେରିଯିବି ଦୁବାଇ । ଏଠାରେ ଆଉ ମୋ’ର କିଏ ଅଛି ଯେ ଆସିବି ? ତେଣୁ ଭାବିଛି ଘର ଖଣ୍ଡିକ ବିକ୍ରି କରିଦେଇଯିବି, ଭିଟାମାଟି ସହିତ ସଂପର୍କର ଶେଷ ସୂତାଖିଅ ଟି ଛିଣ୍ଡାଇ ଦେଇ ଚାଲିଯିବି ।

କଥା ଶେଷ କଲା ବେଳକୁ ପୁଅଟି ଆଖିରୁ ଧାର ଧାର ହୋଇ ଲୁହ ଝରି ପଡୁଥିଲା । ବ୍ରାହ୍ମଣ ଆଉ ମଡାଚଣ୍ଡିଆ ମାନେ ଶବ ସଂସ୍କାର ପାଇଁ ଆୟୋଜନ ଆରମ୍ଭ କରି ଦେଇଥିଲେ । ସମସ୍ତଙ୍କ ହୃଦୟରେ ଦରଦୀଭାବଟିଏ ଭରି ଯାଉଥିଲା। “ରାମ ନାମ ସତ୍ୟ ହୈ “ ଧ୍ବନି ରେ ପ୍ରକମ୍ପିତ ହୋଇ ଉଠୁଥିଲା ସ୍ୱର୍ଗଦ୍ୱାର ଶ୍ମଶାନ ସ୍ଥଳ ।।


Rate this content
Log in