Sanjaya Ananda Kumar Tripathy

Comedy

4.3  

Sanjaya Ananda Kumar Tripathy

Comedy

ବଡ଼ବାବୁଙ୍କ ଗୁରୁ

ବଡ଼ବାବୁଙ୍କ ଗୁରୁ

6 mins
269


ବଡ଼ବାବୁଙ୍କ ଗୁରୁ । କଥାଟା ଶୁଣିଲେ ଅଡୁଆ ଲାଗୁଛି । କାରଣ ବଡ଼ବାବୁ ହେଲାବେଳକୁ ଯେତେ ଅଭିଜ୍ଞତା ହୋଇଯାଇଥାଏ ଗୁରୁ କରିବା ପାଇଁ ଆବଶ୍ୟକ ହୋଇ ନ ଥାଏ ବିଶେଷ କରି ଅଫିସ କାର୍ଯ୍ୟ କରିବା ପାଇଁ । ଅବଶ୍ୟ କର୍ଣ୍ଣ ମନ୍ତ୍ର ନେବାପାଇଁ ଗୁରୁ କରିଥାଆନ୍ତି । ଏଇଟା ଅଲଗା କଥା । ମୁଁ ଯେଉଁ ଗୁରୁ କଥା ଏଠି ଆଲୋଚନା କରିବା ପାଇଁ ଯାଉଛି ସିଏ ଅଲଗା । ଏମିତି ତ ଅବଧୂତଙ୍କ ଚବିଶି ଗୁରୁଥିବା କଥା ଆପଣମାନେ ଉଣାଅଧିକେ ଜାଣିଛନ୍ତି । ବିଜ୍ଞ ମଣିଷ ମରିବା ପର୍ଯ୍ୟନ୍ତ ଗୁରୁ କରି ଚାଲିଥାଏ । ସମସ୍ତଙ୍କ ଠାରୁ କିଛି ଭଲମନ୍ଦ ଗୁଣ ଆହରଣ କରି ଚାଲିଥାଏ ।

ବଡ଼ବାବୁଙ୍କ ଗୁରୁ କଥା ଆପଣ ଅନ୍ୟ ଅର୍ଥରେ ନେବା ଉଚିତ ନୁହେଁ ମାନେ ତାଙ୍କ ଠାରୁ ଗୁରୁ ଅଧିକ ଚାଲାକ ବୋଲି ଭାବିବା ଉଚିତ ନୁହେଁ । ତାଙ୍କୁ ଦି ପ୍ରହରରେ ସାନବାବୁ ଲଣ୍ଠନ ଦେଖାଇବା କଥା ଏଠି ବିଚାରକୁ ଆସୁନାହିଁ । କାରଣ ଫାଇଲ ପ୍ରସଙ୍ଗରେ ବଡ଼ବାବୁ ସବୁ କଥାରେ ସାନବାବୁ କଥାରେ ରାଜି । ଏମିତି ତାଙ୍କ ଚାକିରୀ ବଡ଼ବାବୁ ହେବା ପର୍ଯ୍ୟନ୍ତ ବଡ ବଡ ବିଭାଗରେ ଯାଇଛି । ଏବେ ଆଉ ଶିଖିବେ କଅଣ? ତଳୁ ଯାହା ଲେଖିଲେ ଉପରକୁ ରାଜି ହୋଇ ଛାଡ଼ିଦେବା କଥା । ତେବେ ବଡ଼ବାବୁଙ୍କ ଗୁରୁ ପ୍ରସଙ୍ଗ ଉତ୍‌ଥାପନ କରିବା ମୁୁଁ କାହିଁକି ବାଧ୍ୟ ହେଲି ଆପଣ ଧୈର୍ଯ୍ୟ ଧରି ପଢ଼ିଲେ ନିଶ୍ଚୟ ଜାଣିପାରିବେ ।

କଥାଟା ହେଲା ମୁଁ ଗୋଟିଏ କାମ ପାଇଁ ବଡ଼ବାବୁଙ୍କ ପାଖକୁ ବାରମ୍ବାର ଯିବାକୁ ପଡ଼ିଲା । ଫାଇଲ୍‌ଟା ସାନବାବୁଙ୍କୁ ଧରାଧରି କରି ପେଶ କରାଯାଇଥିଲା । ନିୟମ ଅନୁସାରେ ବଡ଼ବାବୁଙ୍କ ସନ୍ତକ ହେଲେ ଉପରକୁ ଉଠିବ । କିନ୍ତୁ ବଡ଼ବାବୁ ଧରାଛୁଆଁ ଦେଉ ନ ଥିଲେ । ନିଜ କାମ ଛାଡ଼ି ବୁଝିବାକୁ ଗଲାବେଳକୁ ବଡ଼ବାବୁ ନାହାନ୍ତି । ସାନବାବୁ କହିବେ ଏବେ ଥିଲେ । ଅମୁକ ଅଫିସରଙ୍କ ପାଖକୁ ଯାଇଛନ୍ତି । ଅବଶ୍ୟ ବିଧାନସଭା ଚାଲିଥିବା ସମୟରେ ଏପରି ହୁଏ । ଏଇ ବିଧାନସଭା ଚାଲିବା ନାଆଁରେ ଯିଏ ଯାହା ପାରେ ବକିଯାଏ । ଆଉ ଦିନେ ୧୧ଟା ବେଳକୁ ଗଲାବେଳେ ପିଅନ କହିଲା, ଏବେ ଥିଲେ, ଚଷମା ପରା ଟେବୁଲରେ ଥୁଆ ହୋଇଛି । ଏଇ ପାଖରେ ଥିବେ । ବାଧ୍ୟ ହୋଇ ନିଜ ସିଟ୍‌କୁ ଫେରିଲି । ୩ଟା ବେଳେ ଗଲାବେଳକୁ ସାନବାବୁ କହିଲେ ଏଇ ତଳକୁ ଚା ଖାଇବାକୁ ଯାଇଛନ୍ତି । ଚଷମା ପରା ଟେବୁଲ୍ ଉପରେ ଅଛି । ଏ କଥା ଦେଖି ମୋର ଗୋଟାଏ ପ୍ରସଙ୍ଗ ମନେ ପଡ଼ିଗଲା । ହାଇସ୍କୁଲ୍ ପଢ଼ିବା ସମୟରେ ବଡ଼ଭାଇଙ୍କ ସାଙ୍ଗ ପଛୁଆ ଅଞ୍ଚଳରେ ପ୍ରାଥମିକ ଶିକ୍ଷକ ଚାକିରୀ କରୁଥିଲେ । ଗାଁଠୁ ୧୨୦ କି.ମି. ଦୂର । ପ୍ରତି ମାସରେ ଦରମା ପାଇବା ପରେ ପରେ ଆସିଲେ ୧୪/୧୫ ଦିନ ରହିଯାଆନ୍ତି । ମୁଁ ପଚାରିଲି ବଡ଼ଭାଇ “ଆପଣ ତ ସ୍କୁଲ୍‌ରେ ଜଣେ ଶିକ୍ଷକ । ଏତେ ଦିନ ଆସି ରହିଲେ ସ୍କୁଲରେ କିଏ ପାଠ ପଢ଼ାଉଛି ।” ସିଏ ଉତ୍ତର ଦେଲେ, “ସ୍କୁଲ୍‌ରେ ପିଲା ସଂଖ୍ୟା କମ୍ । ଖାଲି ସ୍କୁଲ୍ ଜଗିବା କଥା । ଗାଁ ୱାର୍ଡମେମ୍ବରଙ୍କୁ କହିଦେଇଛି । ଯାହା ଘରେ ରହୁଛି ତାକୁ ଲୁଙ୍ଗି ଓ ଗାମୁଛା ଦେଇ ଦେଇଛି । ସେ ପ୍ରତିଦିନ ସକାଳେ ତାକୁ ଧୋଇ ନେଇ ଦୁଆରରେ ଶୁଖାଇ ଦେଉଛି । ଯଦି କିଏ ପରିଦର୍ଶନରେ ଆସନ୍ତି, କହିବ “ମାଷ୍ଟ୍ରେ ଏଇ ସକାଳୁ ଗାଧେଇ ବ୍ଲକ୍‌କୁ ଯାଇଛନ୍ତି, ଦେଖୁନାହାନ୍ତି ଲୁଗା ଶୁଖା ହୋଇଛି । ଏମିତି ୪ ବର୍ଷ ଚାକିରୀ କଲା ମଧ୍ୟରେ ୨ ଥର ପରିଦର୍ଶନରେ ସ୍କୁଲ୍ ଏସ୍‌.ଆଇ ଆସିଛନ୍ତି ।

ତେବେ ମୁଖ୍ୟ ପ୍ରସଙ୍ଗରୁ ଦୂରେଇ ଯାଉଛି । ବଡ଼ବାବୁଙ୍କ ଚଷମା ପ୍ରସଙ୍ଗକୁ ଦେଖି ଭାବିଲି ସାଙ୍ଗଙ୍କ ବଡ଼ଭାଇ ଭଳିଆ ଯୋଜନା ନୁହେଁ ତ! ରହସ୍ୟ ଜାଣିବାକୁ ପଡ଼ିବ । କାରଣ ଫାଇଲ ଯଦି ନ ଗଲା ଅର୍ଡର ହେବାର ନାହିଁ । ମୁଁ ଗୋଡ଼େଇ ଗୋଡ଼େଇ ଖାଲି ହାଲିଆ ହେବା କଥା । ବିଭାଗର ପିଅନର କଥା ବୁଝି ତାଙ୍କ ଘର ଠିକଣା ଆଣିଲି । ସ୍ଥିର କଲି ଘରକୁ ଯାଇ ସାକ୍ଷାତ କରିବି । ଅଫିସ୍‌ରୁ ଗଲାବେଳେ ପୂର୍ବ ପ୍ରସ୍ତୁତି ସ୍ୱରୂପ ମିଠା କିଲେ କିଣି ନେଇଗଲି ।

ପରଦିନ ସକାଳୁ ଦାନ୍ତ ଘଷି ସିଧା ଠିକଣାରେ ହାଜର ହୋଇଗଲି । ବିଳମ୍ବ କଲେ ଅସୁବିଧା । କାରଣ ରାଜଧାନୀ ଚାକିରିଆଙ୍କର ଠାକୁର ପୂଜା କରିବା ଗୋଟାଏ ଫେସନ । ଯଦି ଆପଣ କାହାପାଖକୁ ଯାଇଛନ୍ତି ଓ ସେ ଗାଧୋଇବା ସାରିଥିବେ ଆପଣଙ୍କୁ ଦେଖେଇବା ପାଇଁ ଅଧଘଣ୍ଟା ପୂଜାରେ ବସିଯିବେ । ଆପଣ ଡ୍ରଇଁରୁମ୍‌ରେ ବସି ସେଦିନର ଖବରକାଗଜ/ତା’ପୂର୍ବଦିନର ଖବରକାଗଜର ସମ୍ବାଦ ସହିତ ବିଜ୍ଞାପନ ପଢ଼ିସାରିବା ପରେ ଯାଇ ଦେଖା ମିଳିବ । ଏସବୁ ଅଭିଜ୍ଞତାକୁ ଭିତ୍ତିକରି ସକାଳୁ ସକାଳୁ ବଡ଼ବାବୁ ଘରେ ପହଞ୍ଚିଗଲି । ଦେଖିଲି ଟେବୁଲ୍ ଉପରେ ଚଷମା ଥୁଆ ହୋଇଛି । ମୁଁ ଖୁସି ହୋଇଗଲି । ଯାହା ହେଉ ଦେଖା ମିଳିଯିବ । କିନ୍ତୁ ତାଙ୍କ ପୁଅ କହିଲା । ବାପା ପ୍ରାତଃ ଭ୍ରମଣରେ ଯାଇଛନ୍ତି, ଏଇ ଆସୁଥିବେ । ସତକୁ ସତ ଟିକେ ପରେ ସେ ଆସିଗଲେ । ଆଶ୍ଚର୍ଯ୍ୟ କଥା ସେ ଚଷମାଟିଏ ଲଗାଇଥିଲେ । ପରିଚୟ ଦେଇ ଫାଇଲ କଥା କହିଲି । ସେ ମଧ୍ୟ ରାଜି ହୋଇଗଲେ । ଲୁଙ୍ଗି ପ୍ରସଙ୍ଗ ମନରେ ଥିବାରୁ ଗୋଳେଇ ଘାଣ୍ଟି ହେଉଥିଲା । ସାହସ କରି ପଚାରିଲି “ବଡ଼ବାବୁ, ଗୋଟାଏ କଥା ପଚାରିବି ଖରାପ ଭାବିବେ ନାହିଁ ତ?” ସେ କହିଲେ “କହ, ଖରାପ ଭାବିବାର କ’ଣ ଅଛି ।” ମୁଁ କହିଲି “ଆପଣଙ୍କର କେତେ ହଳ ଚଷମା ଅଛି ?

ସେ କହିଲେ “ତିନି ହଳ ।”

ମୁଁ କହିଲି “ଏକା ଥରକେ ତିନି ହଳ କ’ଣ ଦରକାର ।”

ସେ କହିଲେ “ତୁମେ ବୁଝିପାରିବନି ।”

ମୁଁ କହିଲି “ବୁଝିସାରିଛି ।”

ସେ କହିଲେ “କ’ଣ ବୁଝିଛ । କହିଲ ।”

ମୁଁ କହିଲି “ଆଜ୍ଞା ସିଧା କଥା । ଯିଏ ଅଫିସ୍‌ରେ ଯାଇ ଆପଣଙ୍କୁ ଦଶଟାରୁ ପାଞ୍ଚଟା ମଧ୍ୟରେ ପାଞ୍ଚଥର ଲେଖାଏଁ ୨ ଦିନଧରି ଯାଇଛି ତାକୁ ଆଉ ଅଛପା କ’ଣ ରହିବ । ରାଜାଙ୍କର ଛତ୍ର ଭଳିଆ ଚଷମା ତ ସବୁବେଳେ ଟେବୁଲ୍‌ରେ ରହିଛି । ଯେତେବେଳେ ଗଲେ କହୁଛନ୍ତି ଏଇ ଥିଲେ । ସେଠୁ ମୁଁ ବୁଝିପାରିଲି ବୋଲି ତ ଏଠି ଭେଟିବାକୁ ଚାଲି ଆସିଲି ।

ବଡ଼ବାବୁ କହିଲେ “ତୁମେ ଭାରି ଚାଲାକ ଅଛ ।”

ମୁଁ କହିଲି “ଆଜ୍ଞା କୋଡ଼ିଏ ବର୍ଷ ତଳେ ଆମ ବଡ଼ଭାଇଙ୍କ ସାଙ୍ଗ ଏ ସୂତ୍ର ଆବିଷ୍କାର କରିଥିଲେ ଏଠୁ ୫୦୦ କି.ମି. ଦୂରରେ । ବୋଧହୁଏ କାହା ମାଧ୍ୟମରେ ଏହା ଆସିଛି ।

ବଡ଼ବାବୁ କହିଲେ, “କୋଉଠୁ ଆସିନି । ଏଥିପାଇଁ ଗୁରୁ କରିଛି ।”

ମୁଁ କହିଲି “ଗୁରୁ କରିଛନ୍ତି । ମାନେ?”

ବଡ଼ବାବୁ କହିଲେ “ଗାଧୋଇବା ସମୟ ହୋଇଗଲାଣି । ଅଫିସ୍ ପୁଣି ଯିବାକୁ ପଡିବ । ତୁମେ ପ୍ରସଙ୍ଗଟା ଉଠେଇ ସାରିଲଣି ମାନେ ସଂକ୍ଷିପ୍ତରେ ମୋ ଗୁରୁ କଥା ଶୁଣିଯାଅ ।

ବଡ଼ବାବୁ ଆରମ୍ଭ କଲେ “ମୁଁ ଆଗରୁ ଏତେ ବିଦ୍ୟା ଜାଣି ନଥିଲି । ସରକାରୀ କ୍ୱାର୍ଟର ମୋ ନାଁ’ରେ ଯେତେବେଳେ ମିଳିଲା, ଘର ଟିକେ ସଜାଡିବା ପାଇଁ କାଠ ମିସ୍ତ୍ରୀଟିଏ ଡାକିଥିଲି । ଅବଶ୍ୟ ମୋ ଖର୍ଚ୍ଚରେ । ସେପଟେ ଭଡ଼ା ରହୁଥିବା ଘରମାଲିକଙ୍କୁ ୩୦ ତାରିଖ ସୁଦ୍ଧା ଘର ଛାଡ଼ିବି ବୋଲି ସୂଚନା ଦେଇଥିଲି ଓ ସେ ମଧ୍ୟ ‘To Let’ ବୋର୍ଡ ଝୁଲାଇ ସାରିଥିଲେ । କାଠ ମିସ୍ତ୍ରୀ ପ୍ରଥମ ଦିନ ଆସି କ’ଣ କ’ଣ କାମ ହେବ ବୋଲି ବୁଝିବା ପରେ ଲମ୍ବା ତାଲିକାଟି ଧରାଇ ଦେଲେ । ତାଙ୍କୁ ଗାଡି ପଛରେ ବସାଇ ଦୋକାନକୁ ଯାଇ ସବୁ କିଣି ରିକ୍‌ସାରେ ନେଇ ଆସିଲି । ତା’ପରେ ମଧ୍ୟାହ୍ନ ଭୋଜନ କରିବାକୁ ସେ ଚାଲିଗଲେ । ତା’ପରେ ଆସିଲାବେଳକୁ ତିନିଟା । ୬ଟା ପର୍ଯ୍ୟନ୍ତ କାମ କରି କିଛି ଅଗ୍ରୀମ ନେଇଗଲେ । ତା’ପର ଦିନ ସକାଳ ୯ଟା ବେଳେ ପୁଣି କାମ ଆରମ୍ଭ ହେଲା । ଦ୍ୱିତୀୟ ଶନିବାର ଛୁଟି ଥିବାରୁ ମୁଁ ଘରେ ଥିଲି । ମିସ୍ତ୍ରୀ ୨ଟା ବେଳେ ଖାଇବାକୁ ଗଲାବେଳେ କହିଲେ ଯେ ସେ ଗାଁକୁ ଟିକେ ଯିବେ କାରଣ ତାଙ୍କ ବାପାଙ୍କ ଦେହ ଭଲ ନାହିଁ । ଖବର ଆସିଛି । ମୁଁ ମନା କରିବାର ଉପାୟ ନ ଥିଲା । ସେ କହିଲା, ଯନ୍ତ୍ରପାତି ବସ୍ତାଟା ଏଠି ରହିଲା । ଏତିକି ପରେ ଖାଇବାକୁ ଗଲେ ।

ମନ ଏଣେ ଉଚ୍ଛନ୍ନ ହେଉଥିଲା, ଶୀଘ୍ର ଘରକାମ ସାରିଲେ ପୂଜା ହେବ । ତା’ପରେ ଜିନିଷପତ୍ର ଉଠାପକା ହେବ । ଘର ସଜା ହେବ । ୩/୪ ଦିନ ବିତିଗଲା ପରେ ବି ମିସ୍ତ୍ରୀଙ୍କର ଦେଖା ନ ଥିଲା । ଶ୍ରୀମତୀ କହିଲେ ଭଲ ମିସ୍ତ୍ରୀଟିଏ ଯୋଗାଡ କଲ, ଗାଁକୁ ଯାଇଛି ତ ଯାଇଛି । ମୁଁ କହିଲି ଆମ ଭାଗ୍ୟକୁ ତ ଜୁଟିଛି । ତା’ ବାପାଙ୍କର ଦେହ ଖରାପ ଥିବ, ସେଥିପାଇଁ ଡେରି କରୁଛି । ଏଠିବି ଆସି କାମ କଲେ ଦିନକୁ ୨୫୦ ଟଙ୍କା ପାଇବ, ବେକାରଟାରେ ସେ ଗାଁ’ରେ କାହିଁକି ରହିବ । ସବୁ ଯନ୍ତ୍ରପାତି ତ ଏଠି ଅଛି । ଯିବ କୁଆଡେ? ମାତ୍ର ସାତଦିନ ବିତିଗଲା ପଛେ ମିସ୍ତ୍ରୀର ଦେଖା ମିଳିଲା ନାହିଁ । ସେ ଯୋଉ ବସ୍ତିରେ ଭଡ଼ା ରହୁଥିଲା ଯାଇ ବୁଝିଲା ବେଳକୁ ତା ସ୍ତ୍ରୀ କହିଲା ଗାଁରୁ ଆସି ନାହାନ୍ତି ।

କଳିଙ୍ଗ ହସପିଟାଲ୍‌ରେ ଜଣେ ଦୂର ସଂର୍ପକୀୟ ଚିକିତ୍ସା ପାଇଁ ଭର୍ତ୍ତିହେଲେ । ଭଦ୍ରତା ପୂର୍ବକ ମୁଁ ତାଙ୍କୁ ଦେଖିବାକୁ ଗଲି । ଆସିଲାବେଳେ ନୂଆ ହୋଇ ତିଆରି ହୋଇଥିବା ସରକାରୀ କ୍ୱାର୍ଟରରେ(ହସ୍‌ପିଟାଲ୍‌ରୁ ଆସିବା ରାସ୍ତା) ଜଣେ ସାଙ୍ଗ ରହିଥିବାରୁ ତାଙ୍କ ଘରଆଡ଼ୁ ବୁଲି ଆସିବା ପାଇଁ ସ୍ଥିର କଲି । ସେଠି ଯାଇ ପହଞ୍ଚିଲା ବେଳକୁ ମୋ ମୁଣ୍ଡ ଖରାପ । କାରଣ ସେଠି ମିସ୍ତ୍ରୀବାବୁ କାମ କରୁଛନ୍ତି । ମୁଁ ତାଙ୍କୁ ନ ଜାଣିଲା ପରି ଯାଇ ବସିଲି । ସାଙ୍ଗଠୁ ବୁଝିଲି ଯେ ସେ ଦୁଇଦିନ ହେଲାଣି ଏଠାକୁ ଆସି କାମ କରୁଛି । ଚା କପେ ପିଇ ଘରକୁ ଫେରି ଆସିଲି । ଛୁଟି ଦିନ ଥିଲା । ଖାଇପିଇ ଘରେ ଅଛି ପ୍ରାୟ ୩ଟା ବେଳେ ମିସ୍ତ୍ରୀ ଆସି ଘରେ ହାଜର ।

ମୁଁ କହିଲି ତୁମକୁ ମୋତେ ଗୁରୁ କରିବାକୁ ପଡ଼ିବ । ସିଏ କହିଲା ଆଜ୍ଞା ରୋଜଗାର କରିବାକୁ ହେଲେ ଏସବୁ କରିବାକୁ ପଡୁଛି । ଆପଣ ଖରାପ ଭାବିବେ ନାହିଁ । ତା’ ସାଙ୍ଗରେ ନୂଆ କ୍ୱାର୍ଟରକୁ ଯାଇ କାମ ଆରମ୍ଭ କରିଲି । ସେ ମଧ୍ୟ ଦୁଇଦିନ ମଧ୍ୟରେ ସାରିଦେଲା । ଏହାପରେ ତିନୋଟି ଚଷମା ତିଆରି କଲି । ଅବଶ୍ୟ ଏଥିରୁ ମୁଁ ଲଗାଉଥିବା ଚଷମାଟା ଓରିଜିନାଲ ମାନେ ପାୱାର ଚଷମା । ଅନ୍ୟ ଦୁଇଟି ଫୁଟ୍‌ପାଥରୁ କିଣିଛି । ସେଇ ଦୁଇଟା ଲଗାଇଲେ ମୋତେ ଭଲକରି ଦେଖାଯାଏନି ।

ବଡ଼ବାବୁଙ୍କ ଗୁରୁ କଥା ଶୁଣି ଗୋଟାଏ କଥା ଜାଣିଲି , ଜୀବନରେ ଶେଷ ପର୍ଯ୍ୟନ୍ତ ଗୁରୁ କରିବାର ଆବଶ୍ୟକତା ରହିଛି ।



Rate this content
Log in

Similar oriya story from Comedy