STORYMIRROR

Sulagna Mohanty

Inspirational Others

3  

Sulagna Mohanty

Inspirational Others

ପ୍ରସ୍ତୁତି

ପ୍ରସ୍ତୁତି

2 mins
28.2K


ବହୁତ ଦିନହେଲା ବଡକାମଟିଏ ବାକି ରହି ଯାଇଥିଲା। ଆଜି ମହରମ ପାଇଁ ସ୍କୁଲ ଛୁଟି ମୋର। ଭାବିଲି କାମଟି ସାରିଦେବି। ଝିଅର ଓଡିଶୀ ନୃତ୍ୟଶିକ୍ଷା କେନ୍ଦ୍ରରେ ଆଡ଼ମିଶନ। ବାହାହବା ଯାଏଁ ଓଡିଶୀ ନାଚିବା ଜାରି ରହିଥିଲା ମୋର। ହେଲେ ବାହାଘର ପରେ ଘର ସଂସାର ଚାକିରୀ ପରିବାର ହେଇ ଆଉ ନାଚ ମନେ ପଡିନଥିଲା। କିନ୍ତୁ ଯା’ହଉ କୁନି ଝିଅଟି ମୋର କଳା ଟିକକ ଆଣିଥିଲା। ଦୁଇବର୍ଷରୁ ଟିଭିରେ ଗୀତ ଶୁଣିବାମାତ୍ରେ ହାତଗୋଡ ହଲେଇ ନାଚିବା ଆରମ୍ଭ କରିଦେଉଥିଲା। ସ୍ୱାମୀ ତା’ ନାଚ ଦେଖି ହସିହସି ମନ୍ତବ୍ୟ ଦେଉଥିଲେ, “ଘରେ ଆଉ ଗୋଟିଏ ନୃତ୍ୟଶିଳ୍ପୀର ଆବିର୍ଭାବ।” ଝିଅ ଟିକିଏ ବଡ ହେଲାପରେ ମୁଁ ତାକୁ ନାଚ ଶିଖିବାକୁ ପଠେଇବାକୁ ଭାବୁଥିଲି। ହେଲେ ସ୍ୱାମୀ ଦିନେ ଆସି କହିଲେ ଝିଅକୁ କରାଟେ କ୍ଲାସ ପଠେଇବେ। “କରାଟେ?? ଅଣ୍ଡିରୀ ଚଣ୍ଡି ହବ ନା କଣ??!!” ମୁଁ ମନେ ମନେ ଭାବିଲି। ହେଲେ ସ୍ଵାମୀଙ୍କୁ ମୁହଁ ଖୋଲି ଏ କଥା କହିପାରିଲିନିି। ତେଣୁ କହିଲି, “ଏତେ ଛୋଟ ଛୁଆ!! ଏତେ ଜିନିଷ କେମିତି ଶିଖିବ?? ଏବେ ନାଚ ପାଇଁ ଯାଉ।ଟିକେ ବଡ ହେଲାପରେ ଆଉ ଯାହା ଶିଖିବା କଥା ଶିଖିବ।”

ଆଜି ଯେହେତୁ ମୋର ଆଉ ଝିଅର ଛୁଟି ଥିଲା ମୁଁ ସମୟ ନଷ୍ଟ ନ କରି ସ୍କୁଟି କାଢ଼ିଲି ଆଉ ଝିଅକୁ ନେଇ ବାହାରିଗଲି ରାଜ୍ୟ ଓଡ଼ିଶୀ ନୃତ୍ୟଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ରକୁ। ଠିକଣା ଜାଗାକୁ ପହଞ୍ଚିବାକୁ ଆଉ ଟିକିଏ ବାଟ ରହିଛି, ଦେଖିଲି ରାସ୍ତାରେ ପ୍ରବଳ ଭିଡ଼। କଲେଜପଢୁଆ ପିଲାଙ୍କର ଗୋଟିଏ ବଡ ଶୋଭାଯାତ୍ରା। ଛାତ୍ରଛାତ୍ରୀଙ୍କ ସହ ବହୁତ ଚାକିରିଆ ବାକିରିଆ ବି ସେଇ ରାଲିରେ।ପ୍ଲାକାର୍ଡ ସବୁ ହାତରେ ଧରିଛନ୍ତି। ଲେଖାହେଇଚି “ନାବାଳିକା ସ୍କୁଲଛାତ୍ରୀ ଗଣଦୁଷ୍କର୍ମ ବିରୁଦ୍ଧରେ ଓଡ଼ିଶା ଗଣସମାଜର ପଦଯାତ୍ରା”। ମନେ ପଡିଗଲା ପାଞ୍ଚଦିନତଳର ଲୋମହର୍ଷଣକାରୀ ଘଟଣା। ସ୍କୁଲ ଭିତରେ ଛ’ବର୍ଷର ଶିଶୁକନ୍ୟାକୁ ତା’ରି ଦୁଇଜଣ ଶିକ୍ଷକଙ୍କ ଦ୍ୱାରା ଗଣବଳାତ୍କାର!! ଲୋକମାନେ ରାଗିକି ଥିଲେ। ସ୍କୁଲ ବିରୁଦ୍ଧରେ, ସରକାର ବିରୁଦ୍ଧରେ ନାରାବାଜି ଚାଲିଥିଲା। ସାଢ଼େପାଞ୍ଚ ବର୍ଷର ଝିଅ ମୋର ସ୍କୁଟିରେ ମତେ କୁଣ୍ଢେଇକି ଧରି ବସିଥିଲା। “କେତେ ସମୟ ସେ ମତେ ଏମିତି କୁଣ୍ଢେଇକି ରହିବ?? କେତେ ଦିନ ମୁଁ ତାକୁ ସବୁ ବିପଦରୁ ଢାଙ୍କି ରଖିଥିବି?? ସରକାର ସବୁ ପଦକ୍ଷେପ ନେଉଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ବି କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିବେ ଏମିତି ଅଭାବନୀୟ କାଣ୍ଡଟିଏ ଘଟିଯିବ ବୋଲି। ତଥାପି ଘଟିଗଲା!! ଦିନ ଦ୍ବିପହରରେ!!

ଭାଗ୍ୟବାଦୀ ହେଇ ଭାଗ୍ୟକୁ ନିନ୍ଦିବା ବହୁତ ସହଜ ହେଲେ ମା’ ହିସାବରେ ମୋ ଦାୟିତ୍ୱ କ’ଣ ଏଠି?? ସେଇଦିନ ଘରକୁ ଫେରିଲାବେଳକୁ ମୋ ବ୍ୟାଗରେ ଦୁଇଟି ଆଡମିଶନ ରସିଦ ପଡିଥିଲା। ଗୋଟାଏ ନାଚ ସ୍କୁଲର, ଆଉ ଗୋଟାଏ କରାଟେ କ୍ଲାସର। କୁନି ଝିଅଟିକୁ ମୋର ଦୁଇଟିଯାକ ଜିନିଷ ଶିଖିବା ନିହାତି କଷ୍ଟ ହବ। ହେଲେ ମୁଁ ତାକୁ ବୁଝେଇଦେବି ଯେଉଁ ହାତରେ ସେ ଓଡ଼ିଶୀ ନାଚର କୋମଳ ଅଙ୍ଗଭଙ୍ଗୀ କରିବ, ସେଇ ହାତରେ ସେ ଜୁଡୋ କରାଟେର କଠୋର ପ୍ରହାର ବି କରିବ। ମୁଁ ତାକୁ ବୁଝେଇଦେବି ଗୋଟିଏ ଅନିଶ୍ଚିତ ଭବିଷ୍ୟତକୁ ଝିଅଟିଏ ହେଇ ସାମ୍ନା କରିବାକୁ ହେଲେ ତାକୁ ଏବେଠାରୁ ଏମିତି କଷ୍ଟ କରିବାକୁ ହେବ, ବହୁତ କଷ୍ଟ!! ମା’ ହାତ ଛାଡି ଏକୁଟିଆ ତାକୁ ଚାଲିବାକୁ ହେବ, ବିନା ଡରରେ, ବିନା ଭୟରେ, ଆଲୁଅରେ, ଆଉ ଅନ୍ଧାରରେ!!!!

By Sulagna Mohanty


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational