STORYMIRROR

Sulagna Mohanty

Inspirational

3  

Sulagna Mohanty

Inspirational

ମଣିଷ

ମଣିଷ

2 mins
28.3K


ଯେଉଁଦିନ ଘରେ ଶୀଘ୍ର ପହଞ୍ଚିବାର ଥିବ ସେଇଦିନ କଲେଜରେ ପ୍ରବଳ କାମ ଥିବ। ଏଇଟା ହେଲା ଅଲିଖିତ ନିୟମ। ସେଦିନ କଲେଜରେ ମିଟିଂ ସରୁସରୁ ସନ୍ଧ୍ୟା ପାଞ୍ଚଟା। ଡ୍ରାଇଭର ଅଧଘଣ୍ଟା ଆଗରୁ ଆସି ଅପେକ୍ଷା କରିଥାଏ ମତେ। ମୁଁ ତରତର ହେଇ ଗାଡ଼ିରେ ବସିଲି। ସନ୍ଧ୍ୟାରେ ବଡଭାଇଙ୍କ ଝିଅ ରିତୁର ନିର୍ବନ୍ଧ ପାର୍ଟି। ଜଲଦି ଘରେ ପହଂଚିଲେ ପୁଣି ଶୀଘ୍ର ପାର୍ଟି ପାଇଁ ରେଡି ହବାକୁ ପଡିବ।

ଏଇଟା ବି ଆଉ ଗୋଟିଏ ଅଲିଖିତ ନିୟମ ଯେ ଯେବେ ତୁମର ଡେରି ହେଉଥିବ ସେବେ ତୁମ ଗାଡି ନିଶ୍ଚିତ ଟ୍ରାଫିକ ଜାମରେ ଅଟକିବ। ମୁଁ ଏମିତି ତରତର ହେଲା ବେଳକୁ ଗାଡ଼ିଟା ମୋର ଟ୍ରାଫିକ ସିଗନାଲରେ ଅଟକିଗଲା। ମୁଁ ଭୁବନେଶ୍ୱରର ଟ୍ରାଫିକ ଜାମକୁ ଗାଳି ଦେବାରେ ଲାଗିଲି। ଆଜିକାଲି ଭୁବନେଶ୍ୱରରେ ଟ୍ରାଫିକ ବହୁତ ବଢିଯାଇଛି ଆଉ ତା' ସାଙ୍ଗରେ ବଢି ଯାଇଛି ଟ୍ରାଫିକ ସିଗନାଲରେ ବୁଲା ବିକାଳୀଙ୍କ ଉତ୍ପାତ। ହାତଗୋଡ ଟାଣି ଜିନିଷ କିଣିବାକୁ ବାଧ୍ୟ କରିବେ ସେମାନେ। ତାଙ୍କୁ ଦେଖୁଦେଖୁ ଗାଡିର ଝରକା ଉଠେଇଦିଏ ମୁଁ।

ମୋ ଗାଡି ସେଠି ଠିଆହେବା ଦେଖି ଝିଅଟିଏ ଦଉଡି ଆସିଲା ମୋ କାର୍ ଝରକା ପାଖକୁ। ହାତରେ ତା'ର ମେଞ୍ଚାଏ କାର୍ଟୁନ ଷ୍ଟିକର। ଭାବିଲି ଝରକା କାଚଟା ଉଠେଇ ଦେବି। କିନ୍ତୁ ଝିଅଟାର ମୁହଁଟାକୁ ଦେଖି ତା' ପ୍ରତି କେମିତି ଗୋଟିଏ ମାୟା ଆସିଲା। ୧୦-୧୧ ବର୍ଷର ଝିଅଟି। ମଇଳା ଫ୍ରକଟେ ପିନ୍ଧିଛି। ପତଳା ଦେହ। ମୁଣ୍ଡ ନୁଖୁରା। ଚୁଟିଗୁଡା ନାଲି ନାଲି ହେଇ ଉଡୁଛି। ସନ୍ଧ୍ୟାରେ ସୂର୍ଯ୍ୟକିରଣ ପଡି ସେ ଚୁଟି ଗୁଡା ଆଉରି ନାଲି ଦିଶୁଛି।

ଷ୍ଟିକର ମେଞ୍ଚେ ମୋ ଆଡ଼କୁ ବଢେଇଦେଇ ଝିଅଟି କହିଲା, "ମା, ଏଇ ଷ୍ଟିକର ନିଅ। ମାତ୍ର ଦଶ ଟଙ୍କା ଗୋଟେକୁ।" ମୁଁ ଷ୍ଟିକରଟିକୁ ଦେଖିଲି। "ଏମିତି କେତୋଟି ଷ୍ଟିକର ଦିନକୁ ବିକୁଥିବ ସେ?" ପର୍ସରୁ ୧୦୦ ଟଙ୍କିଆ ନୋଟଟେ ବାହାରକରି ତା' ହାତକୁ ବଢେଇଦେଲି। କହିଲି, "ଏଇ ପଇସା ନେ। କିଛି କିଣିକି ଖାଇବୁ। ଆଉ ସେ ଚୁଟିଗୁଡାରେ ଟିକେ ତେଲ ମାରୁନୁ?? ତୋ ମାଆକୁ କହିବୁ ତେଲ ଲଗେଇ ବେଣୀଟିଏ କରିଦେବ। ମଣିଷ ଭଳି ଦିଶିବୁ। ଏମିତି ଭୁତୁଣୀ ହେଇ କାଇଁ ବୁଲୁଛୁ?" ମୋ କଥାଶୁଣି ଝିଅଟି ହସିଦେଲା ଆଉ ଖୁସିରେ ମୋ ହାତରୁ ପଇସା ନେଇ ଦଉଡି଼ ଦଉଡି଼ ଚାଲିଗଲା। ଟ୍ରାଫିକରେ ସିଗନାଲଟା ସବୁଜ ଦେଖେଇଲା ଆଉ ଡ୍ରାଇଭର ମୋ କାରକୁ ଆଗକୁ ବଢେଇନେଲା।

ଘରେ ପହଞ୍ଚୁ ପହଞ୍ଚୁ ସେଦିନ ସନ୍ଧ୍ୟା ଛ' ଟା। ଘର ବାହାରେ ସ୍ୱାମୀଙ୍କ ଗାଡି। ସେ ବି ଆସିଗଲେଣି ଅଫିସରୁ। ଝିଅ ବି ଘରେ। ମତେ ଶୀଘ୍ର ପାର୍ଟିପାଇଁ ବାହାରିବାକୁ ପଡିବ। ଘରର ମେନଗେଟ ଖୋଲି ଭିତରେ ପଶିଲି। ଦାଣ୍ଡ କବାଟଟି ଖୋଲାଥିଲା। ଡ୍ରଇଂରୁମରେ ପଶି ଚପଲ ଖୋଲୁଛି ମୋ କଲେଜପଢୁଆ ଝିଅ ନିକି ସାମ୍ନାକୁ ମୋର ଡେଇଁପଡି କହିଲା, "ମମି, ସରପ୍ରାଇଜ।" ମୁଁ ଚମକି ପଡି ଝିଅକୁ ଚାହିଁଲି। ସେ ପୁଣି କହିଲା, "ଦେଖିଲ ମମି ମୋ ଚୁଟିକୁ। ରିତୁଅପାର ଏନଗେଜମେଣ୍ଟ ପାଇଁ ମୁଁ କେମିତି ମୋ ଚୁଟିକୁ କଲର୍ କରିଛି। ସାତହଜାର କହୁଥିଲା ସେ ପାର୍ଲରଵାଲା। ମୁଁ କିନ୍ତୁ ତା'ର ରେଗୁଲାର କଷ୍ଟମରବୋଲି ପାଞ୍ଚହଜାରରେ କରିଦେଲା କଲର୍। କହିଲ କହିଲ କେମିତି ଦେଖା ଯାଉଛି? ବଢିଆ ନା?" ଝିଅ ମୋର ତା'ର କଳା କଳା ଚୁଟିକୁ ପୁରା ନାଲି ରଙ୍ଗରେ ରଙ୍ଗେଇ ଦେଇ ଆସିଥିଲା ପାର୍ଲରରୁ। ମୁଁ ମୋ ଝିଅର ସେ ନାଲି ନାଲି ଚୁଟିକୁ ଦେଖି ହସିବି ନା କାନ୍ଦିବି ଜାଣି ପାରୁନଥିଲି। ବୁଝି ପାରୁନଥିଲି ନାଲିଚୁଟିଥିବା ଝିଅର ମା ହିସାବରେ ତା' ମୁଣ୍ଡରେ କୋଉ ତେଲ ଲଗେଇଲେ ମୋ ଝିଅ ଗୋଟିଏ ମଣିଷ ଭଳିଆ ଦିଶିବ!!!

ସୁଲଗ୍ନା ମହାନ୍ତି


Rate this content
Log in

Similar oriya story from Inspirational