ଋଣ
ଋଣ
ନଖିଆ ମା’ ଗୋଡ ତଳେ ଲାଗୁ ନଥିଲା , କାଲି ରାତି ପାହିଲେ ମା’ କୋଚିଳେଇ ଙ୍କ ମନ୍ଦିର ରେ ଜାମି ର ବାହାଘର । ବାପଛେଉଣ୍ଡ ଝିଅ ଟା ବୋଲି ଗାଆଁବାଲା ସମସ୍ତେ ମିଳିମିଶି ସାହାଯ୍ୟ ସହଯୋଗ କରିଛନ୍ତି ଝିଅର ବାହାଘର ପାଇଁ। ପାଖ ଗାଆଁ ର ଚାଷବନ୍ଦୀ ପରିବାରର ପୁଅ ଜନାର୍ଦ୍ଦନ । ତା’ର ବି ମାଆଟି ମରି ଯାଇଛି ଦି’ବରଷ ହେଲା । ବାପ ପୁଅ ଏକା ରାନ୍ଧିବାଢି ଖାଇପିଇ ଜମିଜମା ଦେଖିବାକୁ ହଇରାଣ ହରକତ ହେଉଥିଲେ ବୋଲି ଗାଆଁର ହରି ଅବଧାନ ଜାମି ର ପ୍ରସ୍ତାବ ଟି ଦେଇଥିଲେ।ମା’ କୋଚିଳେଇ ଙ୍କ ଦୟାରୁ ସବୁ ଠିକ୍ ଠାକ୍ ହୋଇଗଲା।ବିନା ଯୌତୁକ ରେ ବାହାଘର, ଭାଗ୍ୟରେ ଥିଲେ ମିଳେ ଏମିତି ପ୍ରସ୍ତାବ। ନଖିଆ ମା’ ଅଣ୍ଟାରେ ଲୁଗାଭିଡି ସବୁ ଗୋଟି ଗୋଟି କରି ସଜାଡି ରଖୁଛି ଝିଅ ପାଇଁ ସକାଳୁ ମଙ୍ଗନ ହାଣ୍ଡି ବସି ଦିଅଁ ମଙ୍ଗୁଳା ସରିଛି, ଦିନ ଦଶଟା ବେଳକୁ ହରି ଅବଧାନ ନସରପସର ହୋଇ ପଶିଲା ନଖିଆ ବୋଉ ର ନୂଆଁଣିଆଁ ଚାଳ ଘର ଭିତରକୁ । ସୁସ୍ଥ ଫୁସ୍ ହୋଇ କ’ଣ କହିଲା କେଜାଣି ଘର ଭିତରୁ ଶୁଭିଲା ନଖିଆ ମା’ର ବିକଳ ବାହୁନା ... “ ଆଲୋ ମୋ’ ରାଣୀ ଲୋ.. ତୋ’ କପାଳରେ ପୁଣି ଏ ଦଶା ଥିଲା କି ମୋ’ ରାଣୀ ଲୋ.. କାହାକୁ ଏବେ ତୁ’ କେମିତି ମୁହଁ ଦେଖାଇବୁ କି .. ମୋ ରାଣୀ ଲୋ..” । କାନ୍ଦଣା ଶୁଣି ଗାଆଁ ଯାକ ଲୋକ ରୁଣ୍ଡ ହେଲେ ସେଠି । କାରଣ ଜାଣିବାକୁ ବାକି ରହିଲାନି ଯେ “ ଜନାର୍ଦ୍ଦନ କହିଛି ମଟର ସାଇକେଲ୍ ନଦେଲେ ସେ ବର ହୋଇ ଆସିବ ନାହିଁ ... ସମସ୍ତେ ବୁଝାଇ ସାରିଲେଣି, କାହାରି କଥା ଶୁଣୁନାହିଁ ସେ। ଘରେ କବାଟ କିଳି ବସିଛି, ବାଧ୍ୟ କଲେ ଦଉଡି ଦେଇଦେବ କହୁଛି “। ଗାଆଁ ସାରା କୋଳାହଳ। ମନ୍ଦିର ରେ ତେଣେ ସବୁ ସଜ ହୋଇ ସାରିଛି। ଏଣେ ମଙ୍ଗୁଳା କନ୍ୟା .. । ପୁଣି ଥରେ ସମସ୍ତେ ବୁଝାଶୁଝା କଲେ ଜନାର୍ଦ୍ଦନ କୁ .. ନା’ ସବୁ ନିଷ୍ଫଳ ହେଲା । ଦିନ ଗଡି ସଞ୍ଜ ହେଲା , ସଞ୍ଜ ଗଡି ରାତି ହେଲା । ରାତି ପାହିଲେ କନ୍ୟା ବାସନ୍ଦ ହେବ ସାରା ଜୀବନ ପାଇଁ । ଘଡି କି ଘଡି ମୂର୍ଚ୍ଛା ଯାଉଛି ଜାମି , ମୁଣ୍ଡ କୋଡି କାନ୍ଦି କାନ୍ଦି ହାଲିଆ ହେଲାଣି ନଖିଆ ମା’।
ପଡୋଶୀମାନେ ବାହୁଡି ଗଲେଣି ଯେଝା ଘରକୁ। ଛପି ଛପିକା ଅନ୍ଧାର ଭିତରେ ବାଡି ପଟ ଦେଇ କାହାକୁ ପଶିବାର ଦେଖି “ କିଏ? କିଏ?”ବୋଲି ହାଉଳି ଖାଇ ଉଠିପଡିଲା। ଛାୟା ମୂର୍ତ୍ତି ଟିଏ ଧାଇଁ ଆସି ନଖିଆ ମା’ ର ପାଟି କୁ ଚାପି ଧରି ତା’ କାନ ପାଖରେ ଚୁପ୍ ଚୁପ୍ କରି କହିଲା “ ଏ ବୋଉ ! ପାଟି କରନା, ମୁଁ ନଖିଆ .. ତୋ’ ନଖିଆ ପରା...”। ଶାଢୀ ପିନ୍ଧି ଓଢଣାରେ ମୁହଁ ଢାଙ୍କିଥିବା ଛାୟାମୂର୍ତ୍ତି ଟି ମୁହଁ ରୁ ଓଢଣା ଆଡେଇ ଦେଇ ବ୍ଲାଉଜ୍ ଭିତରୁ ବିଡାଏ ଟଙ୍କା ବାହାର କରି ଗୁଞ୍ଜି ଦେଲା ନଖିଆ ମା’ ହାତରେ “ ନେ’ ପଚାଶ ହଜାର ଅଛି। ଏଇ ରାତି ଭିତରେ ଚୁପ୍ କରି ଦେଇଦେବୁ ସେ ଜନାର୍ଦ୍ଦନ କୁ। ସେ ଆସି ବାହା ହେବ ଜାମି କୁ । ମୁଁ ସିନା ମରି ମରି ବଞ୍ଚି ରହିଛି, ହେଲେ ମୋ’ ସୁନା ଭଉଣୀ “ଯମୁନା” କୁ ମଙ୍ଗୁଳା କନିଆଁ ହୋଇ ମରିବାକୁ ଦେବି ନାହିଁ । ଦଶ ବର୍ଷ କାଳ ସେ ମୋ’ ହାତରେ ବାନ୍ଧିଥିଲା। ସେଇ ରାକ୍ଷୀ ର ଋଣ ଅଛିନା’ ମୋ’ ଉପରେ। ସେଇ ଋଣ ଶୁଝିବା ପାଇଁ ଏ ଅନ୍ଧାର ରାତିରେ ମୁଁ ଲୁଚି ଲୁଚି ଆସିଛି। ତୁ’ ଭାବୁଥିବୁ ଆଠ ବର୍ଷ ହେଲା ଘର ଛାଡିଥିବା ତୋ’ର ଏ କୁଳାଙ୍ଗାର ସନ୍ତାନ ଟା ଆଜି କେମିତି ଆସିଲା ? କୋଉଠୁ ଖବର ପାଇଲା? ହେଲେ ଏତିକି ଜାଣିଥା’ ବୋଉ ! ବାପା ସିନା ମୋ’ ମୁହଁ ଚାହିଁବେନି କହି ଘରୁ ତଡି ଦେଇଥିଲେ ମୋତେ କିନ୍ତୁ ମୁଁ କେମିତି ଭୁଲିଥାନ୍ତି ତୁମ ମାନଙ୍କୁ? ତୁମ ମାନଙ୍କ ଛଡା ଏ ଦୁନିଆଁ ରେ ଆଉ କିଏ ଅଛି ଯେ ମୋ’ର ?
ସେଥିପାଇଁ ତୁମ ମାନଙ୍କ ଅଲକ୍ଷ୍ୟ ରେ ସବୁବେଳେ ତୁମମାନଙ୍କ ଖବର ଖବର ବୁଝିଥାଏ ଏଇ ଗାଆଁ ର ଜଣକ ପାଖରୁ। ତା’ରି ପାଖରୁ ବାପା ଙ୍କର ମୃତ୍ୟୁ ଖବର ପାଇଥିଲି ଆଉ ଆଜି ସେଇ ମତେ ଜାମି ର ବାହାଘର ଭାଙ୍ଗିଯିବା କଥା କହିଲା। ସବୁକଥା ଶୁଣି ଧୈର୍ଯ୍ୟ ଧରି ରହି ପାରିଲିନି ଲୋ’ ବୋଉ। ଗୋଟିଏ ବୋଲି ଭଉଣୀ ମୋ’ର , ତା’ ଜୀବନ ନର୍କ ନହେଉ ସେଇଥିପାଇଁ ସମସ୍ତଙ୍କୁ ଲୁଚି ଲୁଚି ଆସିଲି ଏ ଅନ୍ଧାର ଭିତରେ। କାଳେ କେହି ମୋତେ ଦେଖିଦେଲେ ପୁଣି ତତେ ଗଞ୍ଜଣା ଦେବେ, ଏକ ଘରିକିଆ କରିବାର ଧମକ ଦେବେ”।
କଇଁ କଇଁ ହୋଇ କାନ୍ଦି ଉଠି ଶାଢୀ ପିନ୍ଧା ନଖିଆ କୁ କୁଣ୍ଢେଇ ପକାଇଲା ନଖିଆ ମା’ । ଫୁସ୍ ଫାସ୍ କଥା ଶୁଣି ନିଦ ମଳମଳ ହୋଇ ଉଠି ଆସିଥିଲା ଜାମି । ଆଠବର୍ଷ ତଳେ ଘର ଛାଡି ଚାଲିଯାଇଥିବା ଭାଇ କୁ ଏମିତି ବେଶରେ ଦେଖି ହତଚକିତ ହୋଇ ଚାହିଁ ରହିଥିଲା। ତା’ ଆଖିରୁ ଝରୁଥିଲା ଅମାନିଆଁ ଲୁହଧାର । ନଖିଆ ତା’ ପାଖକୁ ଯାଇ ତା’ ମୁଣ୍ଡରେ ହାତ ରଖିଲା। ମାଆ କୁ କହିଲା l
ସେଦିନ ସିନା ବାପା ସାଇଭାଇଙ୍କ ଜିଗର କୁ ଡରି ଯାଇ ମୋତେ ଘରୁ ବାହାର କରି ଦେଇଥିଲେ ଆଉ ତୁ’ ଅସହାୟ ଥିଲୁ, ଚାହିଁଲେ ବି କୌଣସି ପ୍ରତିବାଦ କରି ପାରିନଥିଲୁ । ହେଲେ ଆଜି ତୁ ଅସହାୟ ନୁହଁ, ତୋ’ ପୁଅ ଅଛି ତୋ’ ପାଇଁ, ଜାମି ପାଇଁ ତା’ ଭାଇ ଅଛି । ହୋଇପାରେ ମୁଁ ଜଣେ କିନ୍ନର, ତୃତୀୟ ଲିଙ୍ଗ, ତଥାପି ସବୁ ର ଉପରେ ମୁଁ ଜଣେ ମଣିଷ ନା’ । କହିଲୁ ବୋଉ ! କିନ୍ନର ହୋଇ ଜନ୍ମ ନେବା କ’ଣ ମୋ’ ଆୟତ୍ତ ରେ ଥିଲା ? ନା’ ତୋ’ର କି ବାପାଙ୍କର ଆୟତ୍ତ ରେ ?? ତଥାପି ସେମାନଙ୍କ “ଏକ ଘରିକିଆ କରିଦେବୁ, ନିଆଁ ପାଣି ବନ୍ଦ କରିଦେବୁ” ର ଧମକ ଆଗରେ ତମେ ମୁଣ୍ଡ ନୁଆଁଇଲ। “ ପୁଅ ରେ ନୁହଁ, ବାରଶ’ ବଢେଇ ରେ ଦାୟ” କହି ଅନ୍ଧାର ରାତି ରେ ଘରୁ ବାହାର କରି କବାଟ କିଳିଦେଲ । ଥରେ ହେଲେ ବି ବାପା ଭାବିଲେନି ଯେ ପନ୍ଦର ଷୋହଳ ବର୍ଷ ର ଛୁଆଟା କୋଉଠିକି ଯିବ ? କେମିତି ବଞ୍ଚିବ ?? ଘରୁ ବାହାର କରିଦେଲେ କିଏ ତା’କୁ ଆଶ୍ରୟ ହେବ ???
ସେଦିନ ରାତିରେ କାନ୍ଦି କାନ୍ଦି ମୁଁ ବାହାରିଗଲି ଘରୁ..., ଆତ୍ମହତ୍ୟା କରିବାକୁ ସାହସ ହେଲାନି, ତେଣୁ ପାଦ ଯୁଆଡେ ନେଇଗଲା ଚାଲିଲି। କୋଉ ଦୋକାନ ପିଣ୍ଡାରେ ଶୋଇଲି, କୋଉ ଜଳଖିଆ ଦୋକାନ ରୁ ମାଗି ଖାଇଲି , ଭାବିଲି କିଛି କାମଧନ୍ଦା କରି ଚଳିବି । ହେଲେ ସେତକ ବି ଦଇବ କରାଇଦେଲାନି। ଯେଉଁଠିକି ଗଲି ସେଇ “ ମାଇଚିଆ” ଶବ୍ଦ ଭୂତ ହୋଇ ଗୋଡାଇଲା ମତେ। ଯିଏ ବି ସାହାଯ୍ୟ କଲା ତା’ର ପ୍ରତିଦାନ ମୋ’ଠୁ ଆଦାୟ କରିନେଲା । ବହୁତ କଷ୍ଟ ସହିଲି ବୋଉ। ଶେଷରେ ମୁଁ ସ୍ୱେଚ୍ଛା ରେ ବରି ନେଲି ସେଇ ବୃତ୍ତି କୁ। ସେଇ ବୃତ୍ତିରେ ଆଜି ମୁଁ ଆତ୍ମନିର୍ଭରଶୀଳ । ତୁମ ମାନଙ୍କ ପାଇଁ କିଛି କରି ପାରିଲେ ମୋ’ର ଆତ୍ମା ଶାନ୍ତି ପାଇବ। ମୁଁ ଜାଣେ ଜନାର୍ଦ୍ଦନ ଭଲପିଲା , ସେ ଜାମି କୁ ଭଲରେ ରଖିବ ଆଉ ତୋ’ତେ ମଧ୍ୟ ଦେଖିବ।ମୁଁ ଦୂରରେ ଥିଲେ ମଧ୍ୟ ନିଶ୍ଚିନ୍ତ ହୋଇ ରହିବି । ଏବେ ମୁଁ ଯାଉଛି,ଯଦି କାଳେ କିଏ ଦେଖିଦେବେ, ତୁମ ମାନଙ୍କ ଅଡୁଆ ବଢିଯିବ ..ଯାହା କହିଲି ସେଇ କଥା କରିବୁ.. ରାତି ପାହିଲା ବେଳକୁ ଜାମି ଯେମିତି ବେଦୀ ରେ ବସିଥିବ .. ବୁଝିଲୁ ।
ଥା’ ଲୋ ବୋଉ ... କହି ଅନ୍ଧାର ଭିତରେ ମିଳାଇ ଗଲା ଛାୟା ମୂର୍ତ୍ତି ଟି। ଆଖିରୁ ଲୁହ ପୋଛି ଅଣ୍ଟାରେ କାଲି ଗୁଡେଇ ଏଥର ଉଠିଲା ନଖିଆ ମା’ ଆଉ ପାଦ ବଢାଇଲା ଜନାର୍ଦ୍ଦନ ର ଘର ଆଡକୁ...... ଛାତି ଭିତରଟା କୋରି ହୋଇ ଯାଉଥିଲେ ବି ଜାମି ର ଭବିଷ୍ୟତ ପାଇଁ ତା’କୁ ଯିବାକୁ ପଡିବ ନିଶ୍ଚୟ ...l