Sanjaya Ananda Kumar Tripathy

Comedy

4.5  

Sanjaya Ananda Kumar Tripathy

Comedy

ଚପଲ ହଜିଛି

ଚପଲ ହଜିଛି

3 mins
250


‘ଚପଲ ହଜିଛି’ ଶୀର୍ଷକ ସମ୍ବାଦ ପଢ଼ି ବନ୍ଧୁ ବହୁତ ହସିଲେ । ହସି ହସି ନୟାନ୍ତ ହୋଇଗଲେ, କହିଲେ “ଦେଖୁଛକି ସମ୍ବାଦ ସବୁ ସମ୍ବାଦପତ୍ରରେ ବାହାରିଲାଣି । ଏମାନଙ୍କୁ କ’ଣ ଛାପିବା ପାଇଁ ଆଉ କିଛି ଖବର ମିଳୁନି । ପୃଥିବୀରେ, ଦେଶରେ, ରାଜ୍ୟରେ କେଉଁ ଘଟଣା / ଦୁର୍ଘଟଣା ହେଉଛି ତାହାକୁ ଛାଡ଼ୁ ନାହାନ୍ତି ।” ମୁଁ କିନ୍ତୁ କଥାଟାକୁ ହାଲ୍‌କା ଭାବରେ ଗ୍ରହଣ କଲି । କାରଣ ଏ ସମ୍ବାଦ ନୂଆ ନୁହେଁ । ଏମିତି ଖବର ମଝିରେ ମଝିରେ ବାହାରେ । ଆମେ ପଢ଼ି ପଢ଼ି ଦେହସୁହା ହୋଇଗଲୁଣି । କିନ୍ତୁ ବନ୍ଧୁଜଣକ ଟିକେ ଭିତର ଇଲାକାରେ ଚାକିରୀ କରନ୍ତି । ଏପର୍ଯ୍ୟନ୍ତ ନିୟମିତ ଖବରକାଗଜ ପଢ଼ିବାର ସୁଯୋଗ ପାଇନାହାନ୍ତି । ତେଣୁ ଅଡ଼ୁଆ ଲାଗିବା ସ୍ୱାଭାବିକ । ମୁଁ କହିଲି ଶୀର୍ଷକ ପଢ଼ି ତୁମେ ଏତେ ହସୁଛ । ପୂରା ଖବରଟା ପଢ଼ । ମୁଁ ଚା ଟିକେ କରୁଚି । ମୁଁ ଗ୍ୟାସ ଜାଳି ଲେମନ୍ ଚା ଦୁଇକପ୍ ନେଇଆସିଲି । ଏ ଭିତରେ ସେ ପ୍ରାୟ ଅଧା ପଢ଼ିସାରିଥିଲେ । ଚା କପ୍ ଦେବାରୁ ଗୋଟେ ଢୋକ ପିଇ କାଗଜଟାକୁ ଥୋଇଦେଲେ । କହିଲେ, ବୁଝିଲ ସମ୍ବାଦ ଶୀର୍ଷକଟାକୁ ମାନିବାକୁ ପଡ଼ିବ । ମୁଁ ଆଗରୁ ଏଗୁଡ଼ିକ ମଝିପୃଷ୍ଠା, ଶେଷପୃଷ୍ଠାରେ ତଳକୁ କେଉଁ କୋଣରେ ବାହାରିଥିବା ଦେଖିଛି, ମାତ୍ର ପ୍ରଥମ ପୃଷ୍ଠାରେ ବକ୍ସ କରି ବାହାର କରିବା କଥା ନୂଆ ଦେଖୁଛି । ହଁ କାହିଁକି ନ ବାହାରିବ, ବଡ଼ ଲୋକଙ୍କର ଘରେ ସୋରିଷ ଫୁଟିଲେ ବି ବାହାରିବ, ଏଇତ ଚପଲ ହଜିବା କଥା । କିନ୍ତୁ ଜାଣିଛ କାହାଣୀଟା ସତରେ ଆଗ୍ରହପୂର୍ଣ୍ଣ । ମୁଁ କହିଲି, ତୁମେ ଆଉ ଡିଡେକ୍ଟିଭ ଭଳି ବର୍ଣ୍ଣନା ନକରି ସିଧା କଥା କହିଲ, କାରଣ ସେ ସମ୍ବାଦ ପଢ଼ିବାକୁ ମୋର ଧୈର୍ଯ୍ୟ ନାହିଁ । ଚା ଆଉ ଟିକିଏ ମାରିଦେଇ ବନ୍ଧୁ ବାକି ଅଂଶତକ ପଢ଼ିଗଲେ ଓ କହିବା ଆରମ୍ଭ କରିଦେଲେ ।

ରାଜ୍ୟ ରାଜଧାନୀର ଜଣେ ବଡ ସାହେବଙ୍କ ଘରେ ସାପ ବାହାରିଲା । ତୁମେ ତ ଜାଣିଛ ବଡ ସାହେବଙ୍କ ସରକାରୀ ଘର କେତେ ବଡ଼ । ସଫା ଠିକ୍ ଭାବରେ ହେଲେ ମଧ୍ୟ ସାପଟା ବାସନାରେ ଟାଣିହୋଇ ଚାଲିଯାଉଛି । ସାପ ତ ପୁଣି ନାଗସାପ, ସିଏ ଘର ଭିତରକୁ ଯିବାକୁ ଉଦ୍ୟମ କଲା ବେଳେ ମିଟୁ ଆଉ ଲିଟୁ ବାଧାଦେଲେ । ସାପ ସାଙ୍ଗରେ ତାଙ୍କର ଝଗଡ଼ା ହୋଇଗଲା । କେତେବେଳେ ମିଟୁ, ଲିଟୁ ମାଡ଼ି ଯାଉଛନ୍ତି ତ କେତେବେଳେ ନାଗସାପଟା । କେହି କାହାକୁ ଊଣା ନୁହନ୍ତି । ଏ ଭିତରେ ସାପଟା ଗ୍ରୀଲ୍‌ଦେଇ ବାହାରି ଗଲାବେଳକୁ ଜୋରରେ ଗୋଡ଼ାଇଥିବା ମିଟୁର ମୁଣ୍ଡ ଗ୍ରୀଲ ଭିତରେ ପଶିଗଲା । ସେଠୁ ସବୁ ବିଗିଡ଼ିଗଲା । ସାହେବାଣୀ ପାଟିକଲେ ଦେଖ ଦେଖ, ମିଟୁର ମୁଣ୍ଡ ଗ୍ରୀଲରେ ପଶିଗଲା । ଘରେ ଥିବା ପିଅନ ସାଙ୍ଗେ ସାଙ୍ଗେ ଦପ୍ତରକୁ ଫୋନ କରିଦେଲେ । ସେଠୁ ଡାକ୍ତରଖାନା, ପୋଲିସ ସବୁଆଡ଼େ ଫୋନ ହୋଇଗଲା । ଚାହୁଁ ଚାହୁଁ ସାମ୍ବାଦିକ, ଟିଭିବାଲା ହାଜର ହୋଇଗଲେ । ଡାକ୍ତର, ପୋଲିସ କହିଲେ କାହିଁ, ମିଟୁ କାହିଁ, କେଉଁ ଗ୍ରୀଲରେ ମୁଣ୍ଡ ପଶେଇଛି । ଘର ସାମନାରେ ଭିଡ଼ ଜମିଗଲା । ରାସ୍ତାରେ ଯାଉଥିବା ଲୋକ ଅଟକିଗଲେ । ଭାବିଲେ ସାହେବ ଘରେ କଅଣ ଚାଲିଛି । ଦୂରରେ ଥାଇ ଦେଖୁଥିଲେ । ସେପଟେ ଲିଟୁ କିନ୍ତୁ ଗ୍ରୀଲ ଡେଇଁ ଘର ପଛପଟେ ସାପ ସାଙ୍ଗରେ ଲାଗିଛି । ସାପ ବି ଧସ୍ତାଧସ୍ତି ଭିତରେ, ପୁଣି ଷ୍ଟୋର ରୁମରେ ବାହାରପଟୁ ପଶିଗଲା । ମାଡ଼ାମ୍ ଦଉଡ଼ିବା ଭିତରେ ହଠାତ୍ ଚପଲଟା ଛିଟିକି ପଡ଼ିଲା ଓ ସେ ପାଇଲେ ନାହିଁ ।

ଏପଟେ ଗେଟ୍ ସାମ୍‌ନାରେ ହୋହାଲ୍ଲା ଆରମ୍ଭ ହୋଇଯାଇଥିଲା । ମିଟୁ କାହିଁ । ମିଟୁ କାହିଁ । ମାଡାମ ଦୌଡ଼ିକରି ଆସିଲେ । କହିଲେ ମିଟୁ ପରା ସେପଟ ଗ୍ରୀଲରେ ଲାଖିଯାଇଛି । ଏତେବେଳ ପର୍ଯ୍ୟନ୍ତ ଲୋକ ଭାବୁଛନ୍ତି ସାହେବ ପୁଅ ମିଟୁର ମୁଣ୍ଡ ଗ୍ରୀଲରେ ପଶିଛି । କିନ୍ତୁ ଦୁଇ କୁକୁରଙ୍କ ନାଁ ମିଟୁ ଓ ଲିଟୁ ବୋଲି ଲୋକେ ଜାଣିବେ କେମିତି ? ସେ ଯାହାହେଉ ପୋଲିସ ଘର ଭିତରକୁ ଯାଇ ଗ୍ରୀଲ୍ କାଟି ମିଟୁକୁ ଉଦ୍ଧାର କଲେ । ବର୍ତ୍ତମାନ ଚିନ୍ତା କେମିତି ଷ୍ଟୋର ରୁମ୍‌ରୁ ସାପ ବାହାରିବ ଓ ମାଡାମ୍‌ଙ୍କ ଚପଲ ମିଳିବ । ମିଟୁର ମୁଣ୍ଡ ଗ୍ରୀଲ ଭିତରେ ପଶିବା ପରେ ସେ ଭୁକିବା ଆରମ୍ଭ କରିଦେଇଥିବାରୁ ତା ଡାକରାରେ ବୁଲା କୁକୁରଟିଏ ଭିତରକୁ ବାଡ଼ ଡେଇଁ ଚାଲିଯାଇଥିଲା । ହେଲେ ସେ ଲୋକଙ୍କର ହୋହଲ୍ଲାରେ ଆଉ ଗେଟ୍ ଦେଇ ଯାଇପାରିଲାନି । ମାଡାମ୍‌ଙ୍କ ଛିଟିକିଥିବା ଚମଡ଼ା ଚପଲ ନେଇ ବାଡ଼ ଡେଇଁ ପଳେଇଲା ।

ସାଙ୍ଗେ ସାଙ୍ଗେ ସାପ ଧରିବା ପାଇଁ ଲୋକ ଡକାହୋଇଗଲା । ସେ କୌଶଳ କରି ସାପକୁ ଧଇଲା । ଖବରକାଗଜ, ଟିଭିବାଲା ଫଟୋ ବି ଉଠେଇଲେ । ମାଡାମ୍‌ଙ୍କ ସାକ୍ଷାତକାର ମଧ୍ୟ ନେଲେ । ହେଲେ ମାଡାମ୍‌ଙ୍କର ମନ ଠିକ୍ ନ ଥିଲା । ସେ କଥା ଭିତରେ ଚପଲ କଥା ବାରମ୍ବାର ଦୋହରାଇଲେ ଓ କେମିତି ମିଳିବ ସେ କଥା ଚିନ୍ତା କରିବା ପାଇଁ କହିଲେ । ଚପଲଟା କେତେ ଦୋକାନ ବୁଲିବା ପରେ ସେ କିଣିଥିଲେ ବୋଲି କହିବାକୁ ପଛାଇ ନ ଥିଲେ । ଏଥିପାଇଁ ଚପଲ ହଜିଛି ସମ୍ବାଦକୁ ପ୍ରଥମ ପୃଷ୍ଠାରେ ଛପାହୋଇଛି ।

ମୁଁ ମନଦେଇ ଶୁଣୁଥିଲି ଆଉ ଭାବୁଥିଲି, ରାଜ୍ୟରେ ଲୋକ ଖାଇବାକୁ ପାଉନାହାନ୍ତି । ପରିସ୍ଥିତି କଅଣ ଅଛି ସେ କଥା ଜାଣିବାକୁ ୟାଙ୍କର ସମୟ ନାହିଁ କି ମୁଣ୍ଡରେ ବି ଜୁଟୁନାହିଁ । କ’ଣ କରାଯିବ ? ଦେଖାଯାଉ ନୂଆ ଚପଲ କେଉଁ ଦୋକାନରୁ କିଣୁଛନ୍ତି ? ସବୁ ଖବରବି ଛପା ହୋଇ ବାହାରିବ, ଜଣାପଡ଼ିଯିବ ।

ବନ୍ଧୁ ଖବରକାଗଜଟି ଥୋଇଦେଇ ରାଜଧାନୀକୁ ଯେଉଁ କାମ ନେଇ ଆସିଥିଲେ, ତା’ଉଦ୍ଦେଶ୍ୟରେ ବାହାରିଗଲେ । ମୁଁ ମଧ୍ୟ ଅଫିସ୍ ବାହାରିବା ପାଇଁ ପ୍ରସ୍ତୁତ ହେଲି ।


Rate this content
Log in

Similar oriya story from Comedy