STORYMIRROR

Sanjaya Ananda Kumar Tripathy

Comedy Inspirational

4  

Sanjaya Ananda Kumar Tripathy

Comedy Inspirational

ମହିଷାସୁର କ'ଣ ନ କଲା ?

ମହିଷାସୁର କ'ଣ ନ କଲା ?

5 mins
635

“ପଳେଇ ଗଲା । ତାକୁ ଧର । ନହେଲେ ପୂଜା ଭଣ୍ଡୁର ହୋଇଯିବ ।” ସ୍ୱପ୍ନ ଦେଖି ରଘୁ ଭାଇନା ଉଠି ପଡ଼ିଲେ । ପରଦିନ ମହାସପ୍ତମୀ, ଆଜି ଅଧିବାସ । ପାଖ ଡେକୋରେସନ୍‌ରେ ମାତି ଥିବା ସବୁ ପିଲା ଘେରିଗଲେ । ସମସ୍ତେ ପଚାରିଲେ - “କିଏ ପଳେଇଗଲା ? କାହାକୁ ଧରିବୁ ?’ - ନା’ କିଛି ନୁହେଁ ବୋଲି ରଘୁ ଭାଇନା କହିଲେ ଓ ସାଙ୍ଗେ ସାଙ୍ଗେ ଉଠି ମଣ୍ଡପକୁ ଗଲେ । ସେଠି ଦେଖିଲେ ମେଢରେ ମହିଷାସୁରର ମୂର୍ତ୍ତି ନାହିଁ । ତାଙ୍କ ମୁଣ୍ଡରେ ଚଡ଼କ ପଡ଼ିଗଲା କାରଣ ସେ ସ୍ୱପ୍ନରେ ଏଇଆ ହିଁ ଦେଖିଥିଲେ । “ଗଲା ! ସବୁ ଶେଷ ହୋଇଗଲା,” କହି ଲଥ୍ କିନା ବସି ପଡ଼ିଲେ । କଥାଟା ତାଙ୍କର ବିଶ୍ୱାସ ହେଉ ନଥିଲା । ଦୀର୍ଘ ୫୦ ବର୍ଷ ହେଲା ସେ ଏଇ ପୁଜା ତାଙ୍କ ସାହିରେ ଦେଖି ଆସୁଛନ୍ତି ଏବଂ ଗତ ୫ ବର୍ଷ ହେଲା ନିଜେ ସଭାପତି ଦାୟିତ୍ୱ ତୁଲାଉଛନ୍ତି । ଗଲାବର୍ଷଠାରୁ ଚାନ୍ଦିମେଢ ମଧ୍ୟ ହେଉଛି । “ଆରେ, ରାଜୁ, ମିଟୁ, ଦେଖ ମହିଷାସୁରକୁ କିଏ ଉଠାଇ ନେଇଗଲା । ମୋ ସ୍ୱପ୍ନରେ ଦେଖିଥିବା କଥା ସତ ହୋଇଗଲା । ଏବେ କଅଣ କରିବା ।” ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ମହିଷାସୁରକୁ କିଏ ବା କାହିଁକି ନେବ ।

ସଙ୍ଗେ ସଙ୍ଗେ ରଘୁଭାଇନା ମିଟିଂ ଡାକିଲେ କାରଣ ସ୍ୱପ୍ନରେ ସେ ଯାହା ଦେଖିଥିଲେ ତାହା ସତ ହୋଇଗଲା । ସ୍ୱପ୍ନରେ ରଘୁଭାଇନାଙ୍କୁ ମହିଷାସୁର “ମୁଁ ପଳେଇ ଯାଉଛି, ଆଉ ଆସିବିନି” ବୋଲି କହିଥିଲା । ସେ କଥା ସଭାରେ ପ୍ରକାଶ କରିବାକୁ ବାଧ୍ୟ ହେଲେ । ଆଗରୁ ସେ ସ୍ୱପ୍ନ ଦେଖୁଥିଲେ, ମାତ୍ର ପୂଜା ସମୟରେ ଏପରି ସ୍ୱପ୍ନ ଦେଖିବା ଅମଙ୍ଗଳ ବୋଲି ସେ ଜାଣିପାରିଲେ । ଏପରି ସ୍ୱପ୍ନ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଲେ । କହିଲେ “ଭାଇନା, ସ୍ୱପ୍ନରେ କଅଣ ଦେଖିଲ ଭଲ କରି ମନେ ପକାଇ କହିଲ ।” ଭାଇନା ସ୍ଥିର ହୋଇଗଲେ ଓ ମନେ ପକାଇବାକୁ ଚେଷ୍ଟା କଲେ ।

      ସ୍ୱପ୍ନଟା ଏ ପ୍ରକାର ଥିଲା । ଏ ବର୍ଷର ପୂଜାକୁ ଆସିବା ପାଇଁ ସମସ୍ତେ ମା’ ଦୁର୍ଗାଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲେ । ପ୍ରଥମେ କୈଳାସ ଯାଇ ଶିବ ମହାପ୍ରଭୁଙ୍କ ଅନୁମତି ପରେ ଦୁର୍ଗାଦେବୀଙ୍କୁ ନିମନ୍ତ୍ରଣ ଦେଲେ । ଆବଶ୍ୟକ ଅନୁଯାୟୀ ଶାଢୀ, ଚୁଡ଼ି, ଅଳଙ୍କାର ଇତ୍ୟାଦି ଭାର କରି ନେଇଥିଲେ । ମା’ ଖୁସି ହୋଇ ଆସିବା ପାଇଁ ସମ୍ମତି ପ୍ରଦାନ କଲେ । କିନ୍ତୁ କହିଲେ ଏବେ ମହିଷାସୁର ପୂଜା ପାଇଁ ମର୍ତ୍ତ୍ୟକୁ ଯିବା ପାଇଁ ଅମଙ୍ଗ ହେଉଛି । ଗଲା ବର୍ଷ ପୂଜାବେଳେ ତା’ର ମୃତ୍ୟୁ ପୂର୍ବରୁ ମତେ କହିଥିଲା - ଏବର୍ଷ ଶେଷ.... ଆଉ ଏଠାକୁ ଆସିବିନି । ମୁଁ ତାକୁ କାରଣ ପଚାରି ବୁଝିବା ପୂର୍ବରୁ ତାର ମୃତ୍ୟୁ ଶ୍ଳୋକ ଉଚ୍ଚାରଣ ହୋଇଗଲା ଓ ମୁଁ ବଧ କରିଦେଲି । ତେଣୁ ତାକୁ ସମସ୍ତେ ଯାଇ ଭଲ ଭାବରେ ନିମନ୍ତ୍ରଣ କର । ସେ ଏବେ କେଉଁଠି ଅଛି ଖୋଜିବାକୁ ପଡ଼ିବ । କଥାଟା ସାହିଲୋକଙ୍କୁ ଅବାଗିଆ ଲାଗିଲା । ତଥାପି ଗୁରୁତ୍ୱର ସହିତ କଥାକୁ ଗ୍ରହଣ କଲେ । ମା’ଙ୍କ ଠାରୁ ମେଲାଣି ନେଇ ସମସ୍ତେ ମହିଷାସୁରକୁ ନିମନ୍ତ୍ରଣ କରିବାକୁ ବାହାରିଲେ ।

ମହିଷାସୁରର ରାଜ୍ୟ କୁଲାବତୀ ପାଟଣାରେ ପୂଜା କମିଟିର ସମସ୍ତ ସଭ୍ୟ ରଘୁ ଭାଇନାଙ୍କ ନେତତ୍ୱରେ ପହଞ୍ଚି ଗଲେ । ନଗର ରକ୍ଷକଙ୍କୁ ସେମାନଙ୍କର ଆସିବାର ଅଭିପ୍ରାୟ ଜଣାଇଲେ । ଅନ୍ୟ ବର୍ଷ ପହଞ୍ଚିବା ପରେ ଚିରାଚରିତ ଭାବରେ ସେମାନଙ୍କୁ ସ୍ୱାଗତ କରି ନେଉଥିଲେ । ମାତ୍ର ଏଥର ସମସ୍ତଙ୍କୁ ନଗର ବାହାରେ ଥିବା ଅତିଥିଶାଳାରେ ରହିବାକୁ ପଡ଼ିଲା କାରଣ ମହିଷାସୁରଙ୍କର ସେପରି ନିର୍ଦ୍ଦେଶଥିଲା । କିଛି ସମୟ ପରେ ଖବର ଆସିଲା ମହିଷାସୁର କେବଳ ୩ ଜଣଙ୍କୁ ଦେଖା କରିବାକୁ ଚାହୁଁଛନ୍ତି । କମିଟିର ସମ୍ପାଦକ, ସଭାପତି ଆଉ କୋଷାଧ୍ୟକ୍ଷ ଏଥିପାଇଁ ଜଗୁଆଳୀ ସାଙ୍ଗରେ ଗଲେ । ପହଂଚିବା ପରେ ନିମନ୍ତ୍ରଣ ପତ୍ର ସହିତ ନେଇଥିବା ଭାର ମଧ୍ୟ ଭେଟି ଦେଲେ ଓ ପୂଜାକୁ ଯିବା ପାଇଁ ସଦୟ ସ୍ୱୀକୃତି ପ୍ରଦାନ କରିବାକୁ କହିଲେ । ମାତ୍ର ମହିଷାସୁରଙ୍କଠାରୁ କିଛି ଉତ୍ତର ମିଳିଲାନି । ରଘୁ ଭାଇନା ମାତା ଦୁର୍ଗା କହୁଥିବା କଥା ସତ ବୋଲି ଜାଣିଲେ । ମାତ୍ର ଚୁପ୍ ହୋଇ ରହିବା ବ୍ୟତୀତ କିଛି ଉପାୟ ନଥିଲା ।

ମହିଷାସୁରଙ୍କର ପାଟି ଫିଟିଲା । ସେ ରାଗରେ ଥରୁଥିଲେ । କହିଲେ “ମୁଁ ଆଉ ଦୁର୍ଗାପୂଜା ବେଳେ ମର୍ତ୍ତ୍ୟକୁ ଯିବି ନାହିଁ । ମୋର ଯିବାର କିଛି ଆବଶ୍ୟକତା ନାହିଁ । କେଉଁ ଯୁଗରେ ଅନ୍ୟାୟ କଲି ବୋଲି ଦୁର୍ଗା ମୋତେ ବଧ କରିଥିଲେ । ମୋର ଶୁମ୍ଭ ନିଶୁମ୍ଭଙ୍କୁ ବଧ କରିଥିଲେ । ମାତ୍ର ତାକୁ ଆପଣମାନେ ପ୍ରତିବର୍ଷ ଆୟୋଜନ କରି ମିଛଟାରେ ବାହାଦୂରୀ ନେବା ବ୍ୟତୀତ କିଛି କରୁ ନାହାନ୍ତି । ପୂଜା ନା’ରେ ଦାଦାଗିରି କରି ଲୋକଙ୍କଠୁ ଚାନ୍ଦା ଆଦାୟ, ଦୋକାନରୁ ଚାନ୍ଦା ଆଦାୟ, ରାସ୍ତାରେ ଯାଉଥିବା ଟ୍ରକ୍‌, ବସ୍‌, ଟ୍ରେକରଠୁ ମଧ୍ୟ ଚାନ୍ଦା ଆଦାୟ ଚାଲିଛି । ଜବରଦସ୍ତ ଟିକେଟ କାଟି ୧୦୧/୫୦୧/୧୦୦୧ ଟଙ୍କା ର ରସିଦ ଧରାଇ ଦେଉଛ । ସତେ ଯେମିତି ତୁମେ ଠିକା ନେଇଛ ପୂଜା କରିବା ପାଇଁ । ଚାନ୍ଦା ଯଦି ଦେଲାବାଲା ଖୁସିରେ ଦେଉନି ଜବରଦସ୍ତ କରିବାର କାରଣଟା ମୁଁ ଜାଣିପାରୁନି । ମୁଁ ପୂଜା ହେଉଥିବା ସମୟରେ ଚାରିଦିନ ବ୍ୟାପୀ ଯେଉଁ ଭିଡ଼ ହୁଏ ଲୋକେ ଆସି ଆଲୋଚନା କରିବା କଥା ସବୁ ଶୁଣିଛି । ପୂଜା ପାଇଁ ଆଦାୟ ହେଉଥିବା ଚାନ୍ଦାରେ ମଦ, ମାଉଁସ ଖାଉଛ । ମାତା ଦୁର୍ଗାଙ୍କ ସାମ୍ନାରେ ମେଲୋଡ଼ି କରି ଅଶ୍ଳୀଳ ଗୀତ ଗାଉଛ । ଅର୍ଦ୍ଧଲଙ୍ଗୁଳୀ ନାୟିକା ଆଣି ନାଚ କରୁଛ । ତୁମେ ତ ଆମ ଅସୁର ଜାତିଠୁ ହୀନ ହୋଇଗଲ । ଏସବୁ ଦେଖି ମୋ ମୁଣ୍ଡ ଗରମ ହୋଇଯାଉଛି । ଆଗ ଭଳି ଶକ୍ତି ଥିଲେ ତୁମ ମୁଣ୍ଡମାନଙ୍କୁ ମୋଡି ଦିଅନ୍ତି । କଅଣ କରିବି, ଚୁପ୍ ହୋଇ ସବୁ ସହିବାକୁ ପଡୁଛି । ନା’ ସେଠାକୁ ଆଉ ଯିବାର ନାହିଁ କି ମୁଣ୍ଡ ଗରମ କରିବାର ନାହିଁ । ଆହୁରି ଗଲା, ଅଧିବାସ ଦିନଠୁ ବିସର୍ଜନ ପର୍ଯ୍ୟନ୍ତ ମାଇକ୍ ଲଗାଇ କି ଗୀତ ବୋଲୁଛ । ତୁମେ ହିଁ ବୁଝିବ । ଏପଟେ ମା’ଙ୍କର ପୂଜା, ସେପଟେ ଦିନରାତି ଫିଲ୍ମ, ଅଶ୍ଳୀଳ ଗୀତ । ଏରିଆ ଖାଲି କମ୍ପଉଛ, କା’ ଘରେ ରୋଗୀଥିବେ, ବୃଦ୍ଧଲୋକ, ଶିଶୁଥିବେ, ସେମାନେ ଶୋଇବେ କେମିତି ? ପୁଣି ବିସର୍ଜନ ବେଳେ ସହର ସାରା ବୁଲି ବୁଲି ମଦ ପିଇ ନାଚୁଛ, ସାଂଗରେ ଖଣ୍ଡା, ବାଡ଼ି, ପିସ୍ତଲ ଧରି ଶୋଭାଯାତ୍ରା ନେଉଛ । କିଏ ଭଲ ମନ୍ଦ କହିଲେ ଝଗଡ଼ା କରୁଛ । ଏଇ କି ସଂସ୍କୃତି ମୁଁ ବୁଝିପାରୁନି ।

        ମୁଁ ନଗଲେ କ’ଣ ପୂଜା ହେବନି । ତୁମ ଭିତରେ ମୋଠୁ ବଡ଼ ମହିଷାସୁର ଅଛନ୍ତି । କାହାକୁ ଆଣି ଠିଆ କରିଦିଅ, ଜମିଯିବ । ଇନ୍ଦ୍ର ମୋର ଦୂତକୁ ହତ୍ୟା କଲା ବୋଲି ମୁଁ ସ୍ୱର୍ଗ ଆକ୍ରମଣ କରିଥିଲି । ମୋତେ ମାରିବା ପାଇଁ ମା’ ଦୁର୍ଗାଙ୍କର ଆବିର୍ଭାବ ହେଲା । ମୁଁ ଥରେ ଭୁଲ କରିଥିଲି, କିନ୍ତୁ ଏଯୁଗର ମହିଷାସୁରମାନେ ବାରମ୍ବାର ଭୁଲ କରି ଚାଲିଛନ୍ତି । ପୂଜା ଦେଖିବାକୁ ଆସି ମତେ ଖତେଇ ହେଉଛନ୍ତି । ସମଗ୍ର ପୃଥିବୀ, ନିଜ ଜାତି, ଧର୍ମକୁ ନଷ୍ଟ କରୁଛନ୍ତି । ଧର୍ଷଣ, ଚୋରୀ, ଡକାୟତି କରୁଛନ୍ତି । ବୋମା ବିସ୍ଫୋରଣ କରି ନିରୀହ ଜୀବନ ନଷ୍ଟ କରୁଛନ୍ତି । ସେମାନେ ଆମ ଅସୁରଙ୍କ ଠାରୁ ବଡ଼ ନିଷ୍ଠୁର । ଏଠୁ ସିଧା ଘରକୁ ଯିବାର ବ୍ୟବସ୍ଥା କର । ଦୁର୍ଗା ଦେବୀ ଯଦି ଯିବେ ଯାଆନ୍ତୁ, ମୋର ଯିବାର ନାହିଁ ।

        ରଘୁ ଭାଇନା ଓ ଆଉ ଦୁଇଜଣ କହିଲେ “ଆମେ ବରବାଦ୍ ହୋଇଯିବୁ । ଲକ୍ଷ ଲକ୍ଷ ଟଙ୍କା ଆଦାୟ ହୋଇଛି । ଆପଣ ନ ଗଲେ ଦେବୀଙ୍କର ମହିଷାମର୍ଦ୍ଦିନୀ ରୂପ ସଫଳ ହେବ ନାହିଁ । ମନା କରନ୍ତୁ ନାହିଁ ।” ମହିଷାସୁର କହିଲେ “ଥରେ କହିଲି ପରା, ସେ ପୂଜାକୁ ମୁଁ ଆଉ ଯିବାର ନାହିଁ । ଜବରଦସ୍ତ ମୂର୍ତ୍ତି କଲେ ବି ପଳାଇ ଆସିିବି । ଆଁ କରି ବସିଥିବ । ଯାଅ ତୁମର ସଦ୍‌ବୁଦ୍ଧି ଉଦୟ ହେଉ ।”

ସ୍ୱପ୍ନ କଥା ଏକା ନିଶ୍ୱାସରେ କହିଗଲେ ରଘୁଭାଇନା । ବିଷୟଟା ଶୁଣି ଅଧରାତ୍ରିଟା ଲୋକଙ୍କୁ ଦିନ ଭଳି ଉଜ୍ଜ୍ୱଳ ଦେଖାଗଲା । ସମସ୍ତେ କହିଲେ, ଆମ ସ୍ତରରେ ହେଉଥିବା କଥା ଆମେ ସମାଧାନ କରିବା ପାଇଁ ଚେଷ୍ଟା କରିବା । ହଉ ଯାହାହେଉ, ସକାଳ ହେଲେ ମହାସପ୍ତମୀ ଏହାର ସମାଧାନ କେମିତି କରିବା ଚିନ୍ତା କର । ରଘୁ ଭାଇନା କହିଲେ, ମହିଷାସୁର ତ ଆଉ ଆସିବେ ନାହିଁ, ହଁ ଏପରି ହୋଇପାରେ, ଏବର୍ଷ ସେ ଉଠାଇଥିବା କଥାଗୁଡ଼ାକ ସନ୍ତୋଷଜନକ ହେଲେ ଆରବର୍ଷ ଆସିପାରନ୍ତି ।

କହିବା ବାହୁଲ୍ୟ, ପରଦିନ ମହାସପ୍ତମୀ ପୂଜା ଆରମ୍ଭ ହେଲା ବେଳକୁ ମେଢରେ ମହିଷାସୁର ନଥିଲେ, କିନ୍ତୁ ଦୁର୍ଗାଙ୍କର ତ୍ରିଶୂଳ ଯେଉଁଠି ଆଘାତ କରୁଥିଲା ସେଠି “ମହିଷାସୁର” ବୋଲି ବଡ଼ ଅକ୍ଷରରେ ଲେଖାଯାଇଥିଲା । ରଘୁ ଭାଇନା ଏ ବର୍ଷ ପୂଜା ସନ୍ତୋଷ ଜନକ ନହେଲେ ସଭାପତି ପଦ ଛାଡ଼ିବା ପାଇଁ ସ୍ଥିର କରି ସାରିଥିଲେ ।

                                      


Rate this content
Log in

Similar oriya story from Comedy