ପିକନିକ୍
ପିକନିକ୍
ସ୍କୁଲରେ ମିସ୍ ରଚନା ଲେଖିବାକୁ ଦେଲେ ନୂଆବର୍ଷ ପିକନିକ୍ ଉପରେ। "କଣ ଲେଖିବି କଣ ଲେଖିବି??" ଶୁଭମ ଭାବିବାକୁ ଲାଗିଲା। ତା'ପରେ କିଛି ସମୟ ରହି ସେ ଲେଖିବା ଆରମ୍ଭ କଲା।
"ଏଥର ନୂଆବର୍ଷରେ ଆମେ ଚନ୍ଦ୍ରଭାଗା ସମୁଦ୍ରକୂଳକୁ ପିକନିକ୍ କରିବାକୁ ଯାଇଥିଲୁ। ଗଲାବେଳକୁ ଆମେ ସମସ୍ତେ ନିଜ ନିଜ କାରରେ ଯାଇଥିଲୁ। ମତେ ମୋ ସାଙ୍ଗ ରାହୁଲ ଆଉ ଶ୍ରେୟା ସାଙ୍ଗରେ ମିଶିକି ଯିବାକୁ ଇଚ୍ଛା ଥିଲା। କିନ୍ତୁ ଡାଡି କହିଲେ ନିଜ ଗାଡ଼ିରେ ଗଲେ ସୁବିଧା।
ଡାଡି ଗାଡି ଡ୍ରାଇଭ କରୁଥିଲେ। ମମି ତାଙ୍କ ଫୋନରେ କଣ ଇଣ୍ଟରନେଟ ଆସୁନଥିଲା ବୋଲି ବହୁତ ବ୍ୟସ୍ତ ଥିଲେ। ରାଗି ଯାଉଥିଲେ ଟିକକୁ ଟିକେ। କିଛି ସମୟପରେ ମମିର ଫୋନରେ ନେଟ ପୁରା ଫୁଲ ସ୍ପିଡ଼ରେ ଆସିଗଲା। ଆଉ ତାପରେ ମମିର ହାତ ବି ପୁରା ଫୁଲ ସ୍ପିଡରେ ଚାଲିଲା। ନେଟ ଆସିବାପରେ ମମି ସମସ୍ତଙ୍କ ସାଙ୍ଗେ ହସିହସି କଥାବାର୍ତ୍ତା କଲେ। ଆଉ ରାଗିଲେନି।
ଘଣ୍ଟାଏ ପରେ ଆମେ ଆମ ପିକନିକ୍ ଜାଗାରେ ପହଞ୍ଚିଲୁ। ସେଠି ପହଞ୍ଚିଲା ବେଳକୁ କୁକ୍ ଅଙ୍କଲ ତାଙ୍କ ସାଙ୍ଗମାନଙ୍କୁ ନେଇ ଆଗରୁ ପହଞ୍ଚି ଯାଇଥିଲେ। ସବୁ ଅଙ୍କଲ ଆଣ୍ଟି ବି ପହଞ୍ଚିଲେ ଧୀରେଧୀରେ। ରାହୁଲ ଆଉ ଶ୍ରେୟା ବି ପହଞ୍ଚିଗଲେ।
ସେଠି ପହଞ୍ଚି ଡାଡି, ମମି ଆଉ ଅଙ୍କଲ ଆଣ୍ଟିସବୁ ମିଶି ବାଲି ଉପରେ ଚାଦର ପାରିଦେଲେ। ତାପରେ ଦୀପକ ଅଙ୍କଲ ସେଠି ଜୋରରେ ଗୀତ ଲଗେଇ ଦେଲେ। ମୀରା ଆଣ୍ଟି ଆମ ଛୁଆମାନଙ୍କୁ ନାଚିବା ପାଇଁ କହିଲେ। ଆମେ ନାଚିବା ଆରମ୍ଭ କଲୁ। ଡାଡି ମମି ଅଙ୍କଲ ଆଣ୍ଟି ସମସ୍ତେ ଆମ ନାଚର ଫଟୋ ଉଠେଇନେଲେ ତାଙ୍କ ଫୋନରେ। କିନ୍ତୁ ତା'ପରେ ଆମ ନାଚ ଦେଖିବା ପାଇଁ ତାଙ୍କର ଆଉ ଇଚ୍ଛା ନଥିଲା। ସମସ୍ତେ ନିଜ ନିଜ ଫୋନକୁ ଟିପିବାରେ ବ୍ୟସ୍ତ ଥିଲେ।
କିଛି ସମୟପରେ ଆମେ ସମସ୍ତେ ସମୁଦ୍ରକୂଳକୁ ଗଲୁ। ସେଠି ସବୁ ପୁଣିଥରେ ଫଟୋ ଉଠେଇଲେ। ଶିଲା ଆଣ୍ଟି କହୁଥିଲେ ସେଗୁଡା ଜଲଦି ଫେସବୁକରେ ପକେଇବା ପାଇଁ। ମୀରା ଆଣ୍ଟି କହିଲେ କି ସବୁ ଫଟୋଗୁଡା ସେ କୁଆଡେ ଫେସବୁକରେ ପକେଇ ସାରିଲେଣି। କିନ୍ତୁ କିଛି ଲାଇକ୍ ଆଉ କମେଣ୍ଟ ଆସିନି। ଶିଲା ଆଣ୍ଟି ବ୍ୟସ୍ତ ହେଇ ତାଙ୍କ ସାଙ୍ଗକୁ ଫୋନ୍ କଲେ ଆଉ କହିଲେ ଜଲଦି ଫେସବୁକରେ ଫଟୋ ଦେଖି ଲାଇକ୍ ଆଉ କମେଣ୍ଟ କରିବା ପାଇଁ। ମୁଁ ଜାଣି ପାରିଲିନି ସେ କମେଣ୍ଟ କରିବାକୁ କାଇଁ କହିଲେ। ମମି କୁହନ୍ତି କମେଣ୍ଟ ମାରିବା ପରା ଖରାପ କଥା। ତାହେଲେ ଶିଲା ଆଣ୍ଟି କମେଣ୍ଟ ଶୁଣିବାକୁ ଏତେ ବିକଳ କାହିଁକି?
ଆମେ ସେଇଠି ଫଟୋ ଉଠାଉଠି ହଉଛୁ ସେତେବେଳକୁ ସମୀର ଅଙ୍କଲଙ୍କର ଫୋନଟା ହଠାତ୍ ପାଣିରେ ପଡିଗଲା। ଅଙ୍କଲ ପୁରା ମାଙ୍କଡଭଳି ଡିଆଁଟେ ମାରିଲେ ପାଣି ଭିତରକୁ। ତାଙ୍କ ଫୋନ୍ ମିଳିଗଲା। ହେଲେ ଫୋନ୍ ଭିତରେ କୁଆଡେ ପାଣି ପଶିଯାଇଥିଲା। ସମୀର ଅଙ୍କଲ ପୁରା ଛୁଆଟେ ଭଳି କାନ୍ଦିବାକୁ ଲାଗିଲେ। ଏମିତି ତ ମୁଁ ବି ମୋ ଖେଳନା ଭାଙ୍ଗିଗଲେ କାନ୍ଦେନି। ଡାଡି ଆଉ ଅନ୍ୟ ଅଙ୍କଲମାନେ ତାଙ୍କୁ ବୁଝେଇବାରେ ଲାଗିଲେ। ତା'ପରେ ଆମେ ସବୁ ପୁଣି ଆମ ବସିଥିବା ଜାଗାକୁ ଫେରି ଆସିଲୁ।
କିଛିସମୟ ପରେ ଆମେ ପିଲାମାନେ ସେଠି ଖେଳିବୁ ବୋଲି କହିଲୁ। କିନ୍ତୁ ବଡ଼ଲୋକମାନେ କହିଲେ ସେମାନେ ଆମ ଉପରେ ନଜର ରଖିପାରିବେନି। ଆମେ କୁଆଡେ ପାଣିକୁ ଚାଲିଯିବୁ। ସେଥିପାଇଁ ସେମାନେ ଆମକୁ ଗୋଟେ ଟାବଲେଟରେ ଟମ ଏଣ୍ଡ ଜେରୀ ଲଗେଇ ଦେଇଦେଲେ। ଆମେ ଛୁଆମାନେ ସେଠି ଖାଇବା ତିଆରି ହବାଯାଏଁ ଟମ ଏଣ୍ଡ ଜେରୀ ଦେଖିଲୁ। ମୁଁ ତ ଘରେ ବି ସବୁଦିନ ଟମ ଏଣ୍ଡ ଜେରୀ ଦେଖେ। ସେଇଟା ଦେଖିବା ପାଇଁ ମତେ ଏତେ ଦୂର ଯିବା କଣ ଦରକାର ଥିଲା ଯେ??
ଖାଇବା ବଢ଼ାହେଲା ପରେ ସବୁ ବଡ଼ଲୋକ ନିଜ ନିଜ ଫୋନରେ ଖାଇବା ଜିନିଷଗୁଡାର ଫଟୋ ଉଠେଇଲେ। ଡାଡି କହୁଥିଲେ ସେ କୁଆଡେ ସେ ଫଟୋଗୁଡା ତାଙ୍କ ହ୍ବାଟସ୍ଏପ ଗ୍ରୁପରେ ପକେଇଛନ୍ତି। ଡାଡି ମମି ଆଉ ସବୁ ଅଙ୍କଲ ଆଣ୍ଟି ଡାହାଣ ହାତରେ ଖାଉଥିଲେ ଆଉ ବାଁ ହାତରେ ନିଜ ନିଜ ଫୋନ ଧରି ସେଥିରେ କଣ ସବୁ ଦେଖିଦେଖି ହସୁଥିଲେ। କିଛି ସମୟପରେ ସମସ୍ତଙ୍କ ଖାଇବା ସରିଲା। ଆମ ଜିନିଷସବୁ ପୁଣି ବନ୍ଧାବନ୍ଧି ହେଲା।
ସବୁ ବଡ଼ଲୋକମାନେ କହୁଥିଲେ ଏଇଟା କୁଆଡେ ବହୁତ ବଢିଆ ପିକନିକ ହେଲା। ଖାଲି ସମୀର ଅଙ୍କଲ ଗୋଟେ ଜାଗାରେ ମନଦୁଃଖରେ ବସିଥିଲେ। ସମସ୍ତେ କଥା ହଉଥିଲେ ପୁଣି ଆଉଥରେ କେବେ ଏଇ ଭଳିଆ ପ୍ଲାନ କରିବେ ପିକନିକ। ମୁଁ କିନ୍ତୁ ଭାବିଦେଇଛି ମୁଁ ଆଉ କେବେ ବି ପିକନିକ ଆସିଲେ ମୋ ବ୍ୟାଟ ଆଉ ବଲ ବୋହିକି ନେବିନି।"
ସୁଲଗ୍ନା ମହାନ୍ତି
