Sulagna Mohanty

Inspirational Drama

4.2  

Sulagna Mohanty

Inspirational Drama

ନାଲିଚୁଡା

ନାଲିଚୁଡା

3 mins
7.4K


ଶଶୁରଙ୍କ ମର୍ଣ୍ଣିଙ୍ଗ ୱାକରୁ ଫେରିବା ସମୟ ହେଇଯାଇଥାଏ। ୱାକରୁ ଫେରି ସିଧା ସେ ପଶନ୍ତି ଗାଧୁଆଘରେ। ଗାଧୁଆପାଧୁଆ ସାରି ଘଣ୍ଟାଏ ଠାକୁରପୂଜା କରନ୍ତି। ତାପରେ ଜଳଖିଆ ଖାଇ ସିଧା ବାହାରନ୍ତି ଅଫିସକୁ। ବାହାଘର ପରଠୁ ଦେଖୁଛି ଶଶୁର ସବୁଦିନ ଅଫିସ ଯିବାପୂର୍ବରୁ ନାଲିଚୁଡା ଖାଇ ଯାଆନ୍ତି। ବର୍ଷକ ବାରମାସ କାଳେ ସେଇ ଚୁଡା କଦଳୀ ଆଉ ଦହି। ଆରେ! ଖାଇବେ ତ ଖାଇବେ ପୁଣି ମେଞ୍ଚାଏ ଚୁଡା ଛାଡ଼ିବେ ବି ସେ। ସେମିତି ଟେବୁଲ ଉପରେ ଛାଡିଦେବେ କଂସାଟିକୁ ଆଉ ଶାଶୁଙ୍କୁ ଡାକପାରି କହିଦେଇ ଯିବେ କଂସାଟି ନେଇ ଯିବାପାଇଁ। ଶାଶୁ ଆସି ସେ ଚୁଡାତକ ଦେଖି ବହେ ଚିଡିବେ। କହିବେ, "ଏମିତି ଲୋକ ତୋ ଶଶୁର! ଯେତେ କମ କରିକି ଦେଲେ ବି ଖାଇବା ଛାଡିବା କଥା ଛାଡ଼ିବେ ସେ। ଲକ୍ଷ୍ମୀଛଡା ଲୋକଟିଏ ଇଏ! ୟାଙ୍କପାଇଁ ଏଇ ଘରେ ଲକ୍ଷ୍ମୀ ରହୁନାହାନ୍ତି?? ସବୁବେଳେ ଖାଇବାକୁ ଅପମାନ।" ମୁଁ ନୂଆବୋହୁ। କଣ କହିବି ଜାଣିପାରେନି। ହସିଦିିଏ ଆଉ ଚୁପ ରୁହେ। ଆମ ଓଡ଼ିଆ ଘରେ ତ ଖାଇବା ଫୋପାଡିବା ମହାପାପ। ବାଧ୍ୟ ହେଇ ଶାଶୁ ଶଶୁର ଛାଡିଥିବା ସେଇ ଚୁଡାତକ ଖାଆନ୍ତି ଶଶୁରଙ୍କ ଉପରେ ଗରଗର ହେଇ। ଏମିତି ଶାଶୁ ଶଶୁରଙ୍କ ଛୋଟମୋଟ କଳି ଦେଖୁଦେଖୁ ମାସ କେତେଟା ବିତିଗଲା। ହେଲେ ଛୁଆଙ୍କ ଭଳି ସବୁଦିନ ସକାଳୁ ଜଳଖିଆ ନିଜ କଂସାରେ ଛାଡିବା ଭୁଲିଲେନି ମୋ ଶଶୁର।

ଟିକିଏ ପୁରୁଣା ହେଲାପରେ ଦିନେ ସକାଳୁ ଜଳଖିଆ ଦେଲାବେଳକୁ ବାଧ୍ୟହେଇ ଶଶୁରଙ୍କୁ କହିଲି "ବାପା ଏମିତି ସବୁଦିନ ଚୁଡା କାଇଁ ଛାଡ଼ୁଛନ୍ତି? କେତିକି ଖାଇବେ ସେଇଟା ଆଗରୁ କହି ଦଉନାହାନ୍ତି? ଖାଲିଟାରେ ବୋଉଙ୍କୁ ସବୁଦିନ ହଇରାଣ କରୁଛନ୍ତି ଆପଣ ଆଉ ସେ ବି ଆପଣଙ୍କୁ ଶୋଧୁଛନ୍ତି ସବୁଦିନ। ଶଶୁର ମୋ କଥା ଶୁଣି ଠୋଠୋକିନି ହସିଲେ। ମୋ ମୁହଁକୁ ଚାହିଁ କହିଲେ, "ହଉ ତାହେଲେ। ତୁ କହୁଛୁ ଯଦି ଆଜି ସବୁ ଚୁଡା ଖାଇଦଉଚି।" ଏତିକି କହି ଶଶୁର ସେଦିନ ଜଳଖିଆ କଂସା ଖାଲିକରି ସବୁ ଚୁଡା ଖାଇଦେଲେ। ଚୁଡା ଖାଇସାରି ଅଫିସ ଗଲାବେଳକୁ ଶଶୁର ମୋ ଦିଅରଙ୍କୁ ଡାକି କହିଲେ, "ଆରେ ବାପା, ଆଜି ସନ୍ଧ୍ୟାରେ ଟିକେ ବାହାରିବୁ ତାହେଲେ। ତୋ ପାଇଁ ସେ ନୂଆ ବାଇକଟା ଦେଖିଦେଇ ଆସିବା। ଦିଅର କହିଲେ, "ନାଇଁ ବାପା। ଆଜି ନୁହେଁ କାଲି। ଆଜି ରାତିରେ ଗୋଟେ ଭୋଜି ଅଛି ମୋର।" ଶଶୁର କହିଲେ, "ହଉ ତାହେଲେ। କିନ୍ତୁ ଭୋଜିରୁ ଶୀଘ୍ର ଫେରିବୁ।" ଏତିକି କହିଦେଇ ଶଶୁର ରୁମରୁ ବାହାରିଗଲେ।

ଶଶୁରଙ୍କ ଗାଡ଼ିଷ୍ଟାର୍ଟ ଶବ୍ଦଶୁଣି ମୁଁ ଦିଅରଙ୍କୁ ପଚାରିଲି, "ଏମିତି କି ଭୋଜିଟା କରୁଛ ମ ଆଜି?" ଦିଅର ହସିଦେଇ କହିଲେ, "ଭୋଜି ନୁହଁ ମ ଭାଉଜ ଭାଲେଣ୍ଟାଇନ ଡେ ପାର୍ଟି। ବାପାଙ୍କୁ ଏଇ ପାର୍ଟି କଥାଟା କେମିତି କହିଥାନ୍ତି"। ମୁଁ ବି ତାଙ୍କ କଥା ଶୁଣି ହସି ଉଠିଲି। ଏତିକିବେଳକୁ ଶାଶୁ ଶଶୁରଙ୍କ ଚୁଡାକଂସା ଖୋଜିବାକୁ ଆସିଲେ। ଦିଅର ସେଠୁ ଚାଲିଗଲେ। ମୁଁ ଶାଶୁଙ୍କୁ ଚାହିଁ କହିଲି, "ବୋଉ ଜାଣିଛନ୍ତି, ବାପା ଆଜି ସବୁ ଚୁଡା ଖାଇଦେଇଛନ୍ତି।" ଶାଶୁ ମୋ କଥାଶୁଣି ଟିକିଏ ଆଶ୍ଚର୍ଯ୍ୟ ହେଇଗଲେ। ଫେର୍ ପଚାରିଲେ, "ସବୁ ଚୁଡା ଖାଇଛନ୍ତି?? ଆଲୋ, ସୂର୍ଯ୍ୟ ଆଜି କୋଉ ଦିଗରେ ଉଦୟ ହେଇଚି କି?" ମୁଁ ତାଙ୍କ କଥା ଶୁଣି ହସିଉଠିଲି।

ସେଦିନ ସନ୍ଧ୍ୟାରେ ଶଶୁର ଅଫିସରୁ ଫେରି ଜୋତା ଖୋଲୁଛନ୍ତି ମୁଁ ତାଙ୍କୁ ପାଣି ଦବାକୁ ଗଲି। ଜୋତା ଖୋଲୁଖୋଲୁ ମତେ ଚାହିଁ ସେ ପଚାରିଲେ, "ଆରେ ମା, ବୋଉ ଆଜି କଣ ଖାଇଲା ସକାଳ ଜଳଖିଆରେ।" ମୁଁ ଟିକେ ଚୁପ ରହିଗଲି। ତାପରେ ଭାବିଲି, "ଆରେ ସତେ ତ! ମୋ ଶାଶୁ ତ ଆଜି କିଛି ବି ଖାଇନାହାନ୍ତି ସକାଳେ। ଏବେ ଖାଇବି ପରେ ଖାଇବି ଆଉ ଟିକିଏ ଯାଉ ଏମିତି କହିକହି ସେ ଆଉ ଖାଇଲେନି।" ଶଶୁର ମୋ ମନକଥା ଜାଣିପାରିଲେ ବୋଧେ। ମୋ ହାତରୁ ପାଣି ଗିଲାସଟା ନେଇ କହିଲେ, "ବୁଝିଲୁ! ତୋ ଶାଶୁ ହେଲା ଏମିତି। ଘରକାମରେ ଏମିତି ମଜ୍ଜିଯିବ ଯେ ଖାଇବା କଥା ଜମା ମନେପଡ଼େନି ତାର। ନଖାଇ ନଖାଇ ଯେତେସବୁ ପେଟରୋଗ ବାହାର କରିଛି ସେ। ମୁଁ ସେ ଚୁଡାଟିକକ ଛାଡିଲେ ତାକୁ ଫୋପାଡ଼ି ନପାରି ସେଇ ବାହାନାରେ କିଛି ଖାଇଦିଏ ସେ। ସେଇଟା ନହେଲେ ସେ ଆଉ କିଛି ଖାଇବନି ମୁଁ ଜାଣିଚି।" ଏତିକି କହି ଶଶୁର ମତେ ଗିଲାସଟା ଧରେଇଦେଇ ଲୁଗା ପାଲଟିବାପାଇଁ ତାଙ୍କ ରୁମକୁ ଚାଲିଗଲେ। ମୁଁ ସେଇଠି ସୋଫାରେ ଥମହେଇ ବସିପଡିଲି। କିଏ ଗୋଟେ କହୁଥିଲା ପ୍ରତିବର୍ଷ ଭାଲେଣ୍ଟାଇନ୍ ଡ଼େରେ ପ୍ରେମିକାକୁ ନାଲି ଗୋଲାପ ଦେବାର ନାଁ ହେଲା ପ୍ରେମ | କିଏ ତାକୁ ଯାଇ ଏତିକି କହିଦିଅ ଯେ ପ୍ରେମର ଅନ୍ୟନାମ ନିତିଦିନିଆ ମୁଠାଏ ନାଲିଚୁଡା ବି!!!

ସୁଲଗ୍ନା ମହାନ୍ତି


Rate this content
Log in

Similar oriya story from Inspirational