ପ୍ରଥମ
ପ୍ରଥମ
ସେଦିନ ଟ୍ରେନ କମ୍ପାଟମେଣ୍ଟରେ ବେଶୀ ଲୋକ ନ ଥାନ୍ତି। ମନୋଜବାବୁ ନିଜ ସିଟରେ ଏକୁଟିଆ। ବ୍ୟାଗରୁ ଖବରକାଗଜଟା କାଢି ତାକୁ ପଢିବା ପାଇଁ ଖୋଲିିଛନ୍ତି କି ନାହିଁ ତାଙ୍କ ସାମ୍ନା ସିଟରେ ଲମ୍ବା ଚଉଡା ହେଇ ଜିନ୍ସ ପିନ୍ଧା ଟୋକାଟିଏ ଆସି ବସିଗଲା। ଆଖିରେ କଳା ଚଷମା। ଗୋଡ଼ରେ ସ୍ପୋର୍ଟସଜୋତା। ହାତରେ ଷ୍ଟାଇଲିଆ ଘଣ୍ଟା।
ପିଲାଟି ନିଜ ଏଆରବ୍ୟାଗଟିକୁ ସିଟତଳକୁ ଠେଲିଦେଲା। ଆଖିରୁ ଚଷମାଟି ଖୋଲି ପକେଟରେ ରଖିଲା ଆଉ ମନୋଜ ବାବୁଙ୍କୁ ଦେଖି ହାଲକା କିନି ହସିଲା। ମନୋଜ ବାବୁ ବି ତାକୁ ଦେଖି ହସିଦେଲେ। କହିଲା ପିଲାଟି, "ମୁଁ ସବୁବେଳେ ଫ୍ଲାଇଟରେ ଯାଏ। ଏଥର ଟିକେଟ ମିଳିଲାନି। ବାଧ୍ୟ ହେଇ ମୁଁ ଟ୍ରେନରେ ଯାଉଛି।" ମନୋଜ ବାବୁ ହସିଦେଲେ ଆଉ ସବୁ ବୁଝିଲାଭଳି ମୁଣ୍ଡ ହଲେଇଲେ।
ଗୋଟାଏ ମିନିଟପରେ ମନୋଜବାବୁଙ୍କ ଫୋନଟା ବାଜିଉଠିଲା। ସେ ପକେଟରୁ୍ ମୋବାଇଲଟା କାଢିଲେ। ଦେଖିଲେ ଝିଅ ସ୍ୱାତୀ। ଫୋନ୍ ଉଠେଇ କହିଲେ, "ହଁ ରେ ମା, କହ। କେତେବେଳେ ବାହାରୁଛୁ?" ସେପଟ ଉତ୍ତର ଶୁଣିସାରି ମନୋଜ ବାବୁ କହିଲେ, "ତୁ ତ ମୋର ସାହସୀ ଝିଅଟା। ମୋର କିଛି ଡର ନାହିଁ।" ତାପରେ କିଛି ସମୟ ଚୁପରହି ସେ ସ୍ୱାତୀର କଥା ଶୁଣିଲେ। ତାପରେ ଉତ୍ତର ଦେଲେ, "ସେଇଟା ତ ହଉଛି ସବୁଠୁ ମହତ୍ୱପୂର୍ଣ୍ଣ ମୁହୁର୍ତ୍ତରେ ମା। ପ୍ରଥମ ! ସବୁ ପ୍ରଥମର ଗୋଟିଏ ଅଲଗା ବିଶେଷତ୍ୱ ଥାଏ। ତୁ ଏଇ ପ୍ରଥମ ମୁହୁର୍ତ୍ତଟିକି କେବେ ବି ଭୁଲିବୁନି।" ତାପରେ ସ୍ୱାତୀ ବୋଧେ କିଛି କହିଲା। ଏପଟୁ ମନୋଜବାବୁ କହିଲେ, "ଏଇ ତ ମାତ୍ର ଆରମ୍ଭ ହେଲା। ତୁ ତ ଜନ୍ମ ହିଁ ହେଇଚୁ ଉଡିବାପାଇଁ। ଆଚ୍ଛା ହଉ ଶୁଣେ। ନେଟୱର୍କ ବୋଧେ ଖରାପ ଅଛି। ମତେ କିଛି ଭଲରେ ଶୁଭୁନି। ମୁଁ ଆଉ କିଛି ସମୟପରେ ତତେ କଲ କରୁଛି।" ଏତିକି କହି ମନୋଜବାବୁ ଫୋନ୍ ରଖିଦେଲେ। ସାମ୍ନାରେ ବସିଥିବା ପୁଅଟି ତାଙ୍କୁ ଚାହିଁ ରହିଥିଲା।
ପୁଅଟିକୁ ଦେଖି ହସିଦେଇ ମନୋଜ ବାବୁ କହିଲେ, "ମୋ ଝିଅ କରିଥିଲା। ପ୍ରଥମ ଫ୍ଲାଇଟ ତାର। ମୁହଁରେ ନ କହିଲେ ବି ଭିତରେ ଭିତରେ ମୋର ଡର। ହେଲେ ତାକୁ କିଛି କହିଲିନି।" "ଓହୋଃ!" ପିଲାଟି ହସିଲା। କହିଲା, "ଆପଣ ବି ନା ଅଙ୍କଲ! ଆଜିକାଲି ଜନ୍ମହେଲା ଛୁଆଗୁଡା ବି ଫ୍ଲାଇଟରେ ଯାଉଛନ୍ତି। ଇଏ ଗୋଟେ କି ବଡ କଥା। ଏଥିରେ ଏତେ ବ୍ୟସ୍ତ ହବାର କଣ ଅଛି? ଆଉ କିଛି ଭାବିବେନି କିନ୍ତୁ ଆପଣମାନେ ଏତେ ଗେହ୍ଲା କରିଛନ୍ତି ବୋଲି ଆଜିକାଲି ଝିଅଗୁଡା ଏତେ ଡରୁଆ ହେଇଯାଉଛନ୍ତି। ସବୁବେଳେ ଅଜବ ଷ୍ଟାଇଲ ତାଙ୍କର। ଅସରପା ଦେଖିଲେ ଡେଇଁବେ, ଝିଟିପିଟି ଦେଖିଲେ କାନ୍ଦିବେ, ରକ୍ତ ଦେଖିଲେ ମୂର୍ଚ୍ଛା ହେଇଯିବେ, ଫ୍ଲାଇଟରେ ଗଲେ ହନୁମାନ ଚାଳିଶା ଗାଇବେ। ଇଟ ଇଜ ସୋ ରିଡିକ୍ୟୁଲସ। ଆଜିକାଲିକା ଝିଅ ଚନ୍ଦ୍ରକୁ ଗଲେଣି। ଆଉ ଆପଣଙ୍କ ଝିଅ ଫ୍ଲାଇଟରେ ଉଡିବ ଯେ ଆପଣ ଏତେ ବ୍ୟସ୍ତ। ଜଷ୍ଟ ଟେକ୍ ଇଟ ଇଜି।" ତା' କଥା ଶୁଣି ମନୋଜବାବୁ ଉତ୍ତର ଦେଲେ, "ବାପାରେ, ଝିଅ ମୋର ଉଡିବନି। ଉଡ଼େଇବ। ଏତେ ବର୍ଷର ଅଭିଜ୍ଞତା ପରେ ଆଜି ଆସିଷ୍ଟାଣ୍ଟ ପାଇଲଟ ହେଇ ତା'ର ପ୍ରଥମ ଫ୍ଲାଇଟ ଉଡ଼େଇବ ସେ। ଆଉ ଚାରିଘଣ୍ଟା ପରେ ଫ୍ଲାଇଟ ତା'ର।" ଏତିକି କହି ମନୋଜବାବୁ ପିଲାଟିକୁ ଚାହିଁ ହସିଲେ। ଆଉ ପ୍ରତି ବଦଳରେ ପିଲାଟି ତା' ମୁହଁରେ ଯେଉଁ ଭଙ୍ଗୀଟି କଲା ସେଇଟା ଯେ ତା'ର ହସ ଥିଲା ନା କାନ୍ଦ ଥିଲା ସେଇଟା ଆଜିଯାଏଁ ମନୋଜବାବୁ ଠଉରେଇ ପାରିନାହାନ୍ତି !