Sanjaya Ananda Kumar Tripathy

Comedy

4.6  

Sanjaya Ananda Kumar Tripathy

Comedy

ସେ କିନ୍ତୁ-ସେ ନୁହେଁ

ସେ କିନ୍ତୁ-ସେ ନୁହେଁ

6 mins
177


“ସାର ନମସ୍କାର” ପିଲାଟି ନତମସ୍ତକ ହୋଇ କହିଲା ।

“କ’ଣ ହେଲା” । ଚୌକିରେ ବସିଥିବା ଭଦ୍ର ଲୋକ ଉତ୍ତର ଦେଲେ ।

“ମୋର ବାସସ୍ଥାନ ପ୍ରମାଣପତ୍ର ଦରକାର । ଆବେଦନ କରିଛି । କେବେ ମିଳିବ । ଆଇ.ଟି.ଆଇରେ ଫର୍ମ ପକାଇବା ଶେଷ ତାରିଖ ଦୁଇଦିନ ରହିଲା ।” ପିଲାଟି କହିଲା ।

“ଠିକ୍ ସମୟରେ ମିଳିବ । ବ୍ୟସ୍ତ କାହିଁକି ହେଉଛ ।” ଭଦ୍ରଲୋକ କହିଲେ । ପିଲାଟା ଗାଁରୁ ତିନି ଦିନ ହେଲା ଦୌଡ଼ୁଛି । ଏଠି ଆବେଦନ କଲା । ରାଜସ୍ୱ ନିରୀକ୍ଷକ ପାଖରୁ ରିର୍ପୋଟ ଆଣି ଦେଲା । ତଥାପି ପ୍ରମାଣ ପତ୍ର ମିଳିନାହିଁ । ଆରେ ସିଏ ତ ପୁଣି ଏ ମର୍ତ୍ତ୍ୟମଣ୍ଡଳରେ ଅଛି । ସଦ୍ୟ ମାଟ୍ରିକ୍ ପାସ୍ କରିଥିବା ପିଲା ଏତେ କଥା ଜାଣିବ କୁଆଡ଼ୁ । ସ୍କୁଲ ପାଠରେ ଜାଣିଛି । ସାର ଟାସ୍କ ଦେଲେ ପରଦିନ ଆଣି ଦେଖାଇବ । ପରୀକ୍ଷା ଦେଲେ ଠିକ୍ ସମୟରେ ଫଳ ବାହାରିବ । ମାତ୍ର ଏଠି ଘଡ଼ିକେ ଘୋଡ଼ା ଛୁଟୁଛି । ଏଇ ହେଲା ହେଲା କହି ଆଜିକୁ ଚାରି ଦିନ ହୋଇଗଲା କିନ୍ତୁ ହୋଇପାରୁନି । ସେ ଆଜି ନିରାଶବାଣୀ ଶୁଣିବା ସ୍ଥିତିରେ ନଥିଲା । ଯେମିତି ହେଉ ବାସସ୍ଥାନ ପ୍ରମାଣପତ୍ର ନେଇ ଫର୍ମଟା ଆବେଦନ କରି ଗାଁକୁ ଫେରିବ । ବାଧ୍ୟହୋଇ କହିଲା “ଆଜ୍ଞା, ଯେମିତି ହେଉ ମୋତେ ସାର୍ଟିଫିକେଟ୍‌ଟା ଦେବେ, ମୋର ଆଉ ଆସିବାକୁ ଧୈର୍ଯ୍ୟ ନାହିଁ କି ପଇସା ବି ନାହିଁ ।”

ତଥାପି ଭଦ୍ର୍ରବ୍ୟକ୍ତିଙ୍କର କଥାରେ ପରିବର୍ତ୍ତନ ନାହିଁ । ସେ କହିଲେ “ମୁଁ କହିଲି ପରା, ମିଳିବ । ଯଦି ଏତେ ବ୍ୟସ୍ତ, ଯାଅ ତହସିଲଦାରଙ୍କୁ କହିବ ।” ପିଲାଟାର ଏତେ ଜ୍ଞାନ ନାହିଁ, ସେ ଭାବୁଥିଲା ଏ ଲୋକଟା ଖେଳୁଛି । ତହସିଲଦାର ସାର୍ଟିଫିକେଟ ଦେବେ ବୋଲି ସେ ଜାଣିନଥିଲା । ସାଙ୍ଗେ ସାଙ୍ଗେ ତହସିଲଦାରଙ୍କ କୋଠରୀ ଭିତରେ ପଶିଗଲା ।

ନୂଆ ହୋଇ ତହସିଲଦାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ବୟସ ବି ବେଶି ନୁହେଁ । ସେ ସାଙ୍ଗେ ସାଙ୍ଗେ ପଚାରିଲେ “କଅଣ ହେଲା ।” “ସାର୍ ନମସ୍କାର, ମୋର ସାର୍ଟିଫିକେଟ ଜଲ୍‌ଦି ଦିଅନ୍ତୁ ।” ଏକା ନିଃଶ୍ୱାସରେ କହିଗଲା । ତହସିଲଦାର କହିଲେ ବ୍ୟସ୍ତ କାହିଁକି ? ମୁଁ ବୁଝୁଛି କହି ରୁମ୍‌ରୁ ଉଠି ବାହାରିଲେ । ସଂପୃକ୍ତ କିରାଣୀଙ୍କ ପାଖରେ ପହଂଚିଗଲେ । ସେ ଦେଖିଲେ ଚୌକିରେ ଭଦ୍ରବ୍ୟକ୍ତି ବସି ସିଗାରେଟଟିଏ ଟାଣୁଛନ୍ତି । କହିବା ବାହୁଲ୍ୟ ସାହେବମାନେ ତହସିଲଦାର ଗଲାବେଳେ ସାଙ୍ଗରେ ଅର୍ଡ଼ର୍‌ଲି ପିଅନ ଗଗନ ମଧ୍ୟ ଯାଇଥିଲା । ସେ ପଚାରିଲେ ଏଇ ବାବୁ କଅଣ ସାର୍ଟିଫିକେଟ କାମ କରୁଛନ୍ତି । ପିଅନଟି ଥଙ୍ଗ ଥଙ୍ଗ ହୋଇଗଲା । ହଁ, ନାହିଁ କହିପାରିଲା ନାହିଁ । କାରଣ ଯିଏ ସିଟ୍‌ରେ ଥିଲେ ସେ ସଂପୂର୍ଣ୍ଣ ବେକାରୀ ଓ ଯିଏ ସିଟ୍ ଛାଡ଼ି ବାହାରେ ଥିଲେ ସେ ସରକାରୀ । ତହସିଲଦାର ପୁଣି ପଚାରିଲେ । କଥା କଅଣ ? ଏଇ ଆମ ଷ୍ଟାଫ୍ ନା ବାହାର ଲୋକ । କଅଣ କରୁଛନ୍ତି ଏଠି । ଗଗନ କହିଲା “ସେ କିନ୍ତୁ ସେ ନୁହେଁ ।” ତହସିଲଦାର ଚମକି ଉଠିଲେ । ନୂଆ ଗୋଲକ ଧନ୍ଦାରେ ମୁଣ୍ଡ ପଶିଗଲା । “ସେ କିନ୍ତୁ ସେ ନୁହେଁ” କଥାଟା ମୁଣ୍ଡ ଠଉରେଇ ପାରିଲା ନାହିଁ । ସେ ପୁଣି ପଚାରିଲେ “ସେ କିନ୍ତୁ ସେ ନୁହେଁ, ମାନେ କଅଣ ? ପିଅନ ବୁଝେଇଲା । ସାର ଏଇ ବାବୁ ବେସରକାରୀ - ମାତ୍ର କାମ ସରକାରୀ, ଚୌକି ଆମରି -ମୁଣ୍ଡ ତାଙ୍କରି । ପୂରା ଅଭିଜ୍ଞ - ସବୁ କାମକୁ ସରି । ଆମର ଏଠି ଯୋଉ ବାବୁଙ୍କ କରନ୍ତି ଚାକିରୀ - ସିଏ ଖାଲି ହୁଅନ୍ତି କିରି କିରି । ତହସିଲଦାରଙ୍କ ପିତ୍ତ ଚଢ଼ିଗଲା । କଅଣ ସବୁ କହିଯାଉଛି ଏ ଗଗନ । ସେ ରାଗିଗଲେ କଅଣ ସବୁ ଇଆଡୁ ସିଆଡୁ ବକି ଯାଉଛୁ । ମୋତେ ବୁଝେଇଲୁ “ସେ କିନ୍ତୁ ସେ ନୁହେଁ” କଅଣ । ପିଅନ ବୁଝେଇଲା “ଆଜ୍ଞା ସେ ଚୌକିରେ ବସିଛନ୍ତି, କିନ୍ତୁ ଚୌକିରେ ତାଙ୍କ ନାଁ ନାହିଁ ଅର୍ଥାତ୍ ଚୌକି ଅନ୍ୟଜଣଙ୍କର ମା’ନେ ଏଠି ଅନ୍ୟଜଣେ ପୋଷ୍ଟିଂ ହୋଇଛନ୍ତି । “ଓଃ ! କଅଣ ଚାଲିଛି ଏଠି ।” ତହସିଲଦାର ବିରକ୍ତି ହୋଇ କହିଲେ ।

ଏତେବେଳକୁ ସିଗାରେଟଟା ଫିଙ୍ଗି ଦେଲେ ବେସରକାରୀ ବାବୁ ଉଠିପଡ଼ିଲେ କହିଲେ “ସାର୍‌, ଆପଣ ଭୁଲ ବୁଝନ୍ତୁ ନାହିଁ । ଦେଶ, ରାଜ୍ୟ ସବୁ ଏ ନୀତିରେ ଚାଲିଛି । ଏଇ ତ ତହସିଲ ଅଫିସ୍‌, ଏଥିରୁ ବାଦ୍ ପଡ଼ିବ କେମିତି ?”

ତହସିଲଦାର ଆଉ ଗୋଟାଏ ଗୋଲକ ଧନ୍ଦାରେ ପଶିଗଲେ । ଇଣ୍ଟରନେଟ୍‌ରେ ଗୁଗ୍‌ଲେ ସାର୍ଚ୍ଚ ଇଞ୍ଜିନ ଭଳି । ଗୋଟିଏ/ଦୁଇଟି ଶବ୍ଦ ଲେଖି ମାଉସ୍ କ୍ଲିକ୍ କଲେ ୦.୦୯ ସେକେଣ୍ଡରେ ୧,୫ତିନି,୭୧୨ ୱେବସାଇଟର ଠିକଣା ଦେବ । ସବୁ ଦେଖିଲା ବେଳକୁ ମଣିଷ ୨୫ ବର୍ଷରୁ ଆରମ୍ଭ କଲେ ୬୦ ବର୍ଷ ହୋଇଯିବ । କିନ୍ତୁ ୱେବସାଇଟ ସରିବନି । କିନ୍ତୁ ବେସରକାରୀ ବାବୁ କଥାରେ ଓଜନ ଅଛି, ସିଏ ହୃଦୟଙ୍ଗମ କରିପାରିଲେ । ସିଏ ପଚାରିଲେ, “ମୋତେ ବୁଝେଇଲ ! ସେ କିନ୍ତୁ ସେ ନୁହେଁ ନୀତିଟା କଣ ? ଦେଶ, ରାଜ୍ୟ ... ଏ ନୀତିରେ ଚାଲିଛି ।” ସ୍ୱୟଂ ତହସିଲଦାରଙ୍କ ମୁହଁରୁ ଏ କଥା ଶୁଣି ବେସରକାରୀ ବାବୁଙ୍କ ଉତ୍ସାହ ବଢ଼ିଗଲା । ସେ କହିଲେ ଦେଖନ୍ତୁ ଏ କଥା ସମସ୍ତେ ଜାଣନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ଯିଏ ଅଟନ୍ତି (ଗାଦିରେ ଯିଏ ଅଛନ୍ତି) - ସେ ମୁଖ୍ୟମନ୍ତ୍ରୀ ନୁହଁନ୍ତି (ଗାଦୀ ବାହାରେ ଯିଏ ଅଛନ୍ତି - ସେ ହେଉଛନ୍ତି ପ୍ରକୃତ ମୁଖ୍ୟମନ୍ତ୍ରୀ ।) ନିଜର ଗାଦିରେ କଳଙ୍କ ଲାଗିଲେ, ଗଣମାଧ୍ୟମ ବିରୋଧିଦଳ ପାଟି କଲେ ଗାଦି ଛାଡ଼ି ଦେବ ଓ ସାଙ୍ଗେ ସାଙ୍ଗେ ନିଜ ସ୍ତ୍ରୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରିଦେବେ - ଏଠି ସେଇ ଫର୍ମୁଲା “ସେ କିନ୍ତୁ ସେ ନୁହେଁ” କାମ କରିବ । ଶରୀର ଜଣଙ୍କର କିନ୍ତୁ ବୁଦ୍ଧି ଅନ୍ୟ ଜଣଙ୍କର । ସାର ଆପଣ ଯଦି ସ୍ୱୀକାର କରିବେ ଏ ସର୍ବଜନ ଆଦୃତ କଳିଯୁଗ ନୀତି ।

ଏଇ ଆପଣଙ୍କର ଅଫିସ୍‌ର ପିଅନ ଲାଲ୍‌ମୋହନ । ବୁଢ଼ା ହୋଇଗଲାଣି, କୋଉ ସାହେବଙ୍କ ଘରେ କାମ କରୁ କରୁ ସାର୍ଟିଫିକେଟ୍‌ଟିଏ ଯୋଗାଡ଼ କରି ଚାକିରୀଟି ପାଇଲା । ହେଲେ ପ୍ରକୃତ ବୟସ ତିନି୮ ହେଲାବେଳକୁ ୨୮ ବର୍ଷ ବୟସର ସାର୍ଟିଫିକେଟ ଦେଖାଇଲା । ମଦ ଟିକିଏ ନ ପିଇଲେ ବଳପାଉନି । କିନ୍ତୁ ବୁଦ୍ଧିମାନ କାମ କରିଛି । ସେ କିନ୍ତୁ ସେ ନୁହେଁ - ଫର୍ମୁଲାରେ । ଆଗ ସାହେବଙ୍କୁ କହି ଅଫିସ୍ ଆସୁନି । ଆସୁଛି ତା’ ପୁଅ । ସହଜରେ ତ ନୂଆ ଚାକିରୀ ମିଳୁନି । ପିଲା ବି ଘରେ ବସି ବେକାର କଥାରେ ମୁଣ୍ଡ ପୂରଉଥିଲା । ଦେଖନ୍ତୁ ଖାତାରେ ବାପାର ନା’ କିନ୍ତୁ କାମ କରୁଛି ପୁଅ । ବାପା ନା’ରେ ଦରମା ବ୍ୟାଙ୍କ ଖାତାକୁ ଚାଲିଯାଉଛି । ବାପା ଖୁସ୍‌, ପୁଅ ଖୁସ୍‌, ସରକାର ବି ଖୁସ୍ । ଆଉ ୬ ବର୍ଷ ଚାକିରୀ ଅଛି ସାର୍ଟିଫିକେଟ୍ ଅନୁସାରେ । ଭଗବାନ ନ କରନ୍ତୁ ଚାକିରୀ ସରୁଛି କି ନାହିଁ ଦେଖନ୍ତୁ ।

ସାର୍ ଏତିକିରେ କଥା ସରୁ ନାହିଁ । ଲୋକଙ୍କର ସହରରେ ଘର ଅଛି । ରହିବାକୁ ବଳି ଯାଉଛି, ଭଡ଼ା ଲାଗିଛି । କିନ୍ତୁ ସରକାରୀ ଘର ଖଣ୍ଡିଏ ବି ମିଳିଛି ଭଲ ଏରିଆରେ । ତାକୁ ଭଡ଼ା ଲଗାଇଦେଲେ । ସେଇ ଫର୍ମୁଲା - ସେ କିନ୍ତୁ ସେ ନୁହେଁ । ଘର ଥିବ ବିଶ୍ୱାଳ ନାଁରେ କିନ୍ତୁ ରହୁଥିବେ ପଣ୍ଡାବାବୁ । ଉଭୟେ ଖୁସ୍ । ପଣ୍ଡା ବାବୁଙ୍କୁ ଘର ମିଳିବାକୁ ଆହୁରି ୧୦ ବର୍ଷ ଅଛି । ଏପଟେ ବିଶ୍ୱାଳ ବାବୁ ଦରମାରୁ କଟୁଥିବା ଟଙ୍କା ଉପରେ ତିନିହଜାର ବେଶି ପାଉଛନ୍ତି ତ ଧର୍ମ କରୁଛନ୍ତି ବୋଲି ମାନସିକ ଶାନ୍ତି ମଧ୍ୟ । ଏଇତ ଚାକିରୀଆ କଥା । ନିର୍ବାଚିତ ପ୍ରତିନିଧିମାନଙ୍କ ନାଁରେ ୨/ତିନିଟି ଘରେ ରହିଛି ରାଜଧାନୀରେ । ଗୋଟାକରେ ନିଜେ ରହିବେ, ଗୋଟାକରେ ଚେଲା, ଚାମୁଚା, ଆଉ ଗୋଟାଏ ଭୋଜିଭାତ କରିବା ପାଇଁ । ସେ କିନ୍ତୁ ସେ ନୁହେଁ - ଫର୍ମୁଲା ବି ଏଠି ପ୍ରୟୋଗ କରାଯାଉଛି । କଲିଂବେଲ ଦେଇ ପଚାରିଲା ବେଳକୁ “ଏଇ ଅମୁକଙ୍କର ଘର” ଉତ୍ତର ଆସିବ ହଁ କିନ୍ତୁ ସେ ରହୁଛନ୍ତି ଅମୁକ ନମ୍ବରରେ ଅର୍ଥାତ୍ ପରଜଣଙ୍କର ନାଁରେ ରହୁଛି ଅନ୍ୟ ଜଣେ । ଠିକା କାମ ହେଉଛି । ଟେଣ୍ଡର ମାଫିଆ ଯୁଗ । ଟେଣ୍ଡର ପାଇବ ଜଣେ, ପଇସା ତା’ ନା’ରେ ଆସିବ, କାମ କରିବ ଆର ଜଣେ ଠିକାଦାର । କାଗଜରେ ତା’ର ନାମ ଗନ୍ଧ ନାହିଁ । କାମ ଯାହାହେବ ଜାଣୁଥିବେ - ପୁଣି କଳିଯୁଗ ନୀତି - ସେ କିନ୍ତୁ ସେ ନୁହେଁ ।

ଏତେ ଉଦାହରଣ ଦେଲା ପରେ ସେ ନିଜ ବିଷୟରେ ବି କହିଲା “ସାର ମୁଁ ବି ଦିନେ ଏଠିକୁ ବାସସ୍ଥାନ ସାର୍ଟିଫିକେଟ ନେବାକୁ ଆସିଥିଲି । ମାତ୍ର ନ ପାଇବା ବିଳମ୍ବ ହେବାରୁ କାରଣ ଅନୁସନ୍ଧାନ କରି ନିଜ ସାର୍ଟିଫିକେଟ ନିଜେ ଲେଖିଲି । ପାଠପଢ଼ା ସରିବା ପରେ ବେକାର ହୋଇଥିଲି । ଏଠି ଯୋଗାଯୋଗ କରି ଅଛି । ସାର ସବୁ କାମ ଜାଣିଛି । ଆଇନ ଅନୁସାରେ କରୁଛି । କିଏ ବି ଅସୁବିଧାରେ ପଡ଼ିବେ ନାହିଁ । ଲୋକଙ୍କର କାମ ବି ହେଉଛି । ଇଏ ବାବୁ ଖାଲି ଆସି ଦସ୍ତଖତ ମାରି ମାରୁଛନ୍ତି ସକାଳଠୁ ସଂଧ୍ୟା ପର୍ଯ୍ୟନ୍ତ । ସାର କାମ ବି ବହୁତ ଭିଡ଼ । ଅଫିସରୁ ଏ ଭିତରେ ଚାରି ଜଣ ଅବସର ନେଲେଣି କିନ୍ତୁ ନିଯୁକ୍ତି ଗୋଟାଏ ବି ନାହିଁ । ବାବୁ ତ କହୁଥିଲେ ପିଲା ଗୋଟାଏ ଠିକ୍ କର ସେ ତୁମକୁ ସାହାଯ୍ୟ କରିବ । ତାଙ୍କର ଦସ୍ତଖତ ଅଭ୍ୟାସ କରିବା ପାଇଁ କହୁଛନ୍ତି କାରଣ କେତେ ଦସ୍ତଖତ ଦେବେ । ହାତ ବଥେଇ ଯାଉଛି । ଗଗନକୁ ପଚାରନ୍ତୁ । ମୁଁ ଯଦି ଟିକିଏ ବି ମିଛ କହୁଥିବି ଆପଣ ଯାହା ଦଣ୍ଡ ଦେବେ ଗ୍ରହଣ କରିବି ।

ତହସିଲଦାରଙ୍କର ମୁଣ୍ଡ କାମ କରୁ ନ ଥିଲା । ସେ କିନ୍ତୁ ସେ ନୁହେଁ - ଖାଲି କାନରେ ବାଜୁଥିଲା ଓ ପାଟିରେ ବି ଅନ୍ୟ କଥା ଆସୁନଥିଲା । ନିଜ କୋଠରୀକୁ ଫେରିଆସି ଢକ ଢକ କରି ଦୁଇ ଗିଲାସ ପାଣି ପିଇ ବସିଗଲେ । ବାସସ୍ଥାନ ପ୍ରମାଣପତ୍ର ପାଇଁ ଅପେକ୍ଷା କରିଥିବା ପିଲାକୁ କହିଲେ । ହବ, ସବୁ ଠିକ୍ ସମୟରେ ହେବ । ବ୍ୟସ୍ତ ହୁଅନି । ବାହାରେ ଅପେକ୍ଷା କର ।



Rate this content
Log in

Similar oriya story from Comedy