Sanjaya Ananda Kumar Tripathy

Comedy

4.0  

Sanjaya Ananda Kumar Tripathy

Comedy

ନିର୍ବାଚନ ଇସ୍ତାହାର

ନିର୍ବାଚନ ଇସ୍ତାହାର

4 mins
268


କହିବାରେ କ’ଣ ଅସୁବିଧା ଅଛି । ଏମିତି ଭାବିଲେ ଲେଖିଦେଲେ ବି କିଛି ଅସୁବିଧା ନାହିଁ । ପୁଣି ଯଦି ଏହା ଭୋଟ ସମୟ ହୁଏ ବାଡ଼ ବତା ମାନିବାର ନାହିଁ । ଯାହା ପାରୁଛ କହିଯାଅ, ଯାହା ପାରୁଛ ଲେଖିଯାଅ । ଟିଭିବାଲା ଦେଖିଲେ କହିଯାଅ ଆଉ ଖବରକାଗଜବାଲା ଦେଖିଲେ ଲେଖିଯାଅ । ଅବଶ୍ୟ ରାଜନୈତିକ ଦଳର ସଭ୍ୟ ହେଲେ ଇସ୍ତାହାର ପାର୍ଟି ତରଫରୁ ବାହାରିବ, ତଥାପି ବି ଭାଷଣ ଦେଲାବେଳେ ଏପଟ ସେପଟ ହୋଇଯିବ । ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ସମ୍ଭାଳିବାକୁ ପଡିବ । ମାତ୍ର ମୁଁ କୌଣସି ପାର୍ଟିର ନୁହେଁ, ସ୍ୱାଧୀନ ପ୍ରାର୍ଥୀ ଯାହା ଚାହିଁବି କହିବି ଓ ଲେଖିବି ଏଣୁ ମୋର ନିର୍ବାଚନ ଇସ୍ତାହାରଟି ଅଭିନବ ବୋଲି ଦାବୀ କରୁଛି ।

କାରଣ ରାଜନୈତିକ ଦଳଙ୍କ ନିର୍ବାଚନ ଇସ୍ତାହାର -

କବିଙ୍କ ଭାଷାରେ :

କ୍ଷମତାକୁ ଆସିଗଲେ

ଇସ୍ତାହାର ଯାଏ ଭୁଲି,

ଜାତି, ଧର୍ମ ସମ୍ପ୍ରଦାୟକୁ

ନେଇ ଖେଳେ ଲୁଚକାଳି ।

   ପ୍ରିୟ ଭାଇ ଓ ଭଉଣୀ, ମଉସାମାଉସୀ, ଗୁରୁଜନ, ଯୁବକଯୁବତୀ, ସାଥୀ ସମସ୍ତଙ୍କୁ ମୋର ନମସ୍କାର । ନିର୍ବାଚନ ପରିପ୍ରେକ୍ଷୀରେ ମୋର ସପ୍ତସୂତ୍ରୀ ଇସ୍ତାହାର ଏହା ସହିତ ଉପସ୍ଥାପନ କରୁଛି ।

୧) ମୁଁ ଯଦି ଜିତିଯାଏ ତେବେ କେହି ଭୋକରେ ରହିବେ ନାହିଁ । ମୁଁ ତଥା ମୋର କର୍ମୀ ଯଥା ସମୟରେ ପ୍ରତ୍ୟେକ ଘରେ ଜଳଖିଆ ତଥା ମଧ୍ୟାହ୍ନ ଭୋଜନ ଓ ରାତ୍ରୀଭୋଜନ ପହୁଂଚାଇ ଦେବେ । ନା ପୁରୁଷମାନଙ୍କୁ କାମ କରିବାକୁ ପଡିବ ନା ସ୍ତ୍ରୀ ଲୋକମାନଙ୍କୁ । କେବଳ ଘରେ ରହି ଦାମ୍ପତ୍ୟ ଧର୍ମ ନିର୍ବାହ କରି ଜନସଂଖ୍ୟା ବୃଦ୍ଧି କରିବେ । ତାଙ୍କ ଇଚ୍ଛା ଅନୁସାରେ ଦିନକୁ ୩/୪ ଘଣ୍ଟା କାମ କରିବେ କାରଣ ଖାଇବା ତ ମାଗଣାରେ ମିଳିବ ।

୨) ଆପଣମାନେ କୃଷି ଋଣ ଛାଡ଼ କରିବା କଥା ଜାଣିଛନ୍ତି । ମୁଁ ସବୁପ୍ରକାର ଋଣ ଛାଡ଼ କରିଦେବି । ଏପରିକି ଆପଣ କାହାଠୁ ହାତ ଉଧାରି ନେଇଥିଲେ ବି ଛାଡ଼ ହୋଇଯିବ । ଋଣ ଛାଡ଼ କରିବା ପରେ ଆପଣ ପୁଣି ଋଣ ପାଇପାରିବେ ଓ ସେଇ ପଇସାରେ ମନ ଇଚ୍ଛା ଖର୍ଚ୍ଚ କରିପାରିବେ । କାରଣ ପରବର୍ତ୍ତୀ ନିର୍ବାଚନରେ ଜିତିଲେ ମୁଁ ପୁଣି ଛାଡ଼ କରିଦେବି ।

୩) ମୋର ଅଭିଜ୍ଞତାରୁ ଯାହା ଜାଣିଛି ସବୁ ଜାତି ପଛୁଆ/ଆଦିବାସୀ/ହରିଜନ ହେବାପାଇଁ ବ୍ୟାକୁଳ ହେଉଛନ୍ତି । ତେଣୁ ମୁଁ ଜିତିଗଲେ ସମସ୍ତଙ୍କୁ ପଛୁଆ ଜାତିରେ ସାମିଲ କରି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବି ।

୪) ମୁଁ ମୁକ୍ତ କଣ୍ଠରେ ଘୋଷଣା କରୁଛି ଯେ ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ କରିବି ନାହିଁ । ଯାହା ପ୍ରକୃତିର ନିୟମକୁ ଉଲଂଘନ କରୁଛି, ତାକୁ ମୁଁ କିଏ ଯେ ନିୟନ୍ତ୍ରଣ କରିବି, ତେଣୁ ମିଛ କହିବି ନାହିଁ ।

କବିଙ୍କ ଭାଷାରେ ମୂଲ୍ୟବୃଦ୍ଧିର ପରିଭାଷା ହେଉଛି -

ପୃଥିବୀର ଏକମାତ୍ର ତଥ୍ୟ

ଯହିଁ ବ୍ୟତିକ୍ରମ ହୁଏ,

 ମାଧ୍ୟାକର୍ଷଣ ନିୟମକୁ

ଉଲ୍ଲଂଘନ କରି ଚାଲିଥାଏ ।

ଅନ୍ୟ ଅର୍ଥରେ ବେପାରୀ, ଦୋକାନୀ ମାନଙ୍କର ଭୋଟ ହାତଛଡ଼ା କରିବାକୁ ମୁଁ ଚାହୁଁନାହିଁ କାରଣ ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ କଲେ ଏହି ଅସୁବିଧା ହେବ । ଅବଶ୍ୟ ମୁଁ ଆପଣମାନଙ୍କର ଦରମା ନିୟମିତ ବୃଦ୍ଧି କରିବି, ଏପରି ଦିଆଯାଉଥିବା ମହଂଗାଭତ୍ତା ପ୍ରତି ୬ମାସ ବଦଳରେ ୩ ମାସରେ ଦେବି । ଆପଣ ବ୍ୟସ୍ତ ହେବାର ନାହିଁ କାରଣ ଆଗରୁ କହିଛି - ପ୍ରତିଦିନ ଠିକ୍ ସମୟରେ ଆପଣ ଖାଇବା ପିଇବା ପାଇବେ ମୋ ତରଫରୁ ।

୫) ବେକାରୀ ସମସ୍ୟାର ଦୂରୀକରଣ ପାଇଁ ମୋ ସରକାର ଏକ ସେନା ନିର୍ମାଣର ଯୋଜନା ରଖିଛି । ଏମାନେ ଆମର ଚିନ୍ତାଧାରାର ପ୍ରଚାର କରିବେ । ଅବଶ୍ୟ ଆମର ଚିନ୍ତାଧାରା କିଛି ନାହିଁ । ଆମେ ସୁବିଧା ବାଦୀ ।

କବିଙ୍କ ଭାଷାରେ -

ଯୁଆଡ଼େ ବରଷା, ସିଆଡ଼େ ଛତା

ସେ ହେଉଛନ୍ତି ଅସଲ ନେତା ।

ଏମିତି କହିଲେ ଆମର ନିର୍ଦ୍ଦିଷ୍ଟ ନୀତି ବି ନାହିଁ । କାରଣ ଆପଣ ବି ଜାଣିଛନ୍ତି ଯେଉଁଠି ନାହିଁ ନୀତି ସିଏ ହେଉଛି ରାଜନୀତି ।

ଏଣୁ ବେକାର ଥିବା ଯୁବଗୋଷ୍ଠୀ ଆମ ସେନାରେ ସାମିଲ ହେବା ପାଇଁ କିଛି ଅସୁବିଧା ନାହିଁ । ଉପଯୁକ୍ତ ସମୟରେ ଉପଯୁକ୍ତ ଦିଗ୍‌ଦର୍ଶନ ପାଇଁ ମୁଁ ଅଛି ।

୬) ଆପଣମାନେ ଜାଣନ୍ତି ଯେ ଦୁର୍ନୀତି ହେଉଛି ବର୍ତ୍ତମାନ ଯୁଗର ବଡ଼ ସମସ୍ୟା । ଦୁର୍ନୀତିକୁ ରାଷ୍ଟ୍ରୀୟ ଆୟ ନୀତିରେ ଅନ୍ତର୍ଭୁକ୍ତ କରାଯିବ । ନିର୍ଦ୍ଧାରିତ ଫିସ୍ ଦେବାପରେ ମୁକ୍ତ ଭାବରେ ଦୁର୍ନୀତି କରିପାରିବେ । ଏହାଦ୍ୱାରା ରାଜସ୍ୱ ବଢ଼ିବ । ନିଅଣ୍ଟିଆ ବଜେଟରୁ ରକ୍ଷା ମିଳିବ । ବର୍ତ୍ତମାନ ଦୁର୍ନୀତି କରୁଥିବା ଲୋକ ସବୁ ପଇସା ନିଜ ପକେଟ୍‌କୁ ନେଉଛନ୍ତି । ନିଜ ସ୍ତ୍ରୀ, ଶଳା, ଭାଇ, ଶ୍ୱଶୁର ନାଁରେ ଜମି କିଣୁଛନ୍ତି । ବ୍ୟାଙ୍କରେ ଜମା କରୁଛନ୍ତି । ମୋର ଆଶା, ଫିସ୍ ଦେଇ ଅବାଧ ଦୁର୍ନୀତି କରିବାରେ କେହି କୁଣ୍ଠାବୋଧ କରିବେ ନାହିଁ । ତେବେ ଆପଣମାନଙ୍କର ଉତ୍କଣ୍ଠା ରହିବ ଯେ ଦୁର୍ନୀତି ନିବାରଣ ବିଭାଗ କର୍ମଚାରୀ କ’ଣ କରିବେ ? ସେମାନେ ଲାଞ୍ଚ ନ ନେଇ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ନାମରେ ମକଦ୍ଦମା କରିବେ ଓ ସଂପୃକ୍ତ କର୍ମଚାରୀ ପଇସା ଦେଇ କେଶରୁ ଖଲାସ ହେବେ । ଆଶା, ଏହି ଅଭିନବ ଇସ୍ତାହାର ଆପଣଙ୍କର ମନକୁ ଛୁଇଁବ ।

୭) ମୋର ଶେଷ ଇସ୍ତାହାର ହେଉଛି ଆପଣ ଭୋଟଦାନ ନିର୍ଭୟ ଭାବରେ କରିବେ । ଯିବା ଆସିବା ବ୍ୟବସ୍ଥା ମୋ ପକ୍ଷରୁ କରାଯିବ । କେବଳ ଆପଣ ଘରେ ଥିବା ଦରକାର । ଭୋଟ ଆମର ଦରକାର - ଆପଣ ପରିଶ୍ରମ କାହିଁକି କରିବେ । ଏ ପର୍ଯ୍ୟନ୍ତ ଆପଣମାନେ ଆସି ଭୋଟ ଦାନ କରିଛନ୍ତି - ଏଥର ଆମେ ଆପଣଙ୍କ ପାଖକୁ ଯିବୁ । କହିବା ବାହୁଲ୍ୟ ଆମେ ବ୍ୟବସ୍ଥା କରିଥିବା ଯାନରେ ମଦଠୁ ଆରମ୍ଭ କରି ଅନ୍ୟାନ୍ୟ ନିଶାଦ୍ରବ୍ୟ, ଖାଇବା, ପିନ୍ଧିବା ଜିନିଷ ରହିଛି । ଆପଣଙ୍କର ଯାହା ଦରକାର ସସମ୍ମାନ ଗ୍ରହଣ କରିବେ । ଆପଣଙ୍କର ମୂଲ୍ୟବାନ ଭୋଟ ମାଗଣାରେ ନେବାକୁ ମୋର ବିବେକ ବାଧା ଦେଉଛି ଓ ମୁଁ ଲଜ୍ଜିତ ଅନୁଭବ କରୁଛି । ଗଣତନ୍ତ୍ରର ଏହି ମହୋତ୍ସବରେ ଆପଣଙ୍କର ପାଇଁ ଏହି ବ୍ୟବସ୍ଥା କେତେଦୂର ଗ୍ରହଣୀୟ ଏ ଅଧମ ଜାଣେନା । କିନ୍ତୁ ଏହାକୁ ମହାନତାର ସହିତ ଗ୍ରହଣ କରି ମତେ ଓ ମୋର ସହଯୋଗୀ ସୁବିଧାବାଦୀମାନଙ୍କୁ ଭୋଟ ଦେବେ ବୋଲି ଆଶା ।

  ମୋର ସପ୍ତସୂତ୍ରୀ ଅଭିନବ ନିର୍ବାଚନ ଇସ୍ତାହାର ସଂପୂର୍ଣ୍ଣ ମୌଳିକ ଅଟେ । ଯଦି କୌଣସି ରାଜନୈତିକ ଦଳ ଏହାକୁ ଅନୁକରଣ କରନ୍ତି କିମ୍ବା ଏହାଠୁ ଆହୁରି ଆକର୍ଷଣୀୟ ଇସ୍ତାହାର ପ୍ରକାଶ କରିଛନ୍ତି ମୋତେ ଶୀଘ୍ର ଜଣାନ୍ତୁ । ଆଶା ଆପଣମାନେ ନିଶ୍ଚୟ ଭୋଟଦେବେ । ମୁଁ ଜିତିବା ପରେ ମୋର ଇସ୍ତାହାର ପ୍ରତିଶ୍ରୁତି ପୂରଣ ନକଲେ ପାଞ୍ଚବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ ମୁହଁ ଦେଖାଇବି ନାହିଁ କି ଆପଣଙ୍କ ମୁହଁ ମଧ୍ୟ ଦେଖିବି ନାହିଁ - ଏହା ମୋର ଭୀଷ୍ମ ପ୍ରତିଜ୍ଞା ।


Rate this content
Log in

Similar oriya story from Comedy