sushama Parija

Comedy

4  

sushama Parija

Comedy

ଅଥଃ ରାମଲୀଳା ଉପାଖ୍ୟାନମ୍

ଅଥଃ ରାମଲୀଳା ଉପାଖ୍ୟାନମ୍

4 mins
278



ଖରାଦିନିଆ ଦି’ପହରଟାରେ କାହାର ଡାକ ଶୁଣି ମୋ’ର ଅଳସ ନିଦ ଭାଙ୍ଗିଲା । କବାଟ ଖୋଲି ପଶି ଆସିଲେ ଆମ ଖଞ୍ଜାର ଜଣେ ବଡ ଯାଆ ପଦ୍ମ ଅପା। ବୟସ ସତୁରୀ ପାଖାପାଖି ହୋଇଥିଲେ ମଧ୍ୟ ବେଶ୍ ଚଳଚନ୍ଚଳ ସେ । ଘରେ ହେଉ ବା ବାରିରେ .. ସବୁବେଳେ କିଛି ନା କିଛି କାମ କରୁଥାନ୍ତି ସେ।ଆଜି ତାଙ୍କର ସୁସ୍ଥିଆ ପଣିଆ, ନାଲି ଆଖି ଆଉ ନିଦ ମଳମଳ ଚେହେରା କୁ ଦେଖି ମୁଁ ପଚାରିଲି....


-- “ କ’ଣ ଦେହ ଭଲ ନାହିଁ କି ଅପା! କାହିଁକି ଶୁଖିଲା ଦିଶୁଛ ? 

-- ଆଲୋ ନାଇଁ ମ’ ! କାଲିରାତିରେ ରାମଲୀଳା ଦେଖି ଯାଇଥିଲି ତ ! ଭୋର୍ରୁ ଫେରିଲି, ଜଳଖିଆ ଖାଇ ଶୋଇପଡିଥିଲି ପରା।

-- ଆରେ, ତୋ’ର ମନେ ନାହିଁ କି ! ଆମ ଗାଆଁରେ ସବୁ ବର୍ଷରାମ ନବମୀ ପରେ ଆଠ ଦଶ ଦିନ ରାମଲୀଳା ହୁଏ। କରୋନା ମହାମାରୀ ଯୋଗୁଁ ବିଗତ ଦୁଇବର୍ଷ ଧରି ବନ୍ଦ ଥିଲା , ଏବର୍ଷ ପୁଣି ଆରମ୍ଭ ହୋଇଛି ପରା । ଆମେ ତ’ ସବୁଦିନେ ଯାଉଛୁ ଦେଖିବାକୁ। କୌତୁହଳୀ ହୋଇ ମୁଁ ଅପାଙ୍କୁ ପଚାରିଲି...

--କାଲି କେଉଁ ବିଷୟ ହେଉଥିଲା କି ?

---ଏଇ ମ’ “କର୍ଣ୍ଣ ବଧ” । 


ଗଛରୁ ପଡିଲା ଭଳି ତାଙ୍କ ମୁହଁ କୁ ଚାହିଁଲି ମୁଁ ।ରାମଲୀଳାରେ କର୍ଣ୍ଣ ବଧ ?? ମୁହଁରେ ହସିଲେ ହୁଏତ ତାଙ୍କର ଅପମାନ ହେବ ବୋଲି ପେଟରୁ ବାହାରି ଆସୁଥିବା ହସ କୁ ଦାନ୍ତ ଚାପି ତଳକୁ ମୁହଁ ପୋତିଲି। 

ଘର ଭିତରୁ ହସି ହସି ମୋ’ ଝିଅ କହିଲା “ ବାୟାଣୀ ହେଲୁ କି ବଡ ବୋଉ ! ଆ’ଲୋରାମଲୀଳାରେ କର୍ଣ୍ଣ କୁଆଡୁ ଆସିବ ? କୁମ୍ଭକର୍ଣ୍ଣ ବଧ ହୋଇଥିବ ମ’ ।

---ହଁ, ହଁ, ସେଇ ମ’ କୁମ୍ଭକର୍ଣ୍ଣ, କର୍ଣ୍ଣ କିଏ ଆଉ କୁମ୍ଭକର୍ଣ୍ଣ କିଏ ଯେ ? ଏଇ କଥା ନୁହଁ କି ? ନିଆଁଲଗାର ମନରହୁଛି କ’ଣ ?


 ତାଙ୍କର କାମ ସାରି ସେ ତାଙ୍କ ଘରକୁ ଫେରିଗଲେ ଆଉ ମୋ’ର ମନ ଫେରିଗଲା ଚାଳିଶି ବର୍ଷ ତଳକୁ...........।

ମୋ’ ଶାଶୁଘର କଟକ ସହର ଭିତରେ ହୋଇଥିଲେ ମଧ୍ୟ ଚଳଣି ସହରତଳି ଅଞ୍ଚଳ ଭଳି। ଆମର ଯୌଥପରିବାର । ଦାସ ପରିବାର ପଚିଶି ଭାଇଆ ବିରାଟ ଜମିଦାର ପରିବାର । କେବଳ ଆମରି ପରିବାର ଟି ଶିକ୍ଷିତ ଏବଂ ଅନ୍ୟ ମାନେ ସମସ୍ତେ ଧାନ ଜମି ,ଇଟାଭାଟି, ଟ୍ରକ ଟ୍ରାକ୍ଟର ନେଇ ଧନୀ।


ବହୁତ ଦିନ ତଳର କଥା , ସେତେବେଳକୁ ମୋ’ର ବଡ ଝିଅ ଟି ଚାରି ବର୍ଷର, ବଡ ପୁଅଟି ବର୍ଷ କର।ମୋ’ର ନୂଆ ନୂଆ ଚାକିରୀ । ଘର ପରିବାର,ରୋଷେଇ, ପିଲାମାନଙ୍କ ଦାୟିତ୍ଵ ସବୁ ଏକକାଳୀନ କରିବା ବଡ କଷ୍ଟ ହେଉଥିବ ଭାବି ସେଥିପାଇଁ ମୋ’ ବୋଉ ଗାଆଁରୁ ଆମ ପିଇସିର ପନ୍ଦର ଷୋହଳ ବର୍ଷର ଝିଅ ଆଶା କୁ ପଠାଇଥାଏ ମୋ’ଶାଶୁଘରକୁ । ସିଏ ମୋତେ ସବୁ କାମରେ ସାହାଯ୍ୟ କରେ ଆଉ ମୋ’ ଶାଶୁଙ୍କର ହାତ ବାରିସି ହୋଇଥାଏ। ସେତେବେଳେ ଆମ ଘରଠାରୁ ମାତ୍ର ଶହେଫୁଟ ଦୂରରେ ଥିବା ଗାଆଁ ଭାଗବତ ଘର ସାମନାରେ ପ୍ରତିବର୍ଷ ରାମଲୀଳା ହୁଏ। ମୋ’ର ମଝିଆଁ ଦିଅର ସେରାମଲୀଳାର ମୁଖ୍ୟ କାରପଟଦାର୍, ଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ଦାୟିତ୍ଵ ତାଙ୍କର ।


ଗାଆଁରେ ସମସ୍ତେ ରାମଲୀଳା ଦେଖନ୍ତି କିନ୍ତୁ ଆମ ଘରୁ କେହି ଯାଆନ୍ତି ନାହିଁରାମଲୀଳା ଦେଖିବାକୁ। ହେଲେ ଆଶାର ଭାରି ଇଚ୍ଛା ରାମଲୀଳା ଦେଖିବା ପାଇଁ । ଦିନେ ଆମେ ସବୁ ଶୋଇପଡିଲା ପରେ ଆମ ଶାଶୁଙ୍କୁ ଅନୁରୋଧ କରି ସେ ଆମ ଖଞ୍ଜାର ଯାଆ ମାନଙ୍କ ସହିତ ଗଲା ରାମଲୀଳା ଦେଖି। ସେମାନଙ୍କ ସହରାତି ଅନିଦ୍ରା ହୋଇ ଯାତ୍ରା ଦେଖି ସକାଳୁ ଫେରିଲା ଘରକୁ।


 ସକାଳୁ ସକାଳୁ ଶାଶୁ ମତେ ତାଗିଦ୍ କଲେ “ ତୁ’ ଆଶା ଉପରେ ରାଗିବୁନି, ସେ ପିଲା ଲୋକ, ତା’ ମନ ହେଲା ଯାତ୍ରା ଦେଖିବାକୁ, ସେ ମୋ’ର ଅନୁମତି ନେଇ ଯାଇଥିଲା”। ଶାଶୁଙ୍କ ଆଦେଶ ମାନି ମୁଁ ତା’କୁ ଆଉ କିଛି କହିଲିନି, ସିଏ କିନ୍ତୁ ଖୁବ୍ ଡରି ଡରି ଥାଏ , କାଳେ ଅପା ରାଗିବେ! ସବୁ କାମ ସାରି ତରତର ହୋଇ ଅଫିସ୍ ଯିବା ବେଳକୁ ତା’କୁ ପଚାରିଲି......

---” ଆରେ ଆଶା! କାଲିରାତିରେ ରାମଲୀଳା ଦେଖି ଯାଇଥିଲୁ ପରା। କ’ଣ ବିଷୟ ଥିଲା ? 

--“ସୀତା ବିବାହ “ ସେମିତି ଡରି ଡରି ସେ ଉତ୍ତର ଦେଲା। ଶାଶୁ ମୋ’ ମୁହଁ କୁ ଚାହିଁରହିଥାନ୍ତି। ମୁଁ ପୁଣି ଥରେ ପଚାରିଲି..

-- ଆଚ୍ଛା କହିଲୁ , ଶିବ ଧନୁ କିଏ ଭାଙ୍ଗିଲା ? 

ସେ କିଛି ଉତ୍ତର ନଦେଇ ତଳକୁ ମୁହଁ ପୋତି ଠିଆ ହେଲା। ତା’କୁ ସଠିକ ଉତ୍ତର ଜଣାନାହିଁ ଭାବି ମୁଁ ଅଫିସ୍ ଚାଲିଗଲି । ଅଫିସ୍ରୁ ଫେରିବା ବେଳକୁ ଆମ ଘରେ ସମସ୍ତେ ଏକ ସ୍ୱତନ୍ତ୍ରରେ କହିଲେ “ ଆଜି ଆଶା ଯାହା କଲା ନା’ ଆମେ ଦିନ ସାରା ହସି ହସି ବେଦମ୍ । ତୁ’ ବି ସେକଥା ଶୁଣିଲେ ନ ହସିରହି ପାରିବୁନି । ନଣନ୍ଦ ଏକବାର ସିରିୟସ୍ ହୋଇ କହିଲେ .. “ ଜାଣିଲ ନୂଆବୋଉ! ଏଇ ଆମ ଆଶା ମ’ ତୁମକୁ ଏତେ ଭୟ କରେ ବୋଲି ଆମେ ଜାଣିନଥିଲୁ। ଆଜି ତୁମେ ଅଫିସ୍ ଯିବା ପରେ ଲୁହ ଛଳ ଛଳଛଳ ଆଖିରେ ସେ ଆସି ବୋଉ କୁ କହିଲା .. “ ମା’ ! ମୋ’ ଆଖି ଛୁଇଁ କହୁଛି ସେ ଶିବ ଧନୁ ଟା କେଉଁଠି ଥିଲା, ତା’କୁ କିଏ କେତେବେଳେ କେମିତି ଭାଙ୍ଗିଲା ମୁଁ ମୋଟେ ଦେଖି ନାହିଁ । ଅପା ରାଗିବେ ବୋଲି ମୁଁ କିଛି ଉତ୍ତର ଦେଲିନାହିଁ, ସେ ସେମିତି ରାଗରେ ଘରୁ ବାହାରି ଗଲେ ଅଫିସ୍ । ପୁଣି ଘରକୁ ଫେରିଲେ ପଚାରିବେ ସେଇ କଥା । କି’ ଉତ୍ତର ଦେବି ଯେ ମୁଁ ! ସତ କହୁଚି ମା’ ଯଦି ଆଗରୁ ଜାଣିଥାନ୍ତି ଶିବଧନୁ ଟା କେଉଁଠି ଅଛି, ତେବେ ନିଶ୍ଚୟ ଜାଗତିଆର ହୋଇରହିଥାନ୍ତି, ପିଲାମାନଙ୍କୁ ସେଥିରେ ଲାଗିବାକୁ ଦେଇନଥାନ୍ତି, ମୋ’ରି ଅସାବଧାନତା ଯୋଗୁଁ ସିନା ଶିବଧନୁ ଟା ଭାଙ୍ଗିଦେଲେ ପିଲାଏ , ଏବେ ମୁଁ କ’ଣ କରିବି ଯେ”?? କହୁ କହୁ କଇଁ କଇଁ ହୋଇ କାନ୍ଦି ପକାଇଲା ଆଶା।


ବୋଉ ତା’କୁ କୋଳକୁ ଆଉଜେଇ ନେଇ କେତେ ବୁଝାଇଲା ତୁମେ କେଉଁ ଶିବଧନୁ କଥା କହୁଥିଲ ଆଉ ସେ ଶିବଧନୁର ସମସ୍ତ କାହାଣୀ ଶୁଣେଇଲା ତା’କୁ, ତା’ପରେ ଯାଇ ଥୟ ପଡିଲା ସେ। ଭାଗ୍ୟ ଭଲ ସେ ବୁଝିଲା, ନହେଲେ ସେମିତି ଡରିମରି ଅଖିଆ ଅପିଆ ବସିରହିଥାନ୍ତା ଦିନସାରା “। ମୁଁ ତା’ର ଅଜ୍ଞତାରେ ହସିବି କିରାଗିବି ବୁଝି ପାରୁନଥିଲି। ସିଏ ଲାଜରା ହୋଇ ବୋଉଙ୍କ ପଛପଟେ ଲୁଚିଥିଲା । କିଛିଦିନ ପରେ ଆଶା ଫେରି ଯାଇଥିଲା ଗାଆଁ କୁ । ହେଲେ ଆମ ଘରେ ସେଦିନ ଠାରୁ ଯେବେ ବି ଆଶା କରେ ପଡେ ସେଇ ଶିବଧନୁ କଥା ମନେ ପକାଇ ସମସ୍ତେ ବହି ହସନ୍ତି ।


 ଆଜି ପଦ୍ମା ଅପାଙ୍କର କଥା ମତେ ପୁଣିଥରେ ଆଶା କୁ ମନେ ପକାଇଦେଲା। ଏବେ ଆଶା ବୟସ୍କ ହୋଇଛି,ବାହାହୋଇ ଘର ସଂସାର କରିଛି। ତା’ ପୁଅଝିଅ ମାନେ ମଧ୍ୟ ବଡ ହୋଇ ବାହାସାହା ହୋଇ ଘରକରଣା କଲେଣି କିନ୍ତୁ ମୋ’ ପିଲାମାନେ ଏବେ ବି ଆଶା କୁ ଦେଖିଲେ ପଚାରନ୍ତି ...

“ ଆଶା ମାଉସୀ ! ଏବେ ଆଉ ରାମଲୀଳା ଦେଖିବାକୁ ଯାଉଛ ? ଶିବଧନୁ କିଏ ଭାଙ୍ଗିଲା ଜାଣିଲଣି କି ନାହିଁ???”

ଆଶା ତା’ ପିଲାଦିନ କଥା ମନେ ପକାଇ ମୁରୁକି ହସେ।



Rate this content
Log in

Similar oriya story from Comedy