ସ୍ମାର୍ଟ ସିଟିର ଅକୁହା କଥା
ସ୍ମାର୍ଟ ସିଟିର ଅକୁହା କଥା
ପ୍ରକୃତିର ଡାକରାକୁ କିଏ ବା ଅଟକାଇପାରିବ । ସେ ଯିଏ ହେଉନା କାହିଁକି ପ୍ରକୃତି ସାମନାରେ ହାରମାନିବାକୁ ହେବ । ହୁଏତ କିଛି ସମୟ ପାଇଁ ଅଟକାଇ ଦିଆଯାଇପାରେ । ଏଠି ପ୍ରକୃତିର ଡାକରାମାନେ ମୁଁ ବନ୍ୟା, ବାତ୍ୟା, ଲଘୁଚାପ କି ଭୂମିକମ୍ପ ବିଷୟରେ ଆଲୋଚନା କରୁନାହିଁ । ବାକି ଯେଉଁ ଡାକରା କଥା କହୁଛି ଆପଣମାନେ ସମସ୍ତେ ଅଙ୍ଗେ ନିଭାଇଛନ୍ତି । ଊଣାଅଧିକେ ପରିସ୍ଥିତି ସମ୍ଭାଳି ନେଇଥିଲେ ମଧ୍ୟ ଏହା କେତେ ଅସମ୍ଭାଳ ଆପଣଙ୍କୁ ବୁଝାଇବା ଜରୁରୀ ନୁହେଁ ବୋଲି ମୁଁ ମନେକରେ ।
ଯେଉଁମାନେ ଏଇ ପୃଥିବୀରେ ରାଜୁତି କରୁଛନ୍ତି, ତଥାକଥିତ ଦେଶସେବୀ ବୋଲି ନିଜକୁ ପରିଚୟ ଦେଇଛନ୍ତି, ସେମାନେ ଏଇ ପ୍ରକୃତିର ଡାକରାକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ଭାଷଣ ଦିଅନ୍ତି । ତାଙ୍କ ମତରେ ସବୁ ଜିନିଷ ନିଜ ହାତ ମୁଠାରେ ରଖିହେବ କିନ୍ତୁ ନିଜ ଗାଦି ରଖିବାକୁ ଏମାନେ ଅସମର୍ଥ । ବେଳେବେଳେ ଦୂରଦୃଷ୍ଟିର ଅଭାବରୁ ଏଇମିତି ଆଦେଶ ଦେଇଥାନ୍ତି କିନ୍ତୁ ସେମାନେ ନିଜେ ହିଁ ପାଳନ କରିବାରେ ଅସମର୍ଥ ହୋଇଥାନ୍ତି ।
ଗାଁରୁ ସହର ସୃଷ୍ଟି ବୋଲି ସମସ୍ତେ ଜାଣନ୍ତି । ଯେଉଁଠି ବି ସହର ହୋଇଛି ସେଠି ପୂର୍ବରୁ ନିଶ୍ଚୟ ଗାଁଟିଏ ଥିଲା । ଏମିତି ସହର ବଢ଼ିଲା ପରେ ସହର ଭିତରେ ଥିବା ଗାଁର ଅସ୍ତିତ୍ୱ ହଜିଗଲା । ପୁରୁଣା ଗାଁର ଲୋକଙ୍କୁ ସହରୀ ସହରୀ ଲାଗିଲା । ସହରଟା ଏତେ ପୁରୁଣା ହୋଇ ନଥିବାରୁ ଲୋକଙ୍କ ଆଚରଣ ବି ବଦଳି ନଥିଲା । କିନ୍ତୁ ଜନସଂଖ୍ୟା ବଢ଼ିଯାଇଥିବାରୁ ସରକାର ବିଶେଷଜ୍ଞ କମିଟି ବସାଇ ତାକୁ ସ୍ମାର୍ଟ ସିଟିର ମାନ୍ୟତା ଦେଲେ ଓ କେତେକ ନିୟମ କାନୁନରେ ପରିବର୍ତ୍ତନ ଆଣିବା ପାଇଁ ସ୍ଥିର କଲେ । ସଂପୃକ୍ତ ବିଭାଗର ମନ୍ତ୍ରୀ, ସଚିବ ଏଥିପାଇଁ ବିଦେଶର ବଡ଼ ବଡ଼ ସହର ଗସ୍ତ କରିବା ସହିତ ଦେଶର ବିଭିନ୍ନ ସହର ମଧ୍ୟ ଗସ୍ତ କଲେ । ଏଇ ଆଳରେ ବୁଲିବା ମଧ୍ୟ ହୋଇଗଲା । ଶେଷରେ କେତେକ ନିୟମ କାନୁନ ପରିବର୍ତ୍ତନ ପାଇଁ ପ୍ରସ୍ତାବ ମଧ୍ୟ ଗୃହୀତ ହେଲା । ଏଥିପାଇଁ ତର୍ଜମା ହେଲାପରେ ବିଧାନସଭାରେ ମଧ୍ୟ ଗୃହୀତ କରାଇଲେ ଓ ଏହା ଆଇନରେ ମଧ୍ୟ ପରିଣତ ହୋଇଗଲା ।
ଗାଁଟା ସହର ହେଲା । ଗୋଟାଏ ରାସ୍ତା ଥିଲା, ଏହା ଦୁଇଭାଗ ହୋଇଗଲା । ଏକଥା ସହର ଭିତରେ ଥିବା ଗାଁଲୋକ ସବୁ ଜାଣିଲେ । ଟ୍ରାଫିକ୍ ନିୟମ ବି ବଦଳିଗଲା ଜାଣିଲେ, ଅବଶ୍ୟ ପ୍ରଥମେ ପ୍ରଥମେ ହଇରାଣ ହେଲେ । ଏମିତି ଗାଁରୁ ଜଣେ ଭଦ୍ରବ୍ୟକ୍ତି ରାଜଧାନୀକୁ ଆସିଲେ । ବସ୍ଷ୍ଟାଣ୍ଡ୍ରେ ଓହ୍ଲାଉ ଓହ୍ଲାଉ ପ୍ରଥମ ମାନେ ଏକ କାମ କରିବା ପାଇଁ ଡାକରା ଆସିଲା । ଆଖିରେ ପଡିଗଲା ସୁଲଭ ଶୌଚାଳୟ । ହେଲେ ତା ଦୁଆରକୁ ଯାଉ ଯାଉ ସୁଗନ୍ଧିତ ବାସନାରେ ତାଙ୍କ ମୁଣ୍ଡ ଗୋଳମାଳ ହୋଇଗଲା । ବାଧ୍ୟ ହୋଇ ଫେରି ଆସିଲେ । ଗାଁରେ କେତେ ସଫାସୁତୁରା, ଗନ୍ଧ ନାହିଁ କି ବାସନା ନାହିଁ । ମନେ ମନେ ଚିନ୍ତାକଲେ, ଜରୁରୀ ନାହିଁ ପରେ ଦେଖିବା । ଆଗକୁ ମାଡିଗଲେ ଓ ଅଟୋରେ ବସିଲେ । ଅଟୋ ନେଇ ପୁରୁଣା ବସ୍ଷ୍ଟାଣ୍ଡ ପାଖରେ ଛାଡିଦେଲା । ଏତେବେଳକୁ ଅବସ୍ଥା ଅସମ୍ଭାଳ ହେଲାଣି । ଏପଟ ସେପଟ ଅନାଉ ଅନାଉ ଦେଖିଲେ ଗୋଟେ ଜାଗାରେ ଲେଖା ହୋଇଛି ଏଠାରେ ପରିସ୍ରା କରନ୍ତୁ ସେଠିକି ଯାଉଯାଉ ନାକକୁ ଚିପିବା ପାଇଁ ହାତ ଆପେ ଆପେ ଉଠିଗଲା । ଆଉ ଏପଟ ସେପଟ ନ ଦେଖି ଖଲାସ କରିବାରେ ଲାଗିଲେ । କେଉଁଠି ଥିଲେ କେଜାଣି ପୋଲିସ୍ ଜଣେ ଆସି ପହଂଚିଗଲେ । ବନ୍ଦ କର । ବନ୍ଦ କର । ହେଲେ ଏ ଲୋକ ଆଉ ପରିସ୍ରା ବନ୍ଦ କରିବାର ଅବସ୍ଥାରେ ନାହିଁ କାରଣ ଏହା କେତେ କଷ୍ଟକର ଆପଣ ଜାଣିଛନ୍ତି । ଏଣେ ପୋଲିସ୍ ଭାଇ ବି ଡ୍ୟୁଟି କରିବା ପାଇ
ଁ ତତ୍ପର । ଏମିତି ଟଣାଟଣି ଭିତରେ ଭଦ୍ରବ୍ୟକ୍ତି କାମ ବଢ଼ାଇଦେଲେ ।
ତା’ପରେ ସମସ୍ୟା ଆରମ୍ଭ ହୋଇଗଲା । ପୋଲିସ୍ ବାବୁ କହିଲେ ତୁମେ କ’ଣ ଜାଣିନ ସର୍ବସାଧାରଣ ସ୍ଥାନ / ରାସ୍ତା କଡରେ ପରିସ୍ରା କରିବା ମନା । ଏଥିପାଇଁ ତୁମକୁ ଜୋରିମାନା ଦେବାକୁ ପଡିବ । ଭଦ୍ରବ୍ୟକ୍ତି ଚିଡ଼ି ଉଠିଲେ । କହିଲେ ମୁଁ କ’ଣ ମୂର୍ଖ ହୋଇଛି । ପାଠ ପଢ଼ିଛି । ଏଇ ଦେଖନ୍ତୁ ସେଠି କଣ ଲେଖା ହୋଇଛି ଏଠାରେ ପରିସ୍ରା କରନ୍ତୁ । ପୋଲିସ୍ ବି ଦେଖି ଅବାକ । କହିବା ବାହୁଲ୍ୟ ଏଠାରେ ପରିସ୍ରା କରନ୍ତୁ ନାହିଁ”ରୁ “ନାହିଁ” ଶବ୍ଦଟାକୁ କିଏ ଜଣେ ଘଷି କରି ଲିଭେଇ ଦେଇଛି । ପୋଲିସ୍ ବାବୁ ଦେଖିଲେ ହେଲେ ବୁଝିବାକୁ ନାରାଜ । କହିଲେ - ଲେଖାରେ କ’ଣ ଅଛି ? ସରକାର ଆଇନ କରିଛନ୍ତି ମାନେ ଜୋରିମାନା ଦେବାକୁ ପଡ଼ିବ । ଆପଣ ଏସବୁ ଜାଣି ଜାଣି କରିଛନ୍ତି ବୋଲି ବିଚାର କରାଯିବ ।
ଭଦ୍ରବ୍ୟକ୍ତି ଜଣକ ଅଡୁଆ ପରିସ୍ଥିତିରେ ପଡ଼ିଗଲେ ବାଧ୍ୟ ହୋଇ ସାଲିସ୍ କଲେ । ପୋଲିସ୍ ଭାଇ କଥା ବୁଝିବା ପାଇଁ କହିଲେ । ସେ ବି ହଁ ଭରିଲେ । କହିଲେ ଏଇ ଆଗରେ ଯୋଉ ଟ୍ରଲିରେ ଇଡ଼ଲି, ବରା ବିକ୍ରି କରୁଛି ତା ପାଖକୁ ଯାଅ ସେ ବୁଝାଇଦେବ । ସୁନାପିଲା ଭଳି ଭଦ୍ରବ୍ୟକ୍ତି ଜଣକ ଇଡ଼ିଲି ବିକୁଥିବା ଲୋକ ପାଖରେ ପହଂଚି କଥା ବୁଝିଗଲେ ।
ନିର୍ଦ୍ଧାରିତ ଅଫିସ୍ରେ କାମ ପାଇଁ ପହଂଚିଗଲେ । ଟଙ୍କାରେ ଖଣ୍ଡିଏ, ଟଙ୍କାରେ ଖଣ୍ଡିଏ ଡାକ ନେଉଥିବା ବିକାଳୀ ଠାରୁ ସକାଳର ୫ ଟଙ୍କିଆ ଖବର କାଗଜ ଖଣ୍ଡେ ସଂଗ୍ରହ କଲେ । ଆତ୍ମହତ୍ୟା କରୁଥିବା ମହିଳାଙ୍କୁ ମହାନଦୀରୁ ଉଦ୍ଧାର ଖବର ଫଟୋ ସହିତ, ଚପଲ ହଜିଛି ଖବର ବକ୍ସ ମଧ୍ୟରେ ବାହାରିଥିବା ବେଳେ “ସ୍ମାର୍ଟ ସିଟିରେ ନିଷ୍କ୍ରିୟ ପ୍ରଶାସନ ” ଖବର ମଧ୍ୟ ପ୍ରଥମ ପୃଷ୍ଠାରେ ସ୍ଥାନ ପାଇଥିଲା । ନଗଦ ପୋଲିସ୍ ଠାରୁ ହଇରାଣ ହୋଇଥିବା ବ୍ୟକ୍ତି ଏଇ ଖବର ଆଗ ପଢ଼ିବା ସ୍ୱାଭାବିକ । ଖବରରେ ରାଜଧାନୀରେ କେମିତି ସ୍କୁଲରୁ ପିଲା ଛାଡି ଫେରୁଥିବା ମହିଳାଙ୍କ ସୁନାଚେନ୍ ଲୁଟି, ଥାନା ପାଖରେ ଦେଶୀମଦ ବିକ୍ରୀ ଇତ୍ୟାଦି ଖବର ଅନ୍ତର୍ଭୁକ୍ତ ଥିଲା । ଏସବୁ ପଢ଼ି ଭଦ୍ରବ୍ୟକ୍ତିଙ୍କର ରାଗ ପଞ୍ଚମକୁ ପଡ଼ିଗଲା । ସାଂଗେ ସାଂଗେ ସେଇଠି କାଗଜ କାଢ଼ି, ସଂପାଦକଙ୍କୁ ପତ୍ର ଲେଖିଲେ ।
ପ୍ରଶାସନ ନିଷ୍କ୍ରିୟ ନୁହେଁ- ସବୁବେଳେ ସଜାଗ ଅଛି, ଯେଉଁଥିପାଇଁ ସହରର ଟ୍ରାଫିକ୍ ଆଇନ୍ ଶୃଙ୍ଖଳା ରାସ୍ତା ଘାଟ ଠିକ୍ ଅଛି । ଆପଣ ଯଦି ବିଶ୍ୱାସ କରୁନାହାନ୍ତି ତାହେଲେ ବିନା ହେଲ୍ମେଟ୍ରେ ଗାଡ଼ି ଚଲାନ୍ତୁ, ରାସ୍ତା କଡ଼ରେ ପରିସ୍ରା କରନ୍ତୁ, ଟ୍ରାଫିକ୍ ଛକ ପାଖରେ ଠେଲା ଦୋକାନୀଠୁ ବରା, ଚପ୍ କିମ୍ବା ଇଡ୍ଲି ଖାଆନ୍ତୁ, ଜାଣିଯିବେ । ଅଧମ ରାଜଧାନୀ ଆସି ସ୍ୱଚକ୍ଷୁରେ ଦେଖିଛି । ତେଣୁ ଆପଣ ଆସନ୍ତା କାଲି ଏଥିପାଇଁ ଦୁଃଖ ପ୍ରକାଶ ପ୍ରଥମ ପୃଷ୍ଠାରେ ସ୍ଥାନ ନ ହେଲେ ଶେଷପୃଷ୍ଠା ଶେଷ ସ୍ତମ୍ଭରେ ପ୍ରକାଶ କରନ୍ତୁ ।ଚଟାପଟ୍ ଲଫାଫାଟିଏ କିଣି ଅଫିସ୍ ସାମ୍ନାରେ ଥିବା ଚିଠି ବାକ୍ସରେ ଗଳେଇଦେଲେ ଓ କାମପାଇଁ ଲିଫ୍ଟ ଆଡ଼କୁ ମାଡିଗଲେ ।