କ୍ଷୀରି
କ୍ଷୀରି
ସେଦିନ ସକାଳୁ ତରତର ହେଇ ଉଠିଲି। ପୁଅର ଜନ୍ମଦିନ ଥିଲା। ଘରେ ବହୁତ କାମ। ଯେତେଶିଘ୍ର ପାରେ କାମଗୁଡା ସାରିବାକୁ ଚେଷ୍ଟା କରୁଥାଏ। ସନ୍ଧ୍ୟାରେ ସତ୍ୟନାରାୟଣ ପୂଜା ହବ। ରାତିକୁ ପୁଣି ପୁଅର ସାଙ୍ଗମାନେ ଆସିବେ। ମହମବତୀ ଫୁଙ୍କି କେକ୍ କଟାହବ। ଓଡ଼ିଆ ଇଂରାଜୀ ସବୁର ସମିଶ୍ରଣ ଏବେ ଆମ ଘରେ। ସତ୍ୟନାରାୟଣ ପୂଜା ପାଇଁ ସବୁ ଜିନିଷ ସେଇ ସକାଳୁ ହିଁ ସଜାଡି କି ରଖିଦେଲି। ପିଠା ପାଇଁ ସବୁ ବଟାବଟି ସରିଗଲା। ଖାଲି ଯାହା ରହିଲା କ୍ଷୀରିଟା ବସେଇବା। ଠିକା ଚାକରାଣୀ ମିନି ସକାଳୁ ସକାଳୁ ହିଁ ଆସି ଘରେ ପହଞ୍ଚି ଯାଇଥିଲା। ଦୁଇଦିନ ଆଗରୁ ତାକୁ କହିକି ରଖିଥିଲି। ଭାରି କାମିକା। ଭାରି ବିଶ୍ୱାସୀ। ସବୁ ଜିନିଷ ପାଖକୁ ଯୋଗେଇଦେଲା ସେ। ସେ ନ ଆସିଲେ ମୋ ଘରକାମ ଯେ ଅଚଳ। ଆଗ ପିଠା କାମଟା ସାରିଦେଲି। ପିଠାଗୁଡିକୁ ହଟକେଶ ଭିତରେ ପୁରେଇଦେଲି। ଶେଷରେ କ୍ଷୀରିଟା ବସେଇଦେଲି ଗ୍ୟାସଚୁଲିରେ। କ୍ଷୀରିଟା ହେଇଗଲେ ପୂଜା ହବ। ପୁଅର ପୂଜା ହେଲାପରେ ସମସ୍ତେ କ୍ଷୀରି ଚାଖିଲେ। ବହୁତ ଭଲ ହେଇଥିଲା ବୋଲି ସବୁ କହିଲେ। ସମସ୍ତଙ୍କୁ ଦେଇ, ସମସ୍ତଙ୍କୁ ଖୁଆଇ, ଆହୁରି କଂସାଏ କ୍ଷୀରି ବଳିଯାଇଥିଲା। ମିନି କାମସାରି ଚାଲିଗଲା ବେଳକୁ ମୁଁ କୋଉ ଗୋଟିଏ କାମରେ ବ୍ୟସ୍ତଥାଏ। ତାକୁ ଆଉ କିଛି ଦେଇପାରିଲିନି।
ସେଦିନ ଦିପହର ରୋଷେଇଘର ସଫା କରୁକରୁ ଶାଶୁଙ୍କୁ କହିଲି, "ମା, ମିନିକୁ ଦେବା କ୍ଷୀରି ଟିକିଏ। ଘରେ ତାର କୁନି ଝିଅଟେ। ମନ କରିଥିବ ସେ।" ଶାଶୁ ମତେ ଚାହିଁ କହିଲେ, "ହଁ ହଁ, କାଲି ସକାଳୁ ଦେଇ ଦେଉନୁ ତାକୁ କ୍ଷୀରି”। ଜେଜେମା ସେଇ ରୋଷେଇଘର ପାଖରେ ବସି ଖେଳଉଥିଲେ ମୋ ପୁଅକୁ। ଘରର ମୁରବୀ ସେ। ଆମ ଶାଶୁବୋହୂଙ୍କ କଥା ଶୁଣି ଖିଙ୍କାରି ଉଠିଲେ, “ରହ ମ ! ଆଉ କିଏ କ୍ଷୀରି ଖୋଜିବ। ଘରଲୋକ କିଏ ଖାଇବି କହିବ କେତେବେଳେ। କହିଲା କଣ ନା, ଚାକରାଣୀକୁ ଦେଇଦେବ। ଆଗ ମୋ ପିଲା ସବୁ ଖାଆନ୍ତୁ। ତାପରେ ଯାହାକୁ ଯାହା ଦବ କଥା ଦବୁ। ” ମୁଁ ତାଙ୍କ କଥା ଶୁଣି ଚୁପ୍ ରହିଗଲି ।
ଛଅଦିନ ଯାଏଁ କ୍ଷୀରି ସେମିତି ଫ୍ରିଜ୍ରେ ରହିଲା । କେହି ଖୋଜିଲେନି। କେହି ଲୋଡିଲେନି। ସାତ ଦିନକୁ ଜେଜେମା କହିଲେ, “ଆଲୋ! ତୁ ମିନିକୁ କ୍ଷୀରି ଦବୁ କହୁଥିଲୁ ପରା । ଦେଇ ଦେ ସେଗୁଡା ଆଜି ତାକୁ।” “ମିନିକୁ ଦେବି? ଏଇ ସପ୍ତାହେ ବାସି କ୍ଷୀରିଗୁଡା ? ଏଗୁଡା କଣ ଆଉ ଖାଇବା ଅବସ୍ଥାରେ ଅଛି?” ଭାବିଲି ଜେଜେମାଙ୍କୁ ଏଇ କଥାଟି ପଚାରିବି । ହେଲେ ତା ପରର ମହାଭାରତକୁ ମନେ ମନେ କଳନା କରିନେଇ ଚୁପ୍ ରହିଲି ମୁଁ । ଠିକ ସେତେବେଳକୁ କଲିଂବେଲ୍ ବାଜିଉଠିଲା । ଜେଜେମା ମତେଦେଖି କହିଲେ, “ହେଇ ଦେଖ୍ ଲୋ, ମିନି ଆସିଲାଣି । ଯା ଯା, ସେ କ୍ଷୀରିଗୁଡା ଦେଇ କାମ ସାରିଦେ ଆଜି।” ମୁଁ ଦଉଡିଯାଇ କବାଟଟି ଖୋଲିଲି । ସାମ୍ନାରେ ମିନି ହସହସ ମୁଁହରେ ଠିଆ ହେଇଥାଏ । ହାତରେ ବଡ ଟିଫିନ୍ ଡବାଟିଏ । ମତେ ଦେଖି ମୁହଁରେ ହସ ଫୁଟେଇ କହିଲା, “ଭାଉଜ, ଆଜି ମୋ ଝିଅର ଜନ୍ମଦିନ । କ୍ଷୀରି ବନେଇ ଥିଲି । ଭାବିଲି ସମସ୍ତଙ୍କ ପାଇଁ ନେଇ ଆସିବି । ଖାଇକି କହିଲ, କେମିତି ହେଇଛି?” ମୁଁ ଅପଲକ ଆଖିରେ ମିନିର ମୁହଁକୁ ଚାହିଁଥିଲି। ବଡଘରେ ରହୁଥିବା ଆମ ଛୋଟ ଛୋଟ ମନକୁ ତା ସଜ କ୍ଷୀରି ଶକ୍ତ ଚାପୁଡାଟେ ମାରିଥିଲା ।
ସୁଲଗ୍ନା ମହାନ୍ତି